Ashok Moharana

Comedy

4.3  

Ashok Moharana

Comedy

ଏମିତି ପୁଅକୁ ମୁଁ

ଏମିତି ପୁଅକୁ ମୁଁ

4 mins
327


ଗୋଜି ଓରଫ ଗୋଜାଳିନ ବାହା ହେବାକୁ ଛନ ଛନ ହେଉଥିଲା।ଯେଉଁ ଟୋକାକୁ ଦେଖିଲା ତାକୁ ତାକୁ ରସିଲା। ହେଲେ ଗୋଜିକୁ କିଏ ବା କଣ କହିବ।ସବୁବେଳେ ଟିଭି ଦେଖି ସିନେମା ଦେଖି ହଟ ପ୍ୟାଣ୍ଟ ଆଉ ହଟ ସାର୍ଟ ପିନ୍ଧି ଛାତିକୁ ଫୁଲେଇ ଷଣ୍ଢ ଭଳି ରାସ୍ତାରେ ଦୁମ ଦୁମ ହୋଇ ଚାଲୁଥିବ। ସବୁବେଳେ ହେଁ ହେଁ ହୋଇ ବତିଶୀ ଦାନ୍ତ ଦେଖେଇ ହସୁଥିବ....ତାର ନଘା ଅଛି ନା ପଘା ଓଲେଇ ଗାଈ ପରି ମୁହଁ ଯୁଆଡେ ଚାଲିଲା ସିଆଡେ। ସବୁବେଳେ ଟୋକାଙ୍କୁ ଦେଖିଲେ ମନେ ମନେ ଗୀତ ଗାଉଥିବ"ଏମିତି ଟୋକାକୁ ମୁ ବାହା ହୁଅନ୍ତି ସକାଳୁ ସଂଜ ଖାଲି ଉଠ ବସ କରନ୍ତି। ଗୋଜିର ଚାଲି,କଥା ବାର୍ତ୍ତା,ରଙ୍ଗ ଢ଼ଙ୍ଗ କିଛି ଭଲ ଲାଗୁନଥିଲେ ବି ବାପ ଛେଉଣ୍ଡ ଝିଅକୁ କିଛି କହିବାକୁ ମାଆ ମଉନାବତୀ ଙ୍କ ହାଲେ ଭୟ। ସେ ଚୁପଚାପ ରୁହନ୍ତି।

ଏମିତି ମାଆ ମଉନାବତୀ ଝିଅର ଗୁଣ ଦେଖି ୟାକୁ କିଏ ବାହା ହେବ ବୋଲି ଚିନ୍ତାରେ....ହେଲେ ଗୋଜିର ନା ଚିନ୍ତା ନା କିଛି... ପେଟକୁ ପେଟ ଖାଇ ଟିଭି କି ମୋବାଇଲ ରେ ମୁହଁକୁ ମାଡିଥିବ।ଗାଆଁରେ କିଏ କହୁଛି ଏଟା ଅଣ୍ଡିରିଚଣ୍ଡୀ ଟା କୋଉ ଶାଶୁ ଘରେ ରହିବ। ଯିଏ ବାହା ହେବ କଥା ସରିଲା।

ଥରକୁ ଥର ଝିଅ ଦେଖି ଆସିଲେ....ପୁଅ କଣ ଝିଅକୁ ଦେଖିବ....ଗୋଜି ପ୍ରଶ୍ନରେ ପୁଅ ଚିତ ପଟାଙ୍ଗ ମାରି ଛୁ....।

ଗୋଜିର କେତେଟା ସର୍ତ୍ତ ରହିଛି....ସେ ଯେଉଁଠି ବାହା ହେବ ନଣନ୍ଦ ନଥିବେ...ଏକୁଟିଆ ପୁଅ ହୋଇଥିବ...ଦିଅର ଥିଲେ ଚଳିବ ହେଲେ ଶାଶୁ ଶଶୁର ନଥିଲେ ଉତ୍ତମ।ଯଦି ବା ଥାଆନ୍ତି.....ସେମାନେ ବାହାଘର ପରେ ଅଲଗା ରହିବେ....ଆଉ ଯିଏ ଅକ୍ଷୟ ମହାନ୍ତିଙ୍କ ଗୀତକୁ ସାକାର ରୂପ ଦେଇ ପାରିବ ସେ ତା ବେକରେ ଫୁଲମାଳ ପିନ୍ଧେଇବ।

