Sanuja Meghamala

Tragedy Inspirational

3.9  

Sanuja Meghamala

Tragedy Inspirational

ଚରିତ୍ରହୀନା

ଚରିତ୍ରହୀନା

6 mins
494


କାଞ୍ଚନ  ଶୋଇବା ଘର ଦୁଆର ମୁହଁ ଟାରେ ବସି ଥିଲା, ଗୋଡ଼ ଦିଟା ସାମନାକୁ ଲମ୍ବେଇ ..ମୁଣ୍ଡ ଟାକୁ ତଳ କୁ ପୋତି ଦେଇ..। ଦିହ ବୁଲେଇ ହୋଇ ଓଠ ଶୁଖି ଶୁଖି ଯାଉଚି. ଭରସି କାହାକୁ ପାଣି ଟୋପାଏ ମାଗି ପାରୁନି.କେତେ ବେଳ ରୁ ଆଖିରୁ ବୋହି ଯାଇଥିବା ଲୁହ ଗୁଡା ଶୁଖି ଗଲାଣି ଗାଲରେ ....ଲୁହ ଟିକେ ପୋଛି ଦେବାକୁ କେହି ହାତ ବଢ଼େଇ ଦେଇନି .ଯଦିଓ ଗାଆଁ ଟା ର ଅଧେ ଲୋକ ତା ଘରେ ରୁଣ୍ଡ ହେଇଛନ୍ତି ।ଘର ଭିତରେ ଫ୍ୟାନ ରେ ଦଉଡ଼ିରେ ଝୁଲି ରହିଛି.. ତା ସ୍ବାମୀ ସନ୍ତୋଷ ର ନିସ୍ତେଜ ଶରୀର ଟା .। ନିଜେ ନିଜକୁ ବାରମ୍ବାର ଧିକ୍କାର କରୁଚି..ସେ ଯଦି ଟିକେ ସହି ସଂଭାଳି ରହି ଯାଇ ଥାଆନ୍ତା..ହୁଏତ ଏତେ ବଡ଼ ଅଘଟଣ ଟାଏ ଘଟି ନ ଥାଆନ୍ତା। ରାତିରେ ଘର ବିକ୍ରି କୁ ନେଇ ଉଭୟଙ୍କ ଭିତରେ ହୋଇଥିଲା ପାଟି ତୁଣ୍ଡ ... ତା ଠାରୁ ବେଶୀ   ବିରୋଧ ଶାଶୁ କରି କଡ଼ା କଥା ଦି ପଦ ଶୁଣେଇ ପୁଅ କୁ କହିଦେଲା ବଂଶ ବୁଡିଲା ବେଳକୁ ଘୋଡ଼ା ମୁହାଁ ପୁଅର ଜନ୍ମ..। ବାପ , ଶା 'ନ୍ତ ବାପ.ର ସାତ ପୁରୁଷଙ୍କ ସମ୍ପତ୍ତି କିଏ ବିକିବାକୁ କହେ..! .ଏମିତି ପୁଅ ଜନମ କଲା ବେଳେ ମୋ ପେଟ ଫାଟି ମୁଁ ଯାହା ନ ମରି ବଞ୍ଚି ରହିଲି  ହିନସ୍ଥା ଦେଖିବାକୁ.. ତୋ ବାପ ଚାଲିଗଲା ମୋତେ ଘାଣ୍ଟି ହେବାକୁ ଛାଡ଼ିଦେଇ ।ତୋ ଆଗରୁ ଚାରିଟା ଛୁଆ ମରିଥିଲେ..ତୁ ବି ସେମିତି ଯାଇଥିଲେ ସେତେ ବେଳେ ମନକୁ ବୁଝେଇ ଦେଇଥାନ୍ତି.. ଆଉ ଆଜି.