Satyabati Swain

Tragedy

4  

Satyabati Swain

Tragedy

ଗିଅର୍ ସାଇକେଲ୍

ଗିଅର୍ ସାଇକେଲ୍

5 mins
23.9K



ସୂର୍ଯ୍ୟ ପଛେ ଉଇଁବା ଭୁଲିଯିବେ ବିଭୁ ସାର୍ କିନ୍ତୁ ଗୋଟିଏ କାମ ଭୁଲନ୍ତି ନାହିଁ।ସେ କାମଟିକୁ ଅନ୍ୟ କେହି କରିବାକୁ ଚାହିଁଲେ ବି ସାର୍ କରେଇ ଦିଅନ୍ତି ନାହିଁ।ନିଜେ କରନ୍ତି।ସେଇ କାମ କରିବାରେ ତାଙ୍କର ଅହେତୁକ ଆନନ୍ଦ।ବେଳେବେଳେ ସେ କାମଟି କରୁ କରୁ କାହା ସହ କଥା ହେଲା ପରି ଲାଗେ।ଯଦିଓ ସେଠି କେହି ନଥାନ୍ତି।


ମୁଁ ଉଣେଇଶି ବର୍ଷରୁ ସାରଙ୍କ ଘରେ ବୋଲ ହାକ କରୁ କରୁ ଏବେ ତାଙ୍କ ଜୀବନ ସର୍ବସ୍ୱ ହୋଇ ଯାଇଛି।ବାପା ଗଞ୍ଜେଇ ଖାଇ ଖାଇ ଟି.ବି. ରୋଗରେ ଆର ପାରିକୁ ଚାଲିଗଲେ ମୋତେ ଯେତେବେଳେ ଉଣେଇଶି ବର୍ଷ।ବାପା ମଲା ପରେ ଘର ଚଳିବା ଅତି କଷ୍ଟ ହୋଇ ପଡିବାରୁ ପାଠରେ ଡୋରି ବାନ୍ଧି ମାମୁଁ ମୋତେ ଆଣି ବିଭୁ ସାର୍ ଙ୍କ ଘର ରଖିଲେ।କାମ ସେମିତି କିଛି ନାହିଁ।ଏଇ ଟିକେ ବଜାର ସଉଦା କରିବା ଓ ଓମ୍ ବାବା, ସାର୍ ଙ୍କ ଏକମାତ୍ର ପୁଅକୁ ସ୍କୁଲ ନେବା ଆଣିବା କରିବା।ସାର୍ ଙ୍କ ଘରେ ରୁହେ ଓ ଖାଇ ପିଇ ମାସକୁ ପାଞ୍ଚ ହଜାର ଟଙ୍କା ଦିଅନ୍ତି।ଗାଁରେ ମୋ ବୋଉ ,ଭାଇ ଭଉଣୀ ଓ ଜେଜେ ରୁହନ୍ତି।ପାଞ୍ଚ ହଜାର ଟଙ୍କା ଆମ ପାଇଁ ଭାତ ହାଣ୍ଡି ହୋଇଗଲା କହିଲେ ଚଳେ।ସାର୍ ଓ ମାମ୍ ଖୁବ୍ ହୃଦୟର ଲୋକ।ପେଟ ସହ ମନ ବି ବୁଝନ୍ତି।


