Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Lipi Sahoo

Inspirational


4.7  

Lipi Sahoo

Inspirational


ମହାନିର୍ବାଣ

ମହାନିର୍ବାଣ

11 mins 113 11 mins 113

ଉଠ ଗୋପା ,ଉଠ ଆଖି ଖୋଲି ଦେଖ । ମୁଁ ଆସିଛି । କିଏ ! ୟେତେ ରାତି ରେ ପୁଣି ମୋ ଶୋଇବା ଘର ଭିତରେ ଡାକୁଛି। ସେଇ କ୍ଷୀଣ ଜ୍ୟୋତି ବୋଧେ। କାହିଁକି ସେ ବାର ବାର ଆସି ରାତି ଅଧରେ ମୋତେ ଉଠଉଛି ? କେହି ତ ଦିଶୁ ନାହାଁନ୍ତି । କେବଳ କ୍ଷୀଣ ଜ୍ୟୋତି କୁ ଭେଦ କରି ଭାସି ଆସୁଛି କିଛି ସମ୍ମୋହନକାରୀ ଶବ୍ଦାବଳୀ । ସିଦ୍ଧ୍ ଙ୍କୁ ୟେ ବିଷୟରେ କହିଲେ ସେ ହସି କି ଉଡ଼େଇ ଦେଉଛନ୍ତି। ଲଗ୍ନା ଏକବିଂଶ ଶତାବ୍ଦୀରେ ଏଇ ଭଳି କଥା କହୁଛ, ପୁଣି ତୁମେ ଏତେ ଉଚ୍ଚ ଶିକ୍ଷିତା ହୋଇ । ତୁମେ ବୋଧେ ଟିକେ ଷ୍ଟ୍ରେସ୍ ରେ ରହୁଛ ସେଇଥିପାଇଁ ଏମିତି ହାଲୁସିନେସନ୍ ହେଉଛି। ଅଧିକା ରେଷ୍ଟ ନିଅ । ମାସରେ ସିଦ୍ଧ୍ ମାନେ ସିଦ୍ଧାର୍ଥ ଦାସ ଲଗ୍ନା ଙ୍କର ସ୍ବାମୀ ପନ୍ଦର ଦିନ ଟ୍ୟୁରରେ ବାହାରେ ରୁହନ୍ତି। ଏକ ମାତ୍ର ପୁଅ ନୀଳଲେହିତ ଆଇଆଇଟି ମୁମ୍ବାଇ ରେ ପଢ଼େ। ଘରେ ରୁହନ୍ତି ମାୟା ମାଉସୀ ଆଉ ସେ । ମାୟା ମାଉସୀ ଆଜକୁ କୋଡ଼ିଏ ବର୍ଷ ହେଲାଣି ସେମାନଙ୍କ ସହ ଏଠି ରହିଲେଣି । ଘରର ସଦସ୍ୟ ବନିଗଲେଣି । ସବୁ କାମ ସେ କରନ୍ତି। ଲଗ୍ନା କୁ କିଛି ବି କରେଇ ଦିଅନ୍ତି ନାହିଁ। ଘରେ ତ ସେମିତି ବିଶେଷ କିଛି କାମ ନାହିଁ। ତା'ର ବେଶୀ ସମୟ କଟେ ଠାକୁର ଘରେ ନହେଲେ ବହି ପଢିବାରେ। ମୋଟାମୋଟି କହିବାକୁ ଗଲେ ଏକ ସୁଖୀ ପରିବାର । କିନ୍ତୁ ତା ସହ ବାର ବାର ଘଟୁଥିବା ଏଇ ଘଟଣା ତାକୁ ଦିନ କୁ ଦିନ ବିଚଳିତ କରିପକଉ ଥିଲା ।

             ହଠାତ୍ ତା'ର ମନେପଡିଲା କଲେଜ ସାଙ୍ଗ ମୋହିନୀ ପଟ୍ଟନାୟକ କଥା । ସେ ଏବେ ଏଇ ସହରରେ ରହୁଛି । ଟିଭିରେ ଦେଖଉ ଥିଲା , ସେ ଏବେ ବିଶିଷ୍ଟ ମନସ୍ତତ୍ତ୍ୱବିଦ୍ ତା'ର ଫୋନ୍ ନମ୍ବର ବି ଦେଖଉଥିଲା। ତା ସହ କଥା ହେବ ହେବ ବୋଲି ଆଉ ହେଇ ପାରିନାହିଁ। ଆଜି ସିଧା ତା ପାଖକୁ ଯିବ। ଫୋନ୍ କରି ଠିକଣା ପଚାରିନେଲା ହେଲେ ନିଜ ପରିଚୟ ଦେଲାନି। ଦିନ ଏଗାରଟାରେ ଯାଇ ତା କ୍ଲନିକ୍ ରେ ପହଞ୍ଚିଗଲା। ୟେତେ ଦିନ ପରେ ଲଗ୍ନାକୁ ଦେଖି ମୋହିନୀ ଖୁସିରେ କୁଣ୍ଡେଇ ପକେଇଲା । ତା'ପରେ ତ ଲମ୍ବି ଚାଲିଲା ଅଛିଣ୍ଡା ଗପର ଖିଅ । ତା'ଭିତରେ ଲଗ୍ନା ନିଜ ସହ ଘଟୁଥିବା ଘଟଣା କଥା ବି କହିଲା। ଟିକେ ଚୁପ୍ ରହି ମୋହିନୀ ପଚାରିଲା ତୁ ପୁନଃଜନ୍ମ ପରକାଳ ଆଦିରେ ବିଶ୍ୱାସ କରୁ ? 'ହଁ' ଲଗ୍ନା ମୁଣ୍ଡ ହଲାଇଲା। ତା ମାନେ ତୁ କହୁଚୁ କୋଉ ଆତ୍ମା ଆସୁଛି ମୋ ପାଖକୁ ? ହଁ ହେଇପାରେ ମୋହିନୀ ଟିକେ ଗମ୍ଭୀର ହୋଇ କହିଲା । ଦେଖ ମୋହିନୀ ମୋତେ ଡରାନା ମୁଁ ପ୍ରାୟ ସମୟ ଏକୁଟିଆ ରହେ ସିଦ୍ଧ୍ ବାହାରେ ରୁହନ୍ତି । ନା ରେ ମୁଁ ତ'ତେ କାହିଁକି ଡରେଇବି ? ଯେହେତୁ ତୁ କହୁଚୁ ବାର ବାର ଘଟୁଛି ସେଇଥି ପାଇଁ କହିଲି । ହଉ କାଲି ମୁଁ ତୋ'ଘର କୁ ଯିବି ସେଠି ସବୁ ଦେଖିସାରିଲା ପରେ ଟ୍ରିଟମେଣ୍ଟ ଆରମ୍ଭ କରିବା । ତା'ମାନେ ତୁ କହୁଚୁ ମୁଁ ପାଗଳ ? ନାରେ ବୁଝିବା କ'ଣ ପାଇଁ ଏ ସବୁ ଘଟୁଛି।

