STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଦେବୀ ଦକ୍ଷିଣାଙ୍କ କଥା

ଦେବୀ ଦକ୍ଷିଣାଙ୍କ କଥା

3 mins
15

         ଦେବୀ ଦକ୍ଷିଣାଙ୍କ କଥା
        ==============
ସମସ୍ତ ଲୋକପରେ ଅବସ୍ଥିତ ଗୋଲୋକ ହେଉଛି ଭଗବାନ ଶ୍ରୀକୃଷ୍ଣ ଓ ମାନମୟୀ ଶ୍ରୀରାଧାଙ୍କ ନିତ୍ୟ ନିବାସ ଓ ରାସସ୍ଥଳୀ l ଏହା ସୁରଧେନୁ କାମଧେନୁ ନନ୍ଦା, ସୁନନ୍ଦା, ସୁରଭି, ନନ୍ଦିନୀ, ସୁଶୀଳା, ହର୍ଷିକା, ସୁଭଦ୍ରା, ପୃଥନା, ଆଦି ଗାଭୀ ମାନଙ୍କ ବାସସ୍ଥଳୀ l ଥରେ ଦେବର୍ଷି ନାରଦ ବୀଣାବାଦନ କରି ବୈକୁଣ୍ଠ ପୁରୀରେ ପହଁଚିଲେ l ସେଠାରେ ସେ ନାରାୟଣଙ୍କୁ ଗୋଲୋକ ବିଷୟରେ ଜାଣିବାପାଇଁ ପ୍ରଶ୍ନକଲାରୁ ସେ ତାଙ୍କୁ ଏକ ଚମତ୍କାର କଥା, ଦେବୀ ଦକ୍ଷିଣାଙ୍କ କଥା ଶୁଣାଇଲେ l
ଭଗବାନ୍ କହିଲେ, ପ୍ରାଚୀନକାଳର କଥା l ଦେବୀ ଶ୍ରୀରାଧାଙ୍କ ଜଣେ ଅତି ପ୍ରିୟସଖୀ ଥିଲେ ସୁଶୀଳା l ଗୋପୀ ସୁଶୀଳା ଥିଲେ, ଅତ୍ୟନ୍ତ ସୁନ୍ଦରୀ ଓ ରାସରସିକ ରସରାଜ ଶ୍ରୀକୃଷ୍ଣଙ୍କ ଅତିପ୍ରିୟ ରସୋତ୍ସୁକା l ଦିନେ ଶ୍ରୀରାଧାଙ୍କ ଉପସ୍ଥିତିରେ ସୁଶୀଳା ଶ୍ରୀକୃଷ୍ଣଙ୍କ କ୍ରୋଡ଼ରେ ବସି ପଡ଼ିଲେ l ଏହାକୁ ଦେଖି, ଶ୍ରୀରାଧା ଆଉ ସହ୍ୟ କରି ପାରିଲେ ନାହିଁ l କ୍ରୋଧିତା ହୋଇ ସେ ସେସ୍ଥାନ ପରିତ୍ୟାଗ କରି ଦ୍ରୁତଗତିରେ ଅନ୍ୟତ୍ର ଚାଲିଗଲେ l ତାଙ୍କ କ୍ରୋଧ ଦେଖି ଭୟରେ ଶ୍ରୀକୃଷ୍ଣ ମଧ୍ୟ ସେଠାରୁ ଅନ୍ତର୍ହିତ ହୋଇଗଲେ l ଅଭିମାନିନୀ ରାଧା ସୁଶୀଳାଙ୍କୁ ନିଶ୍ଚୟ ଅଭିଶାପ ଦେବେ ଏହା ଚିନ୍ତା କରି ସମସ୍ତ ଗୋପ ଗୋପୀ ଆତଙ୍କିତ ହୋଇ ପଡ଼ିଲେ l ସୁଶୀଳା ମଧ୍ୟ ଅତ୍ୟନ୍ତ ଭୟଭୀତ ହୋଇ ପଡିଲେ l ଭୟଭୀତ ସମସ୍ତ ଗୋପ ଗୋପୀ ଯୋଡ଼ ହସ୍ତ ହୋଇ ଶ୍ରୀରାଧାଙ୍କୁ ଶାନ୍ତ ହେବା ପାଇଁ କାକୁତି ମିନତି