Nityananda Nandi

Tragedy

3  

Nityananda Nandi

Tragedy

ଚିମୁଟା

ଚିମୁଟା

5 mins
221


 


ମୁଖିଗୁଡ଼ା ପାହାଡ, ଅନ୍ୟତମ ଭୂସ୍ୱର୍ଗ।  କୋଳାହଳ ପୂର୍ଣ୍ଣ ଛୋଟ ବସ୍ତିଟିଏ ପାହାଡି ଉପତ୍ୟକାର ନିସ୍ତବଧତାକୁ କ୍ଷୁର୍ଣ୍ଣ କରି ସାମ୍ରାଜ୍ୟ ବିସ୍ତାର କରିଛି ଅନତି ଦୂରରେ।

ବସ୍ତିର ଗୋଟାଏ କୋଣରେ ତିଳୋତ୍ତମାର ଝାଟିମାଟି ଘର। ଅଳ୍ପ ବୟସରୁ ବିଧବା ତିଳୋତ୍ତମା। ଛୋଟ ପୁଅର ହାତ ଧରି କେତେ ଦୂର ସେ ଚାଲି ଆସିଛି, ନିଜେ ବି ଜାଣିନି । 


ପୁଅ ଆଜି ପଚିଶ ବର୍ଷର ଭେଣ୍ଡିଆ, ଅଭି। ମନ, ହୃଦୟ ଆଉ ଶରୀରରେ ଅନେକ କ୍ଷତକୁ ଲୁଚେଇ ତିଳୋତ୍ତମା ଭୁଲି ଯାଇଛି ସବୁ ଘଟଣା ଦୁର୍ଘଟଣାକୁ। ଏକୁଟିଆ ଥିଲେ ସମାଜ ବୋଧେ ସାଥୀ ଦିଏନି। ବୟସ ହେବା ପରେ ନା ତାକୁ କେହି ଘୁରି ଦେଖନ୍ତି। ଜୀବନ ଗୋଟାଏ ଗ୍ରାମ୍ୟ ନାଟକ ପରି। ଶେଷ ଦୃଶ୍ୟ ବେଳକୁ ମୁହଁ ରେ ଆଉ ଚମକତା ନ ଥାଏ। କେହି ଆଉ ସେମିତି ଦେଖନ୍ତି ନାହିଁ। ନା ଦେହରେ କିଛି ବାସ୍ନା ଥାଏ ଶେଷ ବେଳକୁ, ନା ମୁହଁ ରେ କିଛି ସୌନ୍ଦର୍ଯ୍ୟ। ସବୁ ଯେମିତି ଅପ୍ରାକୃତିକ ଲାଗେ !!!


ତିଳୋତ୍ତମା ଆଜି ପୋଖତ ମାଆଟିଏ, ଅଭିର। ସ୍ନେହ ମମତା ଭରା ହିମାଳୟ ଦୈର୍ଘ୍ୟର ମାତୃତ୍ଵ। ଅଭି ବାପାଙ୍କ ଦୋକାନକୁ ସମ୍ଭାଳୁଛି ତିଳୋତ୍ତମା। ନିଜ ବାଡିରୁ ଆତ, ଲେମ୍ବୁ, କରମଙ୍ଗା, ଆମ୍ବ ବାହାରେ। ଯେଉଁ ଋତୁରେ ଯେଉଁ ଫଳ। ବସ୍ତି ଛକରେ ବସି ବିକ୍ରିକରେ ସକାଳରୁ ସଂଜ ପର୍ଯ୍ୟନ୍ତ । ବସ୍ତି ଭିତରେ ସମସ୍ତଙ୍କ ଅତି ପ୍ରିୟ ତିଳ ମାଉସୀ। ଯାହାକୁ ଦେଖେ, ହସି ଦିଏ। ଭାରି ଅନ୍ତର ଖୋଲା।


