STORYMIRROR

Padmalaya Padhy

Tragedy

4  

Padmalaya Padhy

Tragedy

ଚୋରଣୀ

ଚୋରଣୀ

8 mins
246


ପୁରି, ଖିରି, ତରକାରୀ ଓ ମାଛ ଭାଜି ରଖି ସାରି କିଚେନ ରୁ ବାହାରି ଆସୁ ଆସୁ ମାଛ ର ବାସ୍ନା ବାଜି ସେ ଆଡେ ଟିକେ ଚାହିଁବାକୁ ଇଚ୍ଛା ହେଲା । ଏ କଣ କରୁଛନ୍ତି ସେ ? ଆଜି ସତୁରି ବର୍ଷ ରେ ଏମିତି କଣ ମତି ଭ୍ରମ ହେବା କଥା କି ? ଆଜି କାହିଁକି ସବୁ ଚାଖିବା ପାଇଁ ମନ ହେଉଛି ।


ଷୋହଳ ବର୍ଷ ରେ ବିଧବା ହେଲେ । ଶୃଙ୍ଗାର, ସ୍ୱାଦ, ସ୍ବପ୍ନ ସବୁ

ଗଲା । ବିବାହ କଣ ସ୍ୱାମୀ କିଏ ଜାଣିବାକୁ ପାଇ ନାହାନ୍ତି ହେଲେ ସାରା ପୃଥିବୀ ତାଙ୍କ ପାଇଁ ସମ୍ପୂର୍ଣ୍ଣ ରୂପେ ଅଜଣା ହୋଇଗଲା । ଏବେ ଭାଇ ପାଖରେ ଆସି ରହିଲା ଦିନରୁ କିଛି କିଛି ନିୟମ କାନୁନ କୋହଳ ହେଲାଣି । ନୋହିଲେ ଚିରକାଳ ସେଇ ରଙ୍ଗହୀନ ଖଣ୍ଡେ ଧଳା ଶାଢ଼ୀ, ଦିନକୁ ଦୁଇବେଳା ଯାହିତାହି ବଂଚିବା ପାଇଁ ଗିଳିବା କଥା ସିନା ନହେଲେ ବଂଚିବା ର କିଛି କାରଣ ହିଁ ନଥିଲା ସେବତୀଙ୍କର । ଉତ୍ତିର୍ଣ୍ଣ ବୟସ ର ପାଗଳାମି ଦେଖି ନିଜେ ଲଜ୍ଜିତ ହେଲେ ମଧ୍ୟ ।


ଜଣେ ମଣିଷ ଅନ୍ୟ ମଣିଷ ମାନଙ୍କ ଠାରୁ କଣ ବା ପାଇଛି ଆଜି ଯାଏଁ ? ସେଇ ମଣିଷ ମାନେ ପୁଣି ତାଙ୍କର ଅତି ନିକଟତର । ସକାଳୁ ଉଠି ଏତେବଡ ଶୀତ ରେ ଗାଧୋଇବାକୁ ପଡେ ଯଦିଓ ଘରେ ଅନ୍ୟ ମାନଙ୍କ ପାଇଁ ଗାଧୋଇବାକୁ କାଠ ଚୁଲି ରେ ଗରମ ପାଣି ହୁଏ । ଗୋଟେ ବିଧବା ଜୀବନ ର ମୂଲ୍ୟ ବି କିଛି ନାହିଁ । ଯଦି ସ୍ୱାମୀ ଚାଲିଯାଆନ୍ତି ଅଧାପ୍ରାଣ ଏବଂ ଯଦି ସନ୍ତାନହୀନ। ତେବେ ପୁରା ଜୀବନ ହିଁ ମୂଲ୍ୟହୀନ ହୋଇଯାଏ । ଘରେ ସମସ୍ତେ କ୍ଷୀର ପିଇଲେ ବି ବିଧବା କୁ କ୍ଷୀର କଣ ଦରକାର ଯେ ! ଝାଡା ବାନ୍ତି ହେଲେ ଓଷଦ ଦରକାର ପଡ଼େନି ଡାଳିମ୍ବ ରସ ନିଗାଡ଼ି ପିଇଲେ ଭଲ ହେବ ଅବା ନହେବ । ନହେଲେ ଆଉ ଗୋଟିଏ ଅଲୋଡ଼ା ପ୍ରାଣ ପୃଥିବୀ ପୃଷ୍ଠ ରୁ କମିଯିବ । ସେମିତି ଏକ ଯୁଗରେ କୃପାସିନ୍ଧୁପୁର ଶାସନ ରେ ସେ ଜନ୍ମ ହୋଇଥିଲେ ।


