ଗୋଟେ ଢାଲ
ଗୋଟେ ଢାଲ


ଜୀବନରେ ଅଧିକାଂଶ ସମୟ ଯାହା ଆଖି ଦେଖେ, କାନ ଶୁଣେ, ତାହା ସତ ହୋଇଥିବ ଏଥିରେ ଯଥାର୍ଥତା ନାହିଁ l ପରିସ୍ଥିତି ବହୁତ କିଛି ବାଧ୍ୟ କରିଦିଏ ମଣିଷ ନ କରିବାକୁ ଚାହୁଁଥିବା କାର୍ଯ୍ୟ l ରେଡ ଲାଇଟ ଏରିଆର ରାସ୍ତା କଡ଼ରେ ଛିଡା ହୋଇଥିବା ଦେହଯିଵୀ ମଧ୍ୟ ଖାଲି ଯେ ଦେହ ଭୋକରେ ଆସି ନ ଥାଏ, ଅନେକ ଅଦେଖା, ଅକୁହା ପରିସ୍ଥିତି ବାଧ୍ୟ କରିଥାଏ ଏପରି ନର୍କମୟ ଜୀବନ ଏବଂ ଜୀବିକା ଲାଗି l ରାସ୍ତା କଡରେ ବସିଥିବା ପାଗିଳିଟିଏ ନିଜ ପିଲାଟିକୁ ସ୍ତନପାନ କରାଇଲା ବେଳେ ଅନେକଙ୍କୁ ସେ ଚିରା ଫଟା ଲୁଗାକୁ ଭେଦି ଦେଖାଯାଉଥିବା ସ୍ତନକୁ ଦେଖନ୍ତି, କିନ୍ତୁ ତା କୋଳରେ ଥିବା ଶିଶୁଟିର ଭୋକ ଏବଂ ତା ଜନ୍ମ ନେବା ପଛରେ ଥିବା କଳା ସତ୍ୟକୁ କେହି ଦେଖନ୍ତି ନାହିଁ l ଏ ଶିକ୍ଷିତ ସମାଜର ବିଡମ୍ବନା ଏବଂ ଅପରାଗତ ସତ୍ୟ ଠାରୁ ଆମେ କୋଷ କୋଷ ଦୂରେ l ଯଦି କିଛି ଜାଣୁ ତାହା ହେଲା ଖାଲି ସମାଲୋଚନା l ହଁ କଣ କରାଯାଇପାରିବ ଆମେ ନିଜେ ଗଢିଛେ ଏ କୁସ୍ଚିତ ମନା ଚିନ୍ତାଧାରା l ସବୁକିଛି ତ ଆମରି ହାତେ ଆବଶ୍ୟକ କିଛି ଅନ୍ତର୍ନିହିତ ସକାରାତ୍ମକ ଭାବନାର l
ମୁଁ ପୂଜା l ସରକାରୀ ଜଳ ଯୋଗାଣ ବିଭାଗରେ କାର୍ଯ୍ୟରତ l ଗୋଟେ ସାଧାରଣ ମନୁଷ୍ୟ ଠିକ ଆପଣଙ୍କ ପରି l ଅବିବାହିତା ଏବଂ ସାମାଜିକ ଦୃଷ୍ଟିକୋଣରୁ ଜଣେ ଜଣେ ଭଦ୍ର ମହିଳା l ଯେ ହେତୁ ମୁଁ ଜଣେ ଭଦ୍ର ଘରୁଆ ଝିଅ ନିହାତି ଅଫିସରେ ସମସ୍ତଙ୍କ ସହ ଭଦ୍ର ଏବଂ ଶାଳୀନତାର ସହ ଆଚରଣ କରିବା, ଜୋରେ ଜୋରେ ନ ହସିବା, ପୁରୁଷ କର୍ମୀ ମାନଙ୍କ ଆଗରେ ବସିବା, ଉଠିବା, କଥା କହିବା, ପରିଧାନ ଉପରେ ଧ୍ୟାନ ଦେବା ଏ ସବୁ ମୋର ନିତିଦିନିଆଁ ଚାଲି ଚଳଣି ଭିତରେ ଅନ୍ତର୍ଗତ l କିନ୍ତୁ ସେ ମୋ ପରି ନ ଥିଲେ ସେ କିଏ?? ସେ ହେଉଛନ୍ତି ଆମ ଅଫିସର ଚନ୍ଦ୍ରା ମ୍ୟାଡ଼ାମ l ଆମ ମ୍ୟାନେଜର ଅଶୋକ ମହାପାତ୍ର ବାବୁଙ୍କ ସେକ୍ରେଟାରୀ l କଣ ଥିଲା ତାଙ୍କ ଭିତରେ କେଜାଣି ଯିଏ ତାଙ୍କୁ ଦେଖେ ଏକା ଥରକେ ପଲକ ଭିତରେ ରଖିଦିଏ l ଉଜ୍ୱଳ ଚେହେରା, ଅପୂର୍ବ ସୁନ୍ଦରୀ, ସବୁବେଳେ ହସ ହସ ମୁହଁ, ଅଚିନ୍ତାମୟ ଆଚରଣ, ପୁରୁଷ ହେଉ କିମ୍ବା ମହିଳା ବନ୍ଧୁ କାନ୍ଧରେ ହାତଟି ପକାଇ ଦେବାରେ କୌଣସି ଅସହଜ ତାଙ୍କୁ ଅନୁଭବ ହୁଏନି, ଜୋରେ ଜୋରେ ହସିବା ନା ବସିବା, ଉଠିବାରେ ଏବଂ କଥା କହିବାରେ ଶାଳୀନତା l ତଥାପି କାହିଁ ଆକର୍ଷଣ କରେ ମୋତେ ତାଙ୍କର ବନ୍ଧୁତ୍ୱ l ମୋତେ କାହିଁକି ଅଫିସର ପ୍ରତ୍ୟେକ ପୁରୁଷଙ୍କ ନଜର ତାଙ୍କୁ ନେଇ ଭିନ୍ନ l ସବୁ ଯେମିତି ଗୋଟେ କେମିତିକା ଲୋଲୁପ ଦୃଷ୍ଟିରେ ତାଙ୍କୁ ଦେଖନ୍ତି କିନ୍ତୁ ମ୍ୟାନେଜର ମହାପାତ୍ର ବାବୁଙ୍କ ଡରରେ ଚୁପ ରୁହନ୍ତି l କାରଣ ସମସ୍ତେ ଜାଣନ୍ତି ଚନ୍ଦ୍ରା ମ୍ୟାଡ଼ାମ ଏବଂ ମ୍ୟାନେଜର ସାରଙ୍କ ଅବୈଧ ସମ୍ପର୍କ ବିଷୟରେ l ସେଥିପାଇଁ ମହାପାତ୍ର ସାର ମଧ୍ୟ ଚନ୍ଦ୍ରା ମ୍ୟାଡ଼ାମଙ୍କ ପ୍ରତ୍ୟେକ କଥା ରଖନ୍ତି ଏବଂ ତାଙ୍କ ଉପରେ ଯେମିତି ନିଜସ୍ୱ ଆନ୍ତରିକ ଅଧିକାର ରହିଛି ସେହିପରି ବ୍ୟବହାର କରନ୍ତି l ଅନେକ ସମୟରେ ଅଫିସରେ ଏ ଦୁହିଁଙ୍କୁ ଅବୈଧ ସମ୍ପର୍କକୁ ନେଇ ଗୁପ୍ତ ଚର୍ଚ୍ଚା l
ମୋତେ ଏଠାରେ ଟ୍ରାନ୍ସଫର ହୋଇ ଆସିବାରେ ତିନି ବର୍ଷ ଉପରେ ହୋଇ ଗଲାଣି l କିନ୍ତୁ ଏ ସମୟରେ କୌଣସି ପ୍ରକାର ସୁବିଧା, ଅସୁବିଧାକୁ ନେଇ ଚନ୍ଦ୍ରା ମ୍ୟାଡ଼ାମ ମୋତେ ଅନେକ ସହଯୋଗ କରିଛନ୍ତି l କହିବାକୁ ଗଲେ ଆମେ ପରସ୍ପର ସହ ବହୁତ ମିଶି ସାରିଥିଲୁ l ବଡ଼ ନାନୀ ପରି ମୁଁ ତାଙ୍କୁ ସମ୍ମାନ ଦେଉଥିଲି ତେଣୁକରି ଯିଏ ଯାହା କହୁ ତାଙ୍କ ବିଷୟରେ ମୁଁ ଶୁଣିଯାଏ କିନ୍ତୁ କେବେ ତାଙ୍କୁ ପ୍ରଶ୍ନ କରିନି କି କାହାରି ଦେଖାଶୁଣା କଥାକୁ ଗୁରୁତ୍ୱ ଦିଏନି l କିନ୍ତୁ ସେ ଦିନ ବହୁତ ଦୁଃଖ ହୋଇଥିଲା ଯେବେ ମୁଁ ଚନ୍ଦ୍ରା ମ୍ୟାଡ଼ାମ ଏବଂ ମ୍ୟାନେଜର ସାରଙ୍କୁ ତାଙ୍କ କ୍ୟାବିନରେ ଏକ ଅନ୍ତରଙ୍ଗ ମୁହୂର୍ତ୍ତରେ ଦେଖିଥିଲି l କିଛି ନ କହି ମୁଁ ଅଫିସରୁ ଶୀଘ୍ର ଘରକୁ ପଳାଇ ଆସିଥିଲି l ବାରମ୍ବାର ମୋତେ ଚନ୍ଦ୍ରା ମ୍ୟାଡ଼ାମଙ୍କ ନୀଚତା ପୂର୍ବକ ରୂପ ତାଙ୍କ ପାଇଁ ଆହୁରି ଘୃଣା ଜାଗ୍ରତ କରାଉଥିଲା l ଦୁଇ / ତିନି ଦିନ ମୁଁ ତାଙ୍କୁ ଦେଖି ନ ଦେଖିଲା ପରି ଆଚରଣ କଲି l କିନ୍ତୁ ସେ ବାରମ୍ବାର ମୋ ସହ କଥା ହେବାକୁ ଚେଷ୍ଟା କରୁଥିଲେ l କିନ୍ତୁ ମନରେ ମୋର ପ୍ରବଳ ଘୃଣା ବାସ କରି ସାରିଥିଲା ତାଙ୍କ ପାଇଁ, କିପରି ଦୁଇଟା ଛୁଆର ମା ହୋଇ ଏପରି ନୀଚ୍ଚତା କୁ ଖସି ପାରିଛନ୍ତି ସେ ଏ ପ୍ରଶ୍ନ ମୋତେ ବାରମ୍ବାର କଷ୍ଟ ଦେଉଥିଲା.
ସବୁଦିନ ପରି ମୁଁ ଲଞ୍ଚ ଟାଇମରେ କ୍ୟାଣ୍ଟିନରେ ବସିଥାଏ, ହଠାତ ଚନ୍ଦ୍ରା ମ୍ୟାଡ଼ାମ ଆସି ବସି ପଡିଲେ ଏବଂ କହିଲେ କଣ ପୂଜା ଆଜି ମୋତେ ତୁମେ ଖାଇବାକୁ ଦେବନି l ମୋ ପାଖରେ ତାଙ୍କ ପ୍ରଶ୍ନର କିଛି ଉତ୍ତର ନ ଥିଲା, ବୋଧେ ମୁଁ ଦେବାକୁ ଚାହୁଁ ନଥିଲି l ସେ ବୁଝିଗଲେ ଏବଂ ଟିକେ ସ୍ମିତ ହସ ଦେଇ କହିଲେ ମୋର ଏଠି ବସିବାକୁ ନେଇ ତୁମକୁ ଲଜ୍ୟା ଅନୁଭବ ହେଉନିତ ପୂଜା? ମୁଁ କିଛି କହିବା, ଶୁଣିବା ପରିସ୍ଥିତିରେ ନ ଥିଲି. ତଥାପି ଯେ ହେତୁ ମୋ ଉପର ଅଧିକାରୀ ସେ ଥିଲେ ମୁଁ ଉଠିକି ପଳାଇଯିବା ଅପେକ୍ଷା ବସିରହି ତାଙ୍କ ଉପସ୍ଥିତିକୁ ସହ୍ୟ କରିବା ଉଚିତ ମନେ କଲି. ୟା ଭିତରେ ମ୍ୟାଡ଼ାମ ଦୁଇ ପ୍ଲେଟ ଖାଇବା ଅର୍ଡର କରି ସାରିଥାନ୍ତି l
