Bibhu Samanta

Tragedy

3  

Bibhu Samanta

Tragedy

ଚନ୍ଦ୍ରସେଣାର କୃଷ୍ଣରାଗ

ଚନ୍ଦ୍ରସେଣାର କୃଷ୍ଣରାଗ

9 mins
161


ଭୋଦୁଅ ମାସର ରାତି। ମନଇଛା ଅଭିମାନ ସବୁକୁ ଢାଳିଚାଲିଛି ଆକାଶ, ଏ ମାଟି ଉପରେ। ଅନୁମତି ଦରକାର ପଡେନି, ତା ପାଇଁ। ସେ ବୁଝେନି କେବେ, ମାଟି ଭିଜି ସାରିଲାପରେ, ଏ ବଳକା ଅଭିମାନ ସବୁ କୁଆଡେ ଯାଏ। ସାଗରର ସିନ୍ଦୁକ କଣ ସବୁ ପାଣିକୁ ଜାଗା ଦେଇପାରେ? କିଛି ରହିଯାଏ, ଅବାଂଛିତ ହେଇ। ତାଙ୍କର କଣ ହୁଏ? ସେମାନେ ଶୈଶବ ସ୍ନେହରୁ ବଂଚିତ ହୁଅନ୍ତି, ଏଟା କଣ ନ୍ୟାୟ? ହୀରାପୁର ଷ୍ଟେସନ ଆସିବାକୁ ଆହୁରି କେତେ ସମୟ ବାକି ଅଛି। ଆକାଶ ଖେଳି ଚାଲିଛି ମାଟି ସାଙ୍ଗେ,ପଶାପାଲି ଖେଳ। ହାରୁଛି ମାଟି ଆଉ ତା ହରିବାରେ ଖୁସି ଆକାଶଟା, ବିଜୁଳିର ରୋଷଣୀ ଆଉ ଦୁନ୍ଧୁବୀ ତାଳରେ, ସେ ଉଲ୍ଲସିତ। ବିଜୟ ଉତ୍ସବରେ। ଆଉ ଏ ଧରା, ଆକାଶର ଖୁସି ଆଗରେ ଭୁଲି ଯାଇଛି, ସବୁ କିଛି। ନିଜକୁ ବି। ଏମିତି ଭାବୁଥିଲା, କାଜଲ। ଟ୍ରେନର ଗୋଟେ ଝରକା ପାଖ ସିଟ ରେ ବସି। ରସ ସରିଯାଇଥିବା ଚୁଇଁଗମ କୁ ଚୋବେଇ ଚାଲିଥିଲା ସେ। ବାହାରେ ପଡିଥିବା ଟ୍ରେନର ଛାଇ ଭିତରେ ନିଜକୁ ଖୋଜୁଥିଲା। ଆଜି କଣ କେଜାଣି, ଟ୍ରେନ ଟା ଭାରି ଫାଙ୍କା ଫାଙ୍କା ଲାଗୁଛି। ସେଇଥିପାଇଁ ଆଜି ତାର ବେପାର ମାନ୍ଦା। ମିଲି ଆଉ ସୋନି କେତେ ବେପାର କରିଥିବେ କେଜାଣି। ତା ଠୁ ନିଶ୍ଚୟ ଭଲ କରିଥିବେ। ଆଜିକାଲି କି ଡିଜିଟାଲ ଯୁଗ ହେଲା,କେଜାଣି ଲୋକେ ଆଉ ବେଶୀ ପଇସା ଧରୁନାହାନ୍ତି। ଆଉ ଏମିତି ତା ପରି ତୃତୀୟ ଲିଙ୍ଗଙ୍କୁ କିଏ କାହିଁ ପଇସା ଦେବ ଯେ। ବ୍ଲାଉଜ ଭିତରେ ହାତ ପୁରେଇ,ବାହାର କରି ଆଣିଲା,କିଛି ଝାଳମିଶା ନୋଟ। ସେଇ ନିର୍ଜନ ବଗି ଟାରେ ବସି , ଗଣିବାକୁ ଲାଗିଲା, ନିଜର ରୋଜଗାର। ମୋଟ ୫୪୦ଟଙ୍କା ହେଲା। ମୁଣ୍ଡରେ ମାରି, ଅଣ୍ଟାରେ ଥିବା, ଛୋଟ ପର୍ସରେ ରଖିଲା ସେ। ଆଉ ଭଲକି ଅଣ୍ଟାରେ ବାନ୍ଧିଦେଲା ପୁଣି।ଆଉଜି ପଡ଼ିଲା ସିଟରେ କିଛି ସମୟ ଆଖି ବନ୍ଦ କରି। ନିଜ ଭ୍ୟାନିଟି ରୁ ବାହାର କଲା ଛୋଟ ଆଇନାଟେ। ସଜାଡିନେଲା ନିଜକୁ। ଆଉ ଟିକେ ଲିପଷ୍ଟିକ ର ରଙ୍ଗ ଚଢେଇ ଦେଲା। ଆଉ କଣ ଗୋଟେ ଗୀତ ଗୁଣୁଗୁଣେଇଲା। 


