Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Satyabati Swain

Tragedy

3  

Satyabati Swain

Tragedy

ଗଙ୍ଗା

ଗଙ୍ଗା

4 mins
534



ଗଙ୍ଗା ଯାଉଛି ଗଙ୍ଗା ନିକଟକୁ।ହାତରେ ବାପା।ବାପା ପାଉଁଶ !ପାଉଁଶ ବାପା!ଛଅଫୁଟ ତିନି ଇଞ୍ଚର ମଣିଷ ଜାକିଜୁକି ଗୋଟେ ଛୋଟ କଳସୀ ଭିତରେ ଶୋଇଛନ୍ତି।ନିରବ,ନିଃଶ୍ଚଳ ଓ ନିଃଶବ୍ଦ। ଶୁଭୁନାହିଁ ତାଙ୍କ ଗୁରୁ ଗମ୍ଭୀର କଥା।ସେ ଅବର୍ତ୍ତମାନ;ଲହୁ ଲୁହାଣ ପୃଥିବୀର ମୋହ ଛାଡି ସେ ପାରିର ଯାତ୍ରୀ।ମହାଯାତ୍ରାରେ ବାପା।


     ବାପା ଦୁଇଟି ଶବ୍ଦ।ମୋତେ ଲାଗେ ବାପା ଦୁଇଟି ଜୀବନ ବେଦ,ବ୍ରହ୍ମ,ଜଗତ।ବାପା ସ୍ରଷ୍ଟା,ବାପା ସତ୍ୟ,ବାପା,ଶିବ ଓ ସୁନ୍ଦର।ସେ ବିଶ୍ୱର ସବୁଠାରୁ ସୁନ୍ଦରତମ ମଣିଷ।ମୋ ପାଇଁ ଖୁସିର ଚାବି ନେନ୍ଥା ବାପା।ତାଙ୍କ କାନ୍ଧ;ଦେବରାଜ ଇନ୍ଦ୍ରଙ୍କ ସିଂହାସନ ଠାରୁ ବି ଦୁର୍ମୂଲ୍ୟ।ସେଇ କାନ୍ଧରେ ବସି ରାବଣ ପୋଡି,ବାଲିଯାତ୍ରା ମେଳା ବୁଲା,ଜଗନ୍ନାଥ ଦର୍ଶନ କଲାବେଳେ ଲାଗେ ଶ୍ରେଷ୍ଠ ରାଜକୁମାରୀ ମୁଁ। ସବୁଠାରୁ ସୁଖୀ ଝିଅ।ବାପା ପିଠି ପୃଥିବୀ ପୃଷ୍ଠର ବିରଳ ଘୋଡା। ବାପାଙ୍କ ପିଠିରେ ବସି ଚାଲ ମୋର ଘୋଡା ଟପ୍ ଟପ୍ କହିଲା ବେଳେ ଅନୁଭବ କରେ ସେହ୍ନର ମୂଳାୟମ ପୃଷ୍ଠ;ଯେଉଁଥିରୁ ଝରୁଥାଏ ବାତ୍ସଲ୍ୟ ମହୁ ଥୋପା ଥୋପା।


ତାଙ୍କ ହାତ ଧରି ଗହଳି,ଭିଡ଼ ଠେଲି ଚାଲିବାର ମହାର୍ଘ୍ୟ ମୁହୂର୍ତ୍ତ ନିରୁତା ନିରୋଳା।ସେ ଯେତେବେଳେ ଶୁନ୍ୟକୁ ମୋତେ ଦୁଇ ହାତରେ ଫିଙ୍ଗି ଦିଅନ୍ତି ;ଟିକେ ବି ଭୟ ଲାଗେନା ତଳେ ପଡିଯିବାର।ଦୃଢ଼ ବିଶ୍ୱାସ ନାଁ ଟି ବୋଧେ ବାପା।ବରଂ ଉପରକୁ ଉଠି ମୁଁ କିରି କିରି ହସେ। ଭାବେ ପଡିବାର ସମ୍ଭାବନା ହି ନାହିଁ ବାପ ଅଛନ୍ତି ନା ଧରିନେବେ।ସବୁ ଭୟ ବାପାଙ୍କ ପାଖେ କୁଆଡେ ଆତ୍ମଗୋପନ କରନ୍ତି।