କଳ୍ପନା ଛକର ରାସ୍ତା ଦାଢ଼ରେ ସାର୍ ଙ୍କର ତିନି ମହଲା କୋଠାଟିଏ ଠିଆ।ତଳ ଓ ଉପର ମହଲା ଭଡା ଲାଗିଛି। ମୁଁ ତଳ ମହଲାରେ ରୁହେ।ମଝି ମହଲାରେ ରୁହନ୍ତି ସାର୍ ଓ ମାମ୍।ଆଗରେ ବିରାଟ ବଗିଚା।ରାସ୍ତାକୁ ଲାଗି ସାର୍ ଙ୍କ ପାଚିରୀ।ଦରୁଆନ ଟିଏ ଅହରହ ଜଗିଥାଏ ଗେଟ୍ ପାଖେ।କାରଣ ଓମ୍ ବାବା ଖେଳିବାକୁ ବହୁତ ଭଲ ପାଆନ୍ତି।ବଡ଼ ବଗିଚାଟିଏ ସାର୍ ଙ୍କର ଥିବାରୁ ଓମ୍ ବାବାଙ୍କ ସାଙ୍ଗ ମାନେ ତଥା ଭଡ଼ାରେ ରହୁଥିବା ପିଲାମାନେ ସେଠି ଖେଳନ୍ତି।ସ୍କୁଲ ଛୁଟି ପରେ ସାରଙ୍କ ବଗିଚାରେ ଗହଳ ଚହଳ ଲାଗେ।କାଳେ ପିଲାମାନେ ଖେଳୁ ଖେଳୁ ଗେଟ୍ ଖୋଲି ରାସ୍ତାକୁ ପଳାଇବେ ସେଥି ପାଇଁ ଗେଟ୍ ତାଲା ପଡିବା ସହ ଦରୁଆନ ଜଗି ବସିଥାଏ।


ସାର୍ ଙ୍କର ପିଲା ଛୁଆ ହେଉ ନଥିଲେ।ଟଙ୍କା ବିଞ୍ଚି ଦେଇଥିଲେ ପିଲାଟିଏ ପାଇଁ।ପୋଷ୍ୟ ପୁତ୍ର ଟିଏ ଅନାଥ ଆଶ୍ରମରୁ ଆଣିବାକୁ ଚାହିଁବାରୁ ସାର୍ ଙ୍କ ପୁରୁଣା କାଳିଆ ବାପା ବୋଉ ମଙ୍ଗିଲେ ନାହିଁ।ଧନ ସମ୍ପଦରେ ଘର ପୁରି ଥିଲା ବେଳେ ପିଲା ବିନା ସବୁ ଶୁନ୍ୟ ଲାଗୁଥିଲା ସାର୍ ଓ ମାମ୍ ଙ୍କୁ।ବହୁତ ଡାକ୍ତରୀ ଚିକିତ୍ସା ପରେ ଚାଳିଶି ବର୍ଷ ହେଲା ବେଳକୁ ସାର୍ ବାପା ହେବାର ସୌଭାଗ୍ୟ ହେଲା।କଣ ଦେଖିବ ସାରଙ୍କ ଖୁସି।ପିଲାଟି ଜନ୍ମ ହେବା ପର୍ଯ୍ୟନ୍ତ ଘର ଭଡା ଛାଡିଦେଲେ।ପ୍ରତିଦିନ ଦୁଃଖୀ ରଙ୍କିଙ୍କୁ ଖାଇବା ପିଇବା ଦେଲେ ବଡ଼ ବାବୁ,ସାରଙ୍କ ବାପା।


ନିର୍ଦ୍ଧିଷ୍ଟ ସମୟରେ ଓମ୍ ବାବା ଜନ୍ମ ନେଲେ।ସାରା ସହର ମିଠାରେ ଭାସିଲେ।ଓମ୍ ବାବା ଆସ୍ତେ ଆସ୍ତେ ଜହ୍ନ ପରି ବଢିଲେ।ଅତି ଗୁଣର ପିଲାଟିଏ।ଦେଖିବାକୁ ଗୋଟିଏ ଚାଉଳରେ ଗଢ଼ା।ଫୁଟ୍ ବଲ୍ ଖେଳିବାରେ ମାହିର୍।ପାଠଶାଠ ସବୁଥିରେ ବିଚକ୍ଷଣ।ସାର୍ ,ମାମ୍ ଓ ବଡ଼ ବାବୁଙ୍କ ଆଖି।କଥାରେ କୁହନ୍ତି ସରଗର ଚାନ୍ଦ ମାଗିଲେ ମିଳେ ବୋଲି।ମୁଁ କିନ୍ତୁ ଦେଖିଛି ଓମ୍ ବାବାଙ୍କୁ ମାଗି ବାକୁ ପଡେନି ଚାନ୍ଦ ମନକୁ ମନ ଆସି ତାଙ୍କ ହାତରେ ପଡ଼ିଯାଏ।ଏଇ ଏକୋଇର ବଳାକୁ ସ୍କୁଲ ନେବା ଆଣିବା ପାଇଁ ଜଣେ ଦାୟିତ୍ୱ ସମ୍ପନ୍ନ ବିଶ୍ୱାସୀ ଲୋକର ଲୋଡ଼ା ଥିଲା।ମାମୁଁ ସାରଙ୍କ ଅଫିସ୍ ରେ ଜଣେ କିରାଣୀ।ସାର୍ ମାମୁଁଙ୍କୁ ଏ ଦାୟିତ୍ୱ ଦେଇଥିଲେ ଭଲ ପିଲାଟିଏ ଯୋଗାଡ଼ କରିଦେବାକୁ।ଦୈଵ ଯୋଗେ ଠିକ୍ ସେତିକି ବେଳେ ମୋ ବାପା ମଲେ।ମାମୁଁ ମୋତେ ସାରଙ୍କ ଘରକୁ ନେଇ ଆସିଲେ।ଆସିଲା ବେଳେମାମୁଁ ମୋତେ କାନେ କାନେ ଶିଖାଇ ଥିଲେ ସାର୍ ବହୁତ ଭଲ ମଣିଷ।ତାଙ୍କ ବିଶ୍ୱାସ ଜିତି ପାରିଲେ ପୁଅ ପରି ପାଳିବେ।