 ମନ ର ଗୋପନ ବ୍ୟଥା କାହାକୁ କହି ହୁଏନି । ଷୋଳ ବର୍ଷ ରେ ଶାଶୁ ଘର କୁ ଯିବା ଆଗରୁ ଭାବି ସ୍ୱାମୀଙ୍କ ର ମୃତ୍ୟୁ ଖବର ପାଇ ବାପ ଘରେ ହିଁ ବାଲ୍ୟ ବିଧବା ରେ ରୂପାନ୍ତରିତ ହୋଇ ଯାଇଥିବା ସେବତୀ ଆଜିକାଲି ଷୋଳ ସତର ବର୍ଷ ର ପିଲାମାନଙ୍କୁ ଦେଖି ଚାହିଁ ଶାସନ କରିବା କଥା କୁହା ଯିବାର ଶୁଣିଲେ ଆଶ୍ଚର୍ଯ୍ୟ ହୁଅନ୍ତି । କଣ କହନ୍ତି ନା ତାକୁ ହରମୋନ । ଯେଉଁ ହରମୋନ ଲାଗି ପିଲା ମାନେ ଭାବ ପ୍ରବଣ ହୋଇ ଯାହା ତାହା କରିଦିଅନ୍ତି । ଟିକେ ଟିକେ କଥାରେ ଆଜିକାଲି ପିଲା ଆତ୍ମହତ୍ୟା କରିଦେଉ

ଛନ୍ତି । ସେବତୀ ଯଦି ସେମିତି କରିଥାନ୍ତେ ତେବେ…ଛାଡ…..। ତା ମାନେ କଣ ସେବତୀ ଙ୍କ ମନ ବୋଲି କିଛି ନଥିଲା ନା ସେ ଗୋଟେ ଜୀବନ୍ତ ଶବ ଥିଲେ ?


ସବୁକିଛି ସେ ଭାବିଛନ୍ତି ଅନୁଭବ କରିଛନ୍ତି ଲୁଚାଇ ଲୁଚାଇ କାନ୍ଦିଛନ୍ତି ମଧ୍ୟ । କିନ୍ତୁ କାହାରିକୁ ଜାଣିବାକୁ ଦେଇ ନାହାନ୍ତି । କେମିତି ଗୋଟେ ହୀନ ହୀନ ଲାଗେ ନିଜର ଲୁହ ଅନ୍ୟକୁ ଦେଖାଇବାକୁ । ଅନ୍ୟ ମାନେ କଣ ବୁଝିବା ଶୁଝିବା ଲୋକ ନଥିଲେ କି ? ସେମାନେ ତ ସେବତୀ ଙ୍କ ଠାରୁ ବୟସରେ ଢ଼େର ବଡ଼ ଥିଲେ ନା । ବାପା ଭାଇଙ୍କ ର କଡା ପହରା ରେ ସେବତୀଙ୍କ ଯୌବନ ଆସିଲା ଓ ଚାଲିଗଲା ମଧ୍ୟ । କିଛି ହେଲେ ଦୁଃଖ ନାହିଁ ସେଥିପାଇଁ । ଦେହର ଭୋକ ନଥିଲା କିନ୍ତୁ ପେଟର ଭୋକ ପଦାରେ ପଡିଯାଉଥିଲା ।