              ଲଗ୍ନା ଘରକୁ ଫେରି ଦେଖିଲା ମାଉସୀ ସବୁ ରନ୍ଧାବଢ଼ା ସାରି ତାକୁ ଅପେକ୍ଷା କରି ବସିଛନ୍ତି। ଲଗ୍ନା ଖୁବ୍ ଥକି ଯାଇଥିଲା ଖାଇ ସାରି ଶୋଇବା କୁ ଚାଲିଗଲା। ଖଟରେ ପଡ଼ିବା ମାତ୍ରେ ଆଖି ଲାଗିଗଲା। ଦୂର ରୁ ଶୁଭିଲା ସେଇ ସ୍ୱର ସେଇ କଥା। ଆହୁରି ସ୍ପଷ୍ଟ ଆଉ ନୀକଟତର । ଲଗ୍ନା ପଚାରାଲା କିଏ ? କାହିଁକି ବାର ବାର ମୋ ପାଖକୁ ଆସୁଛନ୍ତି ? ୟେ ଥର କିନ୍ତୁ ସେ ଦେଖିଲା ପୂର୍ଣ ଅବୟାବ । ଆଶ୍ଚର୍ଯ୍ୟ ସେଇ ଅର୍ଦ୍ଧ ନିମିଳିତ ଚକ୍ଷୁ , ପ୍ରଶାନ୍ତ ମୁଖମଣ୍ଡଳ, ଜ୍ୟୋତିର୍ମୟ ପୁରୁଷ ଯାହାର ଚିତ୍ର ବା ମୂର୍ତ୍ତି ସେ ଅନେକ ଥର ଦେଖିଚି ।             

   ଆପଣ କ'ଣ 'ବୁଦ୍ଧ' 

   ହଁ ମୁଁ 'ବୁଦ୍ଧ' ।

   ଆପଣ ତ ନିର୍ବାଣ ପ୍ରାପ୍ତ ହୋଇଛନ୍ତି । ପୁଣି ଏଠି କେମିତି ??

   ନିର୍ବାଣର ମାନେ ନୁହେଁ ସତ୍ତାର ବିଲୋପ । ଏହା ଏକ ରୂପାନ୍ତର ମାତ୍ର । ଏଠାରେ କିଛି ବି ଲୟ ହୁଏ ନାହିଁ। ସୂକ୍ଷ୍ମ ରୁ ସୂକ୍ଷ୍ମ ତର ହୋଇ ନିଜ ର ଅସ୍ତିତ୍ବ ବଜାୟ ରଖନ୍ତି ।

   ମୁଁ କିଛି ବି ବୁଝି ପାରୁ ନି !

   ମୁଁ ତୁମକୁ ବୁଝେଇ ଦେବାକୁ ହିଁ ଆସିଛି। ତୁମର ଜନ୍ମ ଜନ୍ମାନ୍ତର ଧରି ପିଛା କରି ଆସିଛି , ସେଇ ଟିକକ ବୁଝେଇ ଦେବାକୁ।

   କିନ୍ତୁ ମୋତେ କାହିଁକି ? ବିଶ୍ଵ ରେ ତ ଅନେକ ଲୋକ ଅଛନ୍ତି । 

   ତମେ ଯେ ମୋର ଉତ୍ତରଦାୟିତ୍ଵ।

   ଆଶ୍ଚର୍ଯ୍ୟ ! ମୁଁ କିପରି ?

   ତୁମେ ବୋଧେ ଠିକ୍ ସେ ଶୁଣୁ ନାହଁ ମୁଁ ତୁମକୁ କ'ଣ ସମ୍ବୋଧନ କରୁଛି ।

     ହଁ ହଁ ଆପଣ ମୋତେ 'ଗୋପା' ବୋଲି କାହିଁକି ଡାକୁଛନ୍ତି ?

   ମୁଁ ତ 'ଲଗ୍ନା'।

 ଏପରି ସମ୍ବୋଧନ ର କାରଣ ତୁମେ ଯେ ଗୋପା । ମୁଁ ଦ୍ରଷ୍ଟା ତେଣୁ ମୋର ମନେଅଛି। ତୁମେ ମୋହାଚ୍ଛନ୍ନ ତେଣୁ ତୁମର ମନେ ନାହିଁ । ଭାବିନିଅ ତୁମେ ବୁଦ୍ଧଙ୍କ ଜୀବନୀ ରେ ଆସିଥିବା ଅନାଲୋଚିତ ଏକ ଚରିତ୍ର ।

 କିନ୍ତୁ କିନ୍ତୁ ବୁଦ୍ଧଙ୍କ ଜୀବନରେ ଅନେକ ଅନେକ ଚରିତ୍ର ଯେ ଆସିଥିବେ ସେ ସମସ୍ତଙ୍କ ଜୀବନର ପଥପ୍ରଦର୍ଶନର ଦାୟିତ୍ଵ କ'ଣ ଆପଣଙ୍କର ??

 ନିଶ୍ଚିତ ଭାବରେ । ଏ ପୃଥିବୀ ରେ ଉଦେଶ୍ୟ ବିହୀନ କୌଣସି ଘଟଣା ଘଟେ ହିଁ ନାହିଁ । ଇଶ୍ୱରଙ୍କ ରଚିତ ମହାନାଟକରେ ଗୋଟିଏ ଚରିତ୍ର ଆଉ ଗୋଟିଏ ଚରିତ୍ରକୁ ସେତେବେଳେ ଭେଟେ ଯେତେବେଳେ ତା'ପଛରେ ଗୋଟେ ଉଦେଶ୍ୟ ନିହିତ ଥାଏ। ତା ସହିତ ପୁଣି ଗୋଟିଏ ଘଟଣା ପ୍ରବାହ ମଧ୍ୟ ଜଡିତ ଥାଏ । 

 ଆଶ୍ଚର୍ଯ୍ୟ !