ମୁଁ କିଛି କହିବା ପୂର୍ବରୁ ସେ କହିଲେ ପୂଜା କିଛି ପଚାରିବନି? ମୁଁ ନିରୁତର ଥିଲି l ସେ କହିଲେ ହଉ ତୁମେ କିଛି ପଚାରିବା ଦରକାର ନାହିଁ କି ମୁଁ ମଧ୍ୟ ତୁମକୁ କିଛି ଉତ୍ତର ଦେବାକୁ ଉଚିତ ମନେ କରୁନାହିଁ l କିନ୍ତୁ ଯେହେତୁ ତୁମେ ଏଇ କିଛି ବର୍ଷ ଭିତରେ ଗୋଟେ ସାନ ଭଉଣୀ ପରି ମିଶି ଆସିଛ ମୁଁ ତୁମକୁ ସବୁ କହିବା ଉଚିତ l ଅଫିସରେ ଫୁସ, ଫାସ, ଟୁପ, ଟାପ, ଗୁଂଜିତ ହେଉଥିବା ମୋର ଏବଂ ମହାପାତ୍ର ବାବୁଙ୍କ ସମ୍ପର୍କ ସତ l ମୁଁ ତାଙ୍କର ପ୍ରେମିକା l କହିବାକୁ ଖାଣ୍ଟି ଭାଷାରେ ମୁଁ ତାଙ୍କର ରକ୍ଷିତା,ଅବୈଧ ସମ୍ପର୍କ ଆମର l କଣ କରିଥାନ୍ତି ଏହା ବ୍ୟତୀତ ମୋ ପାଖେ ଆଉ କୌଣସି ରାସ୍ତା ନ ଥିଲା l ପରିସ୍ଥିତି ଏବଂ ଜୀବନ ବାଧ୍ୟ କରିଦେଇଥିଲା ମୋତେ l
ତୁମେ ଭାବୁଥିବ ଦୁଇଟି ଛୁଆର ମା ହୋଇ ଏପରି ସମ୍ପର୍କ ଗଢିବାର ଅର୍ଥ l କିନ୍ତୁ ମୋତେ ଏହି ସମ୍ପର୍କ ଜୀବନର ଅନେକ ପାହାଚରେ ସାହାର୍ଯ୍ୟକାରୀ ହୋଇଛି l ବହୁତ ଗରିବ ପରିବାରର ଝିଅ ମୁଁ ଥିଲି, ଜନ୍ମ ହେଉ ହେଉ ମା ମରିଗଲା, ବାପା ଦ୍ୱିତୀୟ ବିବାହ କରିନେଲେ l ସାବତ ମା ମୋତେ ଜମାରୁ ଦେଖି ପାରେନି, ଦିନରାତି ଘର ଠୁ ବାହାରର ପ୍ରତ୍ୟେକ କାମ ମୋତେ କରିବାକୁ ପଡେ,ସେଥିରେ ପୁଣି ଟିକେ ଟିକେ କଥାରେ ମାଡ଼ ଏବଂ ଅତ୍ୟାଚାର l ପାଠପଢାରେ ଭଲ ଥିଲେ ମଧ୍ୟ ଝିଅ ପିଲା ସେଇ ହାଣ୍ଡି, କଢେଇ ଧରିବ କହି ମାତ୍ର ସତରେ ବର୍ଷ ବୟସରେ ବାହାଘର କରାଇଦେଲେ l
ଯାହାକୁ ବାହା ହେଲି ସେ ବୋଧେ ମୋ ଠାରୁ ଦୁଇଗୁଣା ବୟସରେ ବଡ଼, କିଏ ବା ବୁଝିଥାନ୍ତା ମୋ ମନ କଥା, ଏମିତି କୋଉ ଦିନ ନ ଥିବ ସେ ମୋର ମାନସିକ ଏବଂ ଶାରୀରିକ ଶୋଷଣ କରିନଥିବ l ମଦରେ ତାର ଦିନର ଆରମ୍ଭ ଏବଂ ମଦରେ ଶେଷ l ପ୍ରତିଦିନ ତା ମଦ ନିଶାରେ ଏପରି କଷ୍ଟ ମୁଁ ଦେଖିଛି ଯାହା ବର୍ଣନା କରିଲେଭି ଦେହ ଥରି