Satyabati Swain

Tragedy

2  

Satyabati Swain

Tragedy

*ଛିଃ*

*ଛିଃ*

11 mins
420


ତପୁ ସାଙ୍ଗ ମାନେ ତପୁକୁ କହୁଛନ୍ତି"ତୁ ଟା ଲକି ବେ,ନ କହିଲେ ବି ତୋତେ ସବୁ ମିଳି ଯାଉଛି। ତପୁ ଓଠ ଚାପି କୁଣ୍ଠିତ ହସ ଟିଏ ହସୁଛି। ସାଙ୍ଗ ମାନଙ୍କ ସହ ସେ କେକ୍ କାଟି ଜନ୍ମ ଦିନ ମନାଉଁଛି। ହାତ ଗଣତି କେତେ ଜଣ ସାଙ୍ଗ ତାର। କେକ୍ ବୋଳା ବୋଳି ହେଉଛନ୍ତି। ଜନ୍ମ ଦିନରେ ତାକୁ ମୁଁ ଗୋଟେ ଆକ୍ଟିଭା ଉପହାର ଦେଇଛି। ସାଇକେଲ ପେଲି ପେଲି କଲେଜ ଯାଉ ଥିଲା ସେ। ମନରେ ଗାଡି ଚଳେଇ ଯିବାର ଇଚ୍ଛା ଥିଲେ ବି ମୁହଁ ଖୋଲିନି କେବେ। ଭାରି ବୁଝିବା ପିଲାଟି ମୋ ତପୁ। ସେ "ସ..ବୁ.. ବୁଝେ"। ବୁଝେ ମୋ ଅବସ୍ଥା। କେଉଁ ଦିନ କିଛି ଚିଜ ପାଇଁ ଅଳି କରେନି। ସେଇଥି ପାଇଁ ମୁଁ ସବୁବେଳେ ସଜାଗ ଥାଏ ତା ମନ ପଢିବାକୁ। ତା ଝାଉଁଳା ମୁହଁ ଦେଖିଲେ ମୋ ଭିତରେ ଡରଟିଏ ମୋତେ ମାଡି ବସି ଜାକି ଜୁକି ଦିଅନ୍ତି। କାହିଁକି ନା ସେ ମୋର ଏକମାତ୍ର ବଞ୍ଚିବାର ମୋହ।


ଏଇ କିଛିଦିନ ହେବ ମୁଁ ଲକ୍ଷ୍ୟ କରୁଛି ଏବେ ତପୁ ଟିକେ ବ୍ୟସ୍ତ ହେଲା ପରି ଲାଗୁଛି। ଅନ୍ୟ ମନସ୍କ,ଚୁପ୍ ଚାପ୍ ବି ରହୁଛି। ସବୁବେଳେ ବକର ବକର ହେଉଥିବା ତପୁ ଚୁପ୍ ହେବାଟା ମୋତେ କାଇଁ ଡରେଇ ଦେଉଛି। ସେ ମୋର ପ୍ରାଣ। ତା ବିନା ମୋ ଶରୀର କେବଳ ଗୋଟେ ଶବ ଯାହା। ସେ ଏବେ ଏବେ ନୂଆ ରଙ୍ଗ ମାଖୁଥିବା ଦୁନିଆଁରେ ପାଦ ଥାପୁଛି। ନୂଆ ନୂଆ କଲେଜ ଯାଉଛି। ଖସଡ଼ା ଓ ସହଜରେ ପାଲରେ ପଡିଯିବା ଅବୁଝା ବୟସ ତାର। ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହେବା ପୃଥିବୀରେ ସେ। ତାକୁ ଏଇ ଏଇ ଷୋହଳ ପୁରିଛି।


ଷୋ...ହ..ଳ... ପୁରି ସତର ହୋଇ ଗଲାଣି ତପୁକୁ !। ଓଃ ସମୟ ବେଳେବେଳେ ଏମିତି କଣ ଦଉଡେ ଯେ...

ଅଟକିବାର ନାଁ ନ ନେଇ। ଏଇ ତ ଆଖି ବୁଜି ଦେଲେ କାଲି ପରି ଲାଗୁଛି। 


ମୁଁ ଫେରି ଯାଉଥିଲି ଠିକ୍ କୋଡିଏ ବର୍ଷ ତଳକୁ। ସେତେବେଳେ ମୋର ବୟସ ଏଇ ତପୁ ବୟସ। ଏଇ ବୟସର ଚୋରା ବାଲିରେ ପାଦ ଗଳି ପଡିଥିଲା ମୋର। ସତର ପଶୁ ପଶୁ ମୋତେ ପୁପୁଲ୍ ମାମୁଁ ଫସାଇ ଦେଇଥିଲେ ତାଙ୍କ ପ୍ରେମରେ। ମୁଁ କିନ୍ତୁ ଏତିକି ବୁଝିଥିଲି କି ପୁପୁଲ୍ କେଉଁ ଗୋଟେ ଲେଖା ଯୋଖା ମାମୁଁ ଓ ମୋତେ ଭାଣିଜୀ ପରି ଗେହ୍ଲା କରନ୍ତି। ସେ ଆମ ହିତୈଷୀ। ମା ଯେତେବେଳେ ଖବର ଦିଏ ଆସି ହାଜର ହୋଇ ଯାଆନ୍ତି। ବହୁତ ଗୁଡ଼େ ପଢ଼ିଛନ୍ତି ସେ। ସମସ୍ତେ ଖାତିରି କରନ୍ତି ସେ ଅଞ୍ଚଳର ଅଧିକ ପଢୁଆ ବୋଲି। ସେ ମୋର ଓ ମୋ ସାନଭାଇ ବିଟୁର ପଢାପଢି କଥା ବି ବୁଝନ୍ତି। କାରଣ ମୋ ବାବା ହାଇଦ୍ରାବାଦରେ ସର୍ଭିସ କରନ୍ତି। ଏଣୁ ପୁପୁଲ୍ ମାମୁଁ ହାଟ ବାଟ ଠାରୁ ଆରମ୍ଭ କରି ସବୁ କଥା ବୁଝନ୍ତି। ମୋ ମା ର ତାଙ୍କ ଉପରେ ଭାରି ଶ୍ରଦ୍ଧା ଓ ବିଶ୍ୱାସ ।


