ଏହାରି ନାଁ କି ପ୍ରେମ!
ଏହାରି ନାଁ କି ପ୍ରେମ!
ଜିଜୁ ତୋତେ କେତେ ଭଲ ପାଆନ୍ତି,ଚିନା ନୀ?ପଚାରିଲା ନିମି ଚିନାର ସାନଭଉଣୀ।
ସଂସାରରେ ସ୍ୱାମିଟିଏ ତା ସ୍ତ୍ରୀକୁ ଯେତିକି ଭଲ ପାଆନ୍ତି!
ମୋତେ କାଇଁ ଲାଗୁନି....କହିଲା ନିମି।
ହଉ ହେଲା ତୋ ଜିଜୁ ମୋତେ ଭଲ ପାଆନ୍ତି ନି, ଏଥର ତୁ ଖୁସି ତ....ମୁହଁ ଫୁଲେଇ କହିଲା ଚିନା
ମୁଁ ଜାଣିଥିଲି ମଇଦାନ ଦେଖୁ ଦେଖୁ ତୁ ହାରିଯିବୁ।ବୁଝିଲୁ ନାନୀ ଯୁଗ ଯାଇ କେଉଁଠି ପହଂଚିଲାଣି ତୁ ସେଇ ମାନ୍ଧାତା ଅମଳର ହୋଇରହିଥା। କହି ପାରୁନୁ ତୋ ବର ତୋତେ ଭଲ ପାଆନ୍ତି କି ନାହିଁ?
ଷ୍ଟ୍ରେଞ୍ଜ ନାନୀ ଷ୍ଟ୍ରେଞ୍ଜ.......
ହଁ ହେଲା ମୁଁ ସେଇ ପୁରୁଣା କାଳିଆ ରଙ୍ଗ ଢଙ୍ଗର ଝିଅ। ତୋ ପରି ସ୍ମାର୍ଟ ହୋଇ ଡେଲି ଘରେ କଳି ପୁରାଏନି ତ!
ଅଙ୍ଗୁର ଖାଇ ନ ପାରିଲେ ଖଟା ଲୋ ନାନୀ।ଜାଣିଛୁ ନାନୀ !ତୋତେ ଦେଖିଲେ ଘଡ଼ିଏ ଚାହିଁବାକୁ ଇଛା ହୁଏ।ଏ ଦୁନିଆଁରେ ଏମିତି କେଉ ପୁଅ ଅଛି ମୋ ନାନୀ କୁ ନଚାହିଁବ!ସେ ବଶିଷ୍ଠ,କି ବ୍ୟାସ ଯେ ବି ହୁଅନ୍ତୁ ନା କାହିଁକି। କେମିତି କି ଲୋ ନାନୀ ତୁ ଏତେ ସୁନ୍ଦର ପୁଣି ଏତେ ଗୁଣର ହେଲୁ?
ମୋତେ ଦେଖ ତୋ ଓଲଟା ମୁଁ.... ତୋ ନାକ ଛୋଟିଆ,ସରୁ,ତିଖ।ମୋ ନାକ ଚେପେଟା ଗେଣ୍ଡା ପରି।ତୋ ଆଇବ୍ରୋ କାମଦେବଙ୍କ ଧନୁ ପରି ଆଉ ମୋର ଆଇବ୍ରୋ ହିଁ ନାହିଁ।କୁତ୍ରିମ ଆଇବ୍ରୋ...
ନାନୀ ତୋ ଗାଲ.... ଇସ୍!କି ପୁରିଲା ପୁରିଲା ନାଲିଆ ନାଲିଆ।ଆଉ ମୋର ଟାକୁଆ
,ଫାଉଣ୍ଡେସନ୍ ଲଗାଇବାକୁ ପଡେ।
ତୋ ଓଠ! ମାର୍ ଡାଲା । ରତିଦେବୀଙ୍କର ଏମିତି ହୋଇଥିବ! ଚଉଡା ଗୋଲାପି ଗାର ବଙ୍କେଇକି ସରୁ ଗାଁର ଟିଏ ଭିତରେ କଏଦ କରି ଓଠକୁ କେଉଁ ଚିତ୍ରକର ଆଙ୍କିଛି କି? ଆଉ ମୋର ଦେଖିଲୁ....କି ମୋଟା କାଳିଆ।ଲିପିଷ୍ଟିକ୍ ସାହାରା ନେବାକୁ ବାଧ୍ୟ।
ତୋର ହାଇଟ୍ ଛଅ ଫୁଟ,ୱେଟ୍ ଚାଳିଶ କିଗ୍ରା, ଅଣ୍ଟା ଚବିଶ,ଛାତି ବତିଶ।
ଆଖି କଳା ଭଅଁର... ବାଳ କଳା ମେଘ ଭର୍ତ୍ତି ଆକାଶ।ଛୁଞ୍ଚି ମୁହଁ।ରଙ୍ଗ ସୁନାକୁ ଫିକା କରୁଛି।
ଜାଣିଲୁ ନାନୀ ମାମା ଅନ୍ୟାୟ କରିଛି; ତୋ ବେଳକୁ କଣ କଲା ଯେ ତୋ ଭଳି ସୁନା ପ୍ରତିମାକୁ ଜନ୍ମ ଦେଲା
; ଆଉ ମୋ ବେଳକୁ କଣ କଲା ଯେ ଛି!ନିମି ପରି ଝିଅଟିଏ ଜନ୍ମ ଦେଲା।
ତୁ ସୁନା .....ତୁ ଚିନା ଚିନି.....ମିଠା । ମୁଁ ପିତ୍ତଳ....ନିମି ନିମ ପିତା.......
