ଦୁଇହଜାର ଏକୋଇଶି ର ଯାତ୍ରା
ଦୁଇହଜାର ଏକୋଇଶି ର ଯାତ୍ରା
କେବଳ ମୋ ପାଇଁ ବା ମୋ ଦେଶପାଇଁ ନୁହେଁ ସାରା ବିଶ୍ବପାଇଁ ଦୁଇହଜାର ଏକୋଇଶି ଏକ ଅଶୁଭ ବର୍ଷ ଭାବରେ ସମସ୍ତଙ୍କ ସ୍ମୃତିରେ ଲିପିବଦ୍ଧ ହୋଇ ରହିବ ।
ଏହି ବର୍ଷ କରୋନା ପରି ମହାମାରୀର ଦ୍ବିତୀୟ ଲହର ଆସି ବହୁତ ଜନହାନି ଓ କ୍ଷୟକ୍ଷତି ଘଟାଇ ଯାଇଛି।
ପ୍ରତ୍ୟେକ ପରିବାର ତାର କେହି ନା କେହି ପ୍ରୟିଜନଙ୍କୁ ହରାଇ ଦେଇଛି।ମୃତ୍ୟୁର କରାଳ ରୂପକୁ ବହୁତ ପାଖରୁ ଦେଖିଛି ଓ ଅନୁଭବ କରିଛି। ଯଦିଓ କରୋନା ଦୁଇହଜାର କୋଡିଏରୁ ଆସି ଯାଇଥିଲା।ହେଲେ ଏ ରୋଗ ବିଦେଶରେ ଯେତେମାତ୍ରାରେ ପ୍ରବଳ ରୂପ ଧାରଣ କରିଥିଲା ଆମ ଭାରତରେ ତା ଅପେକ୍ଷା ନିଶ୍ଚିତ ଭାବେ କମ୍ ଥିଲା।ଜଗନ୍ନାଥଙ୍କ କୃପା ହେଉ ବା ଭାରତୀୟ ଜଡିବୁଟି ହୋମିଓପ୍ୟାଥିର କମାଲ ହେଉ
ଲୋକେ ଏସବୁ ବ୍ୟବହାର କରି ନିଜକୁ ରୋଗରେ ସଂକ୍ରମିତ ହେବାରୁ ଦୂରେଇ ପାରିଥିଲେ।ତା ସାଙ୍ଗରେ ମୁଖା ଓ ସଂଗରୋଧର ପାଳନ ମଧ୍ୟ କଲେ।ନିୟମିତ ସାନିଟାଇଜ୍ ବ୍ୟବହାର କରି ହାତ ସଫାରଖି ନୀୟମର ପାଳନ କରିଥିଲ।ଆମ ପ୍ରଧାନ ମନ୍ତ୍ରୀଙ୍କ ସଚେତନତା ବାର୍ତ୍ତା ଲୋକଙ୍କୁ ପୂର୍ଣରୂପେ ପ୍ରଭାବିତ କରିଥିଲା ଲକ୍ ଡାଉନ ଓ ସଟ୍ଡାଉନ ଭିତରେ ଲୋକେ ଘରେ ବନ୍ଦୀ ରହିଲେ।ସମସ୍ତେ ନୀୟମକୁ ପାଳୁଥିଲେ।ଅଳ୍ପ ବହୁତ କ୍ଷୟକ୍ଷତି ଘଟାଇ ଏ ରୋଗ ଟିକେ ଦୁର୍ବଳ ପଡିଥିଲା।ହେଲେ ପୁଣି ଦୁଇହଜାର ଏକୋଇଶିରେ ଦ୍ବିତିୟ ଲହର ଧରି ଫେରି ଆସିଲା।ପ୍ରଥମ ଥର ଏରୋଗ ବୃଦ୍ଧ ବୟସ୍କ ଲୋକଙ୍କୁ ଶିକାର କରିଥିବା ବେଳେ। ଦ୍ବିତୀୟ ଲହରରେ ଯୁବପିଢିକୁ ବି ଛାଡିଲାନି।ଗୋଟିଏ ଗୋଟିଏ ପରିବାରର ଦୁଇ ତିନିଜଣ ଚାଲି ଯାଇଛନ୍ତି ସଂସାର ଛାଡି।