ଏଲିନା
ଏଲିନା
ଏଲିନା ଫର୍ଣାଡିଜ କହିଲେ ଆଜି ଦୁନିଆଁ ଜାଣୁଛି ଜଣେ ପ୍ରସିଦ୍ଧ ଚିତ୍ରକର ଭାବରେ । ତାଙ୍କୁ ଥରେ ଦେଖିବାକୁ ଲୋକଙ୍କର ଭିଡ ଲାଗିଯାଇଛି । ତାଙ୍କର ଚିତ୍ରକଳା ଯେତିକି ସୁନ୍ଦର ଓ ବାସ୍ତବ ଲାଗେ ସେପରି ଅନ୍ୟ କାହାରି ଚିତ୍ର ଲାଗେନି । ବିଶେଷ କରି ସେ ଆଦିବାସୀମାନଙ୍କ ଜୀବନ ଚର୍ଚ୍ଚାକୁ ନେଇ ଯୋଉ ଚିତ୍ର ଆଙ୍କନ୍ତି ତାହା ଏକଦମ୍ ନିଖୁଣ ଓ ବାସ୍ତବ ହୁଏ ।
ଆଜି ଲଳିତକଳା ଏକାଡେମୀ ତରଫରୁ ଏକ ଚିତ୍ରକଳା ପ୍ରଦର୍ଶନୀ ହେଉଛି ଭୁବନେଶ୍ୱରରେ । ଅନେକ ବଡବଡ ଚିତ୍ରକରଙ୍କ କୃତି ସହିତ ଏଲିନାଙ୍କ କୃତି ବି ଆଜି ସ୍ଥାନ ପାଇଛି ।
ଦର୍ଶକ ମାନେ ଚାରିଆଡେ ବୁଲି ଆସି ଏକ ଚିତ୍ର ପାଖର ଅଟକି ଯାଉଥିଲେ । ବଡ ଜୀବନ୍ତ ଲାଗୁଥିଲା ସେଇ ଚିତ୍ରଟି ।
ଏକ ଆଦିବାସୀ ରମଣୀ ନିଜ ପିଠିରେ ଏକ ଶାଢୀର ବୋକଚାରେ ନିଜ ଝିଅକୁ ବାନ୍ଧି ଧରିଛି । କୁନି ଝିଅଟି ବୋକଚା ଭିତରୁ ବାହାରକୁ ଜୁଳୁଜୁଳୁ ଅନେଇ ରହିଛି । ତାର ନିରୀହ ଆଖି ଦୁଇଟି ଦେଖିଲେ ଜଣା ପଡୁଛି ପିଲାଟି କେତେ ଦିନରୁ ଭୋକିଲା ଅଛି । ସ୍ତ୍ରୀ ଲୋକଟି ବି ଅସ୍ଥିକଙ୍କାଳସାର ଦିଶୁଛି । ସ୍ତ୍ରୀ ଲୋକଟିର ଶାଢୀ ଆଣ୍ଠୁଯାଏ ରହିଛି । ଦେହରେ ବ୍ଲାଉଜ ନାହିଁ । ଛାତି ପଞ୍ଜରା ଗଣି ହେଉଛି । ଥନଗୁଡା ଶୁଖିଲା ଦିଶୁଛି । ସ୍ତ୍ରୀ ଲୋକଟି ଟିକେ ବୟସ୍କା ଲାଗୁଛି, ଯେମିତି ଏ ସନ୍ତାନ ତାର ପ୍ରଥମ ସନ୍ତାନ ନୁହଁ । ତିନି କି ଚାରି ନମ୍ବର ସନ୍ତାନ ହୋଇଥିବ ।
ସମସ୍ତେ ମନେମନ ଚିତ୍ରର ସ୍ରଷ୍ଟାଙ୍କୁ ଧନ୍ୟବାଦ ଜଣାଉଥାନ୍ତି । ଠିକ୍ ସେତିକିବେଳେ ଜଣେ ବିଦେଶିନୀ ଯୁବତୀ ସେ ହଲ୍କୁ ପଶି ଆସିଲେ । ତାଙ୍କୁ ଦେଖୁ ଦେଖୁ ନିଉଜ ରିପୋର୍ଟର ଗୁଡାକ ତାଙ୍କ ଆଡେ ମୁହଁଇଲେ ଭେଟିବାପାଇଁ । ସେ ବି ଆସି ସେହି ନିର୍ଦ୍ଦିଷ୍ଟ ଚିତ୍ରପାଖେ ଅଟକି ଗଲେ । ରିପୋର୍ଟର ମାନେ ଏବେ ପାଖରେ ପହଞ୍ଚି ସାରିଥିଲେ ।
ଜଣେ ରିପୋର୍ଟର ସେ ଯୁବତୀଙ୍କୁ ଲକ୍ଷ୍ୟକରି ପ୍ରଶ୍ନକଲା, ମେଡମ୍ ଆପଣ କଣ ଏଇ ଚିତ୍ରର ସ୍ରଷ୍ଟା ।
ଝିଅଟି ଉତ୍ତର ଦେଲା ହଁ ମୁଁ ହିଁ ଏହା ତିଆରି କରିଛି ।
ମେଡମ ଆପଣଙ୍କ ଶୁଭନାମ କଣ ?
