ଗୋଟିଏ ବାପାର କରୁଣ କାହଣୀ
ଗୋଟିଏ ବାପାର କରୁଣ କାହଣୀ


ବୈଶାଖ ମାସ, ସୂର୍ଯ୍ୟ ଦେବଙ୍କ ନିଆଁ ବର୍ଷା ଖରାରେ ଆଉଟୁ ପାଉଟୁ ଗାଁ ରୁ ସହର।ମାଟି ପିଚୁ ସବୁ ତାତି ଥାଏ ଡହ ଡହ ହୋଇ । ସ୍କୁଲ ଛୁଟି ଥିବାରୁ ଗାଁ କୁ ଯାଇଥାଏ। ମୋ ବାପ ଘର ଓ ଶାଶୁ ଘର ଭିତରେ ଦୂରତା ପ୍ରାୟ ଏକ କିଲୋମିଟର ।ସେଥିପାଇଁ ଯେତେବେଳେ ଗାଁ କୁ ଯାଏ ଶାଶୁ ଘର ଓ ବାପ ଘରେ କିଛିଦିନ ରହି ଫେରେ।ପ୍ରଥମେ ବାପଘର ପଡୁଥିବାରୁ ଦୁଇ ଦିନ ରହି ଭାବିଲି ଶାଶୁ ଘରକୁଯାଇ ଟିକେ ବୁଲି ଆସିବି ।ନିତ୍ୟକର୍ମ ସାରି ଶାଶୁ ଘର ଅଭିମୁଖେ ବାହାରିଲି। ବାଟରେ ଜଣେ ଭାଉଜଙ୍କ ସହ ଦେଖା ହେବାରୁ ଟିକେ କଥା ହେଉଥାଏ ଏହି ସମୟରେ ଦେଖିଲି ଜଣେ ବୃଦ୍ଧ ବାଡି ଖଣ୍ଡେ ଧରି କାହାକୁ ଗାଳି କରି କରି ଖାଲି ପାଦରେ ଚାଲିଛନ୍ତି । ମନରେ ଉତ୍କଣ୍ଠା ଆସିବାରୁ ଭାଉଜଙ୍କୁ ପଚାରିଲି, ସେ ଉତ୍ତର ରେ କହିଲେ ଯେ ବୃଦ୍ଧ ଜଣଙ୍କ ପାଗଳ।କିନ୍ତୁ କାହିଁକି କେଜାଣି ମନ ବୁଝିଲାନି।ମୁ ସେ ବୃଦ୍ଧଙ୍କୁ ଅନୁସରଣ କଲି ।କିଛି ବାଟ ଗଲାପରେ ଆମର ଦୂରତା ବି କମି ଯାଇଥିଲା।ତେଣୁ ତାଙ୍କୁ ପଛରୁ ଡାକିଲି ମଉସା ,କିନ୍ତୁ ବୃଦ୍ଧ ଜଣଙ୍କ ନିର୍ବିକାର ଥିଲେ,ଆଉ ଆଗଭଳି ସେମିତି ଗାଳି କରି କରି ଚାଲିଥିଲେ।
ମୁଁ ବି ବଡ ଜିଦଖୋର ଥିଲି।ପୁଣି ତାଙ୍କ ପାଖକୁ ଗଲି ଓ ତାଙ୍କ ଆଗରେ ଛିଡ଼ା ହୋଇଯାଇ ପଚାରିଲି "ମଉସା ଏତେ ଖରାରେ ଖାଲି ପାଦରେ କାହାକୁ ଗାଳି କରି କରି ଯାଉଛ"? କଣ ହେଲା କେଜାଣି ମୋର ଏହି ପଦକ କଥାରେ ମଉସା ଭୋ ଭୋ ହୋଇ କାନ୍ଦି ପକାଇଲେ।ସେତବେଳକୁ ମୋ ଶାଶୁ ଘର ବି ପାଖେଇ ଆସିଥିଲା ।