Padmalaya Padhy

Tragedy

4  

Padmalaya Padhy

Tragedy

ଘର

ଘର

9 mins
256


କ୍ରମାଗତ ଭାବେ ନ ଦିନ ଧରି ଆରତୀଙ୍କର କୋମାରେ ରହିବା ତାଙ୍କ ପୁଅ ଝିଅ ମାନଙ୍କୁ କିଛି ଫରକ ପଡି ନଥିଲା l ଖାଲି ଯାହା ହସ୍ପିଟାଲରେ ହାଜିରା ପକାଇ ଆସି ଚବିଶ ଘଣ୍ଟା କାମବାଲୀ କୁନି ହାତରୁ ଭଳିକି ଭଳି ଜିନିଷ ବରାଦ କରି ଖାଇ ସାରିବା ପରେ ବାକି ସମୟ ଯେମିତି ଯିବା କଥା ସେମିତି ଯାଉଥିଲା l ଧୀରେ ଧୀରେ ଆରତୀଙ୍କର ଚେତା ନ ଫେରିବାରୁ ସମସ୍ତେ ଚିନ୍ତା କରିବା ଆରମ୍ଭ କଲେ l 


କେତେ ଚିନ୍ତା କଲେ ବି ଚିନ୍ତା ସରିଥିଲା କୋଉଠି l ଆରତୀ ଉପର ମହଲାରେ ରହୁଥିଲେ ଯାହାକୁ ତାଙ୍କ ସ୍ୱାମୀ ଅର୍ଥାତ ପିତାମ୍ବର ବାବୁ ବଂଚିଥିଲା ବେଳେ ତିଆରି କରିଥିଲେ l ଉପରେ ଥିବା ବିରାଟ ବାଲକୋନୀ ସହ ବଡ଼ ବଡ଼ ରୁମଗୁଡିକ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିଲା l ସେଇ ଘର ପ୍ରତି ସମସ୍ତଙ୍କ ଲୋଭ l ତଳେ ପିଲା ମାନେ ରହୁଥିଲେ l ଉପର ଘରକୁ ନେଇ ଦୁଇ ବୋହୁଙ୍କ ଭିତରେ କେଉଁ କାଳରୁ ଖୁମ୍ପା ଖୁମ୍ପି ଚାଲି ଥିଲା l


ଆରତୀଙ୍କ ଉପର ଘରର ଫଇସଲା ନ କରି ଭାଗ ବଣ୍ଟା କେମିତି ବା ହେବ l ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ପୁଅ ଝିଅ ମାନେ ଅତି ସହଜରେ ଆରତୀଙ୍କ ଗହଣାର ଭାଗ ବଣ୍ଟା କରି ଦେଇଥିଲେ l କାନରୁ ଦି କାନ ହୋଇ ନଥିଲା l ଅଥଚ ଏବେ ଏଇ ଉପର ମହଲାର ଘରଟା ହିଁ ସବୁ ସମସ୍ୟା ସୃଷ୍ଟି କରୁଛି l ସମସ୍ତେ ଚାହୁଁଛନ୍ତି ଉପର ଘରଟି ତାଙ୍କୁ ହିଁ ମିଳୁ ବୋଲି l


ବଡ ବୋହୁ ଚନ୍ଦ୍ରିକା ବହୁତ ହିସାବୀ l ଅଳ୍ପ କଥାର ଲୋକ କିନ୍ତୁ ଫାଇଦା ଥିଲେ ଯାଇ ମୁହଁ ଖୋଲିବ l ସେ ଯାଇ ତା ସ୍ୱାମୀ ଅଜୟକୁ କହିଲା l

--ଆର ଥର ଗହଣାକୁ ନେଇ ଯାହା ସବୁ ହୋଇଥିଲା ଏ ଥର ଘର ଭାଗ ବଣ୍ଟାକୁ ନେଇ ଯେମିତି ସେ ସବୁ ନ ହୁଏ l ସବୁ କାମ ସୁରୁଖୁରୁରେ କରିବ l ଆର ଥର ବୋଉଙ୍କ ବଡ ଲକେଟଟା ସାନ ବୋହୁକୁ ମିଳିଲା l ତୁମ ଘରେ ବଡ଼ ବୋହୁର ମର୍ଯ୍ୟାଦା କିଛି ଥାଏ ନା ନାହିଁ l


