STORYMIRROR

कार्त्तिक सेठी

Inspirational Others

3  

कार्त्तिक सेठी

Inspirational Others

ଚୁଲ୍ ବୁଲି ହେଲମେଟ୍

ଚୁଲ୍ ବୁଲି ହେଲମେଟ୍

3 mins
792


ଜୁନ୍ ମାସର ପ୍ରଥମ ସପ୍ତାହ । ଦିନରେ ପ୍ରବଳ ଝାଞ୍ଜିଖରାକୁ ଓପର ଓଳି ଝଡ଼ସାଙ୍ଗକୁ କେବେ କେବେ ବର୍ଷା ଲାଗି ରହିଥାଏ ।ବର୍ଷାଋତୁର ଆଗମନି ସମୟ କହିଲେ ଚଳେ । ପଶ୍ଚିମ ଓଡ଼ିଶାର ପାହାଡିଆ ଅଞ୍ଚଳର, ଗୋବିନ୍ଦପୁର ବୋଲି ଗାଁ ଟିଏ । ଉଠାଣି ଗଡାଣି ଆଉ ସର୍ପିଳ ରାଜରାସ୍ତା ସହ ସୁଶୋଭିତ ବନଭୂମି ଓ ତା'ର ରୂପ ଲାବଣ୍ୟ । ପାହାଡ଼ ଉପରକୁ ଚଢ଼ିଗଲେ ଆଖି ଫେରାଇ ହୁଏନି । ଭାରି ସୁନ୍ଦର । ସେଇ ଗ୍ରାମରେ ଦୁଇ ପୁରୁଷ ଅମଳରୁ ଗୋଟେ ମାରଓ୍ଵାଡି ପରିବାର ବସବାସ କରି ଆସୁଛନ୍ତି । ଅବସରପ୍ରାପ୍ତ ଶିକ୍ଷକ ଯଯାତି ଅଗ୍ରଓ୍ଵାଲ୍ ଙ୍କ ପୁତ୍ର ବିକ୍ରମ ଅଗ୍ରଓ୍ଵାଲ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର କୋଷାଧ୍ୟକ୍ଷ (cashier) । ପାଞ୍ଚବର୍ଷର ଝିଅ ଚୁଲବୁଲି ଆଉ ସହଧର୍ମିଣୀ ଉଷା ଛୋଟ ପରିବାର । ଶନିବାର ସନ୍ଧ୍ୟାର ହୋମଓର୍କ କରିସାରିବା ପରେ ଚୁଲବୁଲି ଟିଭି ଅନ୍ କରି ସ୍ପୋର୍ଟ୍ସ ଚ୍ୟାନେଲ ବାଇକ୍ ରେସ୍ ଦେଖୁଥାଏ । ତା'ର ବାପା ଟେବୁଲ ଉପରେ ବସି କିଛି ଆବଶ୍ୟକୀୟ ଲେଖାଲେଖି କରୁଥାଆନ୍ତି ।

-ବାପା.. ଆ...ଆ (ଗେହ୍ଲେଇ ହୋଇ ଚୁଲବୁଲି ବାପାଙ୍କୁ କିଛି କହିବାକୁ ଚାହୁଁଥିଲା )

-ହଁ, କହ ମା' । କ'ଣ ହେଲା ?

-ତୁମେ ଆଗ ପାଖକୁ ଆସ ,ତା'ପରେ କହିବି ସେତେବେଳେ ଜେଜେ ତାଙ୍କ ଶୟନ କକ୍ଷରୁ ଡ୍ରଇଂରୁମ୍ ଆଡ଼କୁ ପଶି ଆସିଲେ । କହିଲେ ଆରେ ବିକି ! ଶୁଣୁନୁ ଆମ ସୋନ୍ ପରୀ କ'ଣ କହୁଛନ୍ତି । ମାଆ ସେପଟେ ରୋଷେଇ କାର୍ଯ୍ୟରେ ବ୍ୟସ୍ତ ଥିଲେ । ହଁ,ବାପା ...ହେଇଗଲା ତ ...ଆଉ ଟିକେ ବାସ୍ ...ବାସ୍....ବାସ୍... ହଁ,କହିଲୁ ସୁନା ମାଆ... କ'ଣ କହୁଥିଲୁ ?

