Satyabati Swain

Tragedy

2  

Satyabati Swain

Tragedy

ଦୁଇ ବୁନ୍ଦା ଅଶ୍ରୁ

ଦୁଇ ବୁନ୍ଦା ଅଶ୍ରୁ

5 mins
3.4K


ଦିନେ ମୁଁ କାନ୍ଦି ଥିଲି ବୋଲି ବାପା ଚିଡି ଗଲେ।କହିଲେ କାନ୍ଦ..କାନ୍ଦ କଣ?କାନ୍ଦିଲେ ଚାଲୁଥିବା ରାସ୍ତା ଝାପ୍ସା ଦିଶିବ।ତୁମ କଥା ମାନିଛି ବାପା।କେବେ ନିହାତି ଭାଙ୍ଗି ନ ପଡିଲେ ମୋ ଆଖିରେ ଲୁହ କେହି ଦେଖିନି କାନ୍ଦିବାର।କିନ୍ତୁ ଆଜି ଭାରି କାନ୍ଦିବାକୁ ଇଚ୍ଛା ହେଉଛି ବାପା।


ଦୁଇ ବୁନ୍ଦା ଅଶ୍ରୁ...


ବୟସଟା କେତେବେଳେ ସମୟର ଆଙ୍ଗୁଠି ଫାଙ୍କରେ ଗଳି ପଡିଲା ଜଣା ପଡିଲାନି।ଗୋଟିଏ ଅଦମ୍ୟ ନିଶାରେ ଦୌଡୁ ଦୌଡୁ ବାଟ ସରି ସରି ଆସିଲା।ପାଦ,ମନ,ଥକିବା ଉପରେ।ଆଶା ସ୍ୱପ୍ନର ଚର୍ମ ଆଜି ଲୋଚା କୋଚା।ଭାରି କାଇଁ ମନେ ପଡୁଛି ପଛକୁ ଟିକେ ଫେରି ଅନେଇବାକୁ।


ଅପରାହ୍ନ ଖୋଜୁଛି କଅଁଳ ସକାଳ।ମନେ ପଡିଲା ଗୋଟେ ମୁହଁ।ଆଖି ବୁଜି ଚିନ୍ତା କଲେ ସେ ଆସି ପାଖରେ ଠିଆ ହୋଇ ଯାଆନ୍ତି। ମ୍ଳାନ ଦିଶେ ତାଙ୍କ ଅଭିମାନର ମୁହଁ।ଖୁବ୍ ଦୟା ଲାଗେ।ସେମିତି ଆଖି ବୁଜି ତାଙ୍କ ଉପସ୍ଥିତି ଅନୁଭବ କରିବାକୁ ଚାହେଁ।ଡର ଲାଗେ ଆଖି ଖୋଳିବାକୁ।କାରଣ ଆଖି ଖୋଲି ଦେଲେ ମୋ ସଂସାର ଦିଶିବ।ସେ ଅପସରି ଯିବେ ମୋ ସଂସାରରୁ ମୋତେ ଖୁସି କରିବା ପାଇଁ।ପୁଣି ସେଇ ଶୁନ୍ୟ ସେଇ ଉଦାସ ଓ ଅଭାବ ଭିତରେ ମୁଁ ବୁଡିଯିବି।


ଡଟ୍ କମ୍ ଯୁଗ ଏବେ।ଯନ୍ତ୍ର କଥା କହୁଛି।ଆଦେଶ ପାଳୁଛି।ଅସାଧ୍ୟ ସାଧନ କରୁଛି।ଜୀବନ ବିନା ଯନ୍ତ୍ରରେ ଚାଲିବା ଅସମ୍ଭବ।ଶେଯରୁ ଉଠି ଶେଜକୁ ଯିବା ପର୍ଯ୍ୟନ୍ତ ଯନ୍ତ୍ର ହିଁ ମଣିଷ ପାଖେପାଖେ ଅଛି।କାହାକୁ ମନେ ପକାଇବା ପାଇଁ ବସିଲେ ଆଉ ଖାତା କି ଆଲବମ୍ ଦରାଣ୍ଡିବା ଅନାବଶ୍ୟକ।ନେଟ ଅନ୍ କର ଟାଇମ୍ ଲାଇନ କୁ ଯାଏ ଓ ସର୍ଚ୍ଚ କର।ଯଦି ମୁହଁ ବହିରେ ସେ ଅଛନ୍ତି ମିଳିବା ଖୁବ୍ ସହଜ।


