Satyabati Swain

Tragedy

4  

Satyabati Swain

Tragedy

ଦୃଶ୍ୟ

ଦୃଶ୍ୟ

3 mins
23.3K



ସାମାଜିକତା ଦୂରତା ବଜାଇ ମୁଁ ଯଦିଓ ଦୂରରେ ଠିଆ ହୋଇଥିଲି; ଦେଖୁଥିଲି କିନ୍ତୁ ଗୋଟେ" ଦୃଶ୍ୟ"।ଦୃଶ୍ୟ ଶେଷକୁ ମୋ ଆଖି ବାମ୍ଫେଇ ଆସିଥିଲା।ବାମ୍ଫ କିଛି ସମୟ ପରେ ବର୍ଷା ହୋଇ ଗଳି ପଡିଲା ଓ ରୁମାଲ ମାଟି ଶୋଷିନେଲା ସେତିକ।ତାପରେ ଦୀର୍ଘଶ୍ଵାସଟିଏ ମୋ ପିଞ୍ଜରା ବତାକୁ ଭାଙ୍ଗି ବାହାରି ଆସିଲା।ରୁମାଲ ଭିଜି ଯାଇଥିବାରୁ ଶାଢ଼ୀ ପଣତ ପିଉଥିଲା ଲୁଣିଆ ଝରଣାକୁ।


ଖୁଣ୍ଟିଆ ଦୋକାନ।ଗହଳି ନାହିଁ କରୋନା ଯୋଗୁଁ।ଗେଟ୍ କିପର୍ ଦୋକାନ ଭିତରକୁ କିଛି ଲୋକଙ୍କୁ ଛାଡ଼ୁଛି।ପ୍ରସ୍ଥାନ ଗେଟ୍ ରେ ସେମାନେ ଗଲେ ଆଉ କିଛି ଲୋକଙ୍କ ପାଳି ପଡୁଛି।ଦୋକାନ ଆଗରେ ଲମ୍ବା ଲାଇନ୍।ମୁଁ ଗେଟ୍ ପାଖରେ ହୋଇଯାଇଥିଲି।ଅପେକ୍ଷା, ଭିତର ଲୋକ ବାହାରକୁ ଆସିଲେ ମୁଁ ଯିବି।ଗେଟ୍ ପାଖରୁ ଭିତର ଦିଶୁଥିଲା।ପାଞ୍ଚ କି ଛଅ ବର୍ଷର ଝିଅଟିଏ ଖେଳେଇ ପକାଉଥିଲା ସବୁ ଡ୍ରେସ୍।ଡ୍ରେସ୍ ଦେଖେଉଥିବା ଲୋକ ଗୋଟିଏ ପରେ ଗୋଟିଏ ତା ମାପର ଡ୍ରେସ୍ ଦେଖାଉ ଥିଲା।କିଛି ମନକୁ ମାନୁ ନଥିଲା ଝିଅଟିର କିଛି।ଝିଅଟିର ପାଟି ବୋଧେ ଲାଗେ।"ନାଇଁ ଏଇ ତା ନୁହଁ।ମୋତେ ପିଙ୍କ୍ କଲଲ ଦେଖାଅ;ଯେମିତି ନିତ୍ୟା ଦି ପିନ୍ଧେ।'

ପ୍ରାୟତଃ ଦୋକାନର ଯେତେ ତା ମାପର ସବୁ ଡ୍ରେସ୍ ଦେଖା ସରିଲା ଉପରେ ହେଲେ ବି ଝିଅଟିର୍ କେଉଁ ଡ୍ରେସ୍ ପସନ୍ଦ ହେଉ ନଥାଏ।ଡ୍ରେସ୍ ଦେଖାଉଥିବା ଲୋକ ବିରକ୍ତ ହୋଇ ଗଲାଣି।


ସେ କହୁଛି ଆମ ଦୋକାନରେ ତୁମ ପାଇଁ ଡ୍ରେସ୍ ନାହିଁ ଝିଅ,ଯାଅ ଅଲଗା ଦୋକାନ ଦେଖ।ଅନ୍ୟ ଗରାଖ ଠିଆ ହେଲେଣି କେତେବେଳୁ ଏ କି ଡ୍ରେସ୍ ଏମିତି ନେବେ ଯେ କିଛି ମନ ମାନୁନି।ଦେଖିଲ ପାହାଡ଼ ପରି ଗଦେଇ ସାରିଲିଣି ଡ୍ରେସ୍।ଯା ଝିଅ ତୁମ ପାଇଁ ନିତ୍ୟା ଦି ପରି ଫିଙ୍କ କଲର୍ ଡ୍ରେସ୍ ଏଠି ନାହିଁ।


ମୁଁହ ଫଟେଇ ଝିଅଟି ପଛକୁ ଜଣେ ମଣିଷଙ୍କୁ ଚାହିଁଲା।ସତେକି ପଛ ଜଣକ ତା ଶକ୍ତି।ତାଙ୍କ ଉପରେ ଅଖଣ୍ଡ ବିଶ୍ୱାସ ଅଛି ଛୁଆଟିର।


