Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Bibhu Samanta

Tragedy Others

4.0  

Bibhu Samanta

Tragedy Others

ଏ ଗପ ନୀଳାମ୍ବରର

ଏ ଗପ ନୀଳାମ୍ବରର

4 mins
380



" ତମେ ବୁଝୁନ କାହିଁ ରେବ,ସବୁ ଅନୁଭୂତିକୁ ଶବ୍ଦ ମିଳେନାହିଁ। ସବୁ ଚିଠିର ବି ଠିକଣା ନଥାଏ। କିଛି ଡାକ ଘରକୁ ଯାଏ କିଛି ରହିଯାଏ ଡାଏରି ଭିତରେ। ମୁଁ ସେମିତି ଲଫପାଟେ। ଭିନ୍ନ ଏକ ପଥର ଯାତ୍ରୀ ଯାହା ପାଇଁ ପ୍ରେମ ଏକ ଦୁରୁହ ବ୍ୟାପାର। ବାହ୍ୟ ଚାକଚକ୍ୟ ଅତି ଆଡମ୍ବରରେ ମୋର ଆକର୍ଷଣ ନାହିଁ। ଏମିତି କହିପାର ମୁଁ ଖୁବ ଆଉଟ ଡେଟେଡ଼। ମୋ ଭରଷାରେ ରହିଲେ ତୁମେ ଯନ୍ତ୍ରଣା ଛଡା କିଛି ପାଇବନି । ଯାଅ, ବାଛିନିଅ ଜଣକୁ ଯେ ତମକୁ ବୁଝି ପାରିବ। ଯେ ତମ ହସ ଲୁହର ସାଥି ହୋଇ ପାରିବ। " ଏତିକି କହି ଶୂନ୍ୟକୁ ଦେଖୁଥିଲା ନୀଳାମ୍ବର। 


"ସବୁ ଝିଅ ସୁନ୍ଦର ଚେହେରା, ମିଠା କଥା ଆଉ ରୂପ ପ୍ରଶଂସାରେ ଆକର୍ଷିତ ହୁଅନ୍ତିନି। କାହାକୁ ସାଧାସିଧା ,ଗାଉଁଲି ବୁଦ୍ଦୁ ବି ଭଲ ଲାଗନ୍ତି। ତୁମେ କହିବା ଆଗରୁ ମୁଁ ବୁଝି ଯାଇଛି । ପଢି ସାରିଛି ତମ ଆଖିର ପୃଷ୍ଠା ପରେ ପୃଷ୍ଠା। ପ୍ରତି ପୃଷ୍ଠାରେ ପାଇଛି ସେଇ ସ୍ପଷ୍ଟ ନୀର୍ଲିପ୍ତ ଛବିଟିଏ। ମୁଁ ଜାଣେ ତମ ଏ କୃତିମ ଗାମ୍ଭୀର୍ଯ୍ୟ ପଛର ରହସ୍ୟ। ଏହା ଦେଖି ସିନା ଦୁନିଆ ଦୂରେଇ ଯିବ। ହେଲେ ମୁଁ ନୁହେଁ। ମୁଁ ଚିହ୍ନେ ତମ ଭିତରେ ଥିବ ନିରୀହ ଅବୋଧ ଶିଶୁକୁ, ଯେ ଅଳ୍ପ ବୟସରେ ଅନେକ ଦାୟିତ୍ୱ ନେଇ ସାରିଛି ନିଜ ମୁଣ୍ଡ ଉପରକୁ। ତୁମେ ବ୍ୟସ୍ତ ହୁଅନି ନୀଳାମ୍ବର। ମୁଁ ତମକୁ ଅପେକ୍ଷା କରି ରହିଥିବି ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ। ମୁଁ ଅନେକ ଦିନ ଆଗରୁ ବାନ୍ଧି ସାରିଛି ତମ ସାଙ୍ଗେ ମୋ ଜୀବନ। ତୁମ ସ୍ୱୀକୃତିକୁ ଖାତିର୍ କରି। " ଶେଷ ଆଡକୁ ନିଲୁର ମୁହଁକୁ ନିରେଖି ଦେଖୁଥିଲା ରେବତୀ ଖୋଜୁଥିଲା ତା ପାଇଁ ଆଶାର ଝଲକଟିଏ । ଜୀବନରେ ପ୍ରଥମଥର ହସିଲା ନୀଳମ୍ବର। ସେ ହସ ସହମତିର, ପ୍ରେମର।