--ତୁମେ ଆଉ ବେଶି କିଛି ନ କହିବା ଭଲ ଚନ୍ଦ୍ରିକା ! ମନେ ରଖିଛ ଗତ ବର୍ଷ ଯେତେବେଳେ ବୋଉକୁ ପ୍ରବଳ ଝାଡା ବାନ୍ତି ହେଉଥିଲା ? ସେଦିନ ମାଣ ବସା ଗୁରୁବାର ଥିଲା l ବୋଉର ଶେଯରେ ଝାଡା ହୋଇ ଯାଉଥିଲା l ତୁମେ କଣ କହିଥିଲ ?


--ହଁ କଣ ହେଲା ସେଠୁ ? ଧର୍ମ କର୍ମ କରିବା କଣ ଖରାପ କଥା ?


--ତୁମେ କହିଥିଲ ଯେ ବୋଉକୁ ଶୀଘ୍ର ନେଇ ଗାଁ ଘରେ ଛାଡି ଆସିବା ପାଇଁ l କାରଣ ମାଣବସା ପ୍ରଥମ ପାଳି ତ ଘରେ ଝାଡା ପଡିବାରୁ ଛୁଆଁ ହେଇଗଲା ଆଗାମୀ ପାଳି ଗୁଡିକ ଯେମିତି 

ନହେଉ l ବୋଉକୁ ନେଇ ପୁଣି କୁନି ସହିତ ଗାଁରେ ଛାଡିବାକୁ ପଡିଥିଲା l ଆମ ଘର କଣ ଛୋଟ ଥିଲା ନା ବୋଉ ପାଇଁ ରୁମ ନଥିଲା ? ନା ବୋଉ ତୁମ ପୂଜା ଘର ଛୁଆଁ କରି ଦେଇଥିଲା ?


--ହଉ ମୁଁ ଯଦି ଖରାପ ଏବଂ ତୁମେ ଭଲ ହେବାକୁ ଚାହୁଁଛ ତେବେ ସବୁ ପୈତୃକ ସମ୍ପତ୍ତି ତୁମେ ଛାଡି ଦିଅ l ମୋର କଣ ଅଛି l ସବୁ ତୁମ ପିଲା ହିଁ ଭୋଗ କରିବେ l ମୁଁ କଣ ସାଙ୍ଗରେ ନେଇକି ଯିବି କି ?


--ଆଜି ପର୍ଯ୍ୟନ୍ତ ତୁମ ନିରୀହ ସ୍ୱାମୀଟିକୁ ବୁଝି ପାରିଲ ନାହିଁ ଚାନ୍ଦ ! ଆରେ ମୁଁ କହୁଛି ତୁମେ ଏ ସମୟରେ ପଦାରେ ପଡନା l ତୁମେ କିଛି କହିବା ଖରାପ l ଯାହା କରିବା କଥା ମୁଁ କରିବି l ତୁମେ ଖାଲି ଦେଖୁଥାଅ l ମୁଁ ତ ହେଲେ ପ୍ରଥମ ଚାକିରୀରେ ଦୁଇ ମାସର ଦରମା ବାପାଙ୍କୁ ଦେଇଛି l ହେଲେ ସାନ କଣ କରିଛି ? ତାର କି ଅଧିକାର ଅଛି ?


ସାନବୋହୁ ମାଳିନୀ ଏଣେ ତା ସ୍ୱାମୀ ବିଜୟକୁ ଘେରିଲାଣି l

--ତୁମ ବଡ ଭାଇ ଦୁଇ ମାସର ଦରମା ମିଶାଇ ସୁଧ ମୂଳ କଳନ୍ତର ହିସାବ କରୁଥିବେ l ତୁମେ ପୁଣି ସାନ ବୋଲି ବୋଉଙ୍କର ସବୁଠୁ ଗେଲବସର ଥିଲ ପରା ? ଏବେ ତୁମକୁ ଗୋଟେ ବଡ ଶୂନ ମିଳିବ ଦେଖିବ ରୁହ l


--ତୁମ ପାଟି ବନ୍ଦ ହେଲେ ତ ମୁଁ କଣ ଭାବିବି ନା l ତୁମେ ତ ଚବର ଚବର କରି ସବୁ ବିଗାଡି ଦେଉଛ l


ଏଣେ ଝିଅ ଜଲୀ ଭାବି ପାରୁନି ସେ କେଉଁ ଯୁକ୍ତି ଦର୍ଶାଇ ଉପର ମହଲାଟିକୁ ହାତେଇବ l ଭାଇ ମାନଙ୍କର ନିଜ ଘର ସବୁ ଭଡାରେ ଲାଗିଛି l ବାପା କରିଥିବା ଘରେ ଦୁଇ ଭାଇ ରହୁଛନ୍ତି l ବାପାଙ୍କ ପେନସନ ବି ଘର ଖର୍ଚ୍ଚରେ ଲାଗେ l ଭାଗ ହେଲେ ଦୁଇ ଭାଗ ହେବା ନିଶ୍ଚିତ l ଆଜି କାଲି କିନ୍ତୁ ଝିଅକୁ ବି ମିଳିବ ବୋଲି କୁଆଡେ ନିୟମ ହେଲାଣି l


ସୁନା ପରି ସୁଧାର ଜୋଇଁ ସୁଧୀର ବି ଏହି ଦୌଡରେ ସାମିଲ ହୋଇଛି l କେତେ ଥର ଭାବିଛି ଆରତୀଙ୍କ ଟିପ ଚି଼ହ୍ନ ନେଇ ଦୁଇ ମହଲା ଯାକ ହଡପ କରିଦେବ କିନ୍ତୁ ଆଇ.ସି.ୟୁ ଭିତରକୁ କାହାରିକୁ ଯିବାକୁ ଅନୁମତି ନାହିଁ l କେବଳ ଗୋଟିଏ ଟିପ ଚିହ୍ନ ମିଲିଗଲେ ବାକି କାଗଜ ପତ୍ର ସବୁ ଯୋଗାଡ଼ କରିବାଟା ସୁଧୀରର ବାଏଁ ହାତ କା କାମ ! ମୟୂରକୁ ଦେଖିଲେ କିଏ କହିବ ସେ ସାପ ଖାଏ ବୋଲି ? ସୁଧୀରକୁ ଦେଖିଲେ ଜଣା ପଡ଼େନି ସେ ଏମିତି ବିଚକ୍ଷଣ ବୁଦ୍ଧିର ଅଧିକାରୀ ବୋଲି l


ଖାଲି ଏ ସବୁ ଭିତରେ ନୀରବ ଦର୍ଶକ ସାଜି ବସିଛି କାମବାଲୀ କୁନି l ଲୋକ ଗୋଟାକକୁ ପ୍ରକୃତି ଗୋଟାଏ l ସେମାନେ ତିନି ଭଉଣୀ ଦୁଇ ଭାଇ l ଦୁଇ ବେଳା ଖାଇବl ବି ତାଙ୍କ ପାଇଁ ସ୍ୱପ୍ନ l କିନ୍ତୁ ସେମାନେ ଏମିତି କେହି ହେଉ ନାହାନ୍ତି ତ ? ସେଦିନ ବାପା ତାର ପଡିଥିଲା ହସ୍ପିଟାଲରେ l ବାପାର ଜୀବନ ଯାକର ସଞ୍ଚୟ ସାରି ସେମାନେ ତାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ l ବାପା ବଞ୍ଚି ନଥିଲା ଏବଂ ସଞ୍ଚୟ ବି ସବୁ ଶେଷ ହୋଇ ଯାଇଥିଲା l


 ବାପା ତାର ଗୋଟିଏ ହୋଟେଲରେ ବାସନ ସଫା କରି ଦିନକୁ ଦୁଇ ବେଳା ପୁଣି ଆପାର୍ଟମେଣ୍ଟରେ ଝାଡୁ ମାରି ନାନି ବାହାଘର ପାଇଁ ଯାହା ରଖିଥିଲା ସବୁ ତା ଚିକିତ୍ସାରେ ପିଲା ମାନେ ସାରିଦେଲେ l କିନ୍ତୁ ପଇସା ପାଇଁ କାହାରି ଦୁଃଖ ନାହିଁ l ବାପା ଚାଲି ଗଲା ବୋଲି ମୁଣ୍ଡ ଉପରୁ ହାତ ଉଠି ଗଲା l ସେଥିପାଇଁ ପାଇଁ ଯାହା ଦୁଃଖ ସିନା l