-କାଲି ଯୋଉ ପିକନିକ୍ ଯିବା କଥା କହୁଥିଲ ନା ବାପା ... ।

-ହଁ,ଯିବା ତ କ'ଣ ହେଲା ମା' ...କହୁନୁ ଇତି ମଧ୍ୟରେ ଚୁଲବୁଲିର ମାଆ ଉଷାଦେବୀ ଚା' ଜଳଖିଆ ସବୁ ନେଇ ଆସି ପାଖ ବ୍ରେକ୍ ଫାଷ୍ଟ ଟେବୁଲ ଉପରେ ଥୋଇ କହିଉଠିଲେ ।

-ହଁ,ରେ ମାଆ କହୁନୁ ...କ'ଣ କହିବାକୁ ଚାହୁଁଛୁ ତୁ -ଏଇ ଯୋଉ ସ୍ପୋର୍ଟ୍ସ ବାଇକ୍ ଟିଭିରେ ଚଲଉଛନ୍ତି ନା ଲୋକମାନେ , ସେଇ ହେଲମେଟ୍ ପିନ୍ଧି ବାପା କାଲି ପିକନିକ୍ ଯିବେ ।ନହେଲେ ମୁଁ ଯିବିନି ପିକନିକ୍... ଯିବିନି ...ଯିବିନି ।

-ଆଲୋ ମା',ଏତେ ରାତିରେ ମୁଁ ୟାକୁ କୋଉଠୁ ପାଇବି !!