ମାମୁଁଙ୍କ କଥା ଅକ୍ଷରେ ଅକ୍ଷରେ ସତ।ଏତେ ବଡ଼ ଅଫିସର ପୁଣି ଏତେ ଧନୀ ମାନି ବ୍ୟକ୍ତି ହୋଇ ମଧ୍ୟ ସାର୍ ଅନ୍ୟ ଲୋକ ପରି ନଥିଲେ।ଦେଵତୁଲ୍ୟ ଲୋକ ସାର୍।ସତରେ ସାର୍ ଙ୍କ ପରି ଅତି ଭଲ ଲୋକେ ଈଶ୍ୱର ଗୋଟେ କି ଦୁଇଟି ସୃଷ୍ଟି କରିଥିବେ।ମୋତେ ସତସତିକା ପୁଅ ପରି ଦେଖନ୍ତି ସେ।ମୋ ଭଉଣୀ ବାହା ଘର ସବୁ ଖର୍ଚ୍ଚ ବି ଦେଇଦେଲେ।ସାନଭାଇଟି ଆମ ଗାଁ ଛକରେ ଦୋକାନଟିଏ କରିଛି ବି ସାରଙ୍କ ପଇସାରେ।ଏ ସବୁ ଦେବା ବଦଳରେ ସେ କେବଳ ତାଙ୍କ ପୁଅ ଓମ୍ ବାବାଙ୍କୁ ସୁରକ୍ଷିତ ଭାବେ ସ୍କୁଲ ନେବା ଆଣିବା ଭରସାଟିର ଅପେକ୍ଷା ରଖନ୍ତି ମୋ ଠାରୁ।ମୁଁ ବି ଏତେ ସାହାଯ୍ୟ ପୁଣି ପୁଅ ପରି ସ୍ବେହ ମମତା ବଦଳରେ ଶତ ପ୍ରତିଶତ ସାର୍ ଙ୍କ ବିଶ୍ୱାସ ଭରସା ତୁଟାଇ ନାହିଁ ଏ ପଯ୍ୟନ୍ତ।