ମାଆର କାନି ଧରି ଧିରେ ଧିରେ ବଢ଼ିଥିବା ଅଭି ଆଜି ହାଣ୍ଡିଆ ପିଇ ଦେଇ ଦୋକାନରେ ମାଆ ବିଛେଇଥିବା ପାଟିଆ ଉପରେ ଦିନ ତମାମ ଶୋଇ ରହେ। ଦିନ ସାରା ଝାଳମାଳ ହୋଇ ତିଳୋତ୍ତମା ଦୁଇ ତିନି ଶହ ଉପାର୍ଜନ କରେ। ସଂଜ ସକାଳ ଦୁଇ ଥର, ମାଆ ଠୁ ପଇସା ନିଏ ଅଭି। ହାଣ୍ଡିଆ ଖାଇ ପଇସା ଉଡ଼ାଇ ଦିଏ ବୋଲି କିଛି ଆକଟ କରେନି ତିଳୋତ୍ତମା। ପୁତ୍ର ସ୍ନେହର ନିଶା ଆଗରେ ପୃଥିବୀରେ ସବୁ ନିଶା କ୍ଷଣସ୍ଥାୟୀ। ମାଆ ଗୋଟାଏ ଉଷ୍ଣ ପ୍ରସବଣ। ନବଜାତ ଝରଣାଟିଏ, କଳ କଳ ନାଦରେ ଅନବରତ ବହି ଚାଲିଥାଏ ନିରୁଦ୍ଦିଷ୍ଟ କୋଉ ଏକ ଠିକଣା ଆଡ଼କୁ।


ସବୁଦିନ ଗୋଟାଏ ସର୍ତ୍ତ , ଅଭି ! ମୁଖିଗୁଡା ଯାଇ ମୋ ପାଇଁ ଗୋଟେ ଚିମୁଟା ଆଣିବୁ । କଢ଼ା ଧରିଲା ବେଳକୁ ହାତକୁ କଷ୍ଟ ହୁଏ। ଅଭି ସବୁଦିନ ପଇସା ନିଏ ମାଆ ଠୁ। ହାଣ୍ଡିଆ ଖାଇ ଦେଇ ଆସେ, କହେ ମାଆ ! ଆଜି ଭୁଲି ଗଲି। କାଲି ନିଶ୍ଚୟ ଆଣିବି । କାଲି ପୁଣି ମାଆ ପଚାରେ, ଅଭି ଜିଭ କାମୁଡି ଦିଏ। ତିଳୋତ୍ତମା ହସି ଦିଏ। ଭୁଲିଯାଏ ବୋଲି ତ ସେ ଜଣେ ମାଆ। ଅପୂର୍ବ ଶକ୍ତି ଏଇ ମାଆ ଭିତରେ। ରଞ୍ଜି ଘଷି ହୋଇ ଯାଇଥିବା ମାଇଲ ଖୁଣ୍ଟକୁ ପଢି ହୁଏନି ସିନା, ଦୂରତା କିନ୍ତୁ ବଦଳେନି। ଯେମିତି ମା'ଠୁ ପୁଅର ଦୂରତା !! କେବେ କଣ ବଦଳେ ?


ଏମିତି ବର୍ଷେ କଟିଗଲା। ଚିମୁଟା କିଣି ପାରିଲାନି ସେ ମାଆ ପାଇଁ। ଅଭି ଦେଶି ମହୁଲି ପିଇବା ଆରମ୍ଭ କରି ଦେଇଥିଲା ଏହା ଭିତରେ। ମାଆର ପଣତ କାନିଠୁ ଅଲଗା ହୋଇ ଯାଉଥିଲା ସେ ଧୀରେ ଧୀରେ । ଦୋକାନକୁ ଯାଇ ମା ପାଖରେ ଆଉ ବସେନି। ଘରେ ଶୋଇ ଥାଏ। ମହୁଲି ନିଶାରେ ଚୂରଚୂର ହୋଇ ଯାଉଥିଲା ଅଭି। ପଇସା ପାଇଁ ମାଆ ଦୋକାନକୁ ଯାଏ, ମା ସାମ୍ନାରେ ମାଆର ପଇସା ବେଗ ରୁ ଟଙ୍କା ନେଇ ପୁଣି ଚାଲିଯାଏ। ପେଟେ ଦେଶି ମହୁଲି ପିଇ ଟଳମଳ ହୋଇ ଘରକୁ ଫେରେ। 

