Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Satyabati Swain

Tragedy

4  

Satyabati Swain

Tragedy

ଛନ୍ଦହୀନ ଜୀବନ

ଛନ୍ଦହୀନ ଜୀବନ

5 mins
170



ସେ ବେଞ୍ଚଟା ଖାଲି ଥିଲା।ଖାଲି ବେଞ୍ଚଟି ଦେଖି ମୋ ଭିତରେ ଗୋଟେ ବିରାଟ ଶୁନ୍ୟତା ସୃଷ୍ଟି ହେଲା।


ଏଇ ମାସେ ହେବ ମୁଁ ଓ ମୋ ମିଷ୍ଟର ପ୍ରତି ରବିବାର ଏ ପାର୍କ ଆସୁଛୁ।ଟ୍ଵିନି ସିଟିରେ ଖୋଲା ନିଃଶ୍ଵାସ ନେବାକୁ ଟିକେ ବି ଜାଗା ନାହିଁ।ସହର ଛାତିରେ କୋଳାହଳରୁ ଦୂର୍ ଏଇ ପାର୍କ ଟି ଆମକୁ ଭଲ ଲାଗେ।ନୂଆ ନୂଆ ବାହାଘର ହୋଇଛି ଆମର। ମୋ ମିଷ୍ଟର ରବିବାର ଟିକୁ ଛାଡିଦେଲେ ସବୁ ବେଳେ ଅଫିସ୍ ଯାଆନ୍ତି।ଅଫିସ୍ ରୁ ବି କାମ ଆଣି ଲ୍ୟାପ୍ଟପ୍ ରେ କରନ୍ତି।ମୁଁ ଗାଉଁଲି ଝିଅଟା।ଖୋଲା ମେଲା ଜୀବନକୁ ଝୁରେ।କିଏ ଗୋଟିଏ ଘରେ ପେଟେଇ ପଡିଥିବ ଏକା ଏକା !


ଗାଁ ର ବିଶୁଦ୍ଧ ବାୟୁ ପରି ସହରୀ ଯୁବକଙ୍କ ଗାଉଁଲି ପାଠୋଇ ସୁନ୍ଦରୀ ଝିଅ ଭାରି ପସନ୍ଦ।ସେଇଥିପାଇଁ ତ ଏ ସହରରୀ କଷ୍ଟିଆ ଜୀବନ ମୋ ଭାଗ୍ୟରେ।


କେଜାଣି ଏ ସହରୀ ଲୋକ ଗୁଡାଙ୍କୁ କେମିତି ବିରକ୍ତ ଲାଗେନି ଯେ ଦିନ ରାତି ଘରଟାରେ ପଶି ଥିବେ।


ସହରୀ ଜୀବନ ବନ୍ଦୀ ଜୀବନ ଓ ସଙ୍ଗ ହିଁନ ଜୀବନ ମୋତେ ଲାଗେ।


ମୁଁ ଆଉ ଦିନ କେଇଟା ରହିଲେ କାଲ, ମୁକ ଓ ଅନ୍ଧ ହୋଇଯିବି ବୋଧେ।କି ଗପୁଡି ଟା ମୁଁ ବୋଲି ମା ଚିନ୍ତା କରୁଥିଲା।ଦେଖୁନାହିଁ ଆସି କେମିତି ମୋ ପାଟିରେ ତାଲା।


ସହର ଲୋକେ ପାଟିରେ ସବୁବେଳେ ତାଲା ଦିଅନ୍ତି !!


ଛିଃ ବେଇଲୋ ଏଇଟା ଗୋଟେ ଜୀବନ! !


ମୋ ମିଷ୍ଟର 'ବିଜ୍ଞାନ" ନାଁ ଅନୁସାରେ କାମ।ବିଜ୍ଞାନ ଯେମିତି ସବୁ ପରୀକ୍ଷା ନିରୀକ୍ଷା ଉପରେ ବେଶୀ ପ୍ରାଧାନ୍ୟ ଦିଏ ମୋ ବିଜ୍ଞାନ ପତିଦେଵ ବି ସେମିତି।ସବୁ କଥାରେ ମୁଣ୍ଡ ଖେଳେଇ କାମ କରିବେ।ଖାଇବା ହେଉ କି ପିନ୍ଧିବା,ସବୁଥିରେ ଭଲ ଖୋଜା।କମ୍ ତେଲ ସିଝା ମିଝା ଖାଦ୍ୟ।କଟନ୍ ଡ୍ରେସ୍ ପିନ୍ଧା।କିନ୍ତୁ ମୁଁ ତ କଳ୍ପନା! ମୋ ମୁଣ୍ଡ ଅପେକ୍ଷା ମୋ ହୃଦ ବେଶୀ କାମ କରେ।ମୋର ଖାଇବା ବିନ୍ ଦାସ୍।ପେଟ ଭରିବା ଯାଏ ଖାଇବା।


