ଦେବଦୂତ
ଦେବଦୂତ
ବୈଶାଖର ନିଦାଘ ଖରା । ଦୂର ଦୂର ପର୍ଯ୍ୟନ୍ତ ରାସ୍ତା ଶୁନ୍ଶାନ୍ । ଗୀଷ୍ମର ପ୍ରଖର ପ୍ରକୋପ ବ୍ୟତୀତ କେହି ବି ନଜରକୁ ଆସୁନାହାଁନ୍ତି । ଖରା ଦିନ ଦ୍ୱପହର କାଉ କୋଇଲିର ମଧ୍ୟ ସ୍ୱର ଶୁଭୁ ନାହିଁ । ବୁଲା କୁକୁରଟିଏ ମଧ୍ୟ ଦେଖାଯାଉନାହିଁ ରାସ୍ତାରେ । କରୋନା ପାଇଁ ଲକଡାଉନ ଶଟଡାଉନ ପରିସ୍ଥିତି ଚାଲିଛି । ସହରର ଛକ ଯାଗାମାନଙ୍କରେ କେବଳ ପୋଲିସ କର୍ମଚାରୀମାନେ ମୁତୟନ ହୋଇ ରହିଛନ୍ତି । ଅଭୟ ତାର ପୁରୁଣା ବାଇକଟିକୁ ଧରି ଏପଟ ସେପଟ ହେଉଛି । କେଉଁଠିକି ଯିବ କଣ କରିବ କିଛି ଠିକ କରି ପାରୁନାହିଁ । ଭୋର ପାଞ୍ଚଟାରୁ ଆଣି ସ୍ତ୍ରୀ ପ୍ରଭାତୀକୁ ମେଡିକାଲରେ ଆଡମିଟ କରିଛି । ରାତିସାରା ଗର୍ଭବେଦନା ଜନିତ କଷ୍ଟରେ ସେ ଛଟପଟ ହେଉଛି । ମାଆ ବୁଢୀ ମଣିଷ, ସେ ବା କ’ଣ କରିବ । ଘର ସଦସ୍ୟ କହିଲେ ତିନିଜଣ । ମାଆ ପୁଅ ବୋହୁ । ମାଆ ସ୍ତ୍ରୀ ପାଖରେ ରହିବାରୁ ସେ ଯାଇ ଆଶା ଦିଦି ଙ୍କୁ ଡାକି ଆଣିଲା । ଆଶା ଦିଦି ତୁରନ୍ତ ମେଡିକାଲ ନେଇଯିବା ପାଇଁ କହିଲେ । ଅଭୟ ଅଟୋଟିଏ ଡାକି ଆଣି ଆଶା ଦିଦି ଙ୍କ ସହିତ ପ୍ରଭାତିକୁ ମେଡିକାଲ ପଠାଇ ନିଜେ ପଛେ ପଛେ ବାଇକରେ ଆସିଲା । ଗାଁ ଠାରୁ ସହର ପ୍ରାୟ ଆଠ କି.ମି.ହେବ । ଡାକ୍ତରଙ୍କର ଧାର୍ଯ୍ୟ ତାରିଖର ଯଥେଷ୍ଟ ପୂର୍ବରୁ ପ୍ରଭାତିର ଗର୍ଭ ବେଦନା ଆରମ୍ଭ ହୋଇଯାଇଥିଲା । ସେ ଚାଷୀ ଲୋକ । ଧାନ,ମୁଗ,ବିରି,କୋଳଥ,ବୁଟ ପ୍ରଭୁତି ଶସ୍ୟ ରୁ ଯାହା ଆମଦାନୀ ହୁଏ ତାକୁ ଏପଟ ସେପଟ କରି ଲାଭରେ ଘର ଖର୍ଚ୍ଚ କରେ । ତିନି ପ୍ରାଣୀ ଆରାମ ସେ ଚଳି ଯାଇ ସେଥିରୁ କିଛି ସଞ୍ଚୟ ମଧ୍ୟ କରେ । ଆଗକୁ ଡେଲିଭରି ଖର୍ଚ୍ଚ ଥିବାରୁ ସେଥିପାଇଁ ସେ ସଜାଗ ଥିଲା । ତଥାପି ମେଡିକାଳକୁ ବାହାରିବା ବେଳେ ପ୍ରଭାତି ତା କାନର ପେଣ୍ଡି ଆଉ ବେକର ହାରକୁ ଅଭୟକୁ ଦେଇ କହିଥିଲା ପାଖରେ ରଖିଥାଅ । ଦରକାର ପଡିପାରେ । କେତେବେଳେ କେଉଁ କଥା କହି ହେଉନି । ପ୍ରଭାତି ସତ କଥା କହୁଥିଲା । ଡାକ୍ତର କହିଛନ୍ତି ନର୍ମାଲ ଡେଲିଭରି ହୋଇ ପାରିବନି, ଅପରେସନ ଦରକାର । ପୁଣି ରକ୍ତ ବି ଯୋଗାଡ କରିବାକୁ ପଡିବ । ସେଥିପାଇଁ ଆହୁରି ପଇସା ଦରକାର । ପକେଟରେ ସୁନା ଧରି ଖରାରେ ଅଭୟ ଏପଟ ସେପଟ ହେଉଛି । ପରିଚିତ ଥିବା କିଛି ଲୋକଙ୍କ ସହିତ ଯୋଗାଯୋଗ କରି ସାରିଲାଣି । କିଏ ଫୋନ ଉଠାଉ ନାହାଁନ୍ତି ତ ଆଉ କାହା ଠାରୁ ନାସ୍ତି ବାଣୀ ଶୁଣିବାକୁ ମିଳୁଛି । ରାସ୍ତାରେ ବାଇକ ଧରି ଖାଲି ଏପଟ ସେପଟ ହେଉଛି । ପୋଲିସ ବାବୁମାନେ ତାକୁ ଅଟକାଇ ଦେଇ ହେଲମେଟ, ଗାଡି ଲାଇସେନସ ଚେକ୍ କରିବାରେ ଲାଗି ପଡିଲେ । ଆଜି ସଟଡାଉନରେ କଣ ଗାଡି ଧରି ବୁଲୁଛୁ । ସେ ସବୁ କଥା କହି ସାରିବା ପରେ ପକେଟରୁ ସୁନା ଜିନିଷ ଦେଖାଇବାରୁ ଜଣେ ପୋଲିସ ବାବୁ ପାଖକୁ ଲାଗି ଆସି କହିଲେ କେଉଁ ବ୍ଲଡ ଗ୍ରୁପ । “ବି ପଜିଟିଭ” । ଚାଲ ମୋର ବି ସେଇ ଏକା ଗ୍ରୁପ । ପୋଲିସ ବାବୁଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ଦେଇ ସେ ଟଙ୍କା ଯୋଗାଡରେ ଲାଗି ପଡିଲା । ମେଡିକାଲରେ ଫିସ ବାବଦକୁ ଟଙ୍କା ଭରିବାକୁ ପଡିବ । ଯାହା ହେଉ ଭଲରେ ଭଲରେ ସବୁ କାମ ହୋଇଗଲା । ସୁନ୍ଦର ଗୁଲୁଗୁଲିଆ କଣ୍ଡେଇ ପରି ଝିଅଟିଏ ହେଇଛି । ପୋଲିସ ବାବୁଙ୍କ ଯୋଗୁଁ ସବୁ ସୁରୁଖୁରୁରେ ହୋଇଗଲା । ଡିଉଟିରେ ଥିବା ପୋଲିସ ବାବୁ ଜଣେ ପ୍ରସୂତି ମହିଳାଙ୍କୁ ରକ୍ତଦାନ କରିଥିବା ଖବର ସବୁଆଡେ ପ୍ରଚାର ହୋଇଗଲା । ପୋଲିସ ବିଭାଗ ପ୍ରତି ଥିବା ସମସ୍ତଙ୍କର ମନୋଭାବ ଯେପରି ବଦଳିବାକୁ ଲାଗିଲା । ସମସ୍ତେ ଖୁସିରେ ପୋଲିସ ବାବୁଙ୍କର ମହାନତା ଗୁଣକୁ ପ୍ରଶଂସା କରୁଥିଲେ ।ପ୍ରଭାତିର ଚେତା ଫେରିବା ପରେ ପୋଲିସ ବାବୁଙ୍କୁ ପାଖରେ ଦେଖି ତାର ଆଖିରୁ ଲୁହ ଧାର ବୋହିବା ସହିତ ହାତ ଦୁଇଟି ଆପେ ଆପେ ଯୋଡି ହୋଇଗଲା । ଜଣେ ହୃଦୟବାନ ସାହାଯ୍ୟକାରୀ ମଣିଷଟିଏ ପାଖରେ ପାଇ ଅଭୟ ତାଙ୍କ ଗୋଡ ତଳେ ପଡିଗଲା । ଆଖିରୁ ତାର ବହି ଚାଲିଛି ଅନୁତାପର ଅଶୁ । ଅସମୟରେ ଗାଡି ଚେକିଂ ବେଳେ ମନେ ମନେ ସେ ପୋଲିସ ବାବୁମାନଙ୍କ ଉପରେ ଗାଳି କରିଚାଲିଥିଲା । ପୋଲିସ ବାବୁ ଜଣଙ୍କ ଅଭୟ କାନ୍ଧରେ ହାତ ଥାପୁଡେଇ କହିଲେ ସ୍ତ୍ରୀ ଆଉ ଝିଅର ଯତ୍ନ ନିଅ, ମୁଁ ଆସୁଛି । ଦୁଇ ଦିନ ପରେ ସେହି ପୋଲିସ ବାବୁ ଜଣଙ୍କ ପୁଣି ମେଡିକାଲକୁ ଆସିଥିଲେ । ପ୍ରଭାତି ହାତରେ କିଛି ଟଙ୍କା ଦେଇ କହିଲେ ୟାକୁ ରଖିଥାଅ । ବନ୍ଧକ ରଖିଥିବା ଗହଣାକୁ ମୁକୁଳାଇ ଆଣିବ । ପ୍ରଭାତି ତାର ଲୁହକୁ ଆଉ ଅଟକାଇ ପାରୁନଥିଲା । ବାବୁ ଆପଣ ରକ୍ତ ଦେଇ ମୋ ଜୀବନ ବଞ୍ଚାଇଲେ, ତା ଉପରେ ପୁଣି ଏ ଟଙ୍କା କାହିଁକି ଦେଉଛନ୍ତି । ଆରେ ଏଥିରେ ବି ତୁମର ଅଧିକାର ଅଛି । ତୁମକୁ ରକ୍ତଦାନ କରିଥିବାରୁ ମୋ ଡିପାର୍ଟମେଣ୍ଟ ମୋତେ ଖୁସି ହେଇ ଦେଇଛି, ରଖିଥାଅ । ପାଖରେ ଶୋଇଥିବା କୁନି ଝିଅ ଆଡକୁ ଅନାଇ କହିଲେ ଭବିଷ୍ୟତରେ ୟା ପାଇଁ କାମରେ ଆସିବ । ମେଡିକାଲରେ ଉପସ୍ଥିତ ଥିବା ସମସ୍ତଙ୍କ ଆଖିରେ ସମ୍ମାନ ଆଉ ଖୁସିର ଲୁହ ।
