ଏକ ଅନୁଭବ ତୃତୀୟ ଓ ଶେଷ ଭାଗ
ଏକ ଅନୁଭବ ତୃତୀୟ ଓ ଶେଷ ଭାଗ
ଆଉ ଏକ ଅପରେସନ୍ ମୋ ସହ ହେଇଥିଲା ଦୁଇହଜାର ତିନିରେ।ମୁଁ ଜଣେ ଭାଣିଜୀଙ୍କ ବାହାଘର ପାଇଁ ସୁର୍ଡାଗାଁକୁ ଯାଉଥିଲି ମୋ ବଡପୁଅ ସହିତ। ସେ ସେତେବେଳେ ଭୂବନେଶ୍ବରରେ ଇଞ୍ଜିନିୟରିଂ ପଢୁଥାଏ। ଖରାଛୁଟି ପାଇଁ ଘରକୁ ଆସିଥାଏ।ମେ ମାସର ଗରମ ହେତୁ ଆମେ ସକାଳୁ ସକାଳୁ ଯିବାକୁ ବାହାରିଗଲୁ।ମୋ ସ୍ବାମୀ ସେତେବେଳେ ବ୍ରଜରାଜନଗର ସରକାରି ଡାକ୍ତରଖାନା ର ଇନଚାର୍ଯ ଥିଲେ ଆମେ ଗାନ୍ଧିଛକରେ ଭଡାଘରେ ରହୁଥାଉ।ମୋ ପୁଅ ଆଗରୁ କାହାକୁ ଏକପଖିଆ ମୋଟରସାଇକିଲ ରେ ବସାଇ ଚଳାଇ ନଥିଲା।ସାଙ୍ଗମାନେ ଯିଏ ବସୁଥିଲେ ଦୁଇପଟିଆ ହେଇ ବସୁଥିଲେ।ଭାଣିଜୀଙ୍କୁ ଦେବାପାଇଁ ଗୋଟିଏ ନୂଆ ଆଟାଚି ରେ ଅନେକ ସାମାନ ଯେମିତି ଶାଢୀ ସାୟା ମାଖିବା ଘସିବା ପ୍ରସାଧନ ସାମଗ୍ରୀ ସବୁଥିଲା।ତାକୁ ମୁଁ କୋଳରେ ଧରି ପଛ ସିଟ୍ ରେ ବସିଲି।ଆମେ ସକାଳ ଥଣ୍ଡା ପବନ ଖାଇ ଖାଇ ଆାଗକୁ ବଢୁଥାଉ | ରାଜପୁର ଦେଇଅନେକ ଗାଁ ଅତିକ୍ରମ କରି ଆଗକୁ ବଢୁଥାଏ ଆମ ଗାଡି।ଆଗରୁ ରାସ୍ତା ଦେଖି ନ ଥିବାରୁ ମଝିମଝିରେ ଲୋକ ମାନଙ୍କୁ ପଚାରି ପଚାରି ଯାଉଥାଉ।ସାହାଜ ବାହାଲ ନିଆଲିପାଲି ଏମିତି କେତଟା ଗାଁ ଅତିକ୍ରମ କରିବାପରେ ଏକ ଜଙ୍ଗଲିଆ ଅଞ୍ଚଳ ପଡିଲା।ଛୋଟ ଛୋଟ ପାହାଡ ସବୁ ସବୁଜ ଗଛଲତାରେ ଛାଇ ହେଇ ବହୁତ ସୁନ୍ଦର ଦିଶୁଥିଲେ।ଆାମ୍ବଗଛମାନଙ୍କରେ କଞ୍ଚା ପାଚିଲା ଆମ୍ବସବୁ ଲଦିହେଇ ମନଲୋଭା ଦିଶୁଥାଏ।ସରଗି ଗଛ ମାନଙ୍କରେ ସରଗି ସବୁ ପାଚି ତାର ଡେଣାମାନେ ଶୁଖି ସାରିଥିଲେ।ସୁଲୁ ସୁଲୁ ପବନ ଆସିଲେ ଗୁଡାଏ ଫିରିଫିରି ପରିଚକ୍କର କାଟି ଉଡି ତଳକୁ ଖସି ଆସୁଥିଲେ ବୃକ୍ଷମାନଙ୍କରୁ ବୃକ୍ଷଚ୍ୟୁତ ହୋଇ।ତାଳଗଛ ମାନେ ଧାଡିହୋଇ ଛତ୍ରଟେକି ଆମକୁ ଅଭିନନ୍ଦନ ଜଣାଉଥାନ୍ତି ତାଙ୍କ ଅଞ୍ଚଳକୁପ୍ରଥମକରି ଆସୁଥିବା ଅତିଥି ଜାଣି।