ନିଜକୁ କେବେ ଅଲଗା ଭାବିନି ସେ ଦୁନିଆଠୁ। ସେ ବି ସେମାନଙ୍କ ପରି ଭାବିପାରେ। ତା ଭିତରେ ବି ମଣିଷପଣିଆ ଅଛି। ଦୟା, ସ୍ନେହ , ମମତା ସବୁ କିଛି। ହେଲେ ଦୁନିଆ ତାଙ୍କୁ ଭିନ୍ନ ଦୃଷ୍ଟିରେ ଦେଖେ। ତାଛ୍ଛଲ୍ୟ କରେ, ପ୍ରତି କ୍ଷଣରେ ଜଣେଇ ଦିଏ, ତମେ ଅଲଗା, ତମ ପାଇଁ ଏଠି ଜାଗା ନାହିଁ। ହେଲେ ସେ ହାର ମାନିନି , ଯେମିତି ସେମିତି ପଢି ଅଷ୍ଟମ ଶ୍ରେଣୀ ଟା ପାଶ କରିଯାଇଛି। ତା ପରେ ଆଉ ସ୍କୁଲ ଯାଇନି ସେ, ଜୀବନ ଜିଇଁଛି, ନିଜ ହିସାବରେ। ଟ୍ରେନ୍ ରେ ବୁଲି ପଇସା ମାଗନ୍ତି, ସେମାନେ। ନିଜ ରୂପକୁ ଦେଖେଇ। ଚାଲିଛି ଜୀବନ ଏମିତି, ରେଳଗାଡି ପରି। ଅତୀତ କୁ ପଛରେ ଛାଡି, ନୂଆ ଏକ ସମ୍ଭାବନାର ଅନ୍ୱେଷଣା ରେ।

