Satyabati Swain

Tragedy

4  

Satyabati Swain

Tragedy

ଏ ସମୟ ଚାଲିଯିବ

ଏ ସମୟ ଚାଲିଯିବ

4 mins
177


P:- 3


ପ୍ରିୟ କାବ୍ୟା; 

ନିଃସବ୍ଧ ହୋଇଗଲି ପେପରରୁ ପଢି ;ପିତା ଓ ପୁତ୍ରଙ୍କ ଜଳିଲା ଗୋଟିଏ ଯୁଇ।ଅବସର ପ୍ରାପ୍ତ କର୍ଣ୍ଣେଲ ଶ୍ରୀନିବାସ ଚୌଧୁରୀ ଏବଂ ତାଙ୍କ ପୁତ୍ର ପୋଲିସ ଏସ୍ ଆଇ ବିକେଶ ଚୌଧୁରୀ ଦିଲ୍ଲୀରେ ଅକ୍ସିଜେନ ଅଭାବରୁ କରୋନାରେ ମୃତ।

ତୋର ଏ ଘୋର ଦୁର୍ଦ୍ଦିନରେ ଆଠ ଦିନ ହେବ ଚିଠିଟିଏ ଲେଖିବି ଲେଖିବି ହେଉଛି।କିନ୍ତୁ ଶବ୍ଦ କାହିଁ ଯେ ! ଏ ସଂସାରରେ ଏମିତି କଣ ଶବ୍ଦ ଅଛି ତୋ ସଦ୍ୟ କଞ୍ଚା ଘା କୁ ଶୁଖାଇବା ପାଇଁ ! ବେଳେ ବେଳେ ଶବ୍ଦ ମାନେ ନିଅଂଟ ପଡନ୍ତି ସାନ୍ତ୍ୱନା ଦେବାପାଇଁ।

କ୍ଷତ ଟା କଣ ଛୋଟିଆ ! ନା କ୍ଷତିର ଆକଳନ କରିହେବ ! ଅତି ଛାତି ଫଟା ଦୁଃସମ୍ବାଦ।

ନିଜକୁ ଅବିଶ୍ବାସ ଲାଗିଲା ଯଦିଓ ଫୋଟୋ ଚିହ୍ନି ପାରୁଥିଲି ।ତଥାପି ଏ ଖବର ମିଛ ହେଉ ଭାବି ମା କୁ ଫୋନ୍ କରି ବୁଝିଲି ଯେ କଥାଟି ସତ୍ୟ। ମୋ ମୁଣ୍ଡ ଦୁଇ ଚାରି ଦିନ ଯାଏ କାମ କଲାନି।ତୋ ରୂପ ମୋ ଆଖି ଆଗରେ ଆସି ଠିଆ ହେଉଛି। ମୁଁ ନିଜ ଆୟତ୍ତରେ ରହି ପାରୁ ନାହିଁ।

ଓଃ କି ମଳିନ ତୋ ଜଳିବା ମୁହଁ ! ଆଖିରେ ପ୍ରଶାନ୍ତ ମହାସାଗର ଭର୍ତ୍ତୀ।କେଶ ବାସ ବିପର୍ଯ୍ୟସ୍ତ।ମଥା ଓ ହାତ ଖାଲି।କଜ୍ଜ୍ଵଳ ଲିପିଷ୍ଟିକ୍ ନହେଲେ ବାହାରକୁ ଆଦୌ ବାହାରୁ   ନଥିବା ଝିଅ ତୁ।ଶୁଖିଲା ଓଠ, କଳା ବିନା ଆଖି ଦିଟା ଚିଲା ଚିଲା। ଧଳା ଡ୍ରେସ ଭିତରେ ଚମ୍ପା ଗୋରୀ ଝିଅଟି ମନ୍ଦିର ପଛପଡ଼େ ଅଯତ୍ନରେ ବିଛେଇ ହୋଇ ପଡ଼ିଥିବା ଛଡା ଫୁଲ ପରି କାନ୍ଥକୁ ଆଉଜି କାନ୍ଥ ହୋଇ ଯାଇଛୁ।ପଲକ ନ ପକାଇ କେବଳ ଚାହିଛୁ ତୁ।

