STORYMIRROR

Satyabati Swain

Tragedy

4  

Satyabati Swain

Tragedy

ଗେଟ୍ ଟୁ ଗେଦର୍

ଗେଟ୍ ଟୁ ଗେଦର୍

8 mins
3

ମନ ଏତେ ଅଧୀର ! ଚଞ୍ଚଳ ! 


     ଘଣ୍ଟା କଣ୍ଟା କଣ ଧରେଧୀରେ ଆଜି ଚାଲୁଛି ନା କଣ ? ଅପେକ୍ଷା ଆଉ ସହି ହେଉନି।


     ସତେ କି ମନ ଡେଣା ଲଗେଇ ମେଘ ସେ ପାଖେ ଉଡୁଥିଲା । କେମିତି ରାତି ପାହି ଦଶଟା ହେବ ଭାବି ବାରମ୍ବାର କଡ଼ ଲେଉଟାଉ ଥିଲି । ଏମିତି ସେମିତି କଥା ହୋଇଛି କି ! ଗୁଡାଏ ବର୍ଷ ପରେ ପରସ୍ପର ବନ୍ଧୁଙ୍କୁ ଭେଟିବୁ । କିଏ କେମିତି ହୋଇ ଯିବଣି । କାହା ପେଟ ସାତ ମାସ ଗର୍ଭ ପରି ବାହାରି ପଡିଥିବ । କିଏ ରୋଗାକ୍ରାନ୍ତ ହୋଇ ବେତ ହୋଇ ହଲୁଥିବେ । ଚାଳିଶା ଝାଙ୍କିବଣି କେତେ ଜଣଙ୍କୁ।ଆଖି ଉପରେ କେହି କେହି ଗୋଲ ଗୋଲ ଆଖି ଦିଟା ଲଗେଇଥିବେ । କିଏ ଆଗ ଅପେକ୍ଷା ଆହୁରି ସୁନ୍ଦର ଲାଗୁଥିବ । ଇସ୍ ! କି ମଜା ହେବ। ଦେଖୁ ଦେଖୁ କିଏ କୁଣ୍ଢେଇ ପକେଇ ଗୁଡେଇ ହୋଇ ଯିବେ। ସମସ୍ତଙ୍କ ମୁହଁକୁ ଭେଟିବା ଖୁସି ଜାବୁଡି ଧରିବ । ସତରେ କେମିତି ହେବ ସେଇ ମୁହୂର୍ତ୍ତର ଅନୁଭବ। ଆଃ ଭାବିକି ଖୁସି ଲହରୀ ମୋତେ ଓଦା କରି ଦେଉଛି ତ ସତ ସତିକା ସେଇ କ୍ଷଣର ଉଦ୍ ବେଳନର ଖୁସି ମୋତେ ସମୁଦ୍ରରେ ଡୁବେଇ ଦେବ ନିଶ୍ଚିତ ।


      ଆଉ ମୋ ବେଷ୍ଟ୍ ଫ୍ରେଣ୍ଡ୍ ରୀଟା ଫୁଲେଇ ସେମିତି ଫୁଲେଇ ହୋଇ ଥିବ ନା ବଦଳି ଯିବଣି ? ବିକାଶ ସୁଦୁ ଆଗ ଚଲା ଟା। ଶୁଭମ୍ ମଜ଼ା କଥା କହି ହସି ହସି ମୁତେଇ ଦିଏ। ସେ ଏବେ ବି ସେମିତି ହସୁଥିବ ? ଆଉ ଶାନ୍ କଣ ପୂର୍ବ ପରି ଚୁପଚାପ୍ ଥିବ। ସତରେ ସିଏ ଆଉ କବିତା ଲେଖୁ ନଥିବ ?


     ବନ୍ଧୁ ମିଳନ ବ୍ୟଗ୍ରତାର ବେଗ ଓ ଦିଗ ମୋର ଅମାନିଆ ହୋଇ କୁତୁକୁତୁ ହେଉଥିଲେ ସମସ୍ତଙ୍କୁ ଦେଖିବା, ଜାଣିବା ଲୋଭରେ। 


      ଭୋର ଫିଟି ଆସୁଥିଲା ମୋତେ ତରବର କରି। ଶୀଘ୍ର ଶୀଘ୍ର ଦୈନନ୍ଦିନ କାର୍ଯ୍ୟ ସାରିବାକୁ ମୁଣ୍ଡରେ ରାତିରୁ ରୁଟିନ୍ କରି ସାରିଥିଲି। 


 ପୁଣି କଲିଂ ବେଲ୍ ! 


