ଦୋ'ଛକି
ଦୋ'ଛକି
ମେସେଜ ଦେଖିବା ମାତ୍ରେ ଲୀଳା ଦେବୀ କମ୍ପିବାକୁ ଲାଗିଲେ I ଏତେ ବଡ ବିପଦ କେମିତି ମାଡି ଆସିଲା ତାହାର ଜୀବନରେ?
କିଛି ଭାବିବା ପୂର୍ବରୁ ଅଚେତ ହୋଇ ପଡିଗଲେ ସୋଫା ଉପରେ I ହଲରେ ଶବ୍ଦ ଶୁଣି ବାହାରକୁ ଵାହରି ଆସିଲେ ଉମାକାନ୍ତ ବାବୁ ଆଉ ସାମ୍ନାରେ ଲୀଲାଙ୍କୁ ଦେଖି ହତପ୍ରଭ ହେଇଗଲେ I ମୋବାଇଲଟା ଉଠାଉ ଉଠାଉ ଲାଗିଲା ଯେମିତି ତାଙ୍କ ପାଦ ତଳୁ ପୃଥିବୀ ଖସି ଯିବ ! କୌଣସି ଏକ ଡାକ୍ତରଖାନାରୁ ମେସେଜ ଆସିଥିଲା I ତାଙ୍କର ଏକ ମାତ୍ର ପୁଅ ଯିଏ ତାଙ୍କ ବାପାଙ୍କ ସହିତ ବୁଲିବାକୁ ଯାଇଥିଲା ଦୁର୍ଘଟଣାରେ ଆହତ ହୋଇଛି ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଛି I ବାପା ମଧ୍ୟ ଗୁରୁତର ଭାବରେ ଆହତ ହୋଇଛନ୍ତି ! କୌଣସି ପ୍ରକାର ନିଜକୁ ସମ୍ଭାଳି ଡାମାକାନ୍ତ ବାବୁ ଳୀଳାଙ୍କୁ ପାଣି ମାରି ହୋସରେ ଆଣିଲେ ଏବଂ ତୁରନ୍ତ ହସ୍ପିଟାଲକୁ ଚାଲିଗଲେ I
ମାର୍ମିକ ଦୁର୍ଘଟଣାଟିଏ ଘଟିଥିଲା, ସମଗ୍ର ବସଟି ଘାଟି ତଳକୁ ଖସି ଯାଇଥିବାରୁ ପ୍ରାୟ ସମସ୍ତେ ଗୁରୁତର ଅବସ୍ଥାରେ ଥିଲେ I କିଛି ଆହତ ଯାତ୍ରୀଙ୍କୁ ସ୍ଥାନ ଅଭାବ ଯୋଗୁଁ ବାରଣ୍ଡାରେ ମଧ୍ୟ ରଖା ଯାଇଥିଲା I ଦୃଶ୍ୟଟି ଦେଖିଲେ ଯେ କୌଣସି କଠୋର ହୃଦୟର ବ୍ୟକ୍ତି ମଧ୍ୟ ଭାବ ବିହ୍ଵଳ ହୋଇ ପଡ଼ିଥାଆନ୍ତା I ଉମାକାନ୍ତ ବାବୁ ଆଉ ଲୀଳା କିଛି ଭାବିବା ପୂର୍ବରୁ, ନର୍ସ ସେମାନଙ୍କୁ ନେଇଗଲା ଗୋଟିଏ କକ୍ଷକୁ ଯେଉଁଠାରେ ପ୍ରାୟ ଦଶ ଜଣ ଆହତଙ୍କୁ ଏକତ୍ର ରଖା ଯାଇଥିଲା I ଜେଜେଜେବାପା ଆଉ ନାତି ପାଖାପାଖି ବେଡ଼ରେ ବହୁ ପ୍ରକାର ଉପକରଣରେ ଘେରି ହୋଇ ଏବଂ ଅନେକ ଟିଉବ ରେ ଜଡିତ ହୋଇ ସଂଜ୍ଞାହୀନ ହୋଇ ପଡି ଥାଆନ୍ତି I "ଡାକ୍ତର ଦୁହିଁଙ୍କୁ ନିଦ ହେବା ଲାଗି ଇଞ୍ଜେକ୍ସନ ଦେଇଛନ୍ତି ଯାହା ଦ୍ଵାରା ସେମାନେ କମ ଯନ୍ତ୍ରଣା ଅନୁଭବ କରିବେ I ଦୁହିଁଙ୍କ ଦେହରୁ ପ୍ରବଳ ରକ୍ତଶ୍ରାବ ହୋଇଛି ଆଉ ଆନ୍ତରିକ ଆଘାତ ଯୋଗୁଁ ଅସ୍ତ୍ରୋପଚାରର ଆବଶ୍ୟକ ହେବ," ପାଖରେ ଠିଆ ହେଇଥିବା ନର୍ସ ଜଣେ ଦୁହିଁଙ୍କୁ ସଂକ୍ଷେପରେ ପରିସ୍ଥିତି ସହିତ ଆବଗତ କରାଇ ଦେଲେ I ଶୁଣି ସାରିବା ପରେ ଲୀଳା ଅଧିକ ମ୍ରିୟମାଣ ହୋଇ ପଡିଲେ ଏବଂ କୌଣସି ମତେ ନିଜ ପାଟିରେ ହାତ ଦେଇ ଉଠୁଥିବା କୋହକୁ ରୋକିବାକୁ ଚେଷ୍ଠା କଲେ I ଉମାକାନ୍ତ ବାବୁ ମଧ୍ୟ କିଛି ନ କହି ପାରି ସ୍ଥାଣୁ ଭଳି ଠିଆ ହେଇଥିଲେ I
"ଆପଣଙ୍କୁ ଡାକ୍ତର ଡାକୁଛନ୍ତି ," ଅନ୍ୟ ଜଣେ ନର୍ସ ଆସିକି କହିଲା I ଉମାକାନ୍ତ ବାବୁ ଚାଲିଗଲେ ନର୍ସ ସହିତ I ନିଜର ଚାରି ଆଡେ ଦୃଷ୍ଟି ବୁଲାଇଲେ ଲୀଳା I ଛୋଟ ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ, ମହିଳା ପୁରୁଷ, ସବୁ ଜାତି ସବୁ ଧର୍ମର ଲୋକ ପ୍ରଭାବିତ ହୋଇଥିଲେ ଦୁର୍ଘଟଣାରେ ! ଜଣକର ଦୁଃଖ ଠାରୁ ଅନ୍ୟ ଜଣକର ଦୁଃଖ ବଳି ପଡୁଥିଲା I ଏମିତି ଭୟଙ୍କର ଦୁର୍ଘଟଣା ଦେଖି ନଥିଲେ କେବେ ସିଏ I ବସଟି ଘାଟି ତାଳକୁ ଖସି ରେଳ ଲାଇନରେ ପଡି ଯାଇଥିଲା ଏବଂ ରେଳଟି ମଧ୍ୟ ଧକ୍କା ଦେଇଥିଲା I ରେଳଗାଡିର ଟକ୍କର କୌଣସି ସାଧାରଣ ଘଟଣା ନୁହେଁ ! ଯେଉଁମାନେ ବସ୍ ବାହାରକୁ ଡେଇଁ ପଡ଼ିଥିଲେ ଅନ୍ୟ ଏକ ରେଳଗାଡିର ମାଡ଼ରେ ଆହତ ହୋଇ ଯାଇଥିଲେ!" ଅସ୍ତ୍ରୋପଚାର ପାଇଁ ରକ୍ତ ଦରକାର ହେବ, ବାପା ଆଉ ପୁପୁନ ଦୁହିଁଙ୍କର ଏବଂ ଗୃପ ଯାହା ବିରଳ I ଖୋଜା ଚାଲିଛି ଆଉ ମୁଁ ମଧ୍ୟ ଏବେ ସମସ୍ତଙ୍କୁ ଯୋଗାଯୋଗ କରୁଛି I ମୁଁ ନିଜେ ବି ଦେଇ ପାରିବି କିନ୍ତୁ ଯଥେଷ୍ଟ ନୁହେଁ, ତେଣୁ ଅନ୍ୟ ଲୋକଙ୍କୁ ଶୀଘ୍ର ଯୋଗାଡ଼ କରିବାକୁ ପଡ଼ିବ," ଉମାକାନ୍ତ ବାବୁ କହିଲେ I "ମୁଁ ଏଠି ଅଛି, ଗାଁରେ ଅନ୍ୟ ମାନଙ୍କୁ ଖବର ଦେଇକି ଦେଖ ଯଦି କେହି ଆସି ପାରିବେ," ଲୀଳା କହିଲେ I "ମୁଁ ପ୍ରଥମେ ରକ୍ତ ଦାନ କରିକି ଆସେ," କହିକି ଉମାକାନ୍ତ ବାବୁ ଚାଲିଗଲେ I
କିଛି ସମୟ ପରେ ନର୍ସ ଜଣଙ୍କ ଆସି ଖବର ଦେଲେ ଯେତିକି ରକ୍ତ ସଂଗ୍ରହ କରା ଯାଇଛି, ସେତିକିରେ କେବଳ ଜଣଙ୍କର ଚିକିତ୍ସା ଆରମ୍ଭ ହେଇ ପାରିବ I ସେ ବିଷୟରେ ବିଚାର ବିମର୍ଷ ଚାଲିଛି ଆଉ ଅଳ୍ପ ସମୟ ପରେ ଜେଜେବାପା ଅଥବା ନାତି ଜଣେ କାହାକୁ ଭିତରକୁ ନିଆ ଯିବ I "ଏଥିରେ ଏତେ ଭାବିବାର କଣ ଅଛି?" ଲୀଳା ପ୍ରଶ୍ନ କଲେ ନର୍ସକୁ, " ବାପାଙ୍କୁ ଅଶୀଏ ପାର ହେଲାଣି ଆଉ ପୁପୁନ ମାତ୍ର ସାତ ବର୍ଷର !"" ହଁ ସେ କଥା ସତ କିନ୍ତୁ ପୁପୁନ ଅଧିକ ଗୁରୁତର ଏବଂ ଡାକ୍ତର କହୁଛନ୍ତି ତାହାର ଅସ୍ତ୍ରୋପଚାର ପରେ ମଧ୍ୟ ବଞ୍ଚିବାର ସମ୍ଭାବନା ଖୁବ କମ୍, ସେଥି ପାଇଁ ଏହି ଦ୍ଵନ୍ଦ I ଭଗବାନଙ୍କୁ ଡାକନ୍ତୁ ଶୀଘ୍ର ଅନ୍ୟ କେହି ରକ୍ତ ଦାନ କରିବା ଲାଗି ମିଳିଯିବେ," ନର୍ସ ଜଣକ ଉତ୍ତର ଦେଲେ, " ଏଠି ବହୁତ ଜଣ ସେହି ରକ୍ତ ପାଇଁ ଅପେକ୍ଷା କରିଛନ୍ତି I ଆପଣ ଏକ ପ୍ରକାର ଭାଗ୍ୟବାନ ମଧ୍ୟ ଆପଣଙ୍କ ସ୍ଵାମୀ ରକ୍ତ ଦାନ କରି ପାରୁଛନ୍ତି I" ନର୍ସ ଦେଇ ଚାଲିଥିଲା ତାହାର ପ୍ରୋତ୍ସାହନ ଆଉ ସାନ୍ତ୍ୱନା କିନ୍ତୁ ଳୀଳାଙ୍କୁ ଆଉ କିଛି ଶୁଣା ଯାଉନଥିଲା I ଆଖି ଆଗରେ ନାଚିବାକୁ ଲାଗିଥିଲା ଅତୀତ I ଶ୍ଵଶୁରଙ୍କ ଭଳି ମଣିଷଟିଏ ଦୁନିୟାରେ କେହି ନଥିବେ I ବାହାଘର ବେଦୀରୁ ହିଁ ତାଙ୍କୁ ସିଏ ନିଜର ଝିଅ ଠାରୁ ଅଧିକ ସ୍ନେହ ଆଉ ଯତ୍ନରେ ରଖି ଆସିଛନ୍ତି I ତାଙ୍କୁ ଟିକିଏ କିଛି କଷ୍ଟ ହେଲେ ଲୀଳା ସମ୍ଭାଳି ପାରନ୍ତି ନାହିଁ ଆଉ ଆଜି ଏହି ଅବସ୍ଥା ଦେଖି ତାଙ୍କର ଅବସ୍ଥା ଯାହା ତାହା ଶବ୍ଦରେ ବର୍ଣନା କରିବା ଅସମ୍ଭବ I ପୁପୁନ କଥା ଭାବିଲା ବେଳକୁ ଆହୁରି ନିରାଶ ହେଇଗଲେ I କେତେ ବୁଝେଇଥିଲେ ଉମାକାନ୍ତ ଦ୍ଵିତୀୟ ସନ୍ତାନଟିଏ ପାଇଁ, କିନ୍ତୁ ନିଜର ଭାଇ ଆଉ ଭାଉଜର ବୁଦ୍ଧିରେ ପଡି ଆଉ ବିଳାସ ଜୀବନର ଆଶାରେ, ଲୀଳା ନିଜର ସମ୍ଭାବି ଦ୍ଵିତୀୟ ସନ୍ତାନର ଗର୍ଭପାତ କରିଥିଲେ I ଅଧିକ କିଛି ଭାବୁ ପାରୁନଥିଲେ ଲୀଳା I ଜୀବନ ଆଉ ମୃତ୍ୟୁର ଦୋଛକିରେ ସଂଗ୍ରାମରତ ନିଜର ପରିବାର ଆତ୍ମୀୟ ଦୁଇ ଜଣଙ୍କୁ ଦେଖି ନିଜକୁ ସମ୍ଭାଳି ପାରି ନଥିଲେ ଲୀଳା, ବେହୋସ ହୋଇ ପଡିଗଲେ ତଳେ I ପାଖରେ ଥିବା ନର୍ସ ଜଣେ ଦୌଡ଼ି ଆସୁ ଆସୁ ତାଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା I ଡାକ୍ତରଙ୍କ ପାଖରୁ ଫେରିଥିବା ଉମାକାନ୍ତ ବାବୁ କିଂକର୍ତ୍ତବ୍ୟବିମୁଢ଼ ହୋଇ ଠିଆ ହୋଇଗଲେ I
