sushama Parija

Inspirational

4.0  

sushama Parija

Inspirational

ଦେବୀଟିଏ ମୀରା ପରି

ଦେବୀଟିଏ ମୀରା ପରି

7 mins
410



ସାଧାରଣତଃ ପୋଲିସ କଥା କହିଲେ ମନକୁ ଗୋଟିଏ  ଖାକୀ ପୋଷାକ ପରିହିତ , ଟିପ୍ ଟପ୍ ଶରୀର,ଗୋଟିଏ ନିଶୁଆ ରାଗିଲା ମୁହଁ, ଗୋଟାଏ ରୋଲ୍ ବାଡି ଧରା ବଳିଷ୍ଠ ହାତ, ଦୁଇଟା ରଡି ନିଆଁ ଭଳିଆ ଜଳୁଥିବା ଆଖି ଆଉ ଯାବତୀୟ ଗାଳି ଓଗାଳୁ ଥିବା ଗୋଟାଏ କର୍କଶ କଣ୍ଠସ୍ବର ଆଖି ଆଗରେ ନାଚି ଉଠେ। ମନରେ ସ୍ୱତଃ ଭୟ ଜାଗ୍ରତ ହୁଏ , ଠିକ୍ ପିଲାଦିନେ ବୋଉ ର ଡରାଣ “ ଶୀଘ୍ର ଖାଇ ଦେ ନହେଲେ ପୋଲିସ୍ ଆସିବ , ଦୁଷ୍ଟାମୀ କରନା, ପୋଲିସ୍ ଧରି ନେଇଯିବ “ ଭଳି ଶିହରୀତ ହୋଇଯାଏ ସମଗ୍ର ସତ୍ତା । କିନ୍ତୁ ସେଇ ପୋଲିସ୍ ମାନଙ୍କ ମଧ୍ୟରେ କିଛି ଏମିତି ହୃଦୟବାନ୍ ବ୍ୟକ୍ତି ଅଛନ୍ତି ଯେଉଁମାନେ ସମଗ୍ର ପୋଲିସ୍ ସମାଜ ପାଇଁ ଗର୍ବ ଆଉ ଗୌରବ ର କାରଣ ହୋଇଥାନ୍ତି ।