ଏଇ ଯନ୍ତ୍ର ସାରା ପୃଥିବୀକୁ ବାନ୍ଧି ଦେଇଛି ସଂଯୋଗ କରି।ଦୂର ହୋଇ ନାହିଁ କେଉଁ ସ୍ଥାନ କି ଅପହଞ୍ଚ କେଉଁ ଇଲାକା।ବ୍ୟଥା ବେଦନାର ଭାଙ୍ଗି ପଡୁନି ମମତା,ହୃଦ ମନ କି ମାନ।ଆତ୍ମୀୟ ପୃଥିବୀର ଯେଉଁ କୋଣେ ରହିଲେ ବି ଶୁଣି ପାରୁଛି ସମ୍ପର୍କୀୟଙ୍କୁ।ଶୁଣାଇଁ ପାରୁଛି ନିଜକୁ।ଏବେତ ଆଉ ଦି ପାଦ ଆଗେଇ ଗଲାଣି ମଣିଷ।ଡୁ ଓ କଲ୍ କରି ଦେଖି ପାରୁଛି ସବୁ।ସ୍ୱିଚ ଚିପିଲେ ଧଡ଼୍କି ହୋଇ ଯାଉଛି ହିସାବ ଓ ପ୍ରତ୍ୟେକ କାମ।


ବିଶ୍ୱାସ ଓ ଭରସା ସବୁ ପର୍ଯ୍ୟବେସିତ ବିଜ୍ଞାନ ଉପରେ।ପିଲା କାହାର ପରୀକ୍ଷା ଜାଣିବା ପାଇଁ ମା ନୁହେଁ ଭରସା କରା ଯାଉଛି ଡି ଏ ଏନ ଟେଷ୍ଟ ଉପରେ।ଏଇଥି ପାଇଁ ତ 'ସ୍ୱାଭିମାନୀ' ସବୁଦିନ ପାଇଁ ପଛ କରି ଚାଲି ଆସିଥିଲା 'ବିଜ୍ଞାନ'କୁ।ବିଜ୍ଞାନ ଯେଉଁଦିନ ଚାହିଁଲା ପ୍ରମାଣ ପିଲା ତାର ନା ଆଉ କାର ଜାଣିବା ପାଇଁ।


ନିଶା ଖାଇଦେଲେ ସତରେ ମଣିଷ କିଛି ମନେ ରଖି ପାରେନା।ସେଦିନ କଥା ଏବେବି ମନେ ଅଛି। "ସ୍ୱାଭିମାନୀ ଓ ବିଜ୍ଞାନ "ପ୍ରେମ ବିବାହ କରିଥିଲେ ଅନେକ ବାଧା ବିଘ୍ନ ସତ୍ତ୍ୱେ।ବିଜ୍ଞାନଙ୍କ ଟୁର ଜବ୍ ।ମାସ ମାସ ଧରି ସେ ବାହାରେ ରୁହନ୍ତି।ବିବାହ ମାସେ ହୋଇଥାଏ।ଗୋଟେ ପାର୍ଟିକୁ ଯାଇଥିଲେ ବିଜ୍ଞାନ।ସ୍ୱାଭିମାନୀକୁ ସାଙ୍ଗରେ ନେଇଥିଲେ ବି ଗଲା ବେଳେ ଦୁଇଟି ଖୁସିରେ ଡେଣା ଝାଡ଼ି ନୂଆ ନୂଆ ଉଡାଣ ଭରୁଥିବା ପକ୍ଷୀ ଯାଇଥିଲେ।ମାତ୍ର ଫେରିଲା ବେଳକୁ ଗୋଟେ ପକ୍ଷୀର ମସ୍ତକ ତଳକୁ ଝୁଲିଥିଲା।ଅନ୍ୟ ପକ୍ଷୀଟି ଘୋଷାରି ଘୋଷାରି ବହୁ କଷ୍ଟରେ କାନ୍ଧପରେ ଭରା ଦେଇ ଆସିଥିଲା।