 ୟେଥିରେ ଆଶ୍ଚର୍ଯ୍ୟ ହେବାରେ କ'ଣ ଅଛି ଯେ ? ଆମେ ଇଶ୍ୱର ଙ୍କ ସହ ନିଜ କୁ ଜଡ଼ିତ କରି ନଥାଉ ସେଇଥିପାଇଁ ସମସ୍ତ ଘଟଣା କଳ୍ପନାତୀତ ମନେ ହୁଏ। ତୁମେ ଯେତେବେଳେ ନିଜ କୁ ତାଙ୍କ ସହ ଜଡ଼ିତ କରିବ ୟେ ସମସ୍ତ ଗତାନୁଗତିକ ମନେ ହେବ।

 ଆଚ୍ଛା ମୋର ଗୋଟିଏ ପ୍ରଶ୍ନ ର ଉତ୍ତର ଦେବେ ??

 ହଁ ପଚାର । ତୁମର ସମସ୍ତ ପ୍ରଶ୍ନର ମିମାଂଶା ହିଁ , ମୁଁ ନେଇ ଆସି ଅଛି । 

 ଯଦି ମୁଁ ବୁଦ୍ଧଙ୍କ ସଂସ୍ପର୍ଶରେ ଆସିଥିଲି। ୟା ଭିତରେ ତ ପାଖାପାଖି ହଜାରେ ବର୍ଷ ଅତିବାହିତ ହୋଇ ସାରିଛି। ଆପଣ ତ କହୁଛନ୍ତି ଜନ୍ମ ଜନ୍ମାନ୍ତର ଧରି ମୋ ପାଖକୁ ଆସୁଛନ୍ତି ହେଲେ ମୋର ନିର୍ବାଣ ହୋଇ ନାହିଁ କାହିଁକି ?

 ଓଠରେ ସ୍ମିତ ହାସ୍ୟ । ଯାହା ତୁମ ପାଇଁ ସହସ୍ର ବର୍ଷ , ମୁଁ ଯେଉଁ ସ୍ତରରେ ଅଛି ସେଠି କେବଳ କେତୋଟି ଦିବସର ଫରକ ମାତ୍ର ।

ଏବେ ତୁମେ ସେ ସବୁ ବୁଝିପାରିବନି । ତା'ଛଡା ପ୍ରତିଟି ଘଟଣାର ଇଶ୍ୱର ନିର୍ଦ୍ଦେଶିତ ନିର୍ଦ୍ଧିଷ୍ଟ ସମୟ ରହିଛି । ଭାବି ନିଅ ସଠିକ୍ ସମୟ ଆସି ନାହିଁ।

ନିର୍ବାଣ କ'ଣ ସାଧନା ସାପେକ୍ଷ ??

ନିଶ୍ଚିତ ଭାବରେ, ପ୍ରୟାସ ବିହୀନ ସଫଳତା କ'ଣ ସମ୍ଭବ ?? 

କିନ୍ତୁ କିନ୍ତୁ ମୁଁ କ'ଣ ଆପଣଙ୍କ ଭଳି ସନ୍ୟାସ ନେଇପାରିବି ??

ସାଧନା ଯୁଗୋପଯୋଗୀ ହେବା ଅନିର୍ବାଯ୍ୟ । ସେ ସମୟ ସାଧନା ପାଇଁ ପ୍ରସସ୍ଥ ଥିଲା । ସାଧନା ମାନେ ଯଦି ତୁମେ ଭାବୁ ଥାଅ କୁଚ୍ଛ୍ର ତପସ୍ୟା । ଯାହା ମୁଁ କରିଥିଲି। ପୂର୍ଣ ସଂସାର ମଧ୍ୟ ରେ ରହି ବି ସାଧନା କରାଯାଇ ପାରେ ।

 ଏହା କ'ଣ ସମ୍ଭବ ???

 ହଁ ନିଶ୍ଚିତ ଭାବରେ ସମ୍ଭବ । ପ୍ରତ୍ୟେକ ଅବତାର ଯୁଗୋପଯୋଗୀ ଏକ ନିୟମାବଳୀ ର ପ୍ରତିଷ୍ଠା କରିଥାନ୍ତି ମାତ୍ର, ତା ମାନେ ନୁହେଁ ଯେ ଅନ୍ୟ କିଛି ବିକଳ୍ପ ନ ଥାଏ। ତୁମେ ତ ଜାଣିଚ ନା ନା ମୁନୀ ନାନା ମତ । 

ତେବେ ମୋହଗ୍ରସ୍ତ ମାନବ ସଂସାର ଭିତରେ ରହି କିପରି ସାଧନା କରି ପାରିବ ??

ସ୍ମିତ ହାସ୍ୟ ତୁମ ପ୍ରଶ୍ନ ଭିତରେ ହିଁ ଉତ୍ତର ନିହିତ। ମୋହ ରୁ ନିଜକୁ ମୁକ୍ତ କରିବ ।

ମୋତେ ଗୋଟିଏ କଥା କୁହନ୍ତୁ ଇଶ୍ୱର ଯଦି ୟେ ସୁନ୍ଦର ପୃଥିବୀ, ସୁନ୍ଦର ସମ୍ପର୍କମାନ ଗଢ଼ିଛନ୍ତି ତେବେ ମଣିଷ ତାକୁ ଉପଭୋଗ ନ କରିବ ବା କାହିଁକି ?? ତା ଭିତରେ ନିମଜ୍ଜିତ ନ ହେବ ବା କାହିଁକି ??