    ଭୋଜିରେ ବାପା ମାଛରୁ କଣ୍ଟା ଛଡେଇ ଖୁଆଇ ଦିଅନ୍ତି ମୋତେ ଆଗ।ମୋ ପେଟ ପୂରିଗଲା ପରେ ସେ ଖାଆନ୍ତି। ହୋଟେଲରେ ଖାଇବା ବେଳେ ଭଲ ଭଲ ଚିଜ ବାଛି ବାଛି ମୋ ପ୍ଲେଟକୁ ଦେଇ ଦିଅନ୍ତି।ମୁଁ କୁହେ ତୁମେ ଖାଅ ବାପା।ସେ କୁହନ୍ତି ତୁ ଖା, ପରେ ମୁଁ ଖାଇବି।ମୋ ଝାମ୍ପୁଲା ଚୁଟିକୁ ଆଡେଇ ପୋଛି ଦିଅନ୍ତି ମୁହଁ। ମୋ ଆଖିରେ ଦେଖନ୍ତି ତାଙ୍କ ଛବି। ଦେହ ଖରାପ ହେଲେ ଶୁଖିଯାଏ ତାଙ୍କ ମୁହଁ। କାନ୍ଧରେ ପକେଇ ବୁଲୁଥିବେ ଘର ସାରା ପିଠି ଥାପୁଡ଼େଇ।ବଡ଼ ହେଲା ପରେ ଜଗି ବସିଥିବେ ମୁଣ୍ଡ ପାଖେ। ଆଉଁଶି ଦେଉଥିବେ ଗୋଡ଼ ହାତ।ବ୍ୟସ୍ତ ହୋଇ ଯାଉଥିବେ ମୋ ଅସୁସ୍ଥତା ନେଇ।


    ମୁଁ କ୍ଲୋନ ତାଙ୍କର।ସଭିଏଁ କୁହନ୍ତି ଗୋଟା ସୁଦ୍ଧା ମୁଁ କୁଆଡେ ବାପା ପରି। ରୂପ, ରଙ୍ଗ,ଢଙ୍ଗ,ଆଚାର ଓ ବିଚାର ସବୁ କାଳେ ବାପାଙ୍କଠାରୁ ଛଡେଇ ଆଣିଛି। ବାପାଙ୍କ ଖଣ୍ଡା ପରି ନାକ ଅବିକଳ ମୋ ମୁହଁରେ ଥୁଆ।ମୋତେ ଚିହ୍ନି ନଥିବା ବ୍ୟକ୍ତି ପ୍ରଥମ ଦେଖାରେ କୁହନ୍ତି --ତୁମେ ପ୍ରଭୁରାଜ ଧଳଙ୍କ ଝିଅ କି??


    ଯେ କୌଣସି ମିଟିଂ କୁ ଗଲେ ମିଳିଥିବା ଟିଫିନ୍ ନଖାଇ ଗାଡି ଡିକିରେ ଆଣିଥିବେ ମୋ ପାଇଁ। ପର୍ବ ପର୍ବାଣୀରେ ମୁଁ କହିବାକୁ ହୁଅନି ମୋର ଏମିତି ଡ୍ରେସ୍,ଚୁଡି,ନେଲପଲିସ୍,ଚପଲ,ହେୟାର୍ କ୍ଲିପ୍ ,ଚପଲ କି କେଉଁ ରଙ୍ଗର ମେହେନ୍ଦି ଦରକାର। ଆଗରୁ ସବୁ ଆଣି ଦେଇଦେବେ। ମୁହଁ ଖୋଲି ଏଇଟି ମୋର ଦରକାର କେବେ କହିନି।କହିବା ପୂର୍ବରୁ ସେ ଅନ୍ତର୍ଯ୍ୟାମୀଙ୍କ ପରି ସବୁ ଯୋଗାଇ ଦିଅନ୍ତି।ଜୀବନରେ କୌଣସି କଥାରେ ମନଉଣା କରିବାକୁ ଦେଇ ନାହାଁନ୍ତି।