    ଚିଡି ଲାଗିଲା। ଆଜି ଆମ ଗେଟ୍ ଟୁ ଗେଦର୍ । ଏ ଲୋକେ ଟିକେ ସଜବାଜ ହେବାକୁ ଦେବେନି। ପେପର୍, କ୍ଷୀର, ପରିବା, ଫୁଲ, ଓ ଲଣ୍ଡ୍ରି ଵାଲା ତ ଗଲେଣି ! ପୁଣି କିଏ ! ଗତ ରାତି ସାରା ଆଖିକୁ ନିଦ ନାହିଁ। ସମସ୍ତଙ୍କ ମୁହଁ ମନେ ପକାଉ ପକାଉ କେତେବେଳେ ନିଦ ହୋଇ ଯାଇଛି। ହ୍ଵାଟ୍ସଆପ ମେସେଜରେ ଭର୍ତ୍ତି। ସମସ୍ତଙ୍କ ପ୍ରଶ୍ନ, " ଅଙ୍କିତା ତୁ କେତେବେଳେ ଆସିବୁ ?"।


     ଆଃ ମୋ ସାଙ୍ଗମାନେ ମୋତେ କେତେ ଭଲ ପାଆନ୍ତି ! କିନ୍ତୁ ମୁଁ ନିହାତି ସ୍ୱାର୍ଥପର କାହାର ଖବର ରଖିନି । ହୁଏତ ସମସ୍ତଙ୍କ କଥା ଜାଣିବାକୁ ପ୍ରବଳ ଇଚ୍ଛା ମୋ ଭିତରେ ଥିଲା। କିନ୍ତୁ ମୋ ତରଫରୁ ଚେଷ୍ଟା ହିଁ କରି ନଥିଲି। ହେଇଟି ଶୁଣ ଚୁପ୍ କି କହୁଛି " ମୋ ପରିସ୍ଥିତି ଅନୁକୂଳ ନଥିଲା"। ପବନ ଆଉ କାନ୍ଥର ବି କାଳେ କାନ ଅଛି। ଯଦି ଏ ତିନୋଟି ଶବ୍ଦ କେହି ଶିବମ୍ କାନରେ ପକାଇ ଦିଅନ୍ତି ତ ମୋ କ୍ଳାସ ନେବେ। ବୁଝି ପାରିଲେନି ସେଇ ମୋ ଖଡୁସ୍ ଶ୍ରୀମାନ ଶିବମ୍ ସାନ୍ତାରା 'ଶି' ମ। ନିହାତି ୟାବ ଜଣେ ମନୁଆ ଲୋକ ହେ। ମନ ହୋଇଥିବ ମାଛରୁ କଣ୍ଟା ଛଡେଇ କୋଳରେ ବସେଇ ଖୁଆଇ ଦେବେ। ମନ ହୋଇଥିବ  ଛିଗୁଲେଇ ଧାରୁଆ କଥା ଏମିତି କହିବେ ଯେ ମୋ କୋମଳ ଗେହ୍ଲେଇ କଲିଜା ଚର୍ କିନା କଟି ଯାଏ। ନିହାତି ସଂଦେହୀ ପୁରୁଷ ମ।


