ଉଡ଼ା କଳ

ଉଡ଼ା କଳ

4 mins
334


" ଉଡ଼ାକଳ "। ଉପରକୁ ଚାହିଁଲେ ନଡ଼ିଆଭଣ୍ଡା ପରି ଦେଖାଯାଏ ।ଭୂଁ ଭୂଁ କରି ଉଡି କୁଆଡ଼େ କୁଆଡ଼େ ଯେ ଯାଏ ସେଇ ଆଲ୍ଲା ଜାଣନ୍ତି ।କି ଯୁଗ ହେଲା ଲ ! ନୁକ ପରା ସେଥିରେ ବସି ଯାଆନ୍ତି ଦୂର ରାଇଜକୁ ..କେଜାଣି ବାବା !!ଖସି ପଇନେ ଯିବ ସରି ,ଚାଲିଯିବ ହେ ଯମପୁରୀ !!! ନା ....ଆ....ନା ନା ନା, ମୁଁ ମୋର ଯିବିନି ସେଥିରେ । ଦେଖ୍ ବେଟା ସେଥିରେ ଆସିବୁନୁ । ଆଜାଦ୍ ,ଏମିରେଟ୍ସ ଫ୍ଲାଇ କିଙ୍ଗ୍ସ ଏଆର୍ ଲାଇନ୍ସ ରେ ବସି ସାଉଦୀ ଆରବରୁ ଭୁବନେଶ୍ୱର ଆସୁଥିଲା ।ପ୍ଲେନ୍ ଭିତରେ ବସି ଅମ୍ମୀ ପରବିନା ବେଗମ୍ ର ଏଇ ପୁରୁଣା କଥାଗୁଡିକ ମନେ ପକାଇ ଖୁବ୍ ହସ ଲାଗୁଥିଲେ ବି ନିଜକୁ କଣ୍ଟ୍ରୋଲ୍ କରି ନେଉଥିଲା ।ସହଯାତ୍ରୀ ବିଦେଶିନୀ ଜଣକପାଇଁ ଆଜାଦ୍ ଜଣେ ଷ୍ଟ୍ରେଞ୍ଜର୍ ବା ନୂଆଲୋକ ଥିଲେ ବି ବିଚାରୀ ତନୁ ପାତଳୀ ମହିଳା ଜଣକ କାହିଁକି ଆକର୍ଷି ଯାଉଥିଲେ କେଜାଣି ! ସେ ବି ମୁରୁକି ହସି ଦେଉଥିଲେ ।ଖୁବ୍ ଆକର୍ଷଣୀୟ ଚେହେରା ଆଜାଦ୍ ର । ଉଜ୍ଜ୍ବଳ ଗୋରା ରଙ୍ଗକୁ ସାଉଦୀ ହାଇଟ୍ । କୌଣସି ପ୍ରକାରର ଅସଂଯତ ବ୍ୟବହାର ନାହିଁ ।କେବଳ ନିଜ କାମରେ ବ୍ୟସ୍ତ । ମ୍ୟାଗାଜିନ୍ ପଢିବା ,ପାଣି ପିଇବା,ସଟ୍ ସ୍ନାକ୍ସ ଆଦି ବ୍ୟତୀତ ଆଉ କିଛି ନା ।ବେଳେ ବେଳେ ସେଫ୍ଟି ବେଲ୍ଟକୁ ଖୋଲି ଆଉଥରେ ଲଗେଇ ଦେଉଥାଏ ଯେତେବେଳେ ରମଣୀ ଜଣକ ତାକୁ ଅନ୍ୟମନସ୍କ କରି ପକାଉଥାଏ । ନା ...ଇଏ କ'ଣ ଭାବୁଛି ମୁଁ ..ଛାଡ଼ ଏ ବିଦେଶିନୀ ମାନଙ୍କୁ ଭରସା ନାହିଁ । ମୋ' ଅମ୍ମୁ ଅଛି ମୋ' ପାଇଁ ବେଗମ୍ ଦେଖିଦେବେ । ଏବେ ସାଙ୍ଗମାନଙ୍କ କଥା ତା'ର ମନେ ପଡିଯାଉଥାଏ ।ରିଆଜ୍ ଓ ଅଲତାବ୍ ପାଇଁ ଦୁଇ ଦୁଇଟି ସୁନ୍ଦର ରିଷ୍ଟ ଓ୍ଵାଚ୍ ନେଇ ଯାଉଛି ,ଦେଖି ଭାରି ଖୁସି ହୋଇଯିବେ ।ସେଇ ଖୁସି ଦେଖିଲେ ଭାରି ମଜା ଲାଗିବ ମୋତେ। ସେମାନଙ୍କଠୁ ଗୋଟିଏ ଭଲ ପାର୍ଟି ମାଗିବି ,ଛାଡ଼ିବିନି ସେମାନଙ୍କୁ ...ହେଲେ ସେମାନେ କ'ଣ ଛାଡ଼ିଦେବେ ମୋତେ ??ଏତେ ଦିନପରେ ବିଦେଶରୁ ଆସିଛୁ !