STORYMIRROR

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଦୁଇ ଉତ୍କଳ ବଣିକ

ଦୁଇ ଉତ୍କଳ ବଣିକ

2 mins
193


ଉତ୍କଳର ପ୍ରାଚୀନ ନୌବାଣିଜ୍ୟ ଗାଥା ସର୍ବ ଜନ ବିଦିତ l ବାଣିଜ୍ୟ କରିବା ପାଇଁ ଖାଲି ସେମାନେ ଯେ ଦରିଆପାରି ଦେଶମାନଙ୍କୁ ଯାଉଥିଲେ ତାହା ନୁହେଁ, ଭାରତର ଆଭ୍ୟନ୍ତରୀଣ ବାଣିଜ୍ୟରେ ମଧ୍ୟ ଉତ୍କଳୀୟ ବଣିକମାନଙ୍କର ରହିଥିଲା ଏକ ବଳିଷ୍ଠ ଭୂମିକା l ଉତ୍କଳର ତାମ୍ରଲିପ୍ତି ବନ୍ଦର ଥିଲା ସମୃଦ୍ଧ ଏକ ଵାଣିଜ୍ୟ କେନ୍ଦ୍ର l ଏହିକଥା ପ୍ରମାଣିତ ହୋଇ ଥାଏ ବୁଦ୍ଧ ଯୁଗରେ ଲିପିବଦ୍ଧ ଏକ କାହାଣୀରୁ l

ବୁଦ୍ଧତ୍ୱ ପ୍ରାପ୍ତି ପରେ ଗୌତମବୁଦ୍ଧ ବୋଧିଦ୍ରୁମ ତଥା ଏହାର ପାର୍ଶ୍ୱବର୍ତ୍ତି ବୃକ୍ଷମାନଙ୍କ ତଳେ କିଛି ସମୟ କଟାଇଲେ l ମୁଲଚିନ୍ଦ ବୋଲି ଏକ ବୃକ୍ଷ ଛାଇରେ ସେ ବସିଥିଲା ବେଳେ ଏକ ଭୀଷଣ ଝଡ଼ରେ ବହୁ ଗଛ ଧରାଶାୟୀ ହୋଇଗଲା l ପ୍ରବଳ ବର୍ଷା ଲାଗି ରହିଲା l ଏହି ସମୟରେ ନାଗରାଜ ଅନନ୍ତ ତାଙ୍କ ଫଣାରେ ଛତ୍ର ପ୍ରାୟ ଢାଙ୍କି ଗୌତମ ବୁଦ୍ଧଙ୍କୁ ରକ୍ଷା କରିଥିଲେ ବୋଲି କିମ୍ବଦନ୍ତୀ ରହିଛି l ବୁଦ୍ଧ ହେବା ପରେ ସିଦ୍ଧାର୍ଥ ସ୍ଥିରକଲେ ସେ ଯେଉଁ ଜ୍ଞାନାଲୋକ ଲାଭ କରିଛନ୍ତି ତାହାକୁ ସେ ସଂସାରର କଲ୍ୟାଣ ପାଇଁ ବିତରଣ କରିବେ l ତେଣୁ ତାର ଭଲରୂପେ ପ୍ରଚାର ପାଇଁ ସେ ମନ ବଳାଇଲେ l