ସେଇ ପଇସାରେ ନାନୀ ବାହା ହୋଇଥାନ୍ତା, ଟୁଲୁର ସାଇକେଲ ଅlସିଥାନ୍ତା ଓ କୁନିର ସ୍କୁଲ ଫିସ ବି ସେଇଥିରୁ ହିଁ ଯାଇ ଥାନ୍ତା l


ସବୁ ସରିଗଲା ମାତ୍ର ସେ କିମ୍ବା ତାର ଭାଇ ଭଉଣୀ ଗୋଟେ ସେକେଣ୍ଡ ପାଇଁ ବି ଟଙ୍କା କଥା ଭାବି ନଥିଲେ l ଅଥଚ ସବୁ ଥାଇ ଏମାନେ ଏମିତି ହେଉଛନ୍ତି ଓ ପଦାରେ ପଡି ଯାଉଛନ୍ତି ଦେଖି କୁନି ଛାନିଆ l ଯାହା ହେଲା ହେଲା କୁନି ଭଳିଆ ଗୋଟେ ବାହାର ଲୋକ ଆଗରେ ଏମିତି ନ ହେଲେ ହୁଅନ୍ତା ନାହିଁ ? କୁନି କିଛି ବୁଝି ପାରେନି ବଡ ବଡ ଲୋକ ଗୁଡାକ ଏମିତି ଛୋଟ ଛୋଟ କାମ କାହିଁକି କରନ୍ତି କେଜାଣି l


ନ ଦିନ କୋମାରେ ରହିବା ପରେ ଦଶମ ଦିନ ସକାଳେ ଆରତୀଙ୍କୁ ହୋସ ଆସିଲା l ହୋସ ଆସିଲା ପରେ ଆଇ ସି ୟୁରୁ ଯେତେବେଳ ତାଙ୍କ ରୁମକୁ ଅଣାଗଲା ସେତେବେଳେ ଚାରି ଆଡେ ଆଖି ବୁଲାଇ ଦେଖନ୍ତି ତ ଦୁଇଟି ନର୍ସ ଓ ଗୋଟିଏ ଡାକ୍ତର ଛଡା ଆଉ ନିଜର କେହି ନାହାନ୍ତି l ସେତେବେଳକୁ ରକ୍ତର ସମ୍ପର୍କମାନେ ଆରତୀଙ୍କ ମୃତ୍ୟୁ ସୁନିଶ୍ଚିତ ଭାବି ଘର ଭାଗ ବଣ୍ଟା ଉପରେ ଗଭୀର ଆଲୋଚନା ଚଲାଇ ଥିଲେ l


ଉପର ମହଲାରୁ ଆରତୀଙ୍କ ଜିନିଷ ପତ୍ର ସବୁ ବାହାର କରିବା ପାଇଁ ସୁଧୀର ଓ ଅଜୟ ମିଶି ମୂଲିଆ ଦୁଇ ଜଣଙ୍କୁ ବି ଠିକ କରିସାରି ଥିଲେ l ହଠାତ ଡାକ୍ତରଙ୍କ ଠୁ ଫୋନ ପାଇ ଉପର ମହଲାକୁ ଯିବେ କଣ ସିଧା ଉପରୁ ତଳକୁ ଖସି ପଡିଲା ଭଳି ଅବସ୍ଥା ହେଲା ସମସ୍ତଙ୍କର l ତେବେ ସେ ଯାହା ହେଉ ଆରତୀ ଘରକୁ ଫେରିବେ l ଆଉରି ତିନି ଦିନ ହସ୍ପିଟାଲରେ ରହିବା ପରେ ସେ ଘରକୁ ଫେରିଲେ l