ଗୀତ....କେତୋଟି ଧାଡି....ଏମିତି ପୁଅକୁ ମୁଁ ବାହା ହୁଅନ୍ତି.... ଖୋକା ଭାଇଙ୍କ ଗୀତରେ ମସଗୁଲ ଗୋଜି ଖାଲି କନ କନ ହେଉଥିଲା। ଗୋଜିର ଗାଁ ଷଣ୍ଢପଶିରେ କଣ ଆଖ ପାଖ ଗାଆଁରେ ତାର ଗୁଣ ଜାଣି କେହି ବାହା ହେବାକୁ ରାଜି ହେଉନଥିଲେ.... ଗୋଜି କହୁଥିଲା ଏ ଗାଆଁରେ କି ପାଖ ଗାଁରେ କିଏ ଗୋଟେ ମରଦ ଟୋକା ଥିଲେ ସିନା ହୁଅନ୍ତା ଆଉ ଗୋଜି ବେକରେ ଫୁଲ ମାଳ ଦିଅନ୍ତା। ସବୁ ଶଳା ଗାଈ ଗୁଡାକ....

ଏ କଥା ଗାଁର ଯୁବକ ମାନଙ୍କୁ ଭାରି ଖରାପ ଲାଗିଲା। ମନେ ମନେ ଭାରି ରାଗୁଥିଲେ ବି ଅଣ୍ଡିରିଚଣ୍ଡୀ ମୁହଁରେ କେହି କିଛି କହିବାକୁ ନାରାଜ.....ହେଲେ କେମିତି କୋଉ ଫନ୍ଦି ରେ ଗୋଜିକୁ ପାନେ ଦେବେ ସୁଯୋଗ ଉଣ୍ଡୁଥାନ୍ତି।

ଗାଁର ଟୋକାଯାକ ଏକାଠି ହୋଇ ଫନ୍ଦି କରିବାକୁ ଲାଗିଲେ ଯେମିତି ହେଲେ ଏ ଅଣ୍ଡିରିଚଣ୍ଡୀ କୁ ପାନେ ଦେବାକୁ ପଡ଼ିବ।ଚାଲିଲା ବରଖୋଜା.... ଖାଣ୍ଟି ମରଦ ପୁଅଟେ ଖୋଯିବାକୁ ଲାଗି ପଡିଲେ.....ଆଖ ପାଖ ଗାଁରେ ବି ଦେଖିଲେ.....ହେଲେ ଗୋଜିକୁ ପାନେ ଦେବାଭଳି ଟୋକାଟାଏ ପାଇଲେ ନାହିଁ।

ଏମିତି ଦିନେ ମନ ଦୁଃଖରେ ବସିଛନ୍ତି। କେହି ଜଣେ କହିଲା କରୋନା ଯୋଗୁ ଗାଁର ସୁକୁଟା ସାହୁ ପୁଅ ମର୍କଟା ମୁମ୍ବାଇରୁ ଘରକୁ ଫେରୁଛି।

ସେ ତ ଦଶ ବର୍ଷ ମୁମ୍ବାଇ ରେ ରହୁଛି। ଗାଁରେ ଘର ଖଣ୍ଡ ସେମିତି ପଡ଼ିଛି।ବାପା ମାଆ ନାହାନ୍ତି.... ସେ ବି ଗୋଜି ବିଷୟରେ କିଛି ଜାଣିନି। ତାକୁ ହିଁ ଯୋଗାଡ଼ କରିବାକୁ ପଡ଼ିବ।

