ଦୀପାବଳି
ଦୀପାବଳି
ସାରା ସହର ଆଲୋକର ପର୍ବ ଦୀପାବଳି ପାଳୁଛି । ସବୁଠି ଦୀପର ସମାହାର । ଅମା ଅନ୍ଧକାର ମଧ୍ୟରେ ଦୀପ ଆଲୋକରେ ଉଜ୍ୱଳ ଦିଶୁଛି ସହରର ଗଳି କନ୍ଦି । ସହରର ଉପାନ୍ତରେ ସେମିତି ଏକ ଗଳିରେ ଗୌତମ ର ଘର । ଘରେ ବାପା ମାଆ ଦୁଇ ଭାଇ । ସେ ସାନ ପୁଅ । ସ୍ଥାନୀୟ କଲେଜ ରେ ୨ ଦ୍ୱିତୀୟ ବର୍ଷର ଛାତ୍ର । ବାପା ଏକ ଘରୋଇ କମ୍ପାନୀରେ ଚାକିରୀ କରନ୍ତି । ସୁଖରେ ନୁହେଁ କି ଦୁଃଖରେ ନୁହେଁ ଭଲରେ ଭଲରେ ସଂସାର ଟା ଚଳିଯାଏ । ବଡଭାଇ ପାଠ ପଢା ସାରି ଚାକିରୀ ପାଇଁ ପ୍ରସ୍ତୁତି କରୁଛି ।
ଆଗକୁ ଦୀପାବଳି ଆସୁଛି ବୋଲି ଗୌତମ ବାପାଙ୍କ ଠାରୁ ସବୁଦିନ ଖର୍ଚ୍ଚ ନାଁ ରେ କିଛି ଟଙ୍କା ମାଗି ସଂଚିଛି । ଗତ ବର୍ଷ କରୋନା ପାଇଁ ବାଣଫୁଟା ରେ କଟକଣା ଲାଗିଥିଲା । ସାଙ୍ଗ ମାନଙ୍କ ସହିତ ଲୁଚା ଛପାରେ କିଛି ବାଣ ଫୁଟାଇଥିଲା । ହେଲେ ସେ ସବୁରେ ମଜା ନଥିଲା । ରାସ୍ତା ଉପରେ ଲୋକ ଯିବା ଆସିବା କରୁଥିବା ସମୟରେ ବାଣ ରେ ନିଆଁ ଲଗେଇ ଦେଇ ପିଲାର ପଛ ପଟେ ଘର ଭିତରେ ରାସ୍ତା କଡ ଡଷ୍ଟବିନ ପଛରେ ଲୁଚିଯିବାରେ ଯେଉଁ ମଜା ଥାଏ ସେସବୁ ଆଉ ହେଇ ପାରୁନାହିଁ । କିନ୍ତୁ ଏବର୍ଷ କଟକଣା କୋହଳ ହୋଇଛି । ଗ୍ରୀନ କ୍ରାକର ଫୁଟାଇବା ପାଇଁ ସରକାର ଙ୍କ ତରଫରୁ ଅନୁମତି ମିଳିଛି । ତେଣୁ ଦୀପାବଳି କୁ ସାଙ୍ଗସାଥି ଗହଣରେ ପାଳିବ ବୋଲି ଭାବିଛି । ବାପା ଙ୍କ ଠାରୁ ଆଉ କିଛି ଟଙ୍କା ମାଗିନେବ । ଆଉ ମାଆ ଆଗରେ ପଛରେ ଟିକେ ହୋଇଗଲେ ସେ ସବୁ ବୁଝିଯାଏ କିଛି କହିବାକୁ ପଡେନି । ଆଲମିରା ଖୋଲି ହାତକୁ ଟଙ୍କା ବଢାଇଦିଏ । ତେଣୁ ଏବର୍ଷ ଦୀପାଳି ଜମିବ । ସାଙ୍ଗ ମାନଙ୍କ ସହିତ ମିଶି ବାଣ କିଣିବାକୁ ବାହାରି ପଡିଲା ।
ମାର୍କେଟ ଭିତରେ ଭିଡ ଦେଖି ଅଟକିଗଲା । ଲୋକ ଟିଏ ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ହୋଇ ପଡିଛି । ବାର ଚଉଦ ବର୍ଷର ଝିଅ ଟିଏ ପାଖରେ ବସି ସାହାର୍ଯ୍ୟ ପାଇଁ କାନ୍ଦୁଛି । ସାଙ୍ଗ ମାନଙ୍କ ସହ ମିଶି ସେ ଲୋକ କୁ ମେଡିକାଲ ନେଇଗଲେ । ଚିକିତ୍ସା କରାଇ ଔଷଧପତ୍ର ସହ ତାଙ୍କୁ ନେଇ ତାଙ୍କ ଘରେ ଛାଡି ଆସିଲେ । ବାଣ ପାଇଁ ରଖିଥିବା ପଇସା ଖର୍ଚ୍ଚ ହୋଇଯିବା ପରେ ମନ ଭିତରେ ଶାନ୍ତି ସହିତ କିଛି ଭଲ କାମ କରିଥିବାର ଅନୁଭୁତି ଅନୁଭବ ହୋଇଥିଲା ଗୌତମକୁ । ସନ୍ଧ୍ୟା ରେ ଘରକୁ ଫେରି ମାଆ ସହିତ ଦୀପ ଜଳାଇବାରେ ଲାଗିପଡିଲା । ଆରେ ବାବୁ ତୁ ପରା ସାଙ୍ଗ ମାନଙ୍କ ସହିତ ବାଣ ଫୁଟାଇବା ପାଇଁ ବାହାରିଥିଲୁ, ଏ’ଠି ପୁଣି କଣ କରୁଛୁ? ହଁ ଯିବି ମାଆ ଯିବି ମାଆ କହି କହି ସନ୍ଧ୍ୟା ଗଡିଗଲାଣି ହେଲେ ବାବୁଙ୍କର ବାହାରକୁ ଯିବାର ନାଁ ନାହିଁ । କଣ ହେଇଚି କିରେ, ତୋ ବାଣ କାଇଁ? ମାଆ ଗୋଟେ କଥା କହିବି, ସେ ଟଙ୍କା ମୁଁ ଖର୍ଚ୍ଚ କରିଦେଇଛି ।
ଘଟିଥିବା ସମସ୍ତ ବୃତାନ୍ତ ମା ଆଗରେ କହିଚାଲିଲା । ମାଆ ଲୁହ ଛଳ ଛଳ ହୋଇ ଗୌତମ କୁ କୋଳକୁ ଟାଣି ନେଇ କହିଲେ ଭଗବାନ ତୋତେ କୋଟି ପରମାୟୁ ଦେଇଥାନ୍ତୁ ରେ ବାବୁ । ଏମିତି ପରୋପକାରୀ ମନୋଭାବ ତୋ ମନରେ ସବୁ ବେଳେ ରହିଥାଉ । ଭଗବାନ ତୋତେ ସତ୍ପଥ ଦେଖାନ୍ତୁ ସଦ୍ଗତି ଦିଅନ୍ତୁ । ଭାଇ ପାଖ ଟେବୁଲ ପାଖରେ ଥାଇ ସବୁ କଥା ଶୁଣୁଥିଲା କହିଲା ହଉ ବ୍ୟସ୍ତ ହଅନା ମୁଁ ତୋ ପାଇଁ ବାଣ ଆଣିଦେଉଛି । ପାଖ ରୁମ ରୁ ବାପା ବାହାରି ଆସି କହିଲେ ଏଇ ଟଙ୍କା ନେ ବାଣ ଆଣିବୁ ଯା । ସେ ଥରେ ବାପାଙ୍କ ମୁହଁ କୁ ତ ଥରେ ଭାଇ ମୁହଁ କୁ ଚାହୁଁଥିଲା । ନାଇଁ ବାପା ଆଜି ଆଉ ବାଣ କିଣିବିନି । ବାଣ କିଣିବାକୁ ପଇସା ମାଗିଲେ ଯୋଉ ମାନେ ବିଗିଡି ଯାଉଥିଲେ ଆଜି ତାକୁ ଟଙ୍କା ଯାଚୁଛନ୍ତି । ସତରେ ଭଲ କାମର କେତେ ଆଦର ସେ ବୁଝି ପାରୁଥିଲା । ବାପା ତା ହାତରେ ଆଣି ଟଙ୍କା ରଖିଦେଲେ ତଥାପି ତାର ବଜାର ଯାଇ ବାଣ କିଣି ଆଣିବାକୁ ମନ ହେଉନଥିଲା । ମା କହିଲେ ଆରେ ଯା ବାଣ ଆଣିବୁ ପରା । ନା ମାଆ ଏ ଟଙ୍କା ଥାଉ ପୁଣି କେତେବେଳେ କାହା ଭଲ କାମରେ ଆସିପାରେ । ଏଥର ସବୁ ବର୍ଷ ମୁଁ ଦୀପାବଳି ତୁମ ସହିତ ଦୀପ ଜାଳି ପାଳିବି ।