ତିଳୋତ୍ତମା ଘରକୁ ଫେରି ରୋଷେଇ କରେ। ପୁଅକୁ ଡାକେ, ତା ହାତ ମୁହଁ ପୋଛା ପୋଛି କରି ଭାତ ଡାଲି ଖୁଏଇ ଦିଏ। ମାଆ ପୁଅର ଏଇ ସମ୍ପର୍କର ଯାଦୁ ଭିତରେ ସ୍ନେହ ମମତାର ଖେଳ ଅଲୌକିକ ଲାଗେ। ଚାଳିଆ କୁ ମାଡି ଯାଇଥିବା ହେନା ଫୁଲର ବାସ୍ନା ଭଙ୍ଗା ଟାଇଲି ର ଫାଙ୍କ ଦେଇ ପଶି ଆସେ ଭିତରକୁ। ହାଲୁ କା ଆଲୁଅ ଭିତରେ ମାଆ ପୁଅଙ୍କ ଛୋଟ ପୃଥିବୀଟା ସକାଳ ହେବା ପର୍ଯ୍ୟନ୍ତ ନିଜ କକ୍ଷରେ ଘୁରୁଥାଏ, ଅନବରତ।

ମାଆ ପୁଅ ଶୋଇ ଯାଆନ୍ତି ନିଘୋଡ଼ ନିଦରେ । ପୁଣି ସକାଳ ହୁଏ, ତିଳୋତ୍ତମା ବସ୍ତି ଛକ ଦୋକାନକୁ ଯାଏ। ଆମ୍ବ, କରମଙ୍ଗା ଯାହା ଘରେ ଥାଏ, ବିକିବା ପାଇଁ। ଅଭି ଚାଲେ ଦେଶି ମଦ ଭାଟି କୁ। ଦୁଇ ଭିନ୍ନ ରାସ୍ତାର ଦୁଇ ପଥିକ, ସଂଜ ହେଲେ ଦୁଇ ରାସ୍ତା ଆସି ମିଶିଯାଏ ତିଳୋତ୍ତମା ର ଘର ଆଗରେ।

****

ବିଶୁ ଚିଠିଟିଏ ନେଇ ଆସିଲା ତିଳୋତ୍ତମା ପାଖକୁ। ମାଉସୀ, ଅଭି ର ଦେହ ଭଲ ନାହିଁ। ତମ ପାଇଁ ଚିଠିଟିଏ ପଠେଇଛି।

ହଁ, ହଁ ପଢ଼ ବିଶୁ ! କଣ ଲେଖିଛି ସେ ତା ଚିଠିରେ।


ମାଆ !

ତୋ ପାଖକୁ ଆଉ ଦୌଡ଼ି ଦୌଡ଼ି ଆସି ତୋତେ ସାକ୍ଷାତ କରି ଶେଷ କଥା ପଦେ କହି ପାରିବି କି ନା ଜାଣି ପାରିଲିନି। ବିଶୁକୁ ଡାକି କହିଲି, ସେ ଲେଖିଲା ଚିଠିଟିଏ ତୋ ଉଦ୍ଦେଶ୍ୟରେ। 

ନା ମୁଁ ଲେଖି ପାରେ, ନା ତୁ ପଢି ପାରୁ ! ବିଶୁ ଲେଖିଛି , ବିଶୁ ହିଁ ପଢିବ ମୋ ଚିଠିକୁ ତୋ ଆଗରେ। ତାକୁ ମୁଁ କହିଲି ନା ତୁ ଚିଠି ଲେଖ, ସବୁକଥା ତୁ କହି ପାରିବୁନି ମୋ ମା'କୁ !!

ମୋତେ ଲାଗିଲା ମୁଁ ଆଉ ବଞ୍ଚିବିନି ମାଆ। ତୁ ଯୋଉ ଶହେ ଟଙ୍କା ଦେଇଥିଲୁ ତାକୁ ନେଇ ସକାଳୁ ସକାଳୁ ପହଞ୍ଚିଲି ମହୁଲି ଭାଟି ପାଖରେ। କାହିଁକି କେଜାଣି, ଅସହ୍ୟ ଯନ୍ତ୍ରଣା ହେଲା ଛାତିରେ।  


ବାପାଙ୍କ ମୃତ୍ୟୁ ପରେ ତୁ ହିଁ ଥିଲୁ ମୋର ଏକ ମାତ୍ର ସାହାରା !