ସେମିତି ଜଣେ ଉଦାର ହୃଦୟ ପୋଲିସ୍ କର୍ମଚାରୀଙ୍କ କାହାଣୀ

ମୁମ୍ବାଇ ର ଏକ ସହର ତଳି ଅଞ୍ଚଳରେ ଗୋଟିଏ ଥାନାରେ  ମୀରା ମାଥୁର ନାମରେ ଜଣେ ମହିଳା କନେଷ୍ଟବଳଙ୍କର ପୋଷ୍ଟିଂ ହୋଇଥାଏ। ନିଜର ପୋଷ୍ଟିଂ ଥିବା ଥାନା ରୁ କିଛି ଦୂରରେ ଘର ଭଡା ନେଇ ନିଜର ପରିବାର ସହିତ ରହୁଥିଲେ ମୀରା । ପ୍ରତ୍ୟେକ ଦିନ ସ୍କୁଟି ଧରି ଅଫିସ୍ ଯିବା ଆସିବା ଭିତରେ ସେ ଦେଖିଲେ ଜଣେ ମଧ୍ୟ ବୟସ୍କା ମହିଳା ରାସ୍ତା ଉପରେ ଠିଆ ହୋଇ ଭିକ୍ଷା ମାଗୁଛି, ମଇଳା କୋତରା ଶାଢୀ ଖଣ୍ଡେ ପିନ୍ଧି ଥିଲେବି ଶରୀର ରେ ସୁସ୍ଥ ଥିଲା ପରି ଜଣା ପଡୁଛି । ସେ କିଛି ଦିନ ପୁଣି ଲକ୍ଷ୍ୟ କଲେ ତା’କୁ, ପଥଚାରୀ ମାନଙ୍କ ମଧ୍ୟରେ କିଏ ଟଙ୍କା ଟିଏ କି ଦି’ ଟଙ୍କା ତାଙ୍କର ହାତରେ ପକାଇ ଦେଲା ବେଳେ ଆଉ କେହି ତାଙ୍କୁ “ ବାଃ ଦୁର୍ , ଦୂର୍ “ ବୋଲି ଝିଙ୍ଗାସି ଯାଉଛନ୍ତି, ତେବେ ମହିଳା ଟିର ସେଥିପାଇଁ କିଛି ପ୍ରତିକ୍ରିୟା ମଧ୍ୟ ନାହିଁ । ବହୁତ ଖରାପ ଲାଗିଲା ମୀରା ଙ୍କୁ । ସବୁଦିନେ ଯିବା ଆସିବା ବେଳେ ଦେଖୁଥିଲେ ସେଇ ମହିଳା ଜଣଙ୍କୁ , ସବୁଦିନେ ସେଇ ସମାନ ଅବସ୍ଥା, ଖଣ୍ଡିଏ ଲୁଗାକୁ ବୋଧହୁଏ ଧୋଇ ଶୁଖାଇ ପିନ୍ଧିଥିଲେ ମହିଳା ଜଣକ। ଖୁବ୍ ଅସ୍ବସ୍ତିକର ଲାଗୁଥିଲା ମୀରାଙ୍କୁ। ସେ ଭାବିଲେ   ସ୍ତ୍ରୀ ଲୋକ ଟିର କେହି ନିଜର ଲୋକ ନାହାଁନ୍ତି ବୋଧହୁଏ, ନହେଲେ ସୁସ୍ଥ ଶରୀର ରେ ଏ ଭିକ୍ଷାବୃତ୍ତି ଭଳି ଘୃଣ୍ୟ ପେଷା କୁ ଆଦରି ନଥାନ୍ତା, ନିଜେ କିଛି କାମ ଧନ୍ଦା କରି ଚଳି ଯାଇଥାନ୍ତା । କେଜାଣି କାହିଁକି ତାଙ୍କ ମନରେ ଦୟା ଆସିଲା ସ୍ତ୍ରୀ ଲୋକଟି ପ୍ରତି । ସେଇ ସ୍ତ୍ରୀ ଲୋକଟିକୁ କିଛି ସାହାଯ୍ୟ କରିବା ପାଇଁ ସେ ନିଜ ମନ ଭିତରେ ସ୍ଥିର କଲେ ।


ପରଦିନ ଅଫିସ୍ ବାହାରିଲା ବେଳକୁ ଟିକିଏ ଆଗୁଆ ସମୟ ଥାଇ ବାହାରି ଆସିଲେ । ବାଟରେ ଠିଆ ହୋଇଥିଲା ସେଇ ଭିକାରୁଣୀ ଟି

