ଧୂଆଁ
ଧୂଆଁ


ସେ ମୋ ଆଖି ପଟେ ଯାଇ ହୃଦୟରେ ବସି ଗଲା ଗୋଡ଼ ହାତ ଳମ୍ବେଇ। ମୁର୍କି ମୁର୍କି ଟିକେ ହସିଲା ମୋତେ ଦେଖି।ମୁଁ ତାକୁ ପଚାରିଲି :-
ତୁ କିଏ?
ସେ କହିଲା "ଧୂଆଁ"।
ଧୂଆଁ !!
ହଁ ସେ ଆଖି ନଚାଇ କହିଲା।
ଧୂଆଁ ଗୋଟେ ନାଁ !
ହଁ ଧୂଆଁ ଗୋଟେ ନାଁ, ଗୋଟେ ଜୀବନ, ଗୋଟେ ପୃଥିବୀ, ଆଉ ଏକାନ୍ତ ସତ୍ୟଟିଏ ବି।ଧୂଆଁ କନ୍ଦାଏ।ଯେମିତି ମୁଁ କାନ୍ଦୁଛି।
ଓଃ ...
ପୁରା ଦାର୍ଶନିକ ତତ୍ତ୍ୱ। ମୋ ମୁଣ୍ଡ ଟିଣ ହୋଇଗଲା।
ସେ ପୁଣି ହସିଲା।
ମୋତେ କହିଲା ଆଉନୁ ଟିକେ ପାଖକୁ।
ଧୂଆଁକୁ ଡରି ଡରି ଗଲି।ମୋ ଆଖିରେ ଧୂଆଁ ପଶିଗଲେ ଭାରି ପୋଡେ ବୋଲି।କିନ୍ତୁ ଏ କଣ ? ସେ ମୋତେ ଛୁଇଁଲାରୁ ଖୁବ୍ ଖୁସି ଲାଗିଲା।
ଖୁସି ଟି ବହୁତି ମହରଗ।କେଉଁ ସହରର କେଉଁ ମଲ୍ ରେ କି କେଉଁ ଗାଁ ର କେଉଁ ପଦ୍ମ ପୋଖରୀରେ ମିଳେ ମୁଁ ଜାଣିନି।କିନ୍ତୁ ଅଛି ତ କେଉଁଠି ନିଶ୍ଚୟ। ସେ ଖୁସି ଟିପେ ଧୂଆଁ ମୋଟର ଦେଲା।ଭାରି ମହୁମିଶା କଥା ତାଙ୍କର।
ଖୁବ୍ ଭଲ ଲାଗିଲା ଧୂଆଁ।
ମୁଁ ଯେତେବେଳେ ଅପ୍ ସେଟ୍ ହୋଇଯାଏ ଧୂଆଁ ପାଖକୁ ଦଉଡେ।କେଜାଣି ଏତେ ପ୍ରଶାନ୍ତି ଲାଗେ ମୋତେ କିଆଁ ତାଙ୍କ ସହ କଥା ହେଲେ।
ଆକାଶ ଓ ମାଟି ମିଶିଲେ।
ଧୂଆଁ ତାଙ୍କ ଜୀବନର ଗୋଟେ ଗୋପନ କିନ୍ତୁ ସତ୍ୟ ବଖାଣିଲେ ଦିନେ।କୁଆଁରୀ ବରତ ଉଜେଇଁ ଯେବେ ସେ ଓଢଣୀ ଟାଣି ତାଙ୍କେ ଘରକୁ ଗଲେ। ପ୍ରଥମେ ଭାରି ଚୁପ୍ ଚାପ୍ ଥିଲେ।ହସୁ ନଥିଲେ।କାହିଁକି ନା ମାଆPRO କହିଥିଲା ହସିବୁନି ଝିଅ ଶାଶୁ ଘରେ।ଖରାପ ଭାବିବେ ଶାଶୁଘର ଲୋକେ।