ଘର ବିକିବାକୁ ପଡି ନ ଥାଆନ୍ତା..! ମୁଁ ବଂଚି  ଥାଉଁ ଥାଉଁ..କେମିତି ସହିବି ରେ..ବିଧାତା.। ରାଗ ବ୍ରହ୍ମ ଚଣ୍ଡାଳ ନିଜ ହିତା ହିତ ଜ୍ଞାନ ଭୁଲି ସନ୍ତୋଷ ମାଆ ବେକ ପାଖକୁ ହାତକୁ ନେଲା ଆଜି ମାରି ଦେବି ଆଉ ଦୁଃଖ ଦେଖିବୁନି କି ବାହୁନି ହେବୁନି.. ରହିଥା...।କି ଉଗ୍ର ଭୟଙ୍କର ତା ରୂପ ଟା ସେତେ ବେଳେ, ଆଖି ଦି ଟା ନିଆଁ ହୁଳା ପରି ଜଳୁଥିଲା..ମରଣ ବୋଧେ ପଛ ଆଡ଼ୁ ଭିଡୁଥିଲା....କେବେ ସେ ଏମିତି ରାଗିବା କାଞ୍ଚନ ଦେଖି ନଥିଲା....କଣ କରୁଚ... କି ପାପ କରୁଚ ...ଜନମ କଲା ମାଆ ପରା ସିଏ .. କହି ତା ହାତକୁ ଜୋର ରେ ଭିଡ଼ି ଧରିଲା..। ଏବେ ମାଆ କୁ ଛାଡ଼ି ସନ୍ତୋଷ କାଞ୍ଚନ ଚୁଟି କୁ ଭିଡ଼ି ପିଟି ପିଟି ନିଜ ପୁରୁଷ ପଣିଆ ଜାହିର କଲା ।ସେତେବେଳେ କାଞ୍ଚନ ମଧ୍ୟ ତାକୁ ଧକ୍କା ଟେ ଦେଇ ସକାଳ ହେଲେ ଥାନା ରେ ରିପୋଟ ଲେଖିବ ବୋଲି ଧମକେଇ ଦେଲା...। ଏବେ ସନ୍ତୋଷ ର ନିସ୍ତେଜ ଶରୀର ଆଡ଼କୁ ଚାହିଁ  ଗୁଣୁ ଗୁଣୁ ହୋଇ କହୁଥାଏ ଘର କଲେ ଏମିତି କଳି ଝଗଡ଼ା ହୁଏ.ଚିହ୍ନି ପାରିଲୁନାହିଁ , ମୁଁ କଣ ସତରେ ପୋଲିସ ରେ ଦେଇଥାନ୍ତି.. । ମୂର୍ଖଙ୍କ ପରି କିଏ ଜୀବନ ହାରିଦିଏ..ମଝି ଦାଣ୍ଡ ରେ ବସେଇ ଦେଲୁ ଭସେଇ ଦେଲୁ ମୋ ସଂସାର..କି ସୁଖ ପାଇଲୁ..। ଯଦି ଭୁଲ୍ କରିଚୁ କି ଧାର କରଜ କରିଚୁ କଥା ହେଇ କାମ କରି ସୁଝି ଦେଇ ଥାନ୍ତେ..ଦି ବର୍ଷ କାଳ ଟଙ୍କା ଟାଏ ଦେଇ ନ ଥିଲୁ..ଆମେ ଚାରି ଜଣ ଚଳି.. ଭାର ବେଭାର ବନ୍ଧୁ ..ବାନ୍ଧବ ମହତ ଅଳ୍ପ ବହୁତ ଚଲେଇଥଲି.