କଣ କହିଲୁ! ଚିନା କୋଳେଇ ନେଲା ନିମିକୁ।ମୋ ଭଉଣୀ ପିତ୍ତଳ! କିଏ କହିଲା....ଆ ଲୋ ତୁ ସ୍ୱିଟ୍ କଲର୍।ଉଚ୍ଚ ଶିକ୍ଷିତା।ତୋ ପଛେ ହଜାର ପୁଅଙ୍କ ଲାଇନ୍।ତୁ ମୋ କଣ୍ଢେଇ।ମୋ ଗେଲ୍ଲୀ।କହତ କାହା
ଭଉଣୀ ଜଣେ ପାଇଲଟ୍ ହେବାକୁ ଯାଉଛି!
କାହା ଭଉଣୀ ପର ନଥାଇ ଉଡିବ ଆକାଶରେ ପ୍ରତି ଦିନ! କିଏ ତୋପରି ସୁନ୍ଦର,ସ୍ମାର୍ଟ,ବିଚକ୍ଷଣ ବୁଦ୍ଧିର ଅଧିକାରିଣୀ!ତୁ ମୋ ଭଉଣୀ ଭାବିଲା ବେଳେ ମୋ ଛାତି କୁଣ୍ଡେ ମୋଟ ହୋଇଯାଏ।
ଟ୍ରେନିଂ ସାରି ଆସିଛି ନିମି।ଆଉ କେତୁଟା ଦିନ ପରେ ଜଣେ ଉଡାଯାହାଜ ଚଳାଳି ହେବ।ଦୁଇ ଭଉଣୀ ସ୍ୱର୍ଗୀୟ ପ୍ରେମରେ ଉବୁଟୁବୁ ହେଉଥିଲେ।ଚିନା କୋଳରେ ମୁଣ୍ଡ ଗୁଞ୍ଜି ଭାରି ଗେହ୍ଲା ହେଉଥିଲା ନିମି।
ନାନୀ ଲୋ !ଟ୍ରେନିଂ ସମୟରେ ତୋ ବାହା ଘର ହେଲା।ମୁଁ ଜିଜୁ କୁ ଦେଖିନି।ତୋତେ ସେଇ ପାଇଁ ଚିଡଉଥିଲି।ଚିଡିକି ଜିଜୁଙ୍କୁ ଡାକି ପ୍ରମାଣ କରିଦେବୁ ତୋ ଭଲ ପାଇବା।
ହେଲେ ତୁ ହେବୁନି।ତୋର କଣ ମନ ହେଉନି ଜିଜୁଙ୍କୁ ଦେଖିବାକୁ!
ନିମି!!ଇଛା ତ ଅନେକ।ସବୁଇଚ୍ଛା ସବୁ ସମୟରେ ପୁରଣ ହୁଅନ୍ତି ନି ଲୋ ହୁଣ୍ଡି।ଜାଣିଛୁ ନିମି ବାହା ଘର ଅଷ୍ଟ ମଙ୍ଗୁଳା ଦିନ ଅର୍ଜେଣ୍ଟ ଫୋନ୍ କଲ୍ ଆସିଲା----ଚୀନ୍ ଭାରତୀୟ ସୀମାରେ ଆତଙ୍କ ରାଜ ଚଳେଇଛି।ତାକୁ କଡା ଜବାଵ ଦେବାକୁ ହେବ।ଜିଜୁ ତୋର ବି ଏସ୍ ଏଫ୍ ର ଚିପ୍ କମାଣ୍ଡର ନାଫୋନ୍ କଲ୍ ପାଉ ପାଉ ସେ ଉଡାଣ ଭରିଲେ।ସତ କହୁଛି ଲୋ ନିମି!!ଦୁଇଟି ଅଚିହ୍ନା ଆତ୍ମା ଏକ ହେବାକୁ,
ପରସ୍ପରକୁ ବୁଝିବାକୁ ଯଥେଷ୍ଟ ନ ଥିଲା ଏଇ ସ୍ୱଳ୍ପ ସମୟ ଆମ ପାଇଁ। ନା ମନ ନା ଦେହ କେହି ତୃପ୍ତ ହୋଇ ନଥିଲେ ଆମର।
କିନ୍ତୁ ଏତିକି ବୁଝିଛି କମାଣ୍ଡର ବିଜୟ ପାଣି ମୋ ସ୍ୱାମୀ ନିଶ୍ଚିନ୍ତ ମୋତେ ଭଲ ପାଆନ୍ତି।
ଚୀନ୍ କମ୍ବିଂ ଅପରେସନ୍ ରେ ତ ଭାରତ ବିଜୟୀ ହେଲା।ତାପରେ ଆସିଲେଣି ଜିଜୁ!