ଲୋକେ ମଲାବେଳେ ଗଙ୍ଗାପାଣି ଟିକେ ବା ଭାଇବନ୍ଧୁଙ୍କ କାନ୍ଧ ପାଇଲେନି।କୋକେଇରେ ରାମନାମ ସହ ଢୋଲ, କରତାଳରେ ଅନ୍ତିମ ଯାତ୍ରା ହେଉଥିଲା।ହେଲେ କୋଭିଡରେ ମୃତ ଲୋକକୁ କିଟ୍ ଭିତରେ ଘୋଡେଇ ନିଆ ଯାଉଥିଲା।ପ୍ରିୟଜନ କେହି ମୁଖ ଦର୍ଶନ କରି ପାରୁନ ଥିଲେ।ଅନେକ ଲୋକ ବିଦେଶରେ ରହି ମୃତ ହେଲେ ତାଙ୍କର କ୍ରିୟାକର୍ମ ଦଶାହ ଆଦିବି ଭଲରେ କରିହେଲାନି।କେବଳ ବ୍ରାହ୍ମଣକୁ ଡାକି ଘରଲୋକେ ପୂଜାଟେ କରି କାମ ଚଳାଇଦେଲେ।କୋଭିଡ ହୋଇଥିବା ଘରକୁ
କେହି ଅତିଥୀ ବି ଆସିବାକୁ ମଙ୍ଗୁନଥିଲେ ତେଣୁ ଅଳ୍ପ ଲୋକରେ କାମ ଚଳେଇବାକୁ ପଡୁଥିଲା।
ଏହି ଦୁଇହଜାର ଏକୋଇଶିରେ ମୋ ଘରେ ବି କରୋନା ପଶି ଆସିଥିଲା।ଦୁଇହଜାର କୋଡିଏ ବର୍ଷଟି ମୋ ଘରକୁ ପିଲାମାନେ କେହି ଆସି ପାରିନଥିଲେ।ଯିଏ ଯୋଉଠି ଚାକିରି କରୁଥିଲେ ସେଇଠି ଅଟକି ରହିଥିଲେ।
ଗତବର୍ଷ ଫେବୃୟାରି ବେଳକୁ ଲକ୍ଡାଉନ ଟିକେ କୋହଳ ହେବାରୁ ମୋ ଝିଅ ତା ପରିବାର ଧରି ଓଡିଶା ଆସିଗଲା।ସେ ବାଙ୍ଗାଲୋରରେ ଚାକିରି କରେ ଏକ କମ୍ପାନୀରେ ଇଞ୍ଜିନିୟର ଭାବେ।ସ୍ବାମୀ ବି ଏକ କମ୍ପାନୀରେ ଡାଏରେକ୍ଟର ରୂପେ କାମ କରନ୍ତି।
ପିଲାମାନେ ସେଠି ଭିଭିଗିୟର ଇଂରାଜୀ ମିଡିୟମ ସ୍କୁଲରେ ପଢନ୍ତି।
ତା କାକାଶଶୁରର ଝିଅ ବାହାଘର ଥିଲା।ତେଣୁ ପ୍ରଥମେ ଶଶୁର ଘର ଚାଲିଗଲେ।ସେଠି ବିବାହ ସରିବାପରେ ବି ମାସେ ଖଣ୍ଡେ ରହିଲେ।ତାପର ମାେ ଝିଅ ତା ପୁଅ ଦୁଇଜଣକୁ ଧରି ମୋ ଘରକୁ ଚାଲି ଆସିଲା।ଏଠି ଘରେ ରହି ପିଲାମାନେ ଅନଲାଇନ ପାଠ ପଢିଲେ।ଝିଅ ତାର ଅଫିସ କାମ ବି ଅନଲାଇନ ରେ କଲା।