 ଜିଭ ର ଲାଳସା ଏମିତି ଗୋଟିଏ ଜିନିଷ ଯାହାକୁ ସେ ରୋକି ପାରନ୍ତି ନାହିଁ । ପୃଥିବୀ ରେ ତାଙ୍କର ସବୁଠୁ ପ୍ରିୟ ଜିନିଷ ହେଲା ମାଛ ଭଜା । ଘରେ ଏତେ ଭାଇ ଭଉଣୀ ଭିତରେ ତାଙ୍କ ଭାଗକୁ ମାତ୍ର ଖଣ୍ଡିଏ ଆସିଲେ ବଡ କଥା । ଜିଦ ଧରି କାନ୍ଦିଲେ ମା କହେ ବଡ଼ ଘରେ ଜୋଇଁ କରା ହୋଇଛି ପରା । ତେଣୁ ଶାଶୁ ଘରକୁ ଗଲେ ଯେତେ ଇଚ୍ଛା ସେତେ ମାଛ ଭଜା ମିଳିବ । ଆଉ କେତେ ଦିନ ଥୟ ଧରି ରହିଯା ।


ଅଥଚ ସବୁ କିଛି ଆରମ୍ଭ ହେବା ଆଗରୁ ସରି ଗଲା । ସେଦିନ ବିଧବା ହେବାର ପ୍ରକ୍ରିୟା ଆରମ୍ଭ ହେଲାଠୁ ସରିବା ପର୍ଯ୍ୟନ୍ତ ସେ ଯେତେ କାନ୍ଦିଛନ୍ତି ନା ସମଗ୍ର ସତୁରି ବର୍ଷ ରେ ବି ସେତିକି କାନ୍ଦି ନାହାନ୍ତି !! ହଁ ! କିନ୍ତୁ ସେଇ କାନ୍ଦଣା ଯୋଗୁଁ ହିଁ ଅତି ସହଜ ରେ ତାଙ୍କୁ ସତୀ ନାରୀ ର ଆଖ୍ୟା ମିଳି ଯାଇଥିଲା ଓ ତାଙ୍କ ପାଇଁ ଆହୁରି ଶକ୍ତ କଟକଣା ମାନ ଲାଗୁ ହୋଇ ଯାଇଥିଲ। ।


କାର୍ତ୍ତିକ ମାସରେ ଦିନକୁ ଥରେ ଓ ଅନ୍ୟ ଦିନେ ଦୁଇଥର ଖାଇବା ଓ ମଝିରେ ଭୋକ ହେଲେ ତିନ୍ତୁଳି ମଞ୍ଜି ଚୋବାଇ ଭୋକ ମାରିବା ର ସେ ସମୟ ରେ ଯେଉଁ ଅଭିନବ ଉପାୟ ଟି ଥିଲା ସେବତୀ ସେଥିରେ ଖାପ ଖୁଆଇ ଚଳି ପାରୁନଥିଲେ । ସେଦିନ ସାନ ଭାଇ ବୁଟୁ ଖାଇଲା ବେଳେ କବାଟ କୋଣ ରୁ ଖଣ୍ଡେ ମାଛଭଜା ହାତ ଠାରି ଯେତେବେଳେ ମାଗିଥିଲେ ଏବଂ ବୁଟୁ ତାଙ୍କୁ ସର୍ବ ସମକ୍ଷରେ ପଦାରେ ପକାଇ ଯେମିତି ବେଜ୍ଜିତ କରିଥିଲା ତାହାକୁ ସେ ଯଦି ମୁଣ୍ଡ କୁ ନେଇଥାନ୍ତେ ତେବେ କେତେବର୍ଷ ତଳୁ ଗାଁ ମୁଣ୍ଡ ଗାଡ଼ିଆ ରେ ତାଙ୍କର ମୃତ ଦେହ ଭାସିଥାଆନ୍ତା । କିନ୍ତୁ ସବୁ କିଛି ଅପମାନ ହଜମ କରିବାର ଶକ୍ତି ବୋଧେ ଭଗବାନ ତାଙ୍କୁ ଦେଇଥିଲେ । କାରଣ ସେ ବିଧବା ! ଯଦି ଦେଇ ନଥିଲେ ତେବେ ଭୋକ ମାରିବାର କୌଶଳ ଟି ହିଁ ଦେଇ ନଥିଲେ ।