     ବୁଝି ପାରେନି ସ୍ତ୍ରୀ ଆଉ ପୁରୁଷ ଦାମ୍ପତ୍ୟ ଜୀବନ ଜୀଇଁଲା ପରେ ପରସ୍ପରକୁ ସନ୍ଦେହ କାହିଁକି କରନ୍ତି। ଛିଃ ନୁଙ୍ଗୁଡ଼ା ପ୍ରକୃତି ହୋଇଥିବ । ନଚେତ୍ ବିଶ୍ବାସର ସମ୍ପର୍କରେ ସନ୍ଦେହ ନିଆଁ ଆସନ୍ତା କେଉଁଠୁ ? ସାବଧାନ ଥିବେ ନିଜ ପତି କିମ୍ବା ପତ୍ନୀ ଆଗରେ କୌଣସି ପୁରୁଷ କି ସ୍ତ୍ରୀର ଅତି ମାତ୍ରାରେ ପ୍ରଶଂସା କରିବେ ନାହିଁ। ନଲେ ନିଜ ଲୋକଟି ଯଦି ସଂଦେହୀ ହୋଇଥିବ ନିଆଁ ଲାଗିବାକୁ କ୍ଷଣେ ଲାଗିବ ନାହିଁ।  ଯେତେ ଅଧିକ ଶିକ୍ଷିତ,ବଡ଼ ଅଫିସର, ଧନୀ ଶ୍ରେଣୀୟ ଅବା ପ୍ରସିଦ୍ଧି ପ୍ରାପ୍ତ ଲୋକ ହୋଇଥିବେ ସନ୍ଦେହ ସେତିକି ଅଧିକ ସେଇ ମାନଙ୍କ ମନ ସ୍କାଇ ଲାଇଟିରେ ପାରା ପରି ବସା ବାନ୍ଧିଥାନ୍ତି। ମେନ୍ଦା ମେନ୍ଦା ଝାଡା ଫେରି ଜୀବନ ଦୁର୍ବିସହ କରି ଦିଅନ୍ତି। 


     ମାଆ କୁହେ ମୁଁ ଖୁବ୍ ବୁଝିବା ଶୁଝିବା ଝିଅ । ଏଣୁ ଆମ ଖଡୁସ୍ 'ଶି'ଙ୍କୁ କୌଣସି ଦିନ ସୁଯୋଗ ଦେଇନି ମୋତେ ସନ୍ଦେହ କରିବାକୁ। କିନ୍ତୁ ଜାଣେ ସେ ଜଣେ ସଂଦେହୀ ମଣିଷ। ନିଜ ଭଉଣୀ, ଭାଇ , ଭାଉଜ ତଥା ଅଫିସ ଷ୍ଟାପଙ୍କୁ ସନ୍ଦେହ କରି ଆଜେବାଜେ  ଦୁର୍ଗୁଣ  ଗାଅନ୍ତି। ଅନେକ ସମୟରେ ବାହାଦୁରୀ ଦେଖାଇ କେମିତି ସେମାନଙ୍କୁ ଶାସନ କରିବାକୁ ଅଙ୍କୁଶ ଲଗାନ୍ତି ଛାତି ଚୌଡା କରି  ମୋ ଆଗରେ ଗପନ୍ତି। ନିଶ ତ ନାହିଁ ।ନଲେ ନିଶ ମୋଡି ନିଜ ପାରିଲା ପଣିଆର ଜୟ ଗାନ କରନ୍ତେ। ହେ ମୋତେ ନିଶ ନଥିବା ଲୋକେ ଭଲ ଲାଗନ୍ତିନି । କିନ୍ତୁ କରିବି କଣ ମୋ ଭାଗ୍ୟରେ ନିଶ ରଖୁ ନଥିବା ମଣିଷଟିଏ ହାବୁଡ଼େ ପଡିଛନ୍ତି। ଶି ବୋଧେ ଭାବନ୍ତି ଏ ଗପ ଶୁଣି ମୁଁ  ନିଜେ ଡରି ମରି ଥରିବି । ତେଣିକି କିଛି କରିବାକୁ ମନ ବଳାଇବି ନାହିଁ। ଖାଲି ଗପିଲେ ଚଳନ୍ତା। ଗପ ଶେଷରେ ଶର ମୁନଟି ମୋ ଆଡ଼କୁ ବଙ୍କେଇ  ଦେଇ କୁହନ୍ତି , "ମୁଁ ଜାଣେ ମୋ 'ଅଙ୍କ' କୌଣସି ଦିନ ଭୁଲ୍ ହେବ ନାହିଁ କି ଅବାଟରେ ଯିବ ନାହିଁ।"


