ଦାଗ
ଦାଗ
ବିବାହ ତ ମାତ୍ର ସାତ ବର୍ଷ ହୋଇଛି।ମୋ ଇଭା ନାନୀ ତ ପୁଣି ବିବାହର ବାର ବର୍ଷ ପରେ ମା ହେଲା!
ଯଦି ବାର ବର୍ଷ ପରେ ତୁମର ପିଲା ନ ହେଲା,ତେବେ !!
ତେବେ , ତେବେ ଆଉ କଣ ସଂସାରରେ ପିଲାଛୁଆ ନଥିବା ଦମ୍ପତ୍ତି ପୁଣି ଅଛନ୍ତି ନା ନାହିଁ?
ସେ ବାଜେ କଥା ରଖ।ମୋର ଓ ମୋ ବାପା ମାଙ୍କ ପିଲାଟିଏ ଦରକାର।
ଭାରି ଅସହାୟ ହୋଇ ପଡେ ବିଭା। ତାଙ୍କ ବାଡ଼ିରେ ଅମୃତ ଭଣ୍ଡା ନଡ଼ିଆ କି ଯେଉଁ ଆମ୍ବ ଗଛ ନ ଫଳେ ଅଫଳନ୍ତି ଗଛ କହି କାଟି ଦିଅନ୍ତି।
ବିଭା ଅଫଳନ୍ତି ଗଛଟିଏ !
ଘରେ ରୀତି ମତ ଗଣ୍ଡଗୋଳ ଏଇ ଗୋଟିଏ କଥାକୁ ନେଇ।ମୋତେ ପିଲାଟିଏ ଦିଅ ନଚେତ ମୋତେ ଛାଡ଼ି ଚାଲିଯାଅ।
କମଳ ଓ ବିଭା ଦୁହେଁ କଥା କଟା କଟି ହୁଅନ୍ତି।କମଳ କୁହନ୍ତି ବିଜ୍ଞାନ, ଡାକ୍ତରୀ ଚିକିତ୍ସା ଫେଲ ମାରିଲା ଯେଉଁଠି ସେ ସ୍ଥଳେ ତୁମ କହ୍ନେଇ ଗେଣ୍ଠାଟା କରିବେ....
ମିଛରେ ତୁଛାଟାକୁ ନିଜକୁ ଭଣ୍ଡେଇ କାହିଁକି ନିଜେ ନିଜକୁ ଦଣ୍ଡ ଦେଉଛ।ମୋତେ ବି।ତୁମେ ଗୋଟିଏ ବନ୍ଧ୍ୟା,ଟାଙ୍ଗରା ଭୂଇଁ।କଣପାଇଁ କୁହୁଡି ପହଁରୁଛ?
ବିଭାର କିନ୍ତୁ ଅଖଣ୍ଡ ବିଶ୍ୱାସ କହ୍ନେଇ ଆସିବ କେବେ ବି।ଯୁକ୍ତି କରେନି ଯଦିଓ ମନ କହେ,କହି ଦେବ କହ୍ନେଇ ସବୁ ଅସମ୍ଭବ ସମ୍ଭବ କରି ଦେଵ ;ଦେଖିବ ।କିନ୍ତୁ ନୀରବ ରୁହେ।ଲୁହ ଓ ଅଭିମାନ ଭିଜାଏ ତା ଅଦେଖା ମନ ହୃଦୟ।ଗୁମୁରି ହୁଏ।ଅଣ୍ଡାଳି ହୁଏ ଅନିଶ୍ଚତା ଅନ୍ଧାରରେ।ମାତୃତ୍ତ୍ୱର ମୋହ ବିଭାକୁ ହାତ ଠାରି ଡାକେ।କହ୍ନେଇ ଡାକେ।ମା ମା ଶବ୍ଦରେ ଘର ପୁରି ଯାଏ।ଯଶୋଦା ହୋଇଯାଏ ବିଭା। କହ୍ନେଇ.... କହ୍ନେଇମୟ ହୋଇଯାଏ ବିଭାର ଜୀବନ।
ବିଭା!ମୋ ଧର୍ଯ୍ୟର ପରୀକ୍ଷା ନିଅନି।ତୁମେ ମୋତେ ମୁକ୍ତି ଦିଏ ।ମୋ ଜୀବନ ପରିଧିରୁ ବାହାରିଯାଅ।ମୋତେ ଆଉ ଗୋଟିଏ ବିବାହ କରି ମୋ ବଂଶ ଆଗକୁ ବଢ଼ିବାରେ ସାହାଯ୍ୟ କର।ମୋ ମା ବାବା ଅନେଇ ବସି ଛନ୍ତି ଗୋଟିଏ ନାତି ନାତୁଣୀର ବାଟ।
ହଁ ଏଇଟା ସତ ତୁମେ ଚାହିଁଲେ ଯଶୋଦା ହେଇ ପାରିବ ଅନାଥ ଆଶ୍ରମରୁ ପିଲାଟିଏ ଆଣି।ହେଲେ ମୋ ବାବା ମା ନ ଛୋଡ ଵନ୍ଦା।ପର ପିଲା ବଂଶର ଉତ୍ତରା ଧିକାରୀ ହୋଇପାରିବେନି।ଏଣୁ ମୋତେ ଦ୍ଵିତୀୟ ବିବାହ କରିବାକୁ ପଡିବ।ପ୍ରଥମ ପତ୍ନୀ ଥାଉ ଥାଉ ଦ୍ଵିତୀୟ ବିବାହ ସମ୍ଭବ ନୁହେଁ।ତୁମେ ମୋତେ ଛାଡପତ୍ର ଦେଇଦିଅ ବିଭା !!କମଳଙ୍କ ଅନୁରୋଧ,ଦମକ ବି।
ଟିକେ କମଳଙ୍କ ମୁଁହଁକୁ ଚାହିଁଲା ବିଭା।ଏଇ ତାର ସ୍ୱାମୀ ଇହ ପର,ସାତ ଜନ୍ମର ସାଥୀ ହେବାକୁ ବିବାହ ବେଳେ କଥା ଦେଇଥିଲେ।ହାତଗଣ୍ଠି ପକାଇ କେବେ ବି କୌଣସି ପରିସ୍ଥିତିରେ ହାତ ଛାଡିବେନି ବୋଲି ଅଙ୍ଗୀକାର ବଦ୍ଧ ହୋଇଥିଲେ।ସାତ ଜନ୍ମ ତ ଦୂର.... ବିବାହର ସାତ ବର୍ଷର ସାଥି ହେଇ ପାରୁନାହାନ୍ତି ଏ।କେତେ ସ୍ୱାର୍ଥପର ଏଇ ପରୁଷ ସାଥିଟି।କେବଳ ମା ହେଇ ପାରୁନି ବୋଲି ଛାଡ଼ିଦେବେ! ଯଦି ସେ ବାପା ହେବାକୁ ଅକ୍ଷମ ହୋଇଥାନ୍ତେ ବିଭା କଣ ଛାଡି ପାରିଥାନ୍ତା କମଳଙ୍କୁ!
କହରେ କହ୍ନେଇ! କହ ;ପାରିଥାନ୍ତି ମୁଁ କମଳଙ୍କୁ ଛାଡି!ତୁ ଏପରି ଦଣ୍ଡ କାହିଁକି ଦେଉଛୁ ରେ ଧନ!ଏବଂ ସେଇ ରାତିରେ ଅଜ୍ଞାତ ବନବାସ କଲା ବିଭା।ଛାଡିଦେଲା କମଳର ଘର,ମନ,ସଂସାର।କିନ୍ତୁ ଛାଡପତ୍ର ଦେଇପାରିଲାନି।ତାର ଏତେ ବଡ଼ ହୃଦୟ ନୁହେଁ।ତା ମଥାର ସିନ୍ଦୁର,ଶଙ୍ଖାକୁ ଗୋଟିଏ ଦସ୍ତଖତରେ ଫିଙ୍ଗିଦେଵ !କେଉଁଠୁ ଫିଙ୍ଗିବ! ଛାତିରୁ! ମନରୁ! ଶରୀରରୁ!ଆଖିରୁ!
ନା ତା ଭାବନାରୁ!
ଏଣୁ ବହୁତ ଭାବି ଚିନ୍ତି ଫିଙ୍ଗିଦେଲା କମଳଙ୍କୁ ବିଭା ତା ଜୀବନରୁ ଅଜ୍ଞାତ ବାସକୁ ବରି ନେଇ।ଏ ଭିତରେ ଘର ଛାଡିବା ଦୁଇ ମାସରୁ ଉର୍ଦ୍ଧ ହୋଇଗଲାଣି ବିଭାର।କଟକରୁ ଆସି ପଣ୍ଡିଚେରୀ ମାଙ୍କ ଶରଣରେ।ଆଜି ଜନ୍ମାଷ୍ଟମୀ।ଦେହଟା କାଇଁ ଭଲ ଲାଗୁନି।ମୁଣ୍ଡ ବୁଲେଇ ଦେଉଛି। ଆଶ୍ରମର ବାସନ ମାଜୁ ମାଜୁ ପଡିଗଲା ସେ ଅଚେତ ହୋଇ।
ଚେତା ଫେରିବାରୁ ଡାକ୍ତର କହୁଥିଲେ ବିଭା ମା ହେବାକୁ ଯାଉଛି।ତିନି ମାସ ଚାଲୁଛି।ବିଶ୍ରାମ ,ଯତ୍ନ ଲୋଡ଼ା।
ବୁଝିପାରୁ ନ ଥିଲା ବିଭା କେଉଁଠି?ସ୍ଵର୍ଗରେ! ନା ତା ଉପରେ!!କେଉଁଠି ସେ?କେଉଁଠି?ଲୁହ ଗଡି ଛୁଉଁଥିଲା ବିଭାର ସ୍ୱପ।ଆନନ୍ଦରେ ଆତ୍ମହରା ହୋଇ ସେ ପାଗେଳି ପରି କହ୍ନେଇ ମୋ କହ୍ନେଇ ହେଉଥିଲା।ତାହେଲେ ସେ ଘର ଛାଡିବା ପୂର୍ବରୁ ଗର୍ଭବତୀ ହୋଇଥିଲେ! ଏମିତି ତ ପିରିୟଡ଼ ଟାଇମ ଦୁଇ ତିନି ମାସ ଗଡିଯାଏ,ଯେତେ ଟେଷ୍ଟ କଲେ ନେଗେଟିଭ ଆସେ। ହଜାର ଟେଷ୍ଟ କରି କରି ମନ ଛାଡି ଯାଇଥିଲା। ସେ ଘର ଛାଡିଲା ବେଳକୁ ପିରିୟଡ଼ ଟାଇମ ମାସେ ପାଖା ପାଖି ଗଡି ଯାଇଥିଲା।ପ୍ରାୟତଃ ଇରେଗୁଲାର୍ ପିରିୟଡ୍ସ ହୁଏ।ଏଣୁ ଏତେ ଧ୍ୟାନ ଦେଇ ନଥିଲା।ଓଃ କହ୍ନେଇ କହ୍ନେଇ ତୁ ସତରେ ମୋ କୋଳରେ ଆସିଛୁ !!
ଆଉ କାଳ ବିଳମ୍ବ ନକରି ଫୋନ କଲା କମଳ ପାଖକୁ।ଭାବି ପାରୁ ନଥିଲା କମଳ ଏ ଖବର ଶୁଣି କଣ ହେବେ?ଦଉଡ଼ି ଆସିବେ !!ପାଛୋଡ଼ି ନେବେ ତାକୁ!! ଛାତିରେ ଜାକି ଧରି କହିବେ ବିଭା ତୁମେ ମୋର କେବଳ ମୋର।ତୁମ ବିଶ୍ୱାସ ଜିତି ଗଲା।ଆଃ କଣ ଲାଗୁଛି !!ଓଃ ଭଗବାନ!ଫୋନ ଉଠାଅ କମଳ ମୁଁ ଯେ ଆଉ ସମ୍ଭାଳି ପାରୁନି,ପ୍ଲିଜ଼....ପ୍ଲିଜ଼।ସେପଟୁ ଫୋନ ରିସିଭ ହେଲା।ବିଭା ଅଧୀର,ଅଥୟ।ହା.... ହା...ହାଲୋ ହାଲୋ କମଳ।
କିଏ ? କମଳ ନାହାନ୍ତି ଠେକି ଭାଙ୍ଗି ଅପାଙ୍କ ଘରକୁ ଯାଇଛନ୍ତି।ଠେ.. ଏ...ଏ..କି??କାଇଁକି?ଖିଲି ଖିଲି ହସ।କିଏ ଏମିତି ଅଚିହ୍ନା ଲୋକ ତମେ ଜାଣିନ ଆଜି କମଳଙ୍କ ଅଷ୍ଟମଙ୍ଗୁଳା।
ମାନେ?କମଳ ବାହା ହେଇଛନ୍ତି?ବିଭାର ସନ୍ଦେହ।ହେଲେ ତୁ....ମେ.....ତୁମେ କିଏ??ବିଭାର ପ୍ରଶ୍ନ।
ମୁଁ କମଳଙ୍କ ନବବିବାହିତା ସ୍ତ୍ରୀ ବିଦିଶା।ପୁଣି ଅଚେତ ହୋଇଗଲା ବିଭା।ଅଚେତ ମନ କହୁଥିଲା କହ୍ନେଇ ତୁ ଏ କଣ କଲୁ?କହ୍ନେଇରେ ତୁ ଆସିବାରେ ଡେରି କରିଦେଲୁ ଧନ.....
ତା ପେଟ ଭିତରେ କହ୍ନେଇ କିନ୍ତୁ ଧକ୍ ଧକ୍ କରୁଥିଲା।କମଳ ପରି ପୁରୁଷ ମାନେ ଏମିତି ପାଷଣ୍ଡ!ଏତେ ସ୍ୱାର୍ଥ ପର।ଖୋଜିବା ପରିବର୍ତ୍ତେ ତିନିଟା ମାସ ନ ଯାଉଣୁ ବାହା ହୋଇ ପଡିଲେଣି?
ତୁ କହ କହ୍ନେଇ!!କଣ କରିବି?କ୍ଷମା କରିଦେବି କମଳ ଙ୍କୁ!ନା --ଉଚିତ ଶିକ୍ଷା ଦେବି।କାନ୍ଦି କାନ୍ଦି ବାପା ମାଙ୍କୁ ସବୁ କଥା ଜଣାଇଲା ବିଭା।କେସ୍ କଲେ ବିଭା ଭାଇ ଓ ବାପା।ବିଭା ତା ନିଜ ଘରକୁ ଫେରି ଆସୁ,ନିଜ ଅଧିକାର ସାବ୍ୟସ୍ତ କରୁ ବୋଲି ଅଡ଼ି ବସିଲେ।ଡ଼ି ଏ ନ ଟେଷ୍ଟ୍ ଯାଏ କଥା ଗଲା।କାରଣ କମଳ ଚରିତ୍ର ହିନା,ନଷ୍ଟ ଚରିତ୍ରା ଆଖ୍ୟା ଦେଲା ବିଭା କୁ।ବିଭା ପେଟର ଛୁଆଟି ତାଙ୍କର ନୁହେଁ।
କମଳ କହିଲେ, "ସାତ ବର୍ଷ ସହ ବାସ କଲେ ମଧ୍ୟ ଯାହାର ପିଲା ହେଉ ନଥିଲା, ଘର ଛାଡ଼ି କୁଆଡେ ନାଇଁ କୁଆଡେ ଯାଇ କାହା ସଙ୍ଗେ ସମ୍ପର୍କ ରଖିଛି।ଆସି କହୁଛି ମୋ ପିଲା !"
ତା ଅର୍ଥ ବିଭା ଅଫଳନ୍ତି ଗଛ ନଥିଲା ,କେଉଁଦିନ !! ଯଦି ଅନ୍ୟ ସହ ସମ୍ପର୍କ ରଖିଲେ ବିଭା ମା ହୋଇ ପାରିବ କମଳ କହି ପାରୁଛନ୍ତି।ଏତେ ଦିନ ତାକୁ ତାହେଲେ ଅନ୍ଧାରରେ ରଖା ଯାଇଥିଲା? ବିସ୍ମୟ ହୋଇ ପ୍ରଶ୍ନ କଲା ବିଭା। ମିଛ ଥିଲା ଡାକ୍ତରୀ ପରୀକ୍ଷା !
କିନ୍ତୁ ପିଲା ହେବା ନାଁ ରେ ସେ ଦ୍ଵିତୀୟ ବିବାହ କରିଛନ୍ତି ,କେମିତି !!
କମଳ ସାଙ୍ଗ ବିରେନ୍ଦ୍ର କହୁଥିଲେ, କଲେଜରେ କେଉଁ ଝିଅ ସହ କାଳେ ସମ୍ପର୍କ ଥିଲା କମଳଙ୍କର।କିନ୍ତୁ ଝିଅର ବାପା ରାଜି ନ ହେବାରୁ ବିଭାକୁ ବାହା ହେଲେ କମଳ ବାଧ୍ଯ ହୋଇ ନିଜ ବାପା ମାଙ୍କୁ ଖୁସି କରିବା ପାଇଁ।ସେ ଝିଅଟି କିନ୍ତୁ ଆଉ ବାହା ହେଲାଣି।ବିଦିଶା ଆଉ ସେହି ଝିଅ ନୁହେଁ ତ !