ସେଥର ମାମୁଁ ଙ୍କ ପୁଅ ବାହାଘର ଦିନ ଅଠର ବର୍ଷୀୟା ସେବତୀ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ତାଙ୍କ ସାହି ର ଲିକୁ ସହିତ କଥା ଛିଣ୍ଡାଇ ଥିଲେ ଯେ ମଣ୍ଡପ ପଛପଟେ ଥିବା କୂଅ ପାଖରେ ସେ ଅପେକ୍ଷା କରିବେ ଓ ଲିକୁ ସେବତୀ ଙ୍କୁ ଭଜା ମାଛ ଦିଖଣ୍ଡ ଆଣି ଦେବ । ଲିକୁ ତାର ଜବାବ ରଖିଥିଲା ମଧ୍ୟ । କିନ୍ତୁ ପତ୍ର ର ପୁଡିଆ ଭିତରେ ମାଛ ଖଣ୍ଡ ଗୁଡିକୁ ଆଘ୍ରାଣ କରି ଦେଖିବାରେ ହିଁ ସମୟ ଚାଲିଗଲା ସିନା ଆଉ ଖାଇଲେ କେତେବେଳେ ।


ଲିକୁ ସେପଟେ ଯାଇ ସେବତୀ ଙ୍କ ସାନଭାଇ ବୁଟୁ କୁ ରୋଚକ ଖବର ଟି ଦେଇ ଦେଲା ଓ ଚୋର କୁ ଚୋରୀ କରିବା ଅବସ୍ଥାରେ ହିଁ ଧରିଲେ ମଜା ଆସେ ବୋଲି ବୁଟୁ ଭୋଜିରେ ଉପସ୍ଥିତ ଥିବା ସମସ୍ତ ବନ୍ଧୁ ବାନ୍ଧବ ଙ୍କ ଉପସ୍ଥିତିରେ ସେବତୀ ନାମକ ଚୋର ନୁହେଁ ଚୋରଣୀଟିକୁ ହିଁ ଧରିଥିଲା । ଏମିତି ବାରମ୍ବାର ଖାଦ୍ୟ ଆସେ କିନ୍ତୁ ଜିଭ ରେ ବାଜିବା ଆଗରୁ ଅପମାନ ର ଜ୍ୱାଳା ରେ ଭୋକ ପ୍ରଶମିତ ହୋଇ ଯାଏ । ଆଜିକାଲି ଯାହାକୁ କାର୍ଟୁନ ସୋ ବୋଲି କହୁଛନ୍ତି ସେତେବେଳେ ସେବତୀଙ୍କ ଜୀବନ କୁ କାର୍ଟୁନ ସୋ ଭଳି ସମସ୍ତେ ମନଭରି ଉପଭୋଗ କରୁଥିଲେ ।


ଆଜି ସେଇ ସାନଭାଇ ବୁଟୁ ଘରେ ଅବୈତନିକ କାମବାଲୀ ହୋଇ ସେବତୀ ପଡି ରହିଛନ୍ତି । ନହେଲେ ଅବା କୁଆଡେ ଯାଇଥାନ୍ତେ । ବାପା ମା ଙ୍କ ପରେ ତାଙ୍କର ଆଉ ଥିଲା କିଏ ଯେ ପୋଷିଥାନ୍ତା ? ବଡ ଭଉଣୀ ସୌଭାଗ୍ୟବତୀ ସତରେ ସୌଭାଗ୍ୟ ଧରି ଆସି