କିଛିଦିନ ଖୁସିରେ କଟିଲା।ଝିଅ ଓ ନାତିମାନେ ଆସିଥିବାରୁ ଘରେ ଖୁସି ଫେରି ଆସିଥିଲା।ନହେଲେ ଆମେ ଦୁଇଜଣ ନିଜ ନିଜ କାମରେ ବ୍ୟସ୍ତ ରହୁ।ସେ ରୋଗି ଦେଖିବାରେ କ୍ଲିନିକରେ ବସିରୁହନ୍ତି ଅଧିକାଂଶ ସମୟ।ଆଉ ମୁଁ ମୋ ଘରକାମ ରୋଷେଇବାସ ସାରି ଲେଖା ଲେଖି ବା ପଢିବାରେ ସମୟ କଟାଏ।ପିଲାଏ ଆସିବାରୁ ଘରେ ଗହଳ ଚହଳ ଲାଗି ରହିଲା।ପିଲାଏ ଖାଇବେ ବୋଲି ଅନେକ ବ୍ୟଞ୍ଜନ ତିଆରି ହେଲା।ବଡା,ପକୁଡି ଓ ଠେଠରି ପିଠା ପିଲାଏ ଭଲ ପାଆନ୍ତି।ସେସବୁ ବନାଇ ଖାଇବାକୁ ଦିଏ।ପପ୍କର୍ନ,ଲେ ଆଳୁଚିପ୍ସ ଆଉ ଯାହା ଫଳ ଖାଆନ୍ତି କିଣି ଆଣି ଦିଏ।ଏପ୍ରିଲ ମାସରେ ସେଠି ଝିଅର ଶାଶୁଘରେ ଜଣକ ମୃତ୍ୟୁହେଲା।ତାଙ୍କର ଦଶାହ କର୍ମକଲେ।ଅନେକ ଲୋକ ଏକତ୍ର ହେଲେ ସେଠି।କାହାକୁ ସେ ଭିତରେ କରୋନା ହୋଇଥିଲା।ଗାଆଁର ବହୁଜଣ ଏ ରୋଗରେ ସଂକ୍ରମିତ ହୋଇଗଲେ।
ସେମାନଙ୍କ ଭିତରେ ଝିଅର କାକା ଶଶୁର ରଣଜିତ୍,ଓ ଦିଅର ଅଜିତ୍ ପ୍ରଥମେ ପୋଜିଟିଭ ବୋଲି ଜଣା ପଡିଲେ।
ଦୁଇଦିନ ପରେ ତା ଶାଶୁ ଓ ଯୋଇଁ ସଂଜିବ ବି ଏହି ରୋଗରେ ସଂକ୍ରମିତ ହୋଇଗଲେ।ଏବେ ଅସୁବିଧା ଆରମ୍ଭ ହୋଇଗଲା।ଚାକରାଣୀ ଆଉ କାମ କରିବାକୁ ଆସିଲାନି।ତା ଶାଶୁ ଦୁଇଦିନ ଭଲ ଥିଲାଯାଏ ଘରକାମ କରିନେଉଥିଲେ।ହେଲେ କରୋନା ହେବାପରେ ଗୋଡ ହାତ ବ୍ୟଥା ମୁଣ୍ଡବ୍ୟଥା ଜ୍ବର ଆଦି ଭୋଗିବାକୁ
ପଡିଲା ।
ଏମିତିରେ କାମ କରିହେଲାନି।ଗାଆଁରେ ଏକ ଛୋଟ ହୋଟେଲଟେ ଅଛି ସେଠୁ ଖାଇବାକୁ ମଗେଇଲେ।ହେଲେ ଗାଆଁ ଲୋକେ ହୋଟେଲ ବାଲାକୁ ଦେବାପାଇଁ ମନାକରିଦେଲେ।ସେମାନେତ କେହି ଘରୁ ବାହାରି ପାରୁନ ଥିଲେ।ଏମିତି ଅବସ୍ଥା ହେଲା ଖାଇବାକୁ ମିଳିଲାନି।ସେମାନେ ବାଧ୍ୟ ହୋଇ ହସପିଟାଲରେ ଭର୍ତ୍ତି ହେବା ସ୍ଥିର କଲେ।କମ ସେ କମ୍ ସେଠି ଖାଇବାକୁ ତ ମିଳିଯିବ।ଏଠି ତ ଟଙ୍କା ଥିଲେ ବି ଭୋକରେ ରହିବାକୁ ପଡୁଛି।ଗାଆଁରେ ରହିବାର ତାଙ୍କର ଯୋଉ ଆଗ୍ରହ ଥିଲା ଏବେ ସେ ସରାଗ ମରି ଯାଇଥିଲା।ମୋ ଯୋଇଁ ଦୀର୍ଘ ତେରବର୍ଷ ଆମେରିକାରେ ଚାକିରି କରିଛି।