କିନ୍ତୁ ବେଳେ ବେଳେ ପୁପୁଲ୍ ମାମୁଁ ମୋତେ ଆଦୌ ଭଲ ଲାଗନ୍ତି ନାହିଁ। କେବେ କେବେ 'ଚଣ୍ଡି' କହି ସେ ମୋ ଚୁଟି ଝିଙ୍କି ଦିଅନ୍ତି ତ କେବେ ହାତ ପାପୁଲି ଠୋଲା କରି ମୋ ପିଠିକୁ ବାଡାନ୍ତି କିମ୍ବା ପିଠିକୁ ଆଉଁସନ୍ତି। ବାର ବାର ଗାଲ ଟିପି ଦିଅନ୍ତି। ପୁଣି କେବେ ମୋତେ ପାଖିକିଆ କରି ତାଙ୍କ ଦେହକୁ ଆଉଜାଇ ନେଇ କୁହନ୍ତି ମୋ ମା କୁ--" ବିଦିଶା ଟା ଦିନକୁ ଦିନ ନଳୀ ହୋଇ ଯାଉଛି ନାନୀ;ଖାଇବାକୁ ଦଉନ କି?"


ମୋ ମା ଉତ୍ତରରେ କୁହନ୍ତି "କହନି ପୁପୁଲ୍ ! ଖାଇବାରେ ଖୁବ୍ ନଖରାମି ୟାର। ଆଇଁଷ ଖାଇବନି,କ୍ଷୀର,ଘିଅ 

ଗନ୍ଧଉଛି କହିବ। ଖାଲି ଭାତ,ଡାଲି ଓ ଆଳୁ। ଏଥିରେ  କି ଭିଟାମିନି ଅଛି ଯେ ଦେହରେ ଲାଗିବ। ତାକୁ ବୁଝେଇବୁଟି ପୁପୁଲ୍;ପନିପରିବା,କ୍ଷୀର,ଛେନା,ଘିଅ ଟିକେ ଟିକେ ଖାଇବ। ନଲେ ଏ ନହକା ବେତ ସବୁବେଳେ ଏମିତି ହଳୁଥିବ।"


ପୁପୁଲ୍ ମାମୁଁ ଟା ଅ...ତି ହୁଅନ୍ତି। ଡାହାଣା ଙ୍କ ପରି ଅନେଇଁଥିବେ,ଯେମିତି ଗିଳି ଦେବେ। ଛିଃ ଭାରି ଖରାପ ଦୃଷ୍ଟି। ମା କିନ୍ତୁ ଟେର୍ ପାଏନି,ପୁପୁଲ୍ ମାମୁଁଙ୍କ ଉଦ୍ଦେଶ୍ୟ। ମୁଁ କିନ୍ତୁ ବୁଝି ପାରେ--"ବାହାନା ଦେଖାଇ ସେ କିପରି ମୋ ସର୍ବାଙ୍ଗ ରେ ହାତ ବୁଲାଇ ନିଅନ୍ତି। "ମା ମୋର ଭାରି ସରଳ। ସେ ଏତେ ଛନ୍ଦ ମନ୍ଦ ବୁଝେନି। ହଁ... ମାମୁଁ ଭାଣିଜୀ ;ପାଠ ଟିକେ ବୁଝେଇ ଦେଉଛି। ମୁରବୀ ପରି ସବୁ ବୁଝା ସୁଝା କରୁଛି କି ଆକଟ କରୁଛନ୍ତି ବୋଲି ଭାବେ।


ପୁପୁଲ୍ ମାମୁଁ ଭାରି ଚୁପ୍ ସୈତାନ। ତଳ ମୁହାଁ କାଙ୍କ। ଯିଏ କହିବ ଆହା କେଡେ ସୁଧାର ପିଲା। ହେଲେ ଭିତରେ ଏତେ ରସିକ ଯେ ବର୍ଣ୍ଣିବା ମୁସ୍କିଲ।। ଏଣୁ ପୁପୁଲ୍ ମାମୁଁ ଘରକୁ ଆସିଲେ ମୋ ଭୟ ବଢିଯାଉଥିଲା। କିଛି ନା କିଛି ବାହାନା କରି ମୋତେ ଛୁଇଁବାକୁ ବ୍ୟଗ୍ର ହୋଇ ଯାଉଥିଲେ ସେ। ମା ବି... ନା ସେମିତି.. କହିବ "ବିଦି ପୁପୁଲ୍ ମାମୁଁଙ୍କୁ ଜଳଖିଆ ନେଇ ଦେ,ଚା ଦେ। କଣ ପାଠ ବୁଝିବାର ଅଛି ବୁଝ,ଇତ୍ୟାଦି ଇତ୍ୟାଦି। ମୁଁ ସବୁ ବୁଝି ପାରେ;ହେଲେ ମା କୁ ମୁହଁ ଖୋଲି କହି ପାରେନି କି ମା ଲୋ ପୁପୁଲ୍ ମାମୁଁ ଟା ଭଲ ପିଲା ନୁହଁ। ତାଙ୍କ ଆଗକୁ ମୋତେ ପଠାନା। କିଏ ସେ ମୋ ଗୋଡ଼ ଟାଣି ଧରେ। ଜିଭ ଲେଉଟେନି ଏ ସବୁ କହିବାକୁ। ଲଜ୍ଜା ମୋତେ ଚୁପ୍ ହେବାକୁ ବାଧ୍ୟ କରେ।


ଦିନେ ମା ଘରେ ନଥିଲା। ଟେଷ୍ଟ ପରୀକ୍ଷା ପରେ ସ୍କୁଲ ବନ୍ଦ। ଘରେ ରହି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥାଏ ମୁଁ। ପୁପୁଲ୍ ମାମୁଁ ଆସି ହାଜର। ମୁଁ ପୁରା ଭୟରେ ଗୋଟା ସୁଦ୍ଧା ବୁଡ଼ିଗଲି। କିନ୍ତୁ ସାହସ କରି କହିଲି ମା ନାହିଁ ମାମୁଁ। କାଲି ଆସିବ ଯାଅ। ସେ ମୁରୁକି ହସି କହିଲେ" ମୁଁ ଜାଣିଛି। ତୋ ମା ବା ମୋତେ କହି ଯାଇଛି କଟକ,ବିଟୁ ପାଖକୁ। ସ୍କୁଲରୁ ଖବର ଆସିଥିଲା ବିଟୁକୁ ଜର। ମୁଁ ବି ଗୋଟେ ଇଣ୍ଟରଭିୟୁ ଦେବାକୁ ଯାଇଥିଲି। ଏଣୁ ନାନୀ ଦେବ ବରାଳକୁ ସାଙ୍ଗରେ ନେଇ ତା ସ୍କୁଲ ଯାଇଛି। ଫେରୁଥିବେ ବୋଧେ। ମୋତେ କହିଛି ତୋତେ ଟିକେ ଆଖି ରଖିବାକୁ।