ବିଭିନ୍ନ ରକମର ପକ୍ଷୀ ମଇନା ଟେହା ଯାହା ଭଦଭଦଳିଆ ବି କହନ୍ତି ରାସ୍ତାରେ ଦେଖି ଦେଖି ଯାଉଥାଏ।ଜାମୁଗଛ ତେନ୍ତୁଲିଗଛ କେନ୍ଦୁଗଛ ମାନଙ୍କରେ ଫଳସବୁ ପାଚି ମୋ ମନକୁ ଆକର୍ଷିତ କରୁଥାନ୍ତି।ମୁଁ ପ୍ରକୃତି ପ୍ରେମରେ ମସ୍ତ ହେଇ ବାହାର ଦୁନିଆଁଠୁ ଦୂରେ ନିଜ ଭିତରେ ମଜ୍ଜିଯାଇଥିଲି।ପୁଅ ଖୋଲା ରାସ୍ତା ଦେଖି ଗାଡି ଟିକେ ଦ୍ରୁତ କରିଦେଇଥିଲା।ମୁଁ କହିଲି ମୁଁ ବସିଥିଲେ ଗାଡି ସ୍ପିଡ କରିବୁନି।ମତେ ଡର ଲାଗେ।ସେ କହିଲା ମୁଁ ତ ଧିରେ ଚଲାଉଛି ଏକାଥିଲେ ତ ଆଉ ସ୍ପିଡକରେ।ଏମିତି ଭାବରେ ଆମେ ଏକ ପାହାଡ ପାଖରେ ପହଞ୍ଚି ଯାଇଥାଉ।ଆଖ ପାଖରେ ଗାଁ ଗଣ୍ଡା କିଛି ଦିଶୁ ନ ଥିଲା।ମୁଁ ଗଛଲତାଙ୍କ ପ୍ରେମରେ ବୁଡି ଯାଇଥିବାବେଳେ ଆଗପଟୁ ଏକ ଜିପ୍ ଟେ ଆସିଆମ ଗାଡିକୁ ଲାଗି ଚାଲିଗଲା।ପୁଅ ଆମଗାଡିକୁ ଟିକେ ରାସ୍ତା କଡକୁ କରିଥିଲା ସେତେବେଳେ ,ସେଠି ବାଲିଗଦା ଥିଲା ଫଳରେ ଗାଡିଟା ସ୍ଲିପ ହେଇ ମୋଡିହେଇଗଲା।ମୁଁ ଛିଟିକି ଦୂରରେ ଯାଇ ପଡିଲି।ପୁଅ ଅନ୍ୟ ପଟେ ପଡିଲା।ତା ଉପରେ ଗାଡି ପଡିଥାଏ।କ୍ଷଣକ ଭିତରେ କଣ ହେଇଗଲା ମୁଁ କିଛି ଜାଣି ପାରିଲିନି କାରଣ ମୁଁଅନ୍ୟମନସ୍କ ଥିଲି।ପୁଅ ଗାଡିକୁ ଠେଲି ନିଜେ ଉଠିବାକୁ ଚେଷ୍ଟା କରୁଥାଏ।ଗାଡିଟା ଗୁଡ ଗୁଡ୍କରି ଏବେବି ଶବ୍ଦ କରୁଥାଏ।ଭାଗ୍ୟକୁ ସେ ଜିପବାଲା ଆମର ଦୁର୍ଘଟଣା ଦେଖି ଗାଡି ଫେରାଇ ଆଣିଲା।।ସେମାନଙ୍କଭିତରୁ ଜଣେ ଯାଇ ଗାଡିକୁ ଉଠାଇ ଷ୍ଟାଟ୍ ବନ୍ଦ କଲା।ପୁଅର ହାତ ଧରି ଉଠାଇଲା।ତାର ଗୋଡର ଗୋଇଠିରେ ଗାଡିଟା ପଡି ଖଣ୍ଡିଆ ହେଇ ରକ୍ତ ବୋହୁଥିଲା।ଭୟରେ ତାର ଦେହ ଥରୁଥିଲା।ସେ ନିଜ କଷ୍ଟକୁ ଭୁଲି ଆସି ମତେ ଉଠାଇବାକୁ ପ୍ରଯତ୍ନ କଲା।ମୁଁ ଉଠି ବସିଲି ହେଲେ ମୋ ଭୁଜୁନି ହାତ ଡାହାଣ ହାତଟା ତଳୁ ଉପରକୁ ଉଠିଲା ନାହିଁ।ମୁଁ ଅନ୍ୟ ହାତରେ ତାକୁ ସାହାଯ୍ୟ ଦେଇ ଧରି ଉଠେଇଲି।ହାଡ ଗୁଡାକ ଠକ ଠକ୍ ଶବ୍ଦ କଲେ। ମୁଁ ପୁଅକୁ କହିଲି ବାବୁ ମୋ ହାତଟା ଭାଙ୍ଗିଗଲା ବେଟା।