କଲେ l କିନ୍ତୁ ଶ୍ରୀରାଧା କିଛି ଶୁଣିଲେ ନାହିଁ l ଶ୍ରୀରାଧା ସତକୁ ସତ ସୁଶୀଳାଙ୍କୁ ଅଭିଶାପ ଦେଲେ, ଆଜିଠାରୁ ସୁଶୀଳାକୁ ଗୋଲୋକ ଆସିବା ମନା l ସେ ଯଦି ବାରଣ ନମାନି ଏଠାକୁ ଆସେ ତେବେ ତୁରନ୍ତ ଭସ୍ମରେ ପରିଣତ ହେବ l
ଇଆଡ଼େ କୃଷ୍ଣ ଅନ୍ତର୍ହିତ ହୋଇ ଯାଇଛନ୍ତି l କୃଷ୍ଣଙ୍କ ବିନା କୃଷ୍ଣପ୍ରାଣ ରାଧା ବଞ୍ଚିବେ କିପରି? ସେ କୃଷ୍ଣଙ୍କୁ ସ୍ମରଣ କରି ଉଚ୍ଚ ସ୍ବରରେ କରୁଣକ୍ରନ୍ଦନ କରିବାକୁ ଲାଗିଲେ l ପାଗଳୀନୀ ହୋଇ, ଶ୍ରୀରାଧା କହିବାକୁ ଲାଗିଲେ, ହେ ପ୍ରାଣେଶ୍ୱର ! ଆପଣଙ୍କ ବିନା କ୍ଷଣେ ମାତ୍ର ବଞ୍ଚିବା ମଧ୍ୟ ମୋ ପକ୍ଷରେ ଅସମ୍ଭବ l ଆପଣ କୁଆଡେ଼ ଗଲେ ଦୟାକରି ମୋତେ ଦେଖା ଦିଅନ୍ତୁ l ପତ୍ନୀକୁ ଭରଣ ପୋଷଣକରୁଥିବାରୁ ପତିଙ୍କୁ ଭର୍ତ୍ତାକୁହାଯାଏ l ପାଳନ କର୍ତ୍ତା ବୋଲି ତାଙ୍କୁ ପତି କୁହା ଯାଏ l ପତ୍ନୀଙ୍କୁ ଶାସନ କରୁ ଥିବାରୁ, ସେ ସ୍ବାମୀ l ପତ୍ନୀର ସକଳ କାମନା ପୂରଣକାରୀ ବୋଲି ତାଙ୍କୁ କାନ୍ତ କୁହାଯାଏ l ପତ୍ନୀକୁ ସୁଖ ଦେଉ ଥିବାରୁ ସେ ବନ୍ଧୁ ବୋଲାନ୍ତି l ସେ ପୁଣି ପ୍ରିତି ପ୍ରଦାନକାରୀ ପ୍ରିୟ ଏବଂ ଐଶ୍ୱର୍ଯ୍ୟ ପ୍ରଦାନ କାରୀ ଈଶ ଅଟନ୍ତି l ପ୍ରାଣର ପ୍ରଭୁ ବୋଲି ସେ ପ୍ରାଣ ନାୟକ l ରତି ସୁଖ ପ୍ରଦାୟକ ବୋଲି ତାଙ୍କୁ ରମଣ କୁହାଯାଏ l ସତ୍ କୂଳ ସମ୍ଭୂତା ନାରୀ ପାଇଁ ତାର ପତିହିଁ ସବୁ କିଛି l
ରାଧା କୃଷ୍ଣଙ୍କୁ ନପାଇ ଏପରି ବିଳାପ କରୁ ଥାନ୍ତି l ଏଣେ ଅଭିଶପ୍ତା ସୁଶୀଳା ଘୋର ତପଶ୍ଚରଣ ଦ୍ବାରା ମହାଲକ୍ଷ୍ମୀଙ୍କ ଶରୀର ମଧ୍ୟରେ ଲୀନ ହୋଇଗଲେ l ନାରାୟଣ ମହାଲକ୍ଷ୍ମୀଙ୍କ ଶରୀରର ଦକ୍ଷିଣ ଅଂଶରୁ ସୁଶୀଳାଙ୍କୁ ମର୍ତ୍ତ୍ୟଲକ୍ଷ୍ମୀ ଭାବେ ପ୍ରକଟ କରାଇଲେ l ଲକ୍ଷ୍ମୀଙ୍କ ଦକ୍ଷିଣଅଂଶରୁ ଜାତ ସେହି ଦେବୀ ହେଲେ "ଦକ୍ଷିଣା"l