ସହର୍ ରେ ଖାଲି ଡାଇଟିଂ ସାଇଟିଂ।କାଇଁ ଖୁବ୍ ମନ ଭରି ତ ଆମେ ଖାଉ।ଦେଖିଲ, ମୋଟା ହେଇଚୁ। ଡିଆଁ ଡେଇଁ, ଚଲାବୁଲା, ଗପାଗପି ଧୁମ୍ କରୁ।ଗୋଟିଏ ଘରେ ଗୋଟିଏ ଜାଗାରେ ସ୍ଥିର ହୋଇ ବସୁନା।ହାତ ଗୋଡ଼ କାମ କରୁଥାଏ ସବୁବେଳେ।


ବୁଝିଲ ପାଟି , ଆମେ ରୋଗିଣା ନୁହଁ କି ମୋଟା।


କିଏ ଏତେ ତୁଣ୍ଡ ମୁଣ୍ଡ ମାରିବ।ଏଇଥର ଗାଁ କୁ ଗଲେ ଆଉ ଆସିବି ନାହିଁ।ଶାଶୁ ପରା ଠେଲି ପେଲି ପଠେଇଲେ।ବାହା ହେଲା ପରେ ମୋ 'ବିଗୁ' ବାହାରେ ଖାଇବ,ହାତରେ ରାନ୍ଧି ଖାଇବ କହି।ଆସନ୍ତେ କି ମା ଦେଖେନ୍ତେ କି ଖାଇବା ଖାଉଛନ୍ତି ତାଙ୍କ ବିଗୁ।ଗଜା ମୁଗ ମୁଠାଏ,ଫାଳେ ଫଳ,ଫାଳେ କାକୁଡି,ଖଣ୍ଡେ ଗାଜର। ମଧ୍ୟାହ୍ନରେ ମୁଠେ ଭାତ, ଡାଲି ସଂତୁଳା।ରାତିରେ ପଟେ ରୁଟି ସଂତୁଳା।କେବେ କେବେ ସୁପ୍ ପିଅନ୍ତି।ଏଇଟା ଗୋଟେ ଖାଇବା ! ପୁଣି ଏଇ ଖାଇବା ପାଇଁ ଗୋଟେ ମଣିଷ ବନ୍ଧା !


ଖାଲି ମପା ଚୁପା ଜୀବନ।ପ୍ରତି କଥାରେ ହିସାବ।


ଦିନରାତି କାମ।ପୁଣି କାମ ଲ୍ୟାପ ଟପ୍ କି କମ୍ପ୍ୟୁଟରରେ। ଶରୀର ଟିକେ ହଲୁନାହିଁ।ଗୋଟିଏ ଜାଗାରେ ବସି ଅଫିସ୍ ହେଉ କି ବ୍ୟବସାୟ ଖାଲି ବସା କାମ।ଏ ସହରୀ ଲୋକଙ୍କୁ ନିଦ ବି ନାହିଁ।


ସହର ଶୁଏନି !


ଆମ ଗାଁ ଭଲ।ବିଶୁଦ୍ଧ ପବନ, ପଡିଆରେ ସାଙ୍ଗ ସାଥି, ମନ୍ଦିରରେ ଧୂପ ଦୀପ।ସବୁ ଭଲ।ସବୁ ବେଳେ ଗାଁ ଗାଁ ହୁଏ ବୋଲି ବିଜ୍ଞାନ ମୋତେ ପୁରା ରବିବାରଟି ହିଁ ଦିଅନ୍ତି।ବୁଲାଇ ନିଅନ୍ତି।ଆମେ ଏଇ ପାର୍କ ଆସୁ।ଘାସ ଉପରେ ବସୁ।ଏଠି ପୁଳା ପୁଳା,ହଳ ହଳ ବିବାହିତ କି ଅବିବାହିତ ଆମରି ପରି ଚଢେଇ କିଚିରି ମିଚିରି କରନ୍ତି। ବୟସ୍କ ଲୋକେ ବି ଆସନ୍ତି।କେତେ ଆଉ ଘରଟି ଭିତରେ ବନ୍ଦୀ ହୁଏନ୍ତେ!