ଡାକ୍ତର କହିଛନ୍ତି ଏଥରକ ସିନା କଟିଗଲା ଆର ଥରକୁ ଯଦି କିଛି ହୁଏ ତେବେ ବଂଚିବାର ଆଶା ନାହିଁ l ସୁତରାଂ ବହୁତ ସତର୍କ ହୋଇ ଚଳିବାକୁ ହେବ l ଏ କଥା ଶୁଣିଲା ପରେ ଘର ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ଖେଳି ଯାଇ ଥିଲା l ଯଦି ହଠାତ କିଛି ହେଇ ଯାଏ ତେବେ ସିନା ଝମେଲା ଅଳ୍ପରେ ସରିଯିବ କିନ୍ତୁ ପୁଣି ହସ୍ପିଟାଲରେ ଦିନ ଦିନ ଧରି ପଡିଲେ କାହାର କାମ ନାହିଁ ଯେ ଦୌଡୁ ଥିବ ! ତେଣୁ ସେ ବଂଚିଥିଲା ବେଳେ ହିଁ ଭାଗ ବଣ୍ଟା ସାରି ଦେବାକୁ ହେବ l ଥରେ ଭାଗ ବଣ୍ଟା ସରିଗଲେ ତେଣିକି ଆଉ ଚିନ୍ତା ନାହିଁ l ବୋଉ ହସ୍ପିଟାଲ ଯାଉ କି ଆଉ କୋଉଠି କି ଯାଉ !


ପ୍ରଥମେ ପୁଅ ଦୁଇ ଜଣ ଯାଇ ଆରତୀଙ୍କ ସାଙ୍ଗେ କଥାବାର୍ତ୍ତା ଆରମ୍ଭ କରୁ କରୁ ସୁଧୀରକୁ ବାସ୍ନା ବାଜିଗଲା ଓ ତା ସ୍ତ୍ରୀ ଜଲୀକୁ ସପିଙ୍ଗ ଅଧା ରଖି ଶୀଘ୍ର ଫେରି ଆସିବାକୁ ଫୋନ କଲା l ଆରତୀ ହସ୍ପିଟାଲରୁ ଘରକୁ ଫେରି ମାତ୍ର ଦୁଇ ଘଣ୍ଟା ହୋଇଛି l ସମସ୍ତଙ୍କୁ ଏକତ୍ରିତ ଦେଖି ନିଜେ ମଧ୍ୟ ଚକିତ ହେଲେଣି l ବଡ ପୁଅ କହିଲା


-- ବୋଉ କିଛି ଭାବିବୁନି l ଯାହା ଦୁନିଆର ନିୟମ ତାହାହିଁ କହୁଛି l ତୋର ତ ବୟସ ହେଲାଣି କେତେବେଳ କୋଉ କଥା l ତେଣୁ ତୁ ଥାଉ ଥାଉ ସବୁ ଫଇସଲା ହେଇ ଗଲେ ଭଲ l ଆଉ ତୁ ତ ଜାଣୁ ବଡ ପୁଅ ଭାବେ ମୁଁ ତୋ ପାଇଁ ଓ ବାପାଙ୍କ ପାଇଁ ଅନ୍ୟମାନଙ୍କ ଠାରୁ ଅଧିକା ଚିନ୍ତିତ l ମୋର ଚାକିରୀର ପ୍ରଥମ ଦରମା…….


--ଭାଇ ତୁମର ସେ ଶୁଆ ଭଳି ରଟ ଲଗାଇବା ଅଭ୍ୟାସ ଆଉ ଗଲାନି l ପ୍ରଥମ ଦରମା ପ୍ରଥମ ଦରମା ଖାଲି ହେଉଛ l ତୁମେ କଣ ଜଣେ ହିଁ ବୋଉକୁ ସ୍ନେହ କରୁଛ ଆଉ ଆମେ ? ସାନ ପୁଅ ବୋଲି ବୋଉ ମୋତେ ଦଣ୍ଡେ ନ ଦେଖିଲେ ରହି ପାରେନି l ଜାଣିଛ ନା ନାହିଁ l କାଶ୍ମୀର ଟୁରରେ ଯାଇଥିଲି ଯେ ଖାଲି ବୋଉର ମୁହଁଟା ଆଖି ଆଗରେ ନାଚିଲା l ସେ ଯେଉଁ କାଶ୍ମୀର ସାଲଟା କେତେ ଜାଣିଛ ? ପୁରା ଛ ହଜାର ପାଞ୍ଚ ଶହ l ବୋଉ ପାଇଁ ଆଣୁଛି ତେଣୁ ମୁଲଚାଲ ମୋଟେ ହେବ ନାହିଁ l ଯାହା କହିଲା ନେଇ ଆସିଥିଲି l