 ସ୍ନେହ ମମତା ଗଦେଇଦେଲୁ ମୋ ଉପରେ । ମୋ ସାଙ୍ଗ ମାନେ ସମସ୍ତେ ପଢିବାକୁ ଗଲେ ମୁଖିଗୁଡ଼ା ପ୍ରଜେକ୍ଟ୍ ସ୍କୁଲକୁ। ପାହାଡରୁ ହେଟା ବାଘ ଆସି ଛୋଟ ଛୋଟ ଛୁଆ ମାନଙ୍କୁ ଆକ୍ରମଣ କରେ ବୋଲି ତୁ ମୋତେ ସ୍କୁଲ ଯିବାକୁ ଦେଲୁ ନାହିଁ। ତୋ କାନି ଧରି ଚାଲିଲି ତୋ ପଛେ ପଛେ। ତୋ ସ୍ନେହର ଜାଲ ଭିତରେ ମୁଁ ଏମିତି ଛନ୍ଦି ହୋଇଗଲି ଯେ ମୁଁ ତୋତେ ଛାଡି ମୁହୂର୍ତ୍ତ ଟିଏ ରହି ପାରେନି, ନା  ତୁ ମୋତେ ଛାଡ଼ି ରହି ପାରୁ। ଅଳ୍ପ ବୟସରୁ ହାଣ୍ଡିଆ ଖାଇଲି ତୁ କିଛି କହିଲୁନି। ସ୍ନେହର ଏଇ ଦିଗହୀନ ପଶା ଖେଳରେ, ଖେଳ ଆରମ୍ଭ ପୂର୍ବରୁ ତୁ ପ୍ରତିଥର ହାରି ଯାଉ ମାଆ..ମୁଁ ବୁଝି ପାରେନି ମୋ ମା କାହିଁକି ବାର ବାର ହାରିଯାଏ !!

ତୁ ମୋତେ ଆକଟ କଲୁନି କାହିଁକି ? ଦେଶି ମହୁଲି ପିଇଲି, ଧୀରେ ଧୀରେ ଦୂରେଇ ଗଲି ତୋ ପାଖରୁ। ତଥାପି କିଛି କହିଲୁ ନାହିଁ। ପୁଅର ଖାଲି ଜୀବନ୍ତ ଉପସ୍ଥିତି, ତୋ ପାଇଁ କଣ ସବୁ କିଛି ଥିଲା ??

ବାର ବାର ତୋ ପାଖକୁ ଆସି ପଇସା ନିଏ, ବାରଣ କଲୁନି। ସବୁଦିନ ଚିମୁଟା କଥା କହୁଥିଲୁ, ପଇସା ନେଇ ବାହାରୁ ଥିଲି ଚିମୁଟା କିଣିବି ବୋଲି। କାହିଁକି କେଜାଣି ମହୁଲି ରନ୍ଧା ଭାଟି ଦେଇ ରାସ୍ତା ଅତିକ୍ରମ କରିଲା ବେଳକୁ ଗୋଟାଏ ଅପୂର୍ବ ବାସ୍ନାରେ ବିମୋହିତ ହୋଇ ଅଟକି ଯାଉଥିଲି ମୁଁ କିଛି କ୍ଷଣ ପାଇଁ। ମହୁଲି ପିଇ ଘରକୁ ଫେରୁ ଥିଲି, ସଂଜ ହେଲେ। ରାତିରେ ଶୋଇଲା ବେଳେ ଚିମୁଟା କଥା ତୁ ପଚାରୁ, ପ୍ରାୟ ପ୍ରତିଦିନ। ମୁଁ ମୁଣ୍ଡ କୁଣ୍ଡେଇ ହୁଏ, ତୁ ହସି ଦେଉ। ମୁଁ ବି ହସି ଦେଉଥିଲି ତୋ ମୁକ୍ତା ଝରା ହସ ଦେଖି । ତଥାପି ତୁ ମୋତେ ଗାଳି କଲୁନି। କାହିଁକି ?