-ନା ନା ...ମୁଁ କିଛି ଜାଣେନି ତୁମେ ପିନ୍ଧିବ ପିନ୍ଧିବ ଆଉ ଅଲବତ୍ ପିନ୍ଧିବ ।

- ହା...ହା (ହସିଦେଇ), ହଉ ହେଲା ମୋ' ମାଆ ତା'ପରେ ଜଳଖିଆ ଆରମ୍ଭ ହେଲା ।ବିକ୍ରମ ବାବୁ ତାଙ୍କର ଜଣେ ଵନ୍ଧୁଙ୍କୁ ଫୋନ୍ କରି ସ୍ପୋର୍ଟ୍ସ ହେଲମେଟ୍ ଗୋଟିଏ ମଗେଇଲେ ।ମାର୍କେଟ କମ୍ପ୍ଲେକ୍ସ ସେଇଠୁ ପନ୍ଦର କିଲୋମିଟର ଦୂର ।ବନ୍ଧୁ ଜଣଙ୍କ ନିଜ ସୁବିଧା ଅନୁଯାୟୀ ଘଣ୍ଟାଏ ଦେଢ଼ ଘଣ୍ଟା ଭିତରେ ହେଲମେଟ୍ ଆଣି ପହଞ୍ଚେଇ ଦେଲେ । ବିକ୍ରମବାବୁ ସାଧାରଣତଃ ଗରମ ଦିନରେ ହେଲମେଟ୍ ବ୍ୟବହାର କରନ୍ତି ନାହିଁ ।ହେଲେ ଝିଅର ଜିଦ୍ ଆଗରେ ହାରିଗଲେ ଝିଅ ବାପାଙ୍କୁ ସ୍ପୋର୍ଟ୍ସ ମ୍ୟାନ୍ ହିରୋପରି ଦେଖିବାକୁ ଚାହେଁ ... ପରଦିନ ଚାରିଟି ବାଇକ୍ ରେ ଆଠ ଜଣ ପିକନିକ୍ ବାହାରିଗଲେ ।ଚୁଲବୁଲି ବହୁତ ଖୁସିଥିଲା । ସେ ବାପାଙ୍କ ଗାଡ଼ିରେ ବସିଗଲା । ନିର୍ଦ୍ଧାରିତ ସମୟରେ ଭୋଜି ସମ୍ପନ୍ନ ହେଲା । ମଜା ନେଇ ଫେରୁଥିଲେ ସମସ୍ତେ ।ଆସିବା ସମୟରେ ବର୍ଷା ଆସିଗଲା । ଗୋଟିଏ ଭୟଙ୍କର ଦୁଃଖଦ ମୁହୂର୍ତ୍ତ ପ୍ରତୀକ୍ଷା କରୁଥିଲା ...କିଏ ଜାଣିଥିଲା ,ଏମିତି ଏକ ଦୁର୍ଘଟଣା ଘଟିବ ବୋଲି । ବର୍ଷା ପ୍ରଥମେ ଟିକେ କମ୍ ହେବାରୁ ସମସ୍ତେ ଆଗକୁ ମାଡ଼ି ଚାଲିଲେ । ବର୍ଷାରେ ଗାଡ଼ି ଚକ ଖସଡ଼ି ଯାଇ ଆଗ ଦୁଇ ବାଇକ୍ ଚାଳକ ରାସ୍ତାରେ ପଡ଼ିଗଲେ ।ପଛପଟୁ ଗୋଟିଏ ବଡ଼ ଟ୍ରକ ବିଜୁଳି ବେଗରେ ଆସି ଆଗକୁ ମାଡ଼ି ଚାଲିଗଲା । ଦ୍ଵିତୀୟ ବାଇକ୍ ଚାଳକ ବାମ ପଟକୁ ଢ଼ଳି ପଡ଼ିଗଲେ ।ମୁଣ୍ଡଟା ପଥର ଉପରେ ବାଡେଇ ଗଲା ,ହେଲେ ହେଲମେଟ୍ ପାଇଁ ବଞ୍ଚିଗଲେ । ଅନ୍ୟ ସମସ୍ତେ ଅଟକି ଗଲେ ।ମୁଣ୍ଡ ଝାଇଁ ମାରିଯାଉଥାଏ । ଚୁଲବୁଲି ,ତା' ବାପା, ଉଷାଦେବୀ ଓ ତା' ମାମୁଁ ଏବଂ ଅନ୍ୟ ଜଣେ ବ୍ୟାଙ୍କ ଷ୍ଟାଫ୍ ଏବଂ ତାଙ୍କ ଧର୍ମ ପତ୍ନୀ ବଞ୍ଚି ଯାଇଥିଲେ । ବିପିନ୍ ବାବୁ ଓ ସ୍ଵପ୍ନା ମ୍ୟାମ୍ ବିକ୍ରମ ବାବୁଙ୍କର ଅନ୍ତରଙ୍ଗ ବନ୍ଧୁ ଓ ବାନ୍ଧବୀ ଆଉ ଏ ଦୁନିଆରେ ନଥିଲେ ।ଟ୍ରକ୍ ମୁଣ୍ଡ ଉପରେ ଚଢ଼ି ଯିବାରୁ ...ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ପ୍ରାଣ ପକ୍ଷୀ ଉଡ଼ିଯାଇଥିଲା । ମରଶରୀର ମାନଙ୍କୁ କୋଳେଇ ନେଇ ସମସ୍ତଙ୍କର ବୁକୁ ଫଟା କ୍ରନ୍ଦନ ରେ ଗଛରେ ଥିବା ପକ୍ଷୀମାନେ ବି ସ୍ତବ୍ଧ ହୋଇଯାଇଥିଲେ । ଚୁଲବୁଲି ଭୀଷଣ କାନ୍ଦୁଥିଲା ।ବାପାଙ୍କ କାନ୍ଦ ଦେଖି ସେ ବାପାଙ୍କ ଆଖିରୁ ଲୁହ ପୋଛିଦେଲା ।ବାପା ଓ ମା' ଝିଅ କୁ କୋଳେଇ ନେଇ ତା'ର ହେଲମେଟ୍ ପିନ୍ଧିବାର ଜିଦ୍ଦିପଣକୁ ଭାବି ଆହୁରି ଜୋର୍ ରେ ଜାବୋଡି ଧରି କାନ୍ଦୁଥିଲେ ଚୁଲବୁଲିକୁ ଧରି ।ଯେଉଁମାନେ ଆରପାରିକୁ ଚାଲିଗଲେ କେବଳ ସେଇମାନେ ହିଁ ହେଲମେଟ୍ ପିନ୍ଧି ନ ଥିଲେ ... ଏବେ ଚୁଲବୁଲି ପାଇଁ ସେ ଇଲାକାରେ ସମସ୍ତେ ହେଲମେଟ୍ ପିନ୍ଧି କୁଆଡ଼େ ବି ଯାଆନ୍ତିନି । ବିକ୍ରମ ବାବୁଙ୍କ ପରିଚିତ ଗୋଟେ ମାରଓ୍ଵାଡି କମ୍ପାନୀ ଏବେ "ଚୁଲବୁଲି"(Chulbuli) ବ୍ରାଣ୍ଡ୍ ର ସ୍ପୋର୍ଟ୍ସ ହେଲମେଟ୍ ତିଆରି କରି ବଜାରକୁ ଛାଡୁଛନ୍ତି ।ଏଇ ହେଲମେଟ୍ କିଣିବା ପାଇଁ ଏବେ ବଜାରରେ ପ୍ରବଳ ଭିଡ଼ ।

-ସେଠୀ କାର୍ତ୍ତିକ ଚନ୍ଦ୍ର, ଚଉମୁଖ ,ବାଲେଶ୍ଵର


Rate this content
Log in

Similar oriya story from Inspirational