ଆଉ କଣ ଉପାୟ ବାହାରି ଥାଆନ୍ତା..।. କିଛି ନ ବୁଝି ନ ଶୁଝି ଏମିତି କିଏ ଚାରି ଦଉଡ଼ି କଟା ହୋଇ ଝୁଲି ପଡ଼େ ପଙ୍ଖା ରେ ..। ଡର , ଅପମାନ ନା ରାଗ କାହିଁକି ଏମିତି ଦୂର୍ବୁଦ୍ଧି କଲା ରକତ ଖିଆ ଟା।ଟିକିଏ ଧୈର୍ଯ୍ୟ ନାହି ।ବୁଝି ପାରିଲା ନାହିଁ ତା ରକ୍ତ ର ଛୁଆ ଗୁଡା କି ଖୁସି ହେଇଥିଲେ ଏତେ ଦିନରେ ବାପ ଟା ଫେରିଛି ବୋଲି । ସତ କହିଲେ କାଞ୍ଚନ ର ନିଜ ପାଦ ଭୂଇଁ ମାଡୁ ନ ଥିଲା ଖୁସି ରେ।ଦୁଇ ବରଷ ହେଲାଣି ବିଦେଶ (ବେଙ୍ଗାଳୁରୁ)ରେ ଥିଲା..ସେଠୁ ଫେରୁଥିବା ଲୋକ ମାନେ କୁହନ୍ତି ସେ ଫେରିବ ନାହିଁ ..ଗୋଟେ ମାଇକିନା ଧରି ସେଠି ରହିଛି ..ଯାହା ପଇସା ରୋଜଗାର କଲା ତା ପିଛା ଉଡେଇଲା..ଆମେ ଭଲ ରେ ମନ୍ଦ ରେ ଆକଟ କରି କହିଲେ,.କଲି କଜିଆ କରୁଛି....ତୁ ତା ଆଶା ଛାଡ଼ି ଅଲଗା ବାଟ କର..। ସେ ଭାବେ ଏ ଲୋକ ଗୁଡା ମିଛ କହୁଛନ୍ତି.. ବିଶ୍ୱାସ କୁ ନିଏନି..।କେମିତି କରନ୍ତା ସେଇ ଟିକିଏ ଭରସା ରେ ରାତିଦିନ ଏକ କରି ଅପେକ୍ଷା କରିଥିଲା ସନ୍ତୋଷ ଫେରିବାକୁ । ସନ୍ତୋଷ ଫେରିଲା ପରେ ଏବେ ଭାବୁଥିଲା.. ଏ ଲୋକ ଗୁଡା ସତରେ ତାଙ୍କୁ ତୁଚ୍ଛା ସହି ପାରୁନାହାନ୍ତି କେତେ. ମିଛ ସତ କହିଛନ୍ତି.. ସେ ତ୍ ଫୋନ ରେ କଥା ହେଲାବେଳେ ଯେମିତି ସରାଗ ଦେଖେଇ କଥା ହୁଏ ଏବେ ତ ଆସିଲ ପରେ ସେମିତି ସୋହାଗ . .ଆଦର କରୁଚି..।ସେ ଜାଣେ ଲୋକଗୁଡା ଏମିତି ଅା ନାଁ ରେ ତା ନାଁ ରେ ଗପି ଆନନ୍ଦ ନିଅନ୍ତି..।ତାକୁ ଏକୁଟିଆ ପାଇ ଏଇ ଲୋକ କେତେ ବାହାନା ରେ ଆସି.. କାହିଁ କେତେ ପ୍ରକାର ଦୁର୍ବ୍ୟବହାର କରି ନାହାନ୍ତି..। କେହି କେହି ସନ୍ତୋଷ କୁ ଛାଡ଼ି ଦେଇ ଆଉଥରେ ତାଙ୍କ ହାତ ଧରିଲେ