ସେଠି ଥିଲାବେଳେ ସେ ନିଜ ଗାଁକୁ ବହୁତ ଝୁରି ହେଉଥିଲା।ଗାଁ ଚଳଣୀ ଖାଦ୍ୟପେୟ ତାର ବଡ ପସନ୍ଦ।ସେଥିପାଇଁ ତାକୁ ସୁଯୋଗ ମିଳିବାରୁ ବାଙ୍ଗାଲୋର ଆସିଗଲା।ତା କମ୍ପାନି ଏକ ବ୍ରାଞ୍ଚଖୋଲିଲା ଭାରତରେ।ସେ ସୁଯୋଗରେ ସେ ଭାରତର କାମ ସମ୍ଭାଳିଲା।ଭାରତରେ ରହିଲେ ସେ ଗାଆଁକୁ ମଝିମଝିରେ ଆସି ପାରିବ ବୋଲି ବଡ ଖୁସି ହେଉଥିଲା।ଗାଆଁ ତା ପାଇଁ ବଡ ପ୍ରିୟଥିଲା।ତା ମାଆ ଆସି ଗାଁ ର ମାଟିଘରକୁ ଭାଙ୍ଗି ତିନିମହଲା କଲେ।ରହିବା ଉପଯୋଗି ଆଧୁନିକ ସାମାନ ମାନ ସୁବିଧା କରିଦେଲେ।ଯେମିତି ପାଇଖାନା,ଏସି,ଓ୍ବାସିଙ୍ଗମେସିନ ,ଇନ୍ଭଟର,ଗ୍ୟାସଚୁଲ୍ଲା ଏମିତି ସବୁ।ତାପରେ ଏମାନେ ବର୍ଷକୁ ଦୁଇଥର ଗାଆଁକୁ ଆସୁଥିଲେ ଛୁଟିନେଇ।ଏଥର ବି ଆସିଥିଲେ ଦୁଇତିନିମାସ ରହିବେ ବୋଲି।ଘରୁ ସବୁକାମ କରିବେ ବୋଲି ଓ୍ବାଇଫାଇ ବି ଲଗେଇଥିଲେ। ଗାଁରେ ସମସ୍ତଙ୍କ ସହ ମିଶିକି ଖୁସି ସାଉଣ୍ଟୁଥିଲେ ।ଭବିଷ୍ୟତରେ ଚାକିରି ସରିଲେ ଗାଁରେ ରହିବେ ବୋଲି ଦଶଏକର ଜାଗା ବି କିଣିଥିଲେ।ହେଲେ ଗାଁର ଭାଇଚାରା ଭାବ କରୋନା ଆସି ଭାଙ୍ଗିଦେଲା।
ସେମାନେ ରାଉରକେଲା ଜେ, ପି ହସପିଟାଲକୁ ଫୋନକରି ଚାଲିଗଲେ ସେଠି ଚିକିତ୍ସାପାଇଁ।ସେମାନେ ଗଲାପରେ ସଂଜିବର କାକାଙ୍କ ଅବସ୍ଥା ଖରାପ ହେବାକୁ ଲାଗିଲା।ତଣ୍ଟିବ୍ୟଥାହେଲା ନିଶ୍ବାସ ନେବାକୁ କଷ୍ଟହେଲା।ତାଙ୍କୁ ବି ସେହି ହସପିଟାଲକୁ ନେଇଗଲେ।ସେ ଜେନେରାଲ ଓ୍ବାଡରେ ରହିଲେ।ଏମାନେ କମ୍ପାନୀ ଚାକିରି କରୁଥିବାରୁ ଅଫିସ ତରଫରୁ ଚିକିତ୍ସାଖର୍ଚ୍ଚ ମିଳିବାର ଥିଲା।ତେଣୁ ସେମାନେ ସ୍ବତନ୍ତ୍ର ଚିକିତ୍ସା ପାଇଲେ।ତଥାପି ତିନି ଚାରିଦିନ ବଡକଷ୍ଟ ପାଇଲେ।ହାତ ଗୋଡ ଦରଜରେ ଛିଡି ପଡୁଥାଏ।ମୁଣ୍ଡବ୍ୟଥା ସହ ଜ୍ବର ହେଉଥାଏ।