କିଏ କଣ କହିବ ସେତେବେଳେ ମୋ ମୁଣ୍ଡରେ ସେତେବେଳେ ପଶିନଥିଲା।ଯାହା ହେଲେବି ଗାଁ କଥା।ସେ କଥାକୁ ଭୃକ୍ଷେପ ନକରି ମୁଁ ବୃଦ୍ଧ ଙ୍କୁ ନେଇ ଆମ ଘର ବାରଣ୍ଡାରେ ବସାଇ ପାଣି ଗ୍ଲାସେ ଆଣି ପିଇବାକୁ ଦେଲି । ଗାଁ ଲୋକ ଗୁଡା ମୋତେ ମୋତେ ଏପରି ଅନାଇ ଥାନ୍ତି ଯେପରି ମୁ ଗୋଟାଏ କିଛି ବଡ ଭୁଲ୍ କରି ଦେଇଛି।ହେଲେ ସେ ସବୁକୁ ମୋର ଭୃକ୍ଷେପ ନଥାଏ । ଘର ଭିତରକୁ ପଶୁ ପଶୁ ଶାଶୁଙ୍କର କଟାକ୍ଷ ।"କଣ ପାଠ ସାଠ ପଢିଛୁ ବୋଲି ଜାତି ଅଜାତି ମାନିବୁ ନାହିଁ ? ସବୁ ସୁଣିଲି ହେଲେ ଫରକ୍ କିଛି ପଡିଲା ନାହିଁ ମୋ ଉପରେ।ବିନମ୍ର ଭାବରେ ଖାଲି ବଡ ଯାଆଙ୍କୁ ପଚାରିଲି "ଅପା କିଛି ଖାଇବା ପାଇଁ ଅଛିକି ? ସେ ଉତ୍ତର କିଛି ଦେଲେନି ବୋଧେ ଶାଶୁଙ୍କ ଡରରେ ହେଲେ ଗୋଟିଏ ରସଥାଳିରେ ଚାରିଖଣ୍ଡ ରୁଟି ଓ ଭଜା କିଛି ଆଣି ମୋତେ ଧରାଇ ଦେଲେ ।
ସେତକ ଧରି ମୁଁ ବୃଦ୍ଧ ମଉସାଙ୍କୁ ଦେଲି । ସେ ନିମିଷକ ଭିତରେ ସବୁତକ ଗର୍ଭସ୍ଥ କରି ଏକ ତୃପ୍ତିର ନିଶ୍ୱାସ ନେଇ ମୋ ଆଡକୁ ଚାହିଁଲେ। ତା ପରେ ବୃଦ୍ଧ ଜଣଙ୍କ ନିଜ କଥା ଆରମ୍ଭ କଲେ।କହିଲେ ଶୁଣ ମାଆ ମୁଁ କାହିଁକି ଗାଳି କରୁଥିଲି।
ଆର ଗାଁ ରେ ମୋ ଘର ।ମୋ ସ୍ତ୍ରୀ,ପୁଅକୁ ନେଇ ଛୋଟିଆ ସଂସାରଟିଏ।ଛୋଟ ଜାତି ମାଆ।ମୁଲ ପାତି ଲାଗି ଯାହା ଆଣେ ସେଥିରେ ଆମ ତିନି ପ୍ରାଣୀ କୁଟୁମ୍ବ ଖୁବ୍ ଖୁସିରେ ଥିଲୁ।ସେଇ ପଇସା ସଞ୍ଚୟ କରି ପୁଅକୁ ବି ପାଠ ପଢାଇଲି। ପୁଅ କୋଉ ଗୋଟିଏ ଭଲ କମ୍ପାନୀ ରେ ଚାକିରୀ ବି କଲା ସବୁ ଭଲରେ ଭଲରେ ଚାଲିଥିଲା,ପୁଅକୁ ବାହାଘର ବି କଲୁ।