ହେ ଭଗବାନ! କଣ କରିବି? ପୁପୁଲ୍ ମାମୁଁ....ମା ନାହିଁ। ମୁଁ କହିଲି ନା ନା ମାମୁଁ ତୁମେ ଯାଅ। ମୋ ସାଙ୍ଗ ବିନିକୁ କହିଛି ସେ ଆସୁଥିବ। ପୁପୁଲ୍ ମାମୁଁ କହିଲେ ବେଶୀ ବଦମାସୀ ହଅନି। ତୋର ପରା ଦଶମ ବୋର୍ଡ ପରୀକ୍ଷା। ଯେତେ ଯେଉଁଠି ବୁଝି ବାର ଅଛି ଆଣେ ନାନୀ ଆସିବା ଭିତରେ ବୁଝେଇ ଦେବି। ବୋଧେ ମୁଁ ଏଥରକ ଲେକ୍ଚର୍ ସିପି ପାଇଯିବି। ଆଉ ବୁଝେଇବାକୁ ମୁଁ ନଥିବି।"


ଆମ ସମୟରେ ଏତେଟା ଟିଉସନ୍ କି କୋଚିଂ କ୍ଲାସ୍ ନଥିଲା। ମନକୁ ମନ ପଢି କି ଏଠୁ ସେଠୁ ବୁଝି ପଢିବାକୁ ପଡୁଥିଲା। ପୁପୁଲ୍ ମାମୁଁ ଙ୍କୁ ତୁଚ୍ଛାଟାରେ ମୁଁ ଖରାପ ଭାବୁଥିଲି ଭାବି ଯେତେ ଯାହା ବୁଝିବାର ଥିଲା ସବୁ ଗଦେଇ ଦେଲି। ପାଠ ଭିତରେ ଥରେ ହଜିଗଲେ ମୁଁ ଦୁନିଆଁ ଭୁଲି ଯାଏ। ପୁପୁଲ୍ ମାମୁଁ ଗଣିତ ବୁଝାଉଥାନ୍ତି ଓ ମୁଁ ଭୟ ଭ୍ରାନ୍ତି ସବୁ ଭୁଲି କେବଳ ଗଣିତ ଭିତରେ ଥାଏ। ହଠାତ୍ ଦେଖିଲି ପୁପୁଲ୍ ମାମୁଁ ମୋ ବେକ ତଳକୁ ଓହଳି ପଡିଥିବା ଫ୍ରକ ଭିତରକୁ ଏକ ଲୟରେ ଚାହିଁଥାନ୍ତି। ମୁଁ ମୋ ଫ୍ରକଟି ପିଠି ପଟୁ ଟାଣି ନେଲି। ସେ ଫିକ୍ କିନା ହସିଦେଲେ ଏବଂ ମୋତେ ଗୋଟା ସୁଦ୍ଧା ତାଙ୍କ କୋଳକୁ ଟାଣି ନେଇ ମୋ ଗାଲ,ଓଠ ରେ ଚୁମା ଦେଇଦେଲେ। ମୋତେ ପୁରା ଚାପି ଧରିଲେ ନିଜ ଛାତିସହ ମିଶାଇ। ଓଃ କି ଗରମ ନିଃଶ୍ୱାସ ତାଙ୍କର।


ମୋ ପ୍ରାଣ ଛାଡ଼ିଗଲା ପରି ଲାଗୁଥିଲା। ମୁଁ ଆକୁଳରେ ଡାକ ଛାଡ଼ିଲି ମା.....ସନ୍ଧ୍ୟା ହୋଇ ଆସୁଥିଲା। ପୁପୁଲ୍ ମାମୁଁ କହିଲେ କାହିଁକି ଏମିତି ଛଇ କାଡୁଛୁ? ଦେଖ୍ ଖୁବ୍ ଭଲ ଲାଗିବ,ମୋତେ ସହ ଯୋଗ କର। ମୁଁ ଚାପି ହୋଇ ଚୁର୍ ମାର ହେବା ପରି ଲାଗୁଥିଲା। ମୁଁ ଅତି ଆକୁଳରେ ଡାକିଲି ମା...ମରିଗଲି। ଦୈବାତ୍ ମୋ ମା ଡାକ ଶୁଣି ଦାଣ୍ଡ ଦୁଆର ସେପଟେ କହିଲା କବାଟ ଖୋଲ ବିଦି।


ଫଟ୍ କରି ପୁପୁଲ୍ ମାମୁଁ ମୋତେ ଛାଡି ଦେଇ କହିଲେ କହିବୁନି କିଛି ମା କୁ। ମୁଁ ତୋତେ ଭଲ ପାଏ। ତୋ ପଢା ସରି ଯାଉ ତୋର ମୋର ବାହା ଘର ହେବ।


ମୁଁ ବାଘ କବଳରୁ ଖସି ଯିବା ହରିଣ ପରି ଦଉଡ଼ି ଯାଇ ମା କୁ କୁଣ୍ଢାଇ ପକାଇଲି ଓ କାନ୍ଦିବାକୁ ଲାଗିଲି। ପୁପୁଲ୍ ମାମୁଁ.....