ବିଜ୍ଞାନ ମୋତେ ଚୁପ୍ କି କେତେ କଣ କୁହନ୍ତି।ବେଲଜ୍ୟା ପରି କୁଆଡେ ନାଇଁ କୁଆଡେ କଣ ରସିକିଆ ହୋଇ କରନ୍ତି ଯେ ମୋତେ ଲାଜ ମାଡ଼େ।


ପାର୍କ ମୋତେ ଆଉ ଗୋଟେ ଆନନ୍ଦ ଦିଏ।ସବୁଦିନେ ବେଞ୍ଚ ଉପରେ ଅତି ବୃଦ୍ଧ ବୃଦ୍ଧା ଦୁଇ ଜଣ ମଉସା ମାଉସୀ ବସିଥାନ୍ତି। ମଉସା ଜଣକ ଭାଓଲିନ ବଜାନ୍ତି।ମାଉସୀ ତାଙ୍କ କୋଳରେ ମୁଣ୍ଡ ରଖି ଭାଓଲିନ ଧୂନ୍ ଶୁଣନ୍ତି।ଯୁବକ ବେଳେ ପୋଖତ ଭାଓଲିନ୍ ବାଦକ ଜଣେ ଥିବେ ବୋଲି ଅନୁମାନ ହୁଏ।କେବେ କେବେ ଅତି କରୁଣ ଧୁନ୍ ବଜାନ୍ତି।ଭାଓଲିନ୍ ସୁର ଦେଇ ସେମାନଙ୍କ ଦୁଃଖ ସତେକି ବାହାରି ଆସେ।


ପାର୍କ ଯିବା ଯେତିକି ଖୁସି ଦିଏ, ସେ ମଉସା ମାଉସୀ ମୋତେ ତାଠୁ ଅଧିକ ଅଧିକ ଖୁସି ଦିଅନ୍ତି।ଠିକ୍ ମୋ ଜେଜେ ଓ ଜେଜେମା ପରି ଦିଶନ୍ତି।


ମନ ହୁଏ ହେ ଜେଜେ ଡାକି ଦେବାକୁ।ନାଇଁ ଲୋ ମା! ସହରରେ ମଉସା ମାଉସୀ ଡାକିବା ବି ଅପରାଧ।ହୁସିଆର କାହାକୁ ଏଠି ବୁଢା କି ବୁଢ଼ୀ କହିବ ନାହିଁ।ଅତି କଷ୍ଟ ରେ ମଉସା ମାଉସୀ ଚଳେଇ ହୁଏ।ଏଠି କହି ବୁଢା ବୁଢ଼ୀ ହୁଅନ୍ତି ନାହିଁ।


ମୁଁ ଆସ୍ତେ ଆସ୍ତେ ସେମାନଙ୍କ ସହ ଆତ୍ମୀୟତା ବଢ଼ାଏ।ଟିକି ନିକି ପଚାରେ।ମଉସାଙ୍କୁ ବୟାନବେ ଓ ମାଉସୀଙ୍କୁ ଅଠାଅଶୀ ବର୍ଷ ବୟସ।ଫୁଙ୍କି ଦେଲେ ଉଡିଯିବେ।ଅତ୍ୟଧିକ ଡେଙ୍ଗା ହେତୁ ଟିକେ ନଇଁ ପଡିଲେଣି ଦୁହେଁ।କିନ୍ତୁ ସେମାନଙ୍କ ସହଭାଗୀତା, ଖୁସି କି ପ୍ରେମ ନଇଁନି ଏଯାଏ।ଦୁଇ ଜଣ ଯାକ ହାତରେ ହାତ ଭରି ଖୁ ହସି ହସି ଝୁଲି ଝୁଲି ଚାଲନ୍ତି।ତାପରେ ଏଇ ବେଞ୍ଚ ଉପରେ ବସନ୍ତି।ମଉସା ଭାଓଲିନ୍ ବଜାନ୍ତି, ମାଉସୀ ବେଞ୍ଚ ଉପରେ ଦେହ ଲୋଟେଇ ମୁଣ୍ଡଟି ମଉସା ଙ୍କ କୋଳରେ ରଖି ଆଖି ବୁଜି ଧୁନ୍ ଶୁଣି ଗୁଣୁ ଗୁଣୁ ହୁଅନ୍ତି।