     ସଟକଟିଆ ଚୁଟି, ଚଳଣି ପରି ସେ ମୋତେ ଅଙ୍କିତା ବଦଳରେ ଅ ଡାକିବେ କହିଲେ। ସ୍ତ୍ରୀମାନଙ୍କ ପାଖରେ ତିନୋଟି  ଅମୋଘ ବ୍ରହ୍ମାସ୍ତ୍ର କାନ୍ଦ, ଅଭିମାନ ଏବଂ ପ୍ରେମିଳ ସ୍ୱର ସବୁବେଳେ ମହଜୁଦ ଥାଏ। ପରିସ୍ଥିତି ପରିବେଶ ଦେଖି ଏ ତିନୋଟିକୁ ପ୍ରୟୋଗ କରିବାକୁ ପଡିଥାଏ। ଏଣୁ  ପ୍ରତିବାଦଟି  ଗେହ୍ଲେଇ ବିଲେଇ ହୋଇ କହିଲି, "ଅ ! ଅ ମାନେ ଜାଣିଛ, ବାନ୍ତିକଲା ବେଳର ଶବ୍ଦ ।" ପୁରୁଷ ମାତ୍ରେ ହିଁ ଭୋଳା ଶଙ୍କର। ତାଙ୍କ ଆଗରେ ଟିକେ ପ୍ରେମିକା ହୋଇ ଯେଉଁ ବର ମାଗିବ  ତଥାସ୍ତୁ  କରିଦେବେ। ସୁଦୁ ପ୍ରେମ କାଙ୍ଗାଳ  ଯୁଗେ ଯୁଗେ ପୁରୁଷ। ଯଦି ରୁକ୍ଷ ସ୍ୱର କରି ରାଗିକି କିଛି କହିଲ ଯା ବେଦ ଅଶୁଦ୍ଧ ହୋଇଯିବ। ସହଜରେ ହେବା କଥାଟି ନିହାତି କଠିନ ରୂପ ନେବ। ଏଣୁ ଏ ବ୍ରହ୍ମାସ୍ତ୍ରଟି ପ୍ରୟୋଗ କଲି। କିନ୍ତୁ ଆମ ଇଂଲିଶ ମିଡିୟମ ବାବୁ ସାହେବ  କହିଲେ ତାହେଲେ "ଅଙ୍କ' ଥାଉ। ହେଲେ ମନେ ରଖିବ ମୋ ଅଙ୍କ ସବୁବେଳେ ,ସବୁଥିରେ ଶହେରୁ ଶହେ ରୁହେ ଯେମିତି।


     ବେଳେବେଳେ ଭାବେ ଶି ଙ୍କର ଏହା ଧମକ,ଚେତାବନୀ ନା ଏହାର ନାମ ସନ୍ଦେହ ! 


      ସେହିଦିନୁ ସେ ଖାତା ଏବଂ  ମୁଁ ଅଙ୍କ । ଗଲା ତ କଷୁଛନ୍ତି। ଆଜିଯାଏ  ମୋ ତରଫରୁ ସୃଷ୍ଟ କୌଣସି ଅଙ୍କ ସମାଧାନ ପାଇଁ କଷ୍ଟ ହୋଇନି ତାଙ୍କୁ। ଦମ୍ପତ୍ତିଙ୍କ ମଧ୍ୟରୁ ଜଣେ ବିଶେଷ କରି ସ୍ତ୍ରୀଟି ଯଦି ପୁରୁଷ ନାମକ ଉପନ୍ୟାସଟିକୁ ଠିକ୍ ଭାବେ ପଢି ବୁଝିନେଲା ତ ସହଜ ହୋଇଯାଏ ଯୁଗ୍ମ ଜୀବନ। ହଁ ସବୁବେଳେ ସ୍ତ୍ରୀ ହିଁ ଏହା କରୁ ପୁରୁଷ ଇଚ୍ଛିବା ଅନ୍ୟାୟ କିନ୍ତୁ।


       ଖୁବ୍ ଗମ୍ଭୀର ସ୍ୱଭାବର ଝିଅଟା ମୁଁ। କେବଳ ହସିଦେଇ କହିଥିଲି, "ବିଶ୍ବାସ ମୂଳେ ଜଗନ୍ନାଥ।"  ଜାଣେନି  ଏହାର ଗୂଢ଼ ମର୍ମ ଶି ବୁଝନ୍ତି କି ନାହିଁ କିନ୍ତୁ କହିଲେ ଓକେ।ସେଦିନୁ  ଜୀବନ ଓକେ ହୋଇ  ଚାଲିଛି ଏଯାବତ।