ତା'ର ସେଇ ସେଥିପାଇଁ ଜାଗା ରେ। ପୋଲିସ୍ ପୋଷାକ ପରିହିତା ମୀରା ଙ୍କର ସ୍କୁଟି ତା’ ପାଖରେ ଅଟକିଲା କ୍ଷଣି ଭୟରେ ସେଠାରୁ ଧାଇଁ ପଳାଇବାକୁ ଉଦ୍ୟତ ହେଲା ସେ । ତା’କୁ ଅଭୟ ଦେଇ ଅଟକାଇ ଦେଲେ ମୀରା । କହିଲେ “ ଶୁଣ ! ତମେ କ’ଣ ଚୋର ତସ୍କର ହୋଇଛ ଯେ ମତେ ଦେଖି ଦୌଡି ପଳେଇ ଯାଉଛ ? ମୁଁ ତୁମ ସହିତ ଦୁଇ ପଦ କଥା ହେବା ଲାଗି ଏଠାରେ ଅଟକିଛି । ସବୁଦିନେ ମୁଁ ଅଫିସ୍ ଗଲାବେଳେ ଆଉ ଆସିଲା ବେଳେ ତୁମକୁ ଏଠାରେ ଭିକ ମାଗିବାର ଦେଖେ , ତୁମେ ତ ବୟସ ଥିବା ଲୋକ ଟିଏ, ଦେଖିବାକୁ ମଧ୍ୟ ସୁସ୍ଥ ଦିଶୁଛ , ତେବେ ଏ ଭିକ୍ଷାବୃତ୍ତି କାହିଁକି? ତୁମେ ଚାହିଁଲେ ନିଜେ କିଛି କାମ ଧନ୍ଦା କରି ଚଳି ପାରନ୍ତ , ଏମିତି ଭିକ୍ଷା ମାଗିବାକୁ ତୁମକୁ ଖରାପ ଲାଗୁନି ? “ । ମୁହଁ ତଳକୁ କରି ଠିଆ ହେଲା ସ୍ତ୍ରୀ ଲୋକଟି, ଜୀବନରେ ଜଣେ ବାହାର ଲୋକଠାରୁ ପଦିଏ ଆତ୍ମିୟତାଭରା କଥା ଶୁଣି ତା'ର ଆଖି ଛଳଛଳ ହୋଇଗଲା। କୋହ ଭରା କଣ୍ଠରେ ସେ କହିଲା " ଜଣେ ଲୋକଙ୍କ ଘରେ ଝାଡୁପୋଛା କରୁଥିଲି ଆଜ୍ଞା, ଥରେ ତାଙ୍କ ଘରୁ ଗୋଟିଏ ଦାମିକା ସାତଘଣ୍ଟା ଚୋରି ହୋଇଗଲା, ସେମାନେ ମତେ ଚୋର ଧରିଲେ, ମୁଁ ଯେତେ କହିଲି ମୁଁ ନିର୍ଦୋଷ ବୋଲି ମୋଟେ ବିଶ୍ୱାସ କଲେନି, ସିଏ କୁଆଡେ କୋଉ ଗୁଣିଆ କୁ ପଚାରିଥିଲେ ଆଉ ସେ କହିଥିଲା ତୁମ ଘର ଚାକରାଣୀ ଘଣ୍ଟା ଟି ନେଇଛି ବୋଲି, ମୋର ତ ଘରଦ୍ବାର କିଛି ନାହିଁ ମା’ ତାଙ୍କ ଘଣ୍ଟା ନେଇ ମୁଁ କ’ଣ କରିଥାନ୍ତି? ମୋ କଥାରେ ସେମାନଙ୍କୁ ବିଶ୍ବାସ ହେଲାନି, କାଠ ଫାଳିଆରେ ପିଟି ପିଟି ମତେ ଦରମରା କରି ବାହାରକୁ ଫିଙ୍ଗିଦେଲେ , ଅନେକ ଦିନ ପଡି ରହିଲି ମୋ ଖୋଲି ରେ , ସୁସ୍ଥ ହୋଇ ପୁଣି ଥରେ କାମ ପାଇଁ ଘୁରି ବୁଲିଲେ ଦୁଆର ଦୁଆର, ହେଲେ ଥରେ ଚୋରଣୀ ବୋଲି ବଦନାମ୍ ହେବାରୁ ଆଉ କେହି କାମ ଦେଲେନି, ଘରଭଡା ଦେଇ ନ ପାରିବାରୁ ଖୋଲି ରୁ ବାହାର କରିଦେଲା ଖୋଲି ମାଲିକ, ସେଇଦିନୁ ମୁଁ ଏଇ ରାସ୍ତା କଡରେ ପଡିଛି, ଭିକ୍ଷା ମାଗି ଚଳୁଛି “। ମୀରା ମାଥୁର ଅବାକ୍ ହୋଇ ଚାହିଁ ରହିଥିଲେ ସ୍ତ୍ରୀ ଲୋକଟିର ମୁହଁ କୁ । ତା’ ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା, ଲୁଗାକାନିରେ ଲୁହ ପୋଛି ସେ ଠିଆ ହେଲା।


କାହିଁକି କେଜାଣି ମୀରା ମାଥୁର ଙ୍କର ମନ କହୁଥିଲା ସ୍ତ୍ରୀ ଲୋକଟି ସତ କହୁଛି ବୋଲି, ସେ ତା’କୁ କହିଲେ ମୁଁ ଯଦି ତମକୁ କିଛି କା ଦିଏ , ତମେ କରିବ ?  ମୋର ଦୁଇଟି ଛୋଟ ଛୋଟ ପିଲା ଅଛନ୍ତି, ତାଙ୍କ ଦେଖାଶୁଣା କରିବ , ମୋ ଘରେ ରହିବ , ଖାଇବ , ତମର ଉପଯୁକ୍ତ ପାରିଶ୍ରମିକ ଦେବି ମୁଁ, ତୁମେ ଯଦି ମୋ କଥା ରେ ରାଜି , ତେବେ ମୁଁ ଅଫିସ୍ ରୁ ଫେରିବା ବେଳକୁ ତୁମେ ପ୍ରସ୍ତୁତ ହୋଇ ରହିଥିବ , ମୁଁ ତମକୁ ସାଙ୍ଗରେ ନେଇ ଯିବି ଆମ ଘରକୁ । ତମେ ଭାବି ଚିନ୍ତି ଠିକ୍ କର, ସନ୍ଧ୍ୟା ଯାଏଁ ସମୟ ଅଛି ତମ ହାତରେ “। ଏତିକି କହି ଅଫିସ ବାହାରି ଗଲେ ମୀରା । 


ଅଫିସ୍ ରୁ ଫେରିବା ବେଳକୁ ସନ୍ଧ୍ୟା ସାତଟା । ମଇଳା ପୁଟୁଳି ଟିଏ ହାତରେ ଧରି ଠିଆ ହୋଇଥିଲା ଭିକାରୁଣୀ ଟି। ମୀରାଙ୍କୁ ଦେଖି ପାଖକୁ ଆସିଲା , ହାତ ଯୋଡି କାନ୍ଦି କାନ୍ଦି କହିଲା “ଆପଣ ଦେବୀ ଟିଏ ମେମ ସାବ୍ । ଏଇ ନର୍କ ରୁ ଉଦ୍ଧାର କରି ମୋତେ ସମ୍ମାନ ର ଜୀବନ ଜିଇଁବାକୁ ଦେବେ । ମୁଁ ଆପଣଙ୍କ ଋଣ ସାରା ଜୀବନ ମନେ ରଖିବି, କେବେ ବି ଆପଣଙ୍କ ଭରସା ଭାଙ୍ଗିବିନି”।

ଘରେ ପହଞ୍ଚି ସ୍ତ୍ରୀ ଲୋକଟିକୁ ଆଗ ଗାଧୁଆପାଧୁଆ କରି ସଫାସୁତୁରା ହୋଇ ଆସିବାକୁ ନିଜର ଘରେ ଥିବା ବାହାର ଶୌଚାଳୟକୁ ପଠାଇ ତା’ ପାଇଁ ଲୁଗାପଟା ର ବନ୍ଦୋବସ୍ତ କରିବାକୁ ଚାଲିଗଲେ ମୀରା । ଗାଧୁଆପାଧୁଆ ସାରି ସ୍ତ୍ରୀ ଲୋକଟି ଘର ଭିତରକୁ ଆସିଲାବେଳକୁ ତା’ର ହୁଲିଆ ପରିବର୍ତ୍ତନ ହୋଇ ସାରିଥିଲା । ମୀରାଙ୍କର ଅନୁମତି ନେଇ ସାଙ୍ଗେ ସାଙ୍ଗେ କାମ ରେ ଲାଗିଗଲା ସେ ।ଜଣେ ଅଭ୍ୟସ୍ତ ଘରୁଆ ଘରର ସ୍ତ୍ରୀ ଲୋକଟି ପରି ଘଣ୍ଟାଏ ଭିତରେ ଘରଦ୍ବାର ସଫା ସୁତୁରା କରି ସାରି , ମୀରା ଙ୍କୁ ପଚାରିବା ପରେ ରାତି ପାଇଁ ରୋଷେଇ ବାସ ଆରମ୍ଭ କରି ଦେଲା ସେ। ମୀରା ମାଥୁର ଅବାକ୍ ହୋଇ ଚାହିଁ ରହିଥିଲେ ତା’କୁ, ଏଇ ଘଣ୍ଟାଏ ଆଗରୁ ସେ ରାସ୍ତାରେ ଠିଆ ହୋଇ ଭିକ୍ଷାବୃତ୍ତି କରୁଥିବା ସ୍ତ୍ରୀ ଲୋକଟି ଭଳି ଆଦୌ ଦିଶୁ ନଥିଲା ସେ। ନିଜର ନାମ   “ ପାର୍ବତୀ “  ଆଉ ଦିନେ ତା’ର ଭରାପୂରା ପରିବାର ଟିଏ ଥିଲା ବୋଲି ମୀରା ଙ୍କୁ କହିଥିଲା ସେ। ପିଲାମାନଙ୍କ ସହିତ ପାର୍ବତୀ ର ପରିଚୟ କରେଇ ଦେଇ ମୀରା କହିଥିଲେ “ ଇଏ ପାର୍ବତୀ ମାଉସୀ, ଚାଲିବାରୁ ତୁମ ମାନଙ୍କର ସବୁ ଦାୟିତ୍ଵ ତାଙ୍କର, ତୁମର ଯାହା ଦରକାର ହେବ ତାଙ୍କୁ କହିବ, କେହି ତାଙ୍କୁ ହଇରାଣ କରିବନି “। ପିଲାମାନେ ଖୁବ୍ ଶୀଘ୍ର ଆଦରି ଗଲେ ପାର୍ବତୀ ମାଉସୀ ଙ୍କୁ , ପାର୍ବତୀ ମଧ୍ୟ ନିଜର ସେବା ଶୁଶ୍ରୁଷାରେ, ନିଜର ଆପଣାପଣରେ ବାନ୍ଧି ପକାଇଥିଲା ସମସ୍ତଙ୍କୁ । ଏବେ ମୀରା ମାଥୁର ମଧ୍ୟ ନିଜ ଘରର କୌଣସି ଜିନିଷ ତାଲାବନ୍ଦ କରି ରଖୁ ନଥିଲେ, ପାର୍ବତୀ ଉପରେ ତାଙ୍କର ଅଖଣ୍ଡ ବିଶ୍ୱାସ ଆସି ଯାଇଥିଲା ।


ଦିନ ଗଡି ଚାଲିଥାଏ।ଦିନେ ଅଫିସ୍ ରୁ ଫେରି ମୀରା ଦେଖିଲେ ପାର୍ବତୀ ର ମୁହଁ ଟି ଶୁଖିଲା ଦିଶୁଛି, ଆଖି ରେ ଲୁହ ର ଦାଗ ସୁସ୍ପଷ୍ଟ, କାରଣ ପଚାରିବାରୁ କଥା କୁ ବାଆଁରେଇ ଦେଲା ପାର୍ବତୀ । ମୀରାଙ୍କର ପୁଲିସିଆ ମନ , ସନ୍ଦେହ ହେଲେ ଦୂର ନହେବା ଯାଏଁ ଥୟ ହୋଇ ବସି ପାରିବେନି, ତେଣୁ ବାରମ୍ବାର କରି ଖୋଳତାଡ କରି କାରଣ ଟି ଆଦାୟ କରିନେଲେ ପାର୍ବତୀ ପାଖରୁ । ସେ ଥିଲା ଆହୁରି ଏକ ଦୁଃଖଦାୟକ କାହାଣୀ । ପାର୍ବତୀ ର ସ୍ୱାମୀ ମହେଶ୍ୱର ଲାଇନ୍ ମ୍ୟାନ୍ ଭାବରେ କାମ କରୁଥିଲା ଇଲେକ୍ଟଟ୍ରି ଡିପାର୍ଟମେଣ୍ଟ ରେ । ଦୁଇ ପୁଅ ରାଘବ ଆଉ ଉଦ୍ଧବ ଙ୍କୁ ନେଇ ସୁଖୀ ସଂସାର ଥିଲା ପାର୍ବତୀ ର , ହେଲେ ଦେବ ସହିଲାନି, ଦିନେ ଲାଇଟ୍ ଖୁଣ୍ଟ ରେ ଚଢି କାମ କରୁଥିବା ବେଳେ କରେଣ୍ଟ ଲାଗି ମରିଗଲା ମହେଶ୍ୱର । ପାର୍ବତୀ ମୁଣ୍ଡରେ ଆକାଶ ଛିଣ୍ଡି ପଡିଲା । ଅଶିକ୍ଷିତା ସ୍ତ୍ରୀ ଲୋକଟି ଉପରେ ପଡିଲା ପରିବାର ର ବୋଝ । ପରଘରେ ବାସନମାଜି କାମଧନ୍ଦା କରି ସେ ପାଳିଲା ଦୁଇ ପୁଅଙ୍କୁ । କମ୍ପାନୀ ରୁ ମିଳିଥିବା ପଇସାରେ ପାଠ ପଢେଇଲା ସେମାନଙ୍କୁ। ପିଲାଏ ପାଠ ପଢି ବଡ ମଣିଷ ହେଲେ, ବଡ ପୁଅ ରାଘବ ସେଲ୍ସ ଟ୍ୟାକ୍ସ ବିଭାଗରେ କିରାଣୀ ଚାକିରୀ କଲା ଆଉ ସାନପୁଅ ଉଦ୍ଧବ ବସ୍ କଣ୍ଡକ୍ଟର ହେଲା । ଦୁଇ ଭାଇ ଯାକ ବାହାସାହା ହୋଇ ଯିଏ ଯାହାର ସଂସାର କଲେ, ନିଜ ନିଜ ମଧ୍ୟରେ ମନାନ୍ତର ହୋଇ ଯିଏ ଯାହାର ପରିବାର ଧରି ଚାଲିଗଲେ ବାହାରକୁ ହେଲେ ମାଆ କଥା କେହି ଭାବିଲେନି କି ତା’କୁ କେହି ସାଥିରେ ନେଲେନି । ବିଚରା ସ୍ୱାମୀ ହରା ପାର୍ବତୀ ପୁତ୍ର ମାନଙ୍କୁ ହରେଇ ପୁଣି ଥରେ ଏକା ହୋଇ ଗଲା ଦୁନିଆଁ ରେ । ମୁଣ୍ଡ ପିଟି କାନ୍ଦି ବୋବେଇ ଥିରି ହୋଇ ରହିଲା , ପୁଣି ପରଘରେ ବାସନମାଜି କାମଧନ୍ଦା କରି ଚଳିଲା, ଶେଷରେ ଭିକ ମାଗିଲା । ପୁଅ ମାନଙ୍କର ଠିଆ ଠିକଣା ବି ଜଣା ନଥିଲା ତା’କୁ । କୁଆଡେ ଯାଇଥାନ୍ତା ସିଏ , କାହାକୁ କହିଥାନ୍ତା ନିଜର ଦୁଃଖ? ଯେଉଁ ମାନଙ୍କୁ ଅନ୍ତ ଫାଡି ଜନ୍ମ ଦେଇଥିଲା , କଷ୍ଟ ସହି ମଣିଷ କରିଥିଲା , ସେମାନେ ତ ତା’କୁ ଏକା କରି ଦୁନିଆଁ ର ଠୋକର୍ ଖାଇବାକୁ ଫିଙ୍ଗିଦେଇ ଚାଲିଗଲେ, ଆଉ କାହା ଉପରେ ଭରସା କରିଥାନ୍ତା ସିଏ ? ପାର୍ବତୀ ର ଦୁଃଖ କାହାଣୀ ଦୋହଲାଇ ଦେଲା ମୀରା ମାଥୁର ଙ୍କର ମନକୁ । ସେ ଭାବିଲେ ଦୁନିଆଁ ଟା କେଡେ ସ୍ୱାର୍ଥପର, ଏଠି ନିଜର ଜନ୍ମକଲା ମାଆକୁ ବି ଫୋପାଡି ଦେଇ ଯାଉଛନ୍ତି ପୁଅମାନେ ! କେତେ ଦୁଃଖ କଷ୍ଟ ସହି ପାର୍ବତୀ ପୁଅ ଦୁହିଁଙ୍କୁ ମଣିଷ କଲା , ସେମାନେ ତା’ ପ୍ରତି ଏମିତି ଅନ୍ୟାୟ ଅବିଚାର କରି ନିଜେ ସୁଖରେ ଦିନ କାଟୁଛନ୍ତି? ନା” ନା’ ଏମିତି ଅନ୍ୟାୟ ହେବାକୁ ଦେବେନାହିଁ ସେ ପାର୍ବତୀଙ୍କ ସାଥିରେ । ସେ ଲୋକମାନଙ୍କୁ ନ୍ୟାୟ ଦେବାକୁ ପୋଲିସ୍ ଡିପାର୍ଟମେଣ୍ଟ ରେ ଚାକିରୀ କରିଛନ୍ତି ଅଥଚ ତାଙ୍କ ଆଖି ଆଗରେ ଏଇ ଦୁଃଖିନୀ ମାଆ ଟିକୁ ନ୍ୟାୟ ଦେଇ ପାରିବେନି? ତେବେ କ’ଣ ଲାଭ ତାଙ୍କର ପୋଲିସ୍ ଚାକିରୀ କରି ? ପାର୍ବତୀ ଙ୍କୁ ତାଙ୍କର ପୁଅ ମାନଙ୍କ ଠିକଣା ପଚାରିଲେ, ହେଲେ ସେ କେବଳ ତାଙ୍କ ପୁଅ ମାନଙ୍କ ନାମ ଏବଂ ସେମାନେ କାମ କରୁଥିବା ଅଫିସ୍ ର ନାମ ଜାଣନ୍ତି ଆଉ ପନ୍ଦର ବର୍ଷ ହେଲାଣି ତାଙ୍କ ସହିତ ପୁଅ ମାନଙ୍କର କୌଣସି ଯୋଗାଯୋଗ ନାହିଁ ବୋଲି କହି କାନ୍ଦି ଉଠିଲେ ପାର୍ବତୀ । ମୀରା ମାଥୁର କିନ୍ତୁ ମନେ ମନେ ପଣ କରିଥିଲେ ଯେ ଯେମିତି ହେଉ ସେ ପାର୍ବତୀଙ୍କ ପୁଅ ମାନଙ୍କୁ ନିଶ୍ଚୟ ମିଳାଇ ଦେବେ ପାର୍ବତୀ ଙ୍କ ସହିତ ଆଉ ତାଙ୍କ ମଣିଷ ପଣିଆ ର ପରିଚୟ ଦେବେ । 


