STORYMIRROR

shibaram dalai

Tragedy

3  

shibaram dalai

Tragedy

ଦାୟିତ୍ୱ

ଦାୟିତ୍ୱ

6 mins
537



    ରୀନା ତୁମ କୂଳାଙ୍ଗାର ପୁଅକୁ ଟିକିଏ ବୁଝାଅ ।ଗୁଣମନ୍ତର ପାଠଶାଠ ତ ହେଲା ନାହିଁ, ଦଶମରେ ତିନି ତିନିଥର ଫେଲ ।ଆଜି କାଲି ଯୁଗ ଯାହା ହେଲାଣି ଟଙ୍କା ନ ଦେଇ ତ କିଛି କରି ପାରିବ ନାହିଁ ।ସେଥିପାଇଁ ପିଅନ ଚାକିରୀଟେ ବୁଝିଥିଲି ଯେ ତୁମ ଗୁଣମନ୍ତ ଚାକିରୀରେ ଜଏନ ନ କରି କହିଲା କଣ ନା ମୁଁ ପିଅନ ଚାକିରୀ କରିବିନି ।ଏଇ କେତେ ଜଣ ଛତରା ବାତରା ସାଙ୍ଗ ମେଳରେ ପଡ଼ି ନିଜର ଭବିଷ୍ୟତଟାକୁ ତ ଛାରଖାର କରି ଦେଲା ।ଏବେ ତାକୁ ବୁଝାଅ "ବାପ ମଠରୁ ଖାଇ ଖଟରେ ଶୋଇବା ଅଭ୍ୟାସଟା ଯେମିତି ଛାଡୁ ".ଏମିତିରେ ତାକୁ ୨୮ବର୍ଷ ତ ଛୁଇଁଲା ।ଆଉ କେବେ ରୋଜଗାର କରି ଘରକଥା ବୁଝିବ ଯେ କଣ ମୁଁ ମଲାପରେ ।ଗୋଟେ ଚକଲେଟଟେ ନିଜ ପଇସାରେ କିଣି ଖାଇବାର ତ ତାକତ ନାହିଁ, ଏଇଥିରେ ତାକୁ ହାତକୁ ଦୁଇ ହାତ କରିବାକୁ କହୁଥିଲ ପରା କଣ ତା ପରିବାରକୁ ମୁଁ ପୋଷିବା ପାଇଁ ।ହଁ ରୀନା ତାକୁ ସଫା ସଫା କହିଦିଅ କେଉଁ ଆଡେ ତ କିଛି କଲା ନାହିଁ,ଏବେ ମୋ ବାପା ଅମଳର ବେଉସା(ଡାଲି ଚାଉଳ ଦୋକାନ)ଟାକୁ ସମ୍ଭାଳୁ ।ନଚେତ ଯୋଉ ଗଣ୍ଡେ ଗଣ୍ଡେ ଗେଫା ମାରୁଛି (ଖାଇ ଦେଉଛି)ସେତକ ବି ମିଳିବନି। ଏମିତି ପ୍ରତିଦିନ ଶିବବାବୁଙ୍କ ଘରେ ଝଗଡା ଲାଗି ରହେ ।


       ଦେଖୁଛି କିଛି ମାସ ହେବ ସବୁବେଳେ ପିଲାଟା ଉପରେ ଗେରେ ଗେରେ ହଉଛ ।ତମେ ବାପା ନା ତାହାର ଶତ୍ରୁ ।ଛୋଟ ପିଲା ଆପେ ଆପେ ବୁଦ୍ଧି ହେଲେ ସବୁ କାମ କରିବନି ।ତାକୁ ଶାନ୍ତିରେ ଟିକେ ରହିବାକୁ ଦେଵ ନା ନାହିଁ ।ସତେ ଯେମିତି ତୁମ ଉପରେ ସେ "ବୋଝ ଉପରେ ନଳିତା ବିଡା" ହେଇ ରହିବ । ସଦାବେଳେ ପିଲାଟା ଉପରେ ବିରକ୍ତ ହଉଥାଅ ।ଏତିକି କହି ଘର ଭିତରକୁ ଚାଲିଗଲା ରୀନା । 

 