ଉଠିବ, ଏହା ଭିତରେ ମୁଁ ଚନ୍ଦ୍ରା ମ୍ୟାଡ଼ାମଙ୍କ ଆଖିରେ ଛଳ ଛଳ ଲୁହ ଦେଖୁଥାଏ, ତାଙ୍କ କଣ୍ଠ ରୁଦ୍ଧ ହୋଇ ଆସୁଥାଏ, ମୋତେ ନିଜକୁ ଅନୁଭବ ହେଉଥାଏ କିଛି ଭୁଲ କରିନି ତ? ଚନ୍ଦ୍ରା ମ୍ୟାଡ଼ାମ ତାଙ୍କ କଥା କହି ଚାଲିଥାନ୍ତି, ୟା ଭିତରେ ମୁଁ ଦୁଇଟି ଝିଅର ମା ହୋଇ ସାରିଥାଏ, ପୁଅ ଦେଇ ପାରିଲିନାହିଁ ବୋଲି ମଦ ପି ତାଙ୍କର ଅତ୍ୟାଚାର ଦିନକୁ ଦିନ ଆହୁରି ଭୟଙ୍କର ଏବଂ ଅସହନୀୟ ହୋଇ ସାରିଥାଏ l ଅନେକ ଥର ମୁଁ ଆତ୍ମାହତ୍ୟା କରିବାକୁ ଉଦ୍ୟମ କଲି କିନ୍ତୁ ତାହା ଭିତରେ ମୁଁ ଯୋଉ ଦୁଇଟି ଶିଶୁର ମା ହୋଇ ସାରିଥାଏ, ସେମାନଙ୍କ କରୁଣ ଦୃଷ୍ଟି ଏବଂ ଗୋଟେ ମା ର ମମତା ମୋତେ କୌଣସି ଭୁଲ ପଦକ୍ଷେପ ନେବାକୁ ସାହସ ଦେଲାନି l ଜାଣିଥିଲି ମୁଁ ମରିଯିବା ପରେ ପିଲା ଦୁଇଟିଙ୍କ କୌଣସି ସତା ରହିବ ନାହଁ l ସମୟ ଗଡି ଚାଲିଥିଲା ଦିନେ ଜାଣିଲି ମଦ ପି ପି ଗୋଟେ ରାତି ମୋ ସ୍ୱାମୀ ହୃଦଘାତ ରେ ପ୍ରାଣ ହରାଇ ଦେଇଛନ୍ତି l ଦୁଃଖ ଅନେକ ଥିଲା କିନ୍ତୁ ବୋଧେ ତାଙ୍କ ମୃତ୍ୟୁରେ ମୋର ଏବଂ ମୋ ପିଲାଙ୍କ ମୁକ୍ତି ଥିଲା l
ସେ ମଲା ପରେ ତାଙ୍କ ସରକାରୀ ଚାକିରୀଟି ମୋତେ ମିଳିଗଲା l ତାଙ୍କ ମୃତ୍ୟୁ ପରେ ଯୋଉ ପଇସା ମିଳିଥିଲା ତା ମାଧ୍ୟମରେ ଯୋଉ ଭଡାଘରେ ରହୁଥିଲୁ ତାକୁ କିଣିଦେଲି,ପିଲା ମାନଙ୍କୁ ଭଲ ସ୍କୁଲରେ ଶିକ୍ଷା ଦେଇ ପାରିଲି l କିନ୍ତୁ ଏ ସବୁ ଭିତରେ ସମାଜରେ ଅନେକ ଲୋକ ମିଳିଲେ ଯୋଉମାନେ ଗୋଟେ ସ୍ୱାମୀହରାଇ ଥିବା ସ୍ତ୍ରୀ ଲୋକର ଫାଇଦା ଉଠାଇବାକୁ ଅନେକ ଚେଷ୍ଟା କଲେ. ସେତେବେଳେ ମହାପାତ୍ର ବାବୁ ମୋର ଏବଂ ମୋ ପିଲାଙ୍କ ଜୀବନରେ ଆସିଲେ l ସେ ମୋ ପିଲାଙ୍କୁ ଗୋଟେ ପିତାର ସ୍ନେହ ଦିଅନ୍ତି l ମୋର ବହୁତ ଖିଆଲ ରଖନ୍ତି,ତାଙ୍କର ଯିବା ଆସିବା ଦ୍ୱାରା ମୋର ଏବଂ ମୋ ପରିବାର ଠାରୁ ଅସାମାଜିକ ଲୋକ ମାନେ ଡରରେ ଦୁରେଇ ରୁହନ୍ତି l ଯେପରି ସେ ମୋ ପାଇଁ ଏବଂ ମୋ ପିଲାଙ୍କ ପାଇଁ ଏକ ଢାଲ ସଦୃଶ l ଯେପରି ଏକ ସାହାରା l କଥାରେ ଅଛି ବୁଡି ଯାଉଥିବା ଲୋକକୁ କୁଟା ଖିଅ ଭି ସାହାରା l
