Banabihari Mishra

Tragedy Inspirational

3  

Banabihari Mishra

Tragedy Inspirational

ଦର୍ପଣ

ଦର୍ପଣ

4 mins
391


ଦର୍ପଣ, ଆଲୋ ହେ ଦର୍ପଣ, ସେଇ ଛୁଆ ଦିନରୁ ତତେ ମୁଁ ଦେଖି ଆସୁଛି। ଏବେ ମୁଁ ଜାଣୁଛି, ଏତେଦିନ ଧରି ତୁ ମତେ ମିଛ କହୁଥିଲୁ। ମୁଁ ଡାହାଣ ହାତରେ ମୁଣ୍ଡ କୁଣ୍ଡେଇଲା ବେଳେ ତୁ ଦେଖୋଉଥିଲୁ ମୁଁ ବାଁ ହାତରେ ପାନିଆଁ ଧରିଛି। ଭାରି ରାଗ ଲାଗେ ତୋର ଏଇ ମିଛେଇ ଗୁଣ ଦେଖି। ପୁଣି ଦଶମ ଶ୍ରେଣୀରେ ପଢିଲା ବେଳକୁ ଅଶୋକ ସାର୍ ବୁଝେଇ ଦେଇଥିଲେ ଆଲୋକ ପ୍ରତିଫଳନର ନିୟମ। ତଥାପି ମନ ମାନୁ ନଥିଲା। ଅଶୋକ ସାରଙ୍କୁ ମଧ୍ୟ ଅବିଶ୍ବାସ କରିପାରୁନଥିଲି। ଆଉ ସେଇ ବିଶ୍ବାସ କରିବାରୁ ତ ମୋର ଏ ଅବସ୍ଥା।


ଅଶୋକ ସାର୍ ଥିଲେ ଆମ ଗାଁ ସ୍କୁଲରେ ବିଜ୍ଞାନ ଶିକ୍ଷକ। ଗଣିତ ଆଉ ବିଜ୍ଞାନ ପଢାନ୍ତି। ଆମେ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ସିଏ ଆମ ସ୍କୁଲରେ ଯୋଗ ଦିଅନ୍ତି। ଖୁବ୍ ଭଲ ପଢାନ୍ତି। ମୁଁ ଶ୍ରେଣୀରେ ଟିକେ ଦୁର୍ବଳ ଥିବା ଦେଖି ବାପା ଟିଉସନ ଦେଲେ। ସେ ପୁଣି ଅଶୋକ ସାରଙ୍କ ପାଖରେ। ଦୂର ଗାଁରେ ଘର ହେଇଥିବାରୁ ଅଶୋକ ସାର୍ ସ୍କୁଲରେ ରୁହନ୍ତି। ସ୍କୁଲ ଗାଁରୁ ଅଳ୍ପ ଦୂରରେ। ନିଇତି ସାଇକେଲରେ ଆମ ଘରକୁ ଆସନ୍ତି।


ସେତେବେଳେ ମୁଁ ଜାଣି ପାରୁ ନ ଥିଲି। ଟିଉସନ ପଢେଇଲା ବେଳେ ବହି ବା ଖାତାକୁ କମ୍, ମୋ ମୁହଁକୁ ବେଶୀ ଚାହାନ୍ତି। ଅନାବଶ୍ୟକ ଭାବରେ ମୋ ମୁହଁକୁ ବଲବଲ କରି ଚାହିଁ ରୁହନ୍ତି। ବେଳେବେଳେ ଏମିତି ବି ହୁଏ ଯେ ମୋ ମୁହଁକୁ ଚାହିଁ ଚୁପ୍ ଚାପ୍ ହେଇ କ'ଣ ଗୁଡେ ଭାବୁଥାନ୍ତି।