ଏତେ ସୁନ୍ଦର ଯୋଡି ମୁଁ କେଉଁଠି ଦେଖି ନଥିଲି।ତାଙ୍କ ସହ ମୁଁ ବି ସାଙ୍ଗ ହୋଇଗଲି।


ମଉସାଙ୍କ ହସ ଚମତ୍କାର। ସେ ମୋତେ ୟଙ୍ଗ୍ ବିୟୁଟି ଲେଡି ଡାକନ୍ତି।ମୁଁ ତାଙ୍କୁ ପଚାରେ ଆପଣ କେଉଁଠି ରୁହନ୍ତି? ଘରେ ଆପଣଙ୍କ କେଉଁମାନେ ଅଛନ୍ତି?ଆପଣ କଣ ଭାଓଲିନ୍ ବାଜାଉଥିଲେ।ମାଉସୀ ଗୀତ ଗାଆନ୍ତି କି ?ଏମିତି ଅନେକ ପ୍ରଶ୍ନ।


ମଉସା ହା ହା ହୋଇ ହସନ୍ତି।କୁହନ୍ତି ୟଙ୍ଗ୍ ବିୟୁଟି ଲେଡି ,ଆମେ ଦୁହେଁ କଳାକାର। ମୁଁ ହିରୋ ଏ ମୋ ହିରୋଇନ୍।ମୁଁ ଭାଓଲିନ୍ ବାଦକ ସେ ଶାସ୍ତ୍ରୀୟ ସଙ୍ଗୀତଜ୍ଞ।ଆମର ପ୍ରଫେକ୍ଟ ଯୋଡି।ମୁଁ ସାଗର ଏ ମୋ ତୃଷ୍ଣା।


ବାଃ ସୁନ୍ଦର ନାଁ! ସାଗର ଓ ତୃଷ୍ଣା। ମଉସା ଆପଣଙ୍କ ତୃଷ୍ଣା ମେଣ୍ଟିଛି?


ହା ହା ହା ତୃଷ୍ଣା କଣ ମେଣ୍ଟେ ୟଙ୍ଗ୍ ବିୟୁଟି ଲେଡି।ଏବେ ଦେଖ ଦୁଇ ପାଦ ଏକା ଚାଲିବା ଆମ ପାଇଁ କଷ୍ଟ।ଧରା ଧରି ହେଲେ ଚଳୁ।କିନ୍ତୁ ଏଇ ସାଙ୍ଗ ହୋଇ ବଂଚିବା ଏବେ ବି ମରିନି। ତୃଷ୍ଣା ର ଏବେ ବି ଭାଓଲିନ୍ ଧୁ ନ୍ ଶୁଣିବା ତୃଷ୍ଣା ମରି ନାହିଁ କି ମୋର ଶୁଣାଇଁବା ତୃଷ୍ଣା ମରିନି।


ଆଉ ଆପଣଙ୍କ ଘରେ କେଉଁମାନେ ଅଛନ୍ତି?


ଘରେ !


ହାତ ଦେଖାଇ କହିଲେ ସେ ଗାଡି,ଡ୍ରାଇଭର୍,ଓ ଆମ ଦେଖା ଶୁଣା କରିବା ପିଲାଟି ଅଛନ୍ତି।


ଆପଣଙ୍କର ପିଲା ପିଲି ?


ଦୁଇ ପୁଅ ; ଜଣେ କାଲିଫର୍ଣ୍ଣିଆ ଓ ଆଉ ଜଣେ ଜର୍ମାନରେ ଅଛନ୍ତି।ନାଗରିକତ୍ୱ ଗ୍ରହଣ କରି ନେଲେଣି।ବଡ଼ ପୁଅର ଝିଅଟିଏ ବାହା ହୋଇ ତାର ପୁଅଟିଏ ସାତ ମାସର ହେଲାଣି।ସାନ ପୁଅର ପୁଅଟିଏ ଓ ଝିଅଟିଏ।ପଢୁଛନ୍ତି।ଆମକୁ ସେଠି ନେଇ ରଖିବାକୁ କହିଲେ।ମନ ସ୍ୱୀକୃତି ଦେଲା ନାହିଁ। ଆମର ସବୁ ବନ୍ଦୋବସ୍ତ କରି ଛନ୍ତି।ଏ ବୟସରେ ସେମାନଙ୍କ ଉପରେ ବୋଝ ହେବାକୁ ମନ କହିଲା ନାହିଁ। 