ଭାଇ ଭଉଣୀ ଦାୟିତ୍ୱ ସରିଲା ପରେ ମୋର ବିବାହ ହେଲା।ସାର୍ କହିଲେ-ବିନୟ ବୋହୁକୁ ଏଇଠିକୁ ନେଇ ଆସିବୁ।ତୁ ଏଠି ସେ ସେଠି ଠିକ୍ ହେବ ନାହିଁ।ଏଇଠି ଆମ ଘରେ ତୋ ପାଖରେ ଆଣି ରଖିବୁ।ମୁଁ ବେଳେବେଳେ ଆଶ୍ଚର୍ଯ୍ୟ ହୁଏ ଆମ ସ୍ୱାର୍ଥ ସର୍ବସ୍ବ କଦାକାର ପୃଥିବୀରେ ସାର୍ ଙ୍କ ପରି ମଣିଷ ଅଛନ୍ତି।।ସବୁ ଠିକ୍ ଠାକ୍ ଚାଲିଥିଲା।କେଜାଣି କାହାର ନଜର ଲାଗିଲା ସାର୍ ଙ୍କ ଖୁସି ଉପରେ।ହଠାତ୍ ଗୋଟେ ଅଘଟଣ ଘଟିଲା।ଓମ୍ ବାବାଙ୍କୁ ଦଶ ବର୍ଷ ପୁରି ଏଗାର ବର୍ଷ ହୋଇଥାନ୍ତା ଆଉ ଦୁଇଦିନ ପରେ।ସାର୍ ଓମ୍ ଜନ୍ମ ଦିନ ଖୁବ୍ ଧୁମ ଧାମରେ ପାଳନ୍ତି।ସାର୍ ଙ୍କ ନୀତି ଗତି ଅନ୍ୟ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ।ଓମ୍ ବାବା ଙ୍କଜନ୍ମ ଦିନରେ ସହରର ସବୁ ଭିକାରୀ ମାନଙ୍କୁ ଭୋଜି ଦିଅନ୍ତି ସାର୍।ମନ ସହ ଧନର ଅଭାବ ନାହିଁ।ଅବଶ୍ୟ ଧନ ସଞ୍ଚୟ କରି ବ୍ୟାଙ୍କ୍ ଖାତା ଫୁଲ କରିବାକୁ ସେ ପସନ୍ଦ କରନ୍ତି ନାହିଁ।ତାଙ୍କ ପଇସା କିଛି ଲୋକଙ୍କ ମୁହଁରେ ହସ ଦେବାର କାରଣ ହେଉ ବୋଲି ସେ କୁହନ୍ତି।


ଓମ୍ ବାବାଙ୍କ ଇଚ୍ଛା ଥିଲା ଗୋଟେ "ଗିଅର୍ ସାଇକେଲ୍।ସାର୍ କୁହନ୍ତି ଟିକେ ବଡ଼ ହୋଇଯା ଗିଅର୍ ସାଇକେଲ୍ ତୋ ପାଇଁ ନେଇ ଆସିବା।ଓମ୍ ବାବା ପଚାରନ୍ତି - "ମୁଁ କେବେ ବଡ଼ ହେବି ପାପା?" ସାର୍ କୁହନ୍ତି ଯେଉଁ ଦିନ ତାଙ୍କ କାନ୍ଧ ସହ ଓମ୍ ବାବାଙ୍କ କାନ୍ଧ ସମାନ ହୋଇଯିବ।ଓମ୍ ବାବା ହସି କୁହନ୍ତି ପାପା ମୁଁ ବା ସେତେବେଳେକୁ ଉଡାଜାହାଜ ଚଳାଉ ଥିବି।ସେତେବେଳେ ମୋର ଗିଅର୍ ସାଇକେଲ୍ ମୋର କଣ ହେବ?"ସାର୍ ଟିକେ ହସନ୍ତି।ତୁ ଆକାଶରେ ଉଡ଼ିବୁ ଓମ୍?ହୁଁ ମୁଁ ଚଢେଇ ପରି ଉଡିବି ପାପା।ଆଛା ମୁଁ ସେତେବେଳେ ବୁଢା ହୋଇ ଯାଇଥିବି।ମୋ ଆଖିକୁ ଠିକ୍ ରେ ଦିଶୁ ନଥିବ ମୁଁ କେମିତି ଦେଖିବି ମୋ ଓମ୍ ଆକାଶରେ ଉଡୁଛି?ଓମ୍ ବାବା ହସି ଦେଇ କୁହନ୍ତି-ତୁମେ ନା ପାପା କ୍ଷଣ କହୁଛ କହିଲ? ସେତେବେଳେ ତୁମେ କଣ ତଳେ ଥିବ?ଆଉ.. ଆଶ୍ଚର୍ଯ୍ୟ ହୋଇ ପଚାରନ୍ତି ସାର୍।ତୁମେ ମାମା,ଜେଜେ ଆଉ ବିନୟ ଅଙ୍କଲ୍ ମୋ ସହ ଆକାଶରେ ବା ସେଇ ଉଡାଜାହାଜରେ ଉଡୁଥିବ କୁହନ୍ତି ଓମ୍ ବାବା।ତୁମକୁ ଛାଡି ମୁଁ କଣ ଏକା ଉଡିବି ବୋଲି ଭାବୁଛୁ କି ପାପା..।