ଲୋକେ କୁହା କୁହି ହେଉଥିଲେ , ଘରୁ ତଡିବା ପାଇଁ କମଳ ତୁଚ୍ଛାଟାରେ ଅପଦୁଆ ଦେଉଥିଲା ବିଭାକୁ।ପ୍ରକୃତରେ ପ୍ରତିଦିନ ଯେଉଁ ଔଷଧ ଖୁଆଉ ଥିଲା ପିଲା ହେବାପାଇଁ, ପ୍ରକୃତରେ ସେ ଔଷଧ ପିଲା ନହେବା ପାଇଁ।
ହେ ଭଗବାନ! ବିଭାକୁ ବାଟରୁ ସଫା କରିବା ପାଇଁ ଏତେ ସବୁ କାରନାମା କମଳ କରୁଥିଲେ।ମନେ ପଡ଼ିଲା ବିଭାର, ପ୍ରତିଦିନ କମଳ ନିଜ ହାତରେ ବିଭାକୁ ଔଷଧ ଖୁଆଇ ଦିଅନ୍ତି।ଘର ଛାଡିବା ଆଠ ଦଶ ଦିନ ପୂର୍ବରୁ ବିଭା ରାଗରେ ଆଉ ଔଷଧ ଖାଇ ନଥିଲା।ଏତେ ଔଷଧ ଖାଇ ଖାଇ ତ ଫଳ ଶୂନ।କାହିଁକି ଗିଳିବ ଏଡ଼େ ଏଡ଼େ ଟାଵଲେଟ୍।
କମଳ ତାଙ୍କ ନିଜ ହାତରେ ପ୍ରତିଦିନ ଔଷଧ ଖୁଆଇ ଦେଉଥିବାରୁ ନିଜକୁ ଭାଗ୍ୟବତୀ ମଣୁଥିଲେ ବିଭା।ଆଜି କିନ୍ତୁ ବୁଝି ପାରିଛନ୍ତି ସେଇଟା ଭଲ ପାଇବା ନଥିଲା କମଳଙ୍କର ପ୍ରତାରଣା ଥିଲା !!
କି ସାଂଘାତିକ ଏ ପୁରୁଷ ଜାତି! ଏକରେ ତ ଅଫଳନ୍ତି ଗଛ ମୁହଁ ଚାହିଁବା ପାପ କହିଲେ ପୁଣି ନଷ୍ଟ ଚରିତ୍ର କହୁଛନ୍ତି! ଛିଃ ଏପରି ଗୋଟେ ଲମ୍ପଟ,ମିଛୁଆ, ମୁଖା ପିନ୍ଧା ଲୋକଟି ତାର ସ୍ୱାମୀ ,ଭାବିଲା ବେକକୁ ବିଭା ଦେହ ମନ କ୍ଷତାକ୍ତ ହୋଇ ଯାଉଥିଲା।
ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଡ଼ି ଏ ନ ରିପୋଟ୍ ପ୍ରମାଣ କରିଦେଲା "ପିଲାଟି କମଳଙ୍କର"।ସବୁ ପ୍ରମାଣ,ସତ୍ୟ ପ୍ରତିପାଦିତ ହେଲା ପରେ ବିଭାକୁ କମଳ ପୁନଃ ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା ବେଳେ,ବିଭା ଅରାଜି ହେଲା।କାରଣ କମଳ ତା ନାରୀତ୍ୱ, ସତିତ୍ୱ ଓ ମାତୃତ୍ୱ ଉପରେ ଯେଉଁ ଅଲିଭା" ଦାଗ" ଦେଇଦେଲେ ସେ କେବେ ବି ଲିଭିବନି ବିଭା ହୃଦୟରୁ।କେସ୍ କରିବାକୁ ବି ଇଛା ନଥିଲା ବିଭାର।କେବଳ ତା କହ୍ନେଇ କୁ କେହି ନକହୁ ଅଣବାପୁଆ ପୁଅ। ବାପର ନାଁ ପାଉ।ସେତିକି ଯଥେଷ୍ଟ।
ସତକୁ ସତ ବିଭାର ବିଶ୍ୱାସ ଜିତି ଗଲା।ଗଭୀର ହୃଦୟ ସହ ଈଶ୍ୱର ବିଶ୍ୱାସ ପାଇ ବିଭା କୋଳରେ ରକ୍ତ ମାଂସର କଣ୍ଢେଇ" କହ୍ନେଇ"ଆଜି ତା କୋଳରେ ଗୋଡ଼ ହାତ ବାଡେଇ ଖେଳୁଛି।
