ଚନ୍ଦ୍ରକାନ୍ତି
ଚନ୍ଦ୍ରକାନ୍ତି
ମିନାକ୍ଷୀ ର ମୁଣ୍ଡ ସକାଳୁ ଖରାପ ହୋଇଯାଇଥିଲା।ଏଇ ରେବା ବି ଶେଷ ପାଳି ଗୁରୁବାର ହିଁ ଛୁଟି ନେବାର ଥିଲା।ପେଶା ରେ ଡ଼ାକ୍ତରାଣୀ ମିନୁ କୁ ଏଇ ରୋଷେଇ ଜମା ବୁଝେନି।କାମ ଚଳା ରୋଷେଇ ତକ ଆସେ ଯାହା,କିନ୍ତୁ ରେବା ହାତ ରନ୍ଧା ଖାଦ୍ୟରେ ଅଭ୍ୟସ୍ତ ଥିବା ପରିବାର ଲୋକଙ୍କୁ ଋଚେ ନାହିଁ ।ସ୍ୱାମୀ ଖାଉ ଖାଉ କହିଦିଅନ୍ତି,"ଏ ରେବା ଆଜି ରାଇ ଟା ପୁରା ବୋଉ ହାତ ରାଇ ପରି ହୋଇଛି।"
ପୁଅ ଦୁଇଟା ବି ରେବା ଆଣ୍ଟି ପାଖେ ଫର୍ମାଇସ କରନ୍ତି କଣ ଖାଇବେ।ମିନାକ୍ଷୀ ନିଜ ଡିଉଟି ଭିତରେ ଠିକ ରେ ରୋଷେଇ କରିପାରନ୍ତିନି।ପିଲା ଦିନୁ ବାହାରେ ରହି ପଢ଼ିବା ,ଚାକିରୀ ଭିତରେ ବୋଉ କି ମାଆ କେବେ ରୋଷେଇ ର ଦାୟିତ୍ୱ ମିନୁ କୁ ଦେଇନାହାନ୍ତି।ରେବା ଯୋଗୁଁ ହିଁ ମିନାକ୍ଷୀ ଟିକେ ଶାନ୍ତି ରେ ନିଜ କାମ କରିପାରୁଛି।
ଆଜି ଶେଷ ଗୁରୁବାର ତରବର ରେ କାମ କରିଥାଏ ମିନୁ।ଆଜି ସବୁ ନିଜେ କରିଥାଏ।କାଇଁ ଆଜି ବୋଉ କଥା ଭାରି ମନେ ପଡୁଥିଲା।
ପିଲାଟି ଦିନୁ ରୁ ଦୁଇଟି ମାଆ ର ଆଦର ପାଉଥିଲା ସେ।ଜଣେ ଦେବକୀ ତ ଜଣେ ଯଶୋଦା।ଯଶୋଦା ମାଆ ଠାରୁ କ୍ଷୀରି ପୁରୀ ଖାଇଲେ ବି ଦେବକୀ ମା' ହାତର ଚନ୍ଦ୍ରକାନ୍ତି ଯେମିତି ଅମୃତ ର ସ୍ୱାଦ ଦିଏ ମିନୁକୁ।ଛୁଟି ରେ ଘର କୁ ଆସିଲେ ,ମୁଁହ ରେ ନକହିଲେ ବି ମାନଖୋଜୁଥାଏ ,ଆହା !!ବୋଉ ଟିକେ ଚନ୍ଦ୍ରକାନ୍ତି କରନ୍ତା କି??
ବୋଉ ମନଜାଣି ହଷ୍ଟେଲ ଗଲାବେଳେ ମାଆ କୁ ଲୁଚେଇ ବ୍ୟାଗ ରେ ଟିଫିନ ରେ ରଖିଦିଏ କେଇଖଣ୍ଡ ଚନ୍ଦ୍ରକାନ୍ତି।ହଷ୍ଟେଲ ରେ ପହଁଚିଲା ମାତ୍ରେ ମିନୁ ଉଦରସ୍ଥ କରିଦିଏ ସେସବୁକୁ।
ଆଜି ମିନୁ କେତେ ଚେଷ୍ଟା କରୁଥାଏ ଚନ୍ଦ୍ରକାନ୍ତି କରିବାକୁ କିନ୍ତୁ ଠିକ ରେ ଜାଣିପାରିଲାନି କେମିତି କରିବ?ସବୁ ରାଗ ପୁଞ୍ଜିଭୁତ ହେଲା ରେବା ପାଖରେ।ରାଗରେ ଯେକୌଣସି ମତେ ପୂଜା ସାରି ମିନୁ ମେଡିକାଲ ଚାଲିଗଲା।ଫେରିଲା ବେଳକୁ ସନ୍ଧ୍ୟା ୫,ଭୋକ ରେ ମିନୁ ଆଖିରୁ ଜୁଳୁଜୁଳିଆ ପୋକ ବାହାରି ଯାଉଥାଏ।ସବୁ ରାଗ ଯାଇ ସୁଝିଲା ରେବା ପାଖେ।ମନ ଇଛା ବର୍ଷି ଚାଲିଲେ ମିନୁ।କିଛି ସମୟ ତଳେ କୋଳାହଳ ରେ ଫାଟିପଡୁଥିବା ଘର ଟି ହଠାତ ନିସ୍ତବ୍ଧ ହୋଇଗଲା ।ଯିଏ ଯା ରୁମ କୁ ଚାଲିଗଲେ।
ମିନୁ ବାଥରୁମ ରୁ ଫ୍ରେଶ ହୋଇ ଆସି ସୋଫାରେ ଟିକେ ବସିଥାନ୍ତି,ଆଖି ଆଗରେ ନାଚି ଉଠିଲା ପ୍ଲେଟରେ କିଛି ଚନ୍ଦ୍ରକାନ୍ତି ପିଠା ଆଉ କାକରା ପିଠା। ମାଆ ସକାଳୁ କିଛି ଖାଇନାହାନ୍ତି ନା??