ମୋ ପାଟିରୁ କଥା ଛଡେଇ ନେଇ ପୁପୁଲ୍ ମାମୁଁ କହିଲେ"ବିଦିଶା ଦି ଚାରି ପାହାର ଖାଇଛି ଆଜି ନାନୀ। ଆଉ ଗୋଟେ ମାସ ପରୀକ୍ଷା ରହିଲା। ଯାହା ପଚାରିଲେ କିଛି ଆସୁନି। କେମିତି ପରୀକ୍ଷା ଦେବ କୁହତ।"


ଓ..ଓ ଏଇ କଥା...ପାଠ ଆସିଲାନି ମାଡ଼ ଖାଇଲୁ ତ ଏମିତି ହେଉଛୁ। ବାବା ତୋ ଉପରେ କେତେ ଆଶା ବାନ୍ଧି ବସିଛନ୍ତି। ତୁ ପରା କ୍ଲାସରେ ପ୍ରଥମ ହେଉ। ଆସୁନି କଣ କିଛି! ତୋ ଭଲ ପାଇଁ କହୁଛି ନା ପୁପୁଲ୍। ଆଉ ଦିଟା କଷି ଦେଲୁନି ପୁପୁଲ୍।


ମୁଁ ସ୍ତବ୍ଧ ହୋଇଗଲି। ପୁପୁଲ୍ ମାମୁଁଙ୍କ ମିଛ କଥାକୁ ମାର ଅନ୍ଧ ଭାବେ ବିଶ୍ୱାସ ଓ ତାଗିଦା। ପୁପୁଲ୍ ମାମୁଁଟା ଏ..ଡ଼େ ମିଛୁଆ..। ମୁଁ ରାଗ ତମ ତମ ହୋଇ ମୋ ପଢ଼ା ଘରକୁ ଚାଲିଗଲି। ପୁପୁଲ୍ ମାମୁଁ ପଛେ ପଛେ ଆସି ମୋ ନାକ ହଲେଇ ଦେଇ କହିଲେ ମୋ ହିରୋଇନ୍ ଆଉ କିଛି ଦିନ ଅପେକ୍ଷା କର ତୋତେ ନ ନେଇ ଛାଡ଼ୁନି। ତାପରେ ମା କୁ ବିଟୁ କଥା ପଚାରି ପୁପୁଲ୍ ମାମୁଁ ଚାଲିଗଲେ ମୋ ଦେହରେ ନିଆଁ ଲଗାଇ। ତା ପରଠୁ ପୁପୁଲ୍ ମାମୁଁଙ୍କ ଚୁମା,ତାଙ୍କ ଗରମ ନିଃଶ୍ୱାସ ପବନରେ ସତେକି ମୁଁ ପୋଡି ହୋଇ ଗଲି। ଆସ୍ତେ ଆସ୍ତେ ସେ ଅନୁଭବ ମୋତେ ଖୁବ୍ ବିବ୍ରତ କରିବା ସହ ଆମୋଦିତ ବି କଲା। ପୁପୁଲ୍ ମାମୁଁ କି କିମିଆଁ କଲେ କେଜାଣି କଷ୍ଟ ଲାଗୁଥିଲେ ବି ଭଲ ଲାଗୁଥିଲା ସେ ଅନୁଭବ। ଖୋଜିଲା ଓଠ,ଦେହ ଓ ମନ। ଏମିତି ପୁପୁଲ୍ ମାମୁଁ ମୋନିଦ,ବହି,କାନ୍ଥ,ଦର୍ପଣ

 ସବୁଥିରେ ଦିଶୁଛନ୍ତି କାହିଁକି? କଣ ହୋଇଛି ମୋର? ସେ ମୋତେ ଭଲ ଲାଗନ୍ତନି; ଅଥଚ ମୁଁ ତାଙ୍କୁ ଏତେ ଆତୁରେ ଖୋଜୁଛି କିପରି??


ସେବେଠାରୁ ନିଜକୁ ଦୃଢ଼ କଲି। ପୁପୁଲ୍ ମାମୁଁ ସଙ୍ଗେ କଥା ହେବା,ପାଠ ବୁଝିବା ବନ୍ଧ କରିଦେଲି। ସେ ଡାକିଲେ ମୁହଁ ଉପରେ ଜବାବ ଦେଲି ମୋର ପାଠ ନହେଲେ ତୁମର କଣ ଗଲା? ମୁଁ ପଢିବିନି ଯା....କହି ମୋ ସାଙ୍ଗ ଘରକୁ ପଳାଉଥିଲି। କାହିଁକିନା ତାଙ୍କ ଦେହ, ମନର ଯେଉଁ ନିଆଁ ମୋତେ ପାଉଁଶ କରି ଦେବାକୁ ବ୍ୟଗ୍ର ଥିଲା ଯେପରି। ମୋ ଅବଜ୍ଞା ଦେଖିପୁପୁଲ୍ ମାମୁଁ ରାଗି ଫଁ

 ଫଁ ହୋଇ କହୁଥିଲେ "ନାନୀ ତୋ ଝିଅଟି ତୋ ପରି ନୁହେଁ। ସୁନ୍ଦରୀ ଟା ସିନା ହୃଦୟ ହିଁନ ଟା। ବ୍ୟବହାର ବି ଶିଖିନି।" ମା ମୋତେ ଏ ପାଇଁ ବହୁ ଗାଳି ଗୁଲଜ କରୁଥିଲା। କାହା କଥା ମୋ ଉପରର କିଛି ଫରକ୍ ପଡୁ ନଥିଲା। ମୋତେ ଲାଗୁଥିଲା ମୁଁ ଗୋଟେ ରଙ୍ଗୀନ ଚଢେଇ ହୋଇ ସାରା ଆକାଶ ବୁଲୁଛି। ମୋ ସହ ବି ଅଛନ୍ତି ପୁପୁଲ୍ ମାମୁଁ। ମୁଁ ଯୁଆଡେ ଚାହିଁଲେ କେବଳ ପୁପୁଲ୍ ମାମୁଁ ଓ ତାଙ୍କ ଚୁମା ତଥା ଗରମ ନିଃଶ୍ୱାସ ମୋତେ ଅଧିର କରୁଥିଲେ। ସବୁ ମୋ ଅଣାୟତ ହୋଇ ଯାଉଥିଲା। ମୋ ପାଖରେ ମନ କି ହୃଦୟ କିଛି ଯେପରି ନ୍ ରହି ପୁପୁଲ୍ ମାମୁଁ ପାଖକୁ ପଳାଉଥିଲେ।


ପୁପୁଲ୍ ମାମୁଁ ଏହା ଭିତରେ ସତ ସତିକା ଲେକ୍ଚର ହୋଇଗଲେ। ମୋ ମା ଆହୁରି ଭଲ ପାଇଲା ତାଙ୍କୁ। ସେ କିନ୍ତୁ ଆଉ ବେଶୀ ଆସିଲେ ନାହିଁ। ଭୁବନେଶ୍ୱରରେ ତାଙ୍କ ପୋଷ୍ଟିଂଗ ହେଲା। ଦଶହରା କି ଖରା ଛୁଟିରେ ସେ ଆମ ଘରକୁ ଆସୁଥିଲେ କେବେ କେବେ। ତାଙ୍କୁ ଦେଖିଲେ ଲାଜରେ ଡୁବି ଯାଉଥିଲି ମୁଁ। ତାଙ୍କୁ ଲୁଚେଇ ଦେଖିବାକୁ,ତାଙ୍କ କଥା ଭାବିବାକୁ ନିଃସଙ୍ଗ ମୁହୂର୍ତ୍ତରେ ଭଲ ଲାଗୁଥିଲା।


