STORYMIRROR

BIBHUTI BHUSAN SWAIN

Drama Others

3  

BIBHUTI BHUSAN SWAIN

Drama Others

ଚନ୍ଦ୍ରାୟନ

ଚନ୍ଦ୍ରାୟନ

2 mins
410


ସଂପୂର୍ଣ୍ଣ ଦେଶୀୟ ଜ୍ଞାନ କୌଶଳ ଅବଲମ୍ବନ କରି ସଫଳତାର ସହ ଚନ୍ଦ୍ରାୟନ-୨କୁ ପୃଥିବୀ କକ୍ଷପଥରେ ସଫଳତାର ସହ ସ୍ଥାପନ କରି ଇତିହାସ ରଚିଛି ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ । ଆଉ କିଛି ଦିନ ପରେ ଚନ୍ଦ୍ରାୟନ-୨କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବସ୍ଥାନ କରାଇ ଚନ୍ଦ୍ରପୃଷ୍ଠର ବହୁ ଅଜଣା ତଥ୍ୟ ଜାଣିପାରିବେ ବୈଜ୍ଞାନିକମାନେ । ଏଭଳି ଏକ ସୁଖଦ ସମ୍ବାଦକୁ ଖବରକାଗଜ ପୃଷ୍ଠାରୁ ପଢି ମୁଁ ଆହ୍ଲାଦିତ ହୋଇଉଠୁଥିଲି । ଭବିଷ୍ୟତରେ ମଣିଷ ଚନ୍ଦ୍ରପୃଷ୍ଠରେ ବସତି ସ୍ଥାପନ କରିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ- ଏଭଳି କଳ୍ପନାରେ ମସଗୁଲ ଥିବା ବେଳେ ପତ୍ନୀଙ୍କ ଡାକ ଶୁଣି ଧ୍ୟାନ ଭଗ୍ନ ହେଲା ମୋର ।


-"ଶୁଣୁଛ,ଆଜି ଦିଲ୍ଲୀରୁ ଫୋନ କରିଥିଲେ ପଲ୍ଲବୀ । ସେ ଆଉ ଦୁଇ ଦିନ ପରେ ଓଡ଼ିଶା ଆସିବେ ଆଉ ଆମ ଘରେ ସପ୍ତାହେ ପର୍ଯ୍ୟନ୍ତ ରହିବେ ବୋଲି କହୁଥିଲେ ।" ମୁଁ ଆଶ୍ଚର୍ଯ୍ୟ ହୋଇ ପତ୍ନୀଙ୍କ ମୁଖକୁ ଚାହିଁ ରହିଥିଲି ।