ଚନ୍ଦ୍ରକାନ୍ତି ପିଠା ଟିକୁ ପାଟି ପାଖକୁ ନେଉ ନେଉ ଆଖିରୁ ଝରିଯାଉଥାଏ କେଇବୁନ୍ଦା ଲୁହ।ମନେ ପଡୁଥିଲା ଅତୀତ,
ନିତାନ୍ତ ଗରିବ ପରିବାର ରେ ତୃତୀୟ କନ୍ୟା ମିନୁ,ତଳେ ସାନ ଭାଇଟିଏ।ବିକଳାଙ୍ଗ ବାପା ପରିବାର ଚଳାଇବାକୁ ଅକ୍ଷମ ,ମିନୁ କୁ ପାଞ୍ଚ ବର୍ଷ ବୟସରେ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରନ୍ତି "ମାଆ",ଯେଉଁଠି ମିନୁ ର ବୋଉ କାମ କରୁଥିଲେ,ମାଆ ଙ୍କ ଦାମୀ ଶାଢୀରେ ମିନୁ ର ମୁଁହ ପୋଛିଲେ ବି ମିନୁ ଖୋଜେ ବୋଉ ର ସେହି ତେଲିଆ ପଣତ,କାହିଁ ଅଜଣା ଆନନ୍ଦ ଥାଏ ବୋଉ ର ସେଇ ତେଲିଆ ଚିରା ପଣତରେ।ମିନୁ ବଡ ହୁଏ ବହୁତ ପଢେ ଆଉ ଯେବେ ବି ମାର୍ଗଶୀର ଗୁରୁବାର ଘରକୁ ଯାଇଥାଏ ବୋଉ ଘରୁ ଭାଇ ଭଉଣୀ ଙ୍କୁ ଲୁଚାଇ ଚନ୍ଦ୍ରକାନ୍ତି କରି ଆଣେ।
ମିନୁ ଚୁପଚାପ ଖାଇଦିଏ,ମାଆ ଖାଇବାକୁ ଡାକିଲେ ଭୋକ ନଥିବାର ବାହାନା କରେ।ଲଷ୍ମୀ ଙ୍କୁ କୁହେ ମୋ ବୋଉ ଙ୍କ ଉପରେ କାହିଁକି ମାଆ କେବେ ଖୁସି ହେଉନୁ ତାର ତ ଭକ୍ତି ରେ କିଛି ତ୍ରୁଟି ନାହିଁ।
ସମୟର ଗର୍ଭ ରେ ଆଜି ସବୁ ବିଲୀନ।ମିନାକ୍ଷୀ ନିଜ ଭାଇ ଭଉଣୀ ଙ୍କ ପ୍ରତି ନିଜ କର୍ତ୍ତବ୍ୟ କରିଛି।ଆଜି ନା ମାଆ ଅଛନ୍ତି ନା ବୋଉ ,ଭାରି ମନେ ପଡୁଥିଲେ ସେମାନେ।
ରେବା ଭିତରେ କେଜାଣି କେଉଁଠି ବୋଉ କୁ ଖୋଜିପାଇଥିଲା ମିନୁ ତା ଝାଳୁଆ ଲୁଗାରେ ମୁଁହ ଗୁଞ୍ଜି କାନ୍ଦି ଉଠିଲା ଛୋଟ ଛୁଆଟିଏ ପରି।
-ଆରେ ମା କାନ୍ଦୁଛ କାହିଁକି ମୁଁ ଜାଣେ ପରା ତୁମେ ଭୋକରେ ଡିଉଟି ଯାଇଛ,ଆଉ ମୁଁ ବି ନଜଣାଇ ରହିଗଲି ତେଣୁ ବିଗିଡିଲ।ମିନାକ୍ଷୀ ଚନ୍ଦ୍ରକାନ୍ତି ଖାଇ ଖାଇ ରେବା ର ନିରୀହ ମୁଁହ କୁ ଦେଖି ଭାବୁଥିଲା,
"କାହିଁକି ଆଜି ର ଶ୍ରୀୟା ମାନଙ୍କ ଉପରେ ଲଷ୍ମୀ ଠାକୁରାଣୀ ଙ୍କ କୃପାଦୃଷ୍ଟି ପଡେ ନାହିଁ।ରେବା କଣ ଶ୍ରୀୟା ଠାରୁ କେଉଁ ଗୁଣରେ କମ କି??"