ଖାଇବାକୁ ସବୁ ସ୍ବାଦହିନ ଲାଗୁଥାଏ।ନଖାଇ ଦେହ ଦୁର୍ବଳ ହୋଇଗଲା।ଯାହଉ କିଛିଦିନ କଷ୍ଟପାଇ ଭଲ ହୋଇଗଲେ।ଜ୍ବର ଆଉ ଆସିଲାନି।ପରେ ସେମାନେ ଡିସ୍ଚାର୍ଯ ହୋଇ ଫେରିଆସିଲେ ହସପିଟାଲର ଏକ ଏମ୍ବୁଲାନ୍ସ ରେ।ହେଲେ ଏବେ ଗାଆଁକୁ ଆଉ ଯିବାକୁ ଚାହୁଁନଥିଲେ।କାରଣ ଗାଆଁ ଲୋକଙ୍କ ବ୍ୟବହାର ତାଙ୍କୁ ବଡ ଆଘାତ ଦେଇଥିଲା।ଗାଆଁରେ ବହୁତ କରୋନା ରୋଗି ହେଇ ସାରିଥିଲେ ଏ ଭିତରେ।ହଟସ୍ପଟ୍ ହୋଇ ଯାଇଥିଲା ତାଙ୍କ ଗାଆଁ।ବାହାରୁ କେହି ଭିତରକୁ ଯାଇ ପାରୁନଥିଲେ କି ଭିତରୁ କେହି ବାହାରକୁ ଆସି ପାରୁନ ଥିଲେ।ସେମାନେ ଆମକୁ ଫୋନକରି କହିଲେ ଆମେ ତୁମଘରେ ରହିବୁ।ନିଜ ସଂପର୍କର ଲୋକଙ୍କୁ କେମିତି ମନା କରିଥାନ୍ତୁ।ସେମାନେ ଆମଘରେ ପହଞ୍ଚିଲେ।ଆମର ତିନି ମହଲା ଘର।ତଳେ ଆମେ ରହୁ।ଉପର ଦୁଇଟା ମହଲା ଖାଲିଥିଲା।ଉପର ମହଲାରେ ଖଟଓ ଶୋଇବାର ବ୍ୟବସ୍ଥା ଥିଲା।ଏସି ବି ଦୁଇଟା ବେଡରୁମ ରେ ଲାଗିଥିଲା।
ସେତେବେଳେ ଏପ୍ରିଲ ମାସର ଗରମ ଚାଲିଥାଏ।ବିନା ଏସିରେ ରହି ହେଉନ ଥିଲା।ଏମିତି ଝାରସୁଗୁଡାରେ ଗରମ ଅଧିକ।ସେମାନେ ଉପରେ ଆସି ରହିଲେ।ଆମେ ତଳଘରେ ରୋଷେଇ କରି ଚା ଜଳଖିଆରୁ ଆରମ୍ଭକରି ସବୁ ଉପରେ ନେଇ ଛାଡି ଆସୁଥିଲୁ ବାହାରେ।ସେମାନେ ନେଇ ଖାଇ ସାରିଲା ପରେ ବାସନ ମାଜି ବାହାରେ ଆଣି ଥୋଇ ଦେଉଥିଲେ।ମୋଝିଅ ଉପରକୁ ଯାଇ ଦେବା ନେବା କରୁଥିଲା।ମୋର ଠିକ୍ ସେତିକିବେଳେ ଅଣ୍ଟା ମଲକି ଯାଇଥାଏ।ମୁଁ ଭଲରେ ଚାଲି ପାରୁନଥିଲି।ତେଣୁ ଝିଅ ହିଁ ଦୁଇଟା ମୁଖା ଲଗାଇ ହାତରେ ଗ୍ଲୋଭସ୍ ଲଗାଇ ଏତେ ଉପରକୁ ଦିନକୁ ଆଠଦଶଥର ଚଢା ଉତୁରା