ସେ କହିଲା ଏଲିନା ଫର୍ନାଡିଜ ।
ଆପଣ ଜଣେ ବିଦେଶିନୀ । ଆମେରିକାରେ ରୁହନ୍ତି ଅଥଚ ଏଇ ଭାରତୀୟ ରମଣୀର ଚିତ୍ର ଏମିତି ନିଖୁଣ ଭାବେ କେମିତି ଚିତ୍ରିତ କରିଦେଲେ । ଜଣେ ପାଖରୁ ଏ ସଭ୍ୟତାକୁ ଦେଖିନଥିଲେ ଏମିତି ଚିତ୍ର ଆଙ୍କି ପାରିବ ନାହିଁ?ଏ ଚିତ୍ରରେ ଆପଣ ଯୁବତୀର ମଥାରେ ଟିକିଲି ଜାଗାରେ ଏକ କଳା ଗୁଧନା ଚିତ୍ର କରିଛନ୍ତି । କେବଳ ସେତିକି ନୁହେଁ ତା ବେକରେ ଓ ହାତକହୁଣୀ ଉପରେ ବି ଏମିତି କଳାରଙ୍ଗର ଗୁଧନା ତିଆରି ଛନ୍ତି । ଯାହା ଆଦାବାସୀ ରମଣୀ ମାନେ ନିଜ ଦେହରେ କଳାରଙ୍ଗଦେଇ ଖୁଦାଇ କରିଥାନ୍ତି ଛୁଞ୍ଚି ସାହାଯ୍ୟରେ । ଏହା ମଲାଯାଏ ଦେହରେ ରହେ । ଯେତେ ଧୋଇଲେ ବି ଛାଡେ ନାହିଁ । ଗାଁଲୋକଙ୍କ କଥାରେ ଅଛି ଏ ଚିହ୍ନ ଯାହା ଦେହରେ ଥିଲେ ମୃତ୍ୟୁପରେ କାଳେ ଯମଦଣ୍ଡ ମିଳେନି । ସେଥିପାଇଁ ଏତେ କଷ୍ଟ ସହି ଏ କାର୍ଯ୍ୟ କରନ୍ତି । ପୁଣି ଏ ପିନ୍ଧିଥିବା ଖଗଲା, ପଏଁରୀ, ଖଡୁ ଆଦି ବି ପଶ୍ଚିମ ଓଢିଶାର ଆଦିବାସୀ ଯୁବତୀ ମାନେ ପରିଧାନ କରନ୍ତି । ଏସବୁ ଆପଣ ଜାଣିଲେ କେମିତି?
