STORYMIRROR

Santanu Bisoi

Comedy Inspirational

3  

Santanu Bisoi

Comedy Inspirational

ଗୋପାଳ

ଗୋପାଳ

2 mins
256


ପୋଖରୀ ପାଖ ଚାନ୍ଦନୀ ଉପରେ ବସିଥିଲି। ଖୋଲା ପବନଟା ଦେହରେ ବାଜି ଭାରି ଆରାମ ଲାଗୁଥିଲା। କୁଆଡୁ ବୁଲି ବୁଲି ଗୋପାଳଟା ଆସି ପାଖରେ ବସିଲା।


ଏଇ ଆମ ଗୋପାଳ ମ, ଅଳ୍ପ ଦିନ ହେଲା କୋଉ ଗାଁ ରୁ ଉଠିଆସି ଆମ ଗାଁରେ ଘର କରି ରହିଛି। ବାପା ତାର ଚକୁଳିଆ ପଣ୍ଡା(ଯୋଗୀ/ସଂଯୋଗୀ)। ବେଉଷା ହେଲା ଗାଁ ଗାଁ ବୁଲି ଭିକ୍ଷା ବୃତ୍ତି କରିବା।ଯଦିଓ ଅଭାବ ପକ୍ଷ ନାହଁ କୁଳ ବେଉଷାଟା କାହିଁକି ବୁଡ଼େଇବେ..?? ଲାଗୁଆ ଗାଁ ଗୁଡାକ, ଆଜି କାଲି ସେ ନ ଗଲେ'ବି ହବିଷ୍ୟାଳି ମାନେ ତାକୁ ଡକେଇ ଦାନ ଧର୍ମ କରନ୍ତି। ଗୋପାଳକୁ କିନ୍ତୁ ତା ବାପା ମନା କରିଦେଇଛନ୍ତି, ବେଉଷା ବୁଡିଲେ ବୁଡୁ; ଗୋପାଳ ଆଉ କୌଳିକ ବୃତି କରିବ ନାହିଁ।


ଗ୍ୟାଷ୍ଟିକ ରୋଗରେ ପୀଡିତ ଗୋପାଳ। ପ୍ରତିକାର ପାଇଁ ମୋତେ ପଚାରୁଥିଲା, ମୁଁ ତାକୁ ହୋମିୟୋପ୍ୟାଥିକ ଔଷଧ ଦେଉଥିବା ଜଣେ ଅଭିଜ୍ଞ ଲୋକ ପାଖକୁ ପଠେଇ ଦେଲି। ଔଷଧ ବିଷୟରେ ତାଙ୍କର ଧାରଣା ଅଛି କିନ୍ତୁ ସେ ଡିଗ୍ରିଧାରୀ ଡାକ୍ତର ନୁହନ୍ତି। 


ଜାଗା ନାଇଁ ଅଜାଗା ନାଇଁ ସାଙ୍ଗ ସାଥି ମେଳରେ ଥିଲାବେଳେ ବି ପେଟ କଂ କାଁ ରଡି ଛାଡି ପଛ ପଟରୁ ଗ୍ୟାସ ବାହାରି ପଡୁଛି। ବହୁତ ଥର ସେ ଅପମାନିତ ହେଲାଣି। ନିଜ ସମ୍ବଳକୁ ଚାହିଁ ବହୁତ ଡାକ୍ତରଙ୍କୁ ଦେଖେଇଲାଣି, କିଛି ସୁଫଳ ମିଳୁନି।


ହୋମିଓପ୍ୟାଥିକ ଔଷଧ ଦେଉଥିବା ସେ ଲୋକ ପାଖରୁ ଏଇଲାଗେ ଗୋପାଳ ଫେରୁଥିଲା ବୋଧେ। କାହିଁକି କେଜାଣି ତା'ମୁହଁଟା ଟିକେ ଆମ୍ବିଳା ଆମ୍ବିଳା ଦେଖାଯାଉଛି ।


କାରଣ ଟା ଜାଣିବା ପାଇଁ ପଚାରିଲି, ଆରେ ଗୋପାଳ ଭାଇନା ନଥିଲେ କିରେ? ନା ଔଷଧ ଦେବାକୁ ମନା କଲେ?


ନା' ମୁଁ ଔଷଧ ଆଣିଲିନି। ଦୁର୍ବଳ ସ୍ୱରରେ ଗୋପାଳ ଜବାବ ରଖିଲା।


କାହିଁକି ?


ଔଷଧ ପାଇଁ ତ ଯାଇଥିଲି।  କିନ୍ତୁ ଆଣିଲିନି...


