कार्त्तिक सेठी

Others

2  

कार्त्तिक सेठी

Others

ସ୍ଵପ୍ନ ରହସ୍ୟ

ସ୍ଵପ୍ନ ରହସ୍ୟ

4 mins
296


ଚଗଲା ଓରଫ୍ ସତ୍ୟକୃଷ୍ଣ ଗ୍ରୀଷ୍ମ ଛୁଟିରେ ମାମୁଁ ଘରକୁ ଯାଇଥାଏ ।ନିଜ ଘର ଠାରୁ ମାମୁଁ ଘରେ ସମସ୍ତଙ୍କ ସାଥିରେ ଦିନ ବିତେଇବାଟା ଖୁବ୍ ନିଆରା ,ବହୁତ ମଜା ଲାଗେ । ଖରା ପ୍ରବଳ ହେଲେ ନଈ ପଠାରେ ସାଙ୍ଗ ମାନଙ୍କ ମେଳରେ କବାଡି,ବୋହୂ ଚୋରୀ,ଗିଲିବାଡ଼ି'ଆଦି ଖେଳିବାରେ ଯୋଉ ମଜା,କହିଲେ ନସରେ ।ଗାଧୋଇବା ସମୟହେଲେ ଉଚ୍ଚ ରୁ ଡିଆଁ ମାରି ନଦୀ ଉପରେ ପଡ଼ି ଖେଳ ଚାଲେ । ଦିନକର ଘଟଣା । ଚଗଲା କୁ ସେଦିନ କାଇଁ ଭଲ ଲାଗୁ ନଥାଏ ।ସେ ମନକୁ ମନ ଭାବିଲା, ନିଇତି ଦ୍ଵିପହରେ ଭାତ ଖାଇସାରି ଫ୍ୟାନ୍ ତଳେ ଶୋଇବାରେ ମଜା ନାହିଁ ,ଯିବି ଆଜି ଅଜାଙ୍କ ପାଖକୁ ।ଅଜା ପ୍ରାୟ ଗ୍ରୀଷ୍ମ ଦିନରେ ତୋଟାକୁଶୋଇବାକୁ ଚାଲିଯାଆନ୍ତି । ସାନ ମାମୁଁ ଙ୍କ ପୁଅ ଗୋଲୁ ର ସାଇକେଲ ଟା ବାରଣ୍ଡା କୋଣରେ ଥୁଆ ହୋଇଥାଏ ।ବୋଉଙ୍କୁ ପଚାରି ବାହାରି ପଡ଼ିଲା ଚଗଲା । ଗୋଲୁ ବି ତା' ମାମୁଁ ଘରକୁ ଯାଇଥାଏ ।ଆମ୍ବ ତୋଟା ଟା ମାମୁଁ ଙ୍କ ଘର ପାଖରୁ ଗୋଟେ କିଲୋମିଟର ହେବ । କିଛି ସମୟ ପରେ ଚଗଲା ପହଞ୍ଚି ଯାଇଥିଲା ତୋଟାରେ ।ଅଜାଙ୍କୁ ଖୋଜିବାରେ ତା'ର ଡେରି ହେଲାନି ।ଅଜା ଗୋଟିଏ ଦଉଡ଼ିଆ ଖଟରେ ହାତ ଛନ୍ଦି ଉପରକୁ ଚିତ୍ ହୋଇ ଶୋଇଥାନ୍ତି ।ଅଜାଙ୍କ ଥନ୍ତଲ ପେଟଟି ଉଠ୍ ପଡ଼ ହେଉଥାଏ । ଚାରିପାଖରେ ପରିଷ୍କାର ପରିଚ୍ଛନ୍ନତା ।ତୋଟା ର ଯତ୍ନ ନେବାପାଇଁ ଦୁଇଜଣ କର୍ମଚାରୀଙ୍କୁ ମାସିକିଆ ଦରମା ଦେଇ ନିଯୁକ୍ତ କରାଯାଇଥାଏ ଅଜାଙ୍କ ଦ୍ଵାରା । ଅଜା ଟିକେ ପୁରୁଣା ଖିଆଲର ହେଲେ ବି ସଫା ସୁତରା ପ୍ରତି ଖୁବ୍ ଯତ୍ନଶୀଳ ।