ପିଲାବେଳୁ ବାପାମାଙ୍କୁ ହରେଇଛି। ନୀଳାମ୍ବର ଖୁବ୍ ସଂଘର୍ଷ କରିଛି ସମୟ ସାଙ୍ଗେ। ହାର୍ ମାନିବା ବୋଧେ ତା ଜାତକରେ ନାହିଁ। କାହିଁ କୋଉ ଜଙ୍ଗଲ ଘେରା ପାଟପୁର ଗାଁ। ଆଉ କାହିଁ ସ୍ମାର୍ଟ ସିଟି ରାଜଧାନୀ। ଏଠି ବଂଚିବା ପାଇଁ ଜୀବନକୁ ବାଜି ଲଗେଇବାକୁ ହୁଏ। ମାଟି ସାଙ୍ଗେ ମିଶି ମାଟି ହେବାକୁ ହୁଏ। ନିଜକୁ ପରିମାର୍ଜିତ କରିବାକୁ ହୁଏ। ବୁଟ୍ ପାଲିସ ଠୁ ଆରମ୍ଭ କରି ପିଲାଙ୍କୁ ଟିଉସନ ପଢେଇବା ଯାଏ ସବୁ କରିଛି ସେ। ସେ ନିଜେ ପଢିବା ସାଙ୍ଗେ ତା ଭାଇ କାହ୍ନାକୁ ବି ପଢେଇଛି । ଦିନ ବେଳେ ମଜୁରୀ କରେ ରାତିରେ ରୋଷେଇ ସାରି ପାଠ ପଢେ। ମିଶ୍ର ବାବୁଙ୍କ ସର୍ଭଣ୍ଟ କ୍ୱାଟରରେ। ତାଙ୍କ ବୋଲହାକ ବି କରିଦିଏ। ସେମାନେ ଘରେ ରହନ୍ତିନି। ଘର ଭଡାରେ ଦେଇ ସେମାନେ ବାହାରେ ନୀଳାମ୍ବର ଜିମାରେ ଛାଡି ଦେଇଛନ୍ତି ସବୁ। ଭଡା ଆଦାୟ କରି ଟଙ୍କା ପଠାଏ। ଘର ଓ ବଗିଚାର ଦେଖାଶୁଣା କରେ। ଏଇଠୁ ଆସିଥିଲା 'ସବୁଜ ବିପ୍ଲବ'ର ପରିକଲ୍ପନା । ଗାଁରେ ଭାରି କଷ୍ଟରେ ନବମ ପାସ କରିଥିଲା ସେ। ଅଭାବ ଅନାଟନ ଭିତରେ ଦି ବର୍ଷ ପାଠ ପଢି ପାରିଲାନି। ପରେ ପଢିଲା, ଆଉ କାହ୍ନାକୁ ପଢେଇଲା। ଦିନ ମଜୁରିଆରୁ ଟିଉସନ ମାଷ୍ଟର ଆଉ ତା ପରେ 'ସବୁଜ ବିପ୍ଳବ'ର ପ୍ରତିଷ୍ଠାତା ପରେ ସେ ଆଉ ପଛକୁ ବୁଲି ଦେଖିନି। ରାଜଧାନୀକୁ ସରସ ସୁନ୍ଦର କରିବା ପାଇଁ ସରକାରଙ୍କ ସହିତ ସେ ଅନୁବନ୍ଧିତ। ରାଜଧାନୀର ରାସ୍ତାଘାଟ, ପାର୍କ, ମନ୍ଦିର ସବୁକୁ ସବୁଜ ଓଢଣୀରେ ନୂଆ ବୋହୁ କରି ସଜେଇବା ତା କାମ। ତା କାମକୁ ସେ ବ୍ରତ କରିନେଇଛି। ଦିନ କେଇଟାରେ ସାଉଁଟିଛି ଅନେକ ପ୍ରଶଂସା, ଅନେକ ପ୍ରତିଷ୍ଠା। ଏବେ ସେ ସବୁଜ ଶିଳ୍ପରେ ଅଗ୍ରଣୀ ନାୟକ ଭାବେ ଗଣା। ସବୁ ଫେରିଲା ତା ପାଖକୁ ଯାହା ସମୟ ନେଇଯାଇଥିଲା। ଖୁବ୍ କମ କଥା କହେ ସେ। ସେ ପାରେନି ନିଜକୁ ପ୍ରତିପାଦିତ କରି। ବାକଯୁଦ୍ଧରେ ହରିଯାଏ ସେ। କିନ୍ତୁ ତା କାମ, ଆଗରେ ହାର ମାନେ ଏ ଦୁନିଆ।


