ଏକ ଅନୁଭବ ଦୁଇ
ଏକ ଅନୁଭବ ଦୁଇ
ଉଣେଇଶହ ପଞ୍ଚାନବେ ରେ ମୋର ଛୋଟପୁଅର ଜନ୍ମଲେବରପେନ୍ ହେବା ଆଗରୁ ସେ ସିଜରିଆନ୍ ହୋଇଥିଲା |ବଡପୁଅ ଓ ଛୋଟ ଭିତରେ ଦଶବର୍ଷ ବ୍ୟବଧାନ।ବଡପୁଅ ହେଲା ବେଳେ ନର୍ମାଲ ଡେଲିଭରି ହେଲା ହେଲେ ବ୍ରିଜ ଡେଲିଭରି ବା ପିଚାପଟୁ ଜନ୍ମ ହେଇଥିଲା।
ବହୁତ ସଂଘାତିକ ଥିଲା ତାର ଜନ୍ମ।ପିଚାପଟୁ ଜନ୍ମହେଲା ପରେ ମୁଣ୍ଡଟା ଭିତରେ ରହି ଆଉ ପେନ୍ ହେଲାନି।ମୁଣ୍ଡ ପଟୁ ଜନ୍ମହେଲେ ପେନ ଥରଥର ହେଉଥାଏ କାରଣ ମୋଟାଅଂଶ ବାହାରିବା ବାକିଥାଏ ହେଲେ ବ୍ରିଜ ଡେଲିଭରିରେ ପ୍ରଥମେ ମୋଟାଅଂଶ ବାହାରିଗଲାପରେ ଆଉ ପେନ୍ ହେଲାନି ପିଲାକୁ ଜବର୍ଦସ୍ତି ପ୍ରସବଦ୍ବାରକୁ ଟିକେ କାଟି ଟାଣି ବାହାରକଲେ।ବେକଟା ଏତେ ସମୟ ଚିପି ହେଇ ରହିଯିବା ଫଳରେ ଶିଶୁ ଆଉ କାନ୍ଦିଲାନି।ମୁଁ ଦେଖିଲି ପିଲାରଗୋଡଦୁଇଟା ଧରି ମୁଣ୍ଡ ଟା ତଳକୁ କରି ଡାକ୍ତର ଅନାଦିମିଶ୍ର ତା ଦେହରେ ପାଣି ଛାଟୁ ଥାନ୍ତି।ମୋର ପେଟବ୍ୟଥାରୁ ନିସ୍ତାର ମିଳିଯାଇଥିବାରୁ ମୁଁ ଟିକେ ଆସ୍ବସ୍ଥ ଥିଲି।ମତେ ଜଣାନଥିଲା କି ଶିଶୁର ଅବସ୍ତା ଭଲନାହିଁବୋଲି।ପୁଅଟେ ହେଇଛି ଶୁଣି ମୋର ସବୁକଷ୍ଟ ଭୁଲିଗଲି।ହେଲେ ସେପଟେ ସବୁ ଡାକ୍ତର ଚିନ୍ତିତ ଥିଲେ।ଶିଶୁକୁ କନ୍ଦାଇବାକୁ ଚେଷ୍ଟା କରୁଥାନ୍ତି।ତାକୁ ନଖରେ ଚୁମୁଟୁ ଥାନ୍ତି।କିଛି ଶବ୍ଦ କରୁଥାନ୍ତି।ଲେବରରୁମ ବାହାରେ ମୋ ମାଆ ଓ ଶାଶୁ ପ୍ରଥମେ ଯେବେ ଶୁଣିଲେ ପୁଅ ହେଇଛି ଖୁସୀ ହେଇଗଲେ ହେଲେ ଯେତେବେଳେ ଶୁଣିଲେ ସେ କାନ୍ଦୁନି।ମୋ ଶାଶୁ ସତ୍ୟନାରାୟଣ ପୂଜା କରିବେ ବୋଲି ବଦି ପକାଇଲେ।ମୋ ମାଆବି ଭଗବାନଙ୍କୁ ପ୍ରର୍ଥନା କରୁଥାଏ ମୋ ଝିଅ ଏଟେ କଷ୍ଟ ପାଇ କନ୍ଦାକଟା ପରେ ପିଲାଟାକୁ ଜନ୍ମଦେଲା ଆଉ ପିଲାକୁ ଏମିତି କଷ୍ଟ କାହିଁକି ଦେଉଛୁ ପ୍ରଭୁ।