ଏଇମିତି କଥାରେ କଥାରେ ଦିନେ ମୁଁ କୁଆଡ଼େ ଭାରି ସୁନ୍ଦରୀ ବୋଲି କହିଲେ। ତା ପରଠୁ ମୋର ଅନେକ ସମୟ କଟେ ତୋରି ଆଗରେ। ନିଜକୁ ନିଜେ ସୁନ୍ଦରୀ କହୁନଥିଲେ ବି ସଜେଇ ହେବାକୁ ଭାରି ଭଲଲାଗିଲା। ବିଶେଷ ଭାବରେ ସ୍କୁଲରେ ଗଣିତ ଆଉ ବିଜ୍ଞାନ ପିରିୟଡ଼ ପୂର୍ବରୁ ବାଥରୁମ ଯିବା ବାହାନାରେ ମୁହଁ ଧୋଇହେବା ଯେମିତି ଫ୍ରେସ୍ ଦେଖାଯିବ, ହାତ ଆଙ୍ଗୁଳିରେ ମୁଣ୍ଡ କୁଣ୍ଡେଇ ଚୁଟି ଠିକ୍ କରିବା, ଅତି ଉତ୍ସୁକତାର ସହ ଅଶୋକ ସାର୍ ଆସିବାକୁ ଅପେକ୍ଷା କରିବା, ଅଶୋକ ସାର୍ ଯେଉଁଦିନ ନ ଆସନ୍ତି ସେଦିନ କୌଣସିଥିରେ ମନ ନଲାଗିବା। ସେସବୁ ଦେଖି ସାଙ୍ଗମାନେ ଟୁପୁରୁ ଟାପର ହୁଅନ୍ତି। ମୋର କିନ୍ତୁ ପରବାୟ ନଥାଏ। କମଳା କହୁଥିଲା ମୁଁ କୁଆଡ଼େ ପ୍ରେମରେ ପଡିଯାଇଛି। ପ୍ରେମ କ'ଣ ଜାଣିବା ଆଗରୁ ମୁଁ କୁଆଡ଼େ ସେଇ ଖସଡ଼ା ବାଟରେ ପାଦ ଦେଇଦେଇଛି। ମୁଁ କିନ୍ତୁ କମଳାର କଥାକୁ ବିଶ୍ୱାସ କରିପାରୁନଥିଲି। ସେଥିପାଇଁ କୌଣସି ଗୁରୁତ୍ବ ଦେଇନଥିଲି। ହେଲେ ମୁଁ ନିଜେ ବି ଜାଣିପାରୁନଥିଲି ମୁଁ ସବୁବେଳେ ଗଣିତ ଆଉ ବିଜ୍ଞାନ ପିରିୟଡ଼କୁ ଚାହିଁ ରହୁଥିଲି। ଆଉ ଘରକୁ ଆସିଲେ ଟିଉସନ ସମୟ ହେଲା ପର୍ଯ୍ୟନ୍ତ ପ୍ରତିଟି ମୁହୂର୍ତ୍ତ ଯୁଗଟେ ପରି ଲାଗୁଥିଲା।