ଭଲ ମଣିଷର ଭଲ ପୁଅ ଓମ୍ ବାବା।ଖାଣ୍ଟି ସୁନା ମୁଣ୍ଡା ଖଣ୍ଡେ।ସାର୍ ଏତକ ଶୁଣି କହିଲେ ଠିକ୍ ଅଛି ଏଥର ତୋ ଜନ୍ମ ଦିନରେ ଗିଅର୍ ସାଇକେଲ୍ ଟିଏ ଉପହାର ଦିଆ ଯିବ।କିନ୍ତୁ ସାବଧାନ ରାସ୍ତାକୁ ନେଇ ଚଲାଇବାକୁ ଯିବନି।


ଓମ୍ ବାବା କହିଲେ ପକ୍କା ପ୍ରମିଜ ପାପା।


ଈଶ୍ୱର ଏଡିକି ପଥର,ନିଷ୍ଠୁର ! ଠିକ୍ ଓମ୍ ବାବା ଙ୍କ ଜନ୍ମ ଦିନ ହିଁ ଫୁଟ୍ ବଲ୍ ସାଙ୍ଗଙ୍କ ସହ ଖୁବ୍ ଖୁସିରେ ଖେଳୁଥାଆନ୍ତି।ରୋଷେଇ ବାସ୍ ଚାଲୁଥାଏ।ସାରଙ୍କ ଘରେ ଖୁସିର ଗହଳ।ସାର୍ ଗିଅର୍ ସାଇକେଲ୍ ଟିଏ ଆଣି ଆସୁଥାନ୍ତି।ହଠାତ୍ ଓମ୍ ବାବା ଖେଳୁ ଖେଳୁ ଫୁଟ୍ ବଲ୍ଟି ରାସ୍ତା ଉପରକୁ ଚାଲିଗଲା।ଲୋକ ମାନେ ଯିବା ଆସିବା କରୁଥିବାରୁ ଗେଟ୍ ଖୋଲା ଥିଲା।ହସ ଖୁସିର ମାହୋଲ୍।ଓମ୍ ବାବା ଖେଳ ନିଶାରେ ଚିଲ ପରି ଦଉଡ଼ି ଗଲେ ରାସ୍ତା ଉପରକୁ।ତାଙ୍କ ପଛେ ହେ ଏ କହି ତାଙ୍କ ସାଙ୍ଗ ମାନେ ଦୌଡିଗଲେ।ରାସ୍ତା ଉପରୁ ବଲ୍ଟି ନଇଁ ପଡି ଉଠାଇ ଆଣିଲା ବେଳକୁ ମାଡି ଗଲା ଗୋଟେ ଟ୍ରକ।


ଦଶ ବର୍ଷ ପୁଅ ଓମ୍ ରାସ୍ତାରେ ନଥିଲା।ଥିଲା ରକ୍ତ ଜୁଡୁବୁଡୁ ମେଞ୍ଚାଏ ମାଂସ ଚକଟା।ମାମ୍ ଖବର ପାଇ ଦଉଡ଼ି ଆସି ରକ୍ତ ଓ ମାଂସ ଦେଖି ମୋ ଓମ୍..କହି ସେଇଠି ଟଳି ପଡିଲେ।ଜନ ସମୁଦ୍ର ରାସ୍ତା ଉପରେ।

ଗାଡି ମଟର ବି କାନ୍ଦୁଥିଲେ।ସ୍ତବ୍ଧ ରାଜଧାନୀ।


କୁହନ୍ତି ଭଲ ଲୋକ ଉପରେ ଈଶ୍ୱର ସନ୍ତୁଷ୍ଟ ହୁଅନ୍ତି।କିନ୍ତୁ ସାର୍ ତ କେବଳ ଭଲ ନୁହଁନ୍ତି,ଅତି ଭଲ।ଅତି ଭଲ ହେବାରୁ ଦଇବ ଏମିତି ଦଣ୍ଡିଲା କି?ଏ ପ୍ରଶ୍ନର ଉତ୍ତର ମୁଁ ଖୋଜୁଛି ଆଜିଯାଏ।