ହଁ ମୁଁ ଦୁଃଖିତ ମହାପାତ୍ର ବାବୁଙ୍କ ପରିବାର ପାଇଁ କିନ୍ତୁ ମୁଁ ଅସହାୟ l କାରଣ ଯାହାକୁ ବାହାରେ ସମ୍ପର୍କ ରଖିବାର ଇଚ୍ଛା ସେ ଯେମିତି ହେଲେ ରଖିବ, ମୁଁ ନ ହେଲେ ଆଉ କିଏ ନିହାତି, କାରଣ ଏପରି ପୁରୁଷ କଦାଚିତ ଗୋଟେ ନାରୀରେ ସନ୍ତୁଷ୍ଟ l
ହଁ ମୁଁ ଅପରାଧୀ, ଗୋଟେ ପରିବାର ଆଗରେ, ଗୋଟେ ନାରୀ ଆଗରେ କିନ୍ତୁ ମୁଁ ଯେ ଗୋଟେ ଅସହାୟ ନାରୀ ଏବଂ ସ୍ୱାର୍ଥପର ମା l ଖାଲି ଚାକିରୀ ଖଣ୍ଡେ ଗୋଟେ ନାରୀକୁ ସମାଜରେ ସମ୍ମାନର ସହ ବଞ୍ଚିବାକୁ ଦିଏନି ଅନେକ ଏପରି ମୁଖାଧlରି ରାକ୍ଷସ କାମୁକତାରେ ଅନ୍ଧ ହୋଇ ବୁଲୁଛନ୍ତି ଯିଏ ଭୁଲିଯାନ୍ତି କିଏ ମା, ଭଉଣୀ, ଝିଅ l
ମୁଁ ନିରୁପାୟ ପୂଜା l ତୁମ ମାନଙ୍କ ପରି ସମ୍ମାନର ସହ ବଞ୍ଚିବାର ଅଧିକାର ଭାଗ୍ୟ ମୋତେ ଦେଇନି, ସେଥିପାଇଁ ତୁମର ଯାହା ଇଚ୍ଛା ମୋତେ ସେ କୁସ୍ଚିତ ରୂପେ ସଂଜ୍ଞା ଦେଇ ନାମାଙ୍କନ କରିପାର l ଚନ୍ଦ୍ରା ମ୍ୟାଡ଼ାମ ସବୁ କହି ସାରିଥିଲେ ଏବଂ ମୋ କାନ୍ଧରେ ହାତରେ ଥାପୁଡ଼େଇ ଦେଇ ବାହାରି ପଡିଥିଲେ ତାଙ୍କ ଚିରାଚରିତ ଶାଳୀନତା ବିହୀନ ହସ ନେଇ.
ମୋ ପାଖରେ କିଛି ଶବ୍ଦ ନ ଥିଲା,ମୁଁ ନିଜକୁ ନିଜ ଲଜ୍ୟା ଅନୁଭବ କରୁଥିଲି, ସେ ଦିନ ଦେଖିପାରିଥିଲି ଚନ୍ଦ୍ରା ମ୍ୟାଡ଼ାମଙ୍କ ଆଖିରେ ଗୋଟେ ଉଜ୍ୱଳ ଚରିତ୍ରବାନ ନାରୀର ରୂପ l ସତରେ କେତେ ସୁନ୍ଦର ଭାବେ ସେ ଚାପି ଦେଇଥିଲେ ତାଙ୍କ ଦୁଃଖକୁ ଛାତି ଭିତର କୋହରେ, ଏବଂ ନିଜ କୁ ନିଜ ପବିତ୍ର ସଞ୍ଜବତୀ ପରି ଜଳାଇ ଅନ୍ୟକୁ ଦେଉଥିଲେ ଉଜ୍ୱଳ ଆଲୋକ l