ହଁ ସ୍ୱାଧୀନ ଜୀବନ ଜୀଉଁଛୁ।ବୟସ ସନ୍ଧ୍ୟା ଘଣ୍ଟି କେତେବେଳେ ବାଜି ଯିବ ଜଣା ନାହିଁ।କିନ୍ତୁ ଶୁଭି ଯାଉଛି ସେ ଘଣ୍ଟି ଶବ୍ଦ।ଉତ୍ତର ବୟସ ଶେଷ ପୃଷ୍ଠା ରେ

ଦସ୍ତଖତ ଦେବା ଉପରେ ଆମେ।


ତଥାପି ତୃଷ୍ଣା ଓ ମୁଁ ଖୁସିରେ ଅଛୁ।କିନ୍ତୁ


କିନ୍ତୁ କଣ ମଉସା।


ଏ ତୃଷା ଦେହ ଆଜିକାଲି ଭଲ ରହୁନାହିଁ।ଏବେ ଗୋଟିଏ ଭାବନା କିଏ ଆଗ ଆର ପାରିକୁ ଯିବ।ତୃଷ୍ଣା କହୁଛି ମୁଁ ଆଗ ଯିବା ଉଚିତ।କାହିଁକିନା ତୃଷ୍ଣା ବିନା କ୍ଷଣେ ବଞ୍ଚିବା ମୋ ପାଇଁ ଅତି ଅସହଣୀୟ।

କିନ୍ତୁ ୟଙ୍ଗ୍ ବିୟୁଟି ଲେଡି ମୁଁ ଚାହୁଁଛି ତୃଷ୍ଣା ଆଗ ଯାଉ।ମୁଁ ଅଛି ତା ଭଲ ମନ୍ଦ ବୁଝୁଛି।ମୁଁ ଆର ପାରିକୁ ସ୍ୱାର୍ଥପର ଭାବେ ଆଗ ଚାଲିଗଲେ ତାର କଣ ହେବ ?ପୁରା ଏକା ହୋଇଯିବ।ଏଣୁ ମୁଁ ପ୍ରାର୍ଥନା କରୁଛି ହେ ପ୍ରଭୁ ମୋ ତୃଷ୍ଣା କୁ ଆଗ ନେଇଯାଅ।ସେ ଏକା ଏକୁଟିଆ ହଇରାଣ ହେଲେ ମୋ ଆତ୍ମା ଶାନ୍ତି ପାଇବ ନାହିଁ।


ମାଉସୀ ମଉସାଙ୍କ କୋଳରୁ ଉଠି ପଡି କହିଲେ , ନୋ ନୋ ମିଷ୍ଟର ସାଗର, ତୁମେ ଆଗ ଯିବ।ମୁଁ ତ ହାତରେ ମେଡ଼ିସିନ୍ ଖାଇ ପାରୁଛି।ଟଏଲେଟ୍ ଯାଇ ପାରୁଛି।ନିଜ ଡ୍ରେସ୍ ନିଜେ ପିନ୍ଧି ପାରୁଛି।ପିଲାଙ୍କ ନମ୍ବରକୁ ଫୋନ୍ କରି ପାରୁଛି।ତୁମେ ମୋ ବିନା ଏସବୁ କରି ପାରିବ?ବୁଝିଲ ମିଷ୍ଟର ସାଗର ବାବୁ ତୁମେ ଆଗ ଯିବା ଥୟ।


କାବା ହୋଇଗଲି ମୁଁ।କି ପ୍ରେମ ! ପରସ୍ପର ଙ୍କ ପ୍ରତି କି ଅନୁରାଗ


ହେ ଭଗବାନ! ମରିବା ପାଇଁ ବି ଏମାନେ ପରସ୍ପର ମୁଁ ଆଗ ମୁଁ ଆଗ ହେଉଛନ୍ତି !