ତୁମେ ତ କହିଲ ଇଶ୍ୱର ଗଢ଼ିଛନ୍ତି । ତେବେ ୟେ ସମସ୍ତ କାହାର ?? ନିଶ୍ଚିତ ଭାବରେ ଇଶ୍ୱର ଙ୍କର । ସେଇ ଭାବ ଟିକୁ ସବୁବେଳେ ମନନ କରିବା ହିଁ ସାଧନା । ମୁଁ ଆଉ ମୋର ଭାବରେ ଲିପ୍ତ ହେଇ ଯିବାଟା ହିଁ ମାୟା । ୟେ ସମଗ୍ର ଜଗତ ଇଶ୍ୱରମୟ ଏଇ ଭାବର ଜାଗ୍ରତ ହେଲେ ତୁମେ ଜୀବନ୍ନୋକ୍ତି ପ୍ରାପ୍ତ ହୋଇ ପାରିବ । ନିର୍ବାଣ ପାଇଁ ମୃତ୍ୟୁ ଅନିର୍ବାର୍ଯ୍ୟ ନୁହେଁ । ବଞ୍ଚିଥିବା ଅବସ୍ଥାରେ ବି ଅନିର୍ବଚନୀୟ ଆନନ୍ଦ ପ୍ରାପ୍ତ ହୋଇପାରିବ । ନିର୍ବାଣ ର ମାନେ ନୁହେଁ ମୃତ୍ୟୁ ଆଉ ବିଲୀନତା , ଏହାର ମାନେ ଏକ ଚିରନ୍ତନ ଆନନ୍ଦମୟ ଜଗତରେ ଅବସ୍ଥାନ କରିବା । ଆଜି ପର୍ଯ୍ୟନ୍ତ ଯାହା ସବୁ ଆନନ୍ଦ ବୋଲି ମନେ କରି ଉପଭୋଗ କରୁଥିଲ , ତାହା ସୀମାହୀନ ଆନନ୍ଦ ର ଏକ ଖଣ୍ଡିତାଂଶ ମାତ୍ର ତେଣୁ ସେଗୁଡିକ କ୍ଷଣସ୍ଥାୟୀ । କେବଳ ଇଶ୍ୱର ହିଁ ଆନନ୍ଦମୟ ଆଉ ଚିରନ୍ତନ ସତ୍ୟ । ତୁମେ ତ ଅନେକ ବହି ପଢିଚ ୟେ ସବୁ ବିଷୟ ରେ ବେଶ୍ ଭଲ ଭାବରେ ଅବଗତ ଅଛ । ଖାଲି ସେ ସବୁ ବିଷୟ ଅନ୍ତରରେ ଉପଲବ୍ଧି କରିବା ବାକି ଅଛି।

ଆପଣ କେମିତି ଜାଣିଲେ ମୁଁ ବହୁତ ପଢ଼ାପଢ଼ି କରେ ବୋଲି????

କହିଲି ନା ମୁଁ ସର୍ବଦା ତୁମ ପଶ୍ଚାତପଦ ରେ ଅବସ୍ଥାନ କରିଥାଏ। କାରଣ ମୁଁ ତୁମର ଗୁରୁ । ତୁମକୁ ନିର୍ବାଣ ପଥରେ ପରିଚାଳିତ କରେଇବା ମୋର ଦାୟିତ୍ଵ ।

ଯଦି ମୁଁ କହେ ମୋର ସଂସାର ରେ ଅନେକ କାମ ବାକି ଅଛି। ବର୍ତ୍ତମାନ ସେ ପଥରେ ପରିଚାଳିତ ହେବାକୁ ମୋର ଇଚ୍ଛା ନାହିଁ।

ପୁଣି ସେଇ ସ୍ମିତ ହାସ୍ୟ ଠିକ୍ ସେଇ ଅଭିମାନ ଭରା ଅହଂକାର ସେଇ ଶବ୍ଦାବଳୀର ପୁନରାବୃତ୍ତିଯାହା ସେଇ କାଳରାତ୍ରରେ ତୁମେ ମୋତେ କହି ପ୍ରତ୍ୟାଖ୍ୟାନ କରିଥିଲ । ହେଲେ ମୁଁ ଯେ ତୁମର ବିଧି ନିର୍ଦିଷ୍ଟ ଗୁରୁ । ମୁଁ ଯେ ତୁମକୁ ପ୍ରତ୍ୟାଖ୍ୟାନ କରିପାରିବି ନାହିଁ । ମୁଁ ଇଚ୍ଛା କଲେ ଏଇ ମୁହୂର୍ତ୍ତରେ ତୁମ ଭିତରେ ଜ୍ଞାନ ସଂଚାରଣ କରିପାରିବି, ହେଲେ ମୁଁ ଅପେକ୍ଷା କରିବି ତୁମ ଭିତରେ ବ୍ୟାକୁଳତା ଆସିବା ପର୍ଯ୍ୟନ୍ତ । ୟେ ଜିନିଷ ୟେତେ ସହଜଲବ୍ଧ ନୁହେଁ। ଏତିକି ଟିକିଏ ପାଇବା ପାଇଁ କେତେ ରଥୀ ମହାରଥୀ ଯୁଗ ଯୁଗ ଧରି କୁଚ୍ଛ୍ର ସାଧନା କରିଛନ୍ତି । ତୁମେ ଇଶ୍ୱରଙ୍କ ପ୍ରଚଣ୍ଡ କୃପା ପ୍ରାପ୍ତ ହୋଇଛ, ସେଇଥି ପାଇଁ ତୁମେ ଅନାୟାସରେ ଗୁରୁ ପାଇଛ । ହେଲେ ମନେରଖ ଘନ ଅନ୍ଧାର ରାତି ପାଇବାକୁ ଅଳ୍ପ ସମୟ ବାକି । ୟେଇ ଦେଖ ସିନ୍ଦୂରାଫାଟି ଆକାଶରେ ପୂର୍ବରାଗ ବିଚ୍ଛୁରିତ ହୋଇ ପଡୁଛି । ସୁନେଲି ଆଲୋକରେ ଉଦଦ୍ଭାସିତ ହେବାକୁ ଯାଉଛି ଏଇ ଭୂମଣ୍ଡଳ। 

କିଛି ସମୟ ସେଇ ଆଲୋକ ଆଡେ ଚାହିଁ ରହିଲା ଲଗ୍ନା । ଓଃ ! ଇଚ୍ଛା ହେଉଛି ସେଇ ଆନନ୍ଦମୟ ସ୍ୱର୍ଣିମ ଆଲୋକରେ ଅବଗାହନ କରିବାକୁ। କି ବିଚିତ୍ର ତା'ର ଆକର୍ଷଣୀ ଶକ୍ତି । ଆପଣ ଆପଣ ମୋତେ ସମ୍ମୋହିତ କରୁନାହାନ୍ତି ତ???