--ନାହିଁ ନାହିଁ ! ମୋ ବୋଉ ଖାଲି ମୋ… ଅ… ର… l ହଁ ନା ବୋଉ ? ତୁ ଏମାନଙ୍କୁ କହିଦେ l ତୁ ଖାଲି ମୋର l ଜଲୀର କଥା ଶୁଣି ବୋହୁ ଦି ଜଣ ରକ୍ତ ଚାଉଳ ଚୋବାଇଲେଣି l ଏଥର ସୁଧୀର ପାଟି ଖୋଲିଲା l


--ବୋଉ ମୁଁ ସିଧା କଥା କହେ ବୋଲି ଆପଣଙ୍କର ସବୁଠୁ ପ୍ରିୟ ! ତେଣୁ ସିଧା ସଳଖ କହି ଦେଉଛି l ଆପଣ ବଞ୍ଚି ଥାଉ ଥାଉ ଏଇ ଘରଟି ଯେମିତି ହେଲେ ବାଣ୍ଟି ଦିଅନ୍ତୁ l ଆମେ ଭାବିଛୁ ତାକୁ ଆମେ କେହି ବିକ୍ରି କରିବୁନି l ଯେତେହେଲେ ଆପଣଙ୍କ ସ୍ମୃତି ନା ! ସୁତରାଂ ଘରଟି ତିନିଭାଗ ହେବ ଏବଂ ଆପଣ ଆଦେଶ ଦେଲେ ଉପର ଘରଟା ଆପଣଙ୍କ ଝିଅକୁ ମିଳିବ l ଜଲୀକୁ ତ ଆପଣ କେତେ ଗେଲବସର କରି ବଢ଼ାଇଛନ୍ତି l ତାକୁ ଏ ସିରେ ବି ଭଲ ନିଦ ହୁଏନି l ତାର ଖୋଲା ପବନ ନିହାତି ଦରକାର l


--ସୁଧୀର ବାବୁ ! ବାହା ହେବା ଆଗରୁ ଜଲୀ ମାଆଙ୍କ ଗେଲବସର ଥିଲେ l ଏବେ ଆପଣଙ୍କ ଗେଲବସର ହେଲେ l ବାହା ହେଲା ପରେ ଝିଅ ବାପ ଘରେ କୁଣିଆ l ତେଣୁ ଯେମିତି ଭାଗବଣ୍ଟା ହେବ ସୁଧାର ପିଲା ଭଳି ଶୁଣି ଯାଆନ୍ତୁ l ମାଳିନୀ କହି ଚାଲିଥିଲା l


--ଏ ଘରେ ଝିଅର କଥା ହିଁ ଚାଲେ l ଏଠିକି ବୋହୁ ହୋଇ ଆସିଲାଠୁ ଖାଲି ଘାଣ୍ଟି ହେଉଛି l ବୋହୁକୁ କିଏ ପଚାରେ ଏଠି ? ଆର ବର୍ଷ ମାଣବସା ଗୁରୁବାର ଦିନ ବୋଉଙ୍କୁ ଷ୍ଟ୍ରୋକ ହେଇଥିଲା ଯେ କାନ୍ଦି କାନ୍ଦି ମାଆ ଲକ୍ଷ୍ମୀଙ୍କୁ ମୋର ଅଶ୍ରୁରେ ତର୍ପଣ କରି କେତେ ପ୍ରାର୍ଥନା କରି ବୋଉଙ୍କୁ ବଞ୍ଚାଇଲି l ଏକ ନିଃଶ୍ୱାସରେ ଏତକ କହି ବଡ ବୋହୁ ଚନ୍ଦ୍ରିକା ବିଶ୍ରାମ ନେଲା l 


ଆରତୀ ମୁହଁ ଖୋଲି ଖାଲି ଏତିକି କହିଥିଲେ

--ଓକିଲ ଡାକ l

ଆରତୀଙ୍କ ମୁହଁରୁ କଥା ବାହାରୁ ବାହାରୁ ସାନ ପୁଅ ତାଙ୍କ ଘରୋଇ ଓକିଲ ତ୍ରିପାଠୀ ବାବୁଙ୍କୁ ଡାକିଦେଲା l ସେ ମଧ୍ୟ ଆଶା କରୁଥିଲେ ଯେ ଦିନେ ଦୁଇ ଦିନ ଭିତରେ ତାଙ୍କୁ ଡାକରା ପଡି ପାରେ l ତେଣୁ ସେ ପ୍ରସ୍ତୁତ ଥିଲେ l ସେ ଆସୁ ଆସୁ ମାଳିନୀ ଯେ କି ନିଜ ସ୍ୱାମୀକୁ ପାଣି ଗ୍ଲାସଟି ଏ ବି ଦିନେ ଦେଇ ନଥିଲା ସାଙ୍ଗେ ସାଙ୍ଗେ କଫି କରିବା ପାଇଁ ଦୌଡ଼ି ଗଲା l ତ୍ରିପାଠୀ ବାବୁ ଏଥର ଆରମ୍ଭ କଲେ l