ସେ ଏକଥା ଶୁଣିବା କ୍ଷଣି ତାର ମୁହଁ ଶେତା ପଡିଗଲା।ସେ ଥରିବାକୁ ଲାଗୁଥାଏ।ମୁଁ ଜାଣିଲି ସେ ବାପାଙ୍କ ଡରରେ ଥରୁଛି।ଏମିତି ତାରବାପା ଗାଡି ଜୋର୍ ଚଲାଉ ବୋଲି ଗାଳିକରନ୍ତି ଆଉ ଆଜି ଏ ଏକ୍ସିଡେଣ୍ଟଶୁଣି ବହୁତ ଗାଳି କରିବେ।ତା ସହ ମାଆର ଏପରି ଅବସ୍ଥା କରିଥିବାରୁ ତା ମନରେ ବହୁତ ଗ୍ଲାନିବି ହେଉଥିଲା।ସେ ଭାବୁଥିବ ଏବେ ମାଆର ଡାହାଣ ହାତ ତ ଗଲା ସେ କିଛି କାମ କରିପାରିବନି ଘର ଚଳିବ କେମିତି?କାରଣ ମୁଁ ଚାକରାଣୀ ରଖୁନଥିଲି। ଘରର ଝାଡୁ ପୋଛା କପଡାଧୁଆ ଆଇରନ ରୋଷେଇ ସବୁ ଏକା କରୁଥିଲି।ମୁଁ ତାର ଭୟ ଦେଖି ତାକୁ ସାନ୍ତ୍ବନା ଦେଲି।
କିଛି ହେବନାହିଁ ତୁ ଠିକ୍ ଅଛୁ ତ? ସେ କହିଲା ଗୋଡରେ ଟିକେ ବାଜିଛି ହେଲେ ବେଶି କଛି ହେଇନି ମୋର।ତଥାପି ସେ ଗାଡି ଚଲାଇ ଆସିବାର ସାମର୍ଥ୍ୟ ନଥିଲା।ଜିପର ଜଣେ ଲୋକ ତାର ମୋଟର ସାଇକିଲ ଚଳାଇ ପୁଅକୁ ବସାଇ ଗାନ୍ଧିଛକ ଫେରିଲା।ମତେ ଜିପ୍ ରେ ବସାଇ ସେମାନଙ୍କ ସାଂଗରେ ଆଣିଲେ।ଗାଡିର ଦୁଇଜଣ ବୟସ୍କ ସ୍ତ୍ରୀଲୋକବି ବସିଥିଲେ ପଛ ସିଟରେ।ମୁଁ ତାଙ୍କ ସହ ବସିଲି।ସେମାନେ ଆମର ଠିକଣା ମାଗିଲେ।ମୁଁ ମୋ ସ୍ବାମୀଙ୍କ ନାମ କହିବାରୁ ସେ ଗାଡିମାଲିକ କହିଲା ସେ ତାଙ୍କୁ ଜାଣିଛି ସେ ଭେଡାବାହାଲ ହାଇସ୍କୁଲରେ ତାଙ୍କ ସାଙ୍ଗେ ପଢୁଥିଲା।ସେମେନେ ବି ଗାନ୍ଧିଛକ ଦେଇ ବୁର୍ଲା ଯିବେ।ସେମାନେ ବିଲେଇଗଡର ଲୋକଥିଲେ।ଯଦିଓ ଏ ଦୁର୍ଘଟଣାର ଦୋଷି ସେମାନେ ଥିଲେ।ଏତେ ବଡ ଖୋଲାରାସ୍ତା ଥାଉ ଥାଉ ଆମକୁ ଲାଗିକି ଯିବାର ନଥିଲା।ହେଲେ ସାହାଯ୍ୟ ବି କରୁଥିବାରୁ ମୁଁ ଚୁପ୍ ରହିଲି।ଗାଡିଟା ଚାଲିଲା ବେଳେ ରାସ୍ତା ଉବଡ ଖାବଡାଥିବାରୁ ହଲିଲା ବେଳେ ହାଡ ଖଡଖଡ ଶବ୍ଦ କରୁଥିଲା ଓ ଭୀଷଣ କଷ୍ଟ ହେଉଥିଲା।ମୁଁ ଦାନ୍ତ ଚାପି କଷ୍ଟକୁ ପିଇବାକୁ ଚେଷ୍ଟା କରୁଥାଏ।ମୋର ଷ୍ଠାଇଲ ଖୋଷାଟା ଖୋଲିଯାଇଥାଏ ଓ ବାଳଗୁଡାକ ମୋର ଆଖି ନାକରେ ବାଜି ବ୍ୟାଘାତ ସୃଷ୍ଟିକରୁଥାଏ।