ସେଇ ନିର୍ମଳ ସ୍ମିତ ହାସ୍ୟ ବିରାଜିତ ମୁଖମଣ୍ଡଳ ବିଶ୍ୱାସ କର ମୁଁ ପ୍ରୟାସ କରି କିଛି କରୁନାହିଁ । ତୁମେ ଗୁରୁଙ୍କର ସ୍ୱତଃପ୍ରବୃତ୍ତ ଆକର୍ଷଣୀ ଶକ୍ତିରେ ଆବଦ୍ଧ ହୋଇପଡୁଛ। ଆଜି ମୁଁ ନିଶ୍ଚିନ୍ତ ହେଲି ।

ଯୁଗ ଯୁଗ ପ୍ରତୀକ୍ଷା ର ଆଜି ଅନ୍ତ ଘଟିଛି ।

ଆପଣ ମୋତେ ଛାଡ଼ି ଚାଲି ଯିବେ ନି ତ?

ମୁଁ ଯେ ତୁମ ଅନ୍ତରରେ ଚୀର ବିରାଜିତ। ତୁମେ ହିଁ ମୋତେ କେବେ ଲୋଡ ନାହିଁ । 

ନା ନା ଆପଣ ମୋତେ ଆପଣଙ୍କର ବାକ୍ ଚାତୁରୀରେ ଠକି ଦେବାକୁ ଚେଷ୍ଟା କରୁ ନାହାନ୍ତି ତ ?? ବୁଦ୍ଧବିହୀନ ଜୀବନ ଏବେ ବିଷମୟ ହେବାକୁ ଯାଉଛି ।

ୟେ ଯେ ଜନ୍ମଜନ୍ମାନ୍ତର ସଂପର୍କ ଭାବି ନିଅ ପ୍ରକୃଷ୍ଟ ସମୟ ଉପନୀତ। ଆଶୀର୍ବାଦ ଠାଣିରେ ଦକ୍ଷିଣ ହସ୍ତ ତୋଳି ଧରି ଅନ୍ତର୍ଦ୍ଧନ ହୋଇଗଲେ ।

ତା'ପରେ ତା'ପରେ ସବୁ ଶେଷ । ଧଡପଡ ହୋଇ ବିଛଣାରୁ ଉଠି ଲଗ୍ନା ଖୋଜି ବୁଲିଲା କୋଠରୀର ଏଣେତେଣେ । ମାୟା ମାଉସୀ ଚା କପ୍ ଧରି ରୁମ୍ ରେ ପଶିଲେ । ଆଶ୍ଚର୍ଯ୍ୟ ହୋଇ ପଚାରିଲେ କିଛି ଖୋଜୁ ଥିଲ କି ? ମୋତେ କହୁନ ମୁଁ ଖୋଜିଦେବି। ନା ମାନେ ଏମିତି ଦେଖୁଥିଲି। ସକାଳ ହେଇ ଗଲାଣି ?? କେତେଟା ବାଜିଲାଣି ?? ମାୟା ମାଉସୀ ଆହୁରି ଆଶ୍ଚର୍ଯ୍ୟ ହୋଇ ତାକୁ ଅନେଇ କହିଲେ ଏବେ ତ ଓପରଵେଳି ୪ ଟା ବାଜିଛି । ତୁମେ ଭାତ ଖାଇସାରି ଆସି ଶୋଇଥିଲ ପରା

 ରୁମ୍ ଭିତରେ କସ୍ତୁରୀ ର ଅପୂର୍ବ ମହକ ଖେଳି ଯାଉଥିଲା। ମାୟା ମାଉସୀ କହିଲେ ଏତେ ସୁନ୍ଦର ବାସ୍ନା କଉଠୁ ଆସୁଛି ? ଝର୍କା ସବୁ ତ ବନ୍ଦ ଅଛି ।

ସ୍ୱଗୋତୋକ୍ତି ରେ ଆଚ୍ଛା୪ ଟା ବାଜିଛି । ସବୁକିଛି ଓଲଟପାଲଟ ହେଇ ଯାଇଛି ଯେମିତି ।

ଚା ପିଇ ସାରି ଲଗ୍ନା ଗତାନୁଗତିକ ଧାରାରେ ନିଜ କାମରେ ଲାଗିପଡିଲା । ହେଲେ ଏକ ଅନ୍ତହୀନ ଶୂନ୍ୟତା ତା'ର ପିଛା କରୁଥିଲା । ଖାପଛଡା ଖାପଛଡା ଲାଗୁଥିଲା ସବୁ କାମ । ମାୟା ମାଉସୀ ୟା ଭିତରେ ଦୁଇ ତିନି ଥର ପଚାରି ସାରିଲେଣି ତୁମ ଦେହ ଭଲ ଲାଗୁ ନି କି ?? ତୁମେ ବିଶ୍ରାମ ନିଅ ମୁଁ ସବୁ କରିଦେବି।

             ରାତି ଉପନୀତ ହେଲା । ଅନେକ ରାତି ପର୍ଯ୍ୟନ୍ତ ତାକୁ ନିଦ ହେଲା ନାହିଁ । ସେଇ ଅଲୌକିକ ମହାତ୍ମା ଙ୍କର ପ୍ରତୀକ୍ଷା ରେ ରହିଲା । ନା ସେ ଆସିଲେ ନି ଝର୍କା ପାଖରେ କିଛି ସମୟ ଠିଆ ହେଲା । ଶୀତଳ ପବନ ରେ କେଶ ସବୁ ମୁହଁ ଉପରେ ଏଣେତେଣେ ଉଡିବାକୁ ଲାଗିଲେ । ଖୁବ୍ ପ୍ରଶାନ୍ତି ଥାଏ ରାତିର ଗଭୀରତା ରେ । ସେ ସବୁ ତା'ହେଲେ କ'ଣ ତା ମନର ଭ୍ରମ ଥିଲା ? ନା ତ , ଯଦି ମନର ଭ୍ରମ ହୁଏ ତେବେ ସେ କସ୍ତୁରୀ ବାସ୍ନା କଉଠୁ ଆସିଲା ??? ତାରା ଭରା ଆକାଶ କୁ         ଚାହିଁଲା । ଟିମ୍ ଟିମ୍ କରୁଥିବା ସବୁ ତାରା ଗୁଡିକ ତାକୁ ଗୋଟେ ଗୋଟେ ଧ୍ୟାନରତ ଶ୍ରମଣ ପରି ଦେଖା ଗଲେ । ଅପୂର୍ବ ନୈସର୍ଗିୟ ଆନନ୍ଦର ଫଲଗୁ ଝରି ଆସୁଥିଲା ସେମାନଙ୍କ ଠାରୁ । ଶୀତଳ କରି ଦେଉଥିଲା ଲଗ୍ନା ର ଦେହ,ମନ,ପ୍ରାଣ । ଆସି ଖଟ ଉପରେ ବସିପଡ଼ିଲା । କେତେବେଳେ ଶୋଇ ପଡ଼ିଛି ଜଣା ନାହିଁ।