ରାଣୀ କରି ରଖିବାର ପ୍ରଲୋଭନ ଦେଖାଇଛନ୍ତି..ଏବଂ ଅପମାନିତ ହେଇ ଫେରି..ତାକୁ କେତେ ପ୍ରକାର ବଦନାମ କରିଛନ୍ତି ସାହି ଭାଇ, ଗାଆଁ ଗଣ୍ଡା ରେ..। ସବୁ କୁ ଆଖିବୁଜି ସହିଚି...ସହିବାକୁ ବାଧ୍ୟ..ତାର ଉପାୟ ନ ଥିଲା..ଘରୁ ଗୋଡ଼ ନ  କାଢିଲେ ସମସ୍ତ ଙ୍କ ମୁହଁ ରେ ଦାନା ଗଣ୍ଡାଏ ଦେବ କେମିତି..।ସନ୍ତୋଷ ଫେରିବା ପରେ ସେ ଆଶ୍ବସ୍ତ ହେଲା..

ମଣିଷ ଟିକେ ଇଜ୍ଜତ ରେ ବଞ୍ଚିବ..ଭୁଲ୍ କରୁ ଠିକ୍ କରୁ.. ଆସାମୀ (ଏଠି ସ୍ବାମୀ) ଘରେ ଥିଲେ କେହି ଆଡ ଆଖିରେ ଅନେଇ ବାକୁ ସାହସ କରିବେନି। ଯାହା ହଉ ଲୋକ ଯାହା କୁହନ୍ତୁ ଠାକୁରାଣୀ ଦୟା ରୁ ଘରକୁ ଫେରିଛି ସେ ତାକୁ ଆଉ ଛାଡିବନି ସେ ପର ରାଇଜ କୁ..ଏଥର ।ନିଜେ କାମ ଧନ୍ଦା କରି ତାକୁ ପୋଷିବ ପଛକେ କାହା ଖରାପ୍ ନଜର .. ଖରାପ ଛୁଆଁ ସହିବନି..। ଆସିବାର ଚାରି ପାଞ୍ଚ ଟା ଦିନ ଭଲ ରେ ନ ଯାଉଣୁ ସନ୍ତୋଷ ର ଅସଲ ରୂପ ଟା ଦେଖି ପାରିଲା,..।ସେ ସ୍ବପ୍ନ ରେ.. ଭାବି ନ ଥିଲା ତା ଗେରସ୍ତ ଘର ବିକି ପଇସା ନେଇ ପୁଣି ଥରେ ଫେରିଯିବାକୁ ଆସିଚି..। କେମିତି ଛାଡ଼ି ପାରି ଥାଆନ୍ତା ମୁଣ୍ଡ ଗୁଞ୍ଜିବାକୁ ଥିବା ଏଇ ଭିଟା ମାଟି ଖଣ୍ଡିକ ବିକି ବାକୁ ସେ।

 ଯାହା ହେଲେ ବି ବିକି ବାକୁ ଦବ ନାହିଁ..ଛୁଆ ଦିଟା ସହିତ ଶାଶୁ ବୁଢ଼ୀ ସେମାନେ ରହିବେ କେଉଁଠି..।ଯିଏ ଦୁଇ ବର୍ଷ ପରେ ଫେରିଲା ବିଦେଶ ରୁ କାଣି କଉଡ଼ି ଟେ ଆଣିନି କେବେ ବି ଟଙ୍କା ହଜାରେ ପାଞ୍ଚ ହଜାରେ ପଠେଇନି ଘର ଚଳେଇବା ପାଇଁ....ଯାହା ରୋଜଗାର କଲା ଖାଇ ପିଇ ଅୟସ କରି ସାରିଛି..ପୁଣି ଦୁନିଆ କରଜ..ସେଇ କରଜ ଶୁଝିବ   ଘର ଢି ଅ ବିକି । ସେ କଣ ସାହାଯ୍ୟ କରିବ...।ଏତିକି ତାଙ୍କର ଭୁଲ୍ ..ଶାଶୁ ବୋହୁ ଦୁହେଁ ବିକ୍ରୀ ହେବାକୁ ଦେବେ ନାହିଁ ବୋଲି ଜିଦି ରେ ରହିଲେ...ଯାହାର ପରିଣାମ ଆଜି ସନ୍ତୋଷ ଆତ୍ମହତ୍ୟା କରିଛି।ପୁଅ ,ତିନି ବର୍ଷର କିଛି ବୁଝୁନି ତାକୁ ଜାବୁଡି ଧରି ମଝିରେ ମଝିରେ କାନ୍ଦୁଚି..ବାପା କୁ ନିଦ ରୁ ଉଠେଇ ବାକୁ, ଖାଇବ  ବାପା ସହିତ ଭୋକ ଲାଗୁଚି ତାକୁ.।  ଝିଅ ବଡ଼ ବୋଲି ,ପାଞ୍ଚ ବର୍ଷ ର ଟିକିଏ ଜାଣି ପାରୁଚି..ସେଥିପାଇଁ ଧକେଇ କାନ୍ଦୁଥିବା ତ ମାଆ ଆଖିରୁ ଲୁହ ପୋଛି ଦେଇ ପିଠି ଆଉଁଶି ଦେଉଚି ମଝିରେ।