ରିପୋର୍ଟରଙ୍କ ପ୍ରଶ୍ନ ଶୁଣି ଏଲିନା ଟିକେ ମୁରୁକି ହସିଲେ । ସେ ଓଡିଆ ଭାଷାରେ କହିଲେ । ତୁମେମାନେ ମତେ ବିଦେଶିନୀ ଭାବୁଛ? ହେଲେ ମୁଁ ବିଦେଶିନୀ ନୁହେଁ । ମୁଁଜଣେ ଓଡିଆ । ମୋର ଘରପଶ୍ଚିମ ଓଡିଶାର ଜରାବଗା ଗାଆଁରେ । ମୋ ପ୍ରକୃତ ନାଆଁ ଏଲିନା ଏକ୍କା । ମୁ ଜଣେ ଆଦିବାସୀ ଝିଅ ।
ଆମେ ଚାରି ଭାଇ ଭଉଣୀ ଥିଲୁ । ମୋ ବାପା ଜଣେ ଚାଷୀ ଲୋକ । ଆମ ଚାଷ ଅଧିକ ବର୍ଷା ଓ ମରୁଡି ପଡିଲେ କ୍ଷତିଗ୍ରସ୍ତ ହୋଇ ପଡେ । ସେତେବେଳେ ଆମଘରେ ଚୁଲି ଜଳେ ନାହିଁ । ବାପା ଏଠି ସେଠି ମଜୁରୀ କରି କିଛି ଆଣିଲେ ଆମ ମୁହଁରେ କିଛି ଖାଦ୍ୟ ପଡେ । ଗୋଟାଏ ବର୍ଷ ମରୁଡି ପଡିଲା । କ୍ଷେତର ଧାନ କ୍ଷେତରେ ଶୁଖିଗଲା । କାହାଘରେ ମୂଲ ଲାଗିବାକୁ ଗଲେ ଧନୀ ଲୋକେ କାମ ଦେଲେନି । କାରଣ ତାଙ୍କ ପାଖରେ ଯାହା ଆଗ ବର୍ଷର ଧାନ ଥିଲା ତାଙ୍କ ପରିବାର ପୋଷିବାକୁ ନିଅଣ୍ଟ ଥିଲା । ସେଥିରେ ଅନ୍ୟକୁ କେମିତି ସାହାଯ୍ୟ କରନ୍ତେ । ମୁଁ ଆମ ପରିବାରର ବଡ ଝିଅ ଥିଲି । ମୋ ତଳେ ଭାଇଟେ ଓ ଦୁଇ ଭଉଣୀ । ଅଭାବି ଘରେ ଧନର ଅଭାବ ହେଲେ ଜନର ନୁହେଁ । ଫି ବର୍ଷ ସନ୍ତାନଟେ ଜନ୍ମ କରନ୍ତି ଆମ ବାପାମାଆ ମାନେ । ପିଲାଏ ଟିକେ ବଡ ହେଲେ ନିଜେ ଖଟି ନିଜ ପେଟ ପୋଷି ନିଅନ୍ତି । ପାଠପଢା ଓ ଲୁଗାପଟା କଥା କେହି ଚିନ୍ତା କରନ୍ତିନି ।
ମତେ ସେତେବେଳେ ତେର କି ଚଉଦ ବର୍ଷ ହେଉଥାଏ । ମୋ ତଳେ ତିନି ଜଣ ଭାଇଭଉଣୀ । ମୋ ତଳକୁ ଭାଇଟିଏ । ଯିଏ ମୋ ସହ ସ୍କୁଲ ଯାଉଥିଲା । ତା ତଳେ ପୁଣି ଦୁଇ ଭଉଣୀ । ଛୋଟ ଭଉଣୀ ମନ ଭାଙ୍ଗି ଯିଏ ଏ ଫଟୋରେ ଦିଶୁଛି । ସେ ଆସିଲା ପରେ ଆମ ଅବସ୍ଥା ବଡ ଗୁରୁତର ହୋଇପଡିଥିଲା । ମାଆ ରକ୍ତହୀନତାର ଶିକାର ହୋଇପଡିଲେ । ଯାହା ଖାଇବା ରୋଷେଇ ହେଉଥିଲା । ଆମକୁ ନିଅଣ୍ଟ ପଡୁଥିଲା । ମାଆ ପେଟକୁ ଯିବ କେମିତି?ଏମିତି ମାଆ ନାମକ ଜୀବଟି ତ୍ୟାଗ ଗୁଣରେ ଗରୀୟାନ । ନିଜେ ଭୋକରେ ରହି ଅନ୍ୟର ପେଟଭରେ । ସମସ୍ତଙ୍କ ଗାଳି ନିନ୍ଦାକୁ ହଜମ କରି ପଡିରହେ ଘରେ । ନିଜର କିଛି ଇଚ୍ଛାବୋଲି ନଥାଏ ତାର । ଅନ୍ୟ ଇଚ୍ଛାରେ ସେ ନିଜ ଖୁସୀ ବାଛିନିଏ ।