କହି ପାରିଥାଆନ୍ତୁ ନା , ଦେଖ ଅଭି ! କାଲି ଯଦି ଚିମୁଟା ନ ଆଣୁ ତୋ ଖାଇବା ପିଇବା ବନ୍ଦ। ମୋ ଭିତରେ ଚେତା ପଶି ଥାଆନ୍ତା। ଆଖିରେ ପଟି ବାନ୍ଧି ଗାନ୍ଧାରୀ ହେବାର ପ୍ରବଳ ଇଚ୍ଛାକୁ ଧୋକା ଦେଇ ପ୍ରତି ମୁହୂର୍ତ୍ତରେ ମୁଁ ତୋ ଠାରୁ ଦୂରେଇ ଯାଉଥିଲି ମାଆ। କ୍ଷମା କରିବୁ !!


ଛାତିରେ ଅସହ୍ୟ ଯନ୍ତ୍ରଣା ହେବାରୁ ମୁଁ ଆଜି ଆଉ ମହୁଲି ପିଇନି । ଛାତିକୁ ଚାପି ଚାପି ତୁ ଦେଇଥିବା ପଇସା ଧରି ଦୌଡିଲା ମୁଖିଗୁଡା ସହରକୁ।  


ଗୋଟାଏ କଥା କହିବି ମାଆ ! କରି ପାରିବୁ !! ଆମ ପାହାଡ ପଛପଟେ ତିନିଟି ମହୁଲି ଭାଟି ଅଛି, ଦିଆସିଲି ନେଇ ନିଆଁ ଲଗେଇ ଦେବୁ। ମୁଁ ଚାହେଁନି, ବିଶୁ, ସନିଆ, ଭାନୁ ମୋ ସାଙ୍ଗ ମାନେ ମୋ ପରି ଅଳ୍ପ ବୟସରେ ଦୁନିଆ ଛାଡି ଚାଲି ଯାଆନ୍ତୁ। ସେମାନେ ବି ପିଇବା ଆରମ୍ଭ କରିଦେଇଛନ୍ତି ମାଆ। ମୋତେ ତୁ ରକ୍ଷା କରି ପାରିଲୁନି ସିନା, କିନ୍ତୁ ମୋ ସାଙ୍ଗ ମାନଙ୍କୁ ରକ୍ଷା କରିବାର ଦାୟିତ୍ବ ତୋ ଉପରେ ଛାଡି ଯାଉଛି।


 ଚିଠି ପାଇ ଶୀଘ୍ର ଆସିବୁ, ଯଦି ଶେଷ ଦେଖା ହୋଇ ଯାଏ ତ !

 ମେଞ୍ଚାଏ କରମଙ୍ଗା ଉପରେ କପଡା ଢାଙ୍କି ଦେଇ ତିଳୋତ୍ତମା ଦୌଡିଲା ଘର ମୁହାଁ ହୋଇ...

 ****

ଅଧାଖୋଲା ଥିବା କବାଟ ଦେଇ ଅନେଇଲା ତିଳୋତ୍ତମା, ଚିମୁଟା ଆଉ ଦିଆସିଲି ଇତଃସ୍ତତ ହୋଇ ପଡ଼ିଛି। ସାହାସ କରି ପୁଣି ଥରେ ଅନେଇଲା ଆହୁରି ଭିତରକୁ। କାହିଁ ଅଭି କୋଉଠି ??? କଲିଜାକୁ ପଥର କରି, ଆଉ ଗୋଟାଏ ପାଦ ଆଗକୁ ନେଇ ଭିତରକୁ ଆସ୍ତେ କରି ଆନେଇଲା ତିଳୋତ୍ତମା... 

ଅନ୍ଧାର ଘର ଭିତରେ କୋଣକୁ ଡେରି ହୋଇ ବସିଛି ଅଭି। ତିଳୋତ୍ତମା କୁଣ୍ଢେଇ ନେଲା ପୁଅକୁ..

ମାଆ ! ମୁଁ ଆଉ ମହୁଲି ପିଇବିନି, ବଞ୍ଚିବାକୁ ବହୁତ ଇଚ୍ଛା..

ପୁଅ ସ୍ନେହରେ ଅନ୍ଧ ତିଳୋତ୍ତମା ମୂକ ପାଲଟି ଯାଇଥିଲା !!! ହାତ ବୁଲାଉ ଥିଲା ଅଭି'ର ମୁଣ୍ଡ ଉପରେ।



Rate this content
Log in

Similar oriya story from Tragedy