ଧନତେରାସ ଦୋଳି
ଧନତେରାସ ଦୋଳି
ପୁଅ ଝିଅ ଫୋନ କରୁଥିଲେ ମାଆ ରୁଚିଙ୍କୁ, ମାଆ ତୁ ଜାଣିଛୁ ତ ଆଜି ଧନତେରାସ ବୋଲି. ଆରେ ହଁ ଜାଣିଛି ଆଉ ତୁମ ମାନଙ୍କ ପାଇଁ କିଛି କିଛି ଆଣିଛି ମଧ୍ୟ. ଝିଅ କହୁଥିଲା ମୁଁ ତ ଏବେ ଯାଇପାରୁନି ମୋ ଜିନିଷ ଦୀପାବଳୀରେ ପୂଜା କରି ରଖିଥା. ପୁଅ କହୁଥିଲା ମା ମୁଁ ଫ୍ଲାଇଟରେ ବସିଲିଣି, ଆଉ ଦୁଇ ଘଣ୍ଟା ପରେ ଭୁବନେଶ୍ୱରରେ ପହଞ୍ଚିବି. ବାପାଙ୍କୁ କହିବୁ ଗାଡି ନେଇ ଆସିବେ ଆମେ ଏଠୁ ତୋ ବୋହୁ ଓ ନାତିଙ୍କୁ ନେଇ ଘରେ ପହଞ୍ଚୁ ପହଞ୍ଚୁ ରାତି ନଅଟା ହେବ. ଏସବୁ କଥା ଶୁଣି ରୁଚିଙ୍କର ଗୋଡ଼ ପାଞ୍ଚ ହାତରେ ପଡୁଥିଲା. କୁଆଡେ ଗଲୁ ମାଆ ଫୁଲ ମୋ ପୁଅ ବୋହୁ ନାତି ଆସିବେ ଆ ଆ ନଡ଼ିଆ କୋରା ଜଲଦି, ମୋ ପୁଅ ରୁମ ଓଳେଇ ସଜାଡେ, ବେଡ଼ସିଟ ବଦଳା, ମାଛ ଧୋଇ ଲୁଣ ହଳଦୀ ପକାଉ ପକାଉ ରୁଚି ବରାଦ କରୁଥିଲେ ଫୁଲକୁ. ଆଉ ସ୍ୱାମୀଙ୍କୁ ତରତର କରି ପଠାଉଥିଲେ ଭୁବନେଶ୍ୱର ଏୟାରପୋର୍ଟ. ହସି ହସି ସ୍ୱାମୀ ମୁରୁକି ମୁରୁକି କହୁଥିଲେ ଦେଖିଲ ଟିକେ ଆଗରୁ ଆଣ୍ଠୁ ଦରଜ, ଦେହ ଦରଜ, ମୁଣ୍ଡ ବିନ୍ଧା, ଗ୍ୟାଷ୍ଟିକ ସବୁ ଛାଡ଼ି ବଦଳି ଗଲା ମୋଡ଼. ଫୁଲ ବି ଦୁଇପଦ ଝାଡ଼ିଦେଲା, ଆଜିକାଲି ଶାଶୁମାନେ ବୋହୁ ପରି ଓ ବୋହୁମାନେ ଶାଶୁ ପରି ହେଉଛନ୍ତି ପରା. କି ଯୁଗ ହେଲା କେଜାଣି ଜୀବନର ପ୍ରତିଟି ମୋଡ଼ ବଦଳି ଗଲାଣି.ରୁଚି କହୁଥିଲେ ହଉ ଭାଷଣ ଛାଡ଼ି ହାତ ଚଳା ଜଲଦି.।
ଖେଚେଡ଼ି, ମାଛ ବେସର, ଡ଼ାଲମା, ଖଟା, କ୍ଷୀରି କରି ଅପେକ୍ଷା କରିଥାନ୍ତି ରୁଚି. ପୁଅ ବୋହୁ ଓ ସ୍ୱାମୀଙ୍କ କୋଳରେ ନାତି ଥିଲା ମୁଖ୍ୟ ଆକର୍ଷଣ. ବନ୍ଦାପନା ଖିଆପିଆ ପରେ ପୁଅ ଡାକିଲା ଆ ମାଆ ତୋ ପାଇଁ କଣ ଆଣିଛି ଦେଖିବୁ କହି ସ୍କୁଲ ୟୁନିଫର୍ମ ପାଟ ଶାଢ଼ୀ ଦୁଇଖଣ୍ଡ ଓ ବାପାଙ୍କ ପାଇଁ ଖଣ୍ଡୁଆ ଧୋତି ଓ ଚାଦର ଦେଖି ଖୁବ ଖୁସି ହୋଇଗଲେ ରୁଚି. ରୁଚି ମଧ୍ୟ ପୁଅ ବୋହୁଙ୍କୁ ତାଙ୍କ ନୂଆ ଲୁଗାପଟା ସହ ବୋହୁ ପାଇଁ ଝୁଣ୍ଟିଆ ଦେଇ ସାରିବା ପରେ ନାତିକୁ ଖୋଜା ପଡିଲା ତ ଉପର ଘରେ, ନୂଆ ଦୋଳିରେ ଝୁଲୁଥିଲା ନାତି ଆଉ ଝୁଲାଉଥିଲେ ଜେଜେ ରୂପକ. ଦୋଳିରୁ ଉଠୁନଥିଲା ନାତି. ହସୁଥିଲା ଖିଲଖିଲ. ଜେଜେ ଆଣିଥିଲେ ପାଣ୍ଡା ଟେଡି କିନ୍ତୁ ଦୋଳି ଥିଲା ନାତି ପାଇଁ ଧନତେରାସର ସବୁଠୁ ଦାମୀ ଉପହାର.ଫୁଲ କହୁଥିଲା ମୋର ଖାଲି ଶାଢ଼ୀ ଆଉ ଚୁଡ଼ି ସହିତ ମିଠା, ଏତିକି. ରୁଚି କହୁଥିଲେ ତୋ ପାଇଁ ଦୋଳି ତୁ ନିଜେ ବାନ୍ଧି ଖେଳିବୁ. ହସିଥିଲେ ସମସ୍ତେ.।

