Bismita Sahoo

Tragedy Thriller

5.0  

Bismita Sahoo

Tragedy Thriller

ଦୀପାବଳି

ଦୀପାବଳି

3 mins
571


ମନୋଜବାବୁଙ୍କ ଘର ଆଜି ଖୁସିରେ ଫାଟି ପଡ଼ୁଛି। ଘରଟିକୁ ରଙ୍ଗୀନ ଆଲୁଅରେ ରାଜପ୍ରାସାଦ ପରି ସଜେଇ ଦିଆ ଯାଇଛି। କଦଳୀ କାନ୍ଧି ପଡିଥିବା ଗଛ ଘର ଆଗରେ ବନ୍ଧା ହେଇଛି। ଗଣେଶ ଲଷ୍ମୀଙ୍କ ଚିତ୍ର ଥିବା କାଗଜ ତିଆରି ଆମ୍ବପତ୍ର ପ୍ରତ୍ୟେକଟି କୋଠରୀ ବାହାରେ ଟଙ୍ଗା ହେଇଛି। ଘରର ସାମ୍ନାରେ ସୁନ୍ଦର ରଙ୍ଗୋଲି ତାଙ୍କ ସାନ ନାତୁଣୀ ବନେଇଛି, ଠିକ୍ ଯେମିତି ତାଙ୍କ ସ୍ତ୍ରୀ ନୟନା ବନାନ୍ତି। ବଟର ପନୀର, ଛୋଲା ବଟୁରା, ଛତୁ ପକୋଡା, ସୋୟା ଚିଲି,ନବରତ୍ନ, ଭେଜ୍ ବିରିୟାନି, କଚୁମ୍ବର ଆଦି ସୁଆଦିଆ ଖାଇବା ହୋଟେଲରୁ ଅଡର ଦେଇ ଅଣାଯାଇଛି। ତା ସାଙ୍ଗକୁ କାଜୁ ବରଫି, କାଲାକନ୍ଦ, ସୋନ୍ ପାମ୍ପଡ଼ି ପରି ଭଳିକି ଭଳି ମିଠା। ଘରର ପ୍ରତ୍ୟେକ ସଦସ୍ୟ ନୂଆଁ ପିନ୍ଧିଛନ୍ତି। ପୁଅ ପିନ୍ଧିଛି ଶେରୱାନି, ବୋହୂର କୁର୍ତ୍ତି ସାଙ୍ଗକୁ ଢିଲା ଢିଲା ପ୍ୟାଣ୍ଟ , ନାତି ନାତୁଣୀ ଦିଟା ତାଙ୍କ ପସନ୍ଦର ପ୍ୟାଣ୍ଟ। ତାଙ୍କ ପାଇଁ ପୁଅ ଆଣିଥିବା ନୂଆ କୋର୍ଟ ଟି ଖଟ ଉପରେ ସେମିତି ପଡ଼ି ରହିଛି। 

ମନୋଜବାବୁ ଛାତ ଉପରେ ଆକାଶକୁ ଏକଲୟରେ ଚାହିଁଛନ୍ତି। ନୟନା ଉପରେ ଥାଇ ସତରେ କଣ ଆଜି ତାଙ୍କୁ ଦେଖୁଥିବ? ସେ ମରିବା ଚାରି ବର୍ଷ ହେଇଗଲାଣି କିନ୍ତୁ ମନୋଜବାବୁଙ୍କୁ ଚାରି ଯୁଗ ପରି ଲାଗୁଛି। ଆଜି ଦୀପାବଳି। ନୟନା ଥିଲେ ତା ଗୋଡ଼ ତଳେ ପଡୁନଥାନ୍ତା। ସେ ଦୀପାବଳି ଦିନ ଘରେ ଥିବା ଠାକୁରଙ୍କୁ ନୂଆ ଛିଟ କପଡ଼ା ପିନ୍ଧେଇ ଦିଏ। ସମସ୍ତେ ନୂଆ ପିନ୍ଧନ୍ତି। ସକାଳେ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଏ।  ପିଠା ପଣା ହୁଏ। ଗୁଆ ଘିଅ ଛଣା କାକରା ପିଠା, ଜାଉ, ମୁଗ ଡାଲିର ସୁଆଦ ଆଜିକାଲିର ହୋଟେଲ ଖାଇବାରେ କଣ ମିଳିବ? ପୁଣି ଶିରା ବୋହୁଥିବା ଗରମ ଗରମ ରସଗୋଲାର ସୁଆଦ ସହିତ ଆଉ କେଉଁ ମିଠା କଣ ସରି ହେଲାଣି। 

ଯେଉଁଠି ରଖିଲେ ବି ବିଲେଇ ଯେପରି ଶୁଙ୍ଘି ଶୁଙ୍ଘି ମାଛ ଭଜା ପାଖରେ ପହଞ୍ଚି ଯାଏ ଠିକ୍ ସେମିତି ପିଲାଦିନେ ତାଙ୍କ ପୁଅ ଶଚି ବି କାକରା ପିଠା ଛଣା ହେଉ ହେଉ ଖପ୍ କରି ଥାଳିରୁ ଉଠେଇ ନିଏ। ଖାଲି ପିଠା ନୁହେଁ, ସିଝା ଯନ୍ତା ଗୁଡ଼ିକୁ ବି ଖାଇଦିଏ। ସେ ଯନ୍ତା ଖା ନା, ତୋ ବାହାଘରରେ ବର୍ଷା ହେବ କହି ନୟନା ଡରେଇଲେ ବି ଶଚି ତା କଥା ଜମା ଶୁଣେନା। 

ଥର ଦୀପାବଳିରେ ନୟନା ଦେହ ତାତିରେ ଖଇ ଫୁଟୁଥାଏ । କାକରା ପିଠା ନ କରି ଖାଲି କ୍ଷୀର ଚାଉଳ ପୂଜା କରିଦେବା ପାଇଁ ମନୋଜବାବୁ ନୟନାଙ୍କୁ ପ୍ରବର୍ତ୍ତେଉଥାନ୍ତି। କେଉଁଠି ଥିଲା ଶଚି ଯେମିତି ଶୁଣି ଦେଇଛି ଯେ ଆଜି ଦୀପାବଳୀରେ ଘରେ କାକରା ପିଠା ହେବନି ସେ ରାହା ଧରି କାନ୍ଦିବାକୁ ଲାଗିଲା। ପିଲାର କାନ୍ଦ ସମ୍ଭାଳି ନ ପାରି ଥର ଥର ହାତରେ ନୟନା କାକରା ଛାଣିଥିଲା। ଶଚି ଗୋଟି ଗୋଟି କରି ସବୁ କାକରା ନିଜେ ଖାଇଥିଲା। ସେଥିରେ କାହାକୁ ଭୁଲରେ ବି ହାତ ମାରିବାକୁ ଦେଇନଥିଲା। 

ପ୍ରତି ଦୀପାବଳିରେ ସନ୍ଧ୍ୟା ହେଲେ ମନୋଜବାବୁ ସପରିବାର ଦୀପ ଜାଳନ୍ତି। ତା ପରେ କାଉଁରିଆ ଜଳେଇ କୁହନ୍ତି

 - ବଡ଼ ବଡୁଆ ହୋ

ଅନ୍ଧାରରେ ଆସି ଆଲୁଅରେ ଯାଅ

ଗଙ୍ଗା ଯାଅ, ଗୟା ଯାଅ, କାଶୀ ଯାଅ

ପୁରୁଷୋତ୍ତମରେ ମହାପ୍ରସାଦ ଖାଇ

ବାଇଶି ପାହାଚରେ ଗଡ଼ ଗଡଉଥାଅ ।

ଏହାପରେ ଆରମ୍ଭ ହୁଏ ବାଣ ଫୁଟା ପର୍ବ। ଶଚି ପ୍ରଥମେ ବନ୍ଧୁକରେ ଟିକିଲି ବାଣ ପୁରେଇ ଢୋ ଢା କରେ। ଘର ଅଗଣାରେ ଲେଣ୍ଡ ବାଣ ଜଳେଇ ଏମିତି ଗନ୍ଧିଆ କରେ ଯେ ତା ପରଦିନ ଘଷି ମାଜି ଯେତେ ସଫା କଲେ ବି ଦୁଆରୁ ଦାଗ ଯାଏନି। ଗୋଲାପି କାଗଜ ଗୁଡା ହେଇଥିବା ଗୋଡ଼ି ବାଣ ବାପ ପୁଅ ଦୁହେଁ କଂପିଟିସନ କରି ଫୁଟାନ୍ତି। ମନୋଜବାବୁ କାଉଁରିଆ କାଠିର ଅଗକୁ ମଝିରୁ ଟିକେ ଫାଡ଼ି ଦେଇ ତା ଭିତରେ ତାଳ ଫୋଟକାକୁ ରଖି ଶଚିକୁ ଦେଲେ ସେ ବାଣ ଫୁଟାଏ। ନୟନା ଖାଲି ଝିରଝିର ବାଣ ଫୁଟାଏ ବୋଲି ଶଚି ତା ମା'କୁ ଡରକୁରି କହି ଚିଡାଏ। 

କେତେ ହସଖୁସିରେ ରାତିଟା ବିତିଯାଏ ଜଣା ପଡେନି। ବୋହୂ କେତେବେଳୁ ଖାଇବାକୁ ଡାକିଲାଣି। ତାଙ୍କର କିନ୍ତୁ କାକରା ପିଠାରେ ମନ। ଏ ପନୀର, ଛୋଲେ ବଟୁରେ ତାଙ୍କ ଦେହରେ ଯାଏନି। ଦୀପାବଳୀରେ ବିନା କାକରାରେ ଏବେ ଶଚି କେମିତି ରହୁଛି କେଜାଣି? 

ଘରସାରା ସୁନ୍ଦର ସୁନ୍ଦର ମହମବତୀ ଓ ଲିଚୁ ଲାଇଟରେ ସଜା ହେଇଥିଲେ ବି ତାଙ୍କ ମନ ଖୋଜୁଛି ମାଟି ଦୀପର ଆଲୁଅକୁ। ଦୀପରୁ ତେଲ ପଡ଼ି ଘର ଅସନା ହେଉଛି କହି ବୋହୂ ଏସବୁ ଜଳାଏନା। ଏମିତିବି ମନୋଜବାବୁ ସମସ୍ତଙ୍କ ମାନସିକତାକୁ ସମ୍ମାନ ଦିଅନ୍ତି। ବୋହୂ ଯେ ହଇରାଣ ହେଉ ତାହା କେବେ ବି ସେ ଚାହାନ୍ତିନି କିନ୍ତୁ ପର୍ବପର୍ବାଣୀରେ ଓଡ଼ିଆପଣଟା କେମିତି ତାଙ୍କ ଛାତିକୁ କୋରି ପକାଏ। ତାଙ୍କର ଇଛା ହୁଏ କେବେ ଶାଢ଼ୀ ନ ପିନ୍ଧିଲେ ନାହିଁ ଦୀପାବଳିରେ ବୋହୂ ଟିକେ ଶାଢ଼ୀ ପିନ୍ଧି ମୁଣ୍ଡରେ ଓଢଣା ଦେଇ ପିତୃପୁରୁଷଙ୍କୁ ପିଣ୍ଡ ବାଢନ୍ତା। ସଭିଏଁ ମିଶି କାଉଁରି ଜାଳି ବଡ଼ ବଡୁଆଙ୍କୁ ଟେକନ୍ତେ। କେଇ ଟୋପା ଲୁହ ମନୋଜବାବୁଙ୍କ ଆଖିରୁ ଝରି ଆସିଲା। ସେ ଦୀର୍ଘନିଃଶ୍ୱାସ ମାରିଲେ। 

ଜେଜେ ଦେଖିଲ ମୁଁ କଣ ଆଣିଛି ଏହା କହି ନାତି ଟୋକାଟା ତାଙ୍କୁ ପଛରୁ କୁଣ୍ଢେଇ ଧରିଲା। ତା ହାତରେ ଗୋଟେ ଆକାଶଗଙ୍ଗା ବେଲୁନ୍। ସେ ବେଲୁନ୍ ମନୋଜବାବୁଙ୍କ ହାତକୁ ଧରେଇ ଦେଇ କହିଲା

- ଜେଜେ ଚାଲ ଆମେ ଦୁହେଁ ମିଶିକି ଏ ବେଲୁନ୍ ଉଡ଼େଇବା। ଏଇ ଆକାଶଗଙ୍ଗା ବେଲୁନ୍ ନା ଉଡ଼ି ଉଡ଼ି ସିଧା ଜେଜେମା ପାଖକୁ ଯିବ। ଦେଖ ମୁଁ ବେଲୁନ୍ ରେ 'ଆଇ ଲଭ୍ ୟୁ ଜେଜେମା' ଲେଖିଛି । ଜେଜେମା ପଢିକି କେତେ ଖୁସି ହେବେ। 

 ମନୋଜବାବୁ ରାଜାକୁ କୋଳରେ ଧରି ଚୁମା ଦେଇ କହିଲେ  - ହଁ ରେ ରାଜା, କାଉଁରୀ କାଠି ନଥାଉ ପଛେ ତୁ ବେଲୁନ୍ ଜାଳିକି ତୋ ଜେଜେମାକୁ ମନେ ପକେଇଲୁ। ଏତିକି ମୋ ପାଇଁ ଯଥେଷ୍ଟ। ମୁଁ ମଲାପରେ ମୋତେ ଟିକେ ଏମିତି ନିଆଁ ଦେଉଥିବୁ।


Rate this content
Log in

Similar oriya story from Tragedy