ମୋ ଭଉଣୀ ମନଭାଙ୍ଗି ଖାଦ୍ୟ ଅପପୁଷ୍ଟି ରୋଗର ଶିକାର ହୋଇ ଯାଇଥାଏ । ପେଟ ଫୁଲି ଯାଇଥାଏ । ପଞ୍ଜରାହାଡ ଗଣି ହେଉଥାଏ । ମାଆର ଥନକୁ ସବୁବେଳେ ଚୁସୁଥାଏ ହେଲେ ସେଥିରୁ ମୁନ୍ଦାଏ ଖୀର ଝରୁ ନଥାଏ । ରାଗରେ କାଟି ମାଆକୁ ଖଣ୍ଡିଆ କରିଦିଏ । ମାଆ ଝିଅର ଭୋକ କଥା ବୁଝି କାନ୍ଦିପକାଏ । ହେଲେ ନିରୁପାୟ ଥାଏ । ଶେଷରେ ବାପା ମତେ ସହରକୁ ନେଇ ଆସିଲେ । ଏକ ହୋଟେଲରେ ବାସନ ମଜାମଜି କାମରେ ଲଗାଇଦେଲେ । ତା ବଦଳରେ ଦୁଇଶ ଟଙ୍କା ଏଡଭାନ୍ସ ନେଇକି ଗଲେ । ଛୋଟଭଉଣୀର ଚିକିତ୍ସା ପାଇଁ । ମୁଁ ଆସିବା ଦିନ ମୋ ମାଆ ଛୋଟ ଭଉଣୀକୁ ଏମିତି ବୋକଚାରେ ବୋହି ଧରିଥିଲା । ମତେ ବସଷ୍ଟାଣ୍ ଯାଏ ଛାଡି ଆସିଥିଲା । ସେଇ ଦୃଶ୍ୟକୁ ମୁ ଏଠି ଚିତ୍ରିତ କରିଛି । ଏ ସ୍ତ୍ରୀ ଲୋକ ମୋ ମାଆ ଓ ଏ କୁନିଝିଅ ମୋ ଭଉଣୀ ମନଭାଙ୍ଗି ।
ମୁଁ ସହରକୁ ଆସି ହୋଟେଲରେ କାମ କରିବାକୁ ଲାଗିଲି । ବାସନ ମଜା ଟେବୁଲ ପୋଛା ଆଦି କରିଦେଲେ ମୁଠାଏ ଖାଇବାକୁ ମିଳୁଥିଲା । ଲୋକମାନେ ଅଇଁଠା ଛାଡିଥିଲେ ତାହା ଫିଙ୍ଗିଲାବେଳେ ମୋର ଭାଇ ଭଉଣୀଙ୍କ ଭୋକିଲା ଚେହେରା ମୋ ଆଖିରେ ଦିଶିଯାଏ । ଏଠି ଭାତ ଫିଙ୍ଗା ହେଉଥିଲା । ହେଲେ ସେଠି ମୋ ଭାଇ ଭଉଣୀ ଓ ମାଆ ବାପା ଭୋକରେ ଛଟପଟ ହେଉଥିଲେ । ଏସବୁ ଭାବିଲେ ମତେ ବି ଖାଇବା ଇଚ୍ଛା ହେଉନଥିଲା ।
ଦିନେ ହୋଟେଲର ପଛପଟେ ମୁଁ ମୋ ମାଆ ଭାଇ ଭଉଣୀଙ୍କ ଚିତ୍ର ଆଙ୍କିଥିଲି । ମତେ ଚିତ୍ର କରିବାର ସଉକ ଥିଲା । ଚକ ଖଣ୍ଡେ କି କୋଇଲା ଖଣ୍ଡେ ପାଇଲେ ମୁଁ ଚିତ୍ର ଆଙ୍କି ଦେଉଥିଲି । ମୁଁ ଆଙ୍କିଥିବା ଚିତ୍ର ଜଣେ ଗ୍ରାହକଙ୍କ ନଜରରେ ପଡିଥିଲା । ସେ ହୋଟେଲ ମେନେଜରଙ୍କୁ ପଚାରିଲେ ଏ ଚିତ୍ର କିଏ କରିଛି । ମତେ ପଚାରିବାରୁ ମୁଁ ମାନିଗଲି ମୁଁ କରିଛି ବୋଲି । ମତେ ବଡ ଭୟ ଲାଗୁଥିଲା କାନ୍ଥରେ କୋଇଲାରେ ଗାରେଇଥିବାରୁ ମତେ ଆଜି ଦଣ୍ଡ ମିଳିବ ନିଶ୍ଚୟ । ହେଲେ ସେ ଲୋକ ଜଣକ ମତେ ଖୁସିରେ କୋଳେଇ ନେଲେ । ସେ କହିଲେ ଏହା ଭିତରେ ଅନେକ ପ୍ରତିଭା ରହିଛି । ମୁଁ ଏହାକୁ ସାଙ୍ଗରେ ନେଇଯବି । ଏହାର ପ୍ରତିଭାକୁ ଆହୁରି ଉଦ୍ଭାସିତ କରିବି । ସେ ମୋ ବାପାଙ୍କୁ ଡକାଇଲେ । ତାଙ୍କ ସହ କଣକଣ କଥାହେଲେ । ବାପାଙ୍କୁ ଘର ଚଳେଇବା ପାଇଁ ଦୁଇଲକ୍ଷ ଟଙ୍କା ଦେଲେ ଓ ମତେ ଧରି ଆମେରିକା ନେଇ ଆସିଲେ । ମତେ ଏକ ସ୍କୁଲରେ ପଢାଇଲେ । ତା ସାଙ୍ଗରେ ଚିତ୍ରକଳା ବି ଶିକ୍ଷାଦେଲେ । ତାଙ୍କ ନାଆଁ ଅନୁସାରେ ମୁଁ ଫର୍ଣାଡିଜ ହୋଇ ଗଲି । ସମସ୍ତେ ମତେ ତାଙ୍କ ଝିଅ ବୋଲି ଜାଣିଲେ । ମଝିମଝିରେ ମୋ ଘରକୁ କିଛି ଟଙ୍କା ବି ପଠାଇ ସହାୟତା କରୁଥିଲେ ।
ମୁଁ ଯୋଉଦିନୁ ଘର ଛାଡିଛି ଆଉ ଗାଆଁକୁ ଯାଇନି । ମୋ ଘରଲୋକେ ମତେ ବିକ୍ରି କରିଦେଇଛନ୍ତି ଅଭାବରେ ପଡି ଏକଥା ମୁଁ ବୁଝି ସାରିଥିଲି ।
ମୋତେ ବିକି ମୋ ଭାଇ ଭଉଣୀ ଖାଇବାକୁ ପାଉଥିବେ ଏକଥା ଭାବି ମୋ ମନକୁ ଶାନ୍ତି ମିଳୁଥିଲା । ମୁଁ ଏଠି ଆସି ପାଠ ପଢିଲି ଓ ଚିତ୍ରକାରିରେ ଅନେକ ନାମ କମେଇଲି । ସାରା ପୃଥିବୀ ଏବେ ମତେ ଜାଣୁଛି ହେଲେ ଆଜିବି ମୋ ଗାଆଁ ମୋ ଆଖିରେ ଝଟକି ଦିଶେ । ମୁଁ ମୋ ଗାଁର ଚରିତ୍ର ମାନଙ୍କୁ ମୋ କାନଭାସରେ ଜୀବନ୍ତ ରୂପ ଦେବାକୁ ଚେଷ୍ଟାକରେ । ସେଥିପାଇଁ ମୋ ଚିତ୍ରରେ ଆପଣମାନେ ଆଦିବାସୀମାନଙ୍କ ଚଳଣୀର ଛାପ ଦେଖି ପାରନ୍ତି ।
ମୋ ପୋଷ୍ୟପିତା ମତେ ସବୁ କ୍ଷେତ୍ରରେ ଯୋଗ୍ୟ କରି ତୋଳିଛନ୍ତି । ମୁଁଜଣେ ଚିତ୍ରକର ସହିତ ଜଣେ ଡାକ୍ତର ବି । ଗରିବ ଲୋକଙ୍କ ନିଃଶୁକ୍ଲ ସେବା କରିବା ମୋର କାମ ।
ରିପୋର୍ଟର ପଚାରିଲେ ତୁମେ ଏବେ ଓଡିଶା ଆସିଛ କଣ ନିଜ ଘର ଓ ଗାଆଁ ମାଟିକୁ ବୁଲି ଯିବାକୁ ମନ ହେଉନି?