ଚାରିକାନ୍ଥ ପୃଥିବୀ ମଧ୍ୟରେ ବଳତ୍କାର ହୋଇଥିଲା ସ୍ତ୍ରୀ ଟି।ଇଚ୍ଛା ନଥାଇ ସଂଭୋଗ ପୀଡ଼ାରେ ଜଳୁଥିଲା ସ୍ୱାଭିମାନୀ।ଇସ୍ କି କଦର୍ଯ୍ୟ ଏଇ ସହବାସରେ।ନିଶାରେ ଚୁର୍ ବିଜ୍ଞାନ ମୁଣ୍ଡରେ ସଂଭୋଗ ନିଶା ଏତେ ମାତ୍ରାରେ ହବି ହୋଇଥିଲା ଯେ ସ୍ୱାଭିମାନୀର ବାରଣ କି ଅନୁନୟର କୌଣସି ମୂଲ୍ୟ ନଥିଲା।ଜଣେ କାମାନ୍ଧ ପୁରୁଷ ପାଲଟି ଯାଇଥିଲା ବିଜ୍ଞାନ।ସେଦିନ ସ୍ୱାଭିମାନୀ କେବଳ ମାତ୍ର ଜଣେ ନାରୀ ଥିଲା,ନଥିଲା ପ୍ରେମିକା କି ସ୍ତ୍ରୀ।ବିଜ୍ଞାନ ଜଣେ କାମତୁରା ଅବିବେକି ବଳତ୍କାରୀ।ଉଦଣ୍ଡ ପରି ସ୍ୱାଭିମାନୀକୁ ଭୋଗ କରିଥିଲା।ଜଣେ ବଳିଷ୍ଠ ପୁରୁଷ ଯିଏ ତାର ପ୍ରେମିକ, ଯାହାକୁ ସେ ଏଇ ମାତ୍ର ମାସେ ହେବ ବିବାହ କରିଛି ସେ କରୁଛି ବଳତ୍କାର!!


ବିବାହିତ ନାରୀର ଏଇତକ ଦୁଃଖ ଯୁଗେ ଯୁଗେ।ସେ କେବଳ ମାତ୍ର ଉପଭୋଗ୍ୟା।ବିବାହ ଲାଇସେନ୍ସ ମିଳିଛି ବିଜ୍ଞାନକୁ।ସେ ଯାହା କରୁ,ସ୍ୱାମୀ କରୁଛି। ତେଣୁ ଅପରାଧ ନୁହେଁ।କିନ୍ତୁ କେହି କେବେ ବୁଝି ନାହିଁ ଅନିଚ୍ଛା କୃତ ସହବାସ ନର୍କ ଯନ୍ତ୍ରଣା ଦିଏ ଗୋଟେ ସ୍ତ୍ରୀକୁ।

ଯେଉଁଠି ମନ ନାହିଁ,ଶରୀର ସେଠି ତୁଚ୍ଛା କାଠ।ତଥାପି ସେ କାଠକୁ ଜଣେ ପୁରୁଷ ଧର୍ଷଣ କରି ଚାଲେ।ଏଇଟା ସବୁ ସ୍ତ୍ରୀଙ୍କ ଭାଗ୍ୟ।


ତାପର ଦିନ ଟୁର୍ ଗଲେ ବିଜ୍ଞାନ।ଗଲାବେଳେ କହିଲେ ସରି ଡାର୍ଲିଂଗ।ପିଆ ପିଇ କରେନି ତ।ସାଙ୍ଗ ମାନେ ଦେଖିଲ ତ କାଲି କେମିତି ଜୋର ଜବରଦସ୍ତ ପିଆଇ ଦେଲେ!ସରି ଡାର୍ଲିଂଗ।ମନରେ ନିଆଁ ଜଳିଲେ ବି ସ୍ୱାମୀ ଯେହେତୁ ଦୁଇ ମାସ ଟୁର୍ ରେ ଯାଉଛନ୍ତି ଅଭିମାନ କି ରାଗ ନ କରି ବିଦାୟ ଦେଲା।


ମାତ୍ର ଫେରିଲା ବେଳକୁ ଯେଉଁ ଖବର ଖୁସିରେ ତାଙ୍କୁ ଘର ଲୋକେ ଦେଲେ ସେ ଶୁଣି ସଂଗେ ସଂଗେ ଫାୟାର ହୋଇଗଲେ।ନୋ ନୋ ସ୍ୱାଭିମାନୀ କେମିତି ମା ହେଲା।ପୁଣି ଏକଜ଼ାକ୍ଟ ଦୁଇ ମାସ।କୁହ ସ୍ୱାଭିମାନୀ ଏ ପିଲା କାହାର?ମୋ ଅନୁପସ୍ଥିତରେ କାହା ସହ ସମ୍ପର୍କ ରଖିଥିଲ?ସେ ଆଉ "ସିଦ୍ଧାର୍ଥ" ତୁମ ପଛରେ ପଡିଥିବା ପୁରୁଣା ପ୍ରେମିକ ନୁହେଁ ତ??