ଭାଇନାଙ୍କ ବଡ଼ ପୁଅ ଗାଈକୁ ପାଳ ଦେଉଥିଲା। ଭାଇନାଙ୍କ ଖବର ପଚାରିବାରୁ କହିଲା, ଚଉକିରେ ବସିଥାଅ ମୁଁ ଡାକି ଦେଉଛି। ପାଳ ଦେବା ଆଉ ମୋ ସହକଥା ହେବା ଭିତରେ ତା'ର ବି ଗ୍ୟାସ ସମସ୍ୟାକୁ ମୁଁ ଜାଣି ପାରିଥିଲି। ଭାଇନାଙ୍କ ପୁଅର ବର୍ଷେ ହେଲା ଏଭଳି ଗ୍ୟାଷ୍ଟିକ ସମସ୍ୟା ଦେଖା ଦେଇଛି।

 

ଘରକୁ ଦାଦା ପଶି ଆସୁ ଆସୁ କହିଲେ ଆରେ ଗୋପାଳ କଣ ହେଲା ?  କୁଆଡେ ଆସିଥିଲୁ..?? 

ଭାଇନାଙ୍କ ବାପାଙ୍କୁ ଗୋପାଳ ଦାଦା ବୋଲି ସମ୍ବୋଧନ କରେ। (ଗୋପାଳର ବାପା ଗାଁ ରେ ଯୋଉମାନଙ୍କୁ ବଡ ଭାଇ ବୋଲି ସମ୍ବୋଧନ କରନ୍ତି ସେମାନଙ୍କୁ ଗୋପାଳ ଦାଦା ବୋଲି ସମ୍ବୋଧନ କରେ।)

ଗୋପାଳ ଗୋଟି ଗୋଟି କରି ସମସ୍ୟା ଦାଦାଙ୍କୁ କହିଲା। ପୁରୁଣା କାଳିଆ ଢଙ୍ଗରେ ଦାଦା କହି ଚାଲିଲେ; କାହିଁକି କହୁଛୁ ସେଇ କଥା। ଆଜି କାଲି ଖାଦ୍ୟରେ ଯୋଉ ପ୍ରକାର ଓ ଯୋଉ ମାତ୍ରାରେ ସାର, ପିଡ଼ିଆ ଓ ଔଷଧ ଦିଆଯାଉଛି ଗ୍ୟାଷ୍ଟିକ ବେମାର ପ୍ରାୟ ସମସ୍ତଙ୍କୁ ହେଇସାରିଲେଣି। ମୋର ପରା ସେଇ ସମସ୍ୟା। 


କିଛି ସମୟ ଦାଦାଙ୍କ ପାଖରେ ବସିବା ପରେ ଗୋପାଳ ଜାଣିପାରିଥିଲା ଦାଦାଙ୍କର ବି ସାଙ୍ଘାତିକ ଗ୍ୟାଷ୍ଟିକ। 


ଇତି ମଧ୍ୟରେ ଭାଇନା ଆସି ଯାଇଥିଲେ....

ଆଗରୁ ବ୍ୟବହାର କରୁଥିବା ଔଷଧ/ବଟିକାର ଖୋଳପା ବାହାର କରି ଗୋପାଳ ଦେଖେଇ ଦେଉଥିଲା ଭାଇନାଙ୍କୁ.....

ପଚାରିଥିଲା ଏସବୁ ଔଷଧ ଡାକ୍ତର ପରାମର୍ଶ କରି ଗ୍ୟାଷ୍ଟିକ ପାଇଁ ଆଣିଥିଲି ଠିକ୍ ଅଛି ତ ? ନା ୟାକୁ ବଦଳେଇ ଆଉ କିଛି ଔଷଧ ଦେବେ...? ଆଉ କେତେଦିନ ଏସବୁ ଖାଇଲା ପରେ ଶରୀରରେ ଏହାର ଆସର ପଡିବ? 


ଇତ୍ୟାଦି ଇତ୍ୟାଦି....


ଭାଇନା ଭାରି ଭଲ ଲୋକ, ସବୁ ଔଷଧ ପରଖି ସରିଲା ପରେ ଗୋପାଳକୁ କହିଲେ ସବୁ ଔଷଧ ଠିକ୍ ଅଛି। ମୁଁ ବି ଏସବୁ Tablet ବ୍ୟବହାର କରୁଛି। ଆଉ ଅଳ୍ପ ଦିନ ବ୍ୟବହାର କରିଦେଖ ନିଶ୍ଚୟ ଭଲ ହୋଇଯିବ।


ଗୋପଳ ଦୁଃଖର ମର୍ମକୁ ମୁଁ ବୁଝିସାରିଥିଲି। 


ଯୋଉଠି ଔଷଧ ଦେବା ଲୋକ ନିଜର, ନିଜ ପୁଅର ଓ ନିଜ ବାପାଙ୍କର ରୋଗ ଭଲ କରିପାରୁନାହାନ୍ତି, ସେଇଠୁ ଗୋପାଳ କଣ ଦେଖି ଔଷଧ ଆଣିଥାନ୍ତା ?


*****


ସେଇ ଦିନ ଠାରୁ ଆମ ଗାଁ ରେ ପ୍ରବାଦ ରହି ଯାଇଛି, "ଦେଖିକି, ଗୋପାଳ ଔଷଧ ଆଣିଲା ପରି ଯେମିତି ନ ହୁଏ"।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy