ଡାଡି
ଡାଡି
ରାଜକିଶୋର ବାବୁ ଓ ମନ୍ଦାକିନୀ ମାଡାମଙ୍କର ଏକମାତ୍ର ଗେଲ୍ଲୀ ଝିଅ ସ୍ନେହା। ପିଲାଦିନୁ ଅତି ଅଲିଅଳି ଗେଲବସରରେ ବଢିଥିବା ସ୍ନେହା ଜୀବନରେ ଦୁଃଖ, କଷ୍ଟ, ଅଭାବ ଏସବୁ କିଛି ବି ଜାଣିନି। କିନ୍ତୁ ତା’ ମନର ଗୋଟେ ସବୁଠୁ ବଡ଼ ଦୁଃଖ ଓ ଅବଶୋଶ ହେଉଛି ଯେ ତା’ ପାଇଁ ତା’ ଡାଡି(ରାଜକିଶୋର ବାବୁ)ଙ୍କ ପାଖରେ ଆଦୌ ସମୟ ନାହିଁ। ସେଥିପାଇଁ ରାଜକିଶୋର ବାବୁଙ୍କ ଉପରେ ସ୍ନେହାର ସବୁବେଳେ ଭାରି ଅଭିମାନ। ସହରର ଜଣେ ଆଗଧାଡିର ବ୍ୟବସାୟୀ ତଥା ଶିଳ୍ପପତି ରାଜକିଶୋର ବାବୁ ନିଜ କାର୍ଯ୍ୟରେ ସବୁବେଳେ ବହୁତ ବ୍ୟସ୍ତ। ଘର, ପରିବାର ସ୍ତ୍ରୀ ଓ ଝିଅ ସ୍ନେହାକୁ ନିଜ ଜୀବନଠୁ ଅଧିକ ଭଲପାଆନ୍ତି ରାଜକିଶୋର ବାବୁ କିନ୍ତୁ ବ୍ୟସ୍ତତା କାରଣରୁ ସମୟ ଦେଇପାରନ୍ତି ନାହିଁ ସେଥିପାଇଁ ସେ ଖୁବ୍ ଦୁଃଖିତ ଓ ଅନୁତପ୍ତ ମାତ୍ର ସେ ନିରୁପାୟ। ଡାଡିଙ୍କୁ ପାଖରେ ନପାଇ ସ୍ନେହା ସବୁବେଳେ ନିଜକୁ ଖୁବ୍ ଏକୁଟିଆ ମନେକରେ। ସ୍କୁଲର ସବୁ ଉତ୍ସବରେ ଡାଡିଙ୍କୁ ଅପେକ୍ଷାକରି ସ୍ନେହା ବହୁତ ମନଦୁଃଖ କରେ। ସାଙ୍ଗସାଥୀଙ୍କ ଡାଡି ମମିଙ୍କୁ ଦେଖି ତାକୁ ନିଃସଙ୍ଗ ଲାଗେ। ବେଳେବେଳେ ସାଙ୍ଗମାନଙ୍କର କିଛି କଟୁ କଥା ସ୍ନେହାକୁ ଭାରି ବାଧେ। ସ୍ନେହା ବହୁତ କାନ୍ଦେ। ନିଜ ଦୁଃଖ ବିଷୟରେ ସ୍ନେହା ଘରେ ସବୁ କୁହେ, ରାଜକିଶୋର ବାବୁ ପତ୍ନୀଙ୍କ ଠାରୁ ସବୁ ଶୁଣନ୍ତି କିନ୍ତୁ କିଛି କରିପାରନ୍ତି ନାହିଁ। ସମୟର ଗାଡି ଗଡି ଚାଲିଲା। ସ୍ନେହା ବଡ଼ ହେଲା। ସେ ହାଇସ୍କୁଲରେ ପଢ଼ିଲା। ଏସବୁ ଭିତରେ ରାଜକିଶୋରବାବୁଙ୍କ ବ୍ୟବସାୟର ସୀମା ମଧ୍ୟ ବହୁତ ବଢି଼ ଯାଇଥାଏ। ସହରର ଜଣେ ଜଣାଶୁଣା ପ୍ରତିଷ୍ଠିତ ଶିଳ୍ପପତି ଭାବରେ ସେ ଖୁବ୍ ଖ୍ୟାତି ଅର୍ଜନ କରିସାରିଥାନ୍ତି ହେଲେ ତଥାପି କମି ନଥାଏ ଡାଡିଙ୍କ ଉପରେ ଥିବା ସ୍ନେହାର ଅଭିମାନ।