ସିଦ୍ଧାର୍ଥ! ତାଙ୍କୁ କାହିଁକି ୟା ଭିତରକୁ ଟାଣୁଛ।ସିଦ୍ଧାର୍ଥ ଅନ୍ତତଃ ସଂଦେହୀ ନୁହଁ ସେ ସଚା ପ୍ରେମିକଟିଏ।ହଁ ଭଲ ପାଉଥିଲା ମୋତେ।ମୁଁ କିନ୍ତୁ ତୁମକୁ ବୁଝିବା ବହୁତ ଡେରି ହୋଇଗଲା।ସେତେବେଳେ ବେଳେ ବୁଝିଥିଲେ ସିଦ୍ଧାର୍ଥ ଆଜି ଆମ ସନ୍ଦେହ ଘେରକୁ ନୁହେଁ ମୋ ଜୀବନରେ ଥାଆନ୍ତେ।


ସିଦ୍ଧାର୍ଥ ପ୍ରେମକୁ ପୂଜା କରେ,ବିଶ୍ୱାସ କରେ।ସେଥିପାଇଁ ତ ମୋ ସୁଖ ନେଇ ସବୁଦିନ ସେ ମୋ ରାସ୍ତାରୁ ବାଟ ଭାଙ୍ଗି ଚାଲିଗଲେ।ନଚେତ ସିଦ୍ଧାର୍ଥ ଗୋଟିଏ କୋଟି ପତି ବାପାର ଏକମାତ୍ର ସନ୍ତାନ ଚାହିଁ ଥିଲେ ଅସମ୍ଭବକୁ ସମ୍ଭବ କରିବାରେ ଗୋଟେ ମିନିଟ୍ ଲାଗି ନଥିଲା।ଜାଣିଛ ମୁଁ ଯେଉଁ ଦିନ କହିଲି, "ସିଧୁରେ!ମୋ ହୃଦୟରୁ ତୋ ପାଇଁ ସେ ପ୍ରେମ ସୃଷ୍ଟି ହୋଇ ପାରୁ ନାହିଁ ଯାହା ପାଇଁ ଦୁଇଟି ଦେହର ମିଳନ ହୁଏ।କହ ଏମିତି ଏକ କାଠ ଗଣ୍ଡି ଶରୀର ନେଇ ତୁ ଖୁସି ହୋଇ ପାରିବୁ ନା ମୁଁ ଖୁସି ହୋଇ ପାରିବି।ତୁ ସେମିତି ମୋର ଗୋଟେ ଭଲ ବନ୍ଧୁ ହୋଇ ରହ।ମୋ ମନରୁ ତୋ ପାଇଁ ସ୍ନେହ ଶ୍ରଦ୍ଧା ଝରୁଛି ସିନା ସଂସାର କରିବା ପାଇଁ ଯେଉଁ ଉତ୍ସୁକତା ତା ନାହିଁ।"


ସିଧୁ ପରି ବନ୍ଧୁଙ୍କୁ ଛାଡି ତୁମକୁ ଗ୍ରହଣ କରିଥିଲି।କିନ୍ତୁ ଏବେ ଭାବୁଛି ମୋ ନିଷ୍ପତ୍ତି ଏକଦମ ଭୁଲ୍ ଥିଲା।


ଆଉ ତୁମ କଣ କହୁଛ ବୁଝି ପାରୁଛ ତ ବିଜ୍ଞାନ!!ମନେ ପକାଅ...ସେ ଦିନ ପାର୍ଟିରୁ ଫେରି ମୋ ସହ ଜୋର ଜବରଦସ୍ତ ଯେଉଁ ସମ୍ପର୍କ ରଖିଥିଲ ତାରି ଫଳ ଏ।ଆଉ ତୁମେ କହୁଛ...


ଠିକ୍ ଅଛି ଡି ଏ ଏନ୍ ଟେଷ୍ଟ କରିଦେବା।କେହି କିଛି ଜାଣିବେନି।ଚୁପ୍ ଚାପ୍ ଏ କାମ କରିନେବା।ମୁଁ ନିଶ୍ଚିନ୍ତ ହେବାକୁ ଚାହେଁ ଏ ପିଲା ମୋର ନା ଆଉ କାହାର।


ଠାଏ କରି କଷି ଦେଲି ଚାପୋଡ଼ଟିଏ ବିଜ୍ଞାନ ଗାଲରେ।ଆଉ ବାହାରି ଆସିଲି ତାଙ୍କ ଘରୁ ସବୁଦିନ ।ଯେଉଁ ସ୍ୱାମୀ ତା ସ୍ତ୍ରୀକୁ ଅବିଶ୍ୱାସ କରେ ଚରିତ୍ରହିଁନ ବୋଲି ଅବିଶ୍ୱାସ କରେ; ପୁଣି ସେ ସ୍ବାମିଟି ଯଦି ହୋଇଥାଏ ପ୍ରେମିକ।କି ଲଜ୍ଜା!!ଛିଃ