କରୁଥିଲା।ଅଫିସ କାମ ସହ ଏମାନଙ୍କ କାମ ସବୁ ତାକୁ ବଢ ଭିଡ ପଡୁଥିଲା।ତଥାପି ବୋହୁ ହେବାର କର୍ତ୍ତବ୍ୟ ତୁଲାଉ ଥିଲା।ଖାଦ୍ୟ କିଛି ଭଲ ଲାଗୁନଥିଲା ବୋଲି ଘରେଆସି ନିଜ ପସନ୍ଦର ଖାଦ୍ୟ ଖାଇଲେ।ଦହିପଖାଳ,ମହୀଲିଆ,ଆଦି ଖଟାଜିନିଷ ତାଙ୍କୁ ରୁଚିକର ଲାଗୁଥିଲା ସେତେବେଳେ।
ଲଙ୍କାଆଚାର,ଆମ୍ବଆଚାର ଆଦି ଖାଇବାକୁ ଭଲ ଲାଗୁଥିଲା।ଯାହା ଆମଦ୍ବାରା ହେଉଥିଲା କରିକି ଯୋଗାଉଥିଲୁ।ମୁଁ ଅଣ୍ଟାବ୍ୟଥା ହେତୁ ଡାକ୍ତର ପକାଶ ରଣାଙ୍କ ପାଖକୁ ଯାଇ ଫିଜିଓଥେରୋପି ସପ୍ତାହଟେ ନେଲି ତାପରେ ଟିକେ ଭଲରେ ଚାଲି ପାରିଲି।ନହେଲେ ସେମିତି ବ୍ୟଥାଥାଇ ରୋଷେଇ ବାସ ସମ୍ଭାଳୁଥିଲି।
ଏ ସମୟରେ ଲକ୍ ଡାଉନ ଚାଲିଥାଏ।ଦୋକାନ ଆଦି ବନ୍ଦ ଥାଏ।ତରକାରି ପତ୍ର କିଛି ମିଳୁନଥାଏ।ଏତେ ଲୋକଙ୍କ ଖାଦ୍ୟ ଯୋଗାଡ କରିବା ବଡ କଷ୍ଟ ହେଉଥିଲା।କେବଳ ଡାଲି ଚଣା ଆଳୁ ପିଆଜ ଆଦିରେ କାମ ଚଳୁଥିଲା।ଜଣେ ଦୁଇଜଣ ଆମର ସାଙ୍ଗ ପାଖ ଗାଆଁମାନଙ୍କରେ ରହୁ ଥିଲେ। ଯେଉଁମାନେ ନିଜ ବଗିଚାରୁ ଶାଗସବ୍ଜି ତୋଳି ପଠାଇ ଦେଉଥିଲେ।ଜଣେ ପାଚିଲା ଆମ୍ବ, ତାଳସଜ,ପାଚିଲା ଜାମୁ ଆଦି କେତେଥର ପଠାଇ ଦେଇଥିଲେ ।ଆମ ଗାର୍ଡ ଯିଏ ରାତ୍ରୀରେ ଘରଜଗେ ସେ ତାଙ୍କଘରୁ ପାଚିଲା ଆମ୍ବ ପ୍ରତିଦିନ ଆଣି ଦେଉଥିଲା।ତାଙ୍କଘରେ ଗଛଟେ ଥିଲା। ପବନରେ ଯାହା ପାଚିଲା ଆମ୍ବ ପଡୁଥିଲା ଆମପାଇଁ ନେଇ ଆସୁଥିଲା।ଟଙ୍କା ନେବାପାଇଁ ମନା କରୁଥିଲା । ମୁଁ ବାଧ୍ୟକରି କିଛିଟଙ୍କା ଦେଇ ଦେଉଥିଲି।ସାବିତ୍ରୀ ଅମାବାସ୍ୟାରେ ପଣସ ଜାମୁ ଓ ଖଜୁରୀ ବି ଆଣି ଦେଇଥିଲା।ଆଉଜଣେ ବାଡିରୁ ମାଖନଶାଗ,କଦଳି ,କଲରା ଆଦି ମଝିମଝିରେ ଆଣି ଦେଉଥିଲେ।ଯେଉଁମାନେ ଏ ବିପଦ ସମୟରେ କିଛି କିଛି ସାହାଯ୍ୟ କରିଥିଲେ ସେମାନେ ସବୁଦିନ