ମୀରା ନିଜ ଅଫିସ୍ ରେ ଯାଇ ନାସିକ୍ ର ଡିଜି ଙ୍କୁ ଏଇ ସନ୍ଦର୍ଭ ରେ ମେଲ୍ ଟିଏ ଲେଖିବା ସହ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଦେଲେ ଏଇ ସମ୍ବେଦନଶୀଳ ଘଟଣା ଟିକୁ । ଭାଇରାଲ୍ ହୋଇଥିବା ମେସେଜ୍ ଏବଂ ପୋଲିସ୍ ର ତନାଘନା ଅନୁସନ୍ଧାନ ପରେ ମିଳିଥିଲେ ପାର୍ବତୀ ଙ୍କର ଦୁଇ ପୁଅ ଯାକ। ପୋଲିସ୍ ସେମାନଙ୍କୁ ଥାନାକୁ ଡକାଇ ବହୁତ ବୁଝାଶୁଝା କରିଥିଲା, ବାପମାଆ ଙ୍କ ବୃଦ୍ଧାବସ୍ଥା ରେ ସେମାନଙ୍କ ଦାୟିତ୍ଵ ନ ନେଇ ତାଙ୍କୁ ଯନ୍ତ୍ରଣା ଯୁକ୍ତ ଜୀବନ କଟାଇବା ଲାଗି ଛାଡିଦେବା ଖାଲି ମାନବିକତା ନୁହେଁ, ଏକ ଦଣ୍ଡନୀୟ ଅପରାଧ ବୋଲି ଜଣାଇଦେଲା। ସବୁ ଶୁଣିବା ପରେ ପୁଅ ଦୁଇଜଣଙ୍କର ଜ୍ଞାନୋଦୟ ହୋଇଥିଲା । ସେମାନେ ନିଜ କୃତକର୍ମ ର ଅନୁତାପ କରିବା ସହିତ ସସମ୍ମାନେ ପାର୍ବତୀ ଙ୍କୁ ନେଇ ଯାଇଥିଲେ ସେମାନଙ୍କ ସାଥିରେ ବାକୀ ଜୀବନ ଭଲ ରେ ରକ୍ଷଣାବେକ୍ଷଣ କରିବାର ପ୍ରତିଶ୍ରୁତି ଦେଇ। ଦେଶର ସବୁ ପ୍ରମୁଖ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା ପୋଲିସ୍ କନେଷ୍ଟବଳ ମୀରା ମାଥୁର ଙ୍କ ମଣିଷ ପଣିଆ ର କଥା। ସମସ୍ତେ ବାଃ ବାଃ କରିଥିଲେ ମୀରା ଆଉ ସୋସିଆଲ୍ ମିଡିଆର କାର୍ଯ୍ୟ କଳାପ କୁ । ପାର୍ବତୀ ଖୁବ୍ ଆଶୀର୍ବାଦ କରିଥିଲେ ମୀରା ମାଥୁର ଆଉ ତାଙ୍କ ସନ୍ତାନ ମାନଙ୍କୁ ।।


Rate this content
Log in

Similar oriya story from Inspirational