कार्त्तिक सेठी

Inspirational

2  

कार्त्तिक सेठी

Inspirational

ସଂସ୍କାର

ସଂସ୍କାର

2 mins
323


ଏଇ ଏବେ ଏବେ ତ ଶାନ୍ତି ଦେବୀ ପ୍ରୟାଗ ଭ୍ରମଣରୁ ଫେରି ସୋଫା ଉପରେ ବସି ପଡିଥିଲେ ।ଗୋଡ଼ ହାତ ଧୋଇ ଟିକିଏ ଫ୍ରେସ୍ ହେଲା ପରେ ଅପୂର୍ବ ଶାନ୍ତି ଅନୁଭବ କରୁଥିଲେ ସେ । ଯାତ୍ରା ଜନିତ କ୍ଳାନ୍ତି ସହ ବିଶ୍ରାମର ଏଇ ସୌଜନ୍ୟ ମୂଳକ ସାକ୍ଷାତକାର ବୋଧେ ବାଥ୍ ରୁମରୁ ମିଳିଥାଏ । କ୍ଷଣ ପରେ କ୍ଷଣ ଜଗତ, ବିଧାତାଙ୍କର ଏଇ ସୁବ୍ୟବସ୍ଥିତ ତତ୍ତ୍ଵମୟୀ ଦର୍ଶନକୁ ଅନୁଭବ କରାଉଥିବାର ଦେଖି ମନେ ମନେ ଖୁସି ହେଉଥିଲେ ଶାନ୍ତି ଦେବୀ । ଗରମ କ୍ଷୀର ମାଆ । ବୋହୂ ମୀରାର ମଧୁର ସ୍ଵରରେ ଶରଧାର ଅମୃତ ଝରିଯାଉଥିଲା । ସେ ଗ୍ଲାସ୍ ଟିକୁ ଧରି ନେଇ ରଖିଦେଇଥିଲେ ଟେବୁଲ ଉପରେ । ଠିକ୍ ଉଷୁମ ଅଛି । ବେଶୀ ଗରମ ହୋଇନି । ଏବେ ପିଇ ଦିଅନ୍ତୁ ମାଆ । ଥଣ୍ଡା ହୋଇଯିବ... କଥା କହୁ କହୁ କେତେବେଳେ ପାଦ ପାଖରେ ବସିପଡ଼ି ଗୋଡ଼ ଚିପିବା ଆରମ୍ଭ କରିଦେଇ ସାରିଲାଣି ଦେଖ । ହେଉ ଯାଆ ମା' । ଘର କାମ କିଛି ଅଛି ତ କରିଦେବୁ ଯାଆ । ରୋଷେଇ ଆରମ୍ଭ କଲୁଣି ?

-ନାଇଁ, ମାଆ । ଭାତ ଗ୍ୟାସ୍ ରେ ବସେଇ ଦେଇଛି । ହେଉ ଯାଆ ମା' ଆଉ ଡେରି କରନା... ବିଲେଇର ନିଃଶବ୍ଦ ଚାଲି ପରି ମୀରା ରୋଷେଇ ଘରକୁ ଚାଲି ଯାଇଥିଲା । କିଛି ସମୟ ପରେ ଶାନ୍ତି ଦେବୀ ରୋଷେଇ ଘର ଆଡ଼କୁ ଟିକିଏ ବୁଲିଗଲେ । ଟିକିଏ ସାହାଯ୍ୟ କରିଦେଲେ କାମଟା ଶୀଘ୍ର ହୋଇଯିବ । ଏ ବୟସରେ ବି ସେ କାମ କରିବାକୁ କେବେ ପଛେଇ ଯାଆନ୍ତି ନି ,କିନ୍ତୁ ମୀରା କରିବାକୁ ଦିଏ ନାହିଁ । ଘର ଭିତରଟା ଦେବାଳୟ ପରି ଲାଗୁଥିଲା 'ହରେକୃଷ୍ଣ ' ଧୁନ୍ ରେ । ବୋହୂ ମନପ୍ରାଣ ଢାଳି ଦେଇ ତା' କାର୍ଯ୍ୟ କରି ଚାଲୁଥିଲା,ସତେ ଯେମିତି ଯଶୋଦା ମାଆ ତାଙ୍କ କାହ୍ନାଙ୍କ ପାଇଁ ତିଆରି କରୁଛନ୍ତି । ବେଶୀ ଲଙ୍କା ନୁହଁ...ବେଶୀ ମସଲାଯୁକ୍ତ ନୁହଁ ବେଶୀ ଲୁଣିଆ ନୁହଁ ... ପାଚନ କର୍ତ୍ତାଙ୍କର ଅମୃତମୟ ଭାବନାରେ ତିଆରି ଦ୍ରବ୍ୟରେ ଅମୃତତ୍ଵର ସୂକ୍ଷ୍ମ ପ୍ରଭାବ ମିଶିଯାଇଥାଏ । ଏଇଟି କେଉଁ କଣ୍ଠ ଶିଳ୍ପୀଙ୍କର କ୍ୟାସେଟ୍ ମାଆ ? - ଜଗଜିତ୍ ସିଂ ଓ ଚିତ୍ରା ସିଂଙ୍କର ମାଆ ? ବହୁତ ହୃଦୟଛୁଆଁ ମା' ।

ଶାନ୍ତି ଦେବୀଙ୍କର ସୁପ୍ତ ବୈରାଗ୍ୟ ଭାବନାରେ ମୀରା ବୋହୂର ସୁମିଷ୍ଟ ଆଚରଣ ଅନୁରାଗର ସ୍ଵର ତୋଳୁଥିଲା । ବୋହୂଟିଏ କରି ସେ ବେଶ୍ ସୁଖ ଅନୁଭବ କରୁଥିଲେ । ଏକବିଂଶ ଶତକର ଉଗ୍ର ସଭ୍ୟତା ଭିତରେ ଶାନ୍ତି ଦେବୀଙ୍କର ଅନେକ ବନ୍ଧୁମାନେ ଉବୁଟୁବୁ ହେଉଥିବା ବେଳେ ସେ ଆଜି ଶାନ୍ତିରେ ନିଃଶ୍ବାସ ମାରୁଥିଲେ । ସ୍ବୟଂ ମୋହଗ୍ରସ୍ତ ହୋଇ ପଡ଼ିଥିଲେ ମୀରା ବୋହୂର ଶ୍ରଦ୍ଧା ଓ ଭକ୍ତି ନିକଟରେ । ମନେ ମନେ ତାଙ୍କ ସମୟର ଓଡ଼ିଆ ଚଳଚ୍ଚିତ୍ର "ଏଇ ଆମ ସଂସାର "ର ଗୀତଟିକୁ ଗୁଣୁ ଗୁଣୁ ହୋଇ ଗାଇ ଚାଲିଥିଲେ - "ଆମ ଘର ଏକ ମନ୍ଦିର ସେ ତ ସରଗ ଠୁ ସୁନ୍ଦର ମମତାର ମୂରତି ମାଆ ବାପା ଯୋଉଁଠି ...ଏଇ ଆମ ସଂସାର ।


Rate this content
Log in

Similar oriya story from Inspirational