ଗରିବ'ର ଦୀପାବଳୀ
ଗରିବ'ର ଦୀପାବଳୀ
ଚିନୁ ଦେଖୁଥିଲା ସେଇ ବିଶାଳ ଦୁଇ ମହଲା ଘରଟିକୁ।
ଦୀପାବଳୀ ପାଇଁ କୋଠାଟିକୁ ଆଲୋକମାଳାରେ ସଜାଉ ଥିଲେ କିଛି ଲୋକ। ସନ୍ଧ୍ୟା ବେଳକୁ ରଙ୍ଗ ବେରଙ୍ଗୀ ଆଲୋକରେ ଝଲସି ଉଠିବ ବାବୁଙ୍କ'ର କୋଠାଟି,ସହରର ଅନ୍ୟ କୋଠାମାନଙ୍କ ଭଳି।
ବହୁତ ଧନୀଘର ଲୋକ ସେମାନେ।ଚିନୁ ଦେଖିଛି ମାଲିକ ମାଳିକାଣୀଙ୍କ ସହ ଚାରି ପାଞ୍ଚ ଲୋକ ସେ ଘରେ କାମ କରନ୍ତି।କେତେ ଅୟସରେ ଜୀବନ ବିତାଉଥିବେ ସେମାନେ ?କେତେ ମଜା ଦୀପାବଳୀରେ ସେମାନଙ୍କର ?
ଦୀପ ସଜାଇ,ନୂଆ ଦାମୀ ଲୁଗା ପିନ୍ଧି,ବାଣ ଫୁଟାଇବେ,ଭଲ ଭଲ ଜିନିଷ ଖାଇବେ।
ଧନୀ ଘରେ ଜନ୍ମହେବା,ଧନୀ ହୋଇ ବଞ୍ଚିବା ଆଜିର ଦୁନିଆରେ ସତରେ ଭଗବାନଙ୍କ ବରଦାନ ଓ ଗରିବ ଜୀବନ ତ ଅଭିଶାପ।
ଆଉ ପ୍ରତି ବର୍ଷ ଭଳି ଚିନୁ'ର ନିଜ ଘର ଅନ୍ଧାରରେ ବୁଡିଥିବ।ଘର କହିଲେ ସରକାରୀ ଜାଗାରେ ରାସ୍ତା କଡ଼ରେ ନାଳ ପାଖରେ ଝାଟି ମାଟିରେ କିଛି ମାସ ତଳେ ତିଆରି ବଖୁରିଆ ଚାଳ ଘରଟେ।
ଚିନୁକୁ ଲାଗେ ରାସ୍ତାର ଅପର ପାର୍ଶ୍ଵରେ, ନିଜ ବଖୁରିଆ ଘରର ଠିକ ସାମ୍ନାରେ ଗର୍ବରେ ମୁଣ୍ଡ ଟେକି ଠିଆ ହୋଇଥିବା କୋଠାଟା ଯେମିତି ସବୁବେଳ ଦାନ୍ତ ନିକୁଟି ପରିହାସ କରେ।
ଚିନୁ ବୋଉ ଦୁର୍ଗା, କିଛି ଘରେ ଵାସନ ମାଜେ ଓ ବାପା ଭରତ ଘର ଘର ବୁଲି ରଦି କାଗଜ,ପ୍ଲାଷ୍ଟିକ,କବାଡ଼ି ଜିନିଷ ସଂଗ୍ରହ କରି ବିକେ।ଘରେ କାଗଜ ଠୁଙ୍ଗା ବି ତିଆରି କରନ୍ତି ସମସ୍ତେ ମିଶି।
- ବୋଉ,ଆମର ଏଥର ବାଣ ଆଣିବା ?"ଚିନୁ ପଚାରିଲା।ଯଦିଓ ସେ ଭଲ ଭାବରେ ଜାଣିଥିଲା ଉତ୍ତର କଣ ମିଳିବ।
ଦୁର୍ଗା ବୁଝେ ପୁଅର ମନ।ହେଲେ ଟଙ୍କା ଆଣିବ କୁଆଡୁ ?କାନିରେ ବାନ୍ଧି ଥିବା ଦଶ ଟଙ୍କିଆ ନୋଟ ପୁଅ ହାତରେ ଦେଇ କହିଲା
- ବାଣ ରୁ ଆମକୁ କଣ ମିଳିବ ?ନିଆଁରେ ଖେଳିଲେ କେତେବେଳେ କେଉଁ କଥା।ତୋ ମାମୁଁ'ର ପରା ଥରେ ହାତ ପୋଡି ଯାଇଥିଲା।ଏଇ ଟଙ୍କାରେ କେକ୍ କି ବିସ୍କୁଟ କିଣିକି ଖାଇଲେ ପେଟକୁ ଯିବ।"
ଚୁପ ରହିଲା ଚିନୁ।ପାଖରେ ଠିଆହୋଇ ଥିବା ବଡ଼ ଝିଅ ଗୁଲି କହିଲା,"ଗତ ଥର ଭଳି ଏବର୍ଷ ରାତିକୁ କାଠିରେ ପ୍ଲାଷ୍ଟିକ ଜରି ଟାଙ୍ଗାଇ ନିଆଁ ଲଗାଇବା