       ଏଇ ଶି ଙ୍କୁ ଖୁସି ରଖିବାପାଇ କାହା ସହ ଏତେ ଘନିଷ୍ଠ ସମ୍ପର୍କ ରଖିନି । କଣ ମିଳିବ ଅନ୍ୟକୁ ଖୁସି କରିବାକୁ ଯାଇ ନିଜ ସମ୍ପର୍କରେ ନିଆଁ ଲଗେଇବା ? ଏ ଶିକ୍ଷିତ ଦାମ୍ପତ୍ୟରେ ମଧୁରତା କମ୍ ତିକ୍ତତା ବେଶୀ। ଆୟୁକାଳ ବି ସ୍ୱଳ୍ପ ଆଜିକାଲି ଦାମ୍ପତ୍ୟର। ଖଣ୍ଡା ଧାରରେ ଦାମ୍ପତ୍ୟ ଜୀବନ। ଯିଏ ଯେତେ ଲବ୍ଧ ପ୍ରତିଷ୍ଠିତ ସେମାନଙ୍କ ଦାମ୍ପତ୍ୟ ସେତେ ଅସୁରକ୍ଷିତ। 


      ଘନ ଘନ ମେସେଜ  "ତୁ କେତେବେଳେ ଆସୁଛୁ ?" ମୋତେ ଅତିଷ୍ଠ କରୁଥିଲା ବେଳେ କଣ ପିନ୍ଧିକି ଯିବି କାଲିଠାରୁ ଠିକ୍ ନ  କରି ପାରିବା ମୋତେ ଆହୁରି ଅଣନିଃଶ୍ବାସୀ କରୁଥିଲା। ଶାଢ଼ୀ ପିନ୍ଧିବି ନା ଡ୍ରେସ୍ ! ଯାହା ପିନ୍ଧେ ପଛେ କେଉଁ ରଙ୍ଗର ପିନ୍ଧିବି ? କାନ, ବେକରେ କେଉଁ ଅଳଙ୍କାର ଲଗାଇଲେ ମୋତେ ମାନିବ ? ଚପଲ କେଉଁଟା ହେଲେ ବେଶ ପୋଷାକକୁ ଖାପ ଖାଇବ ? ଚୁଟି ଖୋଲା ରଖିବି ନା ବେଣୀ କରିବି ? ପାର୍ଲର ଯାଇ ମେକଅପ୍ ନେଇ ଯିବି ନା ଏମିତି ସାଧା ସିଧା ? ଆରେ ବାବା କଣ ମଡେଲିଙ୍ଗ ପ୍ରତିଯୋଗିତାକୁ ଯିବି ନା କଣ ? କେତେ କଥା ଭାବୁଛି ? ବୋଧେ ସବୁ ସାଙ୍ଗମାନଙ୍କୁ ମୋ ସାଜସଜ୍ଜା ମାଧ୍ୟମରେ ଦେଖେଇ ହେବାକୁ ଚାହୁଁଛି ମୋ ଷ୍ଟାଟସ ଓ ଖୁସି କି !


      ସତରେ ମୁଁ ଖୁସି ଅଛି ତ ? ନା ଅଭିନୟ କରୁଛି ? ସବୁସାଙ୍ଗ ମାନଙ୍କ ପାଇଁ ମୋର ଏ ବେଶ ପୋଷାକର ବିକଳ ପଣ ନା ଶାନ୍ ର ଦୃଷ୍ଟି ଆକର୍ଷଣ କରିବାର ଏ ମୋହ ! ଏଇଠି ଦୁଇ ଦିନ ହେବ କେବଳ ଏଇ ନିଶାରେ ଅଛି ଯେ କେଉଁ ବେଶ ପୋଷାକରେ ଯିବି । କି ବାଜେ କଥା ବନ୍ଧୁ ମାନଙ୍କୁ କେତେ ବର୍ଷ ପରେ ଭେଟିବା,ଦେଖିବାକୁ ପ୍ରାଧାନ୍ୟ ନ ଦେଇ ଏଗୁଡ଼ାକ କଣ ଭାବୁଛି ! ସବୁଠାରୁ ଆଶ୍ଚର୍ଯ୍ୟ ଆଜି ପର୍ଯ୍ୟନ୍ତ ନିଜ ସାଜସଜ୍ଜା ପ୍ରତି ଆଦୋୖ ଦୃଷ୍ଟି ଦେଉ ନଥିବା ଅଙ୍କିତା ଦାଶର କାହିଁକି ପ୍ରଥମ କରି ଏ ଇତିହାସ ସୃଷ୍ଟି ?