             ସକାଳୁ କୁନି କୁନି ଚଢ଼େଇ ମାନଙ୍କର କଚିରିମିଚିରି ରାବ ରେ ନିଦ ଭାଙ୍ଗିଲା। ଆଃ, ଆଜି କାହିଁକି ଖୁବ୍ ଆନନ୍ଦ ଦେଉଛି ଚଢ଼େଇ ମାନଙ୍କର ରାବ। ଉଠି ନିତ୍ୟକର୍ମ ସାରି ଠାକୁର ଘରେ ପଶିଲା , ସେଠି ସେ ଅନେକ ଠାକୁର ଙ୍କ ବିଗ୍ରହ ରଖିଥିଲା , ହେଲେ ଆଜି ସବୁଥିରେ ସେଇ ଚୀର ପ୍ରଶାନ୍ତ ମୁଖମଣ୍ଡଳ ଉଦଭାସିତ। ମନ ଭରି ଅନେକ ସମୟ ଯାଏଁ ପୂଜା କଲା । 

             ବାହାରେ ସିଦ୍ଧ୍ ଙ୍କ କଥା ଶୁଭିଲା । ରୁମ୍ ରୁ ବାହାରି ସିଦ୍ଧ୍ ଙ୍କ ପାଖକୁ ଯାଇ ତାଙ୍କ ହାତ ଧରି ଆଣି ସୋଫା ଉପରେ ବସାଇ ତାଙ୍କ ଯୋତା ଖୋଲିବାକୁ ଲାଗିଲା ।     

ଆରେ ୟେ କ'ଣ କରୁଛ ? କାଇଁ ମୁଁ କ'ଣ ତୁମ ଯୋତା ଖୋଲି ପାରିବି ନି , କହି ଯୋତା ଖୋଲି ତା ଜାଗାରେ ରଖିଦେଲା। ରୁହ ତୁମ ପାଇଁ ଚା ଆଣୁଛି କହି ରୋଷେଇ ଘରେ ପଶିଗଲା । ସିଦ୍ଧ୍ ଟିକେ ଆଶ୍ଚର୍ଯ୍ୟ ହେଲେ, ପୁଣି ସେମିତି କିଛି ଘଟଣା ଘଟିଛି କି ଲଗ୍ନା ସାଥିରେ ?? ଚା କପ୍ ଧରି ସେ ଆସିଲା । ଆଜି କିନ୍ତୁ ସବୁବେଳ ଭଳି ପ୍ରଗଳଭା ନଥିଲା ଲଗ୍ନା। ମୁଖମଣ୍ଡଳ ଥିଲା ବେଶ୍ ଉଜ୍ଜ୍ୱଳ । ଆଜି ତୁମ ପସନ୍ଦର ଜଳଖିଆ ବନେଇବି ତୁମେ ଫ୍ରେଶ୍ ହେଇ ଆସ । ଖଟ ଉପରେ ରଖି ଦେଇଛି ତୁମ କୂର୍ତ୍ତା ପାଇଜାମା, ହଁ ! ଆଜି ମୋର ଜଣେ ପୁରୁଣା ବାନ୍ଧବୀ ଘରକୁ ଆସିବ । ସିଦ୍ଧ୍ ଆଶ୍ୱସ୍ତି ରେ ନିଃଶ୍ୱାସ ମାରିଲେ । ସେ ଆଜି ସେଇଥି ପାଇଁ ବୋଧେ ବେଶ୍ ଖୁସି ଅଛି । 

ଦୁହେଁ ମିଶି ବ୍ରେକଫାଷ୍ଟ କଲେ । ବଳେଇ ବଳେଇ ସିଦ୍ଧ୍ ଙ୍କୁ ବହୁତ ଖୁଆଇ ଦେଲା । ସିଦ୍ଧ୍ ଥଟ୍ଟାରେ କହିବି ଦେଲେ, ତୁମ ସାଙ୍ଗକୁ କୁହ ସବୁଦିନେ ଆସିବେ , ତୁମେ ଏମିତି ଖୁସି ରେ ରହିବ । ତୁମ ଖୁସି ଦେଖି ମୁଁ ବି ବହୁତ ଖୁସି । ଲଗ୍ନା ଅଳ୍ପ ହସିଦେଲା ।

   କଲିଂବେଲ୍ ବାଜିଲା । ମାୟା ମାଉସୀ କବାଟ ଖୋଲିବା ପରେ ହସି ହସି ମୋହିନୀ ପଶି ଆସିଲା ଘର ଭିତରକୁ । ଲଗ୍ନା ପାଛୋଟି ଆଣି ସୋଫାରେ ବସାଇ ସିଦ୍ଧ୍ ଙ୍କ ସହ ପରିଚୟ କରାଇଲା । କିଛି ସମୟ ଏଣୁ ତେଣୁ ଗପିବା ପରେ , ସିଦ୍ଧ୍ ନିଜେ ହିଁ କହିବା ଆରମ୍ଭ କଲେ ଲଗ୍ନା ସହ ଘଟୁଥିବା ଘଟଣା ବିଷୟରେ । 