    ଦୁଇ ପୁଅରେ ପୁଣି ଅନେକ ଦିନ ବ୍ୟବଧାନ ପରେ ମୋର ଜନ୍ମ।ଝିଅଟିଏ ପାଇଁ ଆକୁଳ ପ୍ରାଣ ତାଙ୍କର ମୋ ଜନ୍ମରେ ମହା ଖୁସିରେ ଝୁମିଥିଲା।ମାର୍ଗଶିର ଶେଷ ପାଳି ଗୁରୁବାର ଦିନ ମୁଁ ଜନ୍ମ ନେଇଥିଲି। ମୁଁ କୁଆଡେ ତାଙ୍କ ଲକ୍ଷ୍ମୀ।ମୁଁ ତାଙ୍କ ଜୀବନର ପୂଣ୍ୟ ଫଳ।ଏଣୁ ମୋ ନାମ ଦିଆଗଲା ଗଙ୍ଗା।କଲ୍ୟାଣମୟୀ,ପବିତ୍ର ପାବନୀ ଗଙ୍ଗା ପରି ମୋ ଜୀବନ ହେବ ଏଇ ଆଶାରେ ମୋ ନାମ ଦିଆଗଲା ଗଙ୍ଗା। ସତକୁ ସତ ମୋ ଜନ୍ମ ପରେ ବାପାଙ୍କ ପ୍ରମୋସନ,ବଡ଼ ଭାଇ ଏଫ୍ସିଆଇ ରେ ଓ ସାନ ଭାଇ ବ୍ୟାକିଂ ପାଇଁ ଯାଇଥିଲେ।ବଡ ଭାଇ ବିବାହ ବେଳକୁ ମୋତେ ପାଞ୍ଚ ବର୍ଷ ମାତ୍ର।ଭାଇ ମାନଙ୍କ ଠାରୁ ଯଥେଷ୍ଟ ସାନ ମୁଁ।ସାନ ଭାଇ ବିବାହ ବେଳକୁ ମୋତେ ସାତ ବର୍ଷ।ମୋର ଦଶମ ପରୀକ୍ଷା ବେଳକୁ ବାପା ରିଟାର୍ଡ କଲେ।


    ଭାଇ ମାନେ ଯେ ଯାହାର ସଂସାର ଘେନି ନିଜ ନିଜ ଚାକିରୀରେ ରହିଲେ।କେବଳ ମା ଓ ମୁଁ ରହିଲୁ ବାପାଙ୍କ ପାଖେ।ମୋର ଦଶମ ପରୀକ୍ଷା ପରେ ମୋତେ ବି ବାପା ମାଙ୍କୁ ଛାଡି ରେଭେନ୍ସାରେ ପଢିବାକୁ ପଡିଲା।ପୁରା ଏକା ହୋଇଗଲେ ମୋ ବାପା ମା।ଛୁଟିରେ ମୁଁ ଅବଶ୍ୟ ତାଙ୍କ ପାଖକୁ ଯାଏ।କିନ୍ତୁ ବର୍ଷକ ବାରମାସ ସେମାନେ ଏକା ଏକା ଏତେ ବଡ଼ ଖଞ୍ଜାରେ ବଞ୍ଚନ୍ତି।ମୋର +2 ଶେଷ ବର୍ଷ ମାତ୍ର ଅଣ ଷଠି ବୟସରେ ବାପା ରାତ୍ରୀ ଭୋଜନ କରୁଥିବା ବେଳେ ତଣ୍ଟିରେ ଲାଖିଲା।କାଶୁ କାଶୁ ସେଇଠି ଢଳି ପଡିଲେ।।ଆଉ ଉଠିଲେନି।ହଠାତ୍ ଜଣେ ଭଲ ମଣିଷର ଏପରି ବିୟୋଗ ଚମତ୍କୃତ କଲା ସଭିଙ୍କୁ।ଭାଇ ଦୁଇଜଣ ଘର ଠାରୁ ବହୁ ଦୂରରେ ରହିଥିବାରୁ ବାପାଙ୍କ ମୁହଁରେ ମୁଁ ନିଆଁ ଦେଲି।ଓଃ କି ଯନ୍ତ୍ରଣା ବାପାଙ୍କ ଦେହରେ ନିଆଁ ଲଗାଇବା!!ମୁଁ କାନ୍ଦି ବି ପାରୁ ନଥାଏ।ବାସି ମଢା ହେବେନି ବୋଲି ରାତି ରାତି ଶବ ଦାହ କରାଗଲା।ବାପା ପଡିରହିଲେ ମଶାଣୀରେ ମୁଠେ ପାଉଁଶ ରୂପରେ।ମୁଁ ମଶାଣୀରେ ଏକା ବାପାଙ୍କୁ ଛାଡି ମୁଁ ଶୁନ୍ୟ ହସ୍ତରେ ଫେରିଲି ଘରକୁ।