ପାର୍ଟି ତୁ ଦେବୁ ନା ଆମେ ? ଭିଡ଼ି ଯିବେ ସେମାନେ ..ହା ହା...ଏବେ ହସ ଟିକେ ଜୋର୍ ରେ ପାଟି ରୁ ଲିକ୍ ହୋଇଗଲା ଯେ ...ମଝି ଲାଇନ୍ ରେ ଯାଉଥିବା ଏଆର୍ ହୋଷ୍ଟେସ୍ ଲଳନା ପଛକୁ ଫେରିଆସି ଆଜାଦ୍ ର ଧ୍ୟାନ ଭଙ୍ଗ କଲା । -ଏକ୍ସକ୍ୟୁଜ୍ ମି ,ସାର୍ ? ଏନିଥିଙ୍ଗ୍ ରିକ୍ୟୁଆର୍ ? - ନୋ, ଥ୍ୟାଙ୍କ୍ସ୍ -ସାର୍ ....ଓକେ ଇଂରାଜୀ ବଡ଼ଅକ୍ଷର ଏନ୍ କୁ ଉଭୟ ପଟୁ ପଇଁଚାଳିଶି ଡିଗ୍ରୀ ଚାପକାଟିବା ପରି ଗତିରେ ହୋଷ୍ଟେସ୍ ଜଣକୁ ଚାଲିବାରେ ବୋଧେ ସାହାଯ୍ୟ କରୁଥିଲା ତା'ର ଚିପା ଜିନ୍ସ ଓ ହାଇ ହିଲ୍ । ରେଲୱେ ପ୍ଲାଟଫର୍ମ ର ଘୋଷଣା ପୂର୍ବରୁ ବାଜୁଥିବା ସିଷ୍ଟମ ଟୋନ୍ ପରି ଏବେ ଆଜାଦ୍ ସାମ୍ନାରେ ଥିବା ସ୍କ୍ରୀନ ରୁ ପ୍ଲେନ୍ ଲ୍ୟାଣ୍ଡିଂ କରିବାର ଘୋଷଣା ହେଉଥିଲା ।ସେ ଆଉଥରେ ନିଜର ସେଫ୍ଟି ବେଲ୍ଟ କୁ ଯାଞ୍ଚ୍ କରିନେଲା । ଦୀର୍ଘ ସମୟ ବିମାନ ଯାତ୍ରା ହୋଇଥିଲେ ବି ଆଜାଦ୍ କୁ ଆଦୌ ବୋରିଂ ଲାଗୁ ନ ଥିଲା । ସିଡ଼ି ଦେଇ ତା' ସହ ଅନ୍ୟମାନେ ବି ଓହ୍ଲାଇ ଆସିଲେ ତଳକୁ ।ସୁସ୍ଵାଗତମ୍ ଭୁବନେଶ୍ୱର ... ଟ୍ୟାକ୍ସି ବାଲା ସବୁ ଝୁଣି ପକାଉଥାଆନ୍ତି ...ସାର୍ ସାର୍ କହି । ଆମ ଗାଡ଼ିରେ ଆସନ୍ତୁ ସାର୍ ..ଆମ ଗାଡ଼ିରେ ...ଆମ ଗାଡ଼ିରେ..ଦେଢ଼ ଘଣ୍ଟା ପରେ ଗାଡ଼ି ଆସି ପହଞ୍ଚିଲା ଆଜାଦ୍ ର ଘର ପାଖରେ ।ଟ୍ୟାକ୍ସି ଚାଳକ ଟିକୁ ଭଡ଼ାଦେଇ ବିଦା କରିଦେଲା ଆଜାଦ୍ ... ସକାଳ ଦଶଟା । ଶୀତୁଆ ସକାଳର ମୃଦୁ ସମୀରଣଟା ,ସୂର୍ଯ୍ୟ ଦେବଙ୍କ କିରଣ ଛୁଆଁ ପାଇଁ ଏଣେତେଣେ ଦୌଡୁଥିଲା ଖୁସିରେ । ଆଜାଦ୍ କୁ ବି ଦୌଡ଼ି ଯିବାକୁ କହୁଥିଲା ତା ସାଥିରେ ।ହେଲେ ଆଜାଦ୍ ଗେଟ୍ ଭିତରକୁ ଆସି ସବୁ ଜିନିଷକୁ ଗୋଟିଏ କୋଣରେ ରଖିଲା । ସେ ତା' ଅମ୍ମୁ କୁ ଗୋଟେ ସରପ୍ରାଇଜ୍ ଦେବାକୁ ଚାହୁଁଥିଲା। ତେଣୁ ନିଶବ୍ଦରେ ଘର ପାଖକୁ ଆସି ଅମ୍ମୁ କ'ଣ କରୁଛନ୍ତି ଦେଖି ବାକୁ ଚାହିଁଲା । ତା'ର ଅମ୍ମୀ ଖାଇବାପାଇଁ ପଖାଳ ଭାତ ବାଢୁଥିଲେ । ଠିକ୍ ସେହି ସମୟରେ ଆଜାଦ୍ ଜୋତା ଖୋଲି ବିଲେଇ ପାଦପରି ନିଃଶବ୍ଦରେ ଆଗେଇ ଗଲା ।