କେତେ ଅନୁଷ୍ଠାନ ତରଫରୁ 'ପ୍ରକୃତି ବନ୍ଧୁ' ପୁରସ୍କାର ପାଇଛି। ଏମିତି ଦିନେ ଏକ କାର୍ଯ୍ୟକ୍ରମରେ ଭେଟିଥିଲା ରେବତୀକୁ। ରେବତୀ ଭିତରେ ସେ ଦେଖିଥିଲା ସୃଜନଶୀଳତା ଓ ସରଳତା ଯାହା ତାକୁ ବିମୁଗ୍ଧ କରିଥିଲା। ରେବତୀ ବି ନୀଳାମ୍ବରର ଦୃଢ ଇଛାଶକ୍ତି ଓ ବିନମ୍ର ଭାବରେ ଆକୃଷ୍ଟ ହୋଇଥିଲା। ଅନେକ ଥର ଭେଟିଲେ ସେମାନେ। ନୀଳାମ୍ବର ସ୍ଵଭାଵ କ୍ରମେ କହିପାରିନି ମନକଥା, ଆଉ ରେବତୀ ସେ ତ ଝିଅଟେ। ଏମିତି ବିତି ଚାଲିଲା ବର୍ଷ ପରେ ବର୍ଷ, ସେମିତି ଚାଲୁଥିଲା ଲୁଚକାଳି ଖେଳ। ନୀଳାମ୍ବର କହିବ ନା ରେବତୀ। ପ୍ରତ୍ୟାଖ୍ୟାନର ଭୟ ଏବେ ବି ତାଙ୍କ ମନରେ। ଆଉ କେହି କାହାକୁ ହରେଇବାକୁ ଚାହାନ୍ତିନି ତା ପରେ। ଏଇ ଛାଇ ଆଲୁଅ ଖେଳରୁ ମୁକ୍ତି ଚାହୁଁଥିଲା ରେବତୀ। କହିଲା ମନକଥା। ନୀଳାମ୍ବର ଏତେ ବଡ଼ ପ୍ରସ୍ତାବ ପାଇଁ ଅପ୍ରସ୍ତୁତ ଥିଲା। ପ୍ରତ୍ୟାଖ୍ୟାନ କଲା। କିନ୍ତୁ ହାର ମାନିଲା ରେବତୀର ଭଲପାଇବା ଆଗେ।