ମୋର ଦୁଇଟା ଯାକ ହାତ ଏନ୍ ଗେଜ୍ ଥାଏ ।ଗୋଟିଏ ହାତରେ ଅନ୍ୟ ହାତକୁ ଟେକିକି ଧରିଥାଏ ବେଶି ନ ହଲିବ ବୋଲି।ହଲିଲେ ବହୁତ କଷ୍ଟ ହେଉଥିଲା।ମୋର ନୀରୁପାୟ ଅବସ୍ଥା ଦେଖି ପାଖରେ ଥିବା ବୟସ୍କ ମହିଲାଟି ମୋର ତିନିହାତ ଲମ୍ବା ବାଳକୁ ସେ ଯେମିତି ଜାଣିଲା ତା ହିସାବରେ ଖୋଷାଟେ କରିଦେଲା।ଏବେ ସୁନ୍ଦର ଅସୁନ୍ଦର ଦେଖିବାର ମୋର ଅବସ୍ଥା ନଥିଲା।ମୋତେ ଏବେ ଚିନ୍ତା ଲାଗୁଥିଲା ଏ ଲମ୍ବା ବାଳକୁ କେମିତି କୁଣ୍ଡେଇବି।ଘରେ ଏମିତି କେହି ନ ଥିଲେକି ମୋର ବାଳ କୁଣ୍ଡେଇ ବେଣି କି ଖୋଷାଟେ କରିଦେବେ।ମୋର ସ୍ବାମୀତ ରୋଗିସେବାରେ ବ୍ୟସ୍ତ ରୁହନ୍ତି।ଛୋଟପୁଅ ତିନି କି ଚାରି କ୍ଲାସରେ ପଢୁଥିଲା।ସେ କଣ ସାହାଯ୍ୟ କରିବ।ଆମେ ଗାନ୍ଧିଛକ ଘରେ ପହଞ୍ଚିଲା ବେଳକୁ ବଡପୁଅ ପହଞ୍ଚି ସାରିଥିଲା।ତାଠୁ ଆମ ଖବର ସମସ୍ତେ ଶୁଣି ସାରିଥିଲେ।ଆମେ ପହଞ୍ଚିଲା ବେଳକୁ ଘରେ ପଚାଶ ଉପରେ ରୋଗି ଭର୍ତ୍ତି।ସମସ୍ତଙ୍କୁ ଫେରାଇ ଦିଆହେଲା।ମୋର ସ୍ବାମୀ ଗାମୁଛାଟେ ଆଣି ମୋ ହାତର ମଣିବନ୍ଧରେ ବାନ୍ଧି ଅନ୍ୟପଟକୁ ସପୋଟ ଦେଇ ବେକରେ ବାନ୍ଧିଦେଲେ ଯେପରି ଗାଡିରେ ଗଲାବେଳେ ହଲିବନି।ଏବେ ମୋର ଗୋଟିଏ ହାତ ଟିକେ ମେଲା ହେଲା।ନିଜ କାମ ନିଜେ ନକଲେ ଅନ୍ୟ କେହି ଜାଣିବେନି ତେଣୁ ମୁଁ ଆଲଣାରେ ଥିବା ଡେଲିୟୁଜ ଶାଢୀ ବ୍ଲାଉଜ ତିନି ଚାରିହଳ ପେକ୍ କଲି।ଛୋଟ ପୁଅର କିଛି କପଡା ବି।ଆଲମିରା ଖୋଲିନୂଆ କପଡା ଧରିିବାକୁ ଶକ୍ତି ନଥିଲା। ହେଲେ ମୁଁ ସେତେବେଳେ ଜାଣି ନଥିଲି ଯେ ଏବେ ଆଉ ଶାଢୀ ପିନ୍ଧି ପାରିବିନି।ଗୋଟିଏ ହାତ ଭଙ୍ଗା ଥିଲେ କେମିତି ବ୍ଲାଉଜ ପିନ୍ଧିବି।ମୋ ନାନୀ ମୋପାଇଁ ଦୁଇଟା ନାଇଟି କିଣି ଆଣିଲା।ତାର ଗୋଟିଏ ପଟ କାନ୍ଧକୁ କାଟି ସେଠି ହୁକ୍ ଲଗାଇ ମୋର ପିନ୍ଧିବା ଉପଯୋଗି କଲା।
ଯାହା ମୁଣ୍ଡ ଆଡୁ ଲଗାଇ କାନ୍ଧ କଟା ଯାଗାରେ ହାତଟା ଗଳାଇ ହୁକ୍ ଲଗାହେଲା।ଏବେ ସେ ବ୍ରା ବ୍ଲାଉଜ ପିନ୍ଧିବା ସମ୍ଭବ ନଥିଲା ମୋ ପାଇଁ।