ପୋଲିସ କେଶ୍ ...କେହି ଯାଇ ଛୁଇଁ ବେନି..ଫାଣ୍ଡି ରୁ ଥାନା ବାବୁ ନ ଆସିବା ପର୍ଯ୍ୟନ୍ତ....।ଖବର ଜାଣି ସାଇ ଭାଇ ବନ୍ଧୁ ବାନ୍ଧବ ଭିଡ ଜମିଛି,... .ଆଶ୍ୱାସନା ରେ ପଦେ କହିବା ବଦଳ ରେ ତା କଟା ଘାଆ ରେ ଚୂନ ଦେଇ ଚାଲିଛନ୍ତି

   ମାମୁଁ ଶଶୁର ଯାହାର ସେ ସମ୍ପର୍କ ରେ ବୋହୂ ହେବ , ବୟସ ରେ ଝିଅ ପରି । ତା ମୁହଁକୁ ଛେପ ପକେଇ କହୁଥାନ୍ତି ବଜାତ୍ ମାଇକିନା..ଏକୁଟିଆ ରହି.. ରାସ କରୁଥିଲା..ଦୁଇ ବର୍ଷ ହେଲାଣି ପିଲାଟା ଘରକୁ ଫେରି ନ ଥିଲା .ଏବେ..ଆଠ ଦିନ ହେଇନି..ଏମିତି କଣ ଅସଜ୍ୟ କାମ କଲୁ ଛତର ଖାଇ .

ସହି ପାରିଲାନି ଏକାଥରେ ତିନି ପାଞ୍ଜି ରୁ ଗଲା..ଜୀବନ ହାରିଦେଲା.। ନିଜ ବାପା ଭାଇ ତ ପଚାରିଲେନି..ମଲୁ କି ଗଲୁ ।ସୁରଟ ରେ ରହିଲେ ଦେଲା ନାରୀ ହେଲା ପାରି କରି..ଆଉ ଏଠି ଦୁନିଆ ଧରମ ଭାଇ କରି ନାଟ ଚଲେଇଥିଲୁ ସୁନ୍ଦର ରୂପ ପସରା ମେଲେଇ...ଆମେ ସିନା ବାହାର ଲୋକ କିଛି କହିବୁନି..ସେ ମରଦ ପିଲାଟା ସହି ପାରିଲେ ତ..ଗଲା ତୋ ବାଟ ଏବେ ଖାଲି ଯାହା କରୁଛୁ କର...।ଏତେ ସବୁ ଶୁଣିଲା ପରେ କାଞ୍ଚନ ଆଉ ଧର୍ଯ୍ୟ ଧରି ପାରୁ ନ ଥିଲା..ଇଚ୍ଛା ହେଉଥିଲା. ଆଖିରୁ ଲୁହ ପୋଛି ପିଣ୍ଡା ତଳକୁ ଆସି ତା ମାମୁଁ ଶଶୁର ଙ୍କୁ କୁ ଶକ୍ତ ଜବାବ ଦେବାକୁ ... କୁଆଡେ ଯାଇଥିଲ ଦି ବର୍ଷ ହେଲାଣି ..ଯେବେ ଠାରୁ ତୁମ ଭିଣେଇ ..ରୋଗ ରେ ପଡି ଜମିବାଡ଼ି ବିକି. ଦୁନିଆ ଧାର ଉଧାର କରିଚେଷ୍ଟା କରି ବଞ୍ଚେଇ ପାରିଲୁନି .ସେତେ ବେଳେ ତୁମର ଦେଖା ଦର୍ଶନ ନ ଥିଲା. ଭଣଜା ଘର ଛାଡ଼ି ବାହାରକୁ ଗଲା...., ଦୁଇ ବର୍ଷ ହେଲା ଫେରିଲା ନାହିଁ..ବୁଝି ଥିଲ ...ଘର ଟାରେ ଛାଡ଼ିଦେଇ ଯାଇଥିବା ବଡ଼ ସାନ ଚାରି ପ୍ରାଣୀ କୁଟୁମ୍ବ କେମିତି ଚଳୁଚନ୍ତି...ରାତିଦିନ ଏକ କରିଏମାନଙ୍କୁ ବଞ୍ଚେଇ ରଖି ବାକୁ କେତେ ଜଣ ଙ୍କ ଗୋଡ଼ ହାତ ଧରି ନେହୁରା ହେଇଚି ।.।ବିଲବାଡ଼ି . ହାଟ ଘାଟ ବଜାର ସଉଦା କୁଆଡେ ନ ଗଲେ ନ ଚଳେ.।ଛ ବର୍ଷ ର ବାହାଘର.ସାତ ସହି ବୁଲି ବୁଲି କାମ କଲା.ବେଳେ. କାଇଁ ତ ଥରେ କହିନ ଘର ର ବୋହୁ ବାହାରକୁ ନ ଯାଉ କାମ ଧନ୍ଦା କରିବାକୁ..। ସେତେ ବେଳେ ଚରିତ୍ର କଥା ମନେ ପଡୁ ନ ଥିଲା ..ଆଉ ଆଜି ଗେରସ୍ତ ମରି ଗଲା ସବୁ ଦୋଷ ଏମିତି ଲଦି ଦେଇ ଇଜ୍ଜତ ମାନ ସମ୍ମାନ କୁ ମିଶେଇ ଦେଲ .. ଚରିତ୍ରହୀନା.... କହି। ଏମାନେ ନିଜ ଲୋକ ..ଯିଏ.ଦୁଃଖ ବେଳେ ପିଠି ଉପରେ ପାହାଡ଼ ଲଦି ଦେବାକୁ ଭୂଳନ୍ତିନି..ବାଃ ବଡ଼ ଅଦ୍ଭୁତ ଏ ଦୁନିଆ ର ନିୟମ...।

 ବାପ ଘରୁ ଆଣିଥିବା ସୁନା ଅଳଙ୍କାର ପେଡ଼ି ବାସନ ସବୁ ଦେଇ ବାଡ଼ୁଅ ନଣନ୍ଦ କୁ ଶାଶୁ ଘର ପଠେଇଲା ବେଳେ କେହି କହି ନ ଥିଲା.. ଏ ସବୁ ଦିନେ ତୋ କାମ ରେ ଆସିବ ଥାଉ.. । ସମସ୍ତ ଙ୍କ ନିଜର କରିବାକୁ ଯାଇ କାହାକୁ ବାନ୍ଧି ପାରିଲାନି ..ନିଜ ପଣତ ରେ..। ବାଟ ଭାଙ୍ଗି  ସବୁ ଚାଲିଲେ ନିଜ ନିଜ ଖୁସି ପଛରେ.. ନଣନ୍ଦ ଯାହାକୁ ସାନ ଭଉଣୀ ପରି ସ୍ନେହ ଦେଇ ଶାଶୁ ଘର ପଠେଇଲା ଦିନେ ତ ସେ ପଚାରିନି.... .ଭାଇ ବାପ ନ ଥିବା ଘରେ ଭାଉଜ ଛୋଟ ପିଲା ମାନେ କେମିତି ଅଛନ୍ତି। ସେମାନଙ୍କ ଖବର ନ ହେଲା ନାହିଁ ନିଜ ଜନ୍ମ କଲା ମାଆ ଟା କେମିତି ଅଛି.. ?