   ତୁମେ ତାକୁ ମୁଣ୍ଡ ଉପରେ ବସେଇଛ ବୋଲି ଆଜି ଏମିତି ପରିସ୍ଥିତି ।ପୁଅ ଗୁଗୁଲ ଟିଭି ରୁମରେ ବସି ଟିଭି ଦେଖୁଥାଏ ।ଶିବବାବୁ ତା ହାତରୁ ଟିଭି ରିମୋଟ ଛଡ଼େଇ ଆଣି ଟିଭି ବନ୍ଦ କରି ରିମୋଟ ଟାକୁ ଖଟ ଉପରକୁ ଫିଙ୍ଗି ଦେଲେ ।ସବୁ ଦିନର କଟୁ କଥା ସାଙ୍ଗକୁ ବାପାଙ୍କ ଏପରି ବ୍ୟବହାର ଗୁଗୁଲକୁ ଆଜି ବହୁତ ବାଧିଲା । ସେ ଆଉ ସହ୍ୟ କରିବା ପରିସ୍ଥିତିରେ ନଥିଲା ।ବାପାଙ୍କର ସବୁ ଦିନର ରାଗ ଆଉ ବିରକ୍ତି ଭାବ ତା ମନରେ ବାପାଙ୍କ ପ୍ରତି ଘୃଣା ଭାବ ଜାଗ୍ରତ କଲା ।ସେ ଚିନ୍ତା କଲା ମୋ ବେରୋଜଗାର ପଣ ହିଁ ଆମ ଘରେ ଆଶାନ୍ତିର ମୁଖ୍ୟ କାରଣ ।ଶେଷରେ ସେ ଗୋଟେ ଚିଠି ଲେଖି ନିଜ ଶୋଇବା ଘରେ ରଖିଦେଇ ,ମାଆ କୁ ସାଙ୍ଗ ଘରକୁ ଯାଉଛି ଫେରିବା ଡେରି ହେବ (ମିଛ )କହି ଦୂର ସହରକୁ ଚାଲିଗଲା ।

   

   ବେଳ ଗଡି ସଞ୍ଜ ଆସିଲା"ନା ଫେରିଲା ଗୁଗୁଲ ,ନା ଆସିଲା ତା ପାଖରୁ କିଛି ଫୋନ" ।ମାଆ(ରୀନା) ବିଚଳିତ ହେଉଥାଏ।ସ୍ୱାମୀ ଆସିବା ମାତ୍ରେ ଗୁଗୁଲ ବିଷୟରେ ପଚାରି ବସିଲା ।ହେଲେ ସେ ଗୋଟିଏ ଉତ୍ତର ପାଇଲା ମୋତେ କିଛି କହି ସେ କଣ କୁଆଡେ ଯାଏ ।କୋଉ ଛତରା ସାଙ୍ଗ ଘରକୁ ଯାଇଥିବ ।ତୁମେ ଏତେ ବ୍ୟସ୍ତ ହଉଛ ଯେ ସତେ ଯେମିତି ସେ ଘର ଛାଡି ଚାଲିଯାଇଛି,ଆଉ ଜମା ଫେରିବନି ।ଦେଖିବ ସକାଳ ନ ପାହୁଣୁ ପୋଷା କୁକୁର ଭଳି ଦୁଆର ମୁଁହରେ ପହଂଚିଯିବ ।ସେଦିନ ରୀନା ପୁଅ ବାଟ ଚାହିଁ ଉପାସରେ ରାତି କାଟିଦେଲା।ପରଦିନ ସକାଳୁ ଗୁଗୁଲର ଶୋଇବା ଘର ଝାଡୁ କରୁ କରୁ ରୀନା ଚିଠି ଖଣ୍ଡିକ ପାଇ ଗୁଗୁଲ ବାପାଙ୍କୁ ପଢିବାକୁ ଦେଲା ।

    

         ଚିଠିରେ ଲେଖାଥିଲା ବାପା, ତୁମର ଏ ବେରୋଜଗାରିଆ ପୁଅ ଉପରେ ତୁମେ ବହୁତ ରାଗୁଛ । ଆଜି ଯାଏ ତୁମେ ତୁମ କର୍ତ୍ତବ୍ୟରେ କେଭେ ହେଳା କରିନାହଁ । ମୋ ପାଠ ପଢ଼ାରେ କେତେକେତେ ଟିଉସନ ଦେଲ । ହେଲେ ଇଂରାଜୀ ପାଠଟା ମୋ ମୁଣ୍ଡରେ ଜମା ରହେନାହିଁ । ମୁଁ ଦଶମରେ ତିନି ତିନିଥର ଫେଲ । ସେଥିପାଇଁ ମୋତେ କ୍ଷମା କରିବ । ମାଆ ମୋର ମୁଁ ନ ଖାଇବା ଯାଏ ଖାଏ ନାହିଁ। ତାକୁ ତୁମ ପାଖରେ ବସି ଖୁଆଇବ ନଚେତ ସେ ବେମାର ପଡିଯିବ । ତୁମେ ନିଜର ଯତ୍ନ ନେବା ସହ ମାଆକୁ ଟିକିଏ ଚାହିଁଥିବ । ମୁଁ ତୁମ୍ଭମାନଙ୍କ ଠାରୁ ଦୂରକୁ ଚାଲି ଯାଇଛି ।ଯେବେ ବେରୋଜଗାରିଆରୁ ରୋଜଗାରିଆ ହେବି ତେବେ ଘରକୁ ଫେରିବି ନଚେତ ଏ ପୋଡ଼ା ମୁଁହ ତୁମ୍ଭମାନଙ୍କୁ ଦେଖେଇବି ନାହିଁ ।

ତୁମର ହତଭାଗା ଗୁଗୁଲ ।

      

         ମୁଣ୍ଡରେ ହାତ ଦେଇ ଠପକୀନା ବସି ପଡ଼ିଲା ରୀନା ।କାନ୍ଦି କାନ୍ଦି କହିବାକୁ ଲାଗିଲା ପିଲାଟାକୁ ବିଗିଡି ବିଗିଡି ଶେଷରେ ଘରୁ ବାହାର କରିଦେଲ ନା ।ସେ ତ ତୁମର ଶତ୍ରୁ ଥିଲା ?ଏବେ ତୁମ ମନ ଶାନ୍ତି ପଡ଼ିଲା ତ ? ସେଦିନ ଉପାସରେ ଶିବବାବୁ ଦୋକାନକୁ ଚାଲିଗଲେ ।ରୀନା ବି ନ ଖାଇ ନ ପିଇ ପୁଅ କଥା ଭାବୁଥାଏ । ଏମିତିରେ ଦୁଇ ମାସ ବିତିଗଲା । ନା ଫେରିଲା ଗୁଗୁଲ, ନା ତାହାର କିଛି ଫୋନ ଆସିଲା । ରୀନା ଶରୀର ଦୁର୍ବଳ ହେଇ ରୋଗରେ ପଡ଼ିଲା । ଯେତେ ଔଷଧ

ଖାଇଲେ ବି ରୋଗ ଭଲ ହେଲା ନାହିଁ । ଶିବବାବୁ ବି ସ୍ତ୍ରୀ ର ଅସୁସ୍ଥତା ପାଇଁ ବହୁତ ଚିନ୍ତାରେ ପଡିଗଲେ ।