ସକାକୁ ସକାଳୁ ମର୍କଟା ଗାଁରେ ପହଂଚିବା ବେଳକୁ ଗାଁର ଟୋକା ସବୁ ଟେକିନେଲେ ତାକୁ....ଆଉ ପ୍ରଚାର କରିଦେଲେ ମର୍କଟା ମୁମ୍ବାଇରେ ଫିଲ୍ମ ରେ ଅଭିନୟ କରୁଛି।

ମର୍କଟା କହିଲା ନାଇଁରେ ଭାଈ...ସେଠାରେ ଗୋଟେ ହୋଟେଲରେ ମୁଁ ଝାଡୁ କରୁଛି....ଗାଁ ଟୋକାମାନେ କହିଲେ ଏ କଥା ଜମାରୁ କହନା ଯଦି ଏଠି ଏମିତି କହିବୁ ତୋ ପ୍ରେଷ୍ଟିଜ ଯିବ.... ତୋତେ କେହି ଝିଅ ବାହା ହେବାକୁ ରାଜି ହେବେନି।

ମର୍କଟା କହିଲା ଭାଈ ମାନେ...ମୁଁ ବାହା ହୋଇପାରିବିନି....ମୋର ଗୋଟେ ଦୋଷ ଅଛି....ନ ହେଲେ ଆଜି ଯାଏ କଣ ଓଥରା ରହିଥାନ୍ତି।

ମୋତେ ରାତି ଦଶ ହେଲେ ଆଉ କାନକୁ ଶୁଭେନି....ଆଉ ରାତିରେ ମୁଁ ନିଦ ବାଉଳାରେ ମୋ ପାଖରେ ଯିଏ ଶୋଇଥାଏ ତାକୁ ବିଧା ଗୋଇଠାରେ ପୋତି ପକାଏ।ଡାକ୍ତର ଦେଖେଇଲି କିଛି ଲାଭ ହେଲାନି.... ପୁଣି ମୋ ଦେହ ଯାକ ଯାଦୁ ହୋଇଛି ଯେ କୁଣ୍ଡେଇ କୁଣ୍ଡେଇ ଦିନ ଯାଉଛି....ମୋତେ କିଏ ବାହାହେବ।

ଜଣେ କହିଲା....କିଛି ଏଠି କହନା କି ମୁମ୍ବାଇ ଯିବାକୁ ଆଉ ମନ ବଳାନା.... ଏଇଠି ତୋ ପାଇଁ ଆମେ ଘର,କନିଆ,ଧନ ସମ୍ପତ୍ତି ତଜିକ କରି ରଖିଛୁ ....ତୁ ରାଜି ହେଲେ ହେଲା।

ସେପଟେ ଗୋଜି....ମର୍କଟା ଫିଲ୍ମ ରେ ପାର୍ଟ କରୁଛି ଜାଣି ତା ମନ ଚଙ୍ଗ ଚଙ୍ଗ ହେଲାଣି..। ସେତ ହଟ ପ୍ୟାଣ୍ଟ ଆଉ ସାର୍ଟ ପିନ୍ଧି କୁତୁକୁତୁ ହେଉଥିଲା.... ଯେମିତି ମର୍କଟା କଥା ଶୁଣିଛି ଆଉ ମାଆକୁ ରଖେଇ ବସେଇ ଦେଲାନାହିଁ।

ମାଆ ଆଉ କରନ୍ତି କଣ.... ଝିଅ ଖଣ୍ଡେ ପାଇଛନ୍ତି.... ତା କଥାରେ ଉଠ ବସ ନହେଲେ ଘରେ ନିଆଁ ଲଗେଇ ଦେଵ।

ମଉନାବତୀ ଲୋକ ପଠେଇ ବାହାଘର ପ୍ରସ୍ତାବ ପଠାଇଲେ.....ଏ ସୁବର୍ଣ୍ଣ ସୁଯୋଗକୁ କିଏ ହାତ ଛଡା କରେ....ମର୍କଟା ଭାଗ୍ୟକୁ ଧନ ଜନ ଗୋପ ଲଷ୍ମୀ ଏକା ଥରକେ ବିଜେ ହୋଇଛନ୍ତି।