ଅଣନିଃଶ୍ଵାସୀ ଲାଗିଲା।ଯୁଆଡେ ଚାହିଁଲା ତୋର ଏଇ ରୂପ ମୋ ନିଦ ହଜେଇ ପ୍ରେସର ବଢ଼େଇ ଦେଲାଣି।

କାବ୍ୟା! ବିହି ତୋତେ କେତେ କାଳ ବସି ଗଢି ଥିଲା କେଜାଣି ତୋ ରୂପ ନିହାତି ଦେଖିଲା ପରି।ସୁନା ତୋ ଦେହରେ ପିନ୍ଧିଲେ ଦିଶେନି।ଚୁଟି ପୁଳାଏ ବି ପାଇଛୁ।ତୋର ମନେ ଅଛି କାବ୍ୟା ! ହଷ୍ଟେଲରେ ଥିଲା ବେଳେ ତୋ ଚୁଟି ଆଣି ମୋ ମୁଣ୍ଡରେ କେମିତି ଯୋଡ଼େ ! ତୋ ଦେହରେ ଘଷି ହୋଇ କୁହେ ମୋ ଦେହକୁ ତୋ ରଙ୍ଗ ଟିକେ ଦେ ? ତୁ ଖିଲି ଖିଲି ହସି ଉଠି ମୋ ବେକରେ ତୋ ବାହୁ ବନ୍ଧନ କରି ମୋ ଆଖିରେ ଆଖି ରଖି କହୁ ମୋ ମେଘାଟି କେଉଁ ରୂପ ଗୁଣରେ କମ୍ କି ଚୁଟି ,ରଙ୍ଗ,  ଧାର ନେବ ! ମୁନୀ ମତି ଭ୍ରମ ହୋଇଯିବା ପାଇ ଯଥେଷ୍ଟ ରୂପ ଦେଇଛନ୍ତି ତୋତେ ଈଶ୍ବର। ମୋ ପରି ତୁ ବେହେଡା ଦାନ୍ତି ନା ଏଡ଼େ ଖଣ୍ଡା ନାକ ତୋର!

ସେଇ ତ ତୋ ଚମତ୍କାର ରୂପର ଚାବି କାଠି କାବ୍ୟା।

ସତରେ ନାଁ ଅନୁସାରେ ତୁ କେଉଁ କବିର ଜହ୍ନ କଡ଼ ଲେଉଟାଉ ଥିବା କବିତା ପରି।

 ଆଉ ତୁ ମେଘ ଆକାଶର ବିଦ୍ୟୁତ ମେଘା।

 ଏମିତି ଦୁଇ ସାଙ୍ଗ କଥା ହୋଇ ଖୁବ୍ ମଜା କରୁ।କାବ୍ୟା ସିନା ମୋ ମନ ବୁଝିବା ପାଇଁ ଏମିତି କୁହେ ! ବାସ୍ତବିକ କିନ୍ତୁ ତା ସୁନ୍ଦର ପାସାଙ୍ଗରେ ମୁଁ ଆଦୌ ପଡିବି ନାହିଁ।ଶ୍ୟାମଳି ଟା ପରା ମୁଁ ମେଘ ପରି ଦେହ।

ବେଳେ ବେଳେ କୁଆଁରୀ ମନ ତଳେ ନିଆଁ ଲାଗେ।ତୁ କହୁ କିଏ ଜାଣେ କେଉଁ ଅଦେଖା ହାତ ସହ ଆମ ଭାଗ୍ୟ ଡୋର ଯୋଡ଼ାଯିବ। ସେ ଅଚିହ୍ନା ମଣିଷ କେମିତି ହୋଇଥିବ। 

ହୁଁ ତୋ ମନ ମଣିଷଟି କୋଟିଏରେ ଗୋଟିଏ ରାଜକୁମାର ଠାରୁ ସୁନ୍ଦର ହୋଇଥିବ। ମନଟି ତାର ମହୁଥୋପା ପରି ହେବା ଦରକାର।ଯାହାକୁ ସାରା ଜୀବନ ଚାଟି ଖାଇଲେ ବି ଶେଷ ଟିକକ ପର୍ଯ୍ୟନ୍ତ ମିଠା ହିଁ ମିଠା ଲାଗୁଥିବ।

ହଜାର ହିରୋଙ୍କ ଫୋଟୋ ଦେଖାହୁଏ।କାହାର କିଛି ନା କିଛି ଖୁଣ ବାହାର କରି ରିଜେକ୍ଟ୍ କରି ଦିଆଯାଏ।ଶେଷରେ ଦୀର୍ଘଶ୍ଵାସ ଛାଡି କହୁ ,ଧେତ୍ ମୋ ପାଇଁ ପୁଅ ଜନ୍ମ ହୋଇନି ଯା।କେହି ତ ମୋ ମନ ପସନ୍ଦ ହେଉ ନାହାନ୍ତି।ବୋଧେ ଅବିବାହିତ ରହିବା ମୋ ଭାଗ୍ୟରେ ଅଛି।

