Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Satyabati Swain

Tragedy


4.5  

Satyabati Swain

Tragedy


ଦୀପା

ଦୀପା

5 mins 191 5 mins 191


ଚାଲିଗଲା ଲୋକେ ଭଙ୍ଗା କୋଠାଘରଟିକୁ କେଉଁ ଦୃଷ୍ଟିରେ ଚାହୁଁଥିବେ !


ଭୂତ କୋଠି !


କୁଳ ବୁଡା ଢ଼ିହ !


ଘର ଅଛି ଲୋକେ ଗଲେ କୁଆଡେ ?


କାହାର ଏ ଘର ?


ଭାରି କମକୂଟ ହୋଇଛି ତ ?


ନିହାତି ବଡ଼ ଲୋକେ ଏଠି ରହୁଥିବେ । 


ଏବେ ଏ ଘର ଲୋକେ କେଉଁଠି?


ଏମିତି ଅନେକ ପ୍ରଶ୍ନ ଗୁଡେଇ ତୁଡେଇ ହେଉଥିବ ଘରଟିକୁ ଦେଖି ଚାଲି ଯାଉଥିବା ଅଚିହ୍ନା ଲୋକ ମନ ଭିତରେ । 


ଢ଼ିହଟା ଉପରେ ବିରାଟ ଘରଟି ଦିହରେ ଗଛ ଲତା କବ୍ଜା କଲେଣି । ବର୍ଷା ଦିନେ ସେଠି ଘରଟିଏ ନୁହେଁ ଶାଗୁଆ ବଡ଼ ଚକଡ଼ାଟିଏ ଥିଲା ପରି ଲାଗେ । 

ଖରା ଦିନେ କିଛି ଛୋଟ ଗଛ ଓ ଲତା ମରିଯିବାରୁ କଲରା ପତାରିଆ ବାଘ ପରି ଠାଏ ଠାଏ ଘର କାନ୍ଥ ଦିଶେ । ଦିନୁ ଦିନ ସେ ତାର ଅସ୍ତିତ୍ୱ ହଜାଇ ମାଟିରେ ମିଶିଵା ପାଇଁ ଯେମିତି ଜିଦ୍ କରିଛି । ବାତ୍ୟା ପରେ ତା ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡିଛି । 


ଗାଆଁ ଲୋକେ ଡରରେ କେବେ ସେ ଘର ଢ଼ିହ ଉପରକୁ ଉଠନ୍ତି ନାହିଁ । ଗାଆଁର ଶେଷ ମଝି ଭାଗରେ ସେ ଘରଟି । ଆମ ପରି ପିଲା ମାନଙ୍କ ପାଇଁ ସେ ଗୋଟେ ଭୟର ଦୁର୍ଗ । ଟିକେ ଟିକେ ଅବୁଝା ପଣରେ ସାନଠାରୁ ବଡ଼ ପର୍ଯ୍ୟନ୍ତ ଡରେଇ କହିବେ , "ହେଇଟି ସେଠି ଯେଉଁ ଭଙ୍ଗା ଘର ଅଛି ନେଇ ଛାଡି ଦେଇ ଆସିବୁ । ତା ଭିତରେ ଗୋଟେ ବୁଢ଼ୀ ଅସୁରୁଣୀ ଅଛି । ତାର ଏଡ଼େ ବଡ଼ ବଡ଼ ନଖ,ଦାନ୍ତ । ସେ ଛୁଆଙ୍କୁ ଧରି ନେଇ ସେ ଘର ଭିତରେ ବନ୍ଦୀ କରି ରଖେ । 

ଥରେ ତା ହାବୁଡ଼ରେ ପଡିଲେ କେବେ ବି ଛାଡେ ନାହିଁ । ଖାଇଦେ, ଶୋଇପଡ଼, ଦୁଷ୍ଟ ହଅନି ; ନହେଲେ ସେଇ ଘର ଆଗରେ ନେଇ ଛାଡି ଦେଇଆସିବୁ । "


ବାସ୍ ! ଏତିକି କଥା ଯଥେଷ୍ଟ ପିଲାଟି ଖାଇଦେବାକୁ, ଶୋଇପଡିବାକୁ କିମ୍ବା ଦୁଷ୍ଟ ନ ହେବାକୁ । 


ଛୁଟି ହେଲେ ବା ମନ ହେଲେ ମୁଁ ଜେଜେମାଆ, ଜେଜେବାପା, ବବୋଉ, ବିଭୁ ଭାଇ ତଥା ରିମାନୀ ରହୁଥିବା ଆମ ଗାଆଁ ଘରକୁ ଯାଏ । ଛୁଆ ବେଳେ ବାପା ମାଆଙ୍କ ସହ ଯାଉଥିଲି । ଏବେ ବଡ଼ ହେଲାରୁ ଏକା ଏକା ଯିବା ଆସିବା କରେ । ଜେଜେମାଆ ଓ ଜେଜେ ମୋତେ ଖୁବ୍ ଭଲ ପାଆନ୍ତି । ରିମାନୀ ମୋ ଠାରୁ ଦୁଇ ବର୍ଷ ବଡ଼ । କିନ୍ତୁ ଆମେ ସାଙ୍ଗ ପରି ହେଉ । ବିଭୁ ଭାଇ ଏବେ ଚାକିରୀ କରି ସହରରେ । 


ଯେତେ ଥର ଗାଆଁକୁ ଯାଇଛି ସେ ଗାଆଁ ମଝି ଭଙ୍ଗା କୋଠା ଘର ପ୍ରତି ଆକର୍ଷଣ ମୋର ଅଧିକ ବଢିଛି । ଯେମିତି ଲାଗେ ସେ ଘର ଭିତର ମୋର ଭାରି ଚିହ୍ନା । ସେଠି ଯେଉଁ ଲୋକ ଥିଲେ ହୁଏତ ମୋର ଖୁବ୍ ଆପଣାର । ତଳୁ ଉପର ଘର ମୁଖ୍ୟ ଦ୍ୱାର ଯାଏ ଲମ୍ବି ଯାଇଥିବା ପାହାଚ ଉପରେ ସତେକି ଛୁଆ ବେଳେ ଡେଇଁଛି ବହୁତ । ସେ ମାଟିର ବାସ୍ନା ପରିଚିତ ପରିଚିତ ଲାଗେ । ଜେଜେମା କି ଜେଜେ ବା ବବୋଉ ହୁଏତ ଜାଣିଥିବେ ମୋ ପିଲାଦିନେ ଏ ଘରେ ଥିବା କେହି ପିଲା ମୋର ହୁଏତ ସାଙ୍ଗ ହୋଇଥିବେ କି କଣ?ଆମ ପରି ସେମାନେ ଯାଇ ସହରରେ ଘର କରି ରହିଥିବେ । ଗାଆଁରେ ଯେତେବେଳେ ସବୁ ଆପଣା ଲୋକେ ମରି ହଜି ଯାଇଥିବେ, ହୁଏତ ସେମାନେ ସେଥିପାଇଁ ଆଉ ଗାଆଁକୁ ଆସୁ ନଥିବେ । ଯତ୍ନ ଅଭାବରୁ ଘରଟି ଆସ୍ତେ ଆସ୍ତେ ଭାଙ୍ଗି ଯାଉଛି । 


ଯେତେ ଥର ଯାହାକୁ ପଚାରିଛି ସମସ୍ତେ କୁହନ୍ତି, ତୁ ସେଥିରୁ କଣ ପାଇବୁ ବା । ଦିନେ ଅଧେ ଆଇଚୁ ଖା, ଖେଳେ, ବୁଲା ବୁଲି କର । ଏତେ କଥାରେ ମୁଣ୍ଡ ଖେଳଉଛୁ କିଆଁ !


କେହି କିଛି ନ କହିବା ମୋ ଜାଣିବାର ଇଚ୍ଛାକୁ ଖୁବ୍ ବଢାନ୍ତି । ଭାରି ଡହଳ ବିକଳ ହୁଏ । ବାପା ଓ ମାଆକୁ ପଚାରିଲେ ବିଗିଡ଼ି କୁହନ୍ତି "ସବୁବେଳେ ଗୋଟେ ଗାଆଁକୁ ଯାଇ ମୁଣ୍ଡ ଖରାପ କରି ଆସୁଛି । ଆଉ ସେ ଗାଆଁକୁ ଯିବୁନି ତ" । 


ଏଥର ଦଶହରାକୁ ଜିଦି କରି ପଳେଇଲି । ମୋତେ ଗାଆଁ ଛକ ଦଶହରା ମେଢ଼ରେ କାମ କରିବାକୁ ଭଲ ଲାଗେ । ସାଙ୍ଗ ମାନେ ମୋଟା ଅଙ୍କର ଚାନ୍ଦା ବି ମୋ ଉପରେ ଭିଡନ୍ତି । ଭସାଣୀ ପରେ ଯୋଖା ଫିଷ୍ଟଟିଏ ହୁଏ । ସହର ଅପେକ୍ଷା ଗାଆଁ ମଜା ମୋତେ ଅଧିକ ନିଜର ଲାଗେ । ରିମାନୀ କହିଲା, ବୁଟୁ ମୋତେ ଟିକେ ମହାନ୍ତି ସାହିକୁ ନେଇଯିବୁ ? ମୋ ସାଙ୍ଗ ସୋନି ଆସିଛି । ତା ସହ ଦେଖା କରନ୍ତି । 


 ଆମ ଗାଆଁ ରାଉତ ସାହି, ମହାନ୍ତି ସାହି, ଲେଙ୍କା ସାହି, ସ୍ୱାଇଁ ସାହି ଓ ବ୍ରାହ୍ମଣ ସାହି ବା ପଡା ଭାବେ ନାମିତ ହୋଇଛି । ଯେଉଁ ପଡ଼ାରେ ଏକା ସାଙ୍ଗିଆ ପରିବାର ଅଧିକ ଅଛନ୍ତି ସେ ସାହିଟି ସେଇ ସାଙ୍ଗିଆ ନାମରେ ନାମିତ । 


ବାପାଙ୍କ ପୁରୁଣା ହିରୋହୁଣ୍ଡା ଗାଡିଟି ଗାଆଁରେ ଥାଏ । ଦରକାର ପଡ଼ିଲେ ଶିବ ମାମୁଁ ଯେ ଆମ ଘର ହାନି ଲାଭ ବୁଝନ୍ତି ସେ ଚଳାନ୍ତି । ଜେଜେ ଓ ଜେଜେମାଙ୍କୁ ହସ୍ପିଟାଲ ନିଅନ୍ତି । ବାପା କି ମୁଁ ଗଲେ ଚଳାଉ । ରିମାନୀକୁ ସେଥିରେ ବସାଇ ମହାନ୍ତି ସାହିକୁ ଗଲୁ । ସେ ସାହିକୁ ମୁଁ ଆଗରୁ କେବେ ବି ଯାଇନି । ଆମର ଲେଙ୍କା ସାହି । ମୋର ସେ ସାହିରେ କିଛି ଦରକାର ନଥାଏ ଯେଣୁ ଯାଏନି । ମୋତେ ଦେଖୁ ଦେଖୁ ରିମାନୀ ସାଙ୍ଗ ବୁଲି ମାଆ କହିଲେ, "ହଇରେ ତୁ ସେଇ ବୁଟୁଟି ଯିଏ ଦୀପାବଳି ଦିନ ଯାହା ହାତ ପୋଡି ଯାଇଥିଲା ! ଏଡେଟିଏ ହୋଇଗଲୁଣି ?କଣ ପଢ଼ୁଛୁ ନା ଚାକିରୀ କଲୁଣି?


ରିମାନୀ ବୁଲିମାକୁ ଠାରି ଦେଇ କଣ ଆଖିରେ କହିଲା । ମୋତେ ପ୍ରଣାମ ହେବାକୁ କହି ନିଜେ ପ୍ରଣାମ ହେଲା । ବଡ଼ ପାଟିରେ କହିଲା ଆମ ବୁଟୁ ବା ଆଉ ଗୋଟେ ବର୍ଷ ପରେ ଇଞ୍ଜିନିୟରଟିଏ ହେବ ବୁଲି ମାଆ । ବଢ଼ିଆ ପଢୁଛି । 


ମୋ ଗୋଡ଼ଠୁ ମୁଣ୍ଡ ଯାଏ ବୁଲି ମାଆ ହାତ ମାରି କହିଲେ ,ହଉ ଲୋ ମୋ ବାପାକୁ ଷଠିଦୁତି କୋଟିଏ ପରମାୟୁ ଦେଇଥାଉ । ସତରେ ଗାଆଁ ଲୋକଙ୍କ ସ୍ନେହ ମମତା ଅତି ମଧୁର ଓ ନିର୍ଭେଜାଲ । 


ରିମାନୀ ଓ ସୋନି ନାନୀ ପୁରା ଗପରେ ମଜି ଗଲେ । ଏଇ ମଉକାରେ ମୁଁ ପଚାରିଲି ବୁଲି ମାଆ ! ଆମ ଗାଆଁ ଶେଷରେ ଯେଉଁ ଘରଟି ସେ କାହା ଘର? ଏମିତି କାଇଁ ପଡିଛି? ସେ ଘର ଲୋକେ ଗଲେ କୁଆଡେ?


ବୁଲି ମାଆ ଥଙ୍ଗ ମଙ୍ଗ ହେଲା ଓ ମୋ ରିମାନୀ ଆଡ଼କୁ ଅନାଇଁଲା । ବୋଧହୁଏ ଆଖି ଠାରରେ ବୁଲି ମାଆକୁ କଣ କହିବାକୁ ମନା କରିଛି । ସେଇ ମନା ଟା କଣ ହୋଇପାରେ !


ଗେହ୍ଲେଇ କହିଲି ବୁଲି ମାଆ ମୋ ବାପା ମାଆ ସବୁବେଳେ ତୁମ କଥା କୁହନ୍ତି । ତୁମେ କାଳେ ଏ ଗାଆଁର ସବୁଠୁ ସୁନ୍ଦର ବୋହୁ ଥିଲ ସେତେବେଳେ ! ବୁଲି ମାଆକୁ ପଟେଇବା ପାଇଁ ତାଙ୍କୁ ପ୍ରଶଂସା କଲି । 

ଅବଶ୍ୟ ବୁଲି ମାଆ ହଳଦୀ ଦେହୀ ସୁନ୍ଦର ମଣିଷଟିଏ । 


ସତରେ ମୋ କଥା କୁହନ୍ତି !


ହଁ ବୁଲି ମାଆ ପ୍ରାୟତଃ କୁହନ୍ତି । 


ବୁଲି ମାଆ ଖୁବ୍ ପ୍ରସନ୍ନ ଲାଗୁଥିଲେ । ଏଇ ସୁଯୋଗରେ କହିଲି କୁହନା ବୁଲି ମାଆ ସେ ଘର କାହାର ? କାଇଁ ଏମିତି ପଡିଛି ?


ହଇରେ ନାତି ତୁ ଆଜିଯାଏ ଏ କଥା ଜାଣିନୁ ! ସେଇଟି ପରା ତୋ ସାଙ୍ଗ ଦୀପା ଘର । 


ଦୀପା !!


ହଁ ଜଗମୋହନର ଗୋଟିଏ ବୋଲି ଝିଅ ଦୀପା ତୋରି ବୟସର । ଦୀପାବଳି ଦିନ ଜନ୍ମ ହୋଇ ଥିଲା ବୋଲି ତା ନାଁ ଦୀପା ଦେଇଥିଲେ ତା ବାପମା । ତୋଫା ଜହ୍ନ ପରି ଝିଅଟିଏ । ଗୁଲୁରୁ ଗୁଲୁରୁ କଥା କହୁଥିଲା । ତୁ ଆଉ ଦୀପା ଭାରି ସାଙ୍ଗ । 


ଜଗମୋହନ, ଦୀପା ,କାଇଁ ନାଇଁ ତ ମୋର କିଛି ମନେ ପଡୁନି । 


କୋଡିଏ କି ଏକୋଇଶି ବର୍ଷ ତଳର କଥାରେ ବିଟୁ । ହୋଇ ହୋଇ ତୋତେ ଚାରି ବର୍ଷ ଖଣ୍ଡ ହୋଇଥିବ । ତୋର କଣ ଏତେ ପିଲା ଦିନ କଥା ମନେ ରୁହନ୍ତା !


ସେଦିନ ଦୀପାବଳିରେ ଦୀପାର ଜନ୍ମ ଦିନ ମହା ଧୁମ୍ ଧାମ୍ ସହ ପାଳନ ହେଉଥିଲା । ଗାଆଁ ଗୋଟାଯାକ ଲୋକଙ୍କୁ ନିମନ୍ତ୍ରଣ । କ୍ଷୀରି ପୁରିରେ ସମସ୍ତେ ଭାସୁଥାଉ । ତୁ ବି ତୋ ଜେଜେଙ୍କ ସହ ଯାଇ ଥାଉ । 

ଚାରିଆଡେ ଦୀପ ହାଲୋଲମୟ । ଛୋଟଛୋଟ ଦୀପା ଓ ତୋ ପରି ଯେତେ ସାନ ବଡ଼ ପିଲା ଫୁଲ୍ ଝରି ବାଣ ଧରି ବୁଲି ବୁଲି ଖେଳୁଥାନ୍ତି । ଦୀପା ବି ତାଙ୍କ ସଂଗେ ଘୁରି ଘୁରି ଖେଳୁ ଖେଳୁ ଗୋଟେ ଦୀପ ଉପରେ ପଡିଗଲା । ପିଲା ଲୋକ । ଝରି ପକା ନୂଆ ଡ୍ରେସ୍ ପିନ୍ଧିଥିଲା । ଜାଣି ପାରିଲା ନାହିଁ ନିଆଁ କେତେବେଳେ ଚର ଚର ଲାଗିଗଲା ଦେହ ସାରା । 


ତୁ ପରା ନିଜେ ଦୀପା ଦେହର ନିଆଁ ଲିଭାଇବାକୁ ଯାଇ ତୋ ହାତ ପୋଡିଥିଲୁ । ଦେଖୁନୁ ବାଁ ହାତ କହୁଣୀ ଯାଏ ଗୋଟେ ପଟେ ପୋଡ଼ା ଚିହ୍ନ ଥିବ ଥିବ ତୋର । 


ତାପରେ କଣ ହେଲା ବୁଲି ମାଆ ?


କଣ ହୁଅନ୍ତା ଦୀପା ଦେହ ସାରା ପୋଡି ଯାଇଥିଲା । ଦିନେ ହସ୍ପିଟାଲରେ ରହି ମରିଗଲା । 

ଦୀପା ମରିବା ଦେଖି ତା ମାଆର ହାର୍ଟ ଆଟାକରେ ଦୀପା ପାଖକୁ ଚାଲିଗଲା । ଦୀପା ବାପା ପାଗଳଖାନାରେ ଥିଲା । ମଲାଣି କି ବଂଛିଛି କେହି ଜାଣି ନାହାନ୍ତି । ସେଇ ଦିନଠାରୁ ଜଗମୋହନ ଘରେ ତାଲା । ବାରମ୍ବାର ଖରା ବର୍ଷା ଓ ବାତ୍ୟା ପବନ ଖାଇ ଘରଟି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଗଲାଣି । 


ତା ମାନେ ଦୀପା ମୋ ସାଙ୍ଗ ! ସେଇଥିପାଇଁ ସେ ଘର ପ୍ରତି ମୋର ଏତେ ଆକର୍ଷଣ !! 


ପୋଡି ଯାଇଥିବା ହାତ ଚିହ୍ନରେ ହାତ ମାରି ଦୀପା ମୁହଁ ମନେ ପକାଇବାକୁ ଚେଷ୍ଟା କରୁଥିଲି । 






Rate this content
Log in

More oriya story from Satyabati Swain

Similar oriya story from Tragedy