ବାହାଘର ଦିନ ଠିକ ହୋଇଗଲା। ବାହାଘର ଧୂମ ଧାମରେ ହେଲା।ଗାଁ ଲୋକେ ଭୋଜି ଖାଇ ଖୁସ ଆଉ ଗୋଜିକୁ ପାଇ ମାର୍କଟା ଓ ମର୍କଟାକୁ ପାଇ ଗୋଜି ଖୁସ।

ବାସର ରାତି ଯିଏ ଯୁଆଡେ ଶୋଇ ଗଲେଣି।ହେଲେ ମର୍କଟା ଆଖିରେ ନିଦ ନାହିଁ ଶୋଇ ପଡିଲେ ପୁରୁଣା ରୋଗ ବାହାରିବ...ହେଲେ ଗୋଜି କି ଛାଡିବା ଝିଅ ମୁମ୍ବାଇ ନିଶା ତାକୁ ଘାରିଛି.... ଫିଲ୍ମ ନିଶାରେ ସେ ଉବୁଟୁବୁ। କେମିତି ମୁମ୍ବାଇ ଯିବ ଆଉ ସେଠି ମଜା କରିବ ଏମିତି କଥା ଭାବୁ ଭାବୁ ଆଖିରେ ନିଦ ଆସିଯାଇଛି।

ମର୍କଟା ବି ଶୋଇ ପଡ଼ିଲା। ହଠାତ ରାତିରେ ଚିତ୍କାର ଶୁଭିଲା... ଦୁମଦାମ ଭୁସ ଭାସ। ଘର ଭିତରୁ ଖାଲି ଚିତ୍କାର ଶୁଣୁଛି.... ବାହାରେ କଣ ହେଲା କଣ ହେଲା କହି ଲୋକ ଜମା ହୋଇଗଲେଣି।

ସେତେ ବେଳକୁ ମର୍କଟାର ନିଦ ଭାଙ୍ଗିଗଲା।ଆଉ ସେତେବେଳେ କୁ ଗୋଜି ମାଡ଼ ଖାଇ କାଚ ଭାଙ୍ଗି ଲହୁ ଲୁହାଣ।

କବାଟ ଭାଙ୍ଗି ଲୋକ ପଶିଗଲେ.... ଟୋକା ଦଳ ତ ଆଗରୁ ଜାଣିଛନ୍ତି ଖାଲି ମୁରୁକି ହସା ଦେଇଥାନ୍ତି।

ମର୍କଟା ଘର ଭିତରେ ଘୁମ ହୋଇ ବସି ଯାଦୁ କୁଣ୍ଡେଇ ବାରେ ଵ୍ୟସ୍ତ.... କିଏ କଣ କହୁଛି ତାକୁ କିଛି ଶୁଭୁନି।

ଗୋଜି ମୁହଁ ଲୁଚେଇ କାନ୍ଦୁଛି।କରିବ କଣ ଅଜାଗା ଘାଆ ଦେଖେଇ ହେଉଛି ନା ଦେଖି ହେଉଛି।

ଗୋଜି ଦୁଇ ଦିନ ପରେ ସବୁ ଜାଣିଲା.... ଜାଣିଲା କଣ.... ମର୍କଟା ସବୁ ସତ କହିଦେଲା।

ଗୋଜି ଆଉ କହିବ କାହାକୁ ମାଆ ପାଖକୁ ଦୌଡ଼ିଲା....ମାଆ କହିଲା ଆଲୋ...ସବୁ ତୋ ଭାଗ୍ୟର ଦୋଷ।

ଗୋଜି ଭେଁ ଭେଁ ହୋଇ କାନ୍ଦିବାକୁ ଲାଗିଲା।


Rate this content
Log in

Similar oriya story from Comedy