ପିଲାକୁ ଭଲ କରିଦେ।ଯା ହଉ କିଛି ସମୟପରେ ସେ କାନ୍ଦିଲା।ପିଲା ଠିକ୍ ହେଲା ପରେ ମୋର କଟା ଜାଗା ରେ ଷ୍ଟିଚ ପକାହେଲା |ପିଲା ଜନ୍ମ ପରେ ଚମ କୋମଳ ଥାଏ ବୋଲି ସିଲେଇ ଏତେ କାଟେନି |ମୋ ବେଳକୁ ବିଲମ୍ବ ହେଇଯାଇଥିଲା ସମସ୍ତେ ପିଲା ପାଇଁ ଧ୍ୟାନ ଦେଲେ ଚର୍ମ ପୂର୍ବ ବସ୍ଥାକୁ ଦୀବନ୍ତ ହୋଇ ଆସିସାରିଥିଲା ତେଣୁ ବହୁତ କାଟିଲା|ମୁଁ ରଡି ଛାଡୁଥାଏ|ମୋର କଲବଲ ଶୁଣି ମୋ ମାଆ ବି ବାହାରେ କାନ୍ଦୁଥାଏ|ସତରେ ନାରୀର ଜୀବନର କଷ୍ଟ ନାରୀ ଟେ ହିଁ ଜାଣିପାରିବ |
ସିଲେଇ ସଲାପରେ ପୁଅକୁ ଠିକ୍ ଜାଣି ସମସ୍ତଙ୍କ ମନରେ ଖୁସିର ଲହରଟେ ଖେଳିଲା ଜଣକୁ ଛାଡି ସେଥିଲେ ଶିଶୁର ବାପା ଓ ଜଣେ ଶିଶୁ ଡାକ୍ତର।ଯେ ଜାଣିଥିଲେ ଶିଶୁ ଶୀଘ୍ର ନ କାନ୍ଦିଲେ ପରେ କଣକଣ ଅସୁବିଧା ହେଇପାରେ।ପିଲାର ବ୍ରେନ ଠିକ୍ ରେ ବିକଶିତ ହେଇପାରେନି।ଶିଶୁ ବେଡା ଭିନ୍ନକ୍ଷମ ହେବାର ଚାନ୍ସ ବେଶି।ସେ ପାଞ୍ଚ ବର୍ଷ ଯାଏ ଭଲକି ଶୋଇ ପାରୁନଥିଲେ ବୋଲି ପରେ କହିଲେ।ସେ ମତେ କି ଶାଶୁଙ୍କୁ ଏକଥା ଜଣାଇ ନଥିଲେ।ଆମର ଖୁସୀ ଚାଲିଯିବ ବୋଲି।ଆମେ ପିଲାକୁ ନେଇ ଖୁସି ହେଉଥାଉ।ଯାହଉ ଭଗବାନ ତାର ନର୍ମାଲ ଗ୍ରୋଥ୍ କଲେ।ଅନ୍ୟ ପିଲାଙ୍କ ପରି ତାରବି କଡଲେଉଟାଇବା ଚାଲିବା କଥାାକହିବା ସ୍ମୃତିଶକ୍ତି ସବୁ ସାଧାରଣ ହେଲା।ତାପରେ ସେ ଟିକେ ଶାନ୍ତିରେ ନିଶ୍ବାସ ନେଲେ।
ବଡ ପୁଅର ଏପରି ଅସୁବିଧା ହେବାର ଦେଖି ଛୋଟର ଡେଲିଭରି ବେଳେ ଥରକୁଥର ଅଲ୍ଟ୍ରାସାଉଣ୍ଡ କରାହେଉଥିଲା।ପ୍ରସବର ମାସେ ଆଗରୁ ସେମାନେ ବୁର୍ଲା ହସପିଟାଲରେ କେବିନ ଟେ ନେଇ ରହୁଥିଲେ।ଥରଥର ପରୀକ୍ଷା ହେଉଥିଲା।ଡେଟ୍ ଆସିବା ପରେବି ପେନ୍ ନ ହେବାରୁ ସିଜରିଆନ୍ କରିଦେଲେ ସତ୍ୟବତୀ ମେଡମ୍।