ଆଜି ଲୋକ ଟା ମରିଗଲା ପରେ ସମସ୍ତଙ୍କ ର ଏତେ ଦରଦ ବାହାରୁଚି...ଆଗରୁ ହେଲେ ତାକୁ ଭଲ ବୁଦ୍ଧି ଦେଇ ..ଭଲ ମଣିଷ ଟେ ହେବା ପାଇଁ ବୁଝେଇ ଥାନ୍ତ. ।କାଞ୍ଚନ ବସି ଭାବୁଥିଲା ଏଥର ସେ ଆଉ ସହି ପାରିବନି ନଈ କି କୂଅ କୁ ଡେଇଁ ଜୀବନ ଦେଇ ଦେବ  ପ୍ରତିଦିନ ପ୍ରତି ମୁହୂର୍ତ୍ତ ରେ କେତେ ସହିବ..ଏବେ ତ ଆହୁରି ବଢ଼ି ଚାଲିବ ଲୋକ ମାନଙ୍କ ର ତା ପ୍ରତି ଘୃଣା ଅପାମନ..ଦୁର୍ବ୍ୟବହାର..। ଛୁଆ ଦିଟା  ଦି ହାତ ଉପରେ ନିଜ ମୁଣ୍ଡ କୁ ରଖି ତା କୋଳ ଆଡ଼କୁ ଆଉଜି ବସିଥିଲେ। ସେମାନଙ୍କ ଉପରେ ନିଜ ହାତ ଟାକୁ ଥରେ ବୁଲେଇ ଆଣି ଉଡି ଶିଖି ନ ଥିବା ନିରାଶ୍ରୟ ଛୁଆ ଦୁଇଟି ଙ୍କ ମୁହଁକୁ ଚାହିଁ ଛାତିକୁ ପଥର କରୁଥିଲା..ନିଜକୁ ନିଜେ ବୁଝେଇ ଦେଉଥିଲା ଏବଂ ପ୍ରସ୍ତୁତ ହେଲା ଏକ ଅନାହୁତ ଭବିଷ୍ୟତ ପାଇଁ ..ଏବେ ସେ କେବଳ ମାଆ ନୁହେଁ ବରଂ ଏ ବାପା ଛେଉଣ୍ଡ ପିଲାଙ୍କର ବାପା ଆଉ ପୁଅକୁ ହରେଇ ବାରମ୍ବାର ଛାତି ଓ ମଥା ପିଟି ହେଉଥିବା ଶାଶୁ ଙ୍କ ର ପୁଅ ହେବ..ଯେତେ ଝଡ ଖଞ୍ଜା ଆସିଲେ ସେ ହାରିଯିବନି ..। ସେ ବୁଝି ପାରୁଥିଲା..ଆଜି ନୁହେଁ ଏମିତି ଏ ଲଢେଇ ତାର ସବୁଦିନ ଚାଲିବ .ନିଜ ଛୁଆମାନେ ଉଡି ଶିଖିବା ପର୍ଯ୍ୟନ୍ତ.. ସେମାନଙ୍କୁ ବଞ୍ଚେଇ ବଡ଼ କରିବାକୁ ସେ ଅପମାନ ର ବିଷକୁ ଅମୃତ ଭାବି ନିତି ପିଇବ..ଆଉ ସମସ୍ତଙ୍କ କଟୁ କଥାକୁ ଚନ୍ଦନ ପରି ବୋଳି ହେବ। ଛୁଆଙ୍କ ଖୁସି ପାଇଁ ଦିନେ ନୁହେଁ ବାରମ୍ବାର ହେବ ସେ ଚରିତ୍ରହୀନା....।


Rate this content
Log in

Similar oriya story from Tragedy