ଥିଲା । ତାର ଦୁଇ ପୁଅ ଆଜି ଡାକ୍ତର । ଅନେକ ଥର ସ୍ୱାମୀ ଠାରୁ ମାଡ଼ ଖାଇ ହାତ, ମୁହଁ ଓ ପିଠି ରେ କ୍ଷତ ଚି଼ହ୍ନ ଧରି ବାପ ଘରକୁ ଆସିଯାଏ ଓ ପୁଣି ବାପା ଭାଇ ନେଇ ତାକୁ ଶାଶୂଘରେ ଛାଡି ଆସନ୍ତି ।


ଛେଳିର ଗନ୍ତବ୍ୟ ସ୍ଥଳ ହେଉଛି କଂସେଇଖାନା । ଆଉ କୁଆଡେ ବାଟବଣା ହେବାର ପ୍ରଶ୍ନ ହିଁ ଉଠୁନି । ଆରବର୍ଷ ସେ ସ୍ୱାମୀ ଠାରୁ ଗଙ୍ଗାଜଳ ପାଇ କାଚ ସିନ୍ଦୁର ଥାଇ ସଧବା ରେ ଆରପାରିକୁ ଚାଲି

ଗଲା । ଏହା ଠାରୁ ବଡ ସୌଭାଗ୍ୟ ଗୋଟିଏ ନାରୀ ପାଇଁ ଆଉ କଣ ହୋଇପାରେ !!! ସେବତୀ ହିଁ ଜଣେ ହତଭାଗିନୀ ଯେ ସମସ୍ତଙ୍କୁ ଖାଇସାରି ବି ବଞ୍ଚିରହିଛନ୍ତି ।


ଆଜି ଚୋର ଧରିବାରେ ଉସ୍ତାଦ ପୋଲିସ ଅଫିସର ବୁଟୁ ର ଏକମାତ୍ର ଝିଅ ଲିଟି ର ଜନ୍ମଦିନ ତେଣୁ ବୁଟୁ ଝିଅକୁ ଧରି ସସ୍ତ୍ରିକ ଯାଇଛି । ହୋଟେଲ ରେ କେକ କଟାହେବ ଓ ଜନ୍ମଦିନ ପାଳନ ହେବ । ଝିଅ କିନ୍ତୁ କହିଛି ଘରେ ପିଇସୀ ନାନୀ ର ହାତରନ୍ଧା ଖାଇବ । ସେଥିପାଇଁ ଏତେ ରନ୍ଧା ବଢା ର ଆୟୋଜନ । ହୁଏତ ଆଜି ଲିଟି ତାଙ୍କୁ ଭଜା ମାଛ ଖଣ୍ଡେ ଚାଖିବାକୁ ଦେଇପାରେ । ଲିଟି ଠିକ ତା ମା ପରି ହୋଇଛି । ବାପା ର କୌଣସି ଗୁଣ ନାହିଁ ତା ପାଖରେ । ପିଇସୀ ପ୍ରତି ଅଜସ୍ର ଶ୍ରଦ୍ଧା ଓ ଦୟା ତା ମନରେ । ବୁଟୁ ର ସ୍ତ୍ରୀ ମୀରା ଓ ତା ଝିଅ ଲିଟି ବହୁତ ଭଲ ପାଆନ୍ତି ସେବତୀଙ୍କୁ । ବୁଟୁ ବି ଆଜିକାଲି ସେପରି ବାଲ୍ୟ ସୁଲଭ ଚପଳତା ଦେଖାଉନାହିଁ । ବାପା ହେଇଗଲାଣି ପରା ଏବେ ! କଲିଂ ବେଲ ଶୁଣି ଭାବନା ରାଜ୍ୟ ରୁ ଫେରି ଆସିଥିଲେ ସେବତୀ ।