 ହୀରାପୁର ଆସିବ ବୋଧେ, ଟ୍ରେନର ଗତି କମୁଛି , ଧୀରେଧୀରେ । ସେ ଉଠି ଠିଆ ହେଲା, ନିଜକୁ ପୁଣିଥରେ ସଜାଡି ନେଲା। ଆଉ ଚାଲିଲା, ଆର ବଗି ଆଡକୁ। ଯାଉ ଯାଉ ଶୁଣିଲା, ଗୋଟେ ଛୋଟ ପିଲାର କାନ୍ଦଣା। କିଏ କାନ୍ଦୁଛି, ଏତେ ରାତିରେ? ଭଲକରି ଶୁଣିଲା ସେ, ପୁଣି କୁଆଁକୁଆଁ ସ୍ୱର। ବିଶ୍ୱାସ ହେଲାନି ତାର। ଆଜିକାଲି ମୋବାଇଲରେ ବି ଏମିତି ସ୍ୱର ବାହାରି ପାରେ, ନୂଆ କଥା ନୁହେଁ। ସେ ଚାଲିଯାଉଥିଲା ବେଳେ ପୁଣି ତା କାନରେ ବାଜିଲା ସେ ସ୍ୱର, ଯେମିତି ତାକୁ କିଏ ଡାକୁଛି। ଯାଅନା, ଥରେ ଶୁଣିଯାଅ ମୋତେ। ଖୋଜିବାକୁ ଲାଗିଲା,ସ୍ୱରଟିକୁ। ଜାଣିପାରିଲା, ଟ୍ରେନର ଶୌଚ ଘରୁ ଶୁଭୁଛି ସ୍ୱରଟି। ଖୋଲି ଦେଖେ ତ, ଅଳିଆ ଡବା ଭିତରେ, କୁନି ଶିଶୁଟିଏ। ଇସ୍, ଗୋଲାପୀ ଗୋରା ନରମ ଦେହଟେ। ଏମିତି ପରିତ୍ୟକ୍ତ ଅବସ୍ଥାରେ। ତୋଳିନେଲା ତାକୁ କୋଳକୁ। ପୁଅଟେ। ଥରଥର ହାତରେ ଧରିଥାଏ ସେ, ଆଉ ପିଲାଟି ମୁହଁକୁ ଦେଖୁ ଦେଖୁ ଅଜାଣତେ ଲୁହ ବିନ୍ଦୁଏ ଜକେଇ ଆସିଲା ତା ଆଖିରେ। ଏମିତି ସୁନ୍ଦର ଛୁଆକୁ କଣ ଏମିତି କେହି ଛାଡିଯାଏ? ବାହାରକୁ ଆସି ଖୋଜିଲା, କାହାକୁ ପଚାରିବ ବୋଲି, ଜଣେ ଦି ଜଣ ଙ୍କୁ ଆର ବଗିରେ ପଚାରିଲା ସମସ୍ତେ ମନା କଲେ, ଓଲଟି ତାକୁ ଗୋଟେ ଅଲଗା ଦୃଷ୍ଟିରେ ଚାହିଁଲେ। ସେ ଚାଲି ଆସିଲା। ଛୁଆଟିକୁ ହାତରେ ଧରି,ସେ ବସିଲା ଟ୍ରେନ ସିଟ ଉପରେ। ନିଜ ଭ୍ୟାନିଟି ରୁ ରୁମାଲ ବାହାରକରି ପୋଛି ଦେଲା ତା ମୁଁହ। ପବନ ବାଜି ଶୋଇପଡିଛି,ପିଲାଟି। କଣ କରିବ ଏବେ ସେ, ଭାବୁଛି।ପୋଲିସ ହାତରେ ଦେଇଦେବ କି?ହଁ ସେୟା କରିବ , ମାଳିକୁ ଛେଳି ଅଡ଼ୁଆ, ସେ ଯେମିତି ବୁଲେ ଏଇ ଛୁଆକୁ କାହିଁ ରଖିବ ଯେ ସେ। ପ୍ରଶାସନ ବୁଝୁ ଏମାନଙ୍କ କଥା। ପିଲାଟି ଉଠିପଡ଼ି କାନ୍ଦିବାକୁ ଲାଗିଲା, ତାକୁ ଛାତିକୁ ଆଉଜେଇ ନେଲା ସେ। କେଜାଣି କେମିତି ମମତ୍ୱ ଚାଲି ଆସିଲା ତା ଭିତରକୁ। ତାକୁ ଛାତିରେ ଲଗେଇ ଚୁପ୍ କରିବାକୁ ଚେଷ୍ଟା କଲା, ବୋଧେ ଭୋକ ଲାଗୁଥିଲା ଛୁଆକୁ। କେଜାଣି କେତେବେଳୁ ସେ ତା ଭିତରେ ଥିଲା ସେ। ତାକୁ ନେଇ ଖୋଜିବାକୁ ଲାଗିଲା କୋଉ ଗୋଟେ ବୁଲା ବିକାଳି କୁ। ଦେଖିଲା ଚା ଵାଲାଟିଏ ଡୋର୍ ପାଖେ ବସି ଢୋଳଉଛି, ତାକୁ କହିଲା ଭାଇ ଟିକେ କ୍ଷୀର ଦେ , ପିଲାଟି ଖାଇବ। ସେ ନିଦରୁ ଉଠି, ଆଗେ ତାକୁ ଚାହିଁଲା, ଅବାକ ହେଇ! କହିଲା - ଆଲୋ ନାନୀ, ତୋର ପୁଣି ପିଲା ଛୁଆ ହେଲା ନା କଣ? ତା କଥାରେ ଥିଲା ବିଦ୍ରୁପ, କଦାକାର ମନ୍ତବ୍ୟ, ଏମାନଙ୍କୁ କେମିତି ଚୁପ କରିବାକୁ ହୁଏ, କାଜଲକୁ ବେସ ଜଣା। ସେ କହିଲା ଭଲ ହେଇଛି, ଆମକୁ ସେମିତି ଶକ୍ତି ଠାକୁର ଦେଇ ନାହାନ୍ତିରେ। ନହେଲେ ଆମେ ବି ଏମିତି ଛୁଆ କରି, କୋଉ ଟ୍ରେନ ପାଇଖାନାରେ ଛାଡି ଦଉଥାନ୍ତୁ। ଯଦି, ନ ପୋଷି ପାରିବ ଛୁଆ ଜନ୍ମ କର କଣ ପାଇଁ ତମେ ମାନେ? ନିଜର ଦେହସୁଖ ପାଇଁ ନିରୀହ ଛୁଆର ଭବିଷ୍ୟକୁ କାହିଁ ନଷ୍ଟ କର। କଣ ପାଅ, ତମେ ମାନେ, ଆଉ ଗୋଟେ ଚୋର,ଡାକୁ ଆଉ ବଦମାସ କୁ ଜନ୍ମ ଦେଇ। ତମରି ପରି କେଇଟା ଏଥି ପାଇଁ ଦାୟୀ। ଚୁପ ହେଇଗଲା ଚା ଵାଲା, କ୍ଷୀର କପ ଟେ ବଢ଼େଇଦେଇ। କ୍ଷୀର ଫୁଙ୍କି ଥଣ୍ଡା କରି ପିଆଇଲା ସେ ।