ଥରେ ସ୍ନେହାର ସ୍କୁଲରେ ଅନୁଆଲ୍ ଫଙ୍କ୍ସନର ସମୟ ଆସିଲା। ସବୁବର୍ଷ ଭଳି ସ୍ନେହା ବେଶ୍ ଭଲ ଭାବରେ ଜାଣିଥିଲା ଯେ ଏଥରବି ଫଙ୍କ୍ସନରେ ତା’ ସହ ଯିବାପାଇଁ ତା’ ଡାଡିଙ୍କ ପାଖରେ ଆଦୌ ସମୟ ନାହିଁ। ତେଣୁ କିଛି କହିବାକୁ ନ ଚାହିଁ ସ୍ନେହା ଚୁପ୍ ଚାପ୍ ସ୍କୁଲ୍ ଆନୁଆଲ୍ ଫଙ୍କ୍ସନକୁ ବାହାରିଗଲା। ସବୁ ସାଙ୍ଗସାଥୀମାନଙ୍କ ଡାଡି ମମିଙ୍କୁ ଦେଖି ସ୍ନେହାକୁ ଟିକେ ଅସ୍ୱାଭାବିକ ଲାଗୁଥିଲା ସତ କିନ୍ତୁ ଏ ସବୁ ତା’ର ପିଲବେଳୁ ଦେହସୁଆ ହୋଇସାରିଥିଲା। କିଛି ସମୟ ପରେ ଫଙ୍କ୍ସନ୍ ଆରମ୍ଭ ହେଲା। ଲାଇଟ୍ ଓ ସାଉଣ୍ଡରେ ସବୁକିଛି ଚଳଚଞ୍ଚଳ ହୋଇଉଠିଲା। ଉପସ୍ଥାପକ ମୁଖ୍ୟ ଅତିଥିଙ୍କ ନାମ ଘୋଷଣା କଲେ। ହଠାତ୍ ସ୍ନେହା ଚମକି ପଡିଲା। ତା’ର ଚମକିବା ବି ବେଶ୍ ସ୍ୱାଭାବିକ ଥିଲା। କାରଣ ଫଙ୍କ୍ସନର ମୁଖ୍ୟ ଅତିଥି ଭାବେ ମଞ୍ଚରେ ଥିଲେ ସ୍ନେହାର ଡାଡି ତଥା ରାଜ୍ୟର ଜଣେ ପ୍ରତିଷ୍ଠିତ ଶିଳ୍ପପତି ଓ ଉଦ୍ୟୋଗୀ ଶ୍ରୀଯୁକ୍ତ ରାଜକିଶୋର ମିଶ୍ର। ମଞ୍ଚଉପରେ ନିଜ ଡାଡିଙ୍କୁ ମୁଖ୍ୟ ଅତିଥି ଭାବରେ ଦେଖି ସ୍ନେହା ଯେତିକି ଖୁସି ଥିଲା ତା’ ଠାରୁ ଢେର ଅଧିକ ନିଜକୁ ଗର୍ବିତ ମନେ କରୁଥିଲା। ମୁଖ୍ୟ ଅତିଥି ଭାବେ ସ୍ନେହାର ଡାଡିଙ୍କୁ ଦେଖି ପରିହାସ କରୁଥିବା ସାଙ୍ଗସାଥୀମାନଙ୍କ ମୁହଁ ଫିକା ପଡିଗଲା। ପ୍ରେରଣାମୂଳକ ଭାଷଣରେ ରାଜକିଶୋର ବାବୁ ନିଜ ଜୀବନର ସଂଘର୍ଷ ଓ କଠିନ ପରିଶ୍ରମକୁ କହିବା ସହିତ ଘର ପରିବାରର ତ୍ୟାଗ ଏବଂ ଅଲିଅଳି ଝିଅ ସ୍ନେହାର ଅଭିମାନକୁ ବି ଉପସ୍ଥାପନା କରିଥିଲେ। ଯାହାକୁ ଶୁଣି ଖୁସିରେ କାନ୍ଦି ପକାଉଥିଲା ସ୍ନେହା। ରାଜକିଶୋର ବାବୁଙ୍କ ପ୍ରେରଣାପ୍ରଦ ଭାଷଣ ଶୁଣି ସମ୍ପୂର୍ଣ୍ଣ ଅଡିଟୋରିଅମଟି କମ୍ପି ଉଠୁଥିଲା ଦର୍ଶକଙ୍କ କରତାଳିରେ