ଘରେ ପାଦ ଦେଉ ଦେଉ ଲିଟି ଆରମ୍ଭ କରିଦେଲା ।

--ମା ! ଦେଖ କେମିତି ବାସ୍ନା ଆସୁଛି । କେତେ ବଡ଼ ଫାଇଭ ଷ୍ଟାର ର ଖାନା ଫିକା ପଡ଼ିଯିବ ମୋ ନାନୀ ର ଖାନା ଆଗରେ ।

-- ତୁ ଯା ଧୁଆ ଧୋଇ ହୋଇ ଆସିଯା । ମୁଁ ପ୍ଲେଟ ସଜାଡୁଛି ।

ଲିଟି ପବନ ବେଗରେ ଚାଲିଗଲା ଓ ତତୋଧିକ ବେଗରେ ଫେରି ଆସିଲା ବି । ନାନୀ ର ସବୁ କଥା ସେ ମାନେ । ସମସ୍ତେ ଟେବୁଲ ଚାରିପାଖେ ବସି ସାରିଲେଣି । ସମସ୍ତଙ୍କୁ ବଢାବଢି କରି ସେବତୀ ଚାଲି ଯାଉଥିଲେ ହଠାତ ପଛରୁ ଲିଟି ପାଟି କରି ଉଠିଲା

--ନାନୀ ମୋର ଗିଫ୍ଟ କାଇଁ ?

ସେବତୀଙ୍କୁ ଅପ୍ରସ୍ତୁତ ଲାଗିଲାଣି । ବୁଟୁ ର ଅର୍ଣ ରେ ପ୍ରତିପାଳିତ ସେବତୀ ପୁଣି ତା ଝିଅକୁ ଗିଫ୍ଟ କଣ ଦେଇପାରିବେ । କିନ୍ତୁ ଲିଟି ଆଜିଯାଏ କେବେ ବି କାହାର ମଜା ଉଡାଇନାହିଁ । ଏବେ କାହିଁକି ଏ କଥା ପଚାରୁଛି ? ଏହାର କିଛି ଉଦେଶ୍ୟ ଥାଇ ପାରେ । ତେଣୁ ସଂକୋଚ ରେ କହିଲେ

--ଆଲୋ ମା ! ଆଶୀର୍ବାଦ ଛଡା ତୋତେ ଦେବାକୁ ମୋ ପାଖରେ ଆଉ କିଛି ଗିଫ୍ଟ ନାହିଁ । ମୋତେ କ୍ଷମା କରିଦେ ।

--ତୋ ପାଖରେ ଅଛି ନାନୀ ! କିନ୍ତୁ ତୁ ଦେଲେ ହେଲା ।

--ଅନ୍ତିମ ସମୟ ରେ କଣ ଅଛି ଏ ନାନୀ ପାଖରେ ଯେ ସେ ତୋତେ ଦେଉ ନାହିଁ କହତ ?