     ମଧ୍ୟାହ୍ନ ସମୟ ଶିବବାବୁ ସକାଳ ଅଇଁଠା ବାସନ ମାଜିବାକୁ ବାରିପଟ ପାଇପ ମୂଳକୁ ଯାଇଥିଲେ। ହଠାତ ରୀନା ମୁଣ୍ଡ ପାଖ ଟେବୁଲ ଉପରେ ଥିବା ଫୋନଟା ବାଜି ଉଠିଲା । ରୀନା ହାତ ବଢ଼େଇ ଫୋନ ଟାକୁ ରିଶିଵ କଲା।ସେପଟୁ ଶୁଭିଲା ମାଆ ତୁ କେମିତି ଅଛୁ?ତୋ ଦେହ ଭଲ ଅଛି ତ ? ଏମିତି ଅନେକ କିଛି ପ୍ରଶ୍ନ କଲା ଗୁଗୁଲ । ରୀନା କିନ୍ତୁ ନିଜର ଦେହ ଖରାପ କଥା ଲୁଚାଇ କହିଲା ହଁ ଆମେ ଦୁହେଁ ଭଲରେ ଅଛୁରେ ହେଲେ ତୁ କୋଉଠି ଅଛୁ, କେମିତି ଅଛୁ ରେ?ତୋ ଦେହ ଭଲ ଅଛି ତ ?ତୋର କଣ ମୋ କଥା ଜମା ମନେ ପଡୁନାହିଁ ? ଏମିତି ଅନେକ ପ୍ରଶ୍ନ ପଚାରୁଥାଏ ଏପଟେ ଭେଁ ଭେଁ କରି କାନ୍ଦୁଥାଏ । ତୋତେ ଦେଖିବାକୁ ଭାରି ମନ ହେଉଛି ରେ ।ଗୁଗୁଲ କହିବାକୁ ଲାଗିଲା ମୁଁ ଭୁବନେଶ୍ୱରରେ ଗୋଟେ କମ୍ପାନୀରେ ମୋ ସାଙ୍ଗ ସହ ପର୍ଯ୍ୟବେକ୍ଷକ (supervisor)ରୂପେ କାମ କରୁଛି । ବାପାଙ୍କୁ କହିଦେବୁ ମୁଁ ଆଉ ବେରୋଜଗାରିଆ ହେଇ ନାହିଁ ।ମୋତେ ମାସକୁ ୮୫୦୦ଟଙ୍କା ମିଳୁଛି । ଆଜି ମୋତେ ଏକାବେଳକେ ଦୁଇ ମାସର ଦରମା ମିଳିଲା । ମୁଁ ତୋ ପାଇଁ ଦୁଇ ଖଣ୍ଡ ଶାଢ଼ୀ କିଣିଛି । ଆଉ ବାପା ସବୁବର୍ଷ ଶୀତ ଦିନେ ଘୋଡେଇ ହେଉଥିବା ଚିରାଶାଲ ବଦଳରେ ମୁଁ ତାଙ୍କ ପାଇଁ ସାଲ ଟେ କିଣିଛି । ଆର ମାସ ଦରମା ମିଳିଲେ ଘରକୁ ଯିବା ପାଇଁ ଚାଁହୁଛି ଯେ ହେଲେ ବାପାଙ୍କ ଗାଳିଗୁଲଜ ଗୋଟି ଗୋଟି କରି ମନେ ପଡିଯାଉଛି । ଏହି ସମୟରେ ଶିବବାବୁ ଘର ଭିତରକୁ ପଶି ପଚାରିବାକୁ ଲାଗିଲେ, କାହା ସହିତ କଥା ହଉଛ କି ଗୁଗୁଲ ବୋଉ । ହେଇଟି ଶୁଣୁଛ ମୋ ପୁଅ ଫୋନ କରିଛି ନିଅ ତା ସାଙ୍ଗରେ ତୁମେ ଟିକିଏ କଥା ହେଇଗଲ କହି ଫୋନ ଟାକୁ ସ୍ୱାମୀ ହାତକୁ ବଢ଼େଇ ଦେଲା ।ଶିବବାବୁ (hello)ହେଲୋ କହିବା ପୂର୍ବରୁ ଫୋନ କାଟି ସାରିଥିଲା ଗୁଗୁଲ ।ସ୍ତ୍ରୀ ରୀନା ଠାରୁ ଗୁଗୁଲ ବିଷୟରେ ସବୁକଥା ଶୁଣିଲା ।ଭଗବାନଙ୍କ ଆଶ୍ରିବାଦ ଭଳି ରୀନା ବି ରୋଗ ମୁକ୍ତ ହେଲା ।


    ରୀନା ଠାରୁ ଗୁଗୁଲ ବିଷୟରେ ସବୁକଥା ଶୁଣି ଶିବବାବୁ ଯେତିକି ଖୁସି ହେଲେ, ତା ଠାରୁ ମାତ୍ରାଧିକ ଦୁଃଖୀ ଥିଲେ ନିଜ ପେଟ ଭିତରେ ଚାପି ରଖିଥିବା ଦୁଃଖରେ । କଟକ ବଡ଼ ଡାକ୍ତରଖାନାର ନାମିଦାମୀ ଡାକ୍ତର ସମେରେନ୍ଦ୍ରଙ୍କ କହିବା ଦିନଠୁ ସେ ଆଉ ୯ ଦିନର କୁଣିଆ ।ଡାକ୍ତରଙ୍କ କହିବା ଅନୁଯାୟୀ ସେ ମସ୍ତିଷ୍କ କର୍କଟ ରୋଗରେ ଆକ୍ରାନ୍ତ ।ତେଣୁ ପୁଅର ରୋଜଗାରିଆ ଖୁସିରେ ସେତେ ଖୁସି ହେଇପାରିଲେ ନାହିଁ । ଏମିତି ରେ ଚାରି ପାଞ୍ଚ ଦିନ ଚାଲିଗଲା ।ରୀନା ପୁଅର ଫେରିବା ବାଟକୁ ଚାହିଁ ରହିଥାଏ।ହଠାତ ଦିନେ ଶିବବାବୁଙ୍କ ଦେହ ଖରାପ ହେବା ସହ ତାଙ୍କ ଆଖିକୁ କ୍ଷୀଣ ଦିଶିଲା ।ଶିବବାବୁ ଜାଣିଗଲେ ଯେ ତାଙ୍କର ଯିବା ସମୟ ଆସିଗଲା ।ତେଣୁ ସେ ପୁଅ ପାଖକୁ ଚିଠି ଖଣ୍ଡେ ଲେଖି ଗାଁ ଛକମୁଣ୍ଡ ସୁକାନ୍ତ ବାବୁଙ୍କୁ ଦେଇ କହିଲେ ଟିକିଏ ମୋ ପୁଅ ପାଖକୁ ପଠେଇ ଦେବେ ।