ସେ ଯେଉଁ ଚାକିରୀ କରିଛନ୍ତି ପୁଣି ଯେଉଁ ପୋଷ୍ଟରେ ଅଛନ୍ତି ସେଇଟା ବା ସେମିତି।ସେଇ ଚାକିରୀରେ ବ୍ୟକ୍ତିଗତ ସୁଖ କିଛି ନଥାଏ।କେବଳ ଦେଶ,ମାଟି ମାର ସୁରକ୍ଷା ଏକମାତ୍ର ଚିନ୍ତା।
ଆଛା ଗୋଟେ କାମ କରିବା ପରଖିବା ଜିଜୁ ଙ୍କୁ!
ମୁଁ କଲ୍ କରୁଛି ତୁ ସିରିଅସ୍ ବୋଲି ---ଦେଖିବା ସେ କଣ କରୁଛନ୍ତି?
ଏତିକି ଥିଲା ଦୁଇ ଭଉଣୀଙ୍କ ରବିବାର ରାତିର କଥା।
ତାପର ଦିନ ସୋମବାର ବାରଟା ସୁଦ୍ଧା ଶିବ ମନ୍ଦିରରୁ ଚିନା ଫେରି ଡ୍ରଇଂ ରୁମରେ ଯାହା ଦେଖିଲା---ଆଖିକୁ ବିଶ୍ୱାସ କରି ପାରିଲାନି।ବିଜୟ.......ଓ ମାଇଁ ଗଡ଼ ତମେ.....ନିମି ଗପ ଜମେଇ ଦେଇଥିଲା ତା ଜିଜୁ ସଙ୍ଗେ।
ମୁଚୁକୁନ୍ଦିଆ ହସ ହସି ନିମି କହୁଥିଲା ଦେଖ----କାହାର ଜିଜୁ.......ଏବେ ଜାଣିଲୁ ତ ଜିଜୁ କେତେ ଭଲ ପାଆନ୍ତି ତୋତେ।
ନିର୍ବାକ୍ ଚିନା।ଲୋଟିଗଲା ବିଜୟ କୋଳେ।ବେକରେ ହାତ ଛନ୍ଦି କେବଳ ବିଜୟ ମୁହଁକୁ ଚାହିଁ ହସୁଥିଲା।
ଏତେ--- ଏତେ ମାତ୍ରାରେ ଖୁସି ଥିଲା ଚିନା..ସମ୍ଭାଳି ପାରିଲାନି ଛୋଟିଆ ହୃଦୟଟି ଏତେ ଖୁସି ଓ ବିଶ୍ୱାସ କୁ।ହଠାତ୍ ବନ୍ଦ ହୋଇଗଲା ଧଡ଼କନ୍ ସବୁ ଦିନ।ସବୁ ଶେଷ।
ବିଜୟ ଭାବି ନ ଥିଲା ତା ସରପ୍ରାଇଜ୍ ତାକୁ ସବୁଦିନ ସରପ୍ରାଇଜ୍ କରି ଠକି ଦେଇ ଚାଲିଯିବ।
ସୁନାର ପାଦରେ ନାଲି ଅଳିତା ଲଗେଇ ଦେଲା ବିଜୟ,ସିନଥିରେ ସିନ୍ଦୁର।ହଳଦୀ ଟିକେ ଦେଲା ଗାଲରେ।ବାହାଘର ଲେହେଁଙ୍ଗା ପିନ୍ଧେଇ ଦେଲା।ଓଃ କି ସିନ୍ଦର! ମୁହଁରେ ହସ ସେମିତି ଝଟକୁଛି ଚିନାର ଦାଉ ଦାଉ।
ପାଖ ଆଖରେ ସନ୍ ସନ୍ ନୀରବତା।ଆହା କଣ ହେଲା-----କିଏରେ ତୁ ବିଶ୍ୱ ନିଆନ୍ତା?ଏମିତି କଣ ଠିକ୍ କରୁଛୁ?ପଚିଶ ବର୍ଷର ସଦ୍ୟ ବିବାହିତ ଛୁଆଟା..... ଆଃ କଣ କଲୁରେ ଦଇବ!ଇଏ କି ବିଚାର!ସବୁରି ହୃଦୟର ଏ ପ୍ରଶ୍ନ ଓ ଆଖିରେ ମହୋଦଧି।