ହୀରାପୁର ଷ୍ଟେସନ ଆସିବା ଆଗରୁ ଟ୍ରେନ ଟି ରହିଗଲା। ବାହାରକୁ ଚାହିଁ ଦେଖେ ତ, ଜଣେ ଖାକି ପିନ୍ଧା ପୋଲିସ ବାଲା ଦେଖିଲା। ସେ ପିଲାଟି ଧରି ଓଲହେଇ ପଡ଼ିଲା ଟ୍ରେନ ରୁ ଆଉ ତାଙ୍କ ପାଖକୁ ଗଲା। ଯାଇକି କହିଲା, ସାର, ଏଇ ପିଲାଟିକୁ ମୁଁ ଟ୍ରେନର ପାଇଖାନା ଘରୁ ପାଇଲି। ୟାର କିଛି ଗୋଟେ ବ୍ୟବସ୍ଥା କରନ୍ତୁ। ପୋଲିସଵାଲା ଟି ସାମାନ୍ୟ ସନ୍ଦେହ ଦୃଷ୍ଟିରେ ଦେଖିଲା ତାକୁ। କାଜଲ, ପୋଲିସ ର ଆଖିକୁ ଚାହିଁଲା। ସେ ଆଖି ଅଲଗା କିଛି କହୁଥିଲା। ନିଜ ଶାଢ଼ୀକୁ ଛାତି ଉପରେ ସାମାନ୍ୟ ସଜାଡି ନେଲା ସେ। ଆଉ ନୀରବତା ଭାଙ୍ଗି କହିଲା, ସାର, କଣ କରିବା? ପୋଲିସଵାଲା ଟି ଗୋଟେ ଧୀରେ ସ୍ୱରରେ କହିଲା ଆସେ, ଥାନାକୁ ବୁଝିବା। କାଜଲ ଠିକ୍ ବୁଝେ ଏମିତି ଇଶାରା। କଣ କରିବ ଉପାୟ ନାହିଁ। କହିଲା ଚାଲନ୍ତୁ। ଥାନା ଭିତରେ ଜଣେ, କନେଷ୍ଟବଳ ଥିଲା । ସାରଙ୍କ ସାଙ୍ଗେ କାଜଲ ଦେଖି ବୁଝିଗଲା କଣ ହେବ ଏଠି। କାଜଲ ଆଖିରେ କିନ୍ତୁ ଦୃଢ଼ତାର ଚିହ୍ନ।ପବିତ୍ରତାର ଆଭା। ସେଥିପାଇଁ ସେ ନିର୍ଭୀକ। ଶୀତତାପ ନିୟନ୍ତ୍ରିତ କୋଠରୀ ଭିତରେ, ସାର, ଜଣକ ନିଜେ ତାଙ୍କ ପାଇଁ ଉଦିଷ୍ଟ ଚେୟାର ରେ ବସି ତାକୁ ସାମ୍ନାରେ ବସିବାକୁ କହିଲେ। ମନେମନେ ଭାରି ଖୁସି ହେଉଥିଲେ ସେ। ଯେମିତି ମନଲାଖି ଶିକାର ଟେ ପାଇଯାଇଛନ୍ତି। କାଜଲ ଦେଖିବାକୁ ମନ୍ଦ ନୁହେଁ, ପ୍ରସାଧନର ଯଦୁକାରୀ ସ୍ପର୍ଶରେ ସେ କୋଉ ଗାନ୍ଧାର୍ବୀ ଠୁ କମ୍ ଦିଶେନି ।କାଜଲ ଚେହେରାରେ ବ୍ୟସ୍ତତା। ବଡ ବାବୁ କହିଲେ "କହ କଣ ହେଇଛି?

କାଜଲ କହିଲା - "ବାବୁ ଟ୍ରେନର ଲାଟ୍ରିନରୁ ଏଇ ପିଲାଟିକୁ ପାଇଲି ମୁଁ।

- ତୁ କଣ କରୁଥିଲୁ ସେତେବେଳେ।

- ମୁଁ ଷ୍ଟେସନ ଭାବିକି ଓହ୍ଲେଇ ବାକୁ ଯାଉଥିଲି।ଆଉ ପିଲାଟିର କାନ୍ଦ ଶୁଣିକି ଅଟକିଗଲି।

- ସିଧା ସିଧା କହ ତୁ ଧନ୍ଦା କରିବାକୁ ଯାଇଥିଲୁ, ଆଉ କୋଉଠୁ ଛୁଆ ଚୋରି କରି ଆଣିଛୁ। ଆଜିକାଲି ତମେ ମାନେ ଆମ ନିଦ ହଜେଇ ଦେଲଣି। ସତ କହ ଆଉ କିଏ ସବୁ ତମ ସଂଗେ ଅଛନ୍ତି। ପୋଲିସ ବାବୁ ଧମକେଇକି ପଚାରିଲେ ତାକୁ। 

ସେ ଶଙ୍କିଗଲା ଏମିତି ଶୁଣିକି। ଏମିତି କଣ କହୁଛନ୍ତି ଏ ବାବୁ। ସେ ତ ସେମିତି କିଛି ଅପରାଧ କରିନି। ଆଇନ ଉପରେ ତାର ବିଶ୍ୱାସ,ଯେ ପିଲାଟିକୁ ନ୍ୟାୟ ମିଳିଯିବ। ହେଲେ?? 