   ମୋହିନୀ ଲଗ୍ନାକୁ ସେ ବିଷୟକୁ ନେଇ କିଛି ପ୍ରଶ୍ନ ପଚାରିଲା । କିନ୍ତୁ ଲଗ୍ନା ତ ସବୁ ପ୍ରଶ୍ନ ର ଉତ୍ତର ପାଇସାରିଥିଲା । ହେଲେ ଗତ କାଲି ତା ସହ ଘଟିଥିବା ଘଟଣା ବିଷୟରେ କିଛି ବି କହିଲା ନାହିଁ । ସେ ଜାଣେ କେହି ବି ବିଶ୍ବାସ କରିବେନି । ବରଂ ମାନସିକ ବିକାରଗ୍ରସ୍ତ ମନେକରି ହସି ପାରନ୍ତି । ମାନସୀ ଉଠିଲା ଯିବା ପାଇଁ । ଠିକ୍ ଏଇ ସମୟରେ ନୀଳଲୋହିତର ଫୋନ୍ ଆସିଲା , ସିଦ୍ଧ କହିଲେ ମୁଁ ମୋହିନୀ କୁ ବାଟଇଦେଇ ଆସୁଛି । ତୁମେ ତା ସହ କଥା ହେଇ ଯାଅ । ସେ ବି ଟିକେ ଏକାନ୍ତ ରେ ମୋହିନୀ ସହ ଲଗ୍ନା ବିଷୟରେ କଥା ହେବାକୁ ଚାହୁଁଥିଲେ ।

ବାବାରେ ଦେହପା ଭଲ ଅଛି ତ ? ଠିକ୍ ସେ ଖିଆଖିଇ କରିବୁ । ବାହାର ଜାଗା ଦେଖିଚାହିଁ ଚଳିବୁ । ପଢ଼ାପଢ଼ି ଭଲ ଲାଗୁଚି ନା ସେଠି ? ସେପଟୁ ହଁ ମାମା ବହୁତ ଭଲ ଲାଗୁଛି। ରାଗିଂ ପାଇଁ ଡର ଲାଗୁଥିଲା ହେଲେ ସେମିତି କିଛି ବି ହେଲାନି। ବହୁତ ନୂଆ ସାଙ୍ଗ ହେଲେଣି । ଭଲ ଲାଗୁଛି ମାମା ଏଠି । ଲଗ୍ନା ଆଶ୍ବସ୍ତ ହେଲେ ପୁଅର କଥା ଶୁଣି । ବାବାଙ୍କ କଥା ମାୟା ମାଉସୀ କଥା ବି ପଚାରିଲା ସେ । ଏମିତି ଆଉ କିଛି କଥା ହୋଇ ଫୋନ୍ ରଖିଲେ ଲଗ୍ନା । 

             ହସିହସି ସିଦ୍ଧ୍ ପଶି ଆସିଲେ ଘର ଭିତରକୁ ।

ପଚାରିଲେ କ'ଣ କହୁଥିଲା ପୁଅ ?? ସେଠି ସବୁ ଭଲ ତ ?? ହଁ ଭରିଲା ଲଗ୍ନା । ଦୁହେଁ ବସିଲେ ସୋଫାରେ । ଲଗ୍ନା ସିଦ୍ଧ୍ ଙ୍କ ହାତ କୁ ମୁଠେଇ ଧରି ପଚାରିଲା ମୋତେ ଯଦି ତୁମ ସମସ୍ତ ଙ୍କୁ ଛାଡି ଦୂର କୁ ଯିବାକୁ ହୁଏ ତୁମେ ସବୁ ସମ୍ଭାଳି ନେବ ତ ?? ଲଗ୍ନା ଙ୍କ ପାଟିରେ ହାତ ଦେଇ ଏମିତି କାହିଁକି କହୁଚ ?? ଛାଡ ସେ ସବୁ କଥା ତୁମେ ଶିଘ୍ର ବାହାରି ପଡିଲ , ମୁଁ ତୁମକୁ ଗୋଟିଏ ସୁନ୍ଦର ଜାଗାକୁ ବୁଲେଇ ନେଇଯିବି। ସେ ଜାଗାର ଖବର ମୋତେ ଆଜି ଯେଉଁ ଟ୍ୟାକ୍ସି ଡ଼୍ରାଇଭର ଏୟାରପୋର୍ଟ ରୁ ଆଣିଲା ସେ ଦେଲା ।ଆମର ଏତେ ପଖରେ ସୁନ୍ଦର ବୌଦ୍ଧ ବିହାର ଅଛି ଆମେ ଜାଣି ନ ଥିଲେ । ଚାଲ ଚାଲ ଟିକେ ବୁଲି ଆସିବା ଖୁବ୍ ସୁନ୍ଦର ଜାଗା ହେଇଥିବ ନିଶ୍ଚିତ । ଲଗ୍ନା ବିସ୍ଫାରିତ ନୟନରେ ସିଦ୍ଧ୍ ଙ୍କୁ ଅନେଇ ରହିଲା । ତା'ର ବିନା ପ୍ରୟାସ ରେ ସେଇ ପୂଣ୍ୟ ମହାତ୍ମା ଯେମିତି ତା'ର ଆଧ୍ୟାତ୍ମିକ ପଥକୁ ଉନ୍ମୁକ୍ତ କରିଚାଲିଛନ୍ତି । 

  ଆରେ ଏମିତି ଅନେଇଚ କ'ଣ ଚାଲ ବାହାର । ସେଠିକି ତୁମେ ମୋତେ ନେଇକି ଯିବ ??? ହଁ ଆଉ କିଏ ନେବ ?? ତେମେ ବେଳେବେଳେ ଏମିତି ପିଲାଙ୍କ ଭଳି ପ୍ରଶ୍ନ କର । 