ମୁଁ +୨ବିଜ୍ଞାନ ପାସ୍ କରି +୩ ରେ ପଢୁଥାଏ। ଏହା ଭିତରେ ପୁପୁଲ୍ ମାମୁଁ ମୋ ହଷ୍ଟେଲ ଆସନ୍ତି। ହଷ୍ଟେଲ ଲାଇବ୍ରେରୀ ପାହାଚରେ ଆମେ ସାଙ୍ଗ ହୋଇ ବସୁ। ଢ଼ିଙ୍କି ଶାଳରୁ କଥା ଢେଙ୍କାନାଳରେ ପହଞ୍ଚେ। ଦିନେ ଦିନେ ମାଳାବାର ଟିଫିନ୍ କରିବାକୁ ଯାଉ। ଲେକ୍ଚର ହେଲା ପରେ ପୁପୁଲ୍ ମାମୁଁ ଆଉ ଆଗ ପରି ବେହିଆମୀ ବାହାର କରନ୍ତି ନାହିଁ। ଖୁବ୍ ମାର୍ଜିତ ବ୍ୟବହାର କରନ୍ତି। ମୋ ଭିତରେ ତାଙ୍କର ଗୋଟେ ପୂର୍ଣ୍ଣ ସଭ୍ୟ ମଣିଷ ଛବି ଆଙ୍କି ହୋଇଯାଏ।


 ମୋର ଗ୍ରାଜୁଏସନ୍ ଦ୍ଵିତୀୟ ବର୍ଷ। ପୁପୁଲ୍ ମାମୁଁଙ୍କ ବାପା ଆମ ଘରକୁ ବିବାହ ପ୍ରସ୍ତାବ ନେଇ ଆସିଲେ। ପ୍ରଥମେ ତ ମା ବିଶ୍ୱାସ କରି ପାରୁ ନଥିଲା। କିନ୍ତୁ ଯେତେବେଳେ ପୁପୁଲ୍ ମାମୁଁଙ୍କ ଇଚ୍ଛା ବୋଲି ଜାଣିଲା ମା ଖୁସିରେ ଆତ୍ମ ହରା ହୋଇ ଗଲା। ପୁପୁଲ୍ ପରି ଜ୍ବାଇଁ ଭାଗ୍ୟରେ ଥିଲେ ମିଳେ। କେତେ ପଢ଼ିଛି। ବିଜେବି କଲେଜରେ ଲେକ୍ଚର ପୁପୁଲ୍। ସବୁଠାରୁ ବଡ଼ କଥା ମା ଜାଣିଛି ପୁପୁଲ୍ ମାମୁଁଙ୍କୁ ଖୁବ୍ ଭଲ ପାଏ ଓ ଅଖଣ୍ଡ ବିଶ୍ୱାସ ବି ଅଛି ତାଙ୍କ ପରେ। ଏତେ ଜଣାଶୁଣା ଗୁଣର ପିଲାଟା ହାତ ପାଆନ୍ତାରେ ମିଳିବା ସୁଯୋଗ ସେ ହାତ ଛଡା କରିବାକୁ ଚାହୁଁ ନଥିଲା।


ପୁପୁଲ୍ ମାମୁଙ୍କ କଥା ମୋ ଭିତରେ କିଛି ଶିହରଣ ସୃଷ୍ଟି କରୁଥାଏ। ମୋର ପଢ଼ା ନ ସରିଲେ ବାହା ଘର ହେବିନି ବାବା କହିଲେ। ପଢା ନ ସରିବା କାରଣ ଟି ସମାଧାନ ହୋଇଗଲା ଯେତେବେଳେ ପୁପୁଲ୍ ମାମୁଁ କହିଲେ କି ବାହା ଘର ପରେ ବି ସେ ମୋତେ ଯେତେ ଚାହିଁବି ପଢାଇବେ।


ବାସ୍! ଉଣେଇଶି ବର୍ଷରେ ମୋର ବିବାହ ହୋଇଗଲା ପୁପୁଲ୍ ମାମୁଁ ଓରଫ ଡ଼ଃ ପିନାକୀ ମହାପାତ୍ରଙ୍କ ସହ। ମୋ ମନ ଇନ୍ଦ୍ରଧନୁ ଛୁଉଁଥିଲେ। ପୁପୁଲ୍ ମାମୁଁରୁ ସେ ମୋ ପାଇଁ ନୂଆ ଏକ ମଣିଷ ମୋର ସ୍ୱାମୀ ପିନାକୀ ମହାପାତ୍ର ହୋଇଗଲେ। ଖୁବ୍ ରସିକ ଟାଇପିର ବ୍ୟକ୍ତି ଥିଲେ।" ସେ ପଛ କଥା ମନେ ପକାଇ ମୋ ଦେହରୁ ଶାଢ଼ୀ ଖସାଇ ଦେଇ କହୁଥିଲେ ଏଥରକ ଡାକେ ମା........। ବୁଝିଲୁ ହୁଣ୍ଡି ମୁଁ ତୋତେ କେବେ ଠୁ ଭଲ ପାଉଥିଲି। ତୁ କିନ୍ତୁ ଭାରି ଭାଉ ଖାଉଥିଲୁ। ଜାଣିଛୁ ବିଦିଶା! ମୋ ବନ୍ଧୁ ମାନେ କହୁଛନ୍ତି "ପିନାକୀ କପାଳିଆ ଟା ଅପୂର୍ବ ସୁନ୍ଦର,ଗୁଣର ସ୍ତ୍ରୀ ଟିଏ ପାଇଛି।"


ମୁଁ ଚୁପ୍ ରହି କେବଳ ହସିଦିଏ। ପିନାକୀ ଯେ ଖୁବ୍ ସେକ୍ସି ଲୋକ ଏଇଟା ମୁଁ ବୁଝି ଯାଇଥିଲି। ସାଙ୍ଗରେ ନେଇ ଭୁବନେଶ୍ୱରରେ ରଖିଲେ ମୋତେ। କ୍ଷଣେ ଛାଡିବେନି କଲେଜରୁ ଆସିବା ମାତ୍ରେ। କେଜାଣି ଏମିତି ଭୋଗର ବସ୍ତୁ ହୋଇ ବଞ୍ଚିବାକୁ ମୋତେ ଭଲ ଲାଗୁ ନଥିଲା। ବିବାହର ଗୋଟେ ମାସ ପରେ ଦିନେ ମୁଁ କହିଲି "ମୋ ପଢା କଥା କଣ ହେବ?"