ଏତେ ସୁନ୍ଦରୀ ପୁଣି ଇଙ୍ଗିଲିଶ ଅନର୍ସରେ ଟପର୍ ହୋଇବି ତୁ କେମିତି କାହାକୁ ଭଲ ପାଉନୁ ବୋଲି ପଚାରିଲେ କହୁ ମୋ ପସନ୍ଦିଆ ପୁଅଟେ ମିଳିଲେ ସିନା।ଅଗା ବଗା ଯାହାକୁ ନାଇଁ ତାକୁ ମୋ ସୁନ୍ଦର ମନଟି ଦେଇ ଦେବି ନା କଣ ? ଦେଖିବୁ ମେଘା ମୋ ବାପା ବାଛି ବାଛି ପୁଅଟେ ଖୋଜି ଆଣି ଦେବେ। ଝିଅର ବର ଖୋଜିବା ସୁଖଟି ବାପାମା ଭୋଗିବା ଦରକାର ନା।କାହିଁକି ମନକୁ ମନ କାହା ପାଲରେ ପଡି ଜୀବନ ନଷ୍ଟ କରିବା ସହ ବାପାମାଙ୍କ ମନରେ ଦୁଃଖ ଦେବା!

କେତେ ସଂସ୍କାରି ସୁବିଚାର ଝିଅଟିଏ ତୁ ! ସବୁ ଯୁଗେ ଅତି ଭଲ ମାନେ ଏମିତି ଦାରୁଣ ଦଣ୍ଡ ଭୋଗନ୍ତି ନା କଣ ? ମୋ ପିୟୁସି କେତେ ବଢ଼ିଆ ଝିଅ କହିଲୁ ଚାଳିଶି ନ ପୁରୁଣୁ ପିୟୁସା ଙ୍କୁ ସବୁଦିନ ହରାଇ ପୁଅ ଝିଅକୁ ନେଇ ଏକା ଏକା ଚାଲୁଛି।

ଈଶ୍ୱର କିଏ ? କାହିଁକି ଏପରି କରନ୍ତି ମଣିଷଙ୍କ ସହ ସେ !!

ଆହୁରି ମନେ ପଡୁଛି ତୋ ବିଶ୍ବାସକୁ ସତ କରି ତୋ ବାବା ସତକୁ ସତ ବିକେଶ ପରି ଜ୍ବାଇଁଟିଏ ତୋ ପାଇଁ ଖୋଜି ଦେଇଥିଲେ। ତୋ ବାହାଘର ଦିନ ତୁମ ଯୋଡିକି ଦେଖି ଭଗବାନ ବି ଈର୍ଷା କରିଥିବେ କି କଣ? ସତରେ ଏ ପୃଥିବୀରେ ଏମିତି ଯୋଡି ସମ୍ଭବ ! ମୁଁ ତୋତେ ଚିମୁଡ଼ି ଦେଇ କହିଥିଲି , ତୋ ମନ ଲାଖି ଯୋଡି ପାଇଲୁ ତ ..। ତୁ କହିଥିଲୁ ମୋ ବାପାଙ୍କ ଉପରେ ଭରସା ଓ ବିଶ୍ବାସ ଥିଲା। ତା ଛଡା ଏଇ ମାଙ୍କଡ଼ ମୋ ପାଇଁ ତ ଜନ୍ମ ନେଇଛି, ମୋର ନ ହୋଇ ଆଉ କାହାର ହୁଅନ୍ତା !

ମାତ୍ର ବିବାହ ପାଞ୍ଚଟି ବର୍ଷ ହୋଇଛି କି ନାହିଁ ତୋ ଭାଗ୍ୟରେ ପୁଣି ଏ ଦାରୁଣ ଦୁଃସମ୍ବାଦ ! କାବ୍ୟା ଜୀବନର କେତେବେଳେ କେଉଁ ରଙ୍ଗ କିଏ କହିବ ! କାହାର କେତେବେଳେ କଣ ଘଟିବ ଛାର ମଣିଷ କଣ ଜାଣିଛି! କିଏ କାହାକୁ ବୁଝାଉଥିବ କାବ୍ୟା ! ଶାଶୁଙ୍କୁ ତୁ ନା ଶାଶୁ ତୋତେ !

