STORYMIRROR

Madhabi Patel

Inspirational

4  

Madhabi Patel

Inspirational

ଦୋଛକି

ଦୋଛକି

3 mins
365


ସୁବ୍ରତର ଜୀବନରେ ଏମିତି ଦୋଛକି ରାସ୍ତାଟେ ପଡିବ ବୋଲି ସେ କେବେ ଭାବିନଥିଲା । ସେ ନିଜ ମାଆ ପାର୍ବତୀ ଦେବୀଙ୍କୁ ଦେବୀଟିଏ ପରି ସମ୍ମାନ ଦିଏ । ବାପାଙ୍କ ଦେହାନ୍ତ ପରେ ସେ ହିଁ ବଡ କଷ୍ଟରେ ମିନୁ ଓ ତାକୁ ପାଳିପୋଷି ବଡ କରିଛନ୍ତି । ଘରର ସାମାନ୍ୟ ଜମିର ଉତ୍ପାଦନ ଶସ୍ୟରେ ଖାଇବା ଖର୍ଚ୍ଚ ତ କଷ୍ଟେ ମଷ୍ଟେ ଚଳି ଯାଉଥିଲା ହେଲେ ସେମାନଙ୍କ ପଢା ଖର୍ଚ୍ଚ, ଜାମାପଟା, ଔଷଧ ଆଉ ଅନ୍ୟାନ୍ୟ ଖର୍ଚ୍ଚପାଇଁ ଅଭାବ ରହୁଥିଲା । ସେଥିପାଇଁ ମାଆ ଧାନ କିଣିଆଣି କୁଚୁନି କରୁଥିଲା । ମାନେ ଗୋଟିଏ ପ୍ରକାର ବ୍ୟବସାୟ କରୁଥିଲା । ବଜାରରୁ ବା ଗାଆଁର ଧନୀଘରୁ ଧାନ କିଣିଆଣି ତାକୁ ଉଷୁନା ସିଝା କରୁଥିଲା । ତାକୁ ପାଟେନରେ ଘାଣ୍ଟି ପାଣିମରା କରୁଥିଲା । ତାପରେ ପୁଣି ଖରାରେ ନେଇ ଶୁଖାଉଥିଲା । ଭଲକି ଶୁଖିଗଲେ ଧାନକଳରେ ନେଇ ପେଷି ଆଣୁଥିଲା । ତାହାକୁ କୁଲାରେ ପାଛୋଡି କୁଣ୍ଡାତକ ଅଲଗା କରୁଥିଲା । ତାପରେ ସଫା ଧଳାଫରଫର ଚାଉଳକୁ ବସ୍ତାରେ ପୂରାଇ ବସରେ ସହରକୁ ନେଇ ବିକ୍ରି କରୁଥିଲା ।


ଏ ବ୍ୟବସାୟ ପାଇଁ ତାକୁ ଦିନରାତି ଖଟିବାକୁ ପଡୁଥିଲା । ପ୍ରଚୁର ଶୀତରେ ସକାଳ ପାଞ୍ଚଟାରୁ ଉଠି ଧାନ ଉଷୁନା କାମ କରୁଥିଲା । ପାଣି ହାତ ହେଲେ କୋଲ ମରିଯାଉଥିଲା ହାତ ଆଙ୍ଗୁଳି । ଓଢିହେବାକୁ ସାଲଟେ କି ସୁଏଟର ଟେ ନଥିଲା ସେତେବେଳେ । ଶାଢୀଖଣ୍ଡକୁ ଚାରିଚଉତ କରି ଗୁଡେଇ ହେଉଥିଲା ଶୀତଦାଉରୁ ରକ୍ଷାପାଇଁ ।


ତାଙ୍କ ପାଖରେବି ସେତେବେଳେ ଶୀତ ପୋଷାକ ନଥିଲା । ସେମାନେ ବି ମାଆର ଶାଢୀକୁ ଚାରି ଚଉତ କରି ଘୋଡି ହେଉଥିଲେ । ପରେ ମାଆ ଧାନ ବ୍ୟବସାୟରୁ କିଛି ଲାଭ ପାଇ ତାଙ୍କ ପାଇଁ ସାଲ ଖଣ୍ଡେ ଲେଖା କିଣିଦେଲା ।

ଶହେଟଙ୍କାର ଧାନ ବ୍ୟବସାୟ କଲେ କୋଡିଏ ଟଙ୍କା ଖଣ୍ଡେ ଲାଭ ମିଳୁଥିଲା । ସେମିତି କରି ସେ ତାଙ୍କର ପଢାଖର୍ଚ୍ଚ ତୁଲାଉ ଥିଲା ।


ବଡ ହୋଇ ଭାଇ ଭଉଣୀ ଏବେ ନିଜ ଗୋଡେ ଠିଆ ହୋଇଛନ୍ତି । ଦୁଇଜଣ ଯାକ ଇଞ୍ଜିନିୟର ହୋଇଛନ୍ତି । ଏବେ ମାଆକୁ ସେମାନେ ନିଜ ପାଖକୁ ଭାଗ କରି ଆଣି ରଖୁଛନ୍ତି । ସୁବ୍ରତ ର ଏବେ କିଛି ମାସ ତଳେ ବିବାହ ହୋଇଛି ଜଣେ ଇଞ୍ଜିନିୟର ଝିଅ ସହିତ । ମାଆଙ୍କ ଗାଉଁଲି ଚଳଣୀ ଅଭ୍ୟାସ । ସୋମ୍ୟାର ଆଧୁନିକ ଚଳଣୀ ତାଙ୍କୁ ପସନ୍ଦ ଆସେନି । ସେ ସବୁବେଳେ ଶାଢୀ ପିନ୍ଧିବାକୁ କୁହନ୍ତି । ଚୁଡି ସିନ୍ଦୁର ନାଇଁ ନୂଆବୋହୁପରି ସଜ ହୁଅ କୁହନ୍ତି । ହେଲେ ସୋମ୍ୟା ଜିନ୍ସ ଟପ୍ସ ପିନ୍ଧି ଅଫିସ ଯାଏ । ଶାଢୀ ପିନ୍ଧି କାମକୁ ଯିବା ଅସୁବିଧା ଲାଗେ ତାକୁ ହେଲେ ମାଆ ସେକଥା ବୁଝି ପାରନ୍ତିନି । ସୋମ୍ୟା ଜଣେ ଭଲ ଝିଅ । ମାଆଙ୍କର ସବୁ ସେବା ଖୁସିରେ କରେ । ପୂଜା ପର୍ବରେ ଘରେଥିଲେ ଶାଢୀ ବି ପିନ୍ଧେ । ହେଲେ ବାହାରକୁ ଗଲେ କେବଳ ଡ୍ରେସ ପିନ୍ଧେ । ଚୁଡି ବି ଦୁଇଟା ହିଁ ପିନ୍ଧେ । ଅଫିସରେ ଖଣଖଣ ଶବ୍ଦ କଲେ ପରିବେଶ ସହ କାମରେ ବ୍ୟାଘାତ ସୃଷ୍ଟିହୁଏ । ସେଥିପାଇ ସେ ସାଧାସିଧା ଭାବରେ ଅଫିସ ଯାଏ ।


ମିନୁ ଯେବେ ଘରକୁ ଆସେ ଭାଇ ପାଖରୁ ମାଆର ଅଭିଯୋଗ ଶୁଣେ । ସେ ମାଆକୁ ପରିବର୍ତ୍ତନ କରିବାକୁ ଅନେକ ଚେଷ୍ଟା କରେ । ହେଲେ ଯାହା ନ ହେଲା ବାଲ୍ୟ କାଳେ ତାହାକି ହେବ ବୃଦ୍ଧବେଳେ ବୋଲି ଯେଉଁ ଢଗଟେ ରହିଛି ସେମିତି ମାଆ ସବୁକଥା ଶୁଣନ୍ତି ହେଲେ ପୁଣି ସେଇ ରେକଡ ଚାଲୁ କରିଦିଅନ୍ତି । ଖାଲି ଡ୍ରେସ କଥା ନୁହଁ ଆହୁରି ଅନେକ କଥା ତାଙ୍କର ମନକୁ ପାଏନି ।


ଶେଷରେ ସୋମ୍ୟା ବି ବିରକ୍ତହୋଇ ଅନ୍ୟସହରକୁ ବଦଳି କରି ଚାଲିଯିବାକୁ ଚିନ୍ତାକଲା । ଏବେ ସୁବ୍ରତ ଦୋଛକିରେ ଫସି ଯାଇଥିଲା । ସେ ନା ସୈମ୍ୟା କଥାରେ ରାଜି ହେଇ ପାରୁଥିଲା ନାଁ ମାଆର ମାନସିକତା ବଦଳାଇ ପାରୁଥିଲା ।

ମିନୁଥରେ ଶାଶୁଘରୁ ଆସିଥିଲା ଘରକୁ । ସଭିଏଁ ମିଶି ବୁଲିବାକୁ ବାହାରିଲେ ଏକ ମଲ୍ଲ କୁ । ମଲ୍ଲରେ ଏକ୍ସିଲେଟର ରେ ଚଢିବାକୁ ପଡିଲା । ପାର୍ବତୀ ଦେବୀତ ଆଗରୁ କେବେ ଏମିତି ଯନ୍ତ୍ର ଦେଖି ନ ଥିଲେ । ତେଣୁ ଗୋଡ ରଖିବାକୁ ଡରୁଥିଲେ । ଶାଢୀ ପିନ୍ଧିଥିଲେ ବୋଲି ଛନ୍ଦି ହେବାର ଡର ଥିଲା । ମିନୁ କୌଣସି ମତେ ତାଙ୍କ ସାହସ ବଢାଇ ଶାଢୀକୁ ଆଣ୍ଠୁଉପର ଯାଏ ଟେକି ସେଥିରେ ଚଢାଇଲା । ସେତେବେଳେ ସୁବ୍ରତ ମାଆକୁ ବୁଝାଇବାକୁ ଯାଇ କହିଲା ଦେଖିଲୁତ ମାଆ ସହରର ସବୁ ଜାଗାରେ ଏମିତି ଜିନିଷ ବ୍ୟବହାର ହୁଏ । ଆଉ ତୁ ତୋ ବୋହୁକୁ ଶାଢୀ ପିନ୍ଧିବାକୁ ବାଧ୍ୟ କରୁ । ତା ଅଫିସରେ ବି ଏଥିରେ ଚଢାବାକୁ ପଡେ । ଶାଢୀରେ ଯଦି ଛନ୍ଦି ହୋଇ କଉଦିନ ପଡିଯିବ ତାହେଲେ କେମିତି କରିବୁ?ଯୁଗ ଅନୁଯାୟୀ ସେଥିପାଇଁ ପୋଷାକ ପତ୍ର ଓ ଚଳଣୀ ବଦଳାଇ ବାକୁ ପଡେ । ହେଲେ ଆମ ମନ ଓ ହୃଦୟ ସେମିତି ଭାରତୀୟ ସଭ୍ୟତାରେ ରଞ୍ଜିତ ହୋଇ ରହିଥାଏ ।


ତାପରେ ସେମାନେ ଦିନେ ଚିଲିକା ବୁଲିବାକୁ ଗଲେ । ବୋଟରେ ଚଢିଲା ଓହ୍ଲାଇଲା ବେଳେ ଶାଢୀ ପିନ୍ଧିଥିବା ହେତୁ ପାର୍ବତୀଦେବୀଙ୍କୁ ଅସୁବିଧା ଲାଗୁଥିଲା । ସେଦିନ ସେ ବୁଝି ପାରିଲେ ସୋମ୍ୟା କାହିଁକି ଶାଢୀ ପିନ୍ଧେନି । ସେ ଏବେ ସବୁ ସହରି ସଭ୍ୟତାକୁ ଆପଣାଇ ନେଇଥିଲେ ନିଜ ମନରେ । କେବଳ କହୁଥିଲେ ସବୁ ପୋଷାକ ପିନ୍ଧ ଆପତ୍ତି ନାହିଁ ହେଲେ ଦେହକୁ ସବୁଆଡୁ ଆବରଣ ହେଲାପରି ପୋଷାକ ବ୍ୟବହାର କରିବ ।


ଏବେ ବୋହୁ ଶାଶୁ ଭିତରେ ଥିବା ସମସ୍ୟା ଦୂର ହୋଇଯାଇଥିଲା । ସୁବ୍ରତ ଯୋଉ ଦୋଛକି ରାସ୍ତାରେ ଅଟକି ଆଗକୁ ଯିବାପାଇଁ ରାସ୍ତା ପାଉନ ଥିଲା ସେଦିନର ଭ୍ରମଣ ପରେ ସେ ଧର୍ମ ସଂକଟ ଆପେ ହଟି ଯାଇଥିଲା । ସେଦିନର ଭ୍ରମଣ ତାଙ୍କଭିତରେ ସମାଧାନର ପଥଟେ ଖୋଲି ଦେଇଥିଲା । ଏବେ ଶାଶୁ ବୋହୁ ଭିତରେ କିଛି ମତଭେଦ ହେଉନଥିଲା । ସଭିଏଁ ଏକାସାଙ୍ଗରେ ଖୁସିରେ ରହିଲେ ।



Rate this content
Log in

Similar oriya story from Inspirational