--ଆମେ ଯାହା ଖାଉଚୁ ତୁ ଆଜି ଆମ ସହିତ ବସି ସେଇ ସବୁ

ଖାଇବୁ । ତେବେ ଜାଣିବି ଯେ ତୁ ମୋର ଲମ୍ବା ଆୟୁଷ ଚାହୁଁଛୁ  ।


ସେବତୀ କିଛି କହିବା ଆଗରୁ ବୁଟୁ ଓ ମୀରା କହି ଉଠିଲେ

ଲିଟି ! ତୁ ଆମ ସୁନା ଝିଅଟି ? ନାନୀଙ୍କୁ ଏମିତି କଣ ରଗାନ୍ତି କି ? ଆଜି ପରା ତୋର ଜନ୍ମ ଦିନ ନା ? ଆଜି ଯଦି ନାନୀ ରାଗିଯିବେ ତୋତେ ଆଶୀର୍ବାଦ କେମିତି ମିଳିବ କହିଲୁ ? ନାନୀ ଙ୍କ ପାଇଁ ଆମିଷ ଖାଦ୍ୟ ବିଷ ତୁଲ୍ୟ । ସେ କେମିତି ସେସବୁ ଛୁଇଁବେ ? ସେବତୀ ରକ୍ଷା ପାଇଗଲେ ଓ ନିଜ ରୁମ କୁ ଚାଲିଗଲେ ଆଖିରେ ଅସରାଏ ଲୁହ ଓ ଅନ୍ତରରେ କେଉଁ ଯୁଗରୁ ନିର୍ବାପିତ ହୋଇ ନଥିବା ମେଞ୍ଚାଏ କୋହ ଧରି ।


ତା ପର ଦିନ ଆଠଟା ପର୍ଯ୍ୟନ୍ତ ସେବତୀ ନ ଉଠିବାରୁ ବୁଟୁ ଯାଇ ଦେଖିଲା ବେଳକୁ ସେବତୀ ଶେଯରେ ସେମିତି ଶୋଇ ରହି

ଥିଲେ । ସାଙ୍ଗେ ସାଙ୍ଗେ ବୁଟୁ ହସ୍ପିଟାଲ ନେଲା । ସେଠି ଡାକ୍ତର କହିଲେ ସେ ସବୁ ଦିନ ପାଇଁ କୋମା କୁ ଚାଲିଯାଇଛନ୍ତି । ଚେତା ଫେରିବାର ଆଶା କ୍ଷୀଣ । ତେବେ ଦେଖାଯାଉ କଣ ହେଉଛି ।


ସେବତୀ ଦେଖୁଛନ୍ତି ଲିଟି ଡାକ୍ତର ହୋଇ ତାଙ୍କ ଆଗରେ ଠିଆ ହୋଇଛି । ଲିଟି ଡାକ୍ତର ହେଲେ ସେବତୀଙ୍କ ଠାରୁ ପଇସା ନେବ ନାହିଁ ମାହାଳିଆ ଚିକିତ୍ସା କରିବ । ସେ ଜାଣେ ସେବତୀଙ୍କ ପାଖେ ଲିଟିକୁ ଦେବାକୁ କିଛି ନାହିଁ । ଅଳ୍ପ ଆଖି ଖୋଲିଲେ ଏବଂ ସାମ୍ନାରେ ବୁଟୁ କୁ ଦେଖିଲେ । ତା ପରେ ପରମାତ୍ମା ତାଙ୍କ ଆତ୍ମାଟିକୁ ଉଠାଇ ନେଇଗଲେ ଏମିତି ଏକ ସ୍ଥାନକୁ ଯେଉଁଠି ଭୋକ, ଶୋଷ, ଜରା ଶୋକ, ଅପମାନ, ଗ୍ଲାନି ରୋଗ, ବ୍ୟାଧି କିଛି ବି ନଥିବ । ନା ସେଠି ବୁଟୁ ଭଳି ସମାଜ ର ଠିକାଦାର ମାନେ ଥିବେ ନା ସେଠି ଥିବେ ସେବତୀଙ୍କ ଭଳି ଭୁଭୁକ୍ଷିତ। ଓ ଲୁଣ୍ଠିତା ମାନେ ।


ଗୋଟିଏ ଦୁଃଖୀ ଜୀବନ ର ଏପରି ବିନା ସୂଚନାରେ ଅବସାନ ଘଟିଥିଲା । ଯାହା ହୃଦୟ ତଳେ ଥିଲା ତାକୁ ନା କାହା ସମ୍ମୁଖରେ ରେ କହି ପାରିଲେ ନା ଲାଘବ କରି ପାରିଲେ । ସମସ୍ତ ଦୁଃଖ, ଅପମାନ, ବିଫଳତା ଓ ବେହିସାବ ଅଶ୍ରୁ କଣା ତାଙ୍କ ସହିତ ହିଁ ଜାଳିପୋଡି ପାଉଁଶ ହୋଇ ଯାଇଥିଲା ।