ପଛ ମଣିଷ ଜଣଙ୍କ କହିଲା, "ଦେଖୁନ ପୁଅ କେଉଁଠି କାଳେ ରହି ଯାଇଥିବ ୟା ପସନ୍ଦର ଡ୍ରେସ୍।"


ନାହିଁ କହିଲି ପରା।ଏଠି କଣ ଦୋକାନ ଅଭାବ।ଯାଆନ୍ତୁ ଅନ୍ୟ କେଉଁ ଦୋକାନରେ ଦେଖନ୍ତୁ।ରଜ ନଥିଲେ ଖୋଜିଥାନ୍ତୁ ଅବା।ଦୁଇ ଦିନ ପରେ ରଜ।ସେ ଦୁଇଦିନ ପୁଣି ସଟ୍ ଡାଉନ୍।ସେଥିରେ ସାତଟାରୁ କର୍ଫ୍ୟୁ।ଦେଖିଲ କେତେ ଲୋକ ଠିଆ ହୋଇଛନ୍ତି।ଯିଏ ଯାହା ଖଣ୍ଡେ ଧରି ଚାଲି ଯାଉଛନ୍ତି ନା ଏମିତି ଘାଣ୍ଟୁ ଛନ୍ତି।ଦେଖନ୍ତୁ ଏମିତି ସମୟରେ ଏତେ ଘଣ୍ଟା ଘଣ୍ଟି ପାଇଁ ବେଳ ନାହିଁ ଆଜ୍ଞା,କ୍ଷମା କରନ୍ତୁ।


"ନା ନା ମୁଇଁ ଏଇଥୁ ନେବି।ନିତ୍ୟା ଦି ଏଇଥୁ ନେଇଛି କହୁଥିଲା। ପାଟି ଲଗେଇ କହୁଥିଲା ଛୁଆଟି।"


ଝିଅର ପଛ ଲୋକଟି ଡ୍ରେସ୍ ଦେଖାଉଥିବା ଲୋକର ହାତ ଧରି ପକାଇ କହିଲା, " ପୁଅଏ ଦୋକାନ ଛଡା ଅନ୍ୟ କେଉଁଠୁ ଡ୍ରେସ୍ ନେଲେ ସେ ପିନ୍ଧିବ ନାହିଁ ,ଆଜ୍ଞା।ଆଉ ଟିକେ ଦେଖନ୍ତୁ,କଣ କରିବି ପିଲା ଲୋକ,ବୁଦ୍ଧି ଥିଲେ ଏ ବିଷମ ଘଡିରେ ଜିଦ୍ କରନ୍ତା କି?


ଗାଉଁ ଗାଉଁ ହୋଇ ଲୋକଟି ବଡ଼ ଝିଅଙ୍କ ଡ୍ରେସ୍ ଦେଖେଇବାକୁ ଚାଲିଗଲା।


ଝିଅର ପଛ ଲୋକଟି ଧାଡିରେ ଡ୍ରେସ୍ ଦେଖାଉଥିବା ସବୁ ଲୋକଙ୍କୁ ଆଉ କିଛି ଡ୍ରେସ୍ ଦେଖାନ୍ତୁ ଆଜ୍ଞା କହି କାକୁତି ମିନତୀ ହେଉଥିଲେ।ସି ସି କ୍ୟାମେରାରେ ଏସବୁ ମାଲିକ ଦେଖୁଥିଲେ।ଉଠି ଆସି କହିଲେ "ଝିଅ ଆଜି ଯାହା ଯେମିତି ଡ୍ରେସ୍ ନେଇକି ଯା,ରଜ ପରେ ଆସିବ ସବୁଠୁ ଭଲ ଡ୍ରେସ୍ ଖୋଜି ତୁମକୁ ମୁଁ ଦେବି,ପକ୍କା।


ଗୋଡ଼ କଚାଡି ହାତ ହଲେଇ ଛୁଆଟି କାନ୍ଦି କାନ୍ଦି କହିଲା,"ନା ନା ଲଜ ଗଲେ ମୋଲ ଦେଛେ କନ ହେବ।ମୋ ବାବା ମୋ ପାଇଁ ଆନିବ କଇଚି।ମୁଁ ଆଜି ନେବି।"


ପଛ ଲୋକର ହାତ ଟାଣି କହୁଥାଏ "ମୁଁ ଆଜି ନେବି ମୁଁ ଆଜି ନେବି।"ଅନ୍ୟ ଲୋକେ ଯେତେ ଘର ଭିତରେ ଥିଲେ କହିଲେ କାହିଁକି ଛୁଆଟିକୁ କନ୍ଦାଉଛନ୍ତି,ଦେଖୁ ନାହାନ୍ତି ମିଳି ଯାଇ ପାରେ।


ପଛ ଲୋକଟି ହାତ ଯୋଡି କହିଲା, " ହଁ ବାବୁ ଏଇଥର ଦି ଚାରିଟା ଦେଖାଅ ହେଲେ ହେବ ନଲେ ଆମେ ଚାଲିଯିବୁ।


ମୁହଁ ଛିଞ୍ଚାରି ଡ୍ରେସ୍ ଦେଖାଉଥିବା ଲୋକଟି କହିଲା ୟାକୁ କୁହନ୍ତି ଓପରମୁହାଁ ଗେହ୍ଲା।ହୁଁ....


ଦଶ ବାର ହଳ ଡ୍ରେସ୍ ଦେଖିଲା ପରେ ଝିଅ ଛୁଆଟି କୁରୁଳି ଉଠି କହିଲା , " ଏଇ ତା ହଁ ଏଇ ତା ମୁଁ ନେବି।"


ଓହୋ କିଛି ତ ପସନ୍ଦ ହେଲା।ସ୍ୱସ୍ତିରେ ନିଶ୍ୱାସ ମାରି ଡ୍ରେସ୍ ଦେଖାଉଥିବା ଲୋକଟି କହିଲା।


ଡ୍ରେସ୍ କୁ ଗୋଟିଏ ହାତରେ ଓ ଆଉ ଗୋଟିଏ ହାତରେ ପଛ ଲୋକଟିର ହାତ ଧରି ଖୁବ୍ ଖୁସିରେ ପାହାଚ ଡେଇଁ ଡେଇଁ ଆସୁଥିଲା ବାହାରକୁ ଛୁଆଟି।ତା ମୁହଁର ହସ ଦେଖିଲା ପରି।ସତେଜ ପଦ୍ମ ପରି ସେ ହସ।ସୁନ୍ଦର ରଙ୍ଗ,ଚେହେରା, ଝାମ୍ପୁଲା ଟିକି ଟିକି ଚୁଟି ସାଙ୍ଗକୁ ଡବ ଡବ ଆଖି।ଆଃ ଖୁବ୍ ଭଲ ଲାଗୁଥିଲା ଝିଅଟି ମୋତେ।ତା ମୁଣ୍ଡ ଉପରେ ଟିକେ ହାତ ମାରି ଦେଲି।ସେ ଉପରକୁ ଅନାଇଁ ହସି ଦେଲା' ଆନ୍ତି 'କହି।


ପଛ ଲୋକଟି ଆଖିରେ କିନ୍ତୁ ଲୁହ।


ମୁଁ ପଚାରିଲି କାନ୍ଧୁଛନ୍ତି କାହିଁକି ସାର୍?


ପଛ ଲୋକଟି କହିଲେ, ପିଲା ଲୋକ ଛୁଆଟି।ଭଲ ମନ୍ଦ କଣ ବୁଝେ?ଅନେଇଁଛି ତା ବାବା ଡ୍ରେସ୍ ଆଣି ଆସିବ।ହେଲେ ମା ତା ବାବା ,ମୋ ପୁଅ ମହାରାଷ୍ଟ୍ରରେ ଚାକିରୀ କରିଥିଲା।ଘରକୁ ଖବର ଆସିଛି କ ରୋ ନା ରେ ସେ କୁଆଡେ ମରି ଯାଇଛି କୋଡିଏ ଦିନ ତଳେ?ପଡିଶା ଘର ପିଲାଙ୍କ ରଜ ପାଇଁ ଡ୍ରେସ୍ ଆସିବା ଦେଖି କାନ୍ଦିବାରୁ ତା ପାଇଁ ଡ୍ରେସ୍ କିଣିବାକୁ ଆସିଥିଲି।ତା ବାବା ଥିଲେ ମୁଁ କାଇଁ ଆସିଥାନ୍ତି ମା।ସାରା ସହର ବୁଲାଇ ତା ଝିଅ ପସନ୍ଦ ଡ୍ରେସ୍ ତା ବାବା ସିନା ନେଇଥାନ୍ତା କିନ୍ତୁ ମୋ ନାତୁଣୀ ଆଖିରେ ଲୁହ ଦେଇ ନ ଥାନ୍ତା।


ରୁମାଲ ରେ ଲୁହ ପୋଛି ପୋଛି ସାର୍ ଜଣଙ୍କ ରାସ୍ତାକୁ ଚାଲି ଯାଉଥିଲେ।ଝିଅଟି "ତା ତା କରି ହାତ ହଲାଉଥିଲା ମୋତେ ହସି ହସି।'


ମୁଁ ସ୍ଥାଣୁ ପାଲଟି ଯାଉଥିଲି ସେ ସାର୍ ଓ ଛୁଆଟି ମୋ ଆଖିରୁ ଉହାଡ଼ ହେବା ଯାଏ।କାନି ପିଉଥିଲା ମୋ ଆଖି ଲୁହ।




Rate this content
Log in

Similar oriya story from Tragedy