          ଦୁହେଁ ବାହାରିଲେ ଗନ୍ତବ୍ୟ ପଥରେ। ଆଧ ଘଣ୍ଟା ଭିତରେ ସେମାନେ ପହଞ୍ଚି ଗଲେ ବୌଦ୍ଧ ବିହାର ରେ । ଖୁବ୍ ସୁନ୍ଦର ଜାଗା । ସହରର କୋଳାହଳ ରୁ ଦୂର ଛୋଟିଆ ପାହାଡ଼ ତଳେ, ଅନତୀଦୂର ରେ କଳ କଳ ନାଦରେ ବୋହି ଯାଉଛି ଛୋଟିଆ ନଈ ଟିଏ । ଚୀର ବସନ୍ତ ଏଠି ଯେମିତି ବିରାଜିତ । ଅନେକ ଫୁଲଫଳ ଗଛର ସମ୍ଭାର । ପକ୍ଷୀ ମାନଙ୍କ କାକଳି । ସିଦ୍ଧ୍ ଗୋଟେ ଗଛମୂଳରେ ଗାଡ଼ି ପାର୍କ କଲେ। ଲଗ୍ନା ଡୋର୍ ଖୋଲି ଧୀରେ ଧୀରେ ମୁଖ୍ୟ ଫାଟକ ଆଡ଼କୁ ଆଗେଇଲା। ମୁଖ୍ୟ ଫାଟକ ରୁ ମନ୍ଦିର ର ଦୂରତା ୫୦ ମିଟର ହେବ। ମନ୍ଦିର ଦୁଆର ଖୋଲା ରହିଥିଲା। ଭିତରେ ବୁଦ୍ଧଙ୍କ ବିଶାଳ ମୂର୍ତ୍ତି । ଖୁବ୍ ପ୍ରାଞଳ ଭାବେ ଦିଶୁ ଥିଲା ସଂପୂର୍ଣ୍ଣ ଅବୟାବ। ଅର୍ଦ୍ଧ ନିମିଳିତ ନୟନ ଧୀରେ ଧୀରେ ଉନ୍ମୁକ୍ତ ହେବା ପରି ଲାଗିଲା ଲଗ୍ନା କୁଅନେକ ବର୍ଷ ହେଲା ସେ ଯେମିତି ଅପେକ୍ଷା କରିଥିଲେ ଏଇ ମୁହୂର୍ତ୍ତକୁ। 

          ଲଗ୍ନା ଆଗେଇ ଚାଲିଥାଏ ମନ୍ଦିର ଆଡ଼କୁ । ସୂର୍ଯ୍ୟ କିରଣରେ ସେ ଦିଶୁ ଥାଏ ହିରଣ୍ମୟୀ । ସିଦ୍ଧ୍ ବହୁତ ପଛରେ ଲଗ୍ନା କୁ ଅନୁସରଣ କରୁଥିଲେ। ଲଗ୍ନା ଯେତିକି ଯେତିକି ଆଗଉ ଥାଏ ତା'ର ଆଭା ସେତିକି ତେଜସ୍କ୍ରିୟ ହୋଉ ଥାଏ। ହଠାତ୍ ସିଦ୍ଧ୍ ଙ୍କୁ ଲାଗିଲା ଲଗ୍ନା ଆଉ ଆଗକୁ ଗଲେ ସେ ଯେମିତି ତା'କୁ ହରେଇ ବସିବେ। ସେ ସେଇ ଆଭାରେ ଲୀନ ହେଇଯିବ। ସିଦ୍ଧ୍ ଅଣନିଃଶ୍ବାସୀ ହୋଇ ଧାଇଁଲେ , ପହଞ୍ଚି ଲଗ୍ନା କୁ ପଛପଟୁ ଜାବୁଡ଼ି ଧରିଲେ। ହଠାତ୍ ତାଙ୍କ ଆଗରେ ଚଳଚ୍ଚିତ୍ର ପଟ୍ଟ ପରି ଭାସି ଉଠିଲା ହଜାର ବର୍ଷ ତଳର ଦୃଶ୍ୟ …

          ଏକ କୂଟୀର ଦୁଆର ମୁହଁରେ ଠିଆ ହୋଇ ଅଶ୍ରୁ ବର୍ଷଣ କରୁଥାନ୍ତି ଜଣେ ଜଟାଜୁଟ ବିମଣ୍ଡିତ ଦିବ୍ୟ ପୁରୁଷ । ହତ ବଢେଇ ଡାକୁଛନ୍ତି, ରହି ଯାଅ ଶଶଧର , ରହିଯାଅ ଗୋପା । ସାଧନା ପଥରେ ୟେତେ ବାଟ ଆଗେଇ ଯିବା ପରେ ଆଉ ସେଇ କଳୁଷତାକୁ ଆବୋରି ନେବାକୁ ଯାଅ ନାହିଁ । ଫେରି ଆସ ଗୋପା, ଫେରି ଆସ ଶଶଧର । ଏଇ ସାମାନ୍ୟତମ ଦେହ ସୁଖର ମୋହରେ ପଡିଲେ , କେତେ ଜନ୍ମ ଯେ ପ୍ରାୟଶ୍ଚିତ କରିବାକୁ ପଡ଼ିବ ଜାଣିପାରୁ ନାହଁ । ହେଲେ ଦୁହେଁ ହାତ ଧରାଧରି ହୋଇ ଆଗେଇ ଚାଲିଥାନ୍ତି ସେଆଡେ ତିଳେ ମାତ୍ର କର୍ଣ୍ଣପାତ ନ କରି । ଆସ୍ତରାଗର ସୁନେଲି ଆଲୋକର ମୋହରେ ଦୁହେଁ ଆଗେଇ ଚାଲିଥାନ୍ତି ଆଗକୁ ଆଗକୁ। ଧୀରେ ଧୀରେ ଅନ୍ଧକାର ଆବୃତ କରୁଥାଏ ପୃଥିବୀ କୁ । ଅଦୃଶ୍ୟ ହୋଇ ଗଲେ ସେ ଦୁହେଁ ମାହାତ୍ମାଙ୍କ ଦୃଶ୍ୟ ପଟରୁ ।

         ହଠାତ୍ ମୋହଭଙ୍ଗ ହେଇଗଲା ସିଦ୍ଧ୍ ଙ୍କ। ତାଙ୍କ ଦୃଷ୍ଟି ନିବଦ୍ଧ ହେଲା ବୁଦ୍ଧଙ୍କ ଉନ୍ମିଳିତ ନୟନରେ । କେଉଁ ଏକ ଅଜଣା ସମ୍ମୋହନରେ ଲଗ୍ନା ସହ ଆଗେଇ ଚାଲିଥାନ୍ତି ଆଗକୁ ଆଗକୁ। ସେ ବି ଯେପରି ପ୍ରସାରିତ ହସ୍ତରେ ଅପେକ୍ଷା କରିଛନ୍ତି , ଦୁହିଁଙ୍କୁ କୋଳେଇ ନେବାକୁ କାହିଁ କେତେ ଯୁଗରୁ !! ଏଇଠୁ ଆରମ୍ଭ ମହାମିଳନର ପର୍ବ । ଅବଶେଷ ରହିଯାଏ ଯେଉଁଠି କେବଳ ସୀମାହୀନ ଆନନ୍ଦମୟ ତୂରୀୟ ଅବସ୍ଥା ।


Rate this content
Log in

More oriya story from Lipi Sahoo

Similar oriya story from Inspirational