ସୁନା ପାଦ ନାଲି ଅଳିତା ନାଇଁ ଅହ୍ୟରାଣୀ ଶୋଇଥିଲା ସ୍ୱର୍ଗଦ୍ୱାର ସଙ୍ଗାଡରେ।ବିଜୟ ଚିନାର ନିଥର ଦେହକୁ ଜାବୁଡି ଧରି କାନ୍ଦୁଥିଲା କେବଳ। ଜ୍ଞାତି କୁଟୁମ୍ବ ବହୁ କଷ୍ଟରେ ବିଜୟକୁ ଅଲଗା କଲେ ଚିନା ଦେହରୁ।
ସୁନା ପାଦ ନାଲି ଅଳିତା ଧାର ରେ ଯେତେ
ବେଳେ ନିଆଁ ଲାଗିଲା ସତେ କି କ୍ଷଣେ ବନ୍ଦ ହୋଇଗଲା ପବନ! ସମୁଦ୍ର ଜୁଆର କିଛି ସମୟ ଯେପରି ଅଟକି ଗଲା!।।କାନ୍ଦୁ ଥିଲେ ସ୍ୱର୍ଗ ଦ୍ୱାର ଉପରେ ଉଡୁଥିବା ଚଢେଇ ବି।
ଚିନା!ଚିନା!କି ହୃଦୟ ବିଦାରକ ଦୃଶ୍ୟ!ବିଜୟର ଲୁହଧାର ପିଉଥିଲା ଚିନା ଦେହର ସ୍ୱର୍ଗଦ୍ୱାର ପାଉଁଶ।
ସେବେଠୁ ବିଜୟ ମୂକ.........।।
ନିମି ଆକାଶରେ ଉଡାଣ ଭରିଲା ବେଳେ ଆକାଶର ଆହୁରି ଉପରକୁ ଚାହେଁ।ମଲା ପରେ ପରା ତାରା ହୁଅନ୍ତି ! କେଉଁ ତାରାଟି ତୁ ଲୋ ନାନୀ!ଭାରି ଅପରାଧୀ ଅପରାଧୀ ଲାଗେ ନିମିକୁ।ଟିକିଏ ହସ ନାନୀ ମୁହଁରରେ ଦେବାକୁ ଯାଇ ସେ କି ସଉଦା କଲା!କେଡେ ବଡ଼ ଘା ଟିଏ ତା ଛାତିରେ !ସେ ନ ମଲେ ଏ ଘା କଣ ଶୁଖିବ?
ଠିକ ଚାରିଟା ବେଳେ ଏବେ ବି ଚାଳିଶ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ଜଣେ ସ୍ୱର୍ଗଦ୍ୱାର ପୋଡା ଶବକୁ ଦେଖିବାକୁ ଯାଏ।କଣ ମନକୁ ମନ ବିଳି ବିଳେଇ ହୁଏ।ଆକାଶକୁ ଟିକେ ଚାହେଁ।ସମୁଦ୍ର ଆଡକୁ ହାତ ଫେଇ କଣ ଯେମିତି ମାଗେ।ଯେତେ ଝଡ଼ି,ବଢି,ବାତ୍ୟା ଆସିଲେ ବି ବ୍ୟକ୍ତିଟିର ରୁଟିନ ବନ୍ଧା ଜୀବନରେ କିଛି ପରିବର୍ତ୍ତନ ହୁଏନି।
ଆରେ ଏତ ବିଜୟ ପାଣି ; ଦକ୍ଷ କମାଣ୍ଡୋ, ଘର ପୁରୀ ଲେବଲ କ୍ରସିଂ ନିକଟ।ଆଜକୁ ପନ୍ଦର କି ଷୋହଳ ବର୍ଷ ତଳେ ଠିକ୍ ଏଇ ଚାରିଟା ବେଳେ ଚିନାର ଶବ ଦାହ ହୋଇଥିଲା । ସେଇଥି ପାଇଁ ମୂକ ବିଜୟର ପ୍ରତି ଦିନ ଏ ଚାରିଟା ବେଳକୁ ଅପେକ୍ଷା !!
ଏହାରି ନାଁ କି ପ୍ରେମ !