ପଢା!! ସେ ହୋ ହୋ ହୋଇ ହସି ଉଠି କହିଲେ ପ୍ରତିଦିନ ତ ପଢୁଛୁ ଭୂଗୋଳ ପାଠ। ମୋତେ ଖୁସି ରଖ। ସଜବାଜ ହୋଇ ଆହୁରି ସୁନ୍ଦରୀ ହୋଇଯାଆ। ପଢିକି କଣ କରିବୁ? ମୁଁ କଣ ତୋତେ ପୋଷି ପାରିବି ନାହିଁ? କିନ୍ତୁ ତୁମେ ତ କହିଥିଲ ବାହା ଘର ପରେ ମୋତେ ପଢେଇବ। ମୁଁ ବିସ୍ମୟରେ କହିଲି।


ବୋକି ଟା...ସେଇ କାମ ତ କରୁଛି କହି ସେ ମୋତେ ଟାଣି ନେବେ ତାଙ୍କ ପାଖକୁ। ବିଜ୍ଞାନ ଭାଷାରେ କହିଲେ ପିନାକୀ ଗୋଟେ କାମାତୁରା ରୋଗୀ। ସଂଭୋଗ ବ୍ୟତୀତ ଅନ୍ୟ ଜୀବନ ଅଛି ସେ ବୁଝନ୍ତି ନାହିଁ। କି କଦର୍ଯ୍ୟ ଏଇ ପିନାକୀ ନାମୀ ପୁରୁଷ ଟି। ମୁଁ ତ ମନେ ମନେ କୁରୁଳି ଥିଲି। ଏବେ ଭାବିଲେ କଣ ହେବ? ଅଜାଗା ଘା ପରି କାହାକୁ ଦେଖେଇ ପାରେନି ମୋ ଦୁଃଖ। ବିବାହର ଛା ମାସ ପରେ ମୋର ଦିନେ ମୁଣ୍ଡ ବୁଲେଇ ଦେବାରୁ ମୁଁ ପଡ଼ିଗଲି। ଡାକ୍ତର ଘୋଷଣା କଲେ ମୁଁ ମା ହେବାକୁ ଯାଉଛି। କଣ ହେଲା କେଜାଣି ପିନାକୀଙ୍କର;ଘରକୁ ଆଣି ଏ କଥା ଶୁଣି ବହେ ବାଡ଼େଇଲେ ମୋତେ। ଏତେ ଶୀଘ୍ର ପିଲା ଜୀବନ ଉପଭୋଗ କରିବାକୁ ବିଦିଶା। ପିଲା ଜନ୍ମ କରି ମୁଁ ଏଥିରୁ ବଞ୍ଚିତ ହେବାକୁ ଚାହେଁ ନାହିଁ। କାହିଁକି ଏମିତି ହେଲା କହ? ମା ହୋଇ ମୋତେ ମୋ ସୁଖରୁ ବଞ୍ଚିତ କରିବାକୁ ଚାହୁଁଛୁ କହି ଘୋଷାରି ଘୋଷାରି ନେଇ ମୋର ଗର୍ଭପାତ କରିଦେଲେ। ପୁଣି ଚାଲିଲା ମୋ ଦେହ ସହ ଖେଳ। ତାଙ୍କୁ ଦେଖିଲେ ମୁଁ ଦାରିବାକୁ ଲାଗିଲି। ପିନାକୀ ଙ୍କର ଦୌରାତ୍ମ୍ୟ ଦିନୁ ଦିନୁ ବଢ଼ୁଥିଲା। ସତେକି ସହବାସ ପାଇଁ ସେ ପାଗଳ। ଯେଉଁଟାକୁ ମୋ ଶରୀର ସହିବା ବାହାରେ ଥିଲା। ମୋତେ ଲାଗିଲା ଆଉ ମୁଁ ବଞ୍ଚିବି ନାହିଁ। କି ମୂର୍ଖ ଟା ପିଲା ଯଦି ନ ଚାହୁଁଛ ଅନ୍ତତଃ ବିଜ୍ଞାନ ଉପାୟ ଅବଲମ୍ବନ କର। କିଛି ଗୋଟେ ବ୍ୟବସ୍ଥା ନ କରି ଶାରୀରିକ ସମ୍ପର୍କ ରଖିଲେ ପିଲା ହେବା ତ ଥୟ। ସେ କିନ୍ତୁ କିଛି ଶୁଣନ୍ତି ନାହିଁ।


ଏହାର ପରିଣାମ ଛଅ ସାତ ପରେ ମୁଁ ଅନୁଭବ କଲି ଯେ ଦ୍ଵିତୀୟ ବାର ମୁଁ ମା ହେବାକୁ ଯାଉଛି। ମା ହେବାର ଇପ୍ସା ମୋତେ ଗୋଟେ ବଡ଼ ଦୁଃସାହସିକ ପଦକ୍ଷେପ ନେବାକୁ ପ୍ରେରିତ କଲା। କନ୍ଫର୍ମ ହେବାକୁ ମୁଁ ଡାକ୍ତର ଙ୍କ ପାଖକୁ ଗଲି। ଏବଂ ସେଇ ଡାକ୍ତର ଖାନାରୁ ସିଧା ଶାଶୁ ଘରକୁ ଆସିଲି। ସବୁ କଥା ଶାଶୁଙ୍କୁ କହିଲି। ଶାଶୁ ବି ଏ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ। ପୁପୁଲ୍ ତାଙ୍କର ଏମିତି ସତରେ? ମା ନା ଅନ୍ଧ ଭାବେ ପୁଅକୁ ବିଶ୍ୱାସ କରନ୍ତି। ତଥାପି ମୁଁ ଗର୍ଭପାତ ସବୁ କାଗଜ ପତ୍ର ଦେଖାଇବାରୁ ବିଶ୍ୱାସ କଲେ। ପିନାକୀ ମୋତେ ଖୋଜି ଖୋଜି ଘରକୁ ଆସିଲେ ଓ ଯାହା ଇଚ୍ଛା ତା ଗାଳି ଦେଇଗଲେ। ବାପା ମା ଭଉଣୀ ସମସ୍ତଙ୍କୁ ଅପମାନିତ କରି ମୋତେ ତାଙ୍କ ସାଙ୍ଗରେ ଯିବାକୁ ବାଧ୍ୟ କଲେ।