     ଏଇ ସଜବାଜକୁ ନେଇ ଶି , ନଣନ୍ଦ ଏବଂ ଶାଶୁଙ୍କର ଅନେକ ଟିକ୍କା ଟିପ୍ପଣୀ ସହିବାକୁ ପଡୁଛି। ଏବେ ନଣନ୍ଦ ଶାଶୁଘରେ। ଶାଶୁଶଶୁର ଆରପାରିରେ। ଏମାନେ ତ ନାହାନ୍ତି ଖୁଣିବାକୁ ଯେ ମୋ ସଜବାଜ ସେମାନଙ୍କ ନା ପସନ୍ଦ। କିନ୍ତୁ ଆଜି ମୋ ଭିତରୁ ମୋ ଶୁଦ୍ଧତା ଟିକକ କିଏ ଅପହରଣ କରି ନେଉଛି ? ଲାଗୁଛି ମୁଁ , ମୁଁ ନୁହେଁ । ମୋ। ଭିତରେ ଯେମିତି ଆଉ କାହାର ଆତ୍ମା ପଶିଛି । ନୂଆ ନୂଆ ପ୍ରେମ କରୁଥିବା ପ୍ରେମିକା ପ୍ରଜାପତି ପରି ହେଉଛି !


       ସମସ୍ତ ସାଙ୍ଗଙ୍କ ପାଇଁ ଗୋଟେ ଗୋଟେ ଉପହାର ବି ନେବି ତ କଣ ନେବି ଆଉ ଏକ ସମସ୍ୟା । 


        ଏଇ କଣ ପିନ୍ଧିବାରେ ଏବଂ କି ଉପହାର ନେବାରେ ଏତେ ଅସହାୟତା  !!


        ଟିକେ ହସିଲି । ଏତେ ଘଣ୍ଟାଘଣ୍ଟି ଶେଷକୁ ସେଇ ମୋ ଭିତର ସେ ସାଧସିଧା ଝିଅଟା ହିଁ ଜିତିଗଲା । ନୋ ମେକ ଅପ୍ ସେକ ଅପ୍ । ଜଷ୍ଟ ସିମ୍ପୁଲ ବେଶ । ପିନ୍ଧାପିନ୍ଧି କରି ଡ୍ରେସିଂ ଟେବଲ୍  ଆଗରେ ଛିଡା ହୋଇ ଚମକି ପଡିଲି। ଏ ନ୍ୟାଭି ବ୍ଲୁ ରଙ୍ଗ ବ୍ଳାଉଜକୁ ପିଙ୍କ୍ ଶାଢ଼ୀ ! ଏ ଦୁଇଟି ରଙ୍ଗ ତ ... ମନେ ପଡ଼ିଲା ...


ଅଙ୍କିତା !ତୋର କେଉଁ ରଙ୍ଗ ପସନ୍ଦ ?


ଲାଲ ।


ଟମାଟୋ ରଙ୍ଗ ?


     ତୋର କଣ ଗଲା ? ତୋତେ ଏମିତି କେଉଁ ରଙ୍ଗ ଭଲ ଲାଗେ କି ?


      ମୋ ମାଆ ପିଙ୍କ୍ ରଙ୍ଗ ସହ ନ୍ୟାଭି ବ୍ଲୁ ବ୍ଳାଉଜ ପିନ୍ଧନ୍ତି। ଚମତ୍କାର ମାନେ ତାଙ୍କ ସୁନା ଦେହକୁ। ତୋତେ ବି ଏ ରଙ୍ଗ ଦୁଇଟି ଖୁବ୍ ମାନିବ। ମୋ ମାଆଠାରୁ ତୁ ଟିକେ ଅଧିକ ଗୋରୀ ନା ?


         ଧେତ୍ ମୁଁ ନା ଅଜବ । ହାଇସ୍କୁଲରେ ଶାନ୍ କଣ କହିଥିଲା ଏଯାଏ ମୋ ମନ ସାଇତି ରଖିଛି !


