Abadhoot Panda

Tragedy

3  

Abadhoot Panda

Tragedy

ଛାତ୍ର ଜୀବନର ଦୁଃଖଦ ସ୍ମୃତି

ଛାତ୍ର ଜୀବନର ଦୁଃଖଦ ସ୍ମୃତି

3 mins
230


  ଛାତ୍ର ଜୀବନରେ ଅନୁଭୁତ ଏକ ସତ୍ୟ ଘଟଣା 

1975 ମସିହା କଥା। ମୁଁ ସେତେବେଳେ ଡି.ଏ.ଭି.କଲେଜ କୋରାପୁଟରେ ପ୍ରଥମ ବାର୍ଷିକ ବିଜ୍ଞାନ ଛାତ୍ର ଥିଲି । 1976 ମସିହା ଜାନୁଆରୀରେ ଆମ କ୍ଲାସ ପିଲା ସମସ୍ତେ ନୂଆ ବର୍ଷ ଉପଲକ୍ଷେ ଏକ ବଣ ଭୋଜି କରିବାକୁ ମନସ୍ଥ କଲୁ । ବାଗ୍ରା ଜଳ ପ୍ରପାତ ହେଲା ଆମର ପିକନିକ ସ୍ପଟ । କୋରାପୁଟ ସଦରରୁ ରୋଷେୟା, ରୋଷେଇ ସରଞ୍ଜାମ ଇତ୍ୟାଦି ଯୋଗାଡ଼ କରି ରଖିଲୁ । ସମସ୍ତଙ୍କୁ ମିଶାଇ ଠିକ 60 ଜଣ ଯିବା ପାଇଁ ଦୁଇଟି ଟ୍ରକ ଯୋଗାଡ଼ କଲୁ । କଲେଜ ପାଖରୁ ସକାଳ ଆଠଟା ବେଳେ ଟ୍ରକ ଛାଡିଲା । କୋରାପୁଟର ହାଡ଼ ଭଙ୍ଗା ଶୀତ ଦାଉରୁ ରକ୍ଷା ପାଇବାକୁ ଆମେ ଶୀତ ପୋଷାକ ପିନ୍ଧି ଥିଲୁ । ଦିନ 11ଟା ବେଳେ ବାଗ୍ରାରେ ପହଞ୍ଚିଲୁ ।

   ପ୍ରପାତର ଉପରମୁଣ୍ଡରେ ରୋଷେଇ ଆରମ୍ଭ ହେଲା । ପ୍ରଥମେ ଉପମା ଆଉ ଚା ଜଳଖିଆ କଲୁ । ତାପରେ ଆମ ମଧ୍ୟରୁ ପ୍ରାୟ ଅଧେ ପିଲା ବଣ ବୁଲିବାକୁ ବାହାରିଲୁ । ମୁଁ, ଆନନ୍ଦ ଶ୍ରୀବାସ୍ତବ ଓ ଡ଼ି.ରାଜେନ୍ଦ୍ର କୁମାର ପାହାଡ଼ ତଳକୁ ଯାଇ ପ୍ରପାତ ଧାର କୂଳରେ ଠିଆ ହୋଇ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଲାଗିଲୁ । ମୋର ପ୍ରିୟବନ୍ଧୁ ଆନନ୍ଦ ନିଜ କ୍ୟାମେରା ସାଙ୍ଗରେ ନେଇଥିଲା ଗ୍ରୁପ ଫଟୋ ଉଠେଇଲା । ଆଉଜଣେ ବନ୍ଧୁ ରାଜେନ୍ଦ୍ର କୁମାର ଜଣେ ଅଦ୍ଭୁତ ପ୍ରକାରର ପିଲା ଥିଲା । କୁଞ୍ଚୁ କୁଞ୍ଚିଆ ଭୃଙ୍ଗର ବାଳ ଘନ କଳା ରଙ୍ଗର । ତାର ଦେହ ରଙ୍ଗ କଳା । ଚାଲିଚଳନ ପିଲାଳିଆମୀ । ନିଗ୍ରୋ ଭଳି ଦିଶେ । ଆମେ ତାକୁ ଅତି ଭଲ ପାଉଥିଲୁ ଓ ତାକୁ ଗେଲେରେ ବ୍ଲାକ ଗାୟ ଡାକୁ । ମୋର ଅଧିକାଂଶ ସାଙ୍ଗ ବେଲ ବଟମ ପ୍ୟାଣ୍ଟ ପିନ୍ଧି ଥିଲୁ । ରାଜେନ୍ଦ୍ର କୁମାର ଘର କୋରାପୁଟ ଟାଉନରେ । ତାର ଜୀବନ କାଳରେ ଦୁଇଥର ନଈରେ ଗାଧୋଇଲା ବେଳେ ବୁଡି ଯାଇଥିଲା । ତାକୁ ପହଁରା ଆସେନି । ମରୁ ମରୁ ବଞ୍ଚି ଥିଲା ।