ସେଦିନ କ'ଣ ଗୋଟେ କାମରେ ବାପା ମାଆକୁ ନେଇ ପାଖ ବଜାରକୁ ଯାଇଥାନ୍ତି। ଘରେ ମୁଁ ଅପେକ୍ଷା କରି ବସିଥାଏ ଟିଉସନ ସାରଙ୍କୁ। ଅଶୋକ ସାର୍ ଆସିଲେ। ସାଧାରଣ ଭଦ୍ରାମି ରକ୍ଷା କରି ଥଣ୍ଡା ପାଣି ଗ୍ଲାସଟିଏ ବଢ଼େଇ ଦେଲି। ସେଇ ପାଣି ଗ୍ଲାସଟା ମୋ ହାତରୁ ନେଲାବେଳେ ଅଶୋକ ସାରଙ୍କ ହାତରେ ମୋ ହାତ ସହ ଗ୍ଲାସଟା ରହିଥିଲା। ନା ମୁଁ କିଛି କହୁଥିଲି ନା ସିଏ କିଛି କହିଲେ। ଅଶୋକ ସାର୍ ଅନ୍ୟମନସ୍କ ହେଇଯାଇଥିଲେ। କିନ୍ତୁ ମୁଁ ଭଲଭାବରେ ଅନୁଭବ କରିପାରୁଥିଲି ମୋ ଭିତରର ଶୀହରଣକୁ। ଜାଣିପାରୁନଥିଲି ଅଶୋକ ସାର୍ ସେଇ ଶୀହରଣକୁ ଅନୁଭଵ କରିପାରୁଥିଲେ କି ନା। ତାପରେ ପ୍ରକୃତିସ୍ଥ ହେଇ ଗିଲାସକ ପାଣି ଢକ ଢକ କରି ପିଇ ଦେଇଗଲେ ସତେ ଯେମିତି କୋଉ ଅନନ୍ତ କାଳର ଶୋଷିଲା। ସେଦିନ ପାଠପଢ଼ାରେ ମୋର ଆଦୌ ମନ ଲାଗୁନଥିଲା।


ତାପରଦିନ ଅନେକ କାଗଜ ଚିରାଚିରି କରି ଅନେକ ଭାବି ଭାବି ଗୋଟେ ପ୍ରେମ ଚିଠି ଲେଖିଲି। ସେଇଟାକୁ ବିଜ୍ଞାନ ବହି ଭିତରେ ରଖିଥାଏ। ଯଥା ସମୟରେ ଅଶୋକ ସାର୍ ଆସିଲେ। ମୁଁ ଜାଣିଥିଲି ଯେ ଆଜି ଗଣିତ ପଢାଯିବ। ତଥାପି ବିଜ୍ଞାନ ବହିଟା ବଢେଇ ଦେଲି। ସାର୍ ବହି ଖୋଲିବା ମାତ୍ରେ ସେ ଚିଠିଟି ଦେଖି ଖୋଲି ପଢିଲେ। ବେଶ୍ ଲମ୍ବା ପ୍ରେମପତ୍ରଟିଏ। ଏତେଗୁଡେ କେମିତି ଲେଖି ପାରିଲି ସେକଥା ପରବର୍ତ୍ତୀ ସମୟରେ ଚିନ୍ତା କରି ମୁଁ ନିଜେ ବି ଆଶ୍ଚର୍ଯ୍ୟ ହେଇଯାଏ। ଚିଠିଟା ପଢୁଥିବା ବେଳେ ଅଶୋକ ସାରଙ୍କ ମୁହଁର ଭାବଭଙ୍ଗୀ ବଦଳୁଥିବା ମୁଁ ଲକ୍ଷ୍ୟ କରୁଥିଲି। ସାର୍ ଅତ୍ୟନ୍ତ ରାଗି ଯାଇଥିଲେ। ଶେଷରେ ବିରକ୍ତିରେ ଚିଠିଟାକୁ ଟୁକୁରା ଟୁକୁରା କରି ଚିରି ଦେଇଥିଲେ। ସେଦିନ ପାଠପଢ଼ା ସେତିକିରେ ସରିଲା। ରାଗ ତମ ତମ ହେଇ ସାର୍ ଉଠି ଚାଲିଗଲେ।


ମୁଁ ଆଶଙ୍କା କରୁଥିଲି କାଳେ ଘରେ କହିଦେବେ। ଘରେ କହିଦେଲେ ମୋ ଅବସ୍ଥା ଯେ କ'ଣ ହେବ ସେକଥା ଭାବି ମୋ ମୁଣ୍ଡ ଖରାପ ହେଉଥାଏ। ଭାବୁଥିଲି କାହିଁକି ଏମିତି କଲି? ଅଶୋକ ସାର୍ କ'ଣ ଭାବୁଥିବେ? ଭାରି ବ୍ୟସ୍ତ ଲାଗୁଥିଲା। ସାରା ରାତି ମୁଁ ଶୋଇ ପାରିଲିନି। ତୁ ତ ଜାଣୁ, ସେଇ ସମୟ ପରଠାରୁ ତୋତେ ମୁଁ ଦେଖିବାକୁ ବି ଇଚ୍ଛା କରିନି। ତୁ ବି ମତେ ନଦେଖି କ'ଣ ନା କ'ଣ ଭାବୁଥିଲୁ। ହଁ, ତୁ ତ ମିଛେଇଟା, ତୋର ବା କ'ଣ ଯାଏ ତୋତେ କିଏ ଦେଖିଲେ ବା ନ ଦେଖିଲେ?


ଏଇମିତି ଅବସ୍ଥାରେ ଗୋଟେ କେମିତି ଅଡ଼ୁଆ ଲାଗୁଥିଲା, ତଥାପି ରାତିଟା କଟିଗଲା। ସ୍କୁଲକୁ ଯିବା ସମୟ ହେଇ ଯାଇଥିଲେ ବି ମୁଁ ପ୍ରସ୍ତୁତ ହେଉନଥିବାରୁ ମାଆ ପଚାରିଲା, 'ସ୍କୁଲକୁ ଯିବୁନି କି?' ଦେହ ଭଲ ଲାଗୁନି କହି କଥାକୁ ଏଡେଇ ଯାଇଥିଲି। ସେଦିନ ଆଉ ସ୍କୁଲକୁ ଯାଇ ନଥିଲି। ପୁଣି ଆସିଗଲା ସେଇ ସନ୍ଧ୍ୟା ସମୟ। ଟିଉସନ ସମୟ ଯେତିକି ପାଖୋଉ ଥାଏ, ମନ ସେତିକି ଅଧିକ ଅଧିକ ବିଚଳିତ ଲାଗୁଥାଏ। ତୁ ଏସବୁ କ'ଣ ଜାଣିବୁ ଲୋ, ତୁ ତ କାହାକୁ କେବେ ଭଲ ପାଇନୁ। ତୋ ଆଗରେ ଯିଏ ଠିଆ ହେଲା ମୁଁ ତାର ହେଇଯାଉ। ହେଲେ ମୁଁ ତ ସେମିତି ହେଇ ପାରିବନି।


ସେଇ ସମୟ ଆସିଗଲା। ଆଶଙ୍କିତ ଓ ଉତ୍କଣ୍ଠିତ ମୁଁ ଅପେକ୍ଷା କରି ବସିଲି ଅଶୋକ ସାରଙ୍କୁ। ବାହାରେ କିଛି ବି ଶବ୍ଦ ଶୁଣାଗଲେ ଛାତିଟା ଅସମ୍ଭବ ଭାବେ ଧଡଧଡ ହେଉଥିଲା। ଶେଷରେ ଅଶୋକ ସାରଙ୍କ ସାଇକେଲ ଆମ ଘର ଆଗରେ ରହିଲା। ସାର୍ ଆସିଲେ। ଯଥାସମ୍ଭବ ସାହସ ସଞ୍ଚୟ କରି ତଳକୁ ଚାହିଁ ନମସ୍କାର କଲି। ଆଉ ସାରଙ୍କ ମୁହଁକୁ ସିଧାସଳଖ ଚାହିଁବା ପାଇଁ ସାହସ ଜୁଟାଇ ପାରୁ ନଥିଲି। କଥା ହେବା ତ ଦୂରେ। ମୁଁ ନିଜେ ବି ଅନୁଭବ କରିପାରୁଥିଲି ହଠାତ୍ ଗୋଟେ ପ୍ରଗଳ୍ଭ ବାଳିକା ଯେମିତି ନୀରବ ହେଇଯାଇଥିଲା।