ଏପରି ସନ୍ଦେହି ପୁରୁଷକୁ ସେ ଜୀବନ ସାଥୀ ରୂପେ କେମିତି ନିର୍ବାଚନ କଲା!! ଯଥା ରୀତି ପତିଧର୍ମ ପାଳନ କରୁଥିବା ଜଣେ ସ୍ତ୍ରୀ ସବୁ ଦୁଃଖ କଷ୍ଟ କୁ ନୀଳକଣ୍ଠ ପରି ପିଇ ବଞ୍ଚିବାର ସାମର୍ଥ୍ୟ ରଖେ,କିନ୍ତୁ ତା ଚରିତ୍ରକୁ ନେଇ ସନ୍ଦେହ ପୁଣି ନିଜ ପ୍ରେମିକ ଯିଏ ପତି ହୋଇଥିବ ସହିବା ଅସହ୍ୟ।


ଭାଗ୍ୟକୁ ପିଲାଟା ନଷ୍ଟ ହୋଇଗଲା ପେଟରେ।ଗୋଟେ ଅବିଶ୍ୱାସୀ ବାପାର ପିଲା ହେବାକୁ ଚାହୁଁ ନଥିଲା ବୋଧେ।ଆଜକୁ କୋଡିଏ ବର୍ଷ ହୋଇଗଲା ସେ ଦେଖିନି ବିଜ୍ଞାନକୁ।ଛାଡିଦେଲା ତା ଘର ସହର ଏପରିକି ତା ପ୍ରେମ।ଆଜି କେଜାଣି କାଇଁକି ଭାରି ମନେ ପଡୁଛନ୍ତି ସେ।


ଗୁଗୁଲ୍ ସର୍ଚ୍ଚ କରି ଟାଇମ ଲାଇନ୍କୁ ଗଲା ଓ ଦେଖିଲା ବିଜ୍ଞାନକୁ।ଟିକେ ଛୁଇଁଲା ତାଙ୍କ ଫୋଟୋକୁ।ଖୁବ୍ ବୁଢା ଲାଗୁଛନ୍ତି।ଦ୍ଵିତୀୟ ବିବାହ କରିଛନ୍ତି ସେ ଜାଣିଛି।ତାଙ୍କର ଝିଅଟିଏ ବି ଅଛି।ସମସ୍ତଙ୍କ ଫୋଟୋ ଦେଖିଲା।ଆଖିରୁ ଗଳି ପଡିଲା କେଇଁ ବୁନ୍ଦା ଅଶ୍ରୁ।ଏଇ ତାର ସଂଦେହୀ ପ୍ରେମିକ ଓ ସ୍ୱାମୀ।ଦୀର୍ଘଶ୍ଵାସଟିଏ ଥରାଇ ଦେଲା ହୃଦୟ।ସ୍ୱାଭିମାନୀ ଯଦିଓ ସ୍ୱାଭିମାନର ସହ ବଞ୍ଚୁଛି କିନ୍ତୁ ଗୋଟେ ନିର୍ଜୀବ କଣ୍ଢେଇ ପରି।ପ୍ରେମ ବିନା ଜୀବନ କଣ ଜୀଇଁ ହୁଏ!!ଯିଏ ଜୀଏଁ କେବଳ "ଜୀଅନ୍ତା ଶବ" ହୋଇ ସିନା।ବିଜ୍ଞାନ ତାକୁ ଛାଡି ନୂଆ ଜୀବନ ଗଢି ସୁଖ ସଂସାର କରି ପାରିଲେ,ଅଥଚ ସେ କାହିଁକି ପାରିଲା ନାହିଁ।


ହୁଏତ ସମ୍ପୂର୍ଣ୍ଣ କାୟ ମନୋବକ୍ୟରେ ମନଟା ଥରେ କାହାକୁ ଦେଲା ପରେ ବୋଧେ ଗୋଟେ ନାରୀ ପାଖେ ଆଉ କିଛି ବଳି ନଥାଏ ଯାହାକୁ ଦେଇ ଅନ୍ୟ ସହ ଆଉ ଗୋଟେ ସଂସାର ପାତିବ।ଏଇ ଟା କଣ?ବୋଧେ ନାରୀର ସହଜାତ ପୃବୃତ୍ତି....ସ୍ୱାଭିମାନୀ ନିଃସଙ୍ଗ ଜୀବନ ଦୁର୍ଘଶ୍ଵାସଟିଏ ଟାଣିଲା।ଦୁଇ ଆଖିରୁ ଗଲି ପଡିଲା ପ୍ରେମର ଦୁଇ ବୁନ୍ଦା ଅଶ୍ରୁ।



Rate this content
Log in

Similar oriya story from Tragedy