     ଆଜି ସକାଳୁ ସକାଳୁ ଗୁଗୁଲର ଫୋନ ବାଜି ଚାଲିଥାଏ।ରାତି ଡିଉଟି ରୁ ଫେରି ସକାଳୁ ସକାଳୁ ସୋଇଥିବା ଗୁଗୁଲ ବିରକ୍ତି ଭାବରେ ତକିଆ ତଳୁ ଫୋନ କାଢ଼ି ଦେଖତ ଅଜଣା ନମ୍ବର ରୁ ୭ଟା ମିଷ୍ଟ କଲ ହେଇସାରିଥିଲା ।ଗୁଗୁଲ ଗୋଟେ ନମ୍ବରକୁ ରିଟର୍ଣ୍ଣିଂ କଲ କରେ ତ ସେପଟୁ ଗାଁର ହରି କାକା କହିଲେ ଗୁଗୁଲରେ ଆଜି ବଢ଼ି ଭୋରରୁ ତୁମ ବାପା ଚାଲିଗଲେ,ତୁ ଶୀଘ୍ର ଆସି ଘରେ ପହଞ୍ଚରେ ।ଗୁଗୁଲ ଯଥାଶୀଘ୍ର ବସ ଯୋଗେ ଗାଁକୁ ଫେରିଲା ।ଗାଁ ମୁଣ୍ଡ ଛକରେ ବସରୁ ଓହ୍ଲାଏ ତ ସୁକାନ୍ତ ବାବୁ କହିଲେ ଆରେ ଗୁଗୁଲ ତୁମେ ଆସିଗଲ, ତୁମ ବାପା ମୋତେ ଖଣ୍ଡେ ଚିଠି ଦେଇଥିଲେ ।ମୁଁ ଏବେ ତୁମ ପାଖକୁ ପଠେଇବାକୁ ତ ଯାଉଥିଲି । ହଉ ଏ ଚିଠି ତୁମେ ନିଅ। କାଳ ବିଳମ୍ବ ନକରି ଗୁଗୁଲ ନିଜ ଘର ଆଡେ ଯିବା ସହ ଚିଠିଟିକୁ ଖୋଲି ପଢିବାକୁ ଲାଗିଲା ।


   ଚିଠିରେ ଲେଖାଥିଲା ପୁଅ ଗୁଗୁଲ ମୁଁ ଜାଣେ ତୁ ମୋ ଉପରେ ବହୁତ ରାଗିଛୁ ।ମୁଁ ତୋ ପ୍ରତି କରିଥିବା ବ୍ୟବହାର ପ୍ରକୃତରେ ଠିକ ନୁହେଁ ।ମାଆ ଭଳି ମୁଁ ବି ତୋତେ ବହୁତ ଭଲ ପାଏ । ହେଲେ ଯେବେ ଠାରୁ ଜାଣିଲି ମୁଁ ଏ ସଂସାର ପାଇଁ କିଛି ଦିନର କୁଣିଆ ।ତେଣୁ ଘରର ଦାୟିତ୍ୱ ତୋ ହାତରେ ସମର୍ପିବା ପାଇଁ ସେପରି କରିଥିଲି ।ମାଆ ଠାରୁ ଯେଉଁ ଦିନ ଶୁଣିଲି ତୁ ଦୁଇ ପଇସା ରୋଜଗାର କଲୁଣୁ ବୋଲି ମୁଁ ବହୁତ ଖୁସି ହେଲି ।ମୁଁ ଏବେ ଜାଣୁଛି ତୁ ଏ ସଂସାର ଡଙ୍ଗାକୁ ବାହି ନେଇ ପାରିବୁ ।ମୁଁ ଚାଲିଗଲା ପରେ ମାଆ ମନରେ କେବେ କଷ୍ଟ ଦେବୁନାହିଁ, କି ମୁଁ ଚାଲିଯିବାର ଦୁଃଖ ସେ ଯେମିତି ଅନୁଭବ ନ କରେ । ନିଜ ଶରୀରର ଯତ୍ନ ନେବୁ । 

          ତୋ ଅଭାଗା ବାପା ।


ଚିଠିଟିକୁ ପଢ଼ି ସାରିଲା ବେଳକୁ ଗୁଗୁଲ ତା ଘର ସାମନାରେ ଏକାଧିକ ରୁଣ୍ଡ ଥିବା ଲୋକଙ୍କ ପାଖରେ ପହଞ୍ଚି ସାରିଥିଲା ।

    



Rate this content
Log in

Similar oriya story from Tragedy