   ସେଦିନ ରାଜା ମୁଣ୍ଡରେ କଣ ଢୁକିଲା କେଜାଣି, ପ୍ରପାତ ଝରଣା କୂଳରେ ନିଜ ପ୍ୟାଣ୍ଟ ଶାର୍ଟ ଫିଙ୍ଗି କେବଳ ଅଣ୍ଡରୱେର ଗଞ୍ଜି ପିନ୍ଧି ଅଣଓସାରିଆ ଝରଣା ମଝିରେ ଥିବା ଏକ ଗୋଲେଇ ପଥର ଉପରକୁ ଡିଆଁ ମାରି ଠିଆ ହୋଇ ପଡ଼ିଲା । ପ୍ରକାଶ ଥାଉକି ସେତେବେଳେ ଆମ କ୍ଲାସର କୌଣସି ଝିଅ ପିଲାଙ୍କୁ ସାଥିରେ ନେଇ ନ ନଥିଲୁ । ତେଣୁ ରାଜା ପୁରା ଲଗାମ ଛଡ଼ା ହୋଇ ଆନନ୍ଦକୁ ତାହାର ଫଟୋ ଉଠାଇବାକୁ କହିଲା । ପାହାଡିଆ ସୁଅ ପ୍ରଖର ଓ ପାଣି ଗଭୀର । ଝରଣା ଭିତରେ ଥିବା ବଡ଼ ବଡ଼ ପଥର ଉପରେ ଶିଉଳି ଥାଏ । ଫଟୋ ଉଠାଇଲା ପରେ ସରୁଆ ପାଣି ଧାର କୂଳକୁ ଡେଇଁ ପଡ଼ିଲା ବେଳେ ହଠାତ ଶିଉଳିରେ ଗୋଡ଼ ଖସିଗଲା ରାଜାର । ପହଁରା ଜାଣିନି । ପାଣି ଭିତରେ ତା'ର ଅସ୍ତିତ୍ୱ ଲୋପ ପାଇଗଲା । ପାଖ ଆଖରେ ବୁଲୁଥିବା ଛାତ୍ରମାନେ ଦୌଡ଼ି ଆସିଲେ ।