ସବୁ କିଛି ଠିକ୍ ଚଳିଲା କିଛିଦିନ। ହଠାତ୍ ଦିନେ ଏକ ଦୁର୍ଘଟଣାରେ ରେବତୀ ଚାଲିଗଲା। ଏକା ହୋଇଗଲା ନୀଳାମ୍ବର, ଅନେକ ଦିନ ପରେ କେହି ଜଣେ ଜୀବନକୁ ଆସିଥିଲା। ଆଉ ଆସି ଏମିତି ଚାଲିଗଲା। କଣ ଦରକାର ଥିଲା ଆସିବା। ସେ ତ ଯେମିତି ସେମିତି ବଂଚି ଯାଉଥିଲା। ପୁଣି କାହିଁକି ମାୟା ଲଗେଇଦେଲା? ସୁଖ ଦୁଃଖ ବାଣ୍ଟିବାକୁ କେହି ନାହିଁ ପାଖରେ। କାହ୍ନା ହଷ୍ଟେଲରେ ରହି ପଢୁଥାଏ। ଅନେକ ବୁଝାଏ। ଆଉ ଥରେ ଜୀବନ ଆରମ୍ଭ କରିବାକୁ , ହେଲେ ରେବତୀକୁ କଣ ଭୁଲି ହୁଏ? ତାକୁ ଏଡି କଣ ଆଗକୁ ଯାଇ ହୁଏ? ତା ପ୍ରତିଟି କଥା କାନରେ ବାଜେ। ତା' ଅବର୍ତ୍ତମାନରେ ବି ଅସ୍ତିତ୍ବକୁ ଅନୁଭବ କରେ ନୀଳାମ୍ବର। ତା ଭାଗ୍ୟରେ ପ୍ରେମ ନାହିଁ ଏକଥା ବୁଝିଯାଏ। ପ୍ରେମ ପାଇଁ ବିତୃଷ୍ଣା ଭାବ ଆସିଯାଇଥିଲା।


ବୟସର ଅପରାହ୍ନରେ ହାତରେ ସିଗାର ଓ ସ୍କଚ ଗ୍ଲାସ ଧରି ଏକ ବହୁତଳ ପ୍ରାସାଦର ବାଲକୋନି ଠିଆ ହେଇ ବୁଡିଥିଲା ଆକାଶର ନୀଳିମାରେ। ନିସଙ୍ଗତାର ରଙ୍ଗ ବୋଧେ ନୀଳ, ଯାହା ଆବୋରି ରଖିଛି ତା ବର୍ତ୍ତମାନ ଓ ଭବିଷ୍ୟକୁ ଏଥିରୁ ମୁକୁଳିଯିବା ସହଜ ନୁହେଁ। ସ୍ମୃତିର ବେଡି ପାଦକୁ ପଛକୁ ଭିଡ଼େ। ଆଉ ନୀରବରେ ତା ସାଙ୍ଗେ ସାଲିସ କରିନିଏ ସେ । ଆକଣ୍ଠ ପି ଯାଏ, ସବୁ ନିସଙ୍ଗତାକୁ ପିଆଲାରେ ଭରି। ଉଡେଇ ଦିଏ ଆକାଶକୁ ମେଞ୍ଚାମେଞ୍ଚା ଧଳା ଧୂଆଁ। ଆର ଘରୁ ଶୁଭୁ ଥାଏ କାହ୍ନା ଓ ତା ବାନ୍ଧବୀଙ୍କ ଫିସଫିସ କଥା ଆଉ ଖିଲଖିଲ ହସ। ବୁଝିନିଏ ଅନୁଭୁତିରୁ ନିଳାମ୍ବର ମାନେ ଏମିତି, ଯେଉଁମାନଙ୍କ ପାଇଁ ପ୍ରେମର ସଂଜ୍ଞା ଭିନ୍ନ। ନିଜ ଦୁଃଖକୁ ଭୁଲି ଅନ୍ୟର ଖୁସିରେ ସାମିଲ ହେବା କାହାର ସାହାରା ହୋଇ ଛିଡା ହେବା କଣ ପ୍ରେମ ନୁହେଁ? ରେବତୀର ସ୍ମୃତି ରୋମନ୍ଥନ କରୁକରୁ , ପବନରେ ଉଡି ଆସି ସବୁଜ ପତ୍ରଟିଏ ଜଡେଇ ହୋଇଗଲା ତା ଦେହରେ।


Rate this content
Log in

More oriya story from Bibhu Samanta

Similar oriya story from Tragedy