ଦୂଷ୍ପ୍ରଚାର
ଦୂଷ୍ପ୍ରଚାର
ଦେଶରେ ସାଧାରଣ ନିର୍ବାଚନ ଘୋଷଣା କରାଯାଇସାରିଥିଲା। ଗେରୁଆ ବସ୍ତ୍ର ପରିଧାନ କରି ମଥାରେ ତିଲକ ଶୃଙ୍ଗାର ପୂର୍ବକ ନେତା ମହାଶୟ ଜାତୀୟ ଟେଲିଭିଜନ୍ ବିତର୍କରେ ବାରମ୍ବାର ଗର୍ଜୁଥିଲେ, "ହିନ୍ଦୁ ଗରିଷ୍ଠ ହିନ୍ଦୁସ୍ଥାନରେ ଆଜି ହିନ୍ଦୁ ବିପଦରେ। ହିନ୍ଦୁମାନଙ୍କୁ ଆପଣାର ଅସ୍ତିତ୍ବ ରକ୍ଷା କରିବା ପାଇଁ ଜାଗ୍ରତ ରହିବାକୁ ପଡ଼ିବ। ଆମେ ହିଁ କେବଳ ହିନ୍ଦୁମାନଙ୍କ ସ୍ବାର୍ଥ ସୁରକ୍ଷା ପାଇଁ ପ୍ରତିଜ୍ଞାବଦ୍ଧ."ସେହି ହିନ୍ଦୁତ୍ବବାଦୀ ନେତାଙ୍କ ଜାଆଁଳା ପୁଅ-ଝିଅ ପାଠ ପଢୁଥିଲେ ଦେଶର ସୁପ୍ରସିଦ୍ଧ କନଭେଣ୍ଟ୍ ସ୍କୁଲରେ। ସହରରେ ଥିବା ତାଙ୍କର ବିଖ୍ୟାତ ଆରବୀୟ ରେସ୍ତୋରାଁରେ ଖାଦ୍ୟ ପ୍ରସ୍ତୁତ ହୋଇ ପରସା ଯାଉଥିଲା ଏକ ବିଶେଷ ସଂଖ୍ୟାଲଘୁ ସମ୍ପ୍ରଦାୟର ପାଚକମାନଙ୍କ ଦ୍ବାରା। ବ୍ଯକ୍ତିଗତ ଜୀବନର ସତ୍ୟତାକୁ ବୃତ୍ତିଗତ ଜୀବନର ସଫଳତା ନିମନ୍ତେ ରସାତଳରେ ସମାଧି ଦେଇ ଦେଇଥିଲେ ନେତା ମହାଶୟ ବାକ୍ ଚାତୁରୀରେ!