   ଆମ ଆଖିରେ ଲୁହ ଆସିଗଲା । ବିକଳରେ ରାଜା ରାଜା ଚିତ୍କାର କରି ପ୍ରପାତ ଧାରା କୂଳେ କୂଳେ ଚିତ୍କାର କରି ଖୋଜିବାକୁ ଲାଗିଲୁ । ମାତ୍ର ରାଜାର କୌଣସି ପତ୍ତା ମିଳିଲାନି । ଚିରଦିନ ପାଇଁ ରାଜା ହଜିଗଲା । ଆମେ ନିରାଶ ହୋଇ ରୋଷେଇ ପାଖକୁ ଫେରି ଆସିଲୁ । ଯେଉଁ ପିଲାମାନେ ଉପର ମୁଣ୍ଡରେ ଥିଲେ ସେମାନେ ବି ବହୁତ ଖୋଜିଲେ । କିନ୍ତୁ ରାଜା ବାବୁଙ୍କ ପତ୍ତା ମିଳିଲାନି । ରନ୍ଧା ଜାଗାରେ ଚାରିଟି ବଡ଼ ବଡ଼ ପିତ୍ତଳ ହଣ୍ଡାରେ ଥିବା ଖାଦ୍ୟକୁ ପାଣିରେ ଫୋପାଡ଼ି ଦେଇ ଆମେ କଲେଜକୁ ଫେରି ଆସିଲୁ । 

   ସେଦିନ ଆମ କଲେଜର ବାର୍ଷିକ ନାଟ୍ୟ ଉତ୍ସବ ଅନୁଷ୍ଠିତ ହେଉଥିଲା । ଆମ ପ୍ରିନସିପାଲ କ୍ୟାପଟେନ ପି.କେ. ଶତପଥୀ ଆମକୁ ନୀରବ ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ଦେଲେ । ଆମେ ଆଖି ବୁଜି ଦୁଇ ମିନିଟ ପାଇଁ ଆମ ଘନିଷ୍ଠ ସହପାଠୀ ବନ୍ଧୁ ସ୍ବର୍ଗତ ଡି.ରାଜେନ୍ଦ୍ର କୁମାର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କଲୁ । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ସ୍ଥଗିତ କରାଗଲା ।

   ପରଦିନ ସକାଳୁ ଆନନ୍ଦ ଓ ମୁଁ ପୁଣି ଟ୍ରକରେ ସ୍ବର୍ଗତ ବନ୍ଧୁ ରାଜାର ପରିବାରର ଚାରି ଜଣ ଲୋକଙ୍କ ସହିତ ବାଗ୍ରା ପ୍ରପାତର ଖରସ୍ରୋତା ଝରଣାର ଗଭୀର ଗଣ୍ଡକୁ ଲମ୍ବା ଲମ୍ବା ବାଉଁଶରେ ଖୋଳି ତାଡ଼ି ପରିଶେଷରେ ତାହାର ଶବକୁ, ସେ ଯେଉଁ ପଥର ଉପରେ ଠିଆ ହୋଇ ଫଟୋ ଉଠାଉ ଥିଲା ସେଇ ଅର୍ଦ୍ଧ ଗୋଲାକାର ପଥର ସନ୍ଧିରୁ ଉଦ୍ଧାର କରିଥିଲୁ ଆଉ ତାଙ୍କ ଘରେ ପହଞ୍ଚାଇଥିଲୁ । ତା'ର ଅନ୍ତେଷ୍ଟୀ କ୍ରିୟା ଏବଂ ଶୁଦ୍ଧି କ୍ରିୟାରେ ଯୋଗଦାନ କରିଥିଲୁ । ଓଡ଼ିଆ କାଗଜ(ସମାଜ, ପ୍ରଜାତନ୍ତ୍ର, କଳିଙ୍ଗ ଓ ମାତୃଭୂମି)ର ପ୍ରଥମ ପୃଷ୍ଠାରେ ତାହାର ଫଟୋ ସହିତ ମୃତ୍ୟୁ ସମ୍ବାଦ ପ୍ରକାଶ କରାଇଥିଲୁ । ସେଇ ଛାତ୍ର ଜୀବନର ପୁରୁଣା ଦୁଃଖଦ ସ୍ମୃତି ଆଜି ମଧ୍ୟ ଆମର ସ୍ମୃତି ପଟ୍ଟଳରେ ଗତ କାଲି ପରି ଭାସି ଉଠୁଛି ।


Rate this content
Log in

Similar oriya story from Tragedy