ପାଇଁ ମୋର ମନେ ରହିବେ।ଏସମୟରେ ଆମ କ୍ଲିନିକ ବି ବନ୍ଦଥିଲା।କମାଣି ବନ୍ଦଥିଲା ପୁରା।କିନ୍ତୁ କାମ କରୁଥିବା ଲୋକଙ୍କୁ ଦରମା ଦେବାକୁ ପଡୁଥିଲା।କ୍ଲିନିକରେ ଦୁଇଜଣ କାମ କରୁଥିଲେ ତାସାଙ୍ଗରେ ଡ୍ରାଇଭର ଓ ଗାର୍ଡର ଦରମା ଦେବାକୁ ପଡୁଥିଲା।ହାତରେ ଥିବା ସବୁ ଟଙ୍କା ସରିଯାଇଥିଲା।ମୁଁ କିଛି ହାତରେ ଜମାକରିଥାଏ ବିପଦ ଆପଦ ପାଇଁ ।ସେଇଟା ବାହାର କରି ନାତିମାନଙ୍କ ପାଇଁ କିଛି କିଣେ ଓ ଘରଖର୍ଚ୍ଚ ଚଳାଏ।ଏସମୟରେ ଦିନରାତି ତଳମହଲା ଓ ଉପରମହଲାରେ ଏସି ଚଳୁଥିଲା ଗରମ ହେତୁ ।ମଟର ବି ବେଶି ସମୟ ଚାଲୁଥିଲା।ସେଥିପାଇଁ ଇଲେକ୍ଟ୍ରିବିଲ ବି ବହୁତ ଆସୁଥିଲା।ଏମିତି ବଡ କଷ୍ଟରେ କଟିଥିଲା ସେ ସମୟ।ଏମାନେ ମୋଠି ରହି ସୁସ୍ଥ ହେଉଥିଲେ ହେଲେ ସଂଜିବର କାକା ହସପିଟାଲରେ ଭେଣ୍ଟିଲେଟରକୁ ଚାଲିଗଲେ।ଆଠଦଶଦିନ ଭେଣ୍ଟିଲେଟର୍ ରେ ରହିବାପରେ ସେ ଚାଲିଗଲେ।ଏ ଘଟଣା ମୋ ଯୋଇଁର ପରିବାରକୁ ବଡ ଆଘାତ ଦେଲା।ଏକା ସାଙ୍ଗରେ ହସପିଟାଲ
ଯାଇଥିଲେ । ସେମାନେ ଫେରିଆସିଲେ ଆଉ ଜଣେ ସେଆଡେ ଚାଲିଗଲା ଘରକୁ ଫେରିଲାନି।ଗଲାବେଳେ ନିଜ ସ୍ତ୍ରୀସହ କିଛି ମନକଥା କହିବି ପାରିନଥିଲେ।କାରଣ ସେ ଜାଣି ନ ଥିଲେ ଏହା ତାଙ୍କର ଶେଷ ଯିବା ହେବ ବୋଲି।ତାଙ୍କ ସ୍ତ୍ରୀ ସୁବାସିନି ଏକଥା କହି ବଡ ବିକଳ ହୋଇ କାନ୍ଦୁଥିଲେ।
ତାଙ୍କ ପୁଅକୁ ବର୍ଷେ ହେଇଥିଲା ବିବାହ କରିଥିଲେ।ବୋହୁ ଗର୍ଭବତୀ ଥିଲା ।ନାତି ନାତୁଣୀ ହେବ ବୋଲି ସେ କେତେ ଖୁସି ହେଉଥିଲେ,ଅଥଚ ଅକସ୍ମାତ୍
ଚାଲିଗଲେ ।ପୁଅ ବୋହୁଝିଅ ଯୋଇଁ ନାତି କେହି ଦେଖି ପାରିଲେନି ଶେଷସମୟରେ।ତୁଳସୀ ପାଣିଟିକେ ପାଇଲେନି।ରାମନାମ ସତ୍ୟହେ ର ଜୟଧ୍ବନି ଶୁଭିଲାନି।କୋକେଇ ବା ଖଟରେ ଶୋଇଲେନି ମଶାଣୀ ଯିବା ଆଗରୁ।ହସପିଟାଲ ତରଫରୁ କୋଉଠି ନେଇ ଜାଳିଦେଲେ।ଏସବୁ ଭାବି ସଭିଏଁ ବଡ ଦୁଃଖ କରୁଥିଲେ।ଏବେ ନାତିଟିଏ ହୋଇଛି।