STORYMIRROR

Madhabi Patel

Inspirational

2  

Madhabi Patel

Inspirational

ଗେଣ୍ଡୁଫୁଲ

ଗେଣ୍ଡୁଫୁଲ

4 mins
8

ଆଜି ଏକ ପୁରୁଣା କାହାଣୀ ମନେ ପଡିଲା । ପୂରା ମନେ ନାଇଁ ଝାପ୍ସା ଝାପ୍ସା ମନେ ଅଛି । ଛୋଟବେଳେ ମାଆ ପାଖରୁ ଶୁଣିଥିଲି । ସୋମନାଥ ନାମରେ ସାଧବ ନିଜ ପରିବାର ନେଇ ରହୁଥିଲେ । ତାଙ୍କର ସାତପୁଅ ଓ ସବା ଶେଷରେ ଝିଅଟିଏ ହୋଇଥିଲା । ସବୁଠୁ ଛୋଟ ବୋଲି ବଡ ଅଲିଅଳି ସେ । ଯାହା କହିଲେ ସବୁ ମିଳି ଯାଉଥିଲା ତାପାଇଁ । ଅନ୍ୟଝିଅମନେ ମାଟି କଣ୍ଢେଇରେ ମାଟିକାଚିରେ ଖେଳନ୍ତି । ହେଲେ ଝିଅ ପରୀ ପାଇଁ ରୁପା ତିଆରି କାଚି କୁଣ୍ଢି ବା ରୂପା ପାତ୍ର ତିଆରି କରିଦେଇଥିଲେ । ଯୋଉଥିରେ ସେ ରୋଷେଇବାସ କରୁଥିଲା ଖେଳିଲା ବେଳେ । 

ଭାଇମାନେ ବିଦେଶକୁ ବ୍ୟବସାୟ ପାଇଁ ଗଲେ ସେଠାରୁ ଯାହା ସବୁଠୁ ଭଲ ଦରବ ଦେଖନ୍ତି ତାହା ଯେତେ ଦାମ୍ ପଡିଲେ ବି କିଣି ଆଣିଦିଅନ୍ତି ଗହ୍ଲେଇ ଭଉଣୀପାଇଁ । କୋଉଠି କାର ପ୍ରଶିଦ୍ଧ ପାଟ ଶାଢୀ, କୋଉଠିକାର ମୋତିହାର, କୋଉଠିକାର ହାତୀଦାନ୍ତ ବା ଶିଙ୍ଗକାମର ଭଲଭଲ ଘର ସଜାଇବା ଜିନିଷ ଆଦି ଆଣି ଦିଅନ୍ତି ପରୀ ପାଇଁ । ଭାଉଜ ମାନେ ତାର ସବୁ ପ୍ରକାର ଯତ୍ନ ନିଅନ୍ତି । କିଏ ମୁଣ୍ଡ କୁଣ୍ଡାଇ ଚୋଟି କରିଦିଏ । କିଏ ଲୁଗା ପିନ୍ଧେଇ ଦିଏ । କିଏ ଅଳଙ୍କାରରେ ସଜାଇ ଦିଏ । କିଏ ଗୀତ ଗାଇ ଶୁଣାଏ । ଏମିତି ତା ମନ ଖୁସି କରିବାରେ ସାରା ପରିବାର ଲାଗିଥାନ୍ତି । ମାଆ ରୋଗର ଶିକାର ହୋଇ ପଡିଥିଲେ ବୋଲି ଭାଉଜମାନେ ଘର ସମ୍ଭାଳୁଥିଲେ । ସବୁଠୁ ଛୋଟ ଭାଉଜ ରମା ତାର ବଡ ସାଙ୍ଗ ଥିଲେ । ସେ ବି ମନର ସବୁ କଥା ତାଙ୍କ ଆଗରେ କହି ପାରୁଥିଲା । 


ଏମିତି ପରିବାରଟି ଖୁସିରେ ଚାଲିଥିବାବେଳେ ସୋମନାଥ ସାଧବଙ୍କ ଦେହାନ୍ତ ହୋଇଗଲା । ତାଙ୍କ ପରେପରେ ତାଙ୍କ ସ୍ତ୍ରୀ ବି ଚାଲିଗଲେ । ବଡଭାଇମାନେ ଏବେ ବ୍ୟବସାୟ ସବୁ ବୁଝିଲେ । ସମସ୍ତେ ମିଶି ସିଂହଳ ଦ୍ୱୀପକୁ ବାଣିଜ୍ୟ କରିବାକୁ ଚାଲିଗଲେ । ସବୁ ସାଧବବୋହୁ ମାନେ ତାଙ୍କ ବୋଇତ ବନ୍ଦାଣ କରି ତାଙ୍କୁ ବିଦାୟ ଦେଲେ । 