ଆମେ ଗାନ୍ଧିଛକରୁ ବାହାରିବା ଆଗରୁ ମିଷ୍ଟର ତାଙ୍କ ସାଙ୍ଗ ମାନଙ୍କୁ ଫୋନ କରି ଜଣାଇ ସାରିଥିଲେ।ସେମାନେ ହିଲିଙ୍ଗଟଚେସ୍ ନର୍ସିଂହୋମରେ ସବୁ ବ୍ୟବସ୍ଥା କରିଥିଲେ।ମୋ ସ୍ବାମୀ କାର ବାହାରକଲେ ଓ ଆମେ ସମ୍ବଲପୁର ଚାଲିଲୁ।ରାସ୍ତାଟିକେ ସମତଳ ଥିବାରୁ ଓ ହାତଟା ଠିକ୍ ସେ ବାନ୍ଧି ଦେଇଥିବାରୁ
ଏତେ କଷ୍ଟ ହେଉନଥିଲା ।ଆମେ ନର୍ସିଂହୋମ ପହଞ୍ଚିଲା ବେଳକୁ ସବୁ ରେଡି କରି ରଖା ହେଇଥିଲା।ମୋର ହାତରେ ପ୍ଲାଷ୍ଟର କରାହେଲା।ମୋର କାନ୍ଧଓ କହୁଣିର ମଝିର ନଳିହାଡ ଭାଙ୍ଗି ଯାଇଥିଲା।ସେଠାରେ ଷ୍ଟିଲ ରଡ ଲଗାଇବାକୁ ପଡିବ ହେଲେ ତାହା ଏଠି ଉପଲବ୍ଧ ନଥିଲା ଇତ୍ସାଏଲରୁ ମଗାଇବାକୁ ପଡିବ।ଆସୁ ଆସୁ ତିନିଦିନ ଲାଗିବ ସେଥିପାଇଁ ଟେମ୍ପୋରାରି ପ୍ଲାଷ୍ଟର କରିଦେଲେ।ପ୍ଲାଷ୍ଟର ପରେ ସମ୍ବଲପୁରରେ ରହୁଥିବା ମୋ ନାନୀଘରକୁ ଚାଲିଆସିଲୁୁ।ଏବେ ନାନୀ ଉପରେ ମୋର ସବୁ ବୋଝ।ଛୋଟ ପୁଅବି ମୋ ସାଙ୍ଗେ ସେଠି ରହିଲା।ମୋ ସ୍ବାମୀ ଓ ବଡପୁଅ ଚାଲିଆସିଲେ ଘରକୁ।ସେଠି ଚାକିରି ବିତ ଦେଖିବାକୁ ପଡିବ କେତେଦିନ ଛୁଟି ନେବେ।ସେଠି ଗଲାପରେ ଘରର ଯାବତୀୟ କାମ ବଡପୁଅ ଉପରେ ପଡିଲା।ଆଗରୁ କେବେ କିଛି କରୁନଥିବା ପୁଅ ଘର ଝାଡୁ କରୁଥିଲା।କପଡା ଧୋଉଥିଲା।ଯେମିତି ଜାଣୁଥିଲା ରୋଷେଇ ବି କରୁଥିଲା।ବାସନ ମଜା ପ୍ରଭୃତି ସ୍ବାମୀ କରୁଥିଲେ।ସ୍ତ୍ରୀ ଲୋକଟେ କେତେ କାମକରେ ଏବେ ସେମାନେ ଜାଣୁଥିଲେ।ମୋ ସ୍ବାମୀ କହୁଥିଲେ ମାଧବୀ ବିନା ମୋ ଘର ଚଳିବା ଅସମ୍ଭବ।ସେ ଏତେ କାମ କେମିତି ଏତେ ସହଜରେ ସମ୍ଭାଳେ କେଜାଣି।ସେ ଯଦିଓ ଏତେଦିନ କେବେ ଆଇ ଲଭ ୟୁ କହିନ ଥିଲେ ହେଲେ ମୋବିନା ଚଳିପାରିବିନି ସବୁବେଳେ କୁହନ୍ତି।ଏହାକଣ ଭଲ ପାଇବା ନୁହଁ।ଜଣକ ବିନା ବଞ୍ଚିବା ଅସମ୍ଭବ ଲାଗିବା ହିଁ ତ ପ୍ରେମ।ତିନିଦିନରେ ଷ୍ଟିଲରଡ ଆସିଗଲା।ଏହା ପ୍ରକୃତରେ ଷ୍ଟିଲ ରଡ ନ ଥିଲା।ଷ୍ଟିଲର ତରଳ ଦ୍ରବଣ ଥିଲା।ହାତର ହାଡର ବୋନମେରୋ କୁ ସିରିଞ୍ଜରେ କାଢି ସେ ଜାଗାରେ ଏହି ତରଳକୁ ଇଞ୍ଜେକ୍ଟ କରାଯାଏ।ସେଠି ଗଲାପରେ ତାହା ଆପେ ଆପେ ଟାଣହୋଇ ଯାଏ।ଅପରେସନ ପରେ ନର୍ସିଂହୋମରେ ଦୁଇଦିନ ରହିଥିଲି।ସେଠି ମୋର ସବୁକାମ ମୋ ସ୍ବାମୀ କରୁଥିଲେ ସ୍ନାନ ସୌଚ ପାଇଁ ବାଥରୁମ ନେବା ବ୍ରସ କଲାବେଳେ ହାତରେ ପାଣି ଢାଳିଦେବାସବୁ।ଦିନେ ସକାଳୁ ମୋର ଲମ୍ବା ବାଳକୁ କୁଣ୍ଡାଇାଇବାକୁ ଚେଷ୍ଟା କରୁଥିବାବେଳେ ନର୍ସଟେ ତାଙ୍କ ଅବସ୍ତା ଦେଖି ହସିଲା ଓ ନିଜେ ଆସି କୁଣ୍ଡେଇଦେଲା।ସତରେ ମୁଁ ବଡ ଭାଗ୍ୟବତୀ ଯେ ମତେ ଏତେ କେୟରିଂ ସ୍ବାମି ମିଳିଛନ୍ତି।ମୋ ନାନୀବି ମୋପାଇଁ ବହୁତ କରୁଥିଲା।।ତାର ଅଧ୍ୟାପିକା ଚାକିରି
ଘରର ରୋଷେଇବାସ ସହ ମୋ ପାଇଁ ଖାଦ୍ୟଧରି ଆସୁଥିିଲା ଡାକ୍ତରଖାନାକୁ।ତା ଘରେ ମତେ ଅନେକ ଦିନ ରହିବାକୁ ପଡିଥିଲା।କାରଣ ମୋର ଫିଜିଓ ଥେରୋପି ବି ସେଠି ହେଉଥିଲା।ମୋର ସ୍ନାନ ଶୌଚ ସମୟରେ ସଂଗେ ରହିବା ଦରକାର ପଡୁଥିଲା।ଆଜିପରି ହେଣ୍ଡ ସାଓ୍ବର ଥିଲେ ଅନ୍ୟର ସହଯୋଗ ପଡିନଥାନ୍ତା।ସେଥିପାଇଁ ପରବର୍ତ୍ତୀ ସମୟରେ ଆମେ କମୋଡ ଓ ହେଣ୍ଡ ସାଓ୍ବର ର ସୁବିଧା କଲୁ ବାଥରୁମ ମାନଙ୍କରେ।ଗାନ୍ଧିଛକ ଆସିବାପରେ ମୋର ଲମ୍ବାବାଳକୁ କାଟି ବବ୍ କରିଦେଲି।ଏବେ ଗୋଟିଏ ହାତରେ କୁଣ୍ଡାଇ ଦିଏ।ଘରକାମ ମୋ ଦେଇତ ହେବନି ତେଣୁ ବୁର୍ଲାରୁ ଫେରିଲା ବେଳେ ସିଧା ଶଶୁର ଘର ଗାଁ କୁ ଯାଇ ଆମ ଜମିକର ଧରୁଥିବା ଲୋକକୁ କହି ତାର ପନ୍ଦର ଶୋହଳ ବର୍ଷର ଝିଅକୁ ଧରି ଘରକୁ ଆସିଲୁ ମତେ ସାହାଯ୍ୟ କରିବ ବୋଲି।ସେ ଆଦିବାସୀ ଝିଅ ଭାତ ଡାଲି ଶାଗ କୌଣସି ପ୍ରକାରେ ଜାଣିଥିଲା।ହେଲେ ସେମାନେ କେବେ ଅଟାରୁଟି ଖାଉନଥିଲେତେଣୁ ବେଲିବା ଶିଖି ନ ଥିଲା।ତାକୁ ମୋ ଛୋଟ ପୁଅ ରୋଟି ବେଲିବା ଟ୍ରେନିଂ ଦେଲା।ତାକୁ ବି କଣ ଆସୁଥିଲା ଯେ ହେଲେ ସେ ମତେ ଦେଖି ଦେଖି କଛି ଶିଖିଥିଲା।ମୁଁ ଥରେ ଥରେ ବାମ ହାତରେ ଭଜାଭଜି କରି ନେଉଥିଲି।ଢଳାଢଳି ବେଲେ ସେ ଝିଅ କରୁଥିଲା।ବହୁଦିନ ଯାଏ ରାତିରେ ହାତରେ ଯନ୍ତଣା ହେଉଥିଲା।ମୋ ସ୍ବାମୀ ଗରମପାଣିର ଥୈଳି ଆଣି ମୋ ଭଙ୍ଗା ହାତତଳେ ରଖୁଥିଲେ ତାପରେ ଟିକେ ଶୋଇ ପାରୁଥିଲି।