    ରାତି ୯ଟାରେ ଖାଉଥିବା ସମୟରେ ସେ ଚିର ଦିନ ଆମକୁ ଛାଡି ଆକାଶର ତାରା ହୋଇଗଲେ।ସାନ ଭାଇ ସିଙ୍ଗାପୁରରୁ ଓ ବଡ଼ ଭାଇ ପଞ୍ଜାବରୁ ସକାଳେ ଆସି ପହଂଚିଲେ।ବୋଉ ମୁଁ ଓ ଦୁଇ ଭାଇ କାନ୍ଦୁଥିଲୁ ଜାଵ ପଡି ଯାଇ।ସମସ୍ତେ ମୋତେ ଆହା ଚୁ ଚୁ କରୁଥିଲେ।ବାପାଙ୍କ ପ୍ରାଣ ଥିଲି ମୁଁ।ମୋ ଗେଲବସର ଜୀବନ ଶେଷ ପୃଷ୍ଠା ଏମିତି ଲେଖା ହୋଇଥିବ,ତାହା କେହି ବି ବିଶ୍ୱାସ କରି ନଥିଲେ।ମା କଥା ନ କହିବା ଭଲ।ଲାଗୁଥିଲା ଗୋଟିଏ ଗୋଡ଼,ହାତ ଦୈଵ କାଟି ନେଇଛି ବୋଉର।ସେ ଡେଣା କଟା ଚଢେଇ ପରି ମାଟିପରେ ପଡି ଛଟ ପଟ ହେଉଛି।ମୋତେ ରାଜକୁମାରୀ ପରି ପାଲିଥିଲେ ବାପା।ସରଗର ଚାନ୍ଦ କହିଲେ ମିଳି ଯାଉଥିଲା ମୋ ହାତରେ।ଏବେ କିଏ ଦେବ ଏସବୁ!!ନିରୋଳା ବାପା ସେହ୍ନରୁ ମୁ ସବୁଦିନ ବଂଚିତ ହୋଇଗଲି।ମୋ ଗେଲ ବସରିଆ ରାଜକୁମାରୀ ଦିନ ଶେଷ ହୋଇଗଲା ।


    ଶୁଦ୍ଧକ୍ରିୟା ସରିଗଲା।ସାନ ଭାଇ ମାକୁ ସାଙ୍ଗରେ ନେଇ ଗଲେ ଓ ବଡ଼ ଭାଇ ମୋ ଦାୟିତ୍ୱ।ଦୁଇ ଭାଇ ଭିତରେ ବାଣ୍ଟି ହୋଇଗଲୁ ମୋ ବାପା ରାଇଜର ରାଜକୁମାରୀ ଓ ରାଜମାତା।କେହି ଜଣେ ଭାଇ ମା ଓ ମୋ ଦାୟିତ୍ୱ ନେବାକୁ ପ୍ରସ୍ତାବଟିଏ ଦେଲେନି।ବାଣ୍ଟି ନେଲେ ଆମକୁ ଭାଗ କରି।ଘର ଛାଡି ଯିବା ଦିନ ବାପାଙ୍କ ସାର୍ଟ,ପ୍ୟାଣ୍ଟ,ଚଦର,ସ୍ବେଟର,ଲୁଙ୍ଗି ଭାଙ୍ଗି ଭୁଙ୍ଗି ଗଡ଼ରେଜ୍ ରେ ଥୋଇଲା ବେଳେ ଲାଗିଲା ସତେକି ବାପାଙ୍କୁ ଅଣନିଃଶ୍ଵାସୀ କରି ଚାବି ଦେଇ ଦେଉଛି।ଯେବେ ଘରକୁ ଯାଏ ଆଗ ଖୋଲେ ଗଡ଼ରେଜ ଓ ଛୁଏଁ ବାପାଙ୍କ ବ୍ୟବହୃତ ପୋଷାକ,ଚଷମା ଓ ପେନ୍।ସେ ଜିନିଷ ଗୁଡିକ ବାପା ବାପା ବାସନ୍ତି।ସବୁବେଳେ ଭାବେ ମୋ ସହିତ ବାପା ଅଛନ୍ତି ମୋର କାମ,ନାମ,ନିଃଶ୍ବାସ,ଆଚରଣ ,ଉଚ୍ଚାରଣ ତଥା ମୋ ଭିତର ବାହାର ଭାବରେ।