ଅମ୍ମୀ ଙ୍କ ଆଖିକୁ ଦୁଇ ହାତରେ ବୁଜି ଧରିଲା । -କିଏ କିଏ କରି ପରବିନା ବେଗମ ପାଟି କରି ଉଠିଲେ ଆଜାଦ୍ ଚୁପ୍ ହୋଇ ରହିଥିଲା । ତା'ର ହାତ ଛୁଆଁ ରୁ ଅମ୍ମୁ କହି ଉଠିଲେ -ଆରେ ବେଟା ଅଜୁ ,କେତେବେଳେ ଆଇଲୁ ? -ତୁ କେମିତି ଜାଣିପାରୁ ଅମ୍ମୀ ? ଥରେହେଲେ ତ ଜାଣି ନ ପାର୍ । ମୋତେ ଟିକେ କହିବାକୁ ଭଲା ସୁଯୋଗ ମିଳି ଯାଆନ୍ତା । -ମାଆ, ପୁଅକୁ ଜାଣି ପାରିବନି ,କେମିତି କଥା ତୁ କହୁଚୁ !!! ହେଉ ବେଟା ,ଆ ଖାଇବୁ ଆ -ମୁଁ ପଖାଳ ଖାଇବି ,ଅମ୍ମୀ -ବସୁନୁ ,ବଡି ଚୁରା ବାଇଗଣ ଭର୍ତ୍ତା କରିଛି ଆଜାଦ୍ କୁ ସ୍ଵର୍ଗ ସୁଖ ମିଳିଗଲା ପରି ମନେ ହେଉଥିଲା । ସେ ତରତରରେ ପଖାଳ କଂସାଟି ଧରି ଅଗଣାକୁ ଧାଇଁଲା । ଖରାରେ ବସି ମନଭରି ଖାଇ ଯାଉଥିଲା । ଆଉ କ'ଣ ଦେବି ବେଟା ? -ନା ନା ମୋର ଆଉ କିଛି ଦରକାର ନାହିଁ -ତୁ ଖାଇବୁନି ଟି,ଅମ୍ମୁ -ନା ରେ ,ମୁଁ ଖାଇଛି ବେଟା ଭୋକିଲା ପେଟରେ ବି ସ୍ଵର୍ଗ ସୁଖ ପାଉଥିଲା ପରବିନା ବେଗମ୍ ।ସନ୍ତାନ ର ସୁଖରେ ତା' ପେଟ ପୂରି ଯାଉଥିଲା । -ଅଧା ଖିଆ ହୋଇଛି, ହାତ ଧୋଇ ଉଠିପଡ଼ିଲା ,ଆଜାଦ୍ । ଭିତରକୁ ଯାଇ ଅମ୍ମୀ ପାଇଁ ଭୁବନେଶ୍ବର ରୁ ଆଣିଥିବା ବ୍ରେକ୍ ଫାଷ୍ଟ ପାର୍ଶଲଟି ନେଇ ଆସି ତା' ଅମ୍ମୁ ପାଖରେ ବସି ଖୁଆଇ ଦେଉ ଦେଉ କହିଲା , ତୁ ଆଉ ମିଛ କହନା ,ଅମ୍ମୁ । ଶୀଘ୍ର ଖାଇ ନେ । ନା ନା କହୁଥିଲେ ବି ଆଜାଦ୍ ଶୁଣୁ ନ ଥିଲା ।ଅମ୍ମୀ ଖାଇ ଆଜାଦ୍ କୁ ଖୋଇ ଦେଉଥିଲେ । ଅମ୍ମୀ ଙ୍କ ଆଖିରୁ ଧାର ଧାର ଆନନ୍ଦାଶ୍ରୁ ।ଆଜାଦ୍ ର ଆଖି ବି ଛଳ ଛଳ ହୋଇଉଠିଲା । ଦୁହେଁ ଦୁହିଁଙ୍କୁ ଚାହିଁ ପରକ୍ଷଣରେ ହସି ଉଠିଲେ । ସଜନା ଗଛରେ ପିଠାଖଣ୍ଡ ଧରି ବସିଥିବା କାଉ ଟିଏ ଖାଇବା କଥା ଭୁଲି ଯାଇଥିଲା ମାଆ ପୁଅର ଏହି ଅପୂର୍ବ ସ୍ନେହଡୋରି କୁ ଦେଖି । -"କେଉଁଥିରେ ଆଇଲୁ ବେଟା ?"ଅମ୍ମୀ ପଚାରିବାରୁ -ଆଜାଦ୍ କହି ଉଠିଲା- "ଉଡ଼ାକଳ" ....ଅମ୍ମୀ ମୁହଁରେ ହାତ ଦେଇ କହିଉଠିଲେ ,ଆବବୋଃ ...


Rate this content
Log in