       ଦେଖୁନ ଏତେବେଳ ପର୍ଯ୍ୟନ୍ତ କଣ ପିନ୍ଧିବି ସ୍ଥିର କରି ନ ପାରିବାରୁ ଗେଟ୍ ଟୁଗେଦରକୁ  ଯିବା ଡେରି ହେଉଥିଲା ବେଳେ ପୁଣି କିଏ ବଜାଇଲାଣି କଲିଂ ବେଲ୍ !


     ମୁହଁରେ ବିରକ୍ତିଭାବ ନେଇ ଡୋର୍ ଖୋଲୁ ଖୋଲୁ ମୋ ଭିତରର ଖୁସି,

ବିକଳପଣ କୁଆଡ ଉଭାନ ହୋଇଗଲା। 


ତୁମେ ! କହୁଥିଲ ଆସିବିନି ?


କାଇଁ ଆସିକି ଅସୁବିଧା କଲିକି ?


ଅସୁବିଧା ? ଦେଖୁନ ମୁଁ ପରା ଆଜି ଆମ ବ୍ୟାଚ୍ ଗେଟ୍ ଟୁ ଗେଦର୍ କୁ ଯିବା ପାଇଁ ବାହାରିଛି।


ଗେଟ୍ ଟୁ ଗେଦର୍ ନା ଗୋଟେ ଫାର୍ଶ ଚାଲିଛି। ବୁଢା ବୁଢ଼ୀ କାଳେ ହେଁ ହେଁ ଫେଁ ଫେଁ ହେବେ ଯାଇ। ରୋଷେଇ କର ମୋର ଦୁଇ ଜଣ ବନ୍ଧୁ ମଧ୍ୟାହ୍ନ ଖାଇବାକୁ ଆସିବେ।


ମାସକ ଆଗରୁ କହିଥିଲି ଡିସେମ୍ବର 22 ରେ ଆମ ସ୍କୁଲ ଗେଟ୍ ଟୁ ଗେଦର୍ ଅଛି। ଜାଣିବି ବନ୍ଧୁଙ୍କୁ ଘରକୁ ଖାଇବାକୁ ଡାକିଛ ?


ଆରେ ହଠାତ୍ ପ୍ରୋଗ୍ରାମ ହେଲା। ସେମାନେ ତୁମ ହାତ ରନ୍ଧା ଖାଇବେ କହିଲେ ତ ମନା କରି ପାରିଲିନି। ଅତିଥି ଦେବତା ପରା ତୁମେ କୁହ ?


ଆଉ କିଛି କହିବାକୁ ଚାହିଁଲିନି।ନଚେତ୍ ମୃଦୁ ଭୂମିକମ୍ପ ଘରେ ହେବ। ସେଥିରେ ଅତିଥି ବୈଠକ ଘରେ ବିଶ୍ରାମରତ। ଶୁଣିଲେ କଣ ଭାବିବେ ? ଲୁଗାପଟା ବଦଳେଇ ରୋଷେଇରେ ଲାଗିଲି। ଆଖିର ଲୁହ ବାଧା ମାନୁ ନଥାଏ। ସାଙ୍ଗ ମାନେ ବାରମ୍ବାର ଫୋନ୍ କରୁଥାନ୍ତି" ତୁ କେଉଁଠି ହେଲୁଣି।ସମସ୍ତେ ତୋ ଅପେକ୍ଷାରେ।।


ଫୋନ୍ ସୁଇଚୄ ଅପ୍ କରି ରୋଷେଇ ଘର ଥାକକୁ ଫିଙ୍ଗିଦେଲି। ଆଠ ବର୍ଷର ଝ8ଅ କରୁଣ ସ୍ୱରର ଓ ଆଖିରେ ଆସି କହୁଥିଲା ,

"ମାମା ତୁମ ଗେଟ୍ ଟୁ ଗେଦର୍ କୁ କେତେବେଳେ ଯିବା?"


ଘରେ ପରା କୁଣିଆ ଧନ।ବଦାଳି ଡେ ଧନ ଆଉ ଯିବାନି।


ଝିଅ ଗୋଡ଼ ବାଡେଇ କାନ୍ଦୁଥିଲା ନା ମୁଁ ଝିବି।


କାଶ ଝିଅ ପରି ମୁଁ ଗୋଡ଼ ବାଡେଇ କାନ୍ଦି ପାରନ୍ତି।



Rate this content
Log in

Similar oriya story from Tragedy