ପ୍ରାକୃତିକ ପରିବେଶ ତାଙ୍କୁ ବହୁତ ଭଲ ଲାଗେ । ଗ୍ରୀଷ୍ମ କାଳରେ ବାହାରର ମୃଦୁ ପବନରେ ନିଦ ଆପଣାଛାଏଁ ଆସିଯିବା ସ୍ଵାଭାବିକ । ଆରେ ଇଏ କ'ଣ ଦେଖୁଛି ,ଚଗଲା !! ଅଜା କ'ଣ ହାତ ଛନ୍ଦି କରି ଶୋଇଛନ୍ତି !!! ଆଈ ମା'ଙ୍କ କହିବା ଅନୁସାରେ ଛାତି ଉପରେ ଛନ୍ଦାହାତ ରଖି ଶୋଇଲେ ଅଦ୍ଭୁତ ସ୍ଵପ୍ନ ଦେଖନ୍ତି କାଳେ । ଆଜି ମୁଁ ସ୍ଵପ୍ନ ଦେଖିବି ;ଅଜାଙ୍କୁ ଦେଖିବାକୁ ଦେବିନି । ସ୍ଵପ୍ନ ଦେଖା ହୋଇଗଲେ ,ଗୋଟିଏ ସୁନ୍ଦର ଗପ ଭଳି ତ ଲାଗିବ ନା !ବଢ଼ିଆ ହେବ ..ହା ହା ..।ତେଣୁ ଡେରି ନ କରି ଅଜାଙ୍କ ର ଛନ୍ଦାହାତ କୁ ଅଲଗା କରିଦେଲା ଚଗଲା ଏବଂ ନିଜେ ସେଇ ଭଙ୍ଗୀରେ ଅଜାଙ୍କ ପାଖରେ ଶୋଇଗଲା । ଅଜା ଜାଣି ନ ଥିଲେ ସେ ଏଠି ଶୋଇଛି ବୋଲି । ପକ୍ଷୀ କାକଳି ର କିଚିରି ମିଚିରି ସ୍ଵର ସାଙ୍ଗକୁ ସୁଲୁସୁଲିଆ ବାଆ ରେ ଦୁଇ ପ୍ରାଣୀ ନିଦ ମାଉସୀଙ୍କ କୋଳରେ ଶୋଇ ପଡ଼ିଥିଲେ।ଦଉଡ଼ିଆ ଖଟତଳେ ଘରର କୁକୁର ଭାଲୁଆ ଏମାନଙ୍କ ସୁରକ୍ଷାପାଇଁ କେତେବେଳୁ ଆସି ଜଗିବସିଥିଲା । ଚଗଲା ଏବେ ସ୍ବପ୍ନ ରାଜ୍ୟରେ ପହଞ୍ଚି ଯାଇଥିଲା ।ସ୍ଵପ୍ନ ଟା ଏମିତି ଥିଲା ଯେ - ସେ ସାଙ୍ଗ ମାନଙ୍କ ସାଥିରେ ପାହାଡ କୋଳରେ ବୁଲୁଥିଲା ।ତା'ର ସାଙ୍ଗମାନେ ଆଗକୁ ଦୌଡ଼ି ଦୌଡ଼ି ଯାଉଥିଲେ ଦୂରରେ ଥିବା କୋଳି ଗଛ ପାଖକୁ ।ତା' ସାଙ୍ଗ ସୁବଳ ପଛରେ ରହି ଯାଇଥିଲା । ସେମାନେ ମଧ୍ୟ ଅଗ୍ରସର ହେଉଥିଲେ । ହେ ଭଗବାନ୍ !ଇଏ କ'ଣ ଦେଖୁଛନ୍ତି ସେମାନେ !! ହଠାତ୍ ତା'ର ସାଙ୍ଗମାନେ ଗୋଟିଏ ଖାଇରେ ତଳକୁ ଗଳି ପଡ଼ିଲେ ।ଏଇ ଭୀଷଣ ଦୁର୍ଘଟଣାରେ ସୁବଳ ଓ ସେ ଭୟରେ ବହୁତ କାନ୍ଦିଲେ ।ତେଣେ ସନ୍ଧ୍ୟା ହୋଇ ଆସୁଥାଏ । ସେମାନେ ଘରକୁ ଫେରିବାର ବାଟ ଖୋଜୁଥାନ୍ତି ,ହେଲେ ପାଉ ନ ଥାନ୍ତି । ମୁହୂର୍ତ୍ତ ଟା ଖୁବ୍ ଭୟାବହ ଲାଗୁଥିଲା । ସୁବଳ କୃଷ୍ଣଭକ୍ତ ଙ୍କ ପରିବାର ରୁ ।ସେ ଚଗଲାକୁ ସାହସ ଓ ଧୈର୍ଯ୍ୟ ଧରିବାକୁ କହିଲା ।କିଛି ବାଟ ଅଗ୍ରସର ହୁଅନ୍ତେ ମନ୍ଦିର ରୁସନ୍ଧ୍ୟା, ଆଳତୀ ଓ ଘଣ୍ଟ ଧ୍ଵନି ଶୁଣିବାକୁ ପାଇଲେ ।