ତା ଚୁପ ରହିବ ଦେଖି ପୋଲିସ ବାବୁ ନିଜ ଚେୟାରରୁ ଉଠି ଆସିଲେ। ଆଉ କହିଲେ, ତୁ ତାହେଲେ ଭଲରେ ମାନିବୁନି? ତୋଠୁ କେମିତି କଥା ଆଦାୟ କରାଯିବ ମତେ ଭଲକି ଜଣା। ସେ ଆସି ତା ପାଖରେ ଠିଆ ହେଇଗଲେଣି ଜଣା ନାହିଁ ତାକୁ। ଧୀରେ ସ୍ୱରରେ କହିଲେ, ଆଲୋ, ହେଇ ମୋ କଥା ବୁଝିଦେ ଆଜି ତୋ ନାଁରେ କେଶ କରିବିନି ଆଉ ଛାଡି ଦେବି। ଛୁଆ କଥା ବି ବୁଝିଦେବି। ଆଉ ଯଦି ନ ମାନୁ, ଏମିତି ଦଫା ଲଗେଇବି ଯେ, ଜୀବନ ସାରା ଜେଲରୁ ବହାରିପାରିବୁନି। ଏତିକି କହି ତା କାନ୍ଧରେ ହାତ ରଖିଦେଲେ। ଆଉ ଏମିତି ଦଳି ଦେଲେ ଯେ , କାଜଲ ଉଠି ପଡ଼ିଲା।କିଛି ନକହି, ଯିବାକୁ ବାହାରିଲା ଏତିକିବେଳେ କାନ୍ଦି ଉଠିଲା ଛୁଆଟି। କାଜଲ ଅନୁନୟ ଭରା କଣ୍ଠରେ କହିଲା ସାର, ମୁଁ ଟ୍ରେନ ରେ ପଇସା ମାଗି ଚଳେ। ଦେହ ବେପାର କରିବା ଲୋକ ମୁଁ ନୁହେଁ। ଏଇ ପିଲାଟିକୁ ଯଦି ଚୋରି କରିଥାନ୍ତି, ମୁଁ କଣ ଆସିଥାନ୍ତି ଏଠିକୁ? ବିଶ୍ୱାସ କରନ୍ତୁ ଆଜ୍ଞା, ମୁଁ ଚୋରଣୀ ନୁହେଁ। ବାବୁ କହିଲେ ହଉ ମୁଁ ମାନିଲି, ତୁ ଚୋରି କରିନୁ,ଛୁଆଟା ତୋତେ ମିଳିଲା।

ହେଲେ,ଏଇ କଥାର ସାକ୍ଷୀ କିଏ ?ତେଣୁ ଛୁଆର ପରିଚୟ ମିଳିବ ଯାଏ, ତୁ ଅଟକ ରହିଲୁ ଥାନାରେ। 


ପିଲାଟିକୁ ଛାତିରେ ଆଉଜେଇ ଶୁଆଇ ଦେଲା ସେ। ପର ପିଲା ପାଇଁ ଏତେ ବଡ ବିପଦକୁ କାହିଁ ଡାକି ଆଣୁଛି ସେ? କୋଉଠି ନା କୋଉଠି ତା ଛାତିରେ ମା ର ମମତାଟେ କଡ ଲେଉଟାଉଥାଏ।  ତା ନରମ ଗୋଲାପୀ ଓଠରେ ହସ ଟିଏ,ଆଉ କାଜଲ ଆଖିରେ ଲୁହ ଭର୍ତ୍ତି। କଣ ପାଇଁ କେଜାଣି,ସେ ଆଉ ଛାହୁଁନି, ଛୁଆକୁ ଛାଡିବାକୁ। ତାକୁ ତା ଭିତରେ ନିଜର ପିଲା ଦିନଟା ଦିଶିଯାଉଛି। ଅଳ୍ପ ସମୟ ଭିତରେ ହଜାରେ ସ୍ବପ୍ନ ଦେଖି ଗଲା ତା ପାଇଁ। ଜୀବନକୁ ବଞ୍ଚିବାର ବାହାନାଟେ ମିଳିଗଲା ଯେମିତି। ପିଲାର ମଥାରେ ଚୁମାଟେ ଦେଲା ସେ ପ୍ରଥମ ଥର। ପିଲାଦିନେ ଶୁଣିଛି, ପିଲାଙ୍କ ଦେହରେ ଭଗବାନ ଥାନ୍ତି। ସେଥିପାଇଁ ତ ବୋଉ ତାର ପୁଜେ ବାଳଗୋପାଳଙ୍କୁ। ସେ ବି କୁଆଡେ, ଏମିତି ବର୍ଷା ରାତିରେ ଜନ୍ମ ହେଇଥିଲେ। ମନେ ପଡିଯାଉଥିଲା ସେ କଳାକାହ୍ନୁ ଙ୍କ ଛବି ଟା। ସେ ପିଲାଦିନେ ଗ୍ରୀଟିଂ କାର୍ଡ ରୁ କାଟିକି ରଖିଥିଲା ତା ଅଙ୍କ ବହି ଭିତରେ। ଠିକ ସେମିଟ ଦିଶି ଯାଉଛି ପିଲାଟି। ଭାଗବତରେ ଶୁଣିଛି ସେ,କୃଷ୍ଣ କୁଆଡେ ଏମିତି ବନ୍ଦୀଘରେ ଜନ୍ମହେଇଥିଲେ। ଏତେ ସବୁ ଦେଖିବାକୁ ଧୈର୍ଯ୍ୟ ନଥିଲା ପୋଲିସବାବୁଙ୍କର। ସେ ପାଖକୁ ଆସି ତା ଗାଲରେ ହାତ ମାରିଦେଲେ। ସେ ପ୍ରତିବାଦ କଲା, ବାବୁ ଏସବୁ କଣ କରୁଛ?ମୁଁ ସେମିତିକା ନୁହଁ। ମତେ ଯିବାକୁ ଦିଅ। ପୋଲିସ ବାବୁ ରାଗିକି କହିଲେ, କୁଆଡେ ଯିବୁ, ଛୁଆ ଚୋରି କରି ଆହୁରି ଜୋର ଦେଖାଉଛୁ। ଏଥର ରାଗିଗଲା କାଜଲ, ଚିଲେଇକି କହିଲା, ମୁଁ ଚୋରି କରିନି । 