ତାଙ୍କର ଆବର୍ତ୍ତମାନରେ ନାତିକୁ ଦେଖି ବଡ କଷ୍ଟ ପାଆନ୍ତି ଘରଲୋକେ।ଏ କରୋନା ଏମିତି ବହୁ ଲୋକଙ୍କୁ ଚାଟି ଖାଇଛି।ଅନେକ କଟୁ ଅନୁଭବ ଦେଇଛି।ଗୃହ ବନ୍ଦି କରି ରଖିଛି।ବ୍ୟବସାୟ କାମଧନ୍ଦା ସବୁ ବନ୍ଦ ହୋଇ ଯାଇଛି।ଲୋକେ ଭୋକରେ ଆଉଟୁ ପାଉଟୁ ହୋଇଛନ୍ତି।ଲୋକଙ୍କ ଭିତରେ ଦୂରତା ବଢିଛି।ଜଣେ ଜଣକୁ ଅବିଶ୍ବାସ କରିଛି।ଜଣକୁ କରୋନା ହୋଇଗଲେ ପାଖକୁ ଯିବା ବନ୍ଦ କରିଦେଇଛି।
ଏତେ ସବୁ ଭିତରେ କିନ୍ତୁ ପ୍ରକୃତି ଆନନ୍ଦ ହୋଇଛି।ଗାଡିମଟର କମ୍ ଚଳିବାରୁ ପ୍ରଦୁଷଣ କମିଛି।କାରଖାନା ବନ୍ଦ ହେବାରୁ ଧୂଆଁଳିଆ ଆକାଶ ସଫା ହେବାଲାଗିଛି।ଗଛପତ୍ର ସବୁ ସବୁଜିମାରେ ଭରିଛି।ପଶୁପକ୍ଷୀ ଖୁସିରେ ଜନପଦରେ ଆସି ବୁଲି ପାରିଛନ୍ତି।
ଲୋକମାନେବି ଏବେ ଜୀବନର କ୍ଷଣସ୍ଥାୟିତ୍ବ କୁ ବୁଝି ପାରିଛନ୍ତି।ଧନ ଦରବ କିଛି କରୋନା ପାଖରେ କାମ ଦେଲାନି।ବିଜ୍ଞାନ ହାର ମାନିଲା ସାମାନ୍ୟ କରୋନା ଭୂତାଣୁ ପାଖରେ।ଧନୀ ଲୋକେ ହାତଖୋଲି ସାହାଯ୍ୟପାଇଁ ଆଗେଇ ଆସିଲେ।ଭୋକିଲାଙ୍କୁ ଅନ୍ନପରଶିଦେଲେ କେତେ ସଂସ୍ଥା ସହାୟକ ଗୋଷ୍ଠି।ଦେଶଦେଶ ଭିତରେ ଶତ୍ରୁତା ଭୂଲି ସାହାଯ୍ୟପାଇଁ ଆଗେଇ ଆସିଲେ।ସମସ୍ତେ ମିଶି ଭ୍ୟାକସିନ ବାହାର କରିବାକୁ ଜୁଟିଗଲେ।ଶେଷରେ ଭ୍ୟାକସିନ ଆସିଲା।ଆଉ ସଭିଏଁ ମାଗଣାରେ ନେଇ ପାରିଲେ।ଏବେ ଓମିକ୍ରନ ପୁଣି ଆସିଛି।ହେଲେ ଟିକା ନେବା ଫଳରେ ଏତେ ପ୍ରବଳ ହେଉନି।ଲୋକେ ଘରେ ରହି କାଶ ସର୍ଦ୍ଦି ତଣ୍ଟିବ୍ୟଥା ଗୋଡହାତ ବ୍ୟଥା ଭୋଗି ଭଲ ହୋଇ ଯାଉଛନ୍ତି।ତଥାପି ଆମକୁ ସତର୍କ ହୋଇ ରହିବାକୁ ପଡିବ।ଭିଡ ଜମାକରିବାନି।ମୁଖା ପିନ୍ଧିବା ଓ ସୁସ୍ଥ ରହିବା ସହ ଅନ୍ୟକୁ ବି ସୁସ୍ଥ ରହିବାରେ ସହାୟକ ହେବା।
ଏଇ ଦୁଇହଜାର ଏକୋଇଶି ସବୁଦିନ ପାଇଁ ଅପାଶୋରା ହୋଇ ରହିବ ଆମ ସ୍ମୃତି ପଟଳରେ।