ଦୁଇ ବନ୍ଧୁ ସେଇଆଡ଼କୁ ଆଗେଇ ଗଲେ । ମନ୍ଦିର ନିକଟବର୍ତ୍ତୀ ହେବାରୁ ଆଉ ସନ୍ଧ୍ୟା ଆଳତୀ ର ଶବ୍ଦ ନ ଥିଲା । ଏବେ ଏକ ସୁଲଳିତ କଣ୍ଠସ୍ଵର ଭାସି ଆସୁଥିଲା ,"ହରେକୃଷ୍ଣ ମହାମନ୍ତ୍ର "ଧ୍ଵନି ।ସେମାନେ ଶବ୍ଦର ଉଦ୍ଗମ ସ୍ଥଳୀକୁ ଖୋଜି ଖୋଜି ହାଲିଆ ହୋଇପଡ଼ିଥିଲେ । କିଛି କ୍ଷଣ ପାଇଁ ସ୍ଵର ଟି ବନ୍ଦ ହେବାରୁ ସେଇ ମନ୍ଦିରରେ ରାତ୍ରି ବିଶ୍ରାମ ନେବାକୁ ସ୍ଥିର କଲେ ଦୁଇବନ୍ଧୁ । ଭୀଷଣ ଭୋକ ହେଉଥିଲା ସେମାନଙ୍କୁ । ମନ୍ଦିର ହତାରେ କିଛି ନଡ଼ିଆ ଓ କଦଳୀ ପାଇ ଖାଇନେଲେ ସେମାନେ ।ସୁବଳ ଶୀଘ୍ର ଶୋଇଗଲା ।ଚଗଲା ସେଇଠି କଡ଼ ଲେଉଟାଉ ଥାଏ ନାଚାର ନିରାଶ୍ରୟ ଟିଏ ପରି । ହେଲେ ନିଦ ଆସୁ ନଥାଏ ଚଗଲାକୁ । ପାଞ୍ଚ ଦଶ ମିନିଟ ଯାଇଛି କି ନାହିଁ ,ପୁଣି ସେଇ ଦିବ୍ୟ ଧ୍ଵନି ସମ "ମହାମନ୍ତ୍ର ଉଚ୍ଚାରଣ" ର ସ୍ଵର ଭାସି ଆସିଲା ଅତି ନିକଟରୁ ।ଚଗଲା ଉଠି ପଡ଼ି ଖୁବ୍ ଖୋଜିଲା ....କିଏ ସେଇ ମହିୟସୀ ମାତାଜୀ ?ଦେବୀଙ୍କ ପରି କଣ୍ଠଧ୍ଵନିରେ ମହାମନ୍ତ୍ର ...!!!ଫେରି ଆସନ୍ତେ କେହିଜଣେ ଚଗଲା କୁ ତା' ନାଆଁ ଧରି ଡାକିଲେ ,"ଚଗଲୁ, ଚଗୁ...ବାପା ସତ୍ୟକୃଷ୍ଣ ....ଆ ,ମୁଁ ଏଇଠି ଅଛି ।ମନ୍ଦିର ସାମ୍ନାରେ, ଗରୁଡ଼ ସ୍ତମ୍ଭ ତଳେ ମୁଁ ବସିଛି ।ତୁ ଅତି ନିକଟରୁ ମୋ'ଗୀତ ଶୁଣି ପାରିବୁ । ହେଲେ ଗୋଟିଏ ସର୍ତ୍ତ ,ବାପା ! ମୋ ନିକଟକୁ ଆସି ମୋତେ ସ୍ପର୍ଶ କରିବୁନୁ । -ଆଜ୍ଞା, ମାତାଜୀ ।ମୋତେ ଖାଲି ଆପଣ ଥରେ ଦର୍ଶନ ଦିଅନ୍ତୁ । ଏହାପରେ ସେଠାକୁ ଯାଇ ଦେଖନ୍ତେ ,ବେଙ୍ଗ ପରି ଏକ ଅଦ୍ଭୁତ କଦାକାର ପ୍ରାଣୀ "ହରେକୃଷ୍ଣ ମହାମନ୍ତ୍ର" ଗାଇ ଚାଲିଛନ୍ତି ।ସେ ପାଖକୁ ଯାଇ ପୁଣି ଅଟକି ଗଲା ...ସର୍ତ୍ତ କଥା ମନେ ପଡ଼ିଗଲା ।ଦୂରରୁ ଭୂଇଁରେ ମୁଣ୍ଡ କୋଡ଼ି ପ୍ରଣାମ କଲା । ଭୂମିରୁ ଉଠିବା ମାତ୍ରେ ଜୀବ ଟି ଅନ୍ତର୍ଦ୍ଧାନ ହୋଇ ଯାଇଥିଲା।ସେ ମାଆ ମାଆ ବୋଲି ଡାକି ଭୀଷଣ କାନ୍ଦିବାକୁ ଲାଗିଲା ।