- ଚୁପ୍ କର। ଏଇଟା ଟ୍ରେନ ନୁହେଁ ଯେ ତୁ ଯାହା କହିବୁ ସମସ୍ତେ ଶୁଣିବେ। ଏଇଟା ଥାନା। ଏଇଠି ମୁଁ ଯାହା କହିବି ସେୟା ହେବ। ପାଟି ଶୁଣି କନେଷ୍ଟବଳଟେ ଧାଇଁ ଆସିଲା ଭିତରକୁ। ବାବୁ କହିଲେ, ନେଇଯାଅ ଏଇଟାକୁ ଲକ ଅପରେ ବନ୍ଦ କରି ଦିଅ। ଶାଳୀର ଗରମ ଆଜି ମୁଁ ଉତାରି ଦଉଛି। ସବୁ ଶୁଣୁଥାଏ କାଜଲ, ବିଶ୍ୱାସ ତା ଏମିତି ଭାଙ୍ଗିଯାଏ, ରକ୍ଷକ ପୁଣି ଭକ୍ଷକ ସାଜିପାରେ। ବହୁତ ବଡ଼ ଭୁଲର ପରିଣାମ ଟେ ଭୋଗିବ ସେ। ହଉ ସେ ଗୋବିନ୍ଦ ବୁଝିବ ସବୁ। ଉପରକୁ ଚାହିଁ କହିଲା,ମୁଁ କେହି ନୁହେଁ, ମୋ ପାଖେ ସେ ଶକ୍ତି ବି ନାହିଁ, ତୋତେ ତୁ ହିଁ ରକ୍ଷା କର।ତାକୁ ଧରିବାକୁ, କନେଷ୍ଟବଳ ଆସୁଥିଲା। ଏମିତି ଚାହାଣୀଟେ ଦେଲାଯେ ସେ ଚୁପ ହେଇ ଠିଆ ହେଲା। ଆଉ ନିଜେ ହାଜତ ଭିତରକୁ ଚାଲିଗଲା, ଗୋଟେ କୋଣରେ ଛୁଆକୁ କୋଳରେ ଧରି ଚାହିଁ ରହିଲା, କାନ୍ଥରେ ଟଙ୍ଗା ହେଇ ଥିବା କାଳୀ ମାଆଙ୍କ ଫୋଟ କୁ। ଆଉଁସି ଦେଉଥିଲା ସେ ନିରୀହ ଶିଶୁର ମଥାକୁ। ଜୀବନରେ ଏଇ ଅନୁଭୂତି ତାର ପ୍ରଥମ ଥର। ଟ୍ରେନ ରେ ଏତେ ଲୋକ ଆସନ୍ତି ଯାଆନ୍ତି କାହିଁ କାହା ପିଲା ଦେଖି ସେ ଏମିତି ମମତା ଆସିନି ତ କେବେ। ଆଜି ଏସବୁ କଣ ପାଇଁ। ଆଉ ଏଇ ଅନୁଭୂତି ଭାରି ନିଆରା, ମନ ହେଉଚି ଦିନ ସାରା କାମକୁ ନଯାଇ ୟା ରି ସାଙ୍ଗରେ ଖେଳନ୍ତା କି ସେ। ତାକୁ ଜାମା ପେଣ୍ଟ ପିନ୍ଧେଇ ଦିଅନ୍ତା, କଳା ଟିପା ଲଗେଇ ଦିଅନ୍ତା , ଖୋଇ ଦିଅନ୍ତା, ଗାଧେଇ ଦିଅନ୍ତା, ତାକୁ କୋଳରେ ଶୁଆଇ ଦିଅନ୍ତା, ତା ସାଙ୍ଗେ ନିଜେ ପୁଣି ପିଲାଟିଏ ହେଇ ଯାଆନ୍ତା। କେତେ ସୁନ୍ଦର ସ୍ୱପ୍ନ ସବୁ, ରଙ୍ଗୀନ ପ୍ରଜାପତି ଉଡି ବୁଲିଲେ ମନ ଅଗଣାରେ, ହେଲେ ଏଇ ହାଜତରେ ଏସବୁ ର ମାନେ କଣ। ନା ସେ ଥାନା ବାବୁ ଏମିତି କରିବେନି, କିନ୍ନର ତ କୋଉ ଯୁଗରୁ ବନ୍ଦନୀୟା, ତାଙ୍କୁ ଉପ ଦେବତା ବୋଲି କୁହାଯାଏ।ସେ ବାବୁ କଣ ଏତିକି ଜାଣି ନଥିବେ! ଏଠୁ ବାହାରିବାକୁ ପଡିବ। ସେ କନେଷ୍ଟବଳ କୁ ଡାକିଲା, କହିଲା, ସାର, କିଛି ଦେଇ ନେଇ ମାମଲାଟା ସାରି ଦିଅନ୍ତୁ। ମୁଁ ଚାଲିଯିବି। କନେଷ୍ଟବଳ ଶୁଣି କହିଲା, ସେତେବେଳୁ ସେଇ କଥା କହିଲୁନି! ବାବୁ ଛାଡି ଦେଇ ଥାନ୍ତେ, ସେ ଭାରି ଲୋଭି, ମଣିଷ ନୁହେଁ ସେଇଟା। ରାକ୍ଷସ ଟେ। ହୃଦୟ ନାଇଁ ତା ପାଖେ।