ଏଲିନା କହିଲେ ମୁଁ ତ ମୋ ଗାଆଁ ମାଟିକୁ ହୃଦୟ ଭିତରେ ସାଇତି ଧରିଛି । ଆଖି ମୁଦିଲେ ଦିଶିଯାଏ ତାର ସେ ବଣ ପର୍ବତ ସବୁଜ ଶସ୍ୟକ୍ଷେତ୍ର ସବୁ ।
ସେଇ ବଣ୍ୟ ଝରଣା ଓ ପଶୁପକ୍ଷୀଙ୍କ ମଧୁର ଗୀତ ଆଜି ବି ମୋ କାନରେ ଗୁଞ୍ଜରିତ ହୁଏ । ମୋ ମନ ସେଠାକୁ ଫେରି ଯିବାକୁ ପାଗଳ ହୁଏ । ହେଲେ ମୁଁ ଏବେ ମୋ କର୍ମରେ ବନ୍ଧା । ତଥାପି ନିଶ୍ଚୟ ଯିବି । ମୋ ଗର୍ଭଧାରିଣୀଙ୍କୁ ଦେଖି ଆସିବି । ମୋ ଭାଇଭଉଣୀମାନଙ୍କୁ ଭେଟି ଆସିବି ।
ଏଇ ଖବର ଟିଭି ଓ ଖବର କାଗଜରେ ପ୍ରଚାର ହୋଇ ଯାଇଥିଲା । ଅନେକ ଲୋକ ଏଲିନାର ଭାଗ୍ୟକୁ ନେଇ ଈର୍ଷା କରୁଥିଲେ । କୋଉଠୁ ଯାଇ କୋଉ ଜାଗାରେ ପହଞ୍ଚିଗଲା ତା ଭାଗ୍ୟ ବଳରେ ।
ସେ ନିଜ ଗାଁ ଜରାବଗାକୁ ଫେରିଥିଲା ତା ପରଦିନ । ଗାଆଁ ଲୋକେ ତାକୁ ଭବ୍ୟ ଅଭ୍ୟର୍ଥନା କରିଥିଲେ । ସେ ସେଇ ଗାଆଁର ଗୌରବ ଥିଲା । ତା ମାଆଙ୍କ ଦେହ ଏବେ ଭଲ ଥିଲା । ତାର ଛୋଟଭଉଣୀ ଏବେ ହାଇସ୍କୁଲରେ ପଢୁଥିଲା । ଏସବୁ ସମ୍ଭବ ହୋଇଥିଲା ଏଲିନାର ପାଇଁ । ତା ପୋଷ୍ୟ ବାପା ମାଇକେଲ ଫର୍ନାଡିଜ ପ୍ରତିମାସ ତା ଘରକୁ କିଛି ଅର୍ଥ ପଠାଉଥିଲେ । ମିଷ୍ଟର ଫର୍ଣାଡିଜ ଜଣେ ନାମୀ ଚିତ୍ରକର ଥିଲେ । ତାଙ୍କ ସହ ରହି ଏଲିନା ବି ଏତେ ଶିଖରକୁ ଉଠି ପାରିଥିଲା । ତା ଭାଇଭଉଣୀ ଘରଲୋକେ ତାକୁ ପାଇ ବଡ ଖୁସୀ ହୋଇଥି୍ଲେ,ସେ ବି ତାଙ୍କୁ ଭଲରେ ଥିବା ଜାଣି ମାନଶିକ ଶାନ୍ତି ପାଇଥିଲା । ସେ ଫେରିଲା ବେଳେ ତା କୁନି ଭଉଣୀ ମନଭାଙ୍ଗିକୁ ନିଜ ସହ ନେଇଆସିଲା ଏଠି ଆମେରିକାରେ ପଢିବ ବୋଲି । ତାକୁ ଏକା ଏକା ଲାଗୁଥିଲା ବିଦେଶରେ । ମନଭାଙ୍ଗି ଉପରେ ତାର ବିଶେଷ ସ୍ନେହ ଥିଲା ତେଣୁ ସେ ଆସିବାପରେ ତା ଜୀବନ ଆହୁରି ସୁନ୍ଦର ହୋଇଗଲା ।
ତାର ଏ ସଫଳତା ପଛରେ ଭାଗ୍ୟର ହାତ ଥିଲା କି ଅଭାବର ହାତ ଥିଲା ସେ ବୁଝି ପାରୁନଥିଲା ।
ତଥାପି ଖୁସି ଥିଲା ଯେ ତାର ଚିତ୍ର କରିବା ସଉକକୁ ସେ ପୂରା କରିପାରିଲା । ସେ ଜଣେ ଭାରତୀୟ ଯୁବତୀ ଭାବରେ ଚିତ୍ରକଳାରେ ଆମ ଦେଶର ଗୌରବ ବି ବଢାଇ ଥିଲା ।