ଦକ୍ଷିଣାଙ୍କ ରୂପକାନ୍ତି ମହାଲକ୍ଷ୍ମୀଙ୍କପରି ଅତୀବ ସୁନ୍ଦର l ଦେବୀ ଭାଗବତରେ ତାଙ୍କର ରୂପ ବର୍ଣ୍ଣନା କରି କୁହାଯାଇଛି:- ତପ୍ତ କାଞ୍ଚନବର୍ଣ୍ଣାଭାଂ ଚନ୍ଦ୍ର କୋଟି ସମ ପ୍ରଭାମ୍ l ଅତୀବକମନୀୟାଂଚ ସୁନ୍ଦରୀଂ ସୁମନୋହରାମ୍ l
ଦେବୀ ଦକ୍ଷିଣା ପ୍ରକଟ ହେବା ପରେ, ଯଜ୍ଞ ପୁରୁଷ ଦେବୀଙ୍କୁ ଗ୍ରହଣ କରି କହିଲେ,ହେ ଦେବୀ ! ତୁମେ ତୁମର ପୂର୍ବ ଜନ୍ମରେ ରାଧାଙ୍କ ପରି କୃଷ୍ଣ ପ୍ରେୟସୀ ଗୋପୀ, ସୁଶୀଳା ଥିଲ l ତୁମେ କାର୍ତ୍ତିକ ପୂର୍ଣ୍ଣିମାର ରାଧା ମହୋତ୍ସବ ସମୟରେ ଲକ୍ଷ୍ମୀଙ୍କ ଦକ୍ଷିଣାଙ୍ଗରୁ ପ୍ରକଟ ହୋଇଛ l ଯଜ୍ଞାନୁଷ୍ଠାନ କରୁଥିବା ବ୍ୟକ୍ତିଙ୍କୁ ତୁମେ ପୂଣ୍ୟ ଫଳ ପ୍ରଦାନ କରିବ l ତୁମର ପ୍ରସନ୍ନତା ବିନା କୌଣସି ବି ଯଜ୍ଞ କର୍ମ ସଫଳ ହେବ ନାହିଁ l ବ୍ରହ୍ମା ହେଉଛନ୍ତି କର୍ମରୂପୀ l ମହେଶ୍ୱର ହେଉଛନ୍ତି କର୍ମଫଳ ସ୍ଵରୂପ ଓ ମୁଁ ବିଷ୍ଣୁ, ହେଉଛି ଯଜ୍ଞରୂପୀ l ଆମ୍ଭ ମାନଙ୍କ ମଧ୍ୟରେ ତୁମେ ଶ୍ରେଷ୍ଠ l ହେ କାନ୍ତେ ! ଜନ୍ମ ଜନ୍ମାନ୍ତରରେ, ତୁମେହିଁ ମୋର ଶକ୍ତି l ତୁମରି ସହାୟତାରେ ମୁଁ ସମସ୍ତ କର୍ମ କରିବା ପାଇଁ ସମର୍ଥ ହୋଇଥାଏ l ତୁମେ ପରା ପ୍ରକୃତି l ଏହି ହେଉଛନ୍ତି ଦେବୀ ଦକ୍ଷିଣା l ସମସ୍ତ ଯଜ୍ଞଫଳ ଦେବାପାଇଁ ସେ ସମର୍ଥା l ଯଜ୍ଞ ସମ୍ପାଦନ କାଳରେ ଏଣୁ ଦେବୀ ଦକ୍ଷିଣାଙ୍କୁ ସ୍ତୁତି କରାଯାଏ :- ଲକ୍ଷ୍ମୀ ଦକ୍ଷାଂଶ ସମ୍ଭୂତାମ୍ ଦକ୍ଷିଣାମ୍ କମଳା କଳାମ୍ ସର୍ଵକର୍ମସୁଦକ୍ଷାଂ ଚ ଫଳଦାଂ ସର୍ବ କର୍ମଣାମ୍ ll
         !!! ଜୟ ଦେବୀ ଦକ୍ଷିଣା !!!
               🙏🙏🙏
                  ଅର୍ଜୁନୀ
                ------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya story from Inspirational