ଯିଏ ଆମ ଅଞ୍ଚଳର ଜଣେ ଜଣାଶୁଣା ଗାଏନାକଲୋଜିଷ୍ଟ |ସେଦିନର ଗୋଟିଏ ମଜା ଘଟଣା। ମୋର ମାଆ ଆସି ଆମସହ ରହୁଥାନ୍ତି।ରୋଷେଇ ପତ୍ର ମୋର କାମସବୁ ସେ କରୁଥିଲେ।ଥରେ ଥରେ କରେଣ୍ଟ ଚାଲିଗଲେ ଉପରମହଲାକୁ ତଳୁ ନଳକୂଅରୁ ପାଣି ଉଠାଇ ଆଣୁଥିଲେ ଆମର ଗାଧୋଇବା ପାଇଁ।ରୋଷେଇ ପାଇଁ।ମୋର ବଡପୁଅ ବିଥିଲା ଆମ ସାଙ୍ଗରେ।ସମସ୍ତଙ୍କ କାମ ମାଙ୍କୁ କରିବାକୁ ପଡୁଥିଲା।ଆଜି ତାଙ୍କର କଥା ମନେ କଲେ ଆଖିରେ ଲୁହ ଆସୁଛି।ମାଆଟେ ଝିଅ ମାନଙ୍କ ପାଇଁ କେତେ କଷ୍ଟକରେ ନିସଂକୋଚରେ।ହେଲେ ଆମେ ଝିଅମାନେ କଣ ତାଙ୍କର ସେତେ ଯତ୍ନ ନେଇପାରୁ? ନାଁ କେବେ ନୁହେଁ? ସେଦିନ ମତେ ଲେବରରୁମ ନେଇଗଲାପରେ ମୋ ମାଆ ଓ ବଡପୁଅ ମୋତେ ଦେଖିବାକୁ ବାହାରିଲେ।ମାଆ ତାଲା ବନ୍ଦ କରିବାକୁ ତାଲାଖୋଜୁଛନ୍ତି ସେତେବେଳକୁ ବଡପୁଅ ବାହାରକୁ ବାହାରିଆସି କବାଟର ଶିକୁଳିଟା ଲଗାଇଦେଲା ଆଉ ଖୋଲିପାରିଲାନି।ମାଆ ଭିତରେ ରହି ଛଟପଟ ହେଉଛନ୍ତି। ପୁଅବି ଏକାତ ହସପିଟାଲ ବିଷୟରେ କିଛି ଜାଣିନି କୁଆଡେ ହଜିଗଲେ ସେ କରିବକଣ, ସେ ଚିନ୍ତା ମାଆ କୁ ଖାଉଥାଏ।ସମୟ ଦିପହର ଦୁଇଟା ସେତେବେଳକୁ ପାଖ ଆଖରେ କେହିନାହାଁନ୍ତି ।କାହାକୁ ଡାକିବେ।ଭାଗ୍ୟକୁ ବହୁ ସମୟପରେ ଜଣେ ଲୋକ ସେ ଗଳି ଦେଇଯିବାର ଦେଖି ଝରକାପଟୁ ତାକୁ ଡାକିଲେ ଓ ଶିକୁଳି ଖୋଲିବାକୁ କହିଲେ।ସେତେବେଳକୁ ଅନେକ ବିଲମ୍ବ ହୋଇ ସାରିଥିଲା।ମାଆ ସେଦିନ ବଡ ପୁଅକୁ ବହୁତ ଗାଳି କରିଥିଲା ବୋଲି ପରେ ମତେ କହୁଥିଲା।ସେମାନେ ପହଞ୍ଚିଲା ବେଳକୁ ମୋର ଅପରେସନ ଆରମ୍ଭ ହୋଇ ସାରିଥିଲା।
ହେଲେ ସେଦିନ ଅପରେସନ ହେଲା ବେଳେ ମୁଁ ଏକ ନିଆରା ଅନୁଭବ କଲି।ମତେ ଏନାସ୍ଥିସିଆ ଦେଲାପରେ ମୁଁ ଭାବୁଥିଲି ସବୁ ଦେଖିବି କଣକଣ କରିବେ।ନର୍ସମାନେ କଇଞ୍ଚି ଛୁରୀ ରଣଝଣ କରି ସଜାଡୁ ଥାନ୍ତି।ଡାକ୍ତରାଣୀ ମୋ ସ୍ବାମୀ ଓ ଦୁଇଜଣମେଡିକାଲ ହାଉସର୍ଜନ ଛାତ୍ର ସହଯୋଗପାଇଁ ସବୁଜ ରଂଗର ଏପ୍ରୋନ୍ ଓ ମୁଖା ଲଗାଇ ପ୍ରସ୍ତୁତ ହେଉଥାନ୍ତି।