ସବୁବେଳେ କହୁ ମେଘା ବାହାଘର ଚାରି ପୁରି ପାଞ୍ଚ ଚାଲିଲା କିନ୍ତୁ ଆମେ ଦୁଇଜଣ ମନ ଭରି ବଞ୍ଚି ପାରିନୁ ଦାମ୍ପତ୍ୟ ଜୀବନ। ମୁଁ ଓଡ଼ିଶାରେ ଅଧ୍ୟାପକ ସେ କାଶ୍ମୀରି ରେ ଏସ୍ ଆଇ।ପ୍ରେମରେ ବଞ୍ଚିବାକୁ ଯଥେଷ୍ଟ ସମୟ ନାହିଁ ଆମ ହାତରେ।ମୋର ଛୁଟି ଥିଲେ ତାଙ୍କର ଡିୟୁଟି।ତାଙ୍କର ଛୁଟି ଥିଲେ ମୋର କଲେଜ। ସତ କହୁଛି ମେଘା ବିକେଶଙ୍କୁ ପାଖରୁ ଛାଡିବାକୁ ଆଦୌ ମନ କୁହେନି ଘଂଟାଏ।

ଏସବୁ କଥା ମନେ ପକାଇ ଭାବୁଛି ଆଜୀବନ ବିକେଶଙ୍କୁ ହରେଇ ତୁ କେମିତି ବଂଚିବୁ?

ବତିଶି ବର୍ଷର ଝିଅଟି ତୁ।ତୋ ବୟସର ଝିଅ ବାହା ବି ହୋଇ ନାହାନ୍ତି।କି ମହାମାରୀ କରୋନା ଆସିଲା କାବ୍ୟା ହା ହା କାର ଛାଇଦେଲା ! ଏକା ତୁ ନୋହୁଁ ସାରା ବିଶ୍ୱ କାନ୍ଦୁଛି। କେତେ ତୋ ପରି ଲୁହ ପିଉଛନ୍ତି।ପ୍ରିୟ ଜନ ଶେଷ ଦର୍ଶନ ବି ଭାଗ୍ୟରେ ନାହିଁ ! ଛୁଇଁବା ମନା ,ଦେଖିବା ମନା।ମାସ୍କ ଓ ଦୂରତା ଭିତରେ ସୁରକ୍ଷିତ ହେବାର ମନ୍ତ୍ର !

କାବ୍ୟା ତୋର ଏ ଅକାଳ ଚଡକ ସମୟରେ କାହାର କୌଣସି କଥା କିଛି ଗୁରୁତ୍ୱ ରଖେନି। ଏ ଦାରୁଣ ଦୁଃଖ ସମୟରେ ତୁ କେବଳ ନିଜକୁ ବୁଝେଇବୁ।କାହିଁକି ନା ଭୋଗିବୁ ତୁ, ବଂଚିବୁ ତୁ। ଅନ୍ୟ ମାନଙ୍କ କାମ ବୁଝେଇବେ କହିବେ।କିନ୍ତୁ ତୋ କାମ ତୁ ନିଜକୁ ବୁଝେଇବୁ। ନିଃଶ୍ବାସ ଚାଲୁଥିବା ଯାଏ ଆମେ ତ ବଂଚିଛେ ନା !

କାବ୍ୟା !ହୁଏତ ଅମୃତମୟ ଜୀବନ ତୋର ଏଇଠୁ ଆରମ୍ଭ ନ ହେବ କିଏ କହିବ ! ଈଶ୍ୱର ତୋ ପାଇଁ କିଛି ତ ନିଶ୍ଚୟ ସ୍ଥିର କରିଥିବେ। ତୋ ହାତରେ ବିକେଶ ତାର ପରିବାର ଓ ମା କୁ ସମର୍ପି ଦେଇ ଯାଉଛନ୍ତି।ମହା ବ୍ୟାତ୍ୟରେ ଉପୁଡି ପଡ଼ିଥିବା କିଛି ଗଛ କେମିତି ଅଣ୍ଟା ସଳଖି ଠିଆ ହୋଇଥିଲେ ଆପେ ଆପେ ତୁ ଜାଣିଛୁ।ତୋତେ ସେମିତି ଠିଆ ହେବାକୁ ପଡିବ।ସମୟ ସବୁ କ୍ଷତ ଉପରେ ଧୂଳି ଜମେଇ ଦେବ। ଅବଶ୍ୟ ତୋ ହୃଦୟର ଘା ଉପରେ ଶୁଖିଲେ ବି ଭିତରେ ଦଲ ଦଲ ରହିବ।କିନ୍ତୁ ଆମେ ନାଚାର।କଣ ବା କରି ପାରିବା ? ବାଧ୍ୟ କରି ଛାଟ ମାରି ମନକୁ ବୁଝାଇ ଆଗକୁ ଦେଖିବାକୁ ପଡିବ,ନିଜକୁ ଭଲ ପାଇବାକୁ ହେବ।

ଶେଷରେ ଏତିକି କହିବି ଏ ଏ ସମୟ ଚାଲିଯିବ ।

ରହୁଛି ମୋ ହୃଦୟର ସମସ୍ତ ଭଲ ପାଇବା ସହ।

ତୋର

                ମେଘା



Rate this content
Log in

Similar oriya story from Tragedy