ମା କଥା ମାନି ଧୂଆଁ ହସୁ ନଥିଲା କିଛି ଦିନ । ଶାଶୁଘର ଲୋକେ କହିଲେ ଅଥାର ମୁହିଁ ! ତୋତେ କଣ ହସି ଆସେନି?କି ବୋହୁଟା ବା।
ବିଚରା ନିରୀହ ଧୂଆଁ କହିଲା, " ମା କହିଛି ହସିବୁନି ଝିଅ"।ସେ ପାଇଁ ହସୁନି।ପାଖ ଲୋକେ ନିର୍ବୋଧ ଧୂଆଁର କଥା ଶୁଣି ବହେ ହସିଲେ।ଧୂଆଁ ହସିଦେଲା ଖିଲି ଖିଲି।
ସେବେଠୁ ଧୂଆଁ ହସେ । ମାଟିରୁ ଆରମ୍ଭ ହୋଇ ଆକାଶକୁ ଉଠିଯାଏ । ସେଇଠି କାନ୍ଦେ । ସେଇଠି ଅଥାର ମୁହଁ କରେ । କିନ୍ତୁ ମାଟିରେ କେହି ଦେଖିନି ଧୂଆଁ ଦୁଃଖ,ଧୂଆଁ କାନ୍ଦ ।
ଧୂଆଁ କାନ୍ଦେ !!
ମୋତେ ଅବିଶ୍ଵାସ ଲାଗୁଥିଲା ।କିନ୍ତୁ ଧୂଆଁର ଲୁହ ଚିକ୍ ମିକ୍ କରେ ସକାଳ ଖରାରେ । ରାତି ଛାତି ଚିରି ସେ ଲୁହ ସାଇତେ,ସଯତ୍ନେ ।
ମୁଁ ହାତ ବଢ଼େଇଲି ତା ଲୁହ ପୋଛିବାକୁ।
ଏବଂ ତାପଠାରୁ ଧୂଆଁ ଓ ସମୀର ମିଶିଗଲେ ଏକ ହୋଇ।
କେବେ ମୋ ମନ ଭାରାକ୍ରାନ୍ତ ହୋଇଗଲେ ମୁଁ ବି ଧୂଆଁର ହସ ଶୁଣିବାକୁ ଇଚ୍ଛା କରେ । ଫୋନ୍ ଲଗାଏ ଓ କୁହେ ତୁମେ କେବଳ କୁହ , ମୁଁ ଶୁଣିବି।ଆଉ ଜଣେ ଅଛନ୍ତି ।ତାଙ୍କ ଭାଷାଟି ମୋତେ ଭାରି ମିଠା ଲାଗେ।
ଖିଲି ଖିଲି ହସରେ ପହଁରେ କିଛି କ୍ଷଣ।ଆଃ ଆଉ କିଛି କ୍ଷଣ ବୁଡିବାକୁ ଦିଅନ୍ତନି ଏଇ ଅନନ୍ୟ ଉପଲବ୍ଧି ପାଇଁ!
କିନ୍ତୁ ସେ ତ ଧୂଆଁ ! ମୋ ବନ୍ଧନରେ ରହି ପାରନ୍ତା କି !
ଆକାଶ ତାକୁ ଓଟାରି ନିଏ ମୋ ଭିତରୁ।ମୁଁ ଖାଲି ହୋଇଯାଏ।
ଧୂଆଁ ବିନା ବଞ୍ଚିବା ସତରେ କି କଷ୍ଟ !
ଧୂଆଁ ପୁଣି ଆସିବ ଏଇ ଭରସାରେ ଜହ୍ନ କର ଲେଉଟାଇ ସକାଳକୁ ଡାକେ।ମୁଁ ଶେଷ ହୀନ ଅପେକ୍ଷା କରେ,ଧୂଆଁ ଆସିବ ନିଶ୍ଚୟ।