ବାହାଘର ମାସ କେଇଟା ଯାଇନି ଆରମ୍ଭ ହେଲା ବୋହୁର ଅତ୍ୟାଚାର। ମୋ ସ୍ତ୍ରୀ ସେହି ଅତ୍ୟାଚାର ର ସିକାର ହୋଇ ନିଜ ଜୀବନକୁ ନିଜେ ହାରିଦେଲା। ମୁଁ ପୁରା ଏକୁଟିଆ ହୋଇଗଲି ମାଆ।ଯାହା ଗଣ୍ଡାଏ ବୋହୁ ଦିଏ ସେଇଆକୁ ଖାଏ।ଦିନେ ଦିନ ଓପାସ ବି ରହିବାକୁ ପଡେ ।ହେଲେ ମାଆ ଏଥର ପୁରା ସୀମା ଟପିଗଲା ବୋହୁର ଅତ୍ୟାଚାର।ଚାରିଦିନ ହେଲା ଜରରେ କମ୍ପୁଛି,ପୁଅ ଥରୁଟିଏ ଦେଖିବା କୁ ଆସିନି କି ଓଷଦ ଟିକେ ବି ନାହିଁ। ପଡିଶା ଘର ବୋହୂ ର ଦୟାରୁ ମୁଁ ବଞ୍ଚିଛି।ଜରରେ ପଡି ପଡି ପାଟି ଗନ୍ଧେଇ ଗଲାଣି ସେଥିପାଇଁ ବୋହୁକୁ ଟିକେ ଆଇଁଷ ଆଣିବାକୁ କହିଲି ଯେ ମୋତେ ଝାଡୁରେ ପିଟିଲା।ଆଉ ପୁଅ ଆସିବାରୁ କହିଲା ମୁଁ ତାକୁ।ମାରିଛି ବୋଲି।ତା'ପରକଥା କଣ ଆଉ କହିବି,ପୁଅବି ଆସିଲା ବାକି ଯାହା ପିଟା ବାକି ଥିଲା ସେତକ ପୁଣ କରି ଧକ୍କା ମାରି ଘରୁ ତଡିଦେଲା ।କଣ ଆଉ କରିଥାନ୍ତି ଭାଗ୍ୟକୁ ନିନ୍ଦି ତାଙ୍କୁ ଗାଳି କରି କରି ଯାଉଥିଲି।ଦେଖୁନୁ ମାଆ କେମିତି ସବୁ ଫାଟି ଯାଇଛି।ଆଉ ଘରକୁ ଫେରିବିନି ବୋଲି ଭାବିଛି।ଏ ବୟସରେ ତ କାମ କରି ପାରିବିନି।ମାଗି ଯାଚି ବାକି ଜୀବନ ଟା କାଟିଦେବି।କଥାରେ ଅଛି ପରା ପୁତ୍ ନାମକ ନର୍କରୁ ଉଦ୍ଧାର ହେବାପାଇଁ ଲୋକ ପୁତ୍ର ଜନ୍ମ ଦେଇଥାନ୍ତି, ହେଲେ ମାଆ ମୁଁତ ଏଇଠି ନରକ ଯନ୍ତ୍ରଣା ଭୋଗ କରୁଛି।ଆଉ ଶୁଣିବା ପାଇଁ ମୋର ଧର୍ଯ୍ୟ ନଥିଲା।ଆଖିପତା ଓଦା ହୋଇଯାଇଥିଲା ।ମୁଁ ଭାବୁଥିଲି ସତରେ ଦୁନିଆ କେତେ ବେଇମାନୀ।ଯୋଉ ବାପାର ହାତଧରି ମଣିଷ ଚାଲିବା ଶିଖେ ସେହି ହାତରେ ବାପାକୁ ପରିଣତ ବୟସରେ ପିଟିବାକୁ ବି ପଛାଏନି। ଧନ୍ୟରେ ଦୁନିଆ.....।