--ଆପଣ ମାନଙ୍କୁ ଏଥର ଆରତୀ ମହାପାତ୍ରଙ୍କ ଉଇଲଟି ପଢି ଶୁଣାଇ ଦେଉଛି l

ଏକ ସାଙ୍ଗରେ ସମସ୍ତଙ୍କୁ ହୃତଘାତ ଆସିଲା ଭଳି ଲାଗିଥିଲା l ବୋଉ ଉଇଲ କରି ସlରିଛି ? ହେଲେ କାହିଁକି ଓ କାହା ନାଆଁରେ l ତ୍ରିପାଠୀ ବାବୁ ପୁଣି ଆରମ୍ଭ କଲେ l

--ଆରତୀ ମାଡାମ ବଞ୍ଚି ଥାଉ ଥାଉ ଏ ଘର ନା ବିକ୍ରି ହେଇ ପାରିବ ନା ଭାଗ ବଣ୍ଟା ହେଇ ପାରିବ l ତାଙ୍କ ପରେ ସମୁଦାୟ ଘରଟି ତାଙ୍କ ଘରେ କାମ କରୁଥିବା ସହାୟିକା କୁମାରୀ କୁନି ରାଣୀ ବେହେରା ପାଇବେ l ଘରେ ଏବେ ସମସ୍ତଙ୍କ ଚେତା ଶୂନ୍ୟ ଅବସ୍ଥା l କାହାରି ମୁହଁରେ ଭାଷା ନାହିଁ ଆଉ l ବାପା ବୋଉଙ୍କ ସମ୍ପତ୍ତି କୁନି ପାଇବ ?


ଆରତୀ ହସ୍ପିଟାଲରୁ ଆସି ମାତ୍ର କିଛି ଘଣ୍ଟା ହୋଇଛି l ଗୋଟେ ମିନିଟ ବି ବିଶ୍ରାମ ନେବାକୁ ସମୟ ମିଳି ନାହିଁ l ଖାଲି ସ୍ୱାର୍ଥ ହିଁ ସ୍ୱାର୍ଥ l ଭଗବାନ ବୋଧେ ତାଙ୍କୁ ବଞ୍ଚାଇ ଭୁଲ କଲେ l ସମସ୍ତେ ତାଙ୍କ ମୃତ ଦେହ ଦେଖିବାକୁ ପ୍ରସ୍ତୁତ ଥିବl ବେଳେ ତାଙ୍କୁ ଜୀବନ୍ତ ଅବସ୍ଥlରେ ଦେଖି ଘାଣ୍ଟି ହୋଇ ଗଲେଣି l ବହୁତ କଷ୍ଟରେ ସେ ଏଥର ମୁହଁ ଖୋଲିଲେ l


--ମୋତେ ଯେତେବେଳେ ଗତ ବର୍ଷ ଝାଡା ବାନ୍ତି ହୋଇଥିଲା ତୁମେ ମାନେ କେତୋଟି ଓଷଦ ବଟିକା ଦେଇ ମୋତେ ଗାଁକୁ ପଠାଇ ଦେଇଥିଲ l ଯେଉଁ ବଡ଼ ବୋହୂ ପାଦରେ ଚପଲ ପିନ୍ଧି ଠାକୁରଙ୍କ ଘରେ ପଶୁଥିଲା ଏବଂ ଯାହାକୁ ମୁଁ ହିଁ ଗୁରୁବାର ପୂଜା ଶିଖାଇଥିଲି ସେ ମୋଠୁ ଅଧିକା ଜ୍ଞାନୀ ହୋଇ ଛୁଆଁ ଛୁତି ଆଳରେ ମୋତେ ମୋର ହିଁ ଘରୁ ତଡି ଦେଇ ଗାଁକୁ ପଠାଇ ଦେଲା l ବଳ ନାହିଁ ବୟସ ନାହିଁ ସ୍ୱାମୀ ନାହାନ୍ତି l ଯିଏ ଯୁଆଡେ ଫୁଟବଲ ଭଳି ଗଡ଼ାଇଲେ ଯାଉଛି l ଏଇ କୁନିର ସେବା ଯତ୍ନରେ ହିଁ ମୁଁ ଭଲ ହୋଇ ଫେରିଥିଲି l