ମୁଁ ଶାଶୁ ଘର ଲୋକଙ୍କ ସମର୍ଥନ ପାଇ କହିଲି" ମୁଁ ଯିବିନି। ବେଶୀ ହେଲେ ଥାନାକୁ ଯିବି। ମୋ ଉପରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛ କହି ଏ ଫେୟାର ଦେବି"।


ଆଛା ଏମିତି ତାହେଲେ। ହେଉ ଦେଖ୍ ମୁଁ କଣ କରୁଛି କହି ପିନାକୀ ଝଡ଼ ବେଗରେ ଚାଲିଗଲେ। ଆଠ ଦିନ ପରେ ଖବର ଆସିଲା ଯେ ପିନାକୀ ଆଉ ଜଣକୁ ବାହା ହୋଇଛନ୍ତି,ସେ ପୁଣି ତାଙ୍କ ଛାତ୍ରୀଙ୍କ ଭିତରୁ ଜଣେ। ଅବଶ୍ୟ ଭୁବନେଶ୍ୱରରେ ଥିଲା ବେଳେ ତାଙ୍କ ସହକର୍ମୀ କୁହନ୍ତି ଯେ ପିନାକୀ ସାର୍ ଙ୍କ ଜଣେ ଛାତ୍ରୀ ସହ ଲଟର ପଟର ହେଉଛନ୍ତି। ଥରେ ଦି ଥର ରଙ୍ଗ ହାତରେ ଧରା ପଡିଲେଣି। ପିନାକୀ ସାର୍ ଙ୍କ ଚରିତ୍ର ଆଦୌ ଭଲ ନୁହେଁ। ଆପଣଙ୍କ ପରି ସଂସ୍କାରୀ,ଶୁଶୀଳ ସୁନ୍ଦର ଝିଅ କେମିତି ତାଙ୍କୁ ମିଳିଲେ ? ଅନେକଙ୍କ ସହ ତାଙ୍କର ଅବୈଧ ସମ୍ପର୍କ। ଏ ସବୁ ଶୁଣି ମୁଁ ନିଜକୁ ଦୋଷୀ ମଣେ। ମୁହଁ ନ ଖୋଲିଲେ ବି ମୁଁ ଯେ ପିନାକୀ ଙ୍କୁ ଭଲ ପାଉ ନଥିଲି କଣ କହି ପାରିବି? ଅବୁଝା ଚହଲା ଖସଡ଼ା ବୟସରେ ମୁଁ ତ ମୋ ମନ ଭିତରେ ପୁପୁଲ୍ ମାମୁଁ ଓରଫ ପୀନାକୀଙ୍କୁ ପ୍ରେମ ସିଂହାସନରେ ବସେଇ ଦେଇଥିଲି।


ଆଜି ଏ ସବୁ ଶୁଣି ଖରାପ ମନ କରୁଛି କାହିଁକି? ପିନାକୀ ଦ୍ଵିତୀୟ ବାର ବିବାହ କରି ମୋ ମନ ତଳ ସାଇତା ଭଲ ପାଇବା ତକ ଅଭିମାନରେ,ଘୃଣାରେ ଜଳି ଗଲା। ନିଜକୁ ଧିକ୍କାର କଲି। କେମିତି ମୋ ହୃଦସ୍ୱୀକୃତି ଦେଉଥିଲା ଏପରି ଜଣେ ପାଷାଣ୍ଡକୁ ମନର ମଣିଷ କରିବାକୁ! ପିନାକୀ ଙ୍କ ବିବାହ ଖବରରେ ପିନାକୀ ଘର ଲୋକେ ଓଲଟି ମୋ ଦୋଷ ଦେଲେ। ମୁଁ ଜିଦି କରି ତାଙ୍କ ସହ ନ ଗଲାରୁ ସେ ରାଗିକି ଏପରି ଗୋଟେ ପଦକ୍ଷେପ ନେଲେ ବୋଲି କହିଲେ। ଶେଷକୁ ମୋର ମୋ ବାପ ଘର ଆଶ୍ରା ହେଲା।


ଜୀବନ ମୋତେ ଗୋଟେ ସଂଘର୍ଷମୟ ମୋଡ଼ରେ ଠିଆ କରାଇଲା। ପେଟରେ ପିଲା,ଭାରାକ୍ରାନ୍ତ ମନ ସେଥିରେ ପୁଣି +୩ଶେଷ ପରୀକ୍ଷା ଦେଇ ସିଟି ଟ୍ରେନିଂ ନେଲି। ଅନେକ ଯନ୍ତ୍ରଣା ଝଡ଼ ମଧ୍ୟରେ ମୋ ଜୀବନ ଯାତ୍ରା ଆଗକୁ ବଢ଼ିଲା। ଏଇ ଝଡ଼ ଝଞ୍ଜା ଭିତରେ ତପସ୍ୟା, ତପୁର ଜନ୍ମ। ତପୁ ଜନ୍ମ ହେବାର ଦୁଇ ବର୍ଷ ପରେ ନିଯୁକ୍ତି ଭିତ୍ତିକ ବିଜ୍ଞାନ ଶିକ୍ଷକ ଭାବେ ନିଯୁକ୍ତି ମିଳିଲା। ବାପା ହିସାବରେ ଦିନେ ପିନାକୀ କିମ୍ବା ତାଙ୍କ ଘର ଲୋକେ ତପୁକୁ ଦେଖିବାକୁ ଆସିଲେ ନାହିଁ। ବାବା ମା ମୋ ପାଇଁ ଖୁବ୍ ମନ ଦୁଃଖ କଲେ। ମଣିଷ ଚିହ୍ନିବାରେ ଭୁଲ୍ ହୋଇ ତାଙ୍କ ରାଣୀ କଣ୍ଢେଇ ଜୀବନ ନଷ୍ଟ ହୋଇଗଲା ବୋଲି ଅନୁତାପ କରୁ କରୁ ଡକା ଡକି ହୋଇ ମା ପରେ ପରେ ବାବା ସେ ପାରିକୁ ଯାତ୍ରା କଲେ। ବିଟୁ ବି ତା ସଂସାର ନେଇ ବାଙ୍ଗାଲୋରରେ। ଏବେ ବାପ ଘରେ ତପୁକୁ