ମୁଁ କହିବାକୁ କଣ ଚାହୁଁଥିଲି କୁଆଡେ ଆସିଗଲି
ମୋର ଅପରେସନ ବିଷୟରେ କହିବାର ଥିଲା।
ସେଦିନ ଅପରେସନ୍ ପୂର୍ବରୁ ମୋ ସ୍ବାମୀଙ୍କ ଜଣେ କ୍ଲାସମେଟ ଡାକ୍ତର ସୂର୍ଯ୍ୟପଣ୍ଡା ଏନାସ୍ଥିସିଆ ଦେବା ଆଗରୁ କହିଲେ ଏବେ କେଉଁକେଉଁ ଜାଗା ବୁଲିବ କଣକଣ ଦେଖିବ ମତେ କହିବ ।ସେତେବେଳେ ମୁଁ ତାଙ୍କ କଥା ବୁଝିପାରିଲିନି।ଏବେତ ଅପରେସନ ହେବ ମୁଁ ବୁଲିବି କେମିତି?ସେ ବୋଧହୁଏ ମୋ ସହ ମଜାକ କରୁଛନ୍ତି। ଡାହାଣ ହାତବାହାରିଥିବା ବେକମୂଳରେ ଏକ ଏନାସ୍ଥିସିଆ ଇଞ୍ଜେକସନ ଦେଲେ ଯାହା ହାଡ ପର୍ଯ୍ୟନ୍ତ ଯିବାକଥା ତାହେଲେ ଯାଇ ହାଡରେ ଯାହା କଲେ ଜଣାପଡିବନି।ବହୁତ କଷ୍ଟ ହେଲା ମତେ ହେଲେ ଜୀବନ ବଞ୍ଚାଇବାକୁ ସବୁ ସହିବାକୁ ପଡିଲା। ଡାହାଣ ହାତ ବିନା ମଣିଷ କେତେ ଅସହାୟ ହେଇଯାଏ ମୁଁ ଏବେ ଜାଣି ସାରିଥିଲି।ସବୁବେଳେ ଅନ୍ୟକୁ ଅପେକ୍ଷା କରିଥାଅ ସେ ତାର କାମ ସାରିଲେ ତୁମ କାମ କରିବ।ତା କାମ ନିଜକୁ ପସନ୍ଦ ନ ହେଉଥିଲେ ବି ଆଉ ଅନ୍ୟଗତି ନଥିବ। ଅପରେସନ୍ ହେଇଗଲେ ହୁଏତ ନିଜ କାମପାଇଁ ଅନ୍ୟ ଉପରେ ନିର୍ଭର କରି
ବିନି ବୋଲି ମନରେ ଦମ୍ଭ କରିଥଲି।ଏବେ ପୁଣି ସେଇ ଅନୁଭବ ହେବାକୁ ଲାଗିଲା।ମୋର ଚେତା ଯେମିତି ହଜିହଜି ଯାଉଥାଏ ମତେ ଲାଗୁଥାଏ ମତେ କିଏ ଟାଣି ଟାଣିି ନେଇଯାଉଛି।ମୁ ଧଇଁସଇଁ ହୋଇ ତାସହ ଦୌଡୁଛି।ବୋଧହୁଏ ନିଶାଦେଇ ଯେତେବେଳେ ଆମ ଆତ୍ମାକୁ କିଛି ସମୟପାଇଁ ବାହାରକୁ ଠେଲିଦିଆଯାଏ ସେତେବେଳେ ଏମିତି କଷ୍ଟହୁଏ।ଅନେକ ଏହାକୁ ଜାଣିପାରନ୍ତିନି ବା ଏହା ସମସ୍ତଙ୍କ ହେଉଥିବ ଭାବନ୍ତି ଓ ଭୁଲିଯାନ୍ତି।ମତେ ପଣ୍ଡା ସାର୍ କହିଥିଲେ ବୋଲି ମୁଁ ତାକୁ ବୁଝିଲି।ଆଗଥର ଦେଖିଥିବା ବଡବଡ ସହର ପ୍ରାସାଦ ସବୁ ଆଉଥରେ ଭେଟିଲି।