ଏତିକିବେଳେ ଅଶୋକ ସାର୍ ମୋ ପିଠିରେ ହାତ ରଖିଦେଲେ। ଶୀତଦିନ ଆଉ ପଙ୍ଖା ପୁରା ବେଗରେ ବୁଲୁଥିଲେ ବି ମୋ ଦେହଟା ଝାଳ ସରସର ହେଇ ଯାଇଥାଏ। ଅଶୋକ ସାର୍ କ'ଣ କହିବେ ସେକଥା ଭାବୁଥିଲି। କିନ୍ତୁ କିଛି ନକହି ସାର୍ ମୋ ଆଡ଼କୁ ବଢ଼େଇ ଦେଲେ ଗୋଟିଏ ପୁରୁଣା ଡାଏରୀ। ଚୁପଚାପ ଡାଏରୀଟି ଉଠେଇ ନେଇ ପଢିଲି। ନିଳିମା, ଅଶୋକ ସାରଙ୍କ ସାନ ଭଉଣୀ। ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲା। ମୋ ଉପର ଶ୍ରେଣୀର ଛାତ୍ରୀ ଥିଲା। ପରୀକ୍ଷାରେ ଆଶାନୁରୂପ ଫଳ ହୋଇ ନଥିବାରୁ ଆତ୍ମହତ୍ୟା କରି ଦେଇଥିଲା।

ଅଶୋକ ସାର୍ ନିଳିମାକୁ ନିଜଠାରୁ ବି ବେଶୀ ଭଲ ପାଉଥିଲେ। ସିଏ ମରିଯିବା ପରେ ସାର୍ ପୁରାପୁରି ଭାଙ୍ଗି ଯାଇଥିଲେ। ଆଉ ଦୁଇ ପୃଷ୍ଠା ଲେଉଟାଇଲା ପରେ ଗୋଟିଏ ପୁରୁଣା ଫଟୋ ପାଇଲି। ଝିଅଟିଏ ଆଉ ପୁଅଟିଏ। ପୁଅଟିକୁ ତ ଚିହ୍ନିଲି, ଆଉ ତାପରେ ଜାଣିବାକୁ ବାକି ରହିଲା ନାହିଁ ଯେ ଝିଅଟି ଅଶୋକ ସାରଙ୍କ ସାନ ଭଉଣୀ ନିଳିମା। ଠିକ୍ ମୋରି ପରି ଦେଖିବାକୁ। ସେଇମିତି ଆଖି, ସେଇମିତି ନାକ। ଏମିତି ସାମଞ୍ଜସ୍ୟ ଦେଖି ମୁଁ ଆଶ୍ଚର୍ଯ୍ୟ ହେଇ ଯାଇଥିଲି।

ମୁଁ ଅଶୋକ ସାରଙ୍କ ମୁହଁକୁ ଚାହିଁଲି। ସେତେବେଳକୁ ସାରଙ୍କ ଆଖିରୁ ଲୁହର ଦିଟା ମୋଟା ଧାର ବାହାରି ଗାଲ ଉପର ଦେଇ ତଳେ ପଡ଼ିବା ପଡ଼ିବା ହେଉଥାଏ। ଆଉ ମୋର ଧୈର୍ଯ୍ୟ ରହିଲା ନାହିଁ। ଉଠିଯାଇ ମୋରି ଚୁନିରେ ପୋଛିଦେଲି ସାରଙ୍କ ଆଖିରୁ ଲୁହ। ମୋ ଦୁଇ କାନ୍ଧରେ ହାତ ରଖି ଅଶୋକ ସାର୍ କେବଳ ଗୋଟିଏ ଶବ୍ଦ କହିଥିଲେ, "ନିଳିମା"। ମୁଁ ଆଉ ନିଜକୁ ସମ୍ଭାଳି ପାରିଲିନି। ମୋ ପାଟିରୁ ସ୍ବତଃ ବାହାରିଗଲା, "ଭାଇ"।


Rate this content
Log in

Similar oriya story from Tragedy