ସତରେ ମିଣିଷ କିଛି ହିଁ ନୁହଁ।ଦଇବ ଦଉଡ଼ି ମଣିଷ ଗାଈ ଯେଣିକି ଟାଣିଲେ ତେଣିକି ଯାଇ କଥା ସତ।ବେଢି ଉପରେ କୋରଡା ପରି ଏକମାତ୍ର ପୁଅ ସହ ସ୍ତ୍ରୀ କୁ ହରାଇ ସାର୍ କିଂ କର୍ତ୍ତବ୍ୟ ବିମୁଢ ହୋଇ ଯାଇଥିଲେ।ସତେ ଅବା ଈଶ୍ୱର ତାଙ୍କ ଜୀବନରେ କଳାକନା ବୁଲେଇ ଦେଲେ।


ସେବେଠାରୁ ସାର୍ ସମ୍ପୂର୍ଣ୍ଣ ଚୁପ୍।ବର୍ଷକ ପର୍ଯ୍ୟନ୍ତ ଖାଇବା ଶୋଇବା ସବୁ ଭୁଲି ଗଲେ।ପାଗଳଙ୍କ ପରି ହେଲେ।ବଡ଼ ବାବୁଙ୍କ ଅବସ୍ଥା ସାର୍ ଙ୍କ ଠାରୁ ବଳି।ଏବେ ଏବେ ଟିକେ ପ୍ରକୃତିସ୍ଥ ହେଉଛନ୍ତି।ଅଫିସ୍ ଯାଉଛନ୍ତି।ପ୍ରତିଦିନ ସକାଳୁ ଉଠି ଓମ୍ ବାବାଙ୍କ ପାଇଁ ଆଣିଥିବା ଗିଅର୍ ସାଇକେଲ୍ ଘଣ୍ଟାଏ କାଳ ପୋଛନ୍ତି।ପାଟ କନାରେ ସାଇତିଲା ପରି ସାଇକେଲ୍ ଟିକୁ ଭାରି ହେପାଜତ ରେ ରଖିଛନ୍ତି।ସେଇ ଟିକୁ ପୋଛିଲା ବେଳେ ସତେକି ସେ ଓମ୍ ବାବା ଙ୍କ ସହ କଥା ହୁଅନ୍ତି।ଯେଉଁ ଘର ବାଡ଼ି ଦିନେ ଶ୍ରୀମନ୍ଦିର ପରି ଘୋ ଘୋ ହେଉଥିଲା ଏବେ ସେଠି ସଟ୍ ଡାଉନର ନିସ୍ତବ୍ଧତା।


ଉଡାଜାହାଜଟିଏ ଉଡ଼ି ଗଲେ ସାର୍ ଆକାଶକୁ ଅନାନ୍ତି ଭାରି କରୁଣ ହୋଇ।ଓମ୍ ବାବା କହୁଥିଲେ ଆକାଶରେ ଉଡିବେ ବୋଧେ ସେଇ କଥା ମନେ ପଡ଼ିଯାଏ ତାଙ୍କର।ଆକାଶରେ ଉଡିବେ କଣ ସବୁଦିନ ପାଇଁ ତ ତାରା ହୋଇଗଲେ ଓମ୍ ବାବା।


ଏବେ ଗିଅର୍ ସାଇକେଲ୍ ଟି ସାରଙ୍କ ଏକମାତ୍ର ବଂଚିବା ରାହା।ବେଳେବେଳେ କୁହନ୍ତି ବିନୟ ଓମ୍ ଟା ଭାରି ଇଚ୍ଛା କରିଥିଲା ଗିଅର୍ ସାଇକେଲ୍ ଟିଏ ଚଢ଼ିବ ବୋଲି।କିନ୍ତୁ...






Rate this content
Log in

Similar oriya story from Tragedy