ଶେଷରେ ସେଇ ବଡ କାଚଜାର୍ ଭିତରେ ବନ୍ଦି ହେଇ ରହିଲି।ଶୋଷରେ କଣ୍ଠରୁ ଓଠ ପର୍ଯ୍ୟନ୍ତ ଶୁଖି ଯାଉଥାଏ।ସାଲାଇନ ଲାଗିଥାଏ।ମୋର ନାନୀ ଓ ତାର ଅଧ୍ୟାପିକା ସାଂଗ ଇନ୍ଦ୍ରାଣୀ ଯିଏ ଡାକ୍ତର ଗିରିଧାରି ପ୍ରଧାନ ଙ୍କ ଧର୍ମପତ୍ନୀ ଦୁଇଜଣ ମିଶି କଥାବାର୍ତା କରୁଥାନ୍ତି ମୋ ଖଟପାଖେ ବସି।ସବୁ ମୁଁ ଶୁଣି ପାରୁଥାଏ।ମୁଁ ତାଙ୍କୁ ଡାକୁଥାଏ ପାଣି ପାଣି।ବୋଧହୁଏ ସେମାନେ ମୋକଥା ଶୁଣିି ପାରୁୁନଥାନ୍ତି।ମୋର ଓଠରୁ ଶବ୍ଦ ଫୁଟୁନଥାଏ।ମୁଁ ଭାବୁଥାଏ ମୁଁ ଡାକୁଛି ଆଉ ସେମାନେ ମୋପ୍ରତି ଧ୍ୟାନ ଦେଉନ ଥିବାରୁ ତାଙ୍କପ୍ରତି ବହୁତ ରାଗ ହେଉଥାଏ।
ଏମିତି ଅବସ୍ଥାରେ ଅଧଘଣ୍ଟା ଚାଲିଗଲା ସାଲାଇନ ବୋତଲ ସରିଆସିଲା ବେଳକୁ ଜିଭର ଅଠାଳିଆ ପଣ ଟିକେ ଯାଇ ଜିଭଟା ଭିଜିଲାପରି ଲାଗିଲା।ତାପରେ ମୁଁ ଅସ୍ପଷ୍ଟ ଭାବରେ ପାଣି ପାଣି କହିଲି।ସେମାନେ ମୋର ଚେତା ଫେଇଆସଛିି ଜାଣି ପାରିଲେ।ମୋ ସ୍ବାମୀଙ୍କୁ ଡାକିଲେ।ମୁଁ ପାଣି ମାଗୁଥିବା ଜାଣି ସେ ରୁଆକୁ ସାଲାଇନ ପାଣିରେ ଭିଜେଇ ମୋ ମୁହଁରେ କେଇବୁନ୍ଦା ଢାଳିଦେଲେ।ଏବେ ମୋର ସଂପୂର୍ଣ ଚେତା ଫେରିଆସିଥିଲା।ମତେ ଟିକିଏ ଆଗରୁ ଯୋଉ କଷ୍ଟ ହେଉଥିଲା ତାହା ବୋଧହୁଏ ମରଣ ବେଳର କଷ୍ଟ।
ମଣିଷର ଆତ୍ମା ଛାଡିଗଲାବେଳେ ଏମିତି ଲାଗୁଥିବ।
ଯାହା ମୁଁ ଦୁଇ ଦୁଇଥର ଅନୁଭବ କରିଛି।ଆଗଥର ଅପରେସନ ବେଳେ ମୁଁ ଏସବୁ ମାର୍କ କରିନଥିଲି।ଡାକ୍ତର କହିଲେ ବୋଲି ମୁଁ ଏସବୁ ଜାଣି ପାରିଲି।
ପରେ ସୂର୍ଯ୍ୟପଣ୍ଡା ସାର ଦେଖାହେଲା ବେଳେ କହିଲିଆଗଥର ଅପରେସନ ବେଳେ ଯୋଉ ଯୋଉ ଜାଗା ଦେଖିଥିଲି ଏବେ ପୁଣିଥରେ ଦେଖି ଆସିଲି।ବରଷେ ପରେ ପୁଣି ଥରେ ଅପରେସନ କରି ଷ୍ଟିଲରଡ ଟା ବାହାର କରିବାକୁ ଡାକ୍ତର କହିଥିଲେ।ଏହା ଥିଲେ ବି ତ କିଛି ଅସୁବିଧା ହେଉନି।ସେଥିପାଇଁ ମୁ ଆଉ ଅପରେସନ କରିବିନି ବୋଲି ମନାକଲି।ମୁଁ ପ୍ରକୃତରେ ଆଉଥରେ ସେ କଷ୍ଟ ଭୋଗିବାକୁ ଚାହୁଁନଥିଲି।
ସମାପ୍ତ