-- ଦ୍ଵିତୀୟ ଥର ଷ୍ଟ୍ରୋକ ଯୋଗୁଁ ମୁଁ ସୋଫା ପାଖରେ ପଡିଗଲା ପରେ ତୁମେ ମାନେ ହସ୍ପିଟାଲ ନ ନେଇ ଜଣେ ଜଣେ ଆସି ମୋର ନିଃଶ୍ୱାସ ପ୍ରଶ୍ୱାସ ପରୀକ୍ଷା କରୁଥିଲ l ମୁଁ ପୁରାପୁରି ଅଚେତ ହେବା ଆଗରୁ ସବୁ ଜାଣି ପାରୁଥିଲି l ଏଇ କୁନି ହିଁ ହାଉଳି ଖାଇ ଆମ୍ବୁଲାନ୍ସକୁ ଫୋନ କରିବା ପାଇଁ ବାହାରି ଯାଇଥିଲା l ତା ପରେ କଣ ହେଲା ମୁଁ ଆଉ ଜାଣିନି l


--ଆଉ ଜଲୀ ! ତୁ ତ ମୋ ନିଜ ରକ୍ତ ନା ! ତୋର ଦି ଭାଇଙ୍କ ଠାରୁ ଏଇ ସୁଧୀରର ମାସିକ ଆୟ କାହିଁ କେତେ ଗୁଣl ଅଧିକା l ତୋତେ ବି ମୁଁ ଚେଷ୍ଟା କରିଥିଲି ନିଜ ଗୋଡ଼ରେ ଠିଆ କରାଇ ସାରି ବିବାହ ଦେବାକୁ l କିନ୍ତୁ ତୁ ହିଁ କହିଥିଲୁ "ମା ! ମୋ ଦ୍ୱାରା ଏ ପାଠ ଗୁଡାକ ହେବନି l ମୁଁ ମୋ ସାଙ୍ଗ ମାନଙ୍କ ଭଳି ଘର ସଂସାର କରିବାକୁ ଚାହୁଁଛି " l ଆଉ ଏବେ ସେମାନଙ୍କ ସାଙ୍ଗରେ ତୁ ବି ମିଶିଗଲୁ ?


--ତୁମ ସମସ୍ତଙ୍କୁ ମୁଁ ଗୋଟିଏ କଥା କହୁଛି l ବହୁତ ଆଗରୁ ମୁଁ ତୁମ ମାନଙ୍କୁ ଜାଣି ସାରିଥିଲି l ତେଣୁ କୋମାରୁ ବାହାରି ଯେଉଁ କେତେ ଦିନ ହସ୍ପିଟାଲରେ ଥିଲି ଏଇ ତ୍ରିପାଠୀ ବାବୁ ମୋତେ ଦେଖା କରିବାକୁ ହସ୍ପିଟାଲ ଆସିଥିଲେ ଓ ସେତେବେଳେ ଏ ସବୁ ଆଲୋଚନା କରି ମୁଁ ସୁସ୍ଥ ମନରେ ସବୁ ନିର୍ଣ୍ଣୟ ନେଇଥିଲି l ତୁମେମାନେ ଏବେ ଚାଲି ଯାଇ ପାର l ମୋର ବି ଆଉ କାହା ପ୍ରତି ମାୟା ମୋହ ନାହିଁ l ହଉ ତ୍ରିପାଠୀ ବାବୁ ଆପଣ ଏଥର ଆସନ୍ତୁ l ମୋ ପରେ ଯାହା ଯେମିତି ଲେଖା ହୋଇଛି ସେମିତି ବନ୍ଦୋବସ୍ତ କରିବେ l 


ଲୋହିତ ସୂର୍ଯ୍ୟଙ୍କ କିରଣ ପଡି ସମଗ୍ର ଘରଟି ଯେପରି ସତ୍ୟର ଜୟଗାନ କରୁଥିଲା l



Rate this content
Log in

Similar oriya story from Tragedy