ପରୀ ଏବେ ବଡ ଏକା ଅନୁଭବ କଲା । ବାପା ମାଆ ଓ ଭାଇମାନେ କେହି ନ ଥିଲେ ତା ପାଖରେ । 

ସେ ମନମାରି ବସୁଥିଲା । ତାର ଏତାଦୃଶ୍ୟ ଭାବ ଦେଖି ଭାଉଜମାନେ ତାକୁ ନିଜ ରୋଷେଇ କାମରେ ଲଗାଇଲେ । କାଳେ କାମକଲେ ତାର ବେକାର ସମୟ କଟିଯିବ । 

ଦିନେ ତାକୁ ଶାଗ କାଟିବାକୁ କହିଲେ । ପରୀ ଶାଗ କାଟୁକାଟୁ ଅଙ୍ଗୁଠି ଖଣ୍ଡିଆ ହୋଇଗଲା । କିଛି ରକ୍ତ ବାହାରି ଶାଗରେ ଲାଗିଗଲା । ସେଦିନ ଶାଗ ସମସ୍ତଙ୍କୁ ବଡ ସ୍ୱାଦିଷ୍ଟ ଲାଗିଲା । ବଡ ଭାଉଜ କହିଲେ ଆଜି ତ ଶାଗ ବଡ ସୁଆଦ କରୁଛି ଏହାର ରହସ୍ୟ କଣ?

ଛୋଟ ବୋହୁ ରମା କହିଲା ଆଜି ନଣନ୍ଦଙ୍କ ଆଙ୍ଗୁଠି କଟିଗଲା ଓ ଶାଗରେ ତାଙ୍କ ରକ୍ତ ପଡି ଯାଇଥିଲା । 

ଏକଥା ଶୁଣି ଭାଉଜମାନେ କହିଲେ ବାଃ ନଣନ୍ଦଙ୍କ ରକ୍ତ ତାହେଲେ ଭାରି ମିଠା । 

ତାପରେ ଭାଉଜମାନଙ୍କ ମୁଣ୍ଡରେ କଣ ଭୂତ ପଶିଲା କେଜାଣି ସେମାନେ ଏକାଠି ହୋଇ ପରସ୍ପର ଭିତରେ କଣ ମନ୍ତ୍ରଣା କଲେ । ତାଙ୍କ ମନ୍ତ୍ରଣାରେ ଛୋଟ ବୋହୁ ରାଜି ହେଉନ ଥିଲା । ହେଲେ ସେମାନେ ଛଅଜଣ ଥିଲେ ଆଉ ସେ ଏକା ଥିଲା । ପୁଣି ସବୁଠୁ ଛୋଟ ଥିଲା । କଣ ବା କରିଥାନ୍ତା । 

ରାତିରେ ଶୋଇଥିବା ବେଳେ ଭାଉଜମାନେ ମିଶି ପରୀବେକକୁ ହାଣିଦେଲେ । ତାପରେ ତାର ମାଂସ କାଟି ରାନ୍ଧି ଖାଇଲେ । ଛୋଟ ବୋହୁକୁ ଭାଗଟେ ଖାଇବାକୁ ଦେଇଥିଲେ । ହେଲେ ତାର ଖାଇବାକୁ ହାତ ଗଲାନି । ସେ ମାଂସ ଗିନାକୁ ନେଇ ପୋଖରୀକୂଳର ଏକ ଉଇହୁଙ୍କାରେ ଢାଳିଦେଲା । 


ସେ ମାଂସ ଖଣ୍ଡଗୁଡାକ ଭିତରୁ ଏକ ଗେଣ୍ଡୁଗଛ ଜନ୍ମହେଲା ଓ ବଢିବାକୁ ଲାଗିଲା । ସୁନ୍ଦର ସୁନ୍ଦର ଫୁଲ ଫୁଟିଲା । 

ଏ ଭିତରେ କେତେ ବର୍ଷ ବିତି ସାରିଥାଏ । ସାଧବ ପୁଅ ମାନେ ବାଣିଜ୍ୟ ସାରି ଫେରି ଆସିଲେ । ଗାଆଁ ମୁଣ୍ଡରେ ଏକ ପୋଖରୀ କୂଳରେ ବିଶ୍ରାମ ନେଲେ । ଶୋଷ ଲାଗୁଥିଲା ସମସ୍ତଙ୍କୁ । ସେଠି ଘୋଡା ରଖି ସେମାନେ ପାଣି ପିଇଲେ । ଘୋଡାମାନଙ୍କୁ ବି ପାଣି ପିଆଇଲେ । ଦେଖିଲେ ଏକ ଉଇ ହୁଙ୍କାରେ ସୁନ୍ଦର ଗେଣ୍ଡୁ ଫୁଲ ଫୁଟିଛି । 