ଏସବୁ ଦେଖୁ ଦେଖୁ ମୋର ଆଖି ମୁଦି ହେଇଗଲା।ଅନ୍ୟ ମାନଙ୍କୁ ମୁଁ ପଚାରିଛି ସେମାନେ କୁହନ୍ତି ସେମାନେ ଅପରେସନ ହେବା ସବୁ ଜାଣନ୍ତି।
ହେଲେ ମୁଁ ବୋଧହୁଏ କିଛି ନିଶା ଖାଏନି ଜୀବନରେ ବୋଲି ମତେ ନିଶାଟିକେ ବେଶିଧରେ।କଫସିରଫ ଟିକେ ଖାଇଲେବି ଢଳଫଳ ହେଉଥାଏ।ମୁଣ୍ଡ ଘୁରାଏ ଓ ନିଦ ନିଦ ଲାଗୁଥାଏ।ସେଦିନ ନିଶା ଦେଲାପରେ ମତେଲାଗିଲା କେହି ଜଣେ ଯୋର୍ରେ ଟାଣି ଟାଣି ନେଉଛି ମତେ।ସେ ଆଗେ ଆଗେ ଚାଲିଛି ମୁ ତା ପଛରେ ଦଉଡୁଛି ତାକୁ ପହଞ୍ଚାଇ ପାରୁନି ମୋ ଦେହର ଶକ୍ତି କ୍ଷୀଣ ହେଇ ହେଇ ଯାଉଛି ତେଣୁ ମତେ ଘୋଷାଡି ଘୋଷାଡି ସେ ନେଉଛି ସାଂଗରେ।ମୁଁ ତାକୁ ଟିକେ ଅପେକ୍ଷା କରିବାକୁ କହୁଛି ହେଲେ ସେ ଶୁଣୁନି ମୋକଥା।ଏମିତି ଯାଉ ଯାଉ ମୁଁ ଅନେକ ବଡବଡ କୋଠା ସହର ଦେଖୁଛି।ଡହଡହ ଖରାର ସହର ଥିଲା ଲାଗୁଥିଲା କୋଉ ମରୁଭୂମି ଅଞ୍ଚଳ ହେଇଥିବ ଯାହା ଆଗରୁ ମୁଁ କେବେ ଦେଖିନି।ତାପରେ ଲାଗିଲା ଏମିତି ମତେ ଚାରିପଟେ ଅନେକ ଘୁରାଇବାପରେ ଆଣି ଏକ ନିବୁଜ କାଚର କୋଠରୀରେ ଭରିଦେଲା।ଏତେ ଦୂର ଜାଗା ଘୁରିଲାପରେ ମୁଁ ପୁରା କ୍ଲାନ୍ତ ହୋଇ ପଡିଥିଲି।ମୁହଁ ଅଠାଅଠା ଲାଗୁଥାଏ।ଶୋଷରେ ତଣ୍ଟି ଶୁଖିଯାଉଥାଏ।ଜିଭ ଟା ହଲାଇବାକୁ ଚେଷ୍ଟାକଲି ହେଲେ ହଲିଲାନି ପୁରା ଶୁଖିଯାଇଥିଲା।ମୁଁ ଏମିତି କାଚର ଜାର ଭିତରେ ବନ୍ଦ ଥିଲି ଯହିଁ ବାହାରୁ ପବନ ଟିକେ ଆସୁଛି ନାଁଭିତର ଶବ୍ଦ ବାହାରକୁ ଯାଉଛି।ମୁଁ ଏମିତି ବାୟୁବିହୀନ କୋଠରିରେ ରହି ତୃଷ୍ଣାରେ ଛଟପଟ ହେଉଥାଏ ପାଣି ପାଣି କହି ଚିତ୍କାର କରୁଥାଏ।ହେଲେ ମୋକଥା କେହି ଶୁଣି ପାରୁନଥାନ୍ତି।ମୁଁ କିନ୍ତୁ ନର୍ସ ଓ ମୋ ଡାକ୍ତର ସ୍ବାମୀଙ୍କ