 ହଁ ଏଇ ସଭ୍ୟ ସମାଜଟା ଏମିତି, ଗୋରା ତକତକ ରାଜକୁମାର ଚେହେରା ପଛେ ଲୁଚିକି ଥାଏ ଗୋଟେ କୁତ୍ସିତ ମନ। ଯେ ବାହାରି ଆସେ, ସାମାନ୍ୟ ସୁଯୋଗ ପାଇଲେ, ଖୋଜୁଥାଏ ଏମିତି ଜଣକୁ,ଯାହା ଉପରେ ସେ ନିଜର ପ୍ରଭୁପଣିଆ, ହାକିମାତି ଜାହିର କରି ପାରିବ।ଏତକ ବୁଝିଛି ସେ ତା ସୀମିତ ଜୀବନ କାଳରେ। କନେଷ୍ଟବଳ ଯାଇ ବାବୁଙ୍କୁ ସେ କଥା କହିଲା। ବାବୁ ତାକୁ ଡକେଇଲେ ଭିତରକୁ ପୁଣି। କହିଲେ, ଏବେ ବୁଝିଗଲୁ, ମୁଁ କଣ କରିପାରେ? ମୁଣ୍ଡ ତଳକୁ କରି ଠିଆ ହେଲା କାଜଲ। ବାବୁ ପୁଣି କହିଲେ, କଣ କହୁଛୁ? ମୁଁ ତେଣେ ଯିବି ଗୋଟେ କେସ ରେ। କିଛି କହିବା ଆଗରୁ, କାଜଲ ଅଣ୍ଟାରେ ଥିବା ସେଦିନର ସମସ୍ତ ଆୟ ଥୋଇଦେଲା ଟେବୁଲ ଉପରେ।ଆଉ କହିଲା, ବାବୁ ମୋତେ ମୋ ବାଟରେ ଛାଡିଦିଅ। ମୁଁ ଚାଲିଯିବି। ଛୁଆକୁ ନେଇ ଯାଉଛି, ଯଦି କିଏ ଖୋଜେ, କହିଦେବେ ତାକୁ ମୋ ଠିକଣା। ମୁଁ ଏଇ ପାଖରେ ରୁହେ। ବାବୁ କହିଲେ, ରାଗିକି, ଉଠା ଏ ପଇସା। ପୋଲିସ ବାଲା ଙ୍କୁ ଥାନା ଭିତରେ ଲାଂଚ ଦେଉଛୁ?ଏତିକି କହି ମାଡ଼ିଆସିଲେ ତା ଆଡେ। ପିଲାଟିକୁ ବେଞ୍ଚ ଉପରେ ଶୁଆଇ ଦେଇଥିଲା ସେ। ଗୋଟେ ଶକ୍ତ ଚାପୁଡ଼ା ବାଜିଲା ତା ଗାଲରେ। ଛିଟିକି ପଡିଲା ସେ। ଥାନା ବାବୁ ଆସି ଧରିନେଲେ ତାକୁ। ଆଉ ତା ମୁହଁ ବନ୍ଦ କରି ଲାଇଟ ଲିଭେଇ ଦେଲେ ସେଇ ପ୍ରକୋଷ୍ଟର। କିଛି ଜିନିଷ ଛିଣ୍ଡି ଯିବାର ଯନ୍ତ୍ରଣା। ଆଉ ସେଇ ଚିତ୍କାର। ଚୁଡି ର ପ୍ରତିବାଦ ସ୍ୱର ଦବିଗଲା ଖାକିର ଅନ୍ତରାଳେ। ବାହାରେ ଏବେ ବି ବର୍ଷା, ଆଉ ଭିତରେ ଝଡ଼ ଟେ ବୋହୁଛି। ଚକ୍ରବାତ ଟିଏ ପେଷି ଚାଲିଛି, ନିର୍ଦୋଷ ମଣିଷଟେ, ଚୁନା ହେଇ ଭାଙ୍ଗୁଛି ସବୁ ବିଶ୍ୱାସ, ଆଉ ଗୁମୁରି କାନ୍ଦୁଛି ମାନବିକତା। ଅସହାୟତା ର ଲୁଗା କାନି ତା ଦଳି ହଉଚି, ପଶୁତ୍ବର ପ୍ରବୃତ୍ତି ତଳେ। କୋଉଠି ଅଛନ୍ତି,ଗିରିଧାରୀ କୃଷ୍ଣ,ଶୁଣି ପାରୁ ନାହାନ୍ତି ଏ ଡାକକୁ। ଧର୍ମ ରକ୍ଷା ପାଇଁ ପା ଧାଇଁ ଆସନ୍ତି,ସବୁ କାମ ଛାଡି। ଆଜି କଣ ହେଲା? କୁଆଡେ ଗଲେ ଯଦୁନନ୍ଦନ। ନାଇଁ କେହି ଆସିଲେନି। ଲାଇଟି ଆସିଲା ବେଳକୁ ମୁହଁରୁ ଉତୁରି ଯାଇଛି ମେକପ ର ରଙ୍ଗ, ଲେସି ହୋଇ ଯାଇଚି ଲିପ୍ସଟିକ। ଫିଟିଯାଇଛି ଗଭା, ବିଛୁଡ଼ି ପଡିଛି ମଲ୍ଲୀ ଗଜରା।ଛିଣ୍ଡି ଯାଇଛି ବ୍ଲାଉଜ ହୁକ। ଆଉ ଦୂରରେ ପଡିଛି, ପିନ୍ଧା ଶାଢ଼ୀ। ଶୈଶବଟି କାନ୍ଦୁଛି ଭୋକରେ ଆଉଟୁ ପାଉଟୁ ହେଇ। ବାବୁ ଜଣକ ନିଜ ପେଣ୍ଟର ଚେନ ବନ୍ଦ କରୁଥିଲେ, ଆଉ କେଣଇକି ହସୁଥିଲେ, ବିଜୟର ହସ। ଆଉ ପର୍ସରୁ କେତୋଟି ନୋଟ କାଢି ଫିଙ୍ଗିଦେଲେ କାଜଲ ମୁହଁ କୁ।କହିଲେ, ଆଉ କେବେ ପୋଲିସବାଲାକୁ ଲାଞ୍ଚ ଦବୁନି। ଭାରି କଷ୍ଟରେ ଉଠିଲା କାଜଲ। ଛିଣ୍ଡି ଯାଇଥିବା ଓଠରେ, ଛୁଆର ମଥାରେ ଚୁମା ଟିଏ ଦେଲା। ଶାଢ଼ୀଟା ଦେହରେ ଗୁଡେ଼ଇ ବାହାରିଗଲା। ଦୁଆରେ ଢୋଳଉଥିଲା କନେଷ୍ଟବଳ ତା ନିଜ ଛତାଟି ଦେଇଦେଲା। ସେ ବୁଝି ସାରିଥିଲା,ସବୁ ଘଟଣା। ଅପରାଧିଟେ ପରି କାଜଲର ଆଖି ରେ ଆଖି ମିଶେଇ ପାରୁନଥିଲା, ମୂକ ପାଲଟି ଯାଇଥିଲା ସେ ।ଟୁକୁରା ଅଭିମାନର ପୁଟୁଳି ବାନ୍ଧି, କୋଳରେ ଛୁଆକୁ ଧରି ବର୍ଷା ରାତିରେ ମିଶିଗଲା କାଜଲ କୁଆଡେ।  କାଜଲ ଆଉ କଳା ରାତି, ଉଭୟ ଆଖି ଚୋରାଉଥିଲେ ଉଭୟଙ୍କଠାରୁ। ଜଣେ ଲାଜରେ, ଜଣେ ଅସହାୟତାରେ। ଦିଗ୍ ବଳୟରେ ଦିଶୁଥିଲା, ନୀଳ ଅପରାଜିତା ରଙ୍ଗର କାନ୍ତି, ଦୀପ୍ତୀମୟ ଆଭା, ବିଶାଳ ଛାୟାମୂର୍ତ୍ତିଟିଏ। ଦୂରରୁ ଶୁଭୁଥିଲା, ଭାଗବତର ଗୋପଲୀଳା। 


କିଛି ଦିନ ପରେ ଖବରକାଗଜ ରେ ବାହାରିଲା, ଥାନା ଅଧିକାରୀଙ୍କ ଘରୁ ନିଖୋଜ ଯୁବତୀଙ୍କ ମୃତଦେହ ଜବତ,ନବଜାତ ଶିଶୁକନ୍ୟା ଉଦ୍ଧାର। ଫୋଟରୁ ବାରି ହେଉଥିଲା, ତା ମୁହଁରେ ବିଜୁଳିକନ୍ୟାର ଜ୍ୟୋତି।


Rate this content
Log in

Similar oriya story from Tragedy