ପଲ୍ଲବୀ ଯେ କି ମୋ କଲେଜ ଜୀବନର ସହପାଠୀ ତଥା ଶ୍ରେଷ୍ଠ ବନ୍ଧୁ ଭାବରେ ମୋର ସମସ୍ତ ସୁଖ ଦୁଃଖରେ ସହଭାଗିତା କରୁଥିଲା ।ଜଣେ ଦୂର ସମ୍ପର୍କୀୟ ମାଉସୀଙ୍କ ଏକମାତ୍ର ଅଲୀଅଳି କନ୍ୟା ପଲ୍ଲବୀ ସମ୍ପର୍କରେ ମୋର ଭଉଣୀ ଥିଲା । ତେଣୁ କଲେଜରେ ମୋ ଦ୍ୱାରା କରାଯାଇଥିବା ସମସ୍ତ ଅପକର୍ମର ସେ ଥିଲା ଏକମାତ୍ର ସାକ୍ଷୀ । କେଉଁ ଝିଅକୁ ପ୍ରେମପତ୍ର ଦେବା, କାହାକୁ ପରୀକ୍ଷାରେ କପି ଯୋଗାଇବା, ଲାଇବ୍ରେରୀରୁ ବହି ଚୋରି କରି ସାଙ୍ଗମାନଙ୍କୁ ଉପହାର ଦେଇ ବାହାବା ଲୁଟିବା ତଥା ସାଙ୍ଗମାନଙ୍କ ସହ ଢାବାରେ ମଦ୍ୟପାନ କରିବା ଆଦି ସମସ୍ତ କୁକର୍ମର ଧାରା ବିବରଣୀକୁ ସେ ଆଗ୍ରହର ଶୁଣିଥାଏ ଆଉ କାହା ଆଗରେ ଏସବୁ କଥା ପ୍ରକାଶ କରିବ ନାହିଁ ବୋଲି ମୋତେ ଦେଇଥାଏ ଦୃଢ ପ୍ରତିଶୃତି । ପରନ୍ତୁ ଫାଇନାଲ ପରୀକ୍ଷାର କିଛି ଦିନ ପୂର୍ବରୁ ମୁଁ ଗୋପନରେ ମୋର ବାନ୍ଧବୀ ଶ୍ୱେତପଦ୍ମା ସହ ଫିଲ୍ମ ଦେଖିଯିବା କଥା ତା'ପରଦିନ ଯେତେବେଳେ କଲେଜରେ ପ୍ରଘଟ ହୋଇ ଗଲା, ସେତେବେଳେ ମୋର ପଲ୍ଲବୀ ଉପରେ ସନ୍ଦେହ ଆସିଯାଇଥିଲା । ମୋର ସମସ୍ତ କ୍ରୋଧ ଅଜାଡି ହୋଇ ଯାଇଥିଲା ପଲ୍ଲବୀ ଉପରେ । ଆଉ ସେହିଦିନ ଠାରୁ ମୋର ତା' ସହ ଥିବା ସମସ୍ତ ସମ୍ପର୍କର ପୂର୍ଣ୍ଣଛେଦ ପଡିଯାଇଥିଲା । କଲେଜ ଛାଡିବାର ଅନେକ ବର୍ଷ ପରେ ପଲ୍ଲବୀ ମୋ ଘରକୁ ଆସୁଛି ଜାଣି ମୁଁ ମନେ ମନେ ବିସ୍ମିତ ହେଉଥିଲି ।

-କେଉଁ ଭାବନାରେ ବୁଡି ଗଲ? ପଲ୍ଲବୀକୁ କଣ କହିବି...ପଚାରୁଥିଲେ ପତ୍ନୀ ।

ଏକ ଆଦର୍ଶ ପତିର ଦାୟିତ୍ୱ ନିର୍ବାହ କରି ସଂସାର ସାଗରରେ ପରିବାର ନୌକାଟି ସୁରୁଖୁରୁରେ ଚଳାଉଥିବା ବେଳେ ଅକସ୍ମାତ ପଲ୍ଲବୀ ନାମଧାରୀ ସୁନାମୀଟି ମୋର ଅତୀତକୁ ଖୋଳି କେଂଚି ନଷ୍ଟ କରିଦେବାର ଯଥେଷ୍ଟ ସମ୍ଭାବନାକୁ ଅସ୍ୱୀକାର କରାଯାଇ ନ ପାରେ । ମୁଁ ଅନ୍ୟମନସ୍କ ହୋଇ ପତ୍ନୀଙ୍କୁ ଉତ୍ତର ଦେଲି- "ସେ ଚନ୍ଦ୍ରାୟନକୁ ଏଠାକୁ ଆସିବାକୁ ମନା କରିଦିଅ ।'

- କଣ କହିଲ, ଚନ୍ଦ୍ରାୟନ...ପତ୍ନୀ ଉତ୍କଣ୍ଠାର ସହ ପଚାରିଲେ ।

-ନା,ନା...ଚନ୍ଦ୍ରାୟନ ନୁହେଁ ଚଣ୍ଡାଳୁଣୀ....ତାକୁ କହି ଦିଅ ଆମେ ସେହି ସମୟରେ ଦକ୍ଷିଣ ଭାରତ ବୁଲିଯାଇଥିବୁ....ଛେପ ଢୋକି ନିଜ ଭୂଲକୁ ସଂଶୋଧନ କରି ଉତ୍ତର ଦେଲି ମୁଁ ।



Rate this content
Log in

Similar oriya story from Drama