ଦୁନିଆ ଯେମିତି ଚାଲିବା କଥା ଚାଲିଛି । ସେବତୀଙ୍କ ପାଇଁ କାହାରି କିଛି କାମ ଅଟକି ରହି ଯାଇନାହିଁ । ଖାଲି ଲିଟି ଯାହା ଲୁଚି ଲୁଚି କାନ୍ଦୁଛି । ପିଇସୀ ଙ୍କ ଠାରୁ ଏହି ଗୁଣଟି ଆଣିଛି ଲିଟି । ମୀରା ବେଳେ ବେଳେ ଭାବନ୍ତି ମଣିଷ ଜୀବନ ଟା କଣ ? ମୁଁ ଖାଇବି, ମୁଁ ସୁଖୀ ହେବି, ମୁଁ ହସିବି । ମୋ ପାଖରେ ବସିଥିବା ମଣିଷ ଟି ତିଳ ତିଳ ହୋଇ ମରୁଥାଉ ତାହାର ହିସାବ ମୋ ପାଖରେ ନଥିବ ।


ବୁଟୁ ର ଷ୍ଟ୍ରୋକ ହେଇ ଦଶ ଦିନ ହେଲାଣି । ମାତ୍ର ଦୁଇ ଦିନ ହେବ ହସ୍ପିଟାଲ ରୁ ଘରକୁ ଫେରିଛି । ଡାକ୍ତର ଆମିଷ ଖାଦ୍ୟ କୁ ସମ୍ପୂର୍ଣ୍ଣ ରୂପେ ବର୍ଜନ କରିବାକୁ କହିଛନ୍ତି । ନଚେତ ଦ୍ଵିତୀୟ ଷ୍ଟ୍ରୋକ ସାଙ୍ଘାତିକ ହୋଇଯାଇ ପାରେ । ତେଣୁ ମୀରା ଘରକୁ ଆମିଷ ଆଣିବା ବନ୍ଦ କରି ଦେଇଛି । ଆମିଷ ରଂକୁଣା ବୁଟୁ ଏବେ ନାନୀ କଥା ଭାବି ଆଶ୍ଚର୍ଯ୍ୟ ହେଉଛି ।


ଯାହାକୁ ଯାହା ମିଳୁଛି ଜୀବନ କୁ ବିପଦ ବୋଲି ସେ ତାହା ଖାଇ ପାରୁନାହିଁ । ଯିଏ ନିରୋଗୀ ତାକୁ ବୈଧବ୍ୟ ର ଦ୍ୱାହି ଦେଇ ଖାଇବାକୁ ଦିଆ ଯାଉନାହିଁ । ସମସ୍ତଙ୍କର କିଛି ନା କିଛି ଅପ୍ରାପ୍ତି ରହିଛି । ସୁନା ଥିଲେ କାନ ନାହିଁ ତ ପୁଣି କେତେବେଳେ କାନ ଥିଲେ ସୁନା ନାହିଁ । ଯେଉଁ ନାନୀ କୁ ସେ ଟାଉକି ବୋଲି ଭାବୁଥିଲା ସେଇ ନାନୀ କେମିତି ସବୁ ସହ୍ୟ କରି ସତୁରି ବର୍ଷ ପାରକଲା ନା ! ବାହାବା ନେବାକୁ ବୁଟୁ ବି ନାନୀ କୁ କମ ହଇରାଣ କରିନାହିଁ । ବୋଧେ ତାର ଏଇଟା ପରିଣାମ । ଯେତେ ଯାହା ହେଲେବି ନାନୀ ଆଖିରୁ ଲୁହ ଝରିବା କେହି ଦେଖି ନାହାନ୍ତି । ନାନୀ ବୋଧେ ଗୋଟେ ପଥର ।


Rate this content
Log in

Similar oriya story from Tragedy