ସେ ଫୁଲଗଛ ସେମାନଙ୍କୁ ଦେଖି ଗୀତଟେ ବୋଲିଲା । 

ସାଧବ ଘରର ସାତଟିଭାଇ । ଯାଇଥିଲ ତୁମେ ବଣିଜ ପାଇଁ । 

ଶୁଣମୋ କଥାକୁ ଗୁରୁତ୍ୱ ଦେଇ, ଫୁଲଟିଏ ତୋଳ ଦିଅ ବଞ୍ଚାଇ । 

ଗୀତ ଶୁଣି ଜଣେ ସେ ଗଛରୁ ଫୁଲଟିଏ ତୋଳିଲା । 

ସେତେବେଳେ ଫୁଲଗଛଟି ପରୀ ପାଲଟିଗଲା । ସେମାନେ ତାକୁ ସେଠି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ପଚାରିଲେ ତୁ ଏଠାକୁ କେମିତି ଆସିଲୁ ଓ ଫୁଲ ଗଛ ହେଲୁ କେମିତି?

ପରୀ ଭାଉଜ ମାନଙ୍କ ସବୁ ନୃଶଂସ କାଣ୍ଡ ବର୍ଣ୍ଣନା କଲା ଭାଇଙ୍କ ଆଗରେ । ଭାଇମାନେ ପ୍ରଥମେ ବଡ ଆଶ୍ଚର୍ଯ୍ୟ ହେଲେ ଓ ପରେ ବଡ ରାଗିଗଲେ ନିଜ ସ୍ତ୍ରୀମାନଙ୍କ ଉପରେ । ସେମାନେ ନିଜ ଭଉଣୀକୁ ସ୍ତ୍ରୀଙ୍କ ଭରସାରେ ଛାଡିଥିଲେ । ଅଥଚ ସେମାନେ ତାକୁ ମାରିଦେଲେ ପୁଣି ନରଭକ୍ଷୀ ସାଜି ତାର ମାଂସ ବି ଖାଇଲେ । 

ଧିକ୍ ଏମିତି ସ୍ତ୍ରୀମାନଙ୍କୁ । ସେମାନଙ୍କୁ ଉଚିତ୍ ଦଣ୍ଡ ମିଳିବା ଦରକାର । 

ସେମାନେ ଘରକୁ ଆସିଲାପରେ ତାଙ୍କ ସ୍ତ୍ରୀମାନେ ଆଳତୀର ଥାଳି ଧରି ଆସିଲେ ଅଭ୍ୟର୍ଥନା କରିବାକୁ । କିନ୍ତୁ ପରୀ ସାଙ୍ଗରେ ନଥିଲା । ଭାଇମାନେ ପରୀକୁ ବି ଡାକ ବୋଲି ତାଙ୍କୁ କହିଲେ । ସେମାନେ କହିଲେ ପରୀ ଏକ ରୋଗରେ ମରିଗଲା । 

ହେଲେ ଛୋଟ ବୋହୁ କାନ୍ଦି କାନ୍ଦି ଭିତରକୁ ଚାଲିଗଲା । ତାର ମନ ବିକଳ ହେଉଥିଲା ସ୍ୱାମୀଙ୍କ ଆଗରେ ସବୁ ଖୋଲି କହିଦେବା ପାଇଁ । 

ଭାଇମାନେତ ସବୁ ଜାଣି ସାରିଥିଲେ ତେଣୁ କହିଲେ ଧିକ ତୁମ ପରି ଡହାଣୀମାନଙ୍କୁ ଯିଏ ନିଜର ନଣନ୍ଦକୁ ମାରି ମାଂସ ଖାଇପାରେ । ତୁମର ପାପକର୍ମ ପାଇଁ ତୁମକୁ ବି ମୃତ୍ୟୁଦଣ୍ଡ ମିଳିବ । 

ଏତେବେଳେ ପରୀ ଆସିଗଲା ଆଉ କହିଲା ନା ଭାଇ ମୃତ୍ୟୁଦଣ୍ଡ ନୁହେଁ, ମରିଗଲେ ସେମାନେ ନିଜ ଭୁଲ ଜାଣିପାରିବେନି । ଏମାନେ ଆଜୀବନ ବନ୍ଦୀ ରହିବେ କାରାଗାରରେ । 

ତାପରେ ସେମାନଙ୍କୁ କାରାଗାରରେ ରଖାଗଲା ଆଜୀବନ ଦଣ୍ଡଭୋଗିବାକୁ କେବଳ ଛୋଟ ଭାଉଜ ରମାକୁ ଛାଡି । କାରଣ ସେ ନିଜ ମର୍ଜିରେ ଏ କାମ କରିନ ଥିଲା । ସେ ବାଧ୍ୟ ଥିଲା । ସେଥିପାଇଁ ତାକୁ କ୍ଷମା କରି ଦିଆଗଲା । 



Rate this content
Log in

Similar oriya story from Inspirational