ବୋଧିଦ୍ରୁମ ପାଖ ରାଜାୟତନ ବୃକ୍ଷମୂଳେ ବିଶ୍ରାମ କରୁଥିଲା ବେଳେ ଏହିକଥା ସେ ଚିନ୍ତା କରୁଥାନ୍ତି, ସେହି ବାଟ ଦେଇ ଯାଉଥିଲେ ଦୁଇଜଣ ବଣିକ l ସେମାନେ ଥିଲେ ଉତ୍କଳର ବଣିକ, ତାଙ୍କର ନାମ, ତପସସୁ ଓ ଭଲ୍ଲିକ l ପାଞ୍ଚ ଶହ ବଳଦ ଗାଡ଼ିରେ ସେମାନେ ତାଙ୍କର ପଣ୍ୟସାମଗ୍ରୀ ବୋଝେଇକରି ଉତ୍ତରଭାରତକୁ ବାଣିଜ୍ୟ କରିବାକୁ ଯାଉଥିଲେ l ଏହି ସମୟରେ ଜଣେ ଦିବ୍ୟ ପୁରୁଷ ଆସି ତାଙ୍କୁ କହିଲେ,ଏଠାରୁ ଅଳ୍ପ ଦୂରରେ ବୁଦ୍ଧତ୍ୱ ଲାଭ କରି ସିଦ୍ଧାର୍ଥ ରାଜାୟତନ ବୃକ୍ଷତଳେ ବିହାର କରୁଛନ୍ତି ଯାଅ ଭଗବାନ ବୁଦ୍ଧଙ୍କୁ ସୁମିଷ୍ଟ ଭୋଜନ ଖୁଆଇ ତୃପ୍ତ କର l ଦେବଦୂତଙ୍କ କଥା ଶୁଣି ଦୁଇ ଉତ୍କଳ ବଣିକ ଦେବାୟତନ ବୃକ୍ଷ ନିକଟକୁ ଯାଇ ସେହି ଦେବ ସନ୍ନ୍ୟାସୀଙ୍କୁ ପ୍ରଣାମ କରି ନିଜର ପରିଚୟ ପ୍ରଦାନ କଲେ ଏବଂ ତାଙ୍କୁ ଭୋଜନ କରାଇବାର ଅଭିଳାଷ ଜଣାଇଲେ l ଭଗବାନ ତାହା ସ୍ୱୀକାର କରିବାରୁ ସେମାନେ ତାଙ୍କୁ ସୁମିଷ୍ଠ ପିଠା ଓ ମହୁ ଖାଇବାକୁ ଦେଲେ l ବିନା ପାତ୍ରରେ ସେ କାହାରି ଠାରୁ ଖାଦ୍ୟ ଗ୍ରହଣ କରନ୍ତି ନାହିଁ ଜାଣି ଦିଗପାଳ ମାନେ ଆଣି ଏକ ପଥରର ପାତ୍ର ତାଙ୍କ ସାମ୍ନାରେ ରଖିଦେଲେ l ସେହି ପଥର ପାତ୍ରରେ ବୁଦ୍ଧ ଉତ୍କଳ ବଣିକମାନଙ୍କ ପାଖରୁ ଖାଦ୍ୟ ଗ୍ରହଣ କରି ତାଙ୍କର ଅଣଚାଶ ଦିନର ଉପବାସ ଭଙ୍ଗ କଲେ l ପ୍ରକାଶ ଥାଉ କି, ଗୌତମ ତାଙ୍କ ଶେଷ ସାଧନାରେ ଏହି ଅଣଚାଶ ଦିନ ନିରାହାର ରହି ସିଦ୍ଧି ପ୍ରାପ୍ତ ହୋଇ ଥିଲେ l

ବୁଦ୍ଧ ଖାଇ ସାରିବା ପରେ ବଣିକ ଦୁଇ ଜଣ ତାଙ୍କ ପାତ୍ରକୁ ଧୋଇ ତାଙ୍କର ଶରଣପଶି କହିଲେ, ହେ ଭଗବାନ, ଆମେ ଆପଣଙ୍କ ଶରଣ ପଶୁଛୁ ଏବଂ ଆପଣଙ୍କ ଧର୍ମକୁ ସ୍ୱୀକାର କରୁଛୁ l ଅନୁଗ୍ରହ କରି ଆପଣ ଆମ ଦୁହିଁଙ୍କୁ ଶିଷ୍ୟଭାବେ ଗ୍ରହଣ କରନ୍ତୁ l ଆମେ ଜୀବନବ୍ୟାପୀ ଆପଣଙ୍କ ଶରଣାଗତିରେ ଭୃତ୍ୟ ଭାବେ ରହିବୁ l

ଉତ୍କଳର ଏହି ଦୁଇଜଣ ବଣିକ ପ୍ରଥମେ ଗୌତମ ବୁଦ୍ଧଙ୍କ ବୁଦ୍ଧତ୍ୱକୁ ସ୍ୱୀକାର କରିଥିଲେ ଓ ଦୀକ୍ଷିତ ହୋଇ ସମଗ୍ର ପୃଥିବୀରେ ବୌଦ୍ଧଧର୍ମର ମୂଳଭିତ୍ତି ସ୍ଥାପନ କରିଥିଲେ l ଦିନଥିଲା ଉତ୍କଳ ଥିଲା ବୁଦ୍ଧ ଧର୍ମର ଏକ ମହାନ ପୀଠସ୍ଥଳୀ ଓ ଏହି ଭୂମିରେ ଦିନେ କ୍ରୁର ଚଣ୍ଡାଶୋକ ଧର୍ମାଶୋକକୁ ପରିବର୍ତ୍ତିତ ହୋଇଥିଲେ l

                  


Rate this content
Log in

Similar oriya story from Inspirational