    ତାପର ଜୀବନ ନ କହିବା ଭଲ।ବାପା ମଲା ପରେ ବାଡୁଅ ଝିଅ ଓ ବିଧବା ମା ଆଉ ମା କି ଭଉଣୀ ହୋଇ ରୁହନ୍ତି ନାହିଁ।ହୋଇ ଯାଆନ୍ତି ଗୋଟେ ଗୋଟେ ବୋଝ।ହଁ ସେତେ କଷ୍ଟରେ ନ ରହିଲେ ବି ସମ୍ପୂର୍ଣ୍ଣ ସ୍ୱାଧୀନ,ମନମୁଖୀ ବଞ୍ଚିବା ଜୀବନ ମିଲେନା।ଇଛା ମାନେ ଚୁପ୍ ହୋଇ ଯାଆନ୍ତି।ଇପ୍ସା ମାନେ ଚାପି ହୋଇ ଯାଆନ୍ତି।ମୁଁ ଗ୍ରାଜୁଏସନ୍ ପରେ ବିଭିନ୍ନ କମ୍ପିଟେଟିଭ୍ ପରୀକ୍ଷା ଦେଲି। ଶେଷରେ ରେଲୱେରେ ପାଇଗଲି ଜବ୍।ସେଇଠି ମୋ ଜୀବନରେ ଆସିଲେ ବଲବୀର୍ । ଆମେ ଦୁହେଁ ଲବ୍ ମ୍ୟାରେଜ କଲୁ।ତାପରେ ସିଙ୍ଗାପୁରରୁ ମାକୁ ନେଇ ଆସିଲି ମୋ ପାଖକୁ।ବାପା ଆଜକୁ ନଅ ବର୍ଷ ହେଲାଣି ମରିବା।ବାପାଙ୍କ ଚିତାଭସ୍ମ ସେମିତି ଅପାଣିଆ ପଡିଛନ୍ତି ଗାଁ ଘରେ।ଭାଇ ମାନେ କେବେ ଗାଁକୁ ଯିବାକୁ ମନ କରନ୍ତି ନାହିଁ।ବାପାଙ୍କ ଇଚ୍ଛାଥିଲା ତାଙ୍କ ଚିତାଭସ୍ମ ଗଙ୍ଗାରେ ପଡିବ।

   

 ଆଉ ଆଜି ଛୋଟ ଏକ କଳସୀରେ ବାପାଙ୍କୁ ଧରି ଓ ଭରି ମୁଁ ଗଙ୍ଗା ଯାଉଛି ଗଙ୍ଗା ନିକଟକୁ ତାଙ୍କୁ ଭସେଇ ଦେବାକୁ। ଲୁହ ଢଳ ଢଳ ଆଖିରେ ଗଙ୍ଗାରେ ଭସେଇ ଦେଲି ବାପାଙ୍କ ଚିତାଭସ୍ମ। ବାପା ବାପ ଶବ୍ଦ ଟି ଲୁହ ହୋଇ ଛୁଉଁଥିଲା ମୋ ଛାତି ଓ ସମଗ୍ର ସତ୍ତାକୁ ମମତାରେ ଭିଜାଇ।

    ଗଙ୍ଗା ଗଙ୍ଗାରେ ଡୁବଟିଏ ପକାଇ ନିଜ ଭିତରେ ଅନୁଭବ କରୁଥିଲା ବାପାଙ୍କୁ।

    



Rate this content
Log in