ସମୟ ବର୍ତ୍ତମାନ ସାଢ଼େ ଚାରିଟା । ଘଣ୍ଟାକ ମଧ୍ୟରେ ଚଗଲା ର ସ୍ଵପ୍ନ ବିଭୋର ପ୍ରାଣ ଟି ସ୍ଵପ୍ନ ବୃତାନ୍ତ ର ଅର୍ଥ ଜିଜ୍ଞାସା ରେ ଅଧୀର ହୋଇ ଉଠିଥିଲା ।ସେ ଅଜାଙ୍କୁ ସେ ସବୁର ବର୍ଣ୍ଣନା କଲା । ସବୁ ଶୁଣି ଅଜା ସ୍ଵପ୍ନ ରହସ୍ୟକୁ ବୁଝାଇଲେ - "ଯେଉଁଠାରୁ ବି ହେଉ ନା କାହିଁକି ,ଯେଉଁଠି ବି ଭଲକଥା କିଛି ଶୁଣିବ ,ତାକୁ ଗ୍ରହଣ କରିବ ।ସେଠି ସ୍ଥାନ,କାଳ,ପାତ୍ର ବା ଜାତିର ବିଚାର କରିବ ନାହିଁ ।" -ସେଠୀ କାର୍ତ୍ତିକ ଚନ୍ଦ୍ର, ଚଉମୁଖ,ବାଲେଶ୍ଵର

ଦୂରଭାଷ:୬୨୮୧୬୯୫୮୯୨


Rate this content
Log in