।ଥପ ଥପ ହୋଇ ଖସିବ ନିଆଁ ସବୁ।କେତେ ମଜା ହେବ ?ଅନ୍ୟମାନେ ବାଣ ଫୁଟାନ୍ତୁ, ଆମେ ଦେଖିବା।"
ଅଭାବୀ ମଣିଷ ବି ବିକଳ୍ପ ଖୋଜିନିଏ।ସଂଧ୍ୟାବେଳକୁ ଦୁଇ ଭାଇ ଭଉଣୀ ଖୁସିରେ ଡେ଼ଉଁଥିଲେ। ଭରତ ଆଜି ଆଣିଥିବା ପୁରୁଣା ଜିନିଷ ଭିତରୁ ଦୁଇଟା ମଶା ମରା ରାକେଟ ପିଲାଙ୍କୁ ଦେଇଛି।ସାଙ୍ଗ ଦୋକାନରେ ଚାର୍ଜରେ ବସାଇଦେଇଥିଲା।ଅନ୍ଧାର ଭିତରେ ଦୁଇ ପିଲା ଠୋ,ଠାରୁ ମଶା ମାରୁଥିଲେ ସେଇ ରାକେଟରେ ଓ ତାଳିମାରି ନାଚୁଥିଲେ।ଗୋଟେ ପ୍ୟାକେଟ ଟିକିଲି ବାଣ ଆଣି ତାକୁ ପଥରରେ ଛେଚୁଥିଲା ଚିନୁ।
ସାମ୍ନା ଘରେ ଜଗୁଆଳୀ ଥିବା ଲୋକଟି ରାସ୍ତା ପାଖରେ ଥିବା ପାନ ଦୋକାନକୁ ଆସିଲା। ଭରତକୁ ଚିହ୍ନିଥିଲା ବୋଲି ପାଖକୁ ଆସି ବିଡି ପିଇବାକୁ ଦିଆସିଲି ମାଗିଲା।
-ଆଜି ତ ତମ ବାବୁଙ୍କ ଘରେ ଭୋଜି ଭାତ ହେଉଥିବ। ବାଣ ଫାଣ କେତେବେଳେ ପୁଟେଇବ ?"ପଚାରିଲା ଭରତ।
- କିଏ ଫୁଟାଇବ ବାଣ ?ବୁଢ଼ା ବୁଢ଼ୀ ଦୁଇଟା ତ ରୋଗୀଣା। କି ଭୋଜି ଭାତ ?ଔଷଧ ଖାଇ ବଂଚିଛନ୍ତି ଦୁହେଁ। ଖାଲି ଦେଖାଇବାକୁ ଏଇ ଲାଇଟ ଗୁଡାକ ଲାଗିଛି। ପିଲାମାନେ ତ ସବୁ ବାହାରେ। ତେଣୁ କି ଦୀୱାଲୀ ? ବିଚରା ବୁଢ଼ା ବାବୁ,ବୁଢ଼ୀ ମା କେତେମନେପକାଉଥିବେ ଆଜି ପିଲାଙ୍କୁ ?"
ପାନ ଦୋକାନୀ କହିଲା,"ଦୀପାବଳୀ କାହାପାଇଁ ଆଲୋକର ପର୍ବ ତ କାହାପାଇଁ ଅମାବାସ୍ୟାର ଅନ୍ଧକାର।" ଯଦିଓ ବାହାରେ ବାଣ ଫୁଟୁଥିଲା,ତଥାପି କଥା ପଦକ ପାଖରେ ଠିଆ ହୋଇ ସବୁ ଶୁଣୁଥିଲେ ଦୁର୍ଗା , ଚିନୁ ,ଗୁଲି।
ଦୁଇ ପିଲାଙ୍କୁ କୋଳକୁ ଭିଡ଼ିଆଣି ଦୁର୍ଗା ଗେଲ କରି ପକାଇ କହିଲା,"ଲାଇଟ ସଜାଇ,ବାଣ ଫୁଟାଇଲେ କଣ ଦୀୱାଲୀ ହୋଇଯାଏ ? ଆମେ ସତରେ ସେଇ ବାବୁ ଘର ଅପେକ୍ଷା କେତେ ଖୁସିରେ ଅଛେ ?ନିଜ ଲୋକ ପାଖରେ ଥିଲେ,ସୁଖ ଦୁଃଖ ବାଣ୍ଟୁଥିଲେ ସବୁଦିନ ଦୀୱାଲୀ ।ନହେଲେ ତ ଖାଲି ଅମେଇଷା।ବାହାରକୁ ଧନୀ ଦିଶୁଥିବା ଲୋକଟି ପ୍ରକୃତରେ ପରିବାର ବିନା କେତେ ଗରିବ ଓ ଆମ ଭଳି ଗରିବ ଲୋକ ସପରିବାର ଜୀବନରେ ଖୁସି ଆନନ୍ଦରେ ରହି କେତେ ଧନୀ ତାହା ବୁଝିଲେ ହେଲା।"
ଆକାଶରେ ହଠାତ ବାଣ ଫୁଟି ଚାରିଆଡ଼ ଉଜ୍ଜ୍ଵଳ ଦିଶିଲା।ଚିନୁ ମୁହଁରେ ହସ ଫୁଟିଉଠି ଅଧିକ ଉଜ୍ଜ୍ଵଳ ଦିଶୁଥିଲା।ତାକୁ ଲାଗିଲା ସେ ଗରିବ ନୁହେଁ,ବରଂ ଦୁନିଆର ସବୁଠୁ ଧନୀ ।