କଥା ଶୁଣି ପାରୁଥାଏ।ମୋ ଶବ୍ଦ ବାହାରୁ ନଥାଏ କେବଳ ଓଠଟା ହଲି ରହି ଯାଉଥାଏ।ଏମିତି କେତେଘଣ୍ଟା ମୋର ଜୀବନ ସହ ସଂଘର୍ଷ ଚାଲୁଥାଏ।
ମୋ ଦେହରେ ସାଲାଇନ ଲାଗିଥାଏ।ଗୋଟାଏ ଦୁଇଟା ସାଲାଇନ ସରିଲାପରେ ଜିଭଟା ଟିକେ ହଲିବାକୁ ଲାଗିଲା।ମୋର ପାଣି ପାଣି ଶବ୍ଦ ଏବେ ମୋ ସ୍ବାମୀଙ୍କୁ ଶୁଣାଗଲା।ସେ ମୋ ପାଖକୁ ଆସି କହିଲେ ସାଲାଇନ୍ ଦିଆହେଇଛି ପାଣି ଏବେ ଦିଆ ହେବନି।ସାଲାଇନ୍ ଦ୍ବାରା ତୋ ଦେହକୁ ପାଣି ଆସୁଛି।ଧିରେ ଧିରେ ଜିଭ ଶୁଖିବା ଚାଲିଯିବ।ହେଲେ ମୁଁ କାକୁସ୍ଥ ହେଉଥାଏ ନାଁ ମତେ ପାଣି ଦରକାର।ଏସବୁ ଠାରରେ କହୁଥାଏ ମୁଁ।
ସେ ମୋର ଗୁଲୁଗୁଲା ଦେଖି ରୁଆଖଣ୍ଡେରେ ସାଲାଇନ୍ ପାଣି ଭିଜେଇ ମୋ ଓଠଟା ଭିଜେଇଦେଲେ ଓ ଦି ବୁନ୍ଦା ଜିଭରେ ଚିପୁଡିଦେଲେ।ଏବେ ମୋ ଦେହରେ ଟିକେ ଜୀବନ ଆସିଲା।ମୋର କଣ୍ଠଟା ଫାଟିଗଲାପରି ଯାହା ଲାଗୁଥିଲା ଏବେ ଟିକେ ନରମ ଲାଗିଲା।ଏହା ପରେ ମୋର ଚେତା ଫେରି ଆସିଲା।ମୁଁ ଅନେକ କଥା କହିବାକୁ ଚେଷ୍ଟା କରୁଥାଏ।ହେଲେ ଅନ୍ୟମାନେ ବୁଝି ପାରୁନ ଥାନ୍ତି।ସେକଥା ମୁଁ ପରେ ଜାଣିଲି ଯେତେବେଳେ ମୋ ବଡପୁଅ କହିଲା ମାଆ ତୁ ଚେତା ଆସିଲା ପରେ କଣ ସବୁ ବଡବଡାଉ ଥିଲୁ ଆମେ କିଛି ବୁଝି ପାରିଲୁନି।
ହେଲେ ମୁଁ ପଚାରୁଥିଲି ଛୋଟପୁଅ ଦେଖିବାକୁ କେମିତ? ଭଲ ଅଛିତ?ସ୍ବାମୀ ବୋଧହୁଏ ମୋର ମନଦଶା ବୁଝି ପାରିଲେ ଓ ପୁଅକୁ ଦୋଳିରୁ ଉଠାଇ ମତେ ଦେଖାଇଲେ।ଦୁଧ ଅଳତା ରଂଗର ଲମ୍ବା ପୁଅ।ଯାହରପାଦ ଦୁଇଟା ପଦ୍ମଫୁଲପରିଗୋଲାପି ଓ କୋମଳ ଦିଶୁଥିଲା।ଆଉ ଓଠ ଦୁଇଠା ଦୁଇଟା ଗୋଲାପ ପାଖୁଡାରଂଗ ଓ ଚିକ୍କଣ ଦିଶୁଥିଲା।ତାକୁ ଦେଖିଲା ପରେ ମୋର ସବୁକଷ୍ଟ ଦୂର ହେଇଗଲାପରି ଲାଗିଲା।
ଆଉ ଏକ ଅପରେସନ୍ ର ଅନୁଭବ ଆରଥରକୁ
କ୍ରମଶଃ ।