ସେମାନଙ୍କ କଥା ଶୁଣି ମୁଁ ହତବାକ୍ ହୋଇଯାଏ।ମୋ ପାଟିରୁ କଥା ସ୍ଫୁରେ ନାହିଁ।ମୁଁ କୃତ୍ରିମ ହସ ହସି କୁହେ , ଆପଣ ମାନେ ଏମିତି ମୁଁ ଆଗ ନ ହୋଇ ଆମେ ସାଙ୍ଗ ହୋଇ ଯିବା କହିଲେ କେମିତି ହୁଅନ୍ତା !


ହା ହା ହା ୟଙ୍ଗ୍ ବିୟୁଟି ଲେଡି ଏ ଆମ ଅନ୍ତର କଥା।କିନ୍ତୁ ଏହା ସିନା ସିନେମା କି ନାଟକ ବା ସିରିଏଲ ରେ ସମ୍ଭବ।ସତ ସତିକା ଜୀବନରେ ସମ୍ଭବ କି?


ମୁଁ କିନ୍ତୁ ଭଗବାନ ଙ୍କୁ ଡାକିବି ଆପଣ ଦୁଇଜଣ ଶେଷରେ ବି ସାଙ୍ଗ ହୋଇ ଥାନ୍ତୁ।


ଏ ଚମତ୍କାର ପାଇଁ ତ ଆମେ ଭାରି ଲୋଭୀ ୟଙ୍ଗୄ ବିୟୁଟି ଲେଡି।


ଏଣୁ ରବିବାର ପାର୍କରେ ବିଜ୍ଞାନ ସହ କମ୍ ମଉସା ମାଉସୀ ଙ୍କ ସହ ବେଶୀ ସମୟ କଟାଏ ମୁଁ।


ଆଜି ସେଇ ବେଞ୍ଚ ଖାଲି।ଭାରି ବ୍ୟସ୍ତ ଲାଗିଲା।ତାଙ୍କ ଘରକୁ ଯିବାକୁ ମନ କହିଲା।ମାତ୍ର ବିଜ୍ଞାନ କହିଲେ, ଆଜି ତ ଆମ ସି ଇ ଓ ଙ୍କ ମ୍ୟାରେଜ ଆନିଭର୍ସାରି।ଏଠୁ ଗଲେ ସେଠିକି ଯିବା।ସି ଇ ଓ ନା, ନଗେଲେ ଖରାପ ହେବ।ଆର ରବିବାର ଯଦି ଏମାନେ ନ ଆସିଥିବେ, ପକ୍କା ତାଙ୍କ ଘର ଖୋଜି ଯିବା।


ତାପର ରବିବାର ମୁଁ ବହୁତ ଶୀଘ୍ର ବାହାରି ପଡ଼ିଲି ପାର୍କ।


ବେଞ୍ଚରେ ଏକା ମୁଣ୍ଡ ଭରା ଦେଇ ଆକାଶ ମୁହାଁ ହୋଇ ବସିଥିଲେ ମଉସା।ପାଖରେ ଭାଓଲିନ୍ କି ମାଉସୀ ନଥିଲେ।


ମୋ ଛାତି ଧଡ଼ ଧଡ଼ ହେଲା। ଡ୍ରାଇଭର୍ ଠାରୁ ଶୁଣିଲୁ ମଉସାଙ୍କ ଛନ୍ଦ ଭର୍ତ୍ତୀ ଭାଓଲିନ୍ ଆଜିଠୁ ଚଉଦ ଦିନ ହେଲା ତୃଷ୍ଣା ଦେବୀଙ୍କ ସହ କେଇ ମୁଠା ପାଉଁଶ ରେ ପରିଣତ ହୋଇ ସାରିଛି।


ମୁଁ କେବଳ ଭାବୁଥିଲି ଏତେ ପ୍ରେମକୁ ପାଉଁଶ କରି ସାରିବା ପରେ ସାଗର ମଉସା ଏକା ଏକା "ଛନ୍ଦ ହୀନ ଜୀବନ" ଜିଇଁବେ କେମିତି !!


ମଉସାଙ୍କ ପାଖକୁ ଯାଇ ମୁଁ ଆସ୍ତେକି ଡାକିଲି ମଉସା!


କୋଟରଗତ ଆଖିରୁ ମଉସାଙ୍କ ବୋହି ପଡୁଥିଲା ଲହୁ ଗୁଡା ଲୁହ ହୋଇ।



Rate this content
Log in