 କୁ ନେଇ ମୁଁ ଏକା। କାଗଜ ପତ୍ର ରେ ଡିଭୋର୍ସ ନେଇ ଯାଇଛି ମୁଁ। ନିଃସଙ୍ଗ ଜୀବନ ଆକାଶରେ ତପୁ ମୋ ଧ୍ରୁବ ତାରା।


ପଛ ବହି ପୃଷ୍ଠା ଓଲଟାଇ ଓଲଟାଉ ମନର ସାଇତା ଦୁଃଖ,ଅଭିମାନ ଓ କ୍ଷୋଭ କେତେବେଳେ ଆଖି ଝରକା ଦେଇ ଝରି ପଡ଼ି ତିନ୍ତାଇ ଦେଇ ଥାନ୍ତି ବିଦିଶାର ଛାତି। ଭାବନା ରାଜ୍ୟରୁ ଫେରି ଆସି ଉଦାସ ହୋଇଗଲା ବିଦିଶା। କଣ ହୋଇଛି ତା ରାଣୀ,ସୁନା ଧନ ତପୁର!!


ତପୁର ମୁଁ ବାପା ଓ ମା ଉଭୟ। ନ ହଜାର ଟଙ୍କାରେ ଛଅ ବର୍ଷ ପରେ ରେଗୁଲାର ହେଲା ମୋ ଚାକିରିରେ। ପାଣି ସହ କିଣା କହିଲେ ଚଳେ। ତପୁର ଭବିଷ୍ୟତ ବି ଏଇ ଚାକିରି। ତପୁର ଲକ୍ଷ୍ୟ ଡାକ୍ତର ହେବା। କୋଚିଂ ବଗେରା ଅନେକ ଖର୍ଚ୍ଚ ଲାଗିବ। ଏଣୁ ମା ଝିଅ ଦୁହେଁ ଭାଗ ବାଣ୍ଟି ଦୁଃଖ ଆଉ ଖୁସିକୁ ପିଉ। ଅତି ଭାଵ ପ୍ରବଣ ହୃଦୟ ମୋ ତପୁରର। କଣ ହୋଇଛି ତାର? ମୋ ଚୁଲ୍ ବୁଲ୍ କଣ୍ଢେଇ ଏତେ ଚୁପ୍ ଚାପ୍,କିନ୍ତୁ କାହିଁକି?


ଛୋଟ କାଟିଆ ଜନ୍ମ ଦିନ ପାର୍ଟି ଶେଷ ହୋଇଗଲା। ମୁଁ ଘରଦ୍ୱାର ପୋଛା ପୋଛି କରି ଶୋଇବାକୁ ଯାଇ ଦେଖେ ତ ତପୁ ତାଙ୍କ କଲେଜ ମାଗାଜିନ୍ ଛାତି ଉପରେ ରଖି ଶୋଇ ପଡିଛି। ମାଗାଜିନ୍ଟି ରଖିବାକୁ ଯାଇ ଦେଖେତ ତପୁ କଲେଜ ପ୍ରିନ୍ସପାଲ୍ ଡ଼ଃ ପିନାକୀ ମହାପାତ୍ର।


ହେ ଭଗବାନ! ତପୁର ଦୁଃଖ କାରଣ ତାହେଲେ ଏଇଠି? ତପୁ ଜାଣିଛି ଏବଂ ଚିହ୍ନିଛି ଡ଼ଃ ପିନାକୀ ମହାପାତ୍ର ତା ନନା। କହୁଥିଲା ମାସକ ତଳେ ଆମ କଲେଜକୁ ଜଣେ ନୂଆ ପ୍ରିନ୍ସପାଲ୍ ଆସିଛନ୍ତି। କିନ୍ତୁ ସେଇ ପ୍ରିନ୍ସପାଲ୍ ଯେ ତା ନନା ସକାଳ ହେଲା ତପୁକୁ ମୁଁ ସିଧା ସଳଖ ପ୍ରଶ୍ନ କଲି "ତୁ ତୋ ନନାଙ୍କୁ ବହୁତ ମିସ୍ କରୁଛୁ ନା..ଚାଲେ ଆଜି ତାଙ୍କ ସହ ତୋର ଭେଟ କରାଇ ଦେବି"


ତପୁ କାନ୍ଦି କାନ୍ଦି କହୁଥିଲା "ମୋର ନନା ଫନା କେହି ନାହାନ୍ତି। ତୋତେ ଯିଏ ଏମିତି ଜୀବନ ଉପହାର ଦେଇଛନ୍ତି ତାଙ୍କୁ ନନା କହିବାକୁ ମୁଁ ଘୃଣା କରେ ମା। କିନ୍ତୁ କେଉଁଠି ନା କେଉଁଠି ମୋତେ କଷ୍ଟ ଲାଗୁଛି ଯେ ଆମ ପ୍ରିନ୍ସପାଲ୍ ଝିଅ ମାନଙ୍କୁ ଅଶାଳୀନ ବ୍ୟବହାର କରି ଜେଲ ଯାଇଛନ୍ତି। ଯେତେ ଥର ଏ କଥା ମୋ ମନକୁ ଆସୁଛି ମୁଁ ଭାବୁଛି କି ଏପରି ଅସଭ୍ୟ ବାପାର ସନ୍ତାନ ମୁଁ। ମୋତେ ସେ କକେଜରୁ ଟ୍ରାନ୍ସଫର କରି ଆଣେ ମା। ସେଠି ମୋ ଶ୍ବାସ ରୁଦ୍ଧ ହୋଇ ଯାଉଛି


ମୁଁ ହତବମ୍ବ ହୋଇ ଗଲି ପିନାକୀ ଏବେ ବି ସେମିତି ଅଛନ୍ତି! ଛିଃ


ତାପରଠୁ ସେଇ କଲେଜରେ ତପସ୍ୟା ମହାପାତ୍ରଙ୍କୁ କେହି ଦେଖିନି


Rate this content
Log in

Similar oriya story from Tragedy