Satyabati Swain

Tragedy

2  

Satyabati Swain

Tragedy

ଦୁର୍ଘଟଣା

ଦୁର୍ଘଟଣା

5 mins
145


ଦୁର୍ଘଟଣା


ମୋ ଆୟୁଷର ଛଅ ମାସ କେମିତି କଟିଛି ମୁଁ ଜାଣିନି ।


ସେଦିନ ଥାଏ ଶୁକ୍ରବାର ଡିସେମ୍ବର ମାସ ଚବିଶି ତାରିଖ ।


ସମୟ ଅପରାହ୍ନ ଚାରିଟା ପଇଁଚାଳିଶ ମିନିଟ୍ ।


ଘର ଫେରନ୍ତା ମନ । ଆମେ ଉଭୟେ ସ୍ୱାମିସ୍ତ୍ରୀ ସ୍କୁଲ ଶିକ୍ଷକ । ସ୍କୁଲ ଛୁଟି ପରେ ମୁଁ ମୋ ମିଷ୍ଟର ଙ୍କ ସହ ଆସୁଥାଏ । ଘରେ ପହଁଞ୍ଚି ବାକୁ ଆଉ ମାତ୍ର ଚାରି ମିନିଟ୍ ର ବାଟ ଥାଏ । ଯୋଗଧାରୀ ପାଖରେ ଗୋଟିଏ ବଡ଼ ଚାକୁଣ୍ଡା ଗଛ ରାସ୍ତା ଦାଢରେ ଠିଆ ହୋଇଛି । ତା ପାଖକୁ ଲାଗି ମୁଗ ବିଲ । ପ୍ରାୟତଃ ଦୁଇଶହ ମାଙ୍କଡ଼ ମୁଗ ଥାଉଥାନ୍ତି ବୋଲି ମୁଗ କିଆରି ମାଲିକ ତାଳ ଫୋଟକା ବାଣ ଫୁଟେଇ ଦେଲେ । ଯେମିତି ଠୋ କରି ଶବ୍ଦ ହୋଇଛି କିଲା କିଲା ହୋଇ ସବୁ ମାଙ୍କଡ଼ ଚାକୁଣ୍ଡା ଗଛକୁ ପଳେଇ ଆସିଲେ । ଛୋଟ ଏକ ଡାଳରେ ଏକା ଥରେ ଗୁଡାଏ ମାଙ୍କଡ଼ ଡିଆଁ ମାରି ବସି ପଡିବାରୁ ଡାଳଟି ଭାର ସହି ନପାରି ଭାଙ୍ଗି ପଡ଼ିଲା । ସେଥିରେ ବସିଥିବା ମାଙ୍କଡ଼ ଦୁଲ୍ ଦାଲ୍ ତଳେ ପଡି ରାସ୍ତା ପାର ହେଲା ବେଳକୁ ଆମ ବାଇକ୍ ପାସ୍ କରୁଥିଲା । ଗାଡି ମଟର ଭର୍ତ୍ତୀ ରାସ୍ତା । ତେଣୁ ଟ୍ରକ ଓ ଏଣୁ ବସ୍ଟିଏ ଆସୁଥାଏ । ପଛରେ ବାଣ ଫୁଟୁଛି । ମାଙ୍କଡ଼ମାନେ ଭୟ ପାଇଁ ରାସ୍ତା ପାରି ହେବାକୁ ବ୍ୟାକୁଳ ।


ମିଷ୍ଟରଙ୍କ ଗାଡି ମାତ୍ର କୋଟିଏ ସ୍ପୀଡ଼ରେ ଥାଏ । ମାଙ୍କଡ଼ଟିଏ ମୋ କାନ୍ଧ ଉପରେ ଗୋଡ଼ ଥୋଇ ଫକ୍କିନା ଡେଇଁ ପଡିଲା ଆର ପଟକୁ । ମୁଁ ଇନ୍ ବାଲାନ୍ସ ହୋଇ ଗଳି ପଡ଼ି ତିନି ଗଡା ଦେଇ । ଫୁଟବଲ୍ ପରି ଗଡି ଗଡି ଯାଇ ପଡିଲି ଖାଲୁଆ ବିଲରେ । ପଡିବା ମୁଁ ଜାଣିଛି । କିନ୍ତୁ ତାପରେ କଣ ହୋଇଛି ମୁଁ ଜାଣି ନାହିଁ ।


ସ୍ୱାଭାବିକ ହେବା ପରେ ମୋ ମିଷ୍ଟର କହିଲେ ସେ ଜାଣି ପାରି ନାହାନ୍ତି ମୁଁ ପଡିଛି ବୋଲି । ମୋର ଓଜନ ଥିଲା ଅଣ ଚାଳିଶି କିଲୋଗ୍ରାମ । ଗାଡି ଅନ୍ୟନ୍ତ ସ୍ଲୋ ଥିଲା । କିଛି ବାଟ ଗଲା ପରେ ସେ ହାଲ୍କା ଅନୁଭବ କରି ପଛ କୁ ଅନେଇଁଲେ, ମୁଁ ନାହିଁ । ସେ ଗାଡି ବୁଲାଇ ମୋତେ ଖୋଜି ଆସିଲା ବେଳକୁ ଆମର କିଛି ଟିଚର୍ ଭାଇ ଓ ଛକ ଲୋକେ ଆମ୍ବୁଲାନ୍ସ ଡାକି ମୋତେ ବସାଉଥିଲେ । ସେଇଠି ଗାଡି ଫୋପାଡ଼ି ଦେଇ ମୋ ମିଷ୍ଟର ମୋତେ ଧରି ଜଗତସିଂହପୁର ହସ୍ପିଟାଲକୁ ନେଇ ଗଲେ । ସେମାନେ ମୋ ଅବସ୍ଥା ଦେଖି ପ୍ରାଥମିକ କିଛି ଚିକିତ୍ସା କରି କଟକ ବଡ଼ ମେଡ଼ିକାଲ୍ ରେଫର୍ କରିଦେଲେ ।


ମୁଣ୍ଡ ଡାହାଣ ସାଉଡ୍ ଫାଟି ଆଁ କରିଥାଏ । ରକ୍ତ ହାବୁକା ହାବୁକା ବାହାରୁଥାଏ । ମୋ ସ୍କୁଲ ୟୁନିଫର୍ମ ପୁରା ରକ୍ତ ଜୁଡୁବୁଡୁ । ରକ୍ତ କ୍ଷରଣ ବନ୍ଦ ହେଉ ନଥାଏ । ମୁଁ ସମ୍ପୂର୍ଣ୍ଣ ନିସ୍ତେଜ । ଡାକିଲେ ରେସ୍ ପଣ୍ଡ୍ କରୁ ନ ଥାଏ ।


ଏଗାର ବର୍ଷର ସାନ ପୁଅଟି ଏକା ଘରେ ଅପେକ୍ଷା କରିଥାଏ । ମୋତେ କହିଥିଲା " ମାମା ଆଜି ଡେଙ୍ଗାପୋଲ ପିଆଜି ଆଣିବ । "ସ୍କୁଲରୁ ଆସି ଖାଇ ନଥାଏ । ପିଆଜିକୁ ଅପେକ୍ଷା କରିଥିଲା । ମୁଁ ପିଆଜି ତ ଆଣିଲି; କିନ୍ତୁ ସେ ଖାଇ ପାରିଲା ନାହିଁ । ଅତି ବେଶୀରେ ସନ୍ଧ୍ୟା ପାଞ୍ଚଟା ଯାଏ ଆମେ ବାହାରେ ରହୁ । ରାତି ସାତଟା ହେବାରୁ ସେ ବ୍ୟସ୍ତ ହୋଇ ପଡ଼ିଲା । ମଉସାଙ୍କ ଘରେ ମୁଁ ଭଡା ନେଇ ରୁହେ । ମାଉସୀଙ୍କ ଆଗେ ମାମା ପାପା ଏଯାଏ ଆସିନାହାନ୍ତି କହି କାନ୍ଦିଲା ।


 ମଉସା ମୋ ମିଷ୍ଟର ଙ୍କ ପାଖକୁ ଫୋନ୍ କରି ଘଟଣା କଣ ଜାଣିଲେ । ଆଲଫା୍ ମୋ ସାନ ପୁଅକୁ କହିଲେ, ସ୍କୁଲ କାମରେ ପାପା ମାମା କଟକ ଯାଇଛନ୍ତି । ଆମକୁ ଫୋନ୍ କରି କହିଲେ । ତୁ ଆମ ପାଖେ ରହିବୁ । ପ୍ରତି ଦିନ ଦଶଟାରେ ଘରେ ତାଲା ଦେଇ ପୁଅ ସହ ଆମେ ଦୁଇ ଜଣ ସ୍କୁଲ ଯାଉ । ଆଲଫା ସ୍କୁଲ ବସ୍ ରେ ଯାଏ । ଠିକ୍ ସାଡେ ଚାରିଟାରେ ସେ ଘରେ ପହଞ୍ଚେ । ତା ପରେ ପରେ ଆମେ । ଏହା ଆମ ରୂଟିନ୍ ଲାଇଫ୍ । ଆଲ୍ଫା ସେଦିନ ଖୁବ୍ ଚୁପ୍ ଚାପ୍ ଥିଲା । ଆମକୁ ଛାଡି ପ୍ରଥମ ଥର ସେ ଏକା ରହିଥିଲା ସେଦିନ ।


ଆଠ ଦିନ ପରେ ମୁଁ ଆଖି ଖୋଲିଲି । ସବୁ ମୋତେ ନାଲି ଦିଶୁଥିଲା । ଦେହର ରଙ୍ଗ ସବୁଜ ହୋଇ ଯାଇଥିଲା । ବେଶୀ ସମୟ ଆଖି ଖୋଲି ବାହାରକୁ ଅନାଇଁ ପାରିଲି ନାହିଁ । ପୁଣି ଆଖି ବୁଜିଦେଲି । ପନ୍ଦର ଦିନ ଆଇ ସି ୟୁରେ ରହିଲା ପରେ ମୋତେ ଜେନେରାଲ ୱାର୍ଡକୁ ସିଫ୍ଟ କରାଗଲା ।


ମାସକ ପରେ ମୋତେ ଘରକୁ ଅଣା ଗଲା । ମଝିରେ ମଝିରେ କେବଳ ଟିକେ ଆଖି ଖୋଲେ । ଇଆଡ଼େ ସିଆଡେ ଅନେଇଁ ପୁଣି ଆଖିବୁଜେ । ତିନି ମାସ ପର୍ଯ୍ୟନ୍ତ ଚାରିପାଖେରେ କଣ ଘଟୁଥିଲା ମୁଁ ଜାଣି ନାହିଁ । ନଳୀ ଦ୍ୱାରା ଫିଡିଂ କରା ଯାଉଥିଲା । ତିନି ମାସ ପରେ ମୋତେ ଡାକିଲେ ମୁଁ ଶୁଣି ପାରୁଥିଲି । କଥା ନ କହିଲେ ବି ଅଙ୍ଗଭଙ୍ଗୀ କରି ମୋ କଥା ପ୍ରକାଶ କରୁଥିଲି । ପ୍ରତି ପନ୍ଦର ଦିନରେ ଥରେ କଟକ ଚେକ୍ ଅପ୍ ପାଇଁ ଯାଉଥିଲି । ସବୁଦିନ ଜଗତସିଂହପୁର ହସ୍ପିଟାଲର୍ ଜଣେ ସ୍ୱାସ୍ଥ୍ୟ କର୍ମୀ ମୁଣ୍ଡ ଡ୍ରେସିଂ କରିବାକୁ ଆସୁଥିଲେ । ଚଉଦଟି ଷ୍ଟିଚ୍ ପଡିଥିଲା ଖପୁରୀରେ । ମୋତେ ଲଣ୍ଡା ବି କରିଦିଆ ଯାଇଥିଲା । ସାରା ଶରୀର ଫୁଲି ରାକ୍ଷସୁଣୀ ପରି ଦିଶୁଥିଲା । କାନ୍ଧ ଉପରେ, ମଥାରେ, ଆଖିତଳେଓ ଗୋଡ଼ ବଳାଗଣ୍ଠିରେ କଣା ହୋଇ ଯାଇଥିଲା ।


ଆଖି ରକ୍ତ ଚହଟି ପୁରା ଲାଲ୍ । ଉଠିବାକୁ ଚେଷ୍ଟା କଲେ ମଧ୍ୟ ଉଠିପାରୁ ନ ଥିଲି ।


ସମସ୍ତେ ଆସ୍ଥା ଛାଡି ଦେଇଥିଲେ ମୋର । କିନ୍ତୁ ସମସ୍ତ ଙ୍କୁ ଚମକେଇ ଛଅ ମାସ ପରେ ମୋ ବେକ ମୂଳେ ହାତ ଦେଇ ଉଠାଇଲେ ମୁଁ ଉଠି ବସିଲି । ମୋ ମିଷ୍ଟର ଟେକି ନେଇ ଲାଟିନରେ ବସାଇବାକୁ ନେଇ ଗଲେ ତାଙ୍କୁ ଧରି ଲାଟିନ ବସି ପାରିଲି । ଆସ୍ତେ ଆସ୍ତେ ୱାଲକ୍ ର ଧରି ବେଡ଼ରୁ ଉଠୁ ଉଠୁ ଖୋଜେ ଖୋଜେ ଚାଲିଲି ।


କିନ୍ତୁ କାହାକୁ ଚିହ୍ନି ପାରିଲି ନାହିଁ । ମୋ ଭାଉଜ ଭାଇଙ୍କୁ ଖୋଜିଲି । ବାପା ମା ଛୁଆ ବେଳୁ ନଥିଲେ ମୋର । ବିଏ ରେ ମୋ ରେଜଲେଟ୍ କଣ ହୋଇଛି ପଚାରିଲି ।


ଡାକ୍ତର କହିଲେ ମୋର ବୟସ କୋଡିଏ ବର୍ଷ ହୋଇ ଯାଇଛି । ଆସ୍ତେ ଆସ୍ତେ ସବୁ ମନେ ପଡିବ । ବିଚଳିତ ନ ହୋଇ ଅପେକ୍ଷା କର ।


ଭାଉଜ ଆସି ମିଷ୍ଟର , ପୁଅ, ଶାଶୁ ଶଶୁର,ଦିଅର

 ,ନଣନ୍ଦଙ୍କୁ ଚିହ୍ନାଉଥାନ୍ତି । ଛଅ ମାସ ଅବଚେତନ 

ଅବସ୍ଥାରେ ଆଉ ଛଅ ମାସ ଅଚିହ୍ନା ହୋଇ ନିଜ ଘରେ ବଂଚିଲି । ଏକବର୍ଷ ପରେ ହଠାତ୍ ଦିନେ ମୁଁ ମୋ ପୁଅ ନାଁ ଧରି ଡାକିଲି । ଡ଼ାକ୍ତର କହିଲେ ଶୁଭ ସୂଚନା । ଏଣିକି ସବୁ ଆସ୍ତେ ଆସ୍ତେ ମନେ ପଡିବ । ଡ଼ାକ୍ତର ଙ୍କ କଥା ସତ ହେଲା । ଧୀରେ ଧୀରେ ଶାଶୁଘର ଲୋକଙ୍କୁ ଚିହ୍ନି ପାରିଲି ।


ଯେଉଁଦିନ ମୋ ମିଷ୍ଟରଙ୍କୁ ସ୍କୁଲରୁ ଆସିଲଣି ବୋଲି ପଚାରିଲି ସେ ଭୋ ଭୋ ବାଜିଲେ । ଭାଵ ପ୍ରବଣ ହୋଇ ମୋତେ କୁଣ୍ଢେଇ ପକାଇ କହିଲେ, ତୁମେ ମୋତେ ଚିହ୍ନି ପାରୁଛ ! ମୁଁ ସ୍କୁଲ ଯାଏ ବୋଲି ଜାଣି ପାରୁଛ! ବର୍ଷେ ହେବ ମୁଁ ଏଇଦିନକୁ ଅପେକ୍ଷା କରିଥିଲି । ତୁମେ ବି ସ୍କୁଲ ଯିବ । ଶୀଘ୍ର ଭଲ ହୋଇଯାଅ । ଆମେ ପୁଣି ସାଙ୍ଗ ହୋଇ ସ୍କୁଲ ଯିବା । ତୁମ ସ୍କୁଲ ପିଲା ଭାରି ଖୋଜୁଛନ୍ତି ତୁମକୁ । "


ମୋ ମିଷ୍ଟର ପୁରା ପାଗଳ ପରି ଦିଶୁଥାନ୍ତି । ମୋ ସେବା ଯତ୍ନ କରି କରି ଖୁବ୍ ଝଡି ଯାଇଥାନ୍ତି । ମୋତେ ବି କାନ୍ଦ ଲାଗିଲା । ଘରେ ସମସ୍ତେ କାନ୍ଦି ପକାଇଲେ । ଆଲ୍ଫା ଆସି ମାମା ମାମା କହି ମୋ କୋଳରେ ପଶିଲା । ସେଦିନ ସମସ୍ତଙ୍କର ଖୁସି କହିଲେ ନ ସରେ । ତାପରେ ଘଣ୍ଟାଏ ଲେଖା ମୁଁ ସ୍କୁଲ ଗଲି । କିନ୍ତୁ ବହିରେ କଣ ଲେଖା ହୋଇଛି ବୁଝି ପାରିଲି ନାହିଁ । କାହାକୁ ଚିହ୍ନି ପାରିଲି ନାହିଁ ।


ଦୁଇ ବର୍ଷ କାଳ ମୁଁ ପରିସ୍ଥିତି ସହ, ନିଜ ସହ ଲଢେ଼ଇ କରି କରି ବଞ୍ଚିଛି । ବହୁ ଯନ୍ତ୍ରଣା ଭୋଗିଲି । ଭୋଗିଛି ସେଇ ଯନ୍ତ୍ରଣା ଯାହା ଅବ୍ୟକ୍ତ । ମୋ ଚେହେରା କି ମୋ ସ୍ୱାଭାଵ ପୁରା ବଦଳି ଯାଇଛି ।


ମୋ ମିଷ୍ଟର ମୋ ପାଇଁ ଯାହା କରିଛନ୍ତି ଭାବିଲେ ଖୁବ୍ କଷ୍ଟ ଲାଗେ । ଦୁଇ ବର୍ଷ କାଳ ମୋତେ ସେ ଦୁଇବର୍ଷ ପିଲା ପରି ସେବା କରିଛନ୍ତି । ଗାଧୋଇବା, ଖୁଆଇବା,ଝାଡା ପରିସ୍ରା ସବୁ ସେ ହିଁ କରିଛନ୍ତି ।


ଦୁର୍ଘଟଣା ମୋ ଜୀବନ ଗତି ପଥ ବଦଳେଇ ଦେଲା । ଏବେ ବି ମୁଣ୍ଡ ଭିତରେ ଗୋଟିଏ ଶିର ଦେଇ ରକ୍ତ ପ୍ରବାହିତ ହେଉ ନାହିଁ । ଦେହରେ ଯେମିତି ଅଛି ଅଛି କରେଣ୍ଟ ଚାଲି ଯାଉଛି । ଯେଉଁଥି ପାଇଁ ଅଧିକ ପାଟିତୁଣ୍ଡ କି ଅଧିକ ଆଲୋକ ଦେଖିଲେ ପ୍ରବଳ ବାନ୍ତି ହେଉଛି ।


ଆଜକୁ ଛଅ ବର୍ଷ ହୋଇଗଲାଣି ମୋ ଦୁର୍ଘଟଣା ।

ତଥାପି ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇନି ମୋ ଜୀବନ । ମୁଣ୍ଡ କଣ ହେବା ସହ ବାନ୍ତି ହେଉଛି ବାରମ୍ବାର ।


ମୁଁ ଜାଣିନି, ମରୁ ମରୁ ଈଶ୍ୱର ମୋତେ କାହିଁକି ବଞ୍ଚେଇଛନ୍ତି ! ଆଉ କଣ ଲେଖିଛନ୍ତି ଭୋଗିବାକୁ